ନିର୍ଭୟା ଭଳି ଆଉ ଏକ ଗଣଦୁଷ୍କର୍ମ: ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହେଲେ ପୀଡ଼ିତା

Published: Jan 11, 2021, 4:54 pm IST

ଭୋପାଳ: ଦିଲ୍ଲୀର ନିର୍ଭୟା ଗଣଦୁଷ୍କର୍ମ ଭଳି ଆଉ ଏକ  ସମାନ ଘଟଣା ମଧ୍ୟପ୍ରଦେଶରେ ଘଟିଛି। ମଧ୍ୟପ୍ରଦେଶର ଜିଲ୍ଲା ମୁଖ୍ୟାଳୟ ଠାରୁ ମାତ୍ର ୪୦ କିଲୋମିଟର ଦୂର ଅମଳିୟା ଥାନା ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି।

ସୂଚନା ମୁତାବକ, ୪ ବର୍ଷ ପୂର୍ବେ ଜଣେ ବିଧବା ମହିଳାଙ୍କ ସ୍ବାମୀଙ୍କର ଦେହାନ୍ତ ହୋଇଯାଥିଲା। ଦୁଇ ନାବାଳିକ ସନ୍ତାନ ଏବଂ ନିଜ ଭଉଣୀଙ୍କ ସହ ପୀଡ଼ିତା ମହିଳା ଜଣଙ୍କ ଏକ ଝୁପୁଡିରେ ରହୁଥିଲେ। ସେଠାରେ ସେ ଏକ ଛୋଟ ଦୋକାନ ଟିଏ କରି ନିଜ ପରିବାର ଚଳାଉଥିଲେ।

ତେବେ ଶନିବାର ଦିନ ବିଳମ୍ବିତ ରାତିରେ ଚାରିଜଣ ଯୁବକ ପୀଡ଼ିତାଙ୍କ ଝୁପୁଡିକୁ ଆସିଥିଲେ। ଅଭିଯୁକ୍ତମାନେ ମହିଳାଙ୍କୁ ପାଣି ମାଗିଥିଲେ। ହେଲେ ରାତି ଅନେକ ହେଇଥିବାରୁ ମହିଳାଜଣଙ୍କ ସନ୍ଦେହ କରି ସେମାନଙ୍କୁ ପାଣି ଦେବା ପାଇଁ ମନା କରିଦେଇଥିଲେ। କିନ୍ତୁ ଅଭିଯୁକ୍ତ ଯୁବକମାନେ ବଳପୂର୍ବକ ମହିଳାଙ୍କ ଝୁପୁଡିରେ ପଶି ଜଣଙ୍କ ପରେ ଜଣେ ଦୁଷ୍କର୍ମ କରିଥିଲେ। ଏହାସହିତ ମହିଳାଙ୍କ ବ୍ୟକ୍ତିଗତ ଅଙ୍ଗରେ ଲୁହା ରଡ଼ ଭର୍ତ୍ତି କରି ସେଠାରୁ ପଳାଇଯାଇଥିଲେ।

ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ପୀଡ଼ିତାଙ୍କୁ ଉଦ୍ଧାର କରି ଅମଲିୟା ଥାନାକୁ ନେଇଆସିଥିଲେ। ସେଠରୁ ତାଙ୍କୁ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରି ସ୍ୱାସ୍ଥ୍ୟ ଅଧିକ ବିଗିଡିବାରୁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଏବଂ ପରେ ସେଠାରୁ ସଞ୍ଜୟ ଗାନ୍ଧୀ ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଥିଲା। ବର୍ତ୍ତମାନ ସେଠାରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ସ୍ଵାସ୍ଥ୍ୟରେ ସୁଧାର ଆସୁଥିବା ଜଣେ ବରିଷ୍ଠ ଡାକ୍ତର କହିଛନ୍ତି।

ରିବା ରେଞ୍ଜର ଆଇଜି ଉମେଶ ଯୋଗା କହିଛନ୍ତି ଯେ, ପୀଡ଼ିତା ପରିବାରଙ୍କ ଅଭିଯୋଗ ଆଧାରରେ ଚାରି ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତମାନେ ପୀଡ଼ିତାଙ୍କ ଗ୍ରାମର ବୋଲି ଶ୍ରୀ ଯୋଗା ସୂଚନା ଦେଇଛନ୍ତି। ଧାରା ୩୭୬, ୩୨୪, ୫୪୨, ୩୪ ଆଧାରରେ ମାମଲା ରୁଜ୍ଜୁ କରି ପୋଲିସ ତଦନ୍ତ ଜାରି କରୁଛି। (ଏଜେନ୍ସି)

Related posts