Categories
ବିଶେଷ ଖବର

ଫାଶୀ ପୂର୍ବରୁ ସୁପ୍ରିମକୋର୍ଟରେ ମଧ୍ୟରାତ୍ରିର ନାଟକ ଆଉ ହେବ ନାହିଁ!: କ୍ଷମା ଆବେଦନ ବନ୍ଦ କରିବାକୁ ଯାଉଛନ୍ତି ସରକାର

ନୂଆଦିଲ୍ଲୀ: ଫାଶୀ ଦଣ୍ଡାଦେଶ ପାଇଥିବା ଦୋଷୀଙ୍କ କ୍ଷମା ଆବେଦନ ଉପରେ ରାଷ୍ଟ୍ରପତିଙ୍କ ନିଷ୍ପତ୍ତି ହେବ ଶେଷ ନିଷ୍ପତ୍ତି। ଏହା ଉପରେ କୌଣସି ପରିବର୍ତ୍ତନ ହେବ ନାହିଁ। ନୂଆ ଭାରତୀୟ ବେସାମରିକ ପ୍ରତିରକ୍ଷା କୋଡ୍ ବିଲ (ବିଏନ୍ଏସ୍ଏସ୍) ୨୦୨୩ରେ ରାଷ୍ଟ୍ରପତିଙ୍କ ନିଷ୍ପତ୍ତିର ନ୍ୟାୟିକ ସମୀକ୍ଷା ଶେଷ କରିବାକୁ ପ୍ରସ୍ତାବ ଦିଆଯାଇଛି। ସମ୍ବିଧାନର ଧାରା ୭୨ ଅନୁଯାୟୀ ମୃତ୍ୟୁଦଣ୍ଡକୁ ପ୍ରତ୍ୟାହାର କିମ୍ବା ପରିବର୍ତ୍ତନ କରିବାର ଅଧିକାର ବ୍ୟବହାର କରିବା ସମୟରେ ରାଷ୍ଟ୍ରପତିଙ୍କ କୌଣସି ଆଦେଶ ବିରୋଧରେ ଆପିଲର ପଥକୁ ଏହା ବନ୍ଦ କରିଦେବ। ଏଭଳି ସ୍ଥିତିରେ ଅଦାଲତ ରାଷ୍ଟ୍ରପତିଙ୍କ ନିଷ୍ପତ୍ତିର ସମୀକ୍ଷା କରିପାରିବେ ନାହିଁ। ବିଏନ୍ଏସ୍ଏସ୍ ବିଲର ଧାରା ୪୭୩ରେ କୁହାଯାଇଛି, ସମ୍ବିଧାନର ଧାରା ୭୨ ଅନୁଯାୟୀ ରାଷ୍ଟ୍ରପତିଙ୍କ ଆଦେଶ ବିରୋଧରେ କୌଣସି ଅଦାଲତରେ ଆବେଦନ କରାଯିବ ନାହିଁ। ରାଷ୍ଟ୍ରପତିଙ୍କ ନିଷ୍ପତ୍ତିକୁ ନେଇ କୌଣସି ପ୍ରକାରର ସମୀକ୍ଷା ପାଇଁ ପ୍ରଭାବିତ ପକ୍ଷ କୌଣସି ଅଦାଲତକୁ ଯାଇପାରିବ ନାହିଁ। ଏହି ବିଲ୍ ସିଆରପିସିର ସ୍ଥାନ ନେବାକୁ ଯାଉଛି।

ମୃତ୍ୟୁଦଣ୍ଡାଦେଶ ପାଇଥିବା ଅପରାଧୀଙ୍କ ଆଶା ଶେଷ

ଏହି ବ୍ୟବସ୍ଥାର ବ୍ୟାପକ ପ୍ରଭାବ ରହିଛି କାରଣ ଏହା ମୃତ୍ୟୁଦଣ୍ଡାଦେଶ ପାଇଥିବା ଦୋଷୀମାନଙ୍କଠାରୁ ଚୂଡ଼ାନ୍ତ ନ୍ୟାୟିକ ପ୍ରତିକାର କିମ୍ବା ଆଶା ଛଡ଼ାଇ ନେଇପାରେ। ଏହାପରେ ସେମାନଙ୍କୁ ଝୁଲନ୍ତା ଅବସ୍ଥାରେ ପହଞ୍ଚିବାର ବାଟ ସଫା ହୋଇଯିବ। ବାସ୍ତବରେ, ସୁପ୍ରିମକୋର୍ଟ ଅତୀତରେ ରାୟ ଦେଇଛନ୍ତି ଯେ ରାଷ୍ଟ୍ରପତି କିମ୍ବା ରାଜ୍ୟପାଳଙ୍କ କ୍ଷମା ଏବଂ କ୍ଷମା ଭଳି ଅଧିକାରପ୍ରାପ୍ତ କ୍ଷମତାର ବ୍ୟବହାର ଯୁକ୍ତିଯୁକ୍ତ ଏବଂ ଅଯଥା ଏବଂ ଅସ୍ପଷ୍ଟ ବିଳମ୍ବ, ଏକାକୀ ବନ୍ଦୀ ଇତ୍ୟାଦି ଆଧାରରେ ଏହାକୁ ଚ୍ୟାଲେଞ୍ଜ କରାଯାଇପାରିବ। ଏଭଳି ପରିସ୍ଥିତିରେ ଅଧିକାଂଶ ମୃତ୍ୟୁଦଣ୍ଡାଦେଶ ପାଇଥିବା କଏଦୀ ସେମାନଙ୍କ କ୍ଷମା ଆବେଦନ ଖାରଜ ହେବା ବିରୋଧରେ ଅଦାଲତର ଦ୍ୱାରସ୍ଥ ହୋଇଥାନ୍ତି।

କେତେକ କ୍ଷେତ୍ରରେ କ୍ଷମା ଆବେଦନ ଉପରେ ନିଷ୍ପତ୍ତି ନେବାରେ ରାଷ୍ଟ୍ରପତିଙ୍କ ଅହେତୁକ ବିଳମ୍ବ ଧାରା ୨୧ (ଜୀବନ ଅଧିକାର)ର ଉଲ୍ଲଂଘନ ବୋଲି ବିବେଚନା କରାଯାଉଥିଲା ଏବଂ ମୃତ୍ୟୁଦଣ୍ଡକୁ ମଧ୍ୟ ପରିବର୍ତ୍ତନ କରାଯାଇଥିଲା।

ମେମନ ନା ନିର୍ଭୟା ମାମଲା

ମୃତ୍ୟୁଦଣ୍ଡର ଠିକ୍ ପୂର୍ବରୁ ଅଦାଲତର ଦ୍ୱାରସ୍ଥ ହେବା ଘଟଣା କେତେକ ହାଇପ୍ରୋଫାଇଲ ମାମଲାରେ ହାଇଭୋଲଟେଜ୍ ଡ୍ରାମାଭାବେ ଦେଖାଯାଉଛି। ଉଦାହରଣସ୍ୱରୂପ ୨୦୧୫ରେ ୧୯୯୧ ମୁମ୍ବାଇ ବୋମା ବିସ୍ଫୋରଣ ମାମଲାର ଦୋଷୀ ୟାକୁବ ମେମନଙ୍କୁ ଫାଶୀ ଦଣ୍ଡାଦେଶ ମିଳିବା ପୂର୍ବରୁ ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା। ୨୦୨୦ରେ ନିର୍ଭୟା ମାମଲାର ୪ ଦୋଷୀଙ୍କ ସମୟରେ ମଧ୍ୟ ସମାନ ଘଟଣା ଘଟିଥିଲା। ଯଦିଓ ସୁପ୍ରିମକୋର୍ଟ ଉଭୟ ମାମଲାରେ ଫାଶୀ ଉପରେ ରୋକ୍ ଲଗାଇବାକୁ ମନା କରିଦେଇଛନ୍ତି, ତଥାପି ମୃତ୍ୟୁଦଣ୍ଡର ବିରୋଧୀ ଏବଂ ମାନବାଧିକାର କର୍ମୀମାନେ ଏହି ଅସାଧାରଣ ବିଚାରକୁ ଦୋଷୀମାନଙ୍କ ପାଇଁ ସମସ୍ତ ସମ୍ଭାବ୍ୟ ଆଇନଗତ ଉପାୟ ଅବଲମ୍ବନ କରିବାର ଏକ ଉପଯୁକ୍ତ ସୁଯୋଗ ଭାବରେ ଦେଖୁଛନ୍ତି।

ଅପରପକ୍ଷରେ ମଧ୍ୟରାତ୍ରିରେ ହୋଇଥିବା ଶୁଣାଣିକୁ କିଛି ଲୋକ ନ୍ୟାୟିକ ସକ୍ରିୟତାଭାବେ ଦେଖିଥିଲେ। ଏହା ଅନୁଭବ କରାଗଲା ଯେ ନ୍ୟାୟିକ ପଦକ୍ଷେପର ଅତିରିକ୍ତ ସ୍ତର କାର୍ଯ୍ୟକାରୀ କରିବାରେ ବିଳମ୍ବ କରିବା ପାଇଁ ଏକ ରଣନୀତି ପରି ଥିଲା।

ପୃଥକ୍‍ ଆବେଦନ ମଧ୍ୟ ବିଫଳ ହୋଇଛି

ନୂଆ ବିଲର ଧାରା ୪୭୩ ମଧ୍ୟ ସେହି ମାମଲାରେ ଏକାଧିକ ଫାଶୀ ଦଣ୍ଡାଦେଶ ପାଇଥିବା ଦୋଷୀଙ୍କ ପୃଥକ୍‍ ଆବେଦନ ଯୋଗୁଁ ବିଳମ୍ବ ହେବାର ସମ୍ଭାବନାକୁ ଦୂର କରିଛି। ନିର୍ଭୟା ମାମଲାରେ ୪ ଦୋଷୀ ବିଭିନ୍ନ ସମୟରେ କ୍ଷମା ଆବେଦନ କରିଥିବାରୁ ଚୂଡ଼ାନ୍ତ ଆବେଦନ ଖାରଜ ହେବାରେ ବିଳମ୍ବ ହୋଇଥିଲା। ଏହି ବିଲରେ ପ୍ରସ୍ତାବ ରହିଛି ଯେ ଜେଲ ଅଧୀକ୍ଷକ ସୁନିଶ୍ଚିତ କରିବେ ଯେ ଯଦି କୌଣସି ମାମଲାରେ ଜଣେରୁ ଅଧିକ ଦୋଷୀ ଅଛନ୍ତି, ତେବେ ପ୍ରତ୍ୟେକ ଦୋଷୀ ୬୦ ଦିନ ମଧ୍ୟରେ କ୍ଷମା ଆବେଦନ ଦାଖଲ କରିବେ ଏବଂ ଯେଉଁଠାରେ ଅନ୍ୟ ଦୋଷୀମାନଙ୍କଠାରୁ ଏଭଳି କୌଣସି ଆବେଦନ ଗ୍ରହଣ କରାଯିବ ନାହିଁ, ସେ ନିଜେ ମୂଳ କ୍ଷମା ଆବେଦନ ସହିତ ନାମ, ଠିକଣା, କେସ୍ ରେକର୍ଡର ନକଲ ଏବଂ ଅନ୍ୟ ସମସ୍ତ ବିବରଣୀ କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କୁ ପଠାଇବେ। ରାଷ୍ଟ୍ରପତି ସମସ୍ତ ଦୋଷୀଙ୍କ ଆବେଦନଉପରେ ଏକାଠି ନିଷ୍ପତ୍ତି ନେବେ।

ଫାଶୀ ଦଣ୍ଡାଦେଶ ମାମଲାରେ କ୍ଷମା ଆବେଦନ ଦାଖଲ କରିବା ପାଇଁ ରାଜ୍ୟପାଳ (ଧାରା ୧୬୧) ଏବଂ ରାଷ୍ଟ୍ରପତି (ଧାରା ୭୨)ର ଏକ ସମୟ ସୀମା ରହିଛି। ଏଥିସହିତ ରାଜ୍ୟ ସରକାରଙ୍କ ମତାମତ ମିଳିବା ଦିନଠାରୁ କେନ୍ଦ୍ର ସରକାରଙ୍କୁ କ୍ଷମା ଆବେଦନ ଉପରେ ରାଷ୍ଟ୍ରପତିଙ୍କ ନିକଟକୁ ସୁପାରିସ ପଠାଇବା ପାଇଁ ୬୦ ଦିନ ସମୟ ମିଳିବ। ତେବେ କ୍ଷମା ଆବେଦନଗୁଡ଼ିକର ସମାଧାନ ପାଇଁ ରାଷ୍ଟ୍ରପତିଙ୍କ ପାଇଁ କୌଣସି ସମୟସୀମା ଧାର୍ଯ୍ୟ କରାଯାଇନାହିଁ।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ନିର୍ଭୟା ଭଳି ଆଉ ଏକ ଗଣଦୁଷ୍କର୍ମ: ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହେଲେ ପୀଡ଼ିତା

ଭୋପାଳ: ଦିଲ୍ଲୀର ନିର୍ଭୟା ଗଣଦୁଷ୍କର୍ମ ଭଳି ଆଉ ଏକ  ସମାନ ଘଟଣା ମଧ୍ୟପ୍ରଦେଶରେ ଘଟିଛି। ମଧ୍ୟପ୍ରଦେଶର ଜିଲ୍ଲା ମୁଖ୍ୟାଳୟ ଠାରୁ ମାତ୍ର ୪୦ କିଲୋମିଟର ଦୂର ଅମଳିୟା ଥାନା ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି।

ସୂଚନା ମୁତାବକ, ୪ ବର୍ଷ ପୂର୍ବେ ଜଣେ ବିଧବା ମହିଳାଙ୍କ ସ୍ବାମୀଙ୍କର ଦେହାନ୍ତ ହୋଇଯାଥିଲା। ଦୁଇ ନାବାଳିକ ସନ୍ତାନ ଏବଂ ନିଜ ଭଉଣୀଙ୍କ ସହ ପୀଡ଼ିତା ମହିଳା ଜଣଙ୍କ ଏକ ଝୁପୁଡିରେ ରହୁଥିଲେ। ସେଠାରେ ସେ ଏକ ଛୋଟ ଦୋକାନ ଟିଏ କରି ନିଜ ପରିବାର ଚଳାଉଥିଲେ।

ତେବେ ଶନିବାର ଦିନ ବିଳମ୍ବିତ ରାତିରେ ଚାରିଜଣ ଯୁବକ ପୀଡ଼ିତାଙ୍କ ଝୁପୁଡିକୁ ଆସିଥିଲେ। ଅଭିଯୁକ୍ତମାନେ ମହିଳାଙ୍କୁ ପାଣି ମାଗିଥିଲେ। ହେଲେ ରାତି ଅନେକ ହେଇଥିବାରୁ ମହିଳାଜଣଙ୍କ ସନ୍ଦେହ କରି ସେମାନଙ୍କୁ ପାଣି ଦେବା ପାଇଁ ମନା କରିଦେଇଥିଲେ। କିନ୍ତୁ ଅଭିଯୁକ୍ତ ଯୁବକମାନେ ବଳପୂର୍ବକ ମହିଳାଙ୍କ ଝୁପୁଡିରେ ପଶି ଜଣଙ୍କ ପରେ ଜଣେ ଦୁଷ୍କର୍ମ କରିଥିଲେ। ଏହାସହିତ ମହିଳାଙ୍କ ବ୍ୟକ୍ତିଗତ ଅଙ୍ଗରେ ଲୁହା ରଡ଼ ଭର୍ତ୍ତି କରି ସେଠାରୁ ପଳାଇଯାଇଥିଲେ।

ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ପୀଡ଼ିତାଙ୍କୁ ଉଦ୍ଧାର କରି ଅମଲିୟା ଥାନାକୁ ନେଇଆସିଥିଲେ। ସେଠରୁ ତାଙ୍କୁ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରି ସ୍ୱାସ୍ଥ୍ୟ ଅଧିକ ବିଗିଡିବାରୁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଏବଂ ପରେ ସେଠାରୁ ସଞ୍ଜୟ ଗାନ୍ଧୀ ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଥିଲା। ବର୍ତ୍ତମାନ ସେଠାରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ସ୍ଵାସ୍ଥ୍ୟରେ ସୁଧାର ଆସୁଥିବା ଜଣେ ବରିଷ୍ଠ ଡାକ୍ତର କହିଛନ୍ତି।

ରିବା ରେଞ୍ଜର ଆଇଜି ଉମେଶ ଯୋଗା କହିଛନ୍ତି ଯେ, ପୀଡ଼ିତା ପରିବାରଙ୍କ ଅଭିଯୋଗ ଆଧାରରେ ଚାରି ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତମାନେ ପୀଡ଼ିତାଙ୍କ ଗ୍ରାମର ବୋଲି ଶ୍ରୀ ଯୋଗା ସୂଚନା ଦେଇଛନ୍ତି। ଧାରା ୩୭୬, ୩୨୪, ୫୪୨, ୩୪ ଆଧାରରେ ମାମଲା ରୁଜ୍ଜୁ କରି ପୋଲିସ ତଦନ୍ତ ଜାରି କରୁଛି। (ଏଜେନ୍ସି)

Categories
ବିଶେଷ ଖବର

ଆଉ କେତେ ନିର୍ଭୟା, କେତେ ଆସିଫା ଓ କେତେ ପ୍ରିୟାଙ୍କା, ମହିଳା ସୁରକ୍ଷା କଣ କେବଳ ଫାଙ୍କା ସ୍ଲୋଗାନ ମାତ୍ର!!   

କେଦାର ମିଶ୍ର  

୧୬, ଡିସେମ୍ବର, ୨୦୧୨ ଓ ୨୭, ନଭେମ୍ବର,୨୦୧୯- ଏ ଦୁଇ ତାରିଖ ର ଏକମାତ୍ର ସାମଞ୍ଜସ୍ୟ ହେଉଛି, ଏହି ଦୁଇ ତାରିଖରେ ଆମେ ଭାରତମାତାକୁ ଭୟଙ୍କର ଭାବରେ ନିନ୍ଦିତ କରିଛୁ। ୧୬, ଡିସେମ୍ବର, ୨୦୧୨ ଦିନ ଦିଲ୍ଲୀର କୁଖ୍ୟାତ ନିର୍ଭୟା ଘଟଣା ଘଟିଥିଲା। ଏକ ଚଳନ୍ତି ବସରେ ଡାକ୍ତରୀ ଛାତ୍ରୀ ଜ୍ୟୋତି ସିଂଙ୍କୁ ଅତ୍ୟନ୍ତ ନିର୍ଦ୍ଦୟ ଭାବରେ ଧର୍ଷଣ ଓ ହତ୍ୟା କରାଯାଇଥିଲା।  ଏହି ଘଟଣାର ପ୍ରତିବାଦରେ ତା ପରଦିନ ସାରା ଦେଶ ରାସ୍ତାକୁ ଓହ୍ଲାଇ ଆସିଥିଲା। ଦିଲ୍ଲୀର ଇଣ୍ଡିଆ ଗେଟ ରେ ହଜାର ହଜାର ନାଗରିକ ରାତି ରାତି ଅନିଦ୍ରା ରହି ଏକ ଜନ ଆନ୍ଦୋଳନ ଆରମ୍ଭ କରିଥିଲେ। ତେବେ ତାହା ଏ ଦେଶର ପ୍ରଥମ ବା ଶେଷ ଘଟଣା ନଥିଲା। ନିର୍ଭୟା ଘଟଣା ପରେ ନିୟମିତ ଅବଧିରେ ଆମେ ମଣିଷକୁ ଲଜ୍ଜିତ କଲାପରି ଧର୍ଷଣ ଓ ହତ୍ୟାର ଖବର ଶୁଣିଆସୁଛୁ। ଗତ ୨୭ ନଭେମ୍ବରରେ ସେମିତି ଏକ ଛାତିଥରା ଘଟଣା ଘଟିଛି ହାଇଦ୍ରାବାଦ-ବାଙ୍ଗାଲୋର ରାଜପଥରେ। ପ୍ରିୟାଙ୍କା ରେଡ୍ଡୀ ନାମ୍ନୀ ଜଣେ ପଶୁ ଡାକ୍ତରଙ୍କୁ ଚାରିଜଣ ଦୁର୍ବୃତ୍ତ ଗଣଧର୍ଷଣ କରି ଜିଅନ୍ତା ପୋଡି ଦେଇଛନ୍ତି।

ନିର୍ଭୟା ଘଟନାରେ  ସରକାର ତତ୍ପରତାର ସହିତ ସେତେବେଳର ସବୁ ଅପରାଧୀଙ୍କୁ ୨୪ ଘଣ୍ଟା ମଧ୍ୟରେ ଗିରଫ କରିଥିଲେ। ଆଜି ମଧ୍ୟ ଅପରାଧୀ ଗିରଫ ହେଉଛନ୍ତି। ସେଥିରୁ ଅନେକ ଦଣ୍ଡିତ ମଧ୍ୟ ହେଉଛନ୍ତି। ଅନେକଙ୍କୁ ଫାଶୀ ଦଣ୍ଡ ମଧ୍ୟ ଦିଆଗଲାଣି। ତଥାପି ଏ ପ୍ରକାର ଅପରାଧ କମୁନାହିଁ କାହିଁକି? ରାଜନୈତିକ ଦୃଷ୍ଟିରୁ ଦେଖିଲେ ନିର୍ଭୟା ଘଟଣା ପାଇଁ ତତ୍କାଳୀନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ କମ ହିନସ୍ତା ହେବାକୁ ପଡି ନଥିଲା। ଆଜି ଶ୍ରୀମତି ଶୀଲା ଦୀକ୍ଷିତ ଚାଲି ଗଲେଣି। ସେଦିନ ଇଣ୍ଡିଆ ଗେଟରେ ବିକ୍ଷୋଭକାରୀମାନେ ଲୋକଙ୍କ ସହ କଥା ହେବାକୁ ଆସିଥିବା ଶ୍ରୀମତି ଦୀକ୍ଷିତଙ୍କୁ ଭୟଙ୍କର ଭାବରେ ଅପମାନିତ କରିଥିଲେ। ସେହି ଘଟଣାରେ ପୀଡ଼ିତାଙ୍କୁ ବଞ୍ଚାଇ ହେଲାନାହିଁ, କିନ୍ତୁ ଦୋଷୀମାନେ ଦଣ୍ଡିତ ହେଲେ। ଜଣେ ଦୋଷୀ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କଲା। ଜଷ୍ଟିସ ବର୍ମା କମିଟି ଗଠିତ ହୋଇ ଧର୍ଷଣ ଭଳି ଘଟଣାରେ ଆଇନ ବଦଳାଇବାର ପ୍ରୟାସ ଆରମ୍ଭ ହେଲା।

କଥା ସେତିକି ମାତ୍ର। ତାପରେ କାଠୁଆ, କରୀମ ନଗର,ଉନ୍ନାଓ ଭଳି ଅନେକ ଜାଗାରେ ଏମିତି ଜଘନ୍ୟ ଅପରାଧ ଘଟିଛି। ହେଲେ ଆଗପରି ଆଉ ପ୍ରତିବାଦ ହେଉନାହିଁ। ବରଂ ପଚରାଯାଉଛି, ଧର୍ଷିତାର ଧର୍ମ କଣ ବା ଧର୍ଷଣକାରୀ କେଉଁ ଧର୍ମର? କାଠୁଆ ରେ ଆସିଫା ନାମ୍ନୀ ଛୋଟ ଝିଅଟିକୁ ଧର୍ଷଣ ଓ ହତ୍ୟା କରିଥିବା ଅପରାଧୀମାନଙ୍କ ସପକ୍ଷରେ ସେଠିକାର ବାର କାଉନ୍ସିଲ ଯେଉଁ ପ୍ରକାର ଆନ୍ଦୋଳନ କରିଥିଲା ଓ ସେଥିରେ ବିଜେପିର ବିଧାୟକ ଓ ମନ୍ତ୍ରୀମାନେ ସାମିଲ ହୋଇଥିଲେ, ତାହା ଆମ ଦେଶର ଇତିହାସରେ ସବୁଠୁ ବଡ କଳଙ୍କ। ସଂଘ ପରିବାରର ବୁଦ୍ଧିଜୀବୀମାନେ ସେତେବେଳେ କାଠୁଆର ଧର୍ଷଣକାରୀଙ୍କ ସପକ୍ଷରେ ଖୋଲାଖୋଲି ଠିଆ ହୋଇଥିଲେ। ପରବର୍ତ୍ତୀ ସମୟରେ ଯେତେବେଳେ ଅପରାଧୀମାନେ ଅଦାଲତ ଦ୍ଵାରା ଦଣ୍ଡିତ ହେଲେ ଏଇ ବୁଦ୍ଧିଜୀବୀ ଓ ଶାସକ ଦଳର ନେତାମାନେ ଏବେ ଆଉ ସେକଥା ଉଠାଉ ନାହାନ୍ତି।ଆଜି ବି ପ୍ରିୟାଙ୍କା ରେଡ୍ଡୀ ଙ୍କ କ୍ଷେତ୍ରରେ ସେହି କଥା ଘଟିଛି। ଯେଉଁ ଚାରି ଜଣ ଅପରାଧୀ ଏହି ମାମଲାରେ ଗିରଫ ହୋଇଛନ୍ତି, ସେମାନଙ୍କ ମଧ୍ୟରୁ ଜଣେ ମୁସଲମାନ ଓ ତିନିଜଣ ହିନ୍ଦୁ। ତେବେ କିଏ କେଉଁ ଧର୍ମର ତାହା ଅପ୍ରାସଙ୍ଗିକ। ଏହି ଚାରି ଜଣ ଜଘନ୍ୟ ଅପରାଧୀ। ଏହାଙ୍କ ଧର୍ମକୁ ନେଇ ଆଲୋଚନା କାହିଁକି?

ଆଜି ଆମର ପ୍ରଶ୍ନ ହେଉଛି, ନିଃସନ୍ଦେହରେ ନିର୍ଭୟା ଭାରତର ଝିଅ ଥିଲେ। ତାଙ୍କୁ ନ୍ୟାୟ ଦେବାଲାଗି ସାରା ଭାରତ ଏକାଠି ହୋଇଥିଲା। ତାପରେ ବିଭିନ୍ନ ପ୍ରସଙ୍ଗରେ ଆମେ ଭିନ୍ନ ଭିନ୍ନ ବାଟ ଖୋଜିଛୁ। ଜଷ୍ଟିସ ବର୍ମା ଓ ଜଷ୍ଟିସ ଲୀଳା ସେଠ ଦେଇଥିବା ରିପୋର୍ଟ ଆଜି ଅନ୍ଧାରରେ। ମହିଳାଙ୍କ ସୁରକ୍ଷା ଲାଗି ଗଢା ଯାଇଥିବା ନିର୍ଭୟା ଫଣ୍ଡ ବିଷୟରେ କାହାକୁ କିଛି ମାଲୁମ ନାହିଁ। ଯେତେବେଳେ ବି ଏମିତି କିଛି ଘଟଣା ଘଟୁଛି, ଆମେ କହୁଛୁ, ଅପରାଧୀଙ୍କୁ ଫାଶିରେ ଝୁଲାଇ ଦିଅ। ଅନେକ ଦୋଷୀ ଫାଶିରେ ଝୁଲିଲେଣି ବା ଝୁଲିବାକୁ ଯାଉଛନ୍ତି। ତଥାପି ଏ ପ୍ରକାର ଅପରାଧ କମୁନାହିଁ। ଏ ପ୍ରକାର ଅପରାଧର ମୂଳ କାରଣ ନ ଖୋଜି ଆମେ କେବଳ ଅନ୍ଧାରରେ ବାଡି ବୁଲାଉଛେ। ଆଜି ମଧ୍ୟ ଆମ ସମାଜ ନାରୀର ସ୍ଵାଧୀନତା ଓ ସ୍ବାଭିମାନକୁ ପୂର୍ଣ୍ଣ ମାତ୍ରାରେ ସ୍ଵୀକୃତି ଦେଉନାହିଁ। ନାରୀକୁ ଆକ୍ରମଣ କରିବା, ଧର୍ଷଣ କରିବା “ମର୍ଦ୍ଦପଣିଆ” ବୋଲି ବିଚାର କରାଯାଉଛି। ହୁଏତ ଅପରାଧୀ ବିରୋଧରେ ଆମେ ସୋସିଆଲ ମିଡିଆରେ ବହୁତ ଭାଷଣ ଦେଉଛୁ, ହେଲେ ରାସ୍ତାରେ ଓହ୍ଲାଇ ଏହାର ପ୍ରତିବାଦ କରିବାକୁ ଆମର ସାହସ ମରି ଯାଉଛି। ନିର୍ଭୟା ଘଟଣାରେ ସାରା ଭାରତର ବିବେକ ଯେମିତି ଜାଗ୍ରତ ହୋଇଥିଲା, ତା ପରଠୁ ତାହା କେମିତି ଗୋଟେ ଶୁପ୍ତ ଅବସ୍ଥାକୁ ଚାଲି ଯାଇଛି।

ପ୍ରିୟାଙ୍କା ରେଡ୍ଡୀଙ୍କୁ ନ୍ୟାୟ ଦେବା ଲାଗି ଭାରତର ବିବେକ ପୁଣିଥରେ ଜାଗ୍ରତ ହୋଇ ପାରିବ କି?