Categories
ଆଜିର ଖବର ଜାତୀୟ ଖବର

ମହିଳା ସୁରକ୍ଷା ଦିଗରେ ଭାରତର ପ୍ରତିବଦ୍ଧତା: ଯୁଗାନ୍ତକାରୀ ପରିବର୍ତ୍ତନ ଆଣିଥିବା ପ୍ରୟାସ

ନୂଆଦିଲ୍ଲୀ: ସାରା ଦେଶରେ ମହିଳାମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଭାରତ ସରକାର ଗତ ଏକ ଦଶନ୍ଧି ମଧ୍ୟରେ ଅନେକ ଉଲ୍ଲେଖନୀୟ ପଦକ୍ଷେପ ନେଇଛନ୍ତି। ମହିଳାଙ୍କ ସୁରକ୍ଷା ଦିଗରେ ନିଜର ପ୍ରତିବଦ୍ଧତାକୁ ବ୍ୟକ୍ତ କରି ଦେଶରେ ଅନେକଗୁଡ଼ିଏ ପରବର୍ତ୍ତନ ଆଇନଗତ ସଂସ୍କାର କାର୍ଯ୍ୟକାରୀ କରାଯିବା ସହ ଆର୍ଥିକ ପଦକ୍ଷେପ (ନିର୍ଭୟା ପାଣ୍ଠି) ଗ୍ରହଣ କରିଛି ଏବଂ ମହିଳା ସୁରକ୍ଷା ବୃଦ୍ଧି ପାଇଁ ମହିଳା ହେଲ୍ପଲାଇନ୍ (୧୮୧) ଆରମ୍ଭ କରିଛି।

ମହିଳାଙ୍କ ଅଧିକାରକୁ ପ୍ରୋତ୍ସାହିତ କରିବା ତଥା ସେମାନଙ୍କ ସୁରକ୍ଷା ଓ ନିରାପତ୍ତା ସୁନିଶ୍ଚିତ କରିବା ଲାଗି ଯୌନ ନିର୍ଯାତନା, ଘରୋଇ ହିଂସା, ଯୌତୁକ, ବାଲ୍ୟ ବିବାହ, କାର୍ଯ୍ୟକ୍ଷେତ୍ରରେ ନିର୍ଯାତନା ଓ ମାନବ ଚାଲାଣ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ବହୁମୁଖି ଆଭିମୁଖ୍ୟ ଗ୍ରହଣ କରାଯାଇଛି।

ୱାନ୍ ଷ୍ଟପ୍ ସେଣ୍ଟର, ମହିଳା ହେଲ୍ପଲାଇନ୍ ୧୮୧, ଜରୁରୀକାଳୀନ ପ୍ରତିକ୍ରିୟା ସହାୟତା ବ୍ୟବସ୍ଥା (୧୧୨), ଏସଏଚଇ-ବକ୍ସ ଏବଂ ମହିଳା ସହାୟତା ଡେସ୍କ ଆଦି ମହିଳାମାନଙ୍କୁ ଆଇନଗତ, ସ୍ୱାସ୍ଥ୍ୟ ଏବଂ ମନସ୍ତାତ୍ତ୍ବିକ ସହାୟତା ପ୍ରଦାନ କରୁଛି।

ଘରୋଇ ହିଂସା ଓ ଲିଙ୍ଗ ଆଧାରିତ ହିଂସା ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ; ନିମହାନ୍ସ ଦ୍ୱାରା ଆରମ୍ଭ କରାଯାଇଥିବା ପ୍ରକଳ୍ପ ‘ସ୍ତ୍ରୀ ମନୋରକ୍ଷା’ ସଖୀ କେନ୍ଦ୍ର ଗୁଡ଼ିକରେ ଆପାତ-କାଳୀନ ସେବା ପ୍ରଦାନ କରିଥାଏ।

ଅତୀତରେ ମହିଳାଙ୍କ ବିରୋଧରେ ନିର୍ଯାତନା ଘଟଣା ବୃଦ୍ଧିକୁ ଦୃଷ୍ଟିରେ ରଖି ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ନିର୍ଭୟା ପାଣ୍ଠି କାର୍ଯ୍ୟକାରୀ କରିଛି । ନିର୍ଭୟା ପାଣ୍ଠି ଅଧୀନରେ ୨୦୨୪-୨୫ ଆର୍ଥିକ ବର୍ଷରେ ୭୭୧୨.୮୫ କୋଟି ଟଙ୍କା ଆବଣ୍ଟନ କରାଯାଇଥିବା ବେଳେ ମୋଟ୍‌ ଆବଣ୍ଟନର ୫୮୪୬.୦୮ କୋଟି ଟଙ୍କା ଉପଯୋଗ କରାଯାଇଛି । ଏହି ଅର୍ଥରେ ଖୋଲିଥିବା ସଖୀ-ୱାନ ଷ୍ଟପ୍‌ ସେଣ୍ଟର ହିଂସା ପୀଡ଼ିତ ମହିଳାଙ୍କୁ ଗୋଟିଏ ଛାତ ତଳେ ଚିକିତ୍ସା, ଆଇନଗତ, ମାନସିକ ସହାୟତା ଦେବା ସହ ଅସ୍ଥାୟୀ ଆଶ୍ରୟ ପ୍ରଦାନ କରୁଛି । ବର୍ତ୍ତମାନ ଦେଶରେ ୮୧୨ଟି ସଖୀ-ୱାନ ଷ୍ଟପ ସେଣ୍ଟର କାର୍ଯ୍ୟକ୍ଷମ ଥିବା ବେଳେ ଏଥିରୁ ୧୦.୮୦ ଲକ୍ଷ ମହିଳା ସହାୟତା ପାଇଛନ୍ତି।

ମହିଳା ହେଲ୍ପଲାଇନ୍ ୧୮୧ ଉଭୟ ସରକାରୀ ଏବଂ ଘରୋଇ ସ୍ଥାନରେ ହିଂସାର ସମ୍ମୁଖୀନ ହେଉଥିବା ମହିଳାମାନଙ୍କ ପାଇଁ ଜରୁରୀକାଳୀନ ଏବଂ ସହାୟତା ସେବା ପ୍ରଦାନ କରିଥାଏ। ଜରୁରୀକାଳୀନ ପ୍ରତିକ୍ରିୟା ସହାୟତା ବ୍ୟବସ୍ଥା (ଇଆରଏସଏସ) ହେଉଛି ଭାରତ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଏକ ସମନ୍ୱିତ ଜରୁରୀକାଳୀନ ସେବା, ଯେଉଁଥିରେ ସମସ୍ତ ପ୍ରକାରର ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଗୋଟିଏ ଜରୁରୀକାଳୀନ ନମ୍ବର-୧୧୨ ରହିଛି। ନାଗରିକମାନେ କଲ୍, ଏସଏମଏସ, ଇମେଲ୍, ଏସଓଏସ ସଙ୍କେତ କିମ୍ବା ଇଆରଏସଏସ ୱେବ୍ ପୋର୍ଟାଲ ଜରିଆରେ ସହାୟତା ପାଇପାରିବେ। ଏହି ବ୍ୟବସ୍ଥା ୧୦୦ (ପୁଲିସ), ୧୦୧ (ଅଗ୍ନିଶମ), ୧୦୮ (ଆମ୍ବୁଲାନ୍ସ), ଏବଂ ୧୮୧ (ମହିଳା ଏବଂ ଶିଶୁ ଯତ୍ନ) ସମେତ ସମସ୍ତ କାର୍ଯ୍ୟକ୍ଷମ ଜରୁରୀକାଳୀନ ନମ୍ବରକୁ ୧୧୨ ଅଧୀନରେ ଏକୀକୃତ କରିଥାଏ। ଏହାବ୍ୟତୀତ ସି ବା ଏସଏଚଇ ବକ୍ସ ପୋର୍ଟାଲ କାର୍ଯ୍ୟକ୍ଷେତ୍ର (ସଂଗଠିତ, ଅସଂଗଠିତ, ସରକାରୀ, ଘରୋଇ)ରେ ନିର୍ଯାତନାର ଶିକାର ହେଉଥିବା ମହିଳାଙ୍କୁ ନ୍ୟାୟ ପ୍ରଦାନ କରିଥାଏ ଏବଂ ସେମାନଙ୍କର ଅଧିକାରକୁ ସୁରକ୍ଷିତ ରଖିଥାଏ। ଏହି ପୋର୍ଟାଲରେ ହେଉଥିବା ଅଭିଯୋଗ ଉପଯୁକ୍ତ କର୍ତ୍ତୃପକ୍ଷଙ୍କୁ ସିଧାସଳଖ ସ୍ଥାନାନ୍ତରିତ ହୋଇଥାଏ। ନିର୍ଭୟା ପାଣ୍ଠି ଅଧୀନରେ ଥାନାଗୁଡ଼ିକରେ ୧୪ ହଜାର ୬୫୮ ମହିଳା ସହାୟତା ଡେସ୍କ ଖୋଲାଯାଇଛି, ଏଥିମଧ୍ୟରୁ ୧୩ ହଜାର ୭୪୩ଟି ମହିଳା ପୁଲିସ ଅଧିକାରୀଙ୍କ ଦ୍ୱାରା ପରିଚାଳିତ ହେଉଛି।

ଏତଦ୍‌ ବ୍ୟତୀତ ସେଫ ସିଟି ପ୍ରକଳ୍ପ, ଯୌନ ନିର୍ଯାତନା ପାଇଁ ତଦନ୍ତ ନିରୀକ୍ଷଣ ପ୍ରଣାଳୀ, ଯୌନ ଅପରାଧୀଙ୍କ ଜାତୀୟ ଡାଟା ବେଶ, ମିଶନ ଶକ୍ତି, ସାଇବର ଅପରାଧ ଅଭିଯୋଗ ପୋର୍ଟାଲ, ଭାରତୀୟ ରେଳବାଇର ମେରୀ ସହେଲି ଯୋଜନା, ମହିଳା ପୁଲିସ ସ୍ୱେଚ୍ଛାସେବୀ, ସ୍ୱତନ୍ତ୍ର ମହିଳା ପୁଲିସ ସେଲ୍‌ ଆଦି ପଦକ୍ଷେପ ମହିଳାଙ୍କ ସୁରକ୍ଷା ଓ ଅଧିକାରକୁ ସୁନିଶ୍ଚିତ କରୁଛି। ‘ସ୍ତ୍ରୀ ମନୋରକ୍ଷା’ ପ୍ରକଳ୍ପ ଜରିଆରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ମହିଳାମାନଙ୍କୁ ମନସ୍ତାତ୍ତ୍ୱିକ ସହାୟତା ଯୋଗାଇ ଦେବା ସହ ସେମାନଙ୍କୁ ସଚେତନ କରୁଛି।

ଭାରତୀୟ ନ୍ୟାୟ ସଂହିତା ୨୦୨୩ ଜରିଆରେ ଯୌନ ନିର୍ଯାତନା ପାଇଁ କଠୋର ଦଣ୍ଡାଦେଶ ବ୍ୟବସ୍ଥା କରାଯାଇଛି। ୧୮ ବର୍ଷରୁ କମ୍‌ ନାବାଳିକାଙ୍କ ବଳାତ୍କାର ପାଇଁ ଦୋଷୀକୁ ଫାଶୀ ଦଣ୍ଡ ଦେବାର ବ୍ୟବସ୍ଥା ରହିଛି। ବଳାତ୍କାର ଭଳି ମାମଲାର ତ୍ବରିତ ଶୁଣାଣୀ ଓ କାର୍ଯ୍ୟାନୁଷ୍ଠାନ ପାଇଁ ପୋକ୍ସୋ ଆଇନ ପ୍ରଣୟନ ସହିତ ଦେଶବ୍ୟାପୀ ଫାଷ୍ଟଟ୍ରାକ୍‌ କୋର୍ଟ ପ୍ରତିଷ୍ଠା କରାଯାଇଛି। ଘରୋଇ ହିଂସାରୁ ମହିଳାଙ୍କ ସୁରକ୍ଷା ଆଇନ ୨୦୦୫ର ସଫଳ କାର୍ଯ୍ୟକାରିତା ଯୋଗୁ ୨୦୧୫-୧୬ ତୁଳନାରେ ୨୦୧୯-୨୦ରେ ବୈବାହିକ ସମ୍ପର୍କରେ ମହିଳା (୧୮ରୁ ୪୯ ବର୍ଷ)ଙ୍କ ବିରୋଧରେ ହେଉଥିବା ଘରୋଇ ହିଂସା ପରିମାଣ ୩୧.୨%ରୁ ୨୯.୩%କୁ ହ୍ରାସ ପାଇଛି।

ସେହିପରି ଯୌତୁକ ନିବାରଣ ଆଇନ ୧୯୬୧, ଅନୈତିକ ମାନବ ଚାଲାଣ ନିରାକରଣ ଆଇନ ୧୯୫୬, ବାଲ୍ୟ ବିବାହ ନିଷେଧ ଆଇନ ୨୦୦୬, କାର୍ଯ୍ୟସ୍ଥଳୀରେ ମହିଳାଙ୍କର ଯୌନ ନିର୍ଯାତନା ନିବାରଣ, ନିଷେଧ ଓ ସମାଧାନ ଆଇନ ୨୦୧୩ ମହିଳାଙ୍କ ସୁରକ୍ଷା ଓ ନିରାପତ୍ତାକୁ ସୁନିଶ୍ଚିତ କରିବା ସହିତ ସେମାନଙ୍କ ଅଧିକାରକୁ ସଶକ୍ତ କରିଛି। ଭାରତ ସରକାର ଆଇନଗତ ପଦକ୍ଷେପ, ଆର୍ଥିକ ଆବଣ୍ଟନ ଏବଂ ସହାୟକ ସେବା ଜରିଆରେ ମହିଳାମାନଙ୍କ ସୁରକ୍ଷା ବୃଦ୍ଧି କରିବା ଲାଗି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଏହି ପ୍ରୟାସଗୁଡ଼ିକ ଶାରୀରିକ ଏବଂ ଆଇନଗତ ସୁରକ୍ଷା ପ୍ରଦାନ କରୁଥିବାବେଳେ, ମାନସିକ ସୁସ୍ଥତା ଉପରେ ଅଧିକ ଧ୍ୟାନ ଦିଆଯାଇଛି।

Categories
ବିଶେଷ ଖବର

ଆଉ କେତେ ନିର୍ଭୟା, କେତେ ଆସିଫା ଓ କେତେ ପ୍ରିୟାଙ୍କା, ମହିଳା ସୁରକ୍ଷା କଣ କେବଳ ଫାଙ୍କା ସ୍ଲୋଗାନ ମାତ୍ର!!   

କେଦାର ମିଶ୍ର  

୧୬, ଡିସେମ୍ବର, ୨୦୧୨ ଓ ୨୭, ନଭେମ୍ବର,୨୦୧୯- ଏ ଦୁଇ ତାରିଖ ର ଏକମାତ୍ର ସାମଞ୍ଜସ୍ୟ ହେଉଛି, ଏହି ଦୁଇ ତାରିଖରେ ଆମେ ଭାରତମାତାକୁ ଭୟଙ୍କର ଭାବରେ ନିନ୍ଦିତ କରିଛୁ। ୧୬, ଡିସେମ୍ବର, ୨୦୧୨ ଦିନ ଦିଲ୍ଲୀର କୁଖ୍ୟାତ ନିର୍ଭୟା ଘଟଣା ଘଟିଥିଲା। ଏକ ଚଳନ୍ତି ବସରେ ଡାକ୍ତରୀ ଛାତ୍ରୀ ଜ୍ୟୋତି ସିଂଙ୍କୁ ଅତ୍ୟନ୍ତ ନିର୍ଦ୍ଦୟ ଭାବରେ ଧର୍ଷଣ ଓ ହତ୍ୟା କରାଯାଇଥିଲା।  ଏହି ଘଟଣାର ପ୍ରତିବାଦରେ ତା ପରଦିନ ସାରା ଦେଶ ରାସ୍ତାକୁ ଓହ୍ଲାଇ ଆସିଥିଲା। ଦିଲ୍ଲୀର ଇଣ୍ଡିଆ ଗେଟ ରେ ହଜାର ହଜାର ନାଗରିକ ରାତି ରାତି ଅନିଦ୍ରା ରହି ଏକ ଜନ ଆନ୍ଦୋଳନ ଆରମ୍ଭ କରିଥିଲେ। ତେବେ ତାହା ଏ ଦେଶର ପ୍ରଥମ ବା ଶେଷ ଘଟଣା ନଥିଲା। ନିର୍ଭୟା ଘଟଣା ପରେ ନିୟମିତ ଅବଧିରେ ଆମେ ମଣିଷକୁ ଲଜ୍ଜିତ କଲାପରି ଧର୍ଷଣ ଓ ହତ୍ୟାର ଖବର ଶୁଣିଆସୁଛୁ। ଗତ ୨୭ ନଭେମ୍ବରରେ ସେମିତି ଏକ ଛାତିଥରା ଘଟଣା ଘଟିଛି ହାଇଦ୍ରାବାଦ-ବାଙ୍ଗାଲୋର ରାଜପଥରେ। ପ୍ରିୟାଙ୍କା ରେଡ୍ଡୀ ନାମ୍ନୀ ଜଣେ ପଶୁ ଡାକ୍ତରଙ୍କୁ ଚାରିଜଣ ଦୁର୍ବୃତ୍ତ ଗଣଧର୍ଷଣ କରି ଜିଅନ୍ତା ପୋଡି ଦେଇଛନ୍ତି।

ନିର୍ଭୟା ଘଟନାରେ  ସରକାର ତତ୍ପରତାର ସହିତ ସେତେବେଳର ସବୁ ଅପରାଧୀଙ୍କୁ ୨୪ ଘଣ୍ଟା ମଧ୍ୟରେ ଗିରଫ କରିଥିଲେ। ଆଜି ମଧ୍ୟ ଅପରାଧୀ ଗିରଫ ହେଉଛନ୍ତି। ସେଥିରୁ ଅନେକ ଦଣ୍ଡିତ ମଧ୍ୟ ହେଉଛନ୍ତି। ଅନେକଙ୍କୁ ଫାଶୀ ଦଣ୍ଡ ମଧ୍ୟ ଦିଆଗଲାଣି। ତଥାପି ଏ ପ୍ରକାର ଅପରାଧ କମୁନାହିଁ କାହିଁକି? ରାଜନୈତିକ ଦୃଷ୍ଟିରୁ ଦେଖିଲେ ନିର୍ଭୟା ଘଟଣା ପାଇଁ ତତ୍କାଳୀନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ କମ ହିନସ୍ତା ହେବାକୁ ପଡି ନଥିଲା। ଆଜି ଶ୍ରୀମତି ଶୀଲା ଦୀକ୍ଷିତ ଚାଲି ଗଲେଣି। ସେଦିନ ଇଣ୍ଡିଆ ଗେଟରେ ବିକ୍ଷୋଭକାରୀମାନେ ଲୋକଙ୍କ ସହ କଥା ହେବାକୁ ଆସିଥିବା ଶ୍ରୀମତି ଦୀକ୍ଷିତଙ୍କୁ ଭୟଙ୍କର ଭାବରେ ଅପମାନିତ କରିଥିଲେ। ସେହି ଘଟଣାରେ ପୀଡ଼ିତାଙ୍କୁ ବଞ୍ଚାଇ ହେଲାନାହିଁ, କିନ୍ତୁ ଦୋଷୀମାନେ ଦଣ୍ଡିତ ହେଲେ। ଜଣେ ଦୋଷୀ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କଲା। ଜଷ୍ଟିସ ବର୍ମା କମିଟି ଗଠିତ ହୋଇ ଧର୍ଷଣ ଭଳି ଘଟଣାରେ ଆଇନ ବଦଳାଇବାର ପ୍ରୟାସ ଆରମ୍ଭ ହେଲା।

କଥା ସେତିକି ମାତ୍ର। ତାପରେ କାଠୁଆ, କରୀମ ନଗର,ଉନ୍ନାଓ ଭଳି ଅନେକ ଜାଗାରେ ଏମିତି ଜଘନ୍ୟ ଅପରାଧ ଘଟିଛି। ହେଲେ ଆଗପରି ଆଉ ପ୍ରତିବାଦ ହେଉନାହିଁ। ବରଂ ପଚରାଯାଉଛି, ଧର୍ଷିତାର ଧର୍ମ କଣ ବା ଧର୍ଷଣକାରୀ କେଉଁ ଧର୍ମର? କାଠୁଆ ରେ ଆସିଫା ନାମ୍ନୀ ଛୋଟ ଝିଅଟିକୁ ଧର୍ଷଣ ଓ ହତ୍ୟା କରିଥିବା ଅପରାଧୀମାନଙ୍କ ସପକ୍ଷରେ ସେଠିକାର ବାର କାଉନ୍ସିଲ ଯେଉଁ ପ୍ରକାର ଆନ୍ଦୋଳନ କରିଥିଲା ଓ ସେଥିରେ ବିଜେପିର ବିଧାୟକ ଓ ମନ୍ତ୍ରୀମାନେ ସାମିଲ ହୋଇଥିଲେ, ତାହା ଆମ ଦେଶର ଇତିହାସରେ ସବୁଠୁ ବଡ କଳଙ୍କ। ସଂଘ ପରିବାରର ବୁଦ୍ଧିଜୀବୀମାନେ ସେତେବେଳେ କାଠୁଆର ଧର୍ଷଣକାରୀଙ୍କ ସପକ୍ଷରେ ଖୋଲାଖୋଲି ଠିଆ ହୋଇଥିଲେ। ପରବର୍ତ୍ତୀ ସମୟରେ ଯେତେବେଳେ ଅପରାଧୀମାନେ ଅଦାଲତ ଦ୍ଵାରା ଦଣ୍ଡିତ ହେଲେ ଏଇ ବୁଦ୍ଧିଜୀବୀ ଓ ଶାସକ ଦଳର ନେତାମାନେ ଏବେ ଆଉ ସେକଥା ଉଠାଉ ନାହାନ୍ତି।ଆଜି ବି ପ୍ରିୟାଙ୍କା ରେଡ୍ଡୀ ଙ୍କ କ୍ଷେତ୍ରରେ ସେହି କଥା ଘଟିଛି। ଯେଉଁ ଚାରି ଜଣ ଅପରାଧୀ ଏହି ମାମଲାରେ ଗିରଫ ହୋଇଛନ୍ତି, ସେମାନଙ୍କ ମଧ୍ୟରୁ ଜଣେ ମୁସଲମାନ ଓ ତିନିଜଣ ହିନ୍ଦୁ। ତେବେ କିଏ କେଉଁ ଧର୍ମର ତାହା ଅପ୍ରାସଙ୍ଗିକ। ଏହି ଚାରି ଜଣ ଜଘନ୍ୟ ଅପରାଧୀ। ଏହାଙ୍କ ଧର୍ମକୁ ନେଇ ଆଲୋଚନା କାହିଁକି?

ଆଜି ଆମର ପ୍ରଶ୍ନ ହେଉଛି, ନିଃସନ୍ଦେହରେ ନିର୍ଭୟା ଭାରତର ଝିଅ ଥିଲେ। ତାଙ୍କୁ ନ୍ୟାୟ ଦେବାଲାଗି ସାରା ଭାରତ ଏକାଠି ହୋଇଥିଲା। ତାପରେ ବିଭିନ୍ନ ପ୍ରସଙ୍ଗରେ ଆମେ ଭିନ୍ନ ଭିନ୍ନ ବାଟ ଖୋଜିଛୁ। ଜଷ୍ଟିସ ବର୍ମା ଓ ଜଷ୍ଟିସ ଲୀଳା ସେଠ ଦେଇଥିବା ରିପୋର୍ଟ ଆଜି ଅନ୍ଧାରରେ। ମହିଳାଙ୍କ ସୁରକ୍ଷା ଲାଗି ଗଢା ଯାଇଥିବା ନିର୍ଭୟା ଫଣ୍ଡ ବିଷୟରେ କାହାକୁ କିଛି ମାଲୁମ ନାହିଁ। ଯେତେବେଳେ ବି ଏମିତି କିଛି ଘଟଣା ଘଟୁଛି, ଆମେ କହୁଛୁ, ଅପରାଧୀଙ୍କୁ ଫାଶିରେ ଝୁଲାଇ ଦିଅ। ଅନେକ ଦୋଷୀ ଫାଶିରେ ଝୁଲିଲେଣି ବା ଝୁଲିବାକୁ ଯାଉଛନ୍ତି। ତଥାପି ଏ ପ୍ରକାର ଅପରାଧ କମୁନାହିଁ। ଏ ପ୍ରକାର ଅପରାଧର ମୂଳ କାରଣ ନ ଖୋଜି ଆମେ କେବଳ ଅନ୍ଧାରରେ ବାଡି ବୁଲାଉଛେ। ଆଜି ମଧ୍ୟ ଆମ ସମାଜ ନାରୀର ସ୍ଵାଧୀନତା ଓ ସ୍ବାଭିମାନକୁ ପୂର୍ଣ୍ଣ ମାତ୍ରାରେ ସ୍ଵୀକୃତି ଦେଉନାହିଁ। ନାରୀକୁ ଆକ୍ରମଣ କରିବା, ଧର୍ଷଣ କରିବା “ମର୍ଦ୍ଦପଣିଆ” ବୋଲି ବିଚାର କରାଯାଉଛି। ହୁଏତ ଅପରାଧୀ ବିରୋଧରେ ଆମେ ସୋସିଆଲ ମିଡିଆରେ ବହୁତ ଭାଷଣ ଦେଉଛୁ, ହେଲେ ରାସ୍ତାରେ ଓହ୍ଲାଇ ଏହାର ପ୍ରତିବାଦ କରିବାକୁ ଆମର ସାହସ ମରି ଯାଉଛି। ନିର୍ଭୟା ଘଟଣାରେ ସାରା ଭାରତର ବିବେକ ଯେମିତି ଜାଗ୍ରତ ହୋଇଥିଲା, ତା ପରଠୁ ତାହା କେମିତି ଗୋଟେ ଶୁପ୍ତ ଅବସ୍ଥାକୁ ଚାଲି ଯାଇଛି।

ପ୍ରିୟାଙ୍କା ରେଡ୍ଡୀଙ୍କୁ ନ୍ୟାୟ ଦେବା ଲାଗି ଭାରତର ବିବେକ ପୁଣିଥରେ ଜାଗ୍ରତ ହୋଇ ପାରିବ କି?