ଆଉ କେତେ ନିର୍ଭୟା, କେତେ ଆସିଫା ଓ କେତେ ପ୍ରିୟାଙ୍କା, ମହିଳା ସୁରକ୍ଷା କଣ କେବଳ ଫାଙ୍କା ସ୍ଲୋଗାନ ମାତ୍ର!!   

Published: Dec 1, 2019, 8:55 am IST

କେଦାର ମିଶ୍ର  

୧୬, ଡିସେମ୍ବର, ୨୦୧୨ ଓ ୨୭, ନଭେମ୍ବର,୨୦୧୯- ଏ ଦୁଇ ତାରିଖ ର ଏକମାତ୍ର ସାମଞ୍ଜସ୍ୟ ହେଉଛି, ଏହି ଦୁଇ ତାରିଖରେ ଆମେ ଭାରତମାତାକୁ ଭୟଙ୍କର ଭାବରେ ନିନ୍ଦିତ କରିଛୁ। ୧୬, ଡିସେମ୍ବର, ୨୦୧୨ ଦିନ ଦିଲ୍ଲୀର କୁଖ୍ୟାତ ନିର୍ଭୟା ଘଟଣା ଘଟିଥିଲା। ଏକ ଚଳନ୍ତି ବସରେ ଡାକ୍ତରୀ ଛାତ୍ରୀ ଜ୍ୟୋତି ସିଂଙ୍କୁ ଅତ୍ୟନ୍ତ ନିର୍ଦ୍ଦୟ ଭାବରେ ଧର୍ଷଣ ଓ ହତ୍ୟା କରାଯାଇଥିଲା।  ଏହି ଘଟଣାର ପ୍ରତିବାଦରେ ତା ପରଦିନ ସାରା ଦେଶ ରାସ୍ତାକୁ ଓହ୍ଲାଇ ଆସିଥିଲା। ଦିଲ୍ଲୀର ଇଣ୍ଡିଆ ଗେଟ ରେ ହଜାର ହଜାର ନାଗରିକ ରାତି ରାତି ଅନିଦ୍ରା ରହି ଏକ ଜନ ଆନ୍ଦୋଳନ ଆରମ୍ଭ କରିଥିଲେ। ତେବେ ତାହା ଏ ଦେଶର ପ୍ରଥମ ବା ଶେଷ ଘଟଣା ନଥିଲା। ନିର୍ଭୟା ଘଟଣା ପରେ ନିୟମିତ ଅବଧିରେ ଆମେ ମଣିଷକୁ ଲଜ୍ଜିତ କଲାପରି ଧର୍ଷଣ ଓ ହତ୍ୟାର ଖବର ଶୁଣିଆସୁଛୁ। ଗତ ୨୭ ନଭେମ୍ବରରେ ସେମିତି ଏକ ଛାତିଥରା ଘଟଣା ଘଟିଛି ହାଇଦ୍ରାବାଦ-ବାଙ୍ଗାଲୋର ରାଜପଥରେ। ପ୍ରିୟାଙ୍କା ରେଡ୍ଡୀ ନାମ୍ନୀ ଜଣେ ପଶୁ ଡାକ୍ତରଙ୍କୁ ଚାରିଜଣ ଦୁର୍ବୃତ୍ତ ଗଣଧର୍ଷଣ କରି ଜିଅନ୍ତା ପୋଡି ଦେଇଛନ୍ତି।

ନିର୍ଭୟା ଘଟନାରେ  ସରକାର ତତ୍ପରତାର ସହିତ ସେତେବେଳର ସବୁ ଅପରାଧୀଙ୍କୁ ୨୪ ଘଣ୍ଟା ମଧ୍ୟରେ ଗିରଫ କରିଥିଲେ। ଆଜି ମଧ୍ୟ ଅପରାଧୀ ଗିରଫ ହେଉଛନ୍ତି। ସେଥିରୁ ଅନେକ ଦଣ୍ଡିତ ମଧ୍ୟ ହେଉଛନ୍ତି। ଅନେକଙ୍କୁ ଫାଶୀ ଦଣ୍ଡ ମଧ୍ୟ ଦିଆଗଲାଣି। ତଥାପି ଏ ପ୍ରକାର ଅପରାଧ କମୁନାହିଁ କାହିଁକି? ରାଜନୈତିକ ଦୃଷ୍ଟିରୁ ଦେଖିଲେ ନିର୍ଭୟା ଘଟଣା ପାଇଁ ତତ୍କାଳୀନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ କମ ହିନସ୍ତା ହେବାକୁ ପଡି ନଥିଲା। ଆଜି ଶ୍ରୀମତି ଶୀଲା ଦୀକ୍ଷିତ ଚାଲି ଗଲେଣି। ସେଦିନ ଇଣ୍ଡିଆ ଗେଟରେ ବିକ୍ଷୋଭକାରୀମାନେ ଲୋକଙ୍କ ସହ କଥା ହେବାକୁ ଆସିଥିବା ଶ୍ରୀମତି ଦୀକ୍ଷିତଙ୍କୁ ଭୟଙ୍କର ଭାବରେ ଅପମାନିତ କରିଥିଲେ। ସେହି ଘଟଣାରେ ପୀଡ଼ିତାଙ୍କୁ ବଞ୍ଚାଇ ହେଲାନାହିଁ, କିନ୍ତୁ ଦୋଷୀମାନେ ଦଣ୍ଡିତ ହେଲେ। ଜଣେ ଦୋଷୀ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କଲା। ଜଷ୍ଟିସ ବର୍ମା କମିଟି ଗଠିତ ହୋଇ ଧର୍ଷଣ ଭଳି ଘଟଣାରେ ଆଇନ ବଦଳାଇବାର ପ୍ରୟାସ ଆରମ୍ଭ ହେଲା।

କଥା ସେତିକି ମାତ୍ର। ତାପରେ କାଠୁଆ, କରୀମ ନଗର,ଉନ୍ନାଓ ଭଳି ଅନେକ ଜାଗାରେ ଏମିତି ଜଘନ୍ୟ ଅପରାଧ ଘଟିଛି। ହେଲେ ଆଗପରି ଆଉ ପ୍ରତିବାଦ ହେଉନାହିଁ। ବରଂ ପଚରାଯାଉଛି, ଧର୍ଷିତାର ଧର୍ମ କଣ ବା ଧର୍ଷଣକାରୀ କେଉଁ ଧର୍ମର? କାଠୁଆ ରେ ଆସିଫା ନାମ୍ନୀ ଛୋଟ ଝିଅଟିକୁ ଧର୍ଷଣ ଓ ହତ୍ୟା କରିଥିବା ଅପରାଧୀମାନଙ୍କ ସପକ୍ଷରେ ସେଠିକାର ବାର କାଉନ୍ସିଲ ଯେଉଁ ପ୍ରକାର ଆନ୍ଦୋଳନ କରିଥିଲା ଓ ସେଥିରେ ବିଜେପିର ବିଧାୟକ ଓ ମନ୍ତ୍ରୀମାନେ ସାମିଲ ହୋଇଥିଲେ, ତାହା ଆମ ଦେଶର ଇତିହାସରେ ସବୁଠୁ ବଡ କଳଙ୍କ। ସଂଘ ପରିବାରର ବୁଦ୍ଧିଜୀବୀମାନେ ସେତେବେଳେ କାଠୁଆର ଧର୍ଷଣକାରୀଙ୍କ ସପକ୍ଷରେ ଖୋଲାଖୋଲି ଠିଆ ହୋଇଥିଲେ। ପରବର୍ତ୍ତୀ ସମୟରେ ଯେତେବେଳେ ଅପରାଧୀମାନେ ଅଦାଲତ ଦ୍ଵାରା ଦଣ୍ଡିତ ହେଲେ ଏଇ ବୁଦ୍ଧିଜୀବୀ ଓ ଶାସକ ଦଳର ନେତାମାନେ ଏବେ ଆଉ ସେକଥା ଉଠାଉ ନାହାନ୍ତି।ଆଜି ବି ପ୍ରିୟାଙ୍କା ରେଡ୍ଡୀ ଙ୍କ କ୍ଷେତ୍ରରେ ସେହି କଥା ଘଟିଛି। ଯେଉଁ ଚାରି ଜଣ ଅପରାଧୀ ଏହି ମାମଲାରେ ଗିରଫ ହୋଇଛନ୍ତି, ସେମାନଙ୍କ ମଧ୍ୟରୁ ଜଣେ ମୁସଲମାନ ଓ ତିନିଜଣ ହିନ୍ଦୁ। ତେବେ କିଏ କେଉଁ ଧର୍ମର ତାହା ଅପ୍ରାସଙ୍ଗିକ। ଏହି ଚାରି ଜଣ ଜଘନ୍ୟ ଅପରାଧୀ। ଏହାଙ୍କ ଧର୍ମକୁ ନେଇ ଆଲୋଚନା କାହିଁକି?

ଆଜି ଆମର ପ୍ରଶ୍ନ ହେଉଛି, ନିଃସନ୍ଦେହରେ ନିର୍ଭୟା ଭାରତର ଝିଅ ଥିଲେ। ତାଙ୍କୁ ନ୍ୟାୟ ଦେବାଲାଗି ସାରା ଭାରତ ଏକାଠି ହୋଇଥିଲା। ତାପରେ ବିଭିନ୍ନ ପ୍ରସଙ୍ଗରେ ଆମେ ଭିନ୍ନ ଭିନ୍ନ ବାଟ ଖୋଜିଛୁ। ଜଷ୍ଟିସ ବର୍ମା ଓ ଜଷ୍ଟିସ ଲୀଳା ସେଠ ଦେଇଥିବା ରିପୋର୍ଟ ଆଜି ଅନ୍ଧାରରେ। ମହିଳାଙ୍କ ସୁରକ୍ଷା ଲାଗି ଗଢା ଯାଇଥିବା ନିର୍ଭୟା ଫଣ୍ଡ ବିଷୟରେ କାହାକୁ କିଛି ମାଲୁମ ନାହିଁ। ଯେତେବେଳେ ବି ଏମିତି କିଛି ଘଟଣା ଘଟୁଛି, ଆମେ କହୁଛୁ, ଅପରାଧୀଙ୍କୁ ଫାଶିରେ ଝୁଲାଇ ଦିଅ। ଅନେକ ଦୋଷୀ ଫାଶିରେ ଝୁଲିଲେଣି ବା ଝୁଲିବାକୁ ଯାଉଛନ୍ତି। ତଥାପି ଏ ପ୍ରକାର ଅପରାଧ କମୁନାହିଁ। ଏ ପ୍ରକାର ଅପରାଧର ମୂଳ କାରଣ ନ ଖୋଜି ଆମେ କେବଳ ଅନ୍ଧାରରେ ବାଡି ବୁଲାଉଛେ। ଆଜି ମଧ୍ୟ ଆମ ସମାଜ ନାରୀର ସ୍ଵାଧୀନତା ଓ ସ୍ବାଭିମାନକୁ ପୂର୍ଣ୍ଣ ମାତ୍ରାରେ ସ୍ଵୀକୃତି ଦେଉନାହିଁ। ନାରୀକୁ ଆକ୍ରମଣ କରିବା, ଧର୍ଷଣ କରିବା “ମର୍ଦ୍ଦପଣିଆ” ବୋଲି ବିଚାର କରାଯାଉଛି। ହୁଏତ ଅପରାଧୀ ବିରୋଧରେ ଆମେ ସୋସିଆଲ ମିଡିଆରେ ବହୁତ ଭାଷଣ ଦେଉଛୁ, ହେଲେ ରାସ୍ତାରେ ଓହ୍ଲାଇ ଏହାର ପ୍ରତିବାଦ କରିବାକୁ ଆମର ସାହସ ମରି ଯାଉଛି। ନିର୍ଭୟା ଘଟଣାରେ ସାରା ଭାରତର ବିବେକ ଯେମିତି ଜାଗ୍ରତ ହୋଇଥିଲା, ତା ପରଠୁ ତାହା କେମିତି ଗୋଟେ ଶୁପ୍ତ ଅବସ୍ଥାକୁ ଚାଲି ଯାଇଛି।

ପ୍ରିୟାଙ୍କା ରେଡ୍ଡୀଙ୍କୁ ନ୍ୟାୟ ଦେବା ଲାଗି ଭାରତର ବିବେକ ପୁଣିଥରେ ଜାଗ୍ରତ ହୋଇ ପାରିବ କି?

Related posts