Categories
ଆଜିର ଖବର ରାଜ୍ୟ ଖବର

ଭାରସାମ୍ୟ ହରାଇ ଓଲଟିଲା ମହିନ୍ଦ୍ରା ସୁପ୍ରୋ ଗାଡ଼ି: ଜଣେ ମୃତ, ୧୫ ଆହତ

ବେଗୁନିଆପଡା: ସଦ୍ୟ ବିବାହିତ ଝିଅକୁ ଶାଶୁ ଘରେ ଛାଡି ଘରକୁ ଫେରୁଥିବା ବେଳେ ଗାଡ଼ି ଓଲଟି ପଡିବାରୁ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଦାମିଆ ବରବରା ପଂଚାୟତର ତାଳ ବୋରେଇ ଗ୍ରାମର ପ୍ରାୟ ୨୬ ଜଣ ଯୁବକ ଏକ ମହିନ୍ଦ୍ର ସୁପ୍ରୋ ଡାଲା ଗାଡ଼ି ନମ୍ବର ଓଡି ୩୩ ଏଏଚ ୭୫୩୫ ଯୋଗେ ଗାଁ ର ସଦ୍ୟ ବିବାହିତ ଜଣେ କନ୍ୟାକୁ ତାର ଶାଶୂଘର ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ତାଳପଡା ଗ୍ରାମକୁ ବୁଧବାର ରାତିରେ ଯାଇଥିଲେ। ସେଠାରେ ଭୋଜି ଖାଇ ଗାଁକୁ ଫେରିବା ରାସ୍ତାରେ ବେଗୁନିଆପଡା ଠାରେ ଚାଲିଥିବା ଠାକୁରାଣୀ ଯାତ୍ରା ବୁଲି ଦେଖିଥିଲେ। ଭୋର ୫ ଟାରେ ସେଠାରୁ ଗାଁକୁ ଫେରୁଥିବା ସମୟରେ କେ. ବରିଡା ଗ୍ରାମ ନିକଟରେ ହଠାତ ଭାରସାମ୍ୟ ହରାଇ ଗାଡ଼ି ଟି ଓଲଟି ପଡିଥିଲା। ଫଳରେ ସମସ୍ତ ଯାତ୍ରୀ ଅଳ୍ପ ବହୁତେ ଆହତ ହୋଇଥିଲେ। ଆହତ ମାନଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଚିକିତ୍ସା ପାଇଁ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା। କିନ୍ତୁ ସେଠାରେ ଚିକିତ୍ସିତ ହେଉଥିବା ସମୟରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୧୫ ଜଣ ଚିକିତ୍ସିତ ହେଉଛନ୍ତି। କାହାର ମୁଣ୍ଡ ତ କାହାର ହାତ ଏବଂ ଆଉ କାହାର ଗୋଡ଼ ରେ ଆଘାତ ଲାଗିଛି।

ତେବେ ମୃତକ ଜଣଙ୍କ ପ୍ରଭାତ ପ୍ରଧାନ ବୋଲି ଜଣାପଡ଼ିଛି। ତାସହ ଖଲ୍ଲିକୋଟ ମେଡ଼ିକାଲ ରେ ଚିକିତ୍ସିତ ହେଉଥିବା ଆହତ ମାନେ ହେଲେ ପ୍ରକାଶ ପ୍ରଧାନ, ସଞ୍ଚିତ ଜାଲି, ପ୍ରଶାନ୍ତ ପ୍ରଧାନ, ଅଜୟ ପ୍ରଧାନ, ଚନ୍ଦ୍ରଶେଖର ପ୍ରଧାନ, ଆଶିଷ ପ୍ରଧାନ, ବାସୁଦେବ ପ୍ରଧାନ, ଗୁରୁବାରିଆ ପ୍ରଧାନ, ସିଦ୍ଧାର୍ଥ ପ୍ରଧାନ, ପପୁ ପ୍ରଧାନ, ଚନ୍ଦ୍ର ପ୍ରଧାନ, ଶିବାନ ପ୍ରଧାନ, କାହ୍ନୁ ପ୍ରଧାନ, ଜିତେନ୍ଦ୍ର ପ୍ରଧାନ। ସମସ୍ତଙ୍କ ବୟସ ପ୍ରାୟ ୧୫ ରୁ ୨୬ ବର୍ଷ ଭିତରେ ହେବ ବୋଲି ଜଣାପଡ଼ିଛି।

ଅନ୍ୟପଟେ ବେଗୁନିଆପଡା ଥାନା ପୋଲିସ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଓଲଟି ପଡିଥିବା ଗାଡ଼ି କୁ ଜବତ କରିବା ସହ ଘଟଣାର ତଦନ୍ତ ଚଳାଇଛି।