Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଚାପ କ୍ରୀଡ଼ାରେ ମା’ଭଗବତୀ କାଠି ଠାକୁରାଣୀ, ମାଜଣା ପୁଷ୍କରିଣୀରେ ଆରମ୍ଭହେଲା ମା’ଙ୍କ ପ୍ରସିଦ୍ଧ ଭଉଁରୀ ଯାତ୍ରା

ବାଣପୁର: ବାଜା ରୋଶଣୀ, ଘଣ୍ଟ। ଘଣ୍ଟ କାହାଳୀର ଶବ୍ଦ ସହିତ ଅଗଣିତ ଶ୍ରଦ୍ଧାଳୁଙ୍କ ହରିବୋଲ ହୁଳହୁଳି ଧ୍ବନୀରେ ଆରମ୍ଭ ହେଲା ଶକ୍ତିପୀଠ ବାଣପୁରର ଆରାଧ୍ୟା ଦେବୀ ମା’ଭଗବତୀଙ୍କ ପ୍ରସିଦ୍ଧ ଭଉଁରୀ ଯାତ୍ରା। ଶ୍ରୀକ୍ଷେତ୍ରର ପ୍ରସିଦ୍ଧ ନରେନ୍ଦ୍ର ପୁଷ୍କରିଣୀରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ଶ୍ରୀମଦନମୋହନ ଦେବା ଦେବୀଙ୍କ ସହିତ ଚ଼ାପକ୍ରୀଡ଼ା ଓ ଭଉଁରୀ ଯାତ୍ରା କଲା ପରି ବାଣପୁରର ବଙ୍କାଡ଼ଗଡ଼ରାଜାଙ୍କ ଦ୍ଵାରା ପ୍ରତିଷ୍ଠିତ ଆଠ ଶାସନରୁ ଗୋପାଳପୁର ଶାସନର ପବିତ୍ର ମାଜଣା ପୁଷ୍କରିଣୀରେ କାହିଁ କେଉଁ କାଳରୁ ମା’ଭଗବତୀ କାଠି ଠାକୁରାଣୀଙ୍କ ଚନ୍ଦନ ଓ ଚାପଯାତ୍ରା ଅନୁଷ୍ଠିତ ହେବାର ପରମ୍ପରା ଚାଲି ଆସିଛି।

ବୈଶାଖ ଶୁକ୍ଳ ତୃତୀୟା ପବିତ୍ର ଅକ୍ଷୟତୃତୀୟା ଭାବରେ ପରିଚିତ ଏହି ଦିନଠାରୁ ପ୍ରଚଣ୍ଡ ରୌଦ୍ର ତାପରୁ ଦେବାଦେବୀଙ୍କୁ ଶୀତଳ ଉପଚ଼ାର ପ୍ରଦାନ କରିବାପାଇଁ ମନ୍ଦିରମାନଙ୍କରେ ବିଭିନ୍ନ ନୀତିକାନ୍ତି ଖଞ୍ଜା ଯାଇଛି। ତନ୍ମଧ୍ୟରୁ ଦେବାଦେବୀ ପ୍ରତିମାଙ୍କ ଶରୀରରେ ଚନ୍ଦନ ଲେପନ, ଚନ୍ଦନ କର୍ପୁର ଅଗୁରୁ ମିଶ୍ରିତ ସୁବାଷିତ ପୁଷ୍ପ ପରିପୂର୍ଣ୍ଣ ଶୀତଳ ଜଳ କୁଣ୍ଡରେ ଅବସ୍ଥାନ ଏବଂ ପୁଷ୍କରିଣୀରେ ନୌବିହାର ଜଳକ୍ରୀଡା ବା ଚାପ କ୍ରୀଡ଼ା ସହିତ ଶୀତଳ ମଣୋହୀ ଯଥା ‘ଖଇ, ମୁଗଧୁଆ, ଆମ୍ବକଦଳୀ, କାକୁଡ଼ି, ସପୁରୀ, ନଡ଼ିଆ, ତାଳ, ତରଭୁଜ ଇତ୍ୟାଦି ସୁମଧୁରଫଳ ସହିତ ଛେନାପଣା ମଣୋହୀ ମାନବୀୟ ଲୀଳାର ଏକ ଏକ ପରିପ୍ରକାଶ।

ଅକ୍ଷୟତୃତୀୟା ଠାରୁ ଆରମ୍ଭ ଏହି ଯାତ୍ରା ଜ୍ୟେଷ୍ଠ କୃଷ୍ଣ ଅଷ୍ଟମୀରେ ଶେଷ ହୁଏ। ଦୀର୍ଘ ଏକୋଇଶି ଦିନ ଧରି ଏହି ଯାତ୍ରା ଉତ୍କଳରେ ଚନ୍ଦନ ଯାତ୍ରା ଭାବରେ ପରିଚିତ। ମା’ ଭଗବତୀଙ୍କ ମନ୍ଦିରରେ ପାଳିତ ଏହି ଯାତ୍ରା ଓଡ଼ିଶାର ଶକ୍ତିପୀଠମାନଙ୍କରେ ପାଳିତ ଯାତ୍ରା ଠାରୁ ସଂପୂର୍ଣ୍ଣ ନିଆରା।

ଗୋପାଳପୁର ଶାସନ ଗ୍ରାମବାସୀଙ୍କ ନିମନ୍ତ୍ରଣ ପତ୍ର ପାଇ ଏହି ପୀଠରେ କେବଳ ମା’ଙ୍କ ଚଳନ୍ତି ପ୍ରତିମା ସ୍ତମ୍ଵେଶ୍ଵରୀ କାଠି ଠାକୁରାଣୀ ଶେଷ ତିନିଦିନ ହେବାକୁଥିବା ଭଉଁରୀ ଯାତ୍ରାକୁ ସାଥିରେ ଶ୍ରୀ ଚନ୍ଦ୍ରଶେଖରଦେବ, ଶ୍ରୀ ଗୋପୀନାଥ ଦେବ, ଶ୍ରୀରଙ୍କନାଥ ଦେବଙ୍କ ସହିତ ଥାଟ ପଟୁଆର ବାଜା ରୋଶଣୀରେ ମାଜଣା ପୁଷ୍କରିଣୀକୁ ବିଜେ କଲା ବେଳେ ସ୍ଥାନାଧିପତି ଗୋପାଳପୁର ଶାସନର ଆରଧ୍ୟଠାକୁର ଶ୍ରୀ ବାଲୁଙ୍କେଶ୍ଵରଦେବ ଶ୍ରୀକପିଳେଶ୍ଵରଦେବ, ତାଙ୍କୁ ପାଛୋଟି ନେଇଥିଲେ।

ପରେ ମାଜଣା ମଣ୍ଡପରେ ମା’ ବିଜେ କଲା ପରେ କୋଟ ବିଦ୍ୟାଧରପୁର ଶାସନର ବିଜେଶ୍ରୀ ନୀଳକଣ୍ଠେଶ୍ଵର ଦେବ, ପାଟପୁର ଶାସନର ବିଜେ ଶ୍ରୀ ଗୋପୀନାଥ ଦେବ ମା’ କନକଦୁର୍ଗା ଏହି ମଣ୍ଡପକୁ ପଦାର୍ପଣ କରିବାପରେ ସମସ୍ତ ଦେବାଦେବୀଙ୍କୁ ଶୋଡ଼ଷ ଉପଚ଼ାରରେ ଶୀତଳ ମଣୋହୀ ଅର୍ପଣ କରାଯାଇଥିଲା। ପରେ ଘଣ୍ଟା ଘଣ୍ଟକାହାଳୀ ହରିବୋଲ ହୁଳହୁଳି ଧ୍ବନୀରେ ଦେବା ଦେବୀଙ୍କୁ ଚାପରେ ବିଜେ କରାଯାଇଥିଲା।

ପୁଷ୍କରିଣୀରେ ସୁସଜ୍ଜିତଚାପ ଦେହରେ ଉପବେଶନ କରି ମା’ ସମସ୍ତ ଦେବାଦେବୀଙ୍କ ସହିତ ସାତଥର ପରିକ୍ରମା କରିବା ପରେ ପୁଣି ମାଜଣା ମଣ୍ଡପକୁ ବିଜେ କରି ଚନ୍ଦନ କୁଣ୍ଡରେ ଅବସ୍ଥାନ କରିଥିଲେ। ସେଠାରେ ପୁଣି ଶୀତଳମଣୋହୀ ସହିତ ଆଳତି ବଢିବିଳମ୍ବିତ ରାତିରେ ପିତ୍ରାଳୟ ଦକ୍ଷେଶ୍ଵର ମନ୍ଦିରକୁ ବାହୁଡ଼ିଥିଲେ। ମନ୍ଦିରରେ ରାତ୍ର ଧୂପ ହୋଇ ପହୁଡ଼ପଡ଼ିଥିଲା।

ପ୍ରଥମ ଦିନର ମାନବୀୟ ଲୀଳାର ଏହି ଦୁର୍ଲଭ ଚାପଯାତ୍ରାରେ ମା’ଙ୍କୁ ଚାପ ଉପରେ ଦର୍ଶନକରି କୃପାଲାଭ କରିବା ପାଇଁ ଅଗଣିତ ଶ୍ରଦ୍ଧାଳୁ ପୁଷ୍କରିଣୀ ଚ଼ତୁଃପାର୍ଶ୍ଵରେ ଜମିଥିଲେ। ଗୋପାଳପୁର ଶାସନ ଗ୍ରାମବାସୀ, ମନ୍ଦିର କାର୍ଯ୍ୟାଳୟର ସମସ୍ତ କର୍ମଚାରୀ, ସ୍ଥାନୀୟ ଆରକ୍ଷୀ ବାହିନୀଙ୍କ ମିଳିତ ସହଯୋଗରେ ପ୍ରଥମ ଦିନର ଏହି ଯାତ୍ରା ଶୃଙ୍ଖଳିତ ଭାବରେ ଶେଷ ହୋଇଥିଲା ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସ ପ୍ରକାଶ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଫଗୁ ଦଶମୀରୁ ଶ୍ରୀ ରଙ୍କନାଥଙ୍କ ଚ଼ାଚ଼େରୀ ବେଶ, ମା’ଭଗବତୀଙ୍କ ସହିତ ଆରମ୍ଭ ହେଲା ଅବୀର କ୍ରୀଡ଼ା

ବାଣପୁର: ଶ୍ରୀକ୍ଷେତ୍ରରେ ଶ୍ରୀଜଗନ୍ନାଥଙ୍କପରି ଲୀଳାକ୍ଷେତ୍ର ବାଣପୁରରେ ଆରାଧ୍ୟ ଠାକୁର ବ୍ରହ୍ମଶ୍ଵର୍ଶୀ ଶ୍ରୀ ରଙ୍କନାଥ ଦେବଙ୍କ ବାରମାସରେ ତେର ବେଶ। ଫାଲଗୁନ ଶୁକ୍ଳ ଦଶମୀରୁ ଆରମ୍ଭ ଅବୀର କ୍ରୀଡ଼ା ସହିତ ଚ଼ାଚେରୀ ବେଶ। ଏହି ବେଶରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଲାଲପାଟ ସହିତ ଚ଼ୂଳ,ନଳୀଭୂଜ, ମକରକୁଣ୍ଡଳ, ଓଡ଼ିଆଣି, ହରିଡ଼ାମାଳ,ତାବିଜ ମାଳ,ତୁଳସୀ, ଗେଣ୍ଡୁଫୁଲ, ଓ ପଲାସଫୁଲର ନାକଚଣା ଇତ୍ୟାଦିରେ ସୁନ୍ଦର ବେଶ କରାଯାଏ। ମା’ଭଗବତୀ କାଠି ଠାକୁରାଣୀଙ୍କ ସହିତ ମିଶି ପ୍ରଭୁ ଦୋଳଗୋବିନ୍ଦ ରୂପରେ ପରିଚ୍ଛାଙ୍କ ଦୁଆରେ ଶଙ୍କୁଡ଼ି ଓ ନିଶଙ୍କୁଡ଼ି ଭୋଗ ବା ଚ଼ାଚେରୀ ଖାଇ ରାଜାଗ୍ନି ପରେ ମନ୍ଦିରକୁ ବାହୁଡ଼ନ୍ତି। ପରିଚ୍ଛାଙ୍କ ଦୁଆରେ ମା’ ଭଗବତୀ କାଠି ଠାକୁରାଣୀ ଙ୍କ ପାଇଁ ଆମିଷ ଭୋଗ ବଢ଼ା ହେଉଥିଲାବେଳେ ଶ୍ରୀ ରଙ୍କନାଥ ଦେବଙ୍କ ପାଇଁ ନିଶଙ୍କୁଡ଼ି ଭୋଗବଢା ହୋଇ ଉଭୟଙ୍କୁ ବେଲପତ୍ର ତୁଳସୀ ପଡ଼ି ଭୋଗ ଲାଗି ହେଉଥିବାର ନିଆରା ପରମ୍ପରା କାହିଁ କେଉଁ କାଳରୁ ଚଳି ଆସିଛି।

ଶ୍ରୀକ୍ଷେତ୍ର ପରି ବାଣପୁରରେ ଦୁର୍ଗାମାଧବ ଉପାସନାର ପ୍ରତୀକ ଏହି ଚ଼ାଚ଼େରୀ ବେଶ ଅତ୍ୟନ୍ତ ମନମୁଗ୍ଧକର। ଶ୍ରୀ ଜଗନ୍ନାଥପ୍ରେମୀ ଶ୍ରଦ୍ଧାଳୁମାନେ ଶ୍ରୀକ୍ଷେତ୍ର ଯାଇ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରି ଯେତିକି ପୂଣ୍ୟ ଅର୍ଜନ କରନ୍ତି,ନଯାଇ ପାରିଲେ ଲୀଳକ୍ଷେତ୍ରକୁ ଆସି ବ୍ରହ୍ମ ଶ୍ୱର୍ଶୀ ଶ୍ରୀ ରଙ୍କନାଥଙ୍କୁ ଦର୍ଶନ କଲେ ସେତିକି ପୂଣ୍ୟଫଳ ମିଳେ ବୋଲି ବିଶ୍ୱାସ ଅଛି। ଯବନମାନଙ୍କ ଆକ୍ରମଣ କାଳରେ ଶ୍ରୀଜଗନ୍ନାଥ ସାତ ସାତ ଥର ଆସି ବାଣପୁରରେ ଗୋପନଲୀଳା ପ୍ରକଟ କରିଥିବାର କଥା ମାଦଳାପାଞ୍ଜିରେ ଉଲ୍ଲିଖିତ ଅଛି। କେତେବେଳେ ସ୍ଵଦେହରେ ତ କେତେବେଳେ କଳେବରରୁ କେବଳ ବ୍ରହ୍ମଙ୍କୁ ଆଣି ବାଣପୁରର ଘଞ୍ଚବନାନୀରେ ବିଜେ କରାଯାଇ ନିତ୍ୟ ସେବା କରାଯାଉଥିଲ।ନାଏବ ସୁବେଦାର ଅହମ୍ମଦ ବେଗ୍ ଶ୍ରୀମନ୍ଦିରକୁ ଆକ୍ରମଣ କାଳରେ ସେବକମାନେ କେବଳ ବ୍ରହ୍ମଙ୍କୁ ପାଟବସ୍ତ୍ର ଦେହରେ ଆଛାଦିତ କରି ଆଣି ବାଣପୁରର ଅନ୍ଧାରି ମହିମଠାରେ ପାହାଡ଼ ଖୋଲରେ ରଖି ସେବାପୂଜା କରୁଥିଲେ।

ପରବର୍ତ୍ତୀ କାଳରେ ବଙ୍କାଡ଼ଗଡ଼ ରାଜାଙ୍କ ଅନୁରୋଧକ୍ରମେ ଗଜପତି ମହାରାଜା ଚ଼ତୁର୍ଦ୍ଧାମୂର୍ତ୍ତି କରାଇ ବ୍ରହ୍ମଙ୍କୁ ସ୍ଥାପନ କରି ଅସ୍ଥାୟୀ କାଷ୍ଟମଣ୍ଡପରେ ବିଜେ କରାଯାଇ ଦୈନନ୍ଦିନ ସେବାପୂଜା କରାଗଲା। ନାଏବେ ସୁବେଦାର ର ଦିଲ୍ଲୀ ପ୍ରତ୍ୟାବର୍ତ୍ତନ ପରେ ଶ୍ରୀଜୀଉଙ୍କ ଠାରୁ ବ୍ରହ୍ମ ଓ ଲାଗି କରି ଶ୍ରୀକ୍ଷେତ୍ର ନେଇ ନବକଳେବର ପରେ ନୀଳାଦ୍ରୀବିଜେ କରାଯାଇଥିବା କଥା ଗବେଷକମାନେ ମତ ଦିଅନ୍ତି। ବାଣପୁରର ସେହି ଅନ୍ଧାରି ଅରଣ୍ୟରେ ଯେଉଁ ବିଗ୍ରହ ଗଢ଼ା ହୋଇଥିଲେ ପରବର୍ତ୍ତୀକାଳରେ, ବ୍ରହ୍ମଶୂନ୍ୟ ହୋଇ ସେଠାରେ ପଡ଼ିରହିଲେ।

ଶେଷରେ ବାଣପୁର ରାଜା ବିଗ୍ରହମାନକୁ ଉଦ୍ଧାର କରି ଆଣି ନିଳାଦ୍ରୀ ପ୍ରସାଦ,ଠାରେ ପରେ ପରେ ବାଣପୁରଠାରେ ଆଣି ବିଜେ କରାଇ ନୀତିକାନ୍ତି ସେବାପୂଜା ପାଇଁ ନିଯୋଗୀ ସେବାୟତ ଓ ଜମିବାଡ଼ି ଖଞ୍ଜା କରି ପରିସ୍ଥିତିରେ ପଡ଼ି କୃଷ୍ଣପ୍ରସାଦଗଡ଼କୁ ଚାଲିଯିବା କଥା ଗବେଷଣାରୁ ଜଣା ପଡେ। ଏହି ସେହି ବ୍ରହ୍ମସ୍ପର୍ଶୀ ଶ୍ରୀଜଗନ୍ନାଥ ବାଣପୁରରେ ଶ୍ରୀ ରଙ୍କନାଥ ନାମରେ ପରିଚିତ,ସତ୍ୟ ଆଉ ବିଶ୍ୱାସର ଠାକୁର ଏହି ସେହି ଠାକୁର ଯାହାଙ୍କ ନାମ ଧରିଲେ ସତକଥା ବାହାରିପଡ଼େ।

ଶ୍ରୀଜିଉଙ୍କ ଆଜି ଏକାଦଶୀ ତିଥିରେ ମଙ୍ଗଳ ଆଳତୀ, ଅବକାଶ, ପରେ ବଲ୍ଲଭ ଧୂପପରେ ଏହି ଚ଼ଚେରୀ ବେଶ କରାଯାଇଥିଲା। ଶ୍ରୀଜିଉଙ୍କ ପରମ ସେବକ ଚନ୍ଦ୍ରଶେଖର ହୋତା, ପରିଚାଳନା କମିଟିର ଦାଶରଥି ସାହୁ, ଦେବଦତ୍ତ ପାଣି, ବାଳମୁକୁନ୍ଦ ଦାସ, ପଦ୍ମଚରଣ ମହାପାତ୍ର ଏହି ବେଶରେ ସହଯୋଗ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଲୀଳାକ୍ଷେତ୍ର କାଙ୍କଣ ଶିଖରୀରେ ୭ମ ଶ୍ରୀଜଗନ୍ନାଥ ମହୋତ୍ସବ: ମା’ଭଗବତୀଙ୍କ ପୀଠରେ ପ୍ରଥମ ନିମନ୍ତ୍ରଣ

ବାଣପୁର: ଚତୁର୍ଦ୍ଦଶ ଶତାବ୍ଦୀରୁ ଅଷ୍ଟାଦଶ ଶତାବ୍ଦୀ ପର୍ଯ୍ୟନ୍ତ ଓଡ଼ିଶାର ଶ୍ରୀକ୍ଷେତ୍ର ଶ୍ରୀମନ୍ଦିରକୁ ଯବନମାନଙ୍କ ବାରମ୍ବାର ଆକ୍ରମଣ କାଳରେ ଦାରୁ ବ୍ରହ୍ମଙ୍କୁ ବିଭିନ୍ନ ସ୍ଥାନରେ ରଖି ଗୋପନ ଲୀଳା ପ୍ରକାଶ କରାଯାଇଥିଲା। ଆକ୍ରମଣପୂର୍ବରୁ ଡ଼ଗରମାନଙ୍କଠାରୁ ସୂଚନା ପାଇଁ ଗଜପତି ମହାରାଜାଙ୍କ ନିର୍ଦ୍ଦେଶକ୍ରମେ ପାଇକ ସୈନ୍ୟ ଓ ସେବାୟତମାନେ ଚ଼ତୁର୍ଦ୍ଧାମୂର୍ତ୍ତିଙ୍କୁ ନିଳାଦ୍ରୀ ମଣ୍ଡପରୁ ଓଲାଗି କରାଇ ଓଡ଼ିଶାର ବିଭିନ୍ନ ସ୍ଥାନରେ ଗୋପ୍ୟ କରାଯାଇଥିବାର କଥା ମାଦଳାପାଞ୍ଜିରୁ ଜଣା ପଡେ।

ସେହି ଅନୁସାରେ ପ୍ରଭୁ ଦାରୁ ବୁହ୍ମଙ୍କୁ ୭ ଥର କେବଳ ବାଣପୁର ଅଞ୍ଚଳର ବିଭିନ୍ନ ସ୍ଥାନରେ ଲୀଳାଖେଳା କରାଯାଇ ଥିବାର ସ୍ମୃତି ଏବେ ମଧ୍ୟ ରହିଛି। ଚିଲିକାର ଗୁରୁବାଇ, ଚ଼ଡ଼େଇ ହଗା, ନଇରୀର ହରିହରେଶ୍ଵର ମନ୍ଦିର, ଚିଲିକାର କାଙ୍କଣକୁଦ, ଗବପଦର, ନିଳାଦ୍ରୀ ପ୍ରସାଦ ର ଘଞ୍ଚ ଅରଣ୍ୟ, ଅନ୍ଧାରୀ ମହିମ, ( ବର୍ତ୍ତମାନ ଅଳନ୍ଦା ନିକଟବର୍ତ୍ତି ଅନ୍ଧାରି ପାହାଡ ବୋଲି କେତେକ ଗବେଷକ କହନ୍ତି) ସାହାସପୁର, ବଡ଼ହନ୍ତୁ ଆଡ଼ ଇତ୍ୟାଦି ସ୍ଥାନ ପ୍ରଭୁଙ୍କ ଗୋପନ ରହଣି ସ୍ଥଳ ଭାବରେ ପରିଚିତ ହୋଇ ପରବର୍ତ୍ତୀକାଳରେ ଲୀଳାକ୍ଷେତ୍ରର ମାନ୍ୟତା ଲାଭ କରିଛି।

ବିଶେଷକରି ଚିଲିକାର ନଇରୀ ବଉଳା ବନ୍ଧ ଉପକଣ୍ଠରେ ଥିବା ଚିଲିକା ଜଳଘେରି କାଙ୍କଣକୁଦ ଯାହା କାଙ୍କଣ ଶିଖରୀ ଭାବରେ ପରିଚିତ ସେହିଠାରେ ଦାରୁ ବିଗ୍ରହମାନଙ୍କୁ ୪ ମାସ ଧରି ରଖାଯାଇ ମଣୋହିରେ କାଙ୍କଣ ଫଳ ଲାଗି କରାଯାଇଥିବାର କଥା ସେଠାର ମାଟିତଳୁ ମିଳିଥିବା ପ୍ରଭୁଙ୍କ ସେବାରେ ଲାଗିଥିବା ବିଭିନ୍ନ ଦ୍ରବ୍ୟରୁ ଜଣାପଡ଼େ। ସେ ମାଟିର ବାସ୍ନା ଏବେ ମଧ୍ୟ ଚନ୍ଦନ କର୍ପୁରର ମହକ ପରିବାସୁଥିବାର ଜଣାପଡ଼ିବା ପରେ ସେହି ପବିତ୍ରପୀଠକୁ ଶ୍ରଦ୍ଧାଳୁମାନଙ୍କ ସୁଅ ଛୁଟିଲା। ଏପରିକି ଗଜପତି ମହାରାଜା ଦିବ୍ୟସିଂହ ଦେବ , ଦଇତାପତି ସେବକ, ପୂଜାପଣ୍ଡା, ମହାସୁଆର, ପୁରୀର ମଠ ମନ୍ଦିରର ମହନ୍ତ, ଶ୍ରୀ ମନ୍ଦିର ପ୍ରଶାସନ, ସାଧୁ ସନ୍ଥ ଓ ଇତିହାସ ଗବେଷକମାନେ ମଧ୍ୟ ସେଠାରେ ପହଞ୍ଚି ସେହି ସ୍ଥାନକୁ ନିରୀକ୍ଷଣ କରି ପ୍ରଭୁଙ୍କ ପ୍ରଧାନ ଲୀଳାକ୍ଷେତ୍ର ଭାବରେ ମାନ୍ୟତା ପ୍ରଦାନକରିବା ପରେ ସେହିଦିନଠାରୁ ସେଠାରେ ସ୍ଥାନୀୟ ଜଗନ୍ନାଥ ପ୍ରେମୀଙ୍କ ସହଯୋଗରେ ଶ୍ରୀଜଗନ୍ନାଥ ମହୋତ୍ସବ ଅନୁଷ୍ଠିତ ହୋଇଆସୁଛି।

ଚଳିତବର୍ଷ ୭ ମ ମହୋତ୍ସବ ଚଳିତ ମାଘ ଶୁକ୍ଳ ନବମୀ ଗୁରୁବାର ତା-୬-୨-୨୫ରିଖରୁ ଆରମ୍ଭ ହୋଇ ତା୯-୨-୨୫ ରିଖରବିବାର ପର୍ଯ୍ୟନ୍ତ ଚାଲିବ । ଏଥି ନିମନ୍ତେ ଚିଲିକା ବାଣପୁର ଶ୍ରୀଜଗନ୍ନାଥ ମନ୍ଦିର ସମନ୍ବୟ ସମିତି ଓ ଲୀଳକ୍ଷେତ୍ର କାଙ୍କଣ ଶିଖରୀ ଉନ୍ନୟନ ଟ୍ରଷ୍ଟର ମିଳିତ ଆନୁକୂଲ୍ୟରେ ଶିଖରୀଠାରେ ୪ଦିନ ଧରି ମହାଯଜ୍ଞ, ସାଧୁସଂନ୍ଥ, ମଠାଧୀଶ, ‘ଶ୍ରୀଜଗନ୍ନାଥଙ୍କ ପ୍ରମୁଖ ସେବକ, ଇତିହାସ ଗବେଷକ, କବି ସାହିତ୍ୟିକ, ରାଜନୈତିକ ନେତୃମଣ୍ଡଳୀଙ୍କ ସମାଗମ, ସହିତ ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରବଚନ, ଭଜନ କୀର୍ତ୍ତନ ଇତ୍ୟାଦି ବିରାଟ ଆଧ୍ୟାତ୍ମିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।

ଚଳିତ ବର୍ଷର ବିଶେଷ ଆକର୍ଷଣ କେବଳ ନିମ ଦାରୁରେ ନିର୍ମିତ୍ତ ଶ୍ରୀଜଗନ୍ନାଥଙ୍କ ୨୪ ବେଶର ଦାରୁ ବିଗ୍ରହ ସେଠାରେ ସ୍ଥାପନ କରାଯାଇ ଶ୍ରଦ୍ଧାଳୁମାନଙ୍କ ଦର୍ଶନ ପାଇଁ ବ୍ୟବସ୍ଥା ର ଶୁଭ ଉଦ୍ ଘାଟନ ହେବ। ଶ୍ରୀପଞ୍ଚମୀରେ ଟ୍ରଷ୍ଟର ପ୍ରମୁଖ ଡ଼ା.ସୁଶାନ୍ତ କୁମାର ସାହୁ, ସଭାପତି ହାଡ଼ିବନ୍ଧୁ ପଟ୍ଟନାୟକ,ଶ୍ରଦ୍ଧାଳୁ ଚ଼ିନ୍ମୟ ଘଡ଼ାଇ ନିମନ୍ତ୍ରଣ ପତ୍ର ଧରି ବାଣପୁରର ଆରାଧ୍ୟା ଦେବୀ, ମଙ୍ଗଳମୟୀ ମା’ଭଗବତୀଙ୍କ ପୀଠରେ ପହଞ୍ଚି ମହୋତ୍ସବର ମଙ୍ଗଳ କାମନା ନିମତ୍ତ ମା’ଙ୍କ ପୀଠରେ ପୂଜାର୍ଚ୍ଚନା କରି ଆଜ୍ଞାମାଳ ନିମନ୍ତେ ଶରଣାପର୍ଣ୍ଣ ହୋଇ ଗୁଆନଡ଼ିଆ ମହାପ୍ରସାଦ ଦେଇ ନିମନ୍ତ୍ରଣ ଅନୁକୂଳ କରିଥିଲେ।ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସ,ପୂଜକ ସାଆନ୍ତ ପ୍ରକାଶ ମହାପାତ୍ର, ପାଳିଆ ମାଳି ସେବକ ସଂଜୟ ମହାପାତ୍ର, ପବିତ୍ର ନାୟକ ପ୍ରମୁଖ ନିମନ୍ତ୍ରଣଗ୍ରହଣ କରି ସ୍ୱୀକୃତ୍ତି ପ୍ରଦାନକରିବା ପରେ ଚିଲିକା ଓ ବାଣପୁର ମଣ୍ଡଳରେ ଥିବା ସମସ୍ଥ ଶ୍ରୀଜଗନ୍ନାଥ ମନ୍ଦିରକୁ ଗୁଆନିମନ୍ତ୍ରଣ ଆରମ୍ଭ ହୋଇଥିଲା ।

ମହାଯଜ୍ଞର ପ୍ରଥମ ଦିନ ୬ ତାରିଖ ଗୁରୁବାର ଅଧିବାସ ଅବସରରେ ମା’ଙ୍କ ଆଜ୍ଞାମାଳ ସହିତ ଦୁଇ ମଣ୍ଡଳର ସବୁ ଜଗନ୍ନାଥ ମନ୍ଦିରରୁ ଆଜ୍ଞାମାଳ ଥାଟ ପଟୁଆରରେ ବାହାରି କାଙ୍କଣ ଶିଖରୀରେ ପହଞ୍ଚିବାପରେ ମହାଯଜ୍ଞ ଆରମ୍ଭ ହେବ ବୋଲି ଟ୍ରଷ୍ଟର ପ୍ରମୁଖ ଡ଼ା ସାହୁଙ୍କ ଠାରୁ ପ୍ରକାଶ ।

Categories
ଆଞ୍ଚଳିକ

ମା’ଭଗବତୀଙ୍କ ପୀଠରେ ମକର ଉତ୍ସବ ପାଳିତ

ବାଣପୁର: ଶକ୍ତିପୀଠ ବାଣପୁରର ଆରାଧ୍ୟା ଦେବୀ ମା’ଭଗବତୀଙ୍କ ପୀଠରେ ମକର ଉତ୍ସବ ମହାଆନନ୍ଦ ଉଲ୍ଲାସର ସହିତ ପାଳିତ ହୋଇଯାଇଛି। ଏହି ଉତ୍ସବ ମା’ ସାଆନ୍ତାଣିଙ୍କ ମାନବୀୟ ଲୀଳାର ଆଉ ଏକ ପରିପ୍ରକାଶ। ଏପୀଠର ସମସ୍ଥ ଜାନିଯାତ୍ରା ପର୍ବପର୍ବାଣୀ ଅନ୍ୟ ଶକ୍ତିପୀଠଠାରୁ ସଂପୂର୍ଣ୍ଣ ନିଆରା। ପ୍ରତ୍ୟୁଷରୁ ମା’ଙ୍କ ଅଙ୍ଗରାଗ ମାଜଣା ହୋଇ ମହାପ୍ରସାଦ ଅର୍ପଣ ପରେ ବେଶ ହୋଇଥିଲା।

ପରେ ବଲ୍ଲଭ ଆଳତି ବଢିବା ପରେ ସର୍ବ ସାଧାରଣ ନୈବେଦ୍ୟ ଅର୍ପଣ ହୋଇ ଚିଲିକା ମଧ୍ୟସ୍ଥ ପୂର୍ବ ଦିଗରକ୍ଷାକାରିଣୀ ଭଉଣୀମା’କାଳିଜାଇ ଙ୍କ ପୀଠରୁ ପାରିକୁଦ ଗଡ଼ର ରାଜାସନ୍ତୋଷ ମାନସିଂମର୍ଦ୍ଦରାଜ ଙ୍କ ଦ୍ଵାରା ମା’ଙ୍କ ସେବକ ସହଦେବ ନାୟକ ହାତରେ ପଠାଇଥିବା ମକରଯାତ୍ରା ନିମନ୍ତ୍ରଣକୁସାଦରେ ଗ୍ରହଣ କରି ନିଜର କାଠି ନାହକ ସେବକ ଗଣେଶ ନାୟକ ହାତରେ ଆଜ୍ଞାମାଳ ସହିତ ଶାଢ଼ି, ଚୁଡ଼ି ସିନ୍ଦୁର ଅଳତା, ଓଡ଼ଣୀ ‘ଫୁଲ, ଗଜାମୁଆଁ ନେଇ କାଳିଜାଇଙ୍କ ପୀଠକୁ ଯାଇ ରାଜାଙ୍କ ହାତରେ ଅର୍ପଣ ପରେ ଭଉଣୀ କାଳିଜାଇଙ୍କୁ ଲାଗି କରାଇଥିଲେ। ପୁଣି ପଶ୍ଚିମ ଦିଗ ରକ୍ଷାକାରିଣୀ ଭଉଣୀ ମା’ ବିରିଯାଇଙ୍କ ମକରଯାତ୍ରା ନିମନ୍ତ୍ରଣ ରକ୍ଷା କରି ସେହି ପୀଠକୁ ମଧ୍ୟ ସେବକ ଅଶ୍ବିନୀ ମିଶ୍ର ଙ୍କ ହାତରେ ଆଜ୍ଞାମାଳ ସହ ଶାଢି, ଚୁନରି, ଚୁଡ଼ି , ସିନ୍ଦୁର ଅଳତା ଫୁଲ, ନୂଆ ଅରୁଆ ଚାଉଳ, ଗୁଡ, ଘିଅ, କଦଳୀ ନଡ଼ିଆ, ମସଲା, ବିଭିନ୍ନ ଫଳମୂଳ,ଗଜାମୁଆଁ ଇତ୍ୟାଦି ଦ୍ରବ୍ୟ ପଠାଯାଇଥିଲା।

ଭଉଣୀ ଭଉଣୀ ମଧ୍ୟରେ ଜାନିଯାତ୍ରା ସମୟରେ କିପରି ପରସ୍ପର ମଧ୍ୟରେ ସୁସଂପର୍କ ଦିଆନିଆ ସାମାଜିକ ମୂଲ୍ୟବୋଧ ଭିତିକ ମାନବୀୟ ଲୀଳାର ସୁନ୍ଦର ପରିକଳ୍ପନା କାହିଁ କେଉଁ କାଳରୁ ଚଳି ଆସିଛି। ସଂଧ୍ୟାରେ ମା’ଙ୍କ ଚଳନ୍ତି ପ୍ରତିମାକାଠି ଠାକୁରାଣି ବାପଘର ଦକ୍ଷେଶ୍ଵର ଦେବ ମନ୍ଦିର ମକରବେଢ଼ା ସାରି ବାଜାରୋଶଣି ଘଣ୍ଟ,କାହାଳି ଛତ୍ରତରାଶ ସହିତ ନିଜ ମନ୍ଦିରକୁ ଯାତ୍ରା କରିଥିଲେ। ଦକ୍ଷେଶ୍ଵର ମନ୍ଦିରଠାରେ ଶୁଦ୍ଧପୂତ ଭାବରେ ପ୍ରସ୍ତୁତ ମକର ତାଡ଼ ମଧ୍ୟ ଅତି ନିଷ୍ଠାର ସହିତ ପାଳିଆମାଳି ସେବାୟତମାନେ ମା’ଙ୍କ ମନ୍ଦିରକୁ ନେଇଯାଇଥିଲେ।ସେଠାରେ ମା’ଙ୍କ ଠାରେ ମକର ନୈବେଦ୍ୟଘଣ୍ଟକାହାଳି ବାଜି ଧୂପ କରାଯାଇ ମକର ଆଳତି ବଢ଼ିଥିଲା।

ପରେ ସେବାୟତ ଓ ସର୍ବସାଧାରଣଙ୍କୁ ମକର ପ୍ରସାଦ ବଣ୍ଟନ କରାଯାଇଥିଲା। ପବିତ୍ର ମକର ସଂକ୍ରାନ୍ତିରେ ମା’ଙ୍କୁ ଦର୍ଶନକରି ମକରପ୍ରସାଦ ପାଇବାପାଇଁ ଅଗଣିତ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ପରେ ମାଙ୍କ ବଡ଼ ଶିଙ୍ଗାର ହୋଇ ଖେଚଡ଼ି ,ଡାଲି,ଆମ୍ବିଳ ,ମାଚ୍ଛ ମହୁର, ମାଛ ଗୁଣ୍ଡି ଭଜା ସହିତ କାନ୍ତି କାକରା, ଛେନାପଣା ଧୂପ ହୋଇ ମା’କାଠିଠାକୁରାଣି ଦକ୍ଷେଶ୍ଵର ମନ୍ଦିରକୁ ବାହୁଡ଼ିଥିଲେ। ମନ୍ଦିରରେ ରାତ୍ର ପହଡ଼ ହୋଇଥିଲା। ମା’ଙ୍କୁ ଦର୍ଶନ କରିବାପାଇଁ ଦିନ ତମାମ ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼ ଇତ୍ୟାଦି ଜିଲ୍ଲାମାନଙ୍କରୁ କୋଡ଼ି ଏହଜାରରୁ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା, ମନ୍ଦିର କାର୍ଯ୍ୟାଳୟ ତରଫରୁ ମନ୍ଦିରକୁ ସୁନ୍ଦର ଭାବରେ ଫୁଲରେ ସଜାଯାଇ ଶାନ୍ତି ଶୃଙ୍ଖଳା ରକ୍ଷାପାଇଁ ମନ୍ଦିର ପ୍ରଶାସନ, ସ୍ଥାନୀୟ ଥାନା ସମସ୍ଥ ପ୍ରକାର ବନ୍ଦୋବସ୍ତ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ବାଣପୁରରେ ଶାରଦୀୟ ପର୍ବ ଆରମ୍ଭ, ମା’ଭଗବତୀଙ୍କ ଦେବୀନୃତ୍ୟରେ ପୀଠ ଚ଼ଳଚଞ୍ଚଳ

ବାଣପୁର (ସୀତାରାମ ଅଗ୍ରୱାଲ): ଶରତ ଆକାଶରେ ଭସାମେଘର ମହ୍ଲାର। ନଦୀପଠାରେ କାଶତଣ୍ଡିର ସମ୍ଭାର, ଲହରାୟିତ ଦୋଳି ଖେଳ। ଧରଣୀ ରାଣୀ ସବୁଜ ଶସ୍ୟରେ ଉଲ୍ଲସିତ ଉଚ୍ଚାଟିତ। ନଦନଦୀର କାଚକେନ୍ଦୁ ପାଣିରେ ନିର୍ମଳ ଦିଶୁଛି ବଗଲା ବଗୁଲିର ଧୋବ ଫରଫର ମୁହଁ। ଗାଡ଼ିଆ ପୁଷ୍କରିଣୀରେ ଢଳଢ଼ଳ ନୀଳକଇଁ ଜହ୍ମକୁ ଚାହିଁ ଦୋହଲୁଛି ପାଖୁଡ଼ା ମେଲାଇ। ପତ୍ରରେ ଝରା ଶିଶିରର ବିନ୍ଦୁ ବିନ୍ଦୁ ମୁକ୍ତା। କୀଟଠାରୁ ବ୍ରହ୍ମ ଯାଏ ସଭିଙ୍କ ମନ ଉଲ୍ଲସିତ, ଉଚ୍ଚାଟିତ, କାରଣ ମା’ ଆସୁଛନ୍ତି ଧରାପୃଷ୍ଟକୁ। ସଭିଙ୍କ ମନରେ ଅସୁମାରି ଆନନ୍ଦ।

ଶକ୍ତିମୟି ସେ, ଭକ୍ତିମୟୀ କରୁଣାମୟୀ ସେ, କଲ୍ୟାଣମୟୀ। ସଚ଼ରାଚ଼ର ଜୀବ ଜଗତ ତାଙ୍କଠାରୁ ସୃଷ୍ଟି। ସେ ସୃଷ୍ଟିକାରିଣୀ, ପାଳନ କାରିଣୀ ଏବଂ ସଂହାରକାରିଣୀ ମା’। ମାତୃଶକ୍ତିର ଉପାସନା ପୀଠ ବାଣପୁର। କାହିଁ କେଉଁ କାଳରୁ ଘଣ୍ଟ ଶିଳାପାହାଡ଼ର ପାଦଦେଶରେ କୁଳୁକୁଳୁ ଗୀତ ଗାଇ ବହି ଯାଉଥିବା ସ୍ରୋତସ୍ଵିନୀ ଶାଳିଆର ତଟ ଦେଶରେ ବିରାଜିତା ମା’ଭଗବତୀ।

ବିଶ୍ୱାସର ଦେବୀ ଭଗବତୀ। ତାଙ୍କୁ ଆଧାର କରି କେତେ ପୂଜା ପାର୍ବଣ, କେତେ ଲୋକ କଥା, କେତେ ପୁରାଣ ଶାସ୍ତ୍ର ଭିତରେ ବର୍ଣ୍ଣନା, କେତେ ନୀତିକାନ୍ତି। ସବୁଥିରେ ସ୍ଵାତନ୍ତ୍ର୍ୟତା ବହନ କରୁଥିବା ଏହି ଦେବୀପୀଠର ଶାରଦୀୟ ପର୍ବ ନିଆରା ଢ଼ଙ୍ଗରେ ପାଳନ କରାଯାଏ। ସମଗ୍ର ଭାରତ ବର୍ଷର ଦେବୀପୀଠମାନଙ୍କରେ ଏହି ପର୍ବଯେପରି ଭାବରେ ପାଳନ କରାଯାଏ, ଏହି ପୀଠରେ କିନ୍ତୁ ଦୁର୍ଗାପୂଜା ସଂପୂର୍ଣ୍ଣ ଭିନ୍ନ। ଏଠାରେ ମା’ଙ୍କୁ ବନଦୁର୍ଗା ମନ୍ତ୍ରରେ ପୂଜା ଆରଧନା କରାଯାଉଥିବାର ବିଧି ରହିଛି। କାରଣ ତାଙ୍କ ନୀତିକାନ୍ତି, ବେଶଭୂଷା, ସଂପୂର୍ଣ୍ଣ ଆଦିମ ଜନଯାତିଙ୍କ ଦ୍ଵାରା ପରିକଳ୍ପିତ ପରି ମନେହୁଏା

ଅନ୍ୟାନ୍ୟ ପୀଠମାନଙ୍କରେ ମା’ଙ୍କ ଚଳନ୍ତି ପ୍ରତିମା,ପିତୁଳା ପ୍ରତିମା ହୋଇଥିବାବେଳେ ମା’ଭଗବତୀଙ୍କ ଚଳନ୍ତି ପ୍ରତ୍ତିମା ଏକ ସ୍ତମ୍ବସଦୃଶ୍ୟ ଯାହାଙ୍କୁ ସ୍ତମ୍ବେଶ୍ଵରୀ ବୋଲି ପରିକଳ୍ପନା କରାଯାଇଛି। ଶାରଦୀୟ ପର୍ବ ଆରମ୍ଭରୁ ମା ଉତ୍ତାଳ ନୃତ୍ୟ କରିପର୍ବଗୃହକୁଯାତ୍ରା କରୁଥିବାର ଦୃଶ୍ୟ ଅନ୍ୟପୀଠମାନଙ୍କରେ ଦେଖିବାକୁ ମିଳେନାହିଁ।ମା’ ସ୍ତମ୍ବେଶ୍ଵରୀଙ୍କ ବେଶଭୂଷାରେ ବ୍ୟବହୃତ ବିଭିନ୍ନ ରଂଗ ବେରଙ୍ଗର ପାଟବସ୍ତ୍ରର କୁଞ୍ଚିକାନି,ସହିତ ମନ୍ଦାର ମାଳ, ବେଲପତ୍ରର ଆଭୂଷଣ ପରିଧାନ ଶୈଳୀ ଦେଖିଲେ ମନରେ ହୃଦୟରେ ସ୍ୱତସୃତ ଭକ୍ତିଭାବନାଯାଗ୍ରତ ହୋଇଯାଏ।

ଭକ୍ତଟିର ହାତ ଆପେ ଆପେଯୋଡ଼ି ହୋଇଯାଏ। ଭକ୍ତି ଭାବନାରେ ମଥା ନଇଯାଏ। ଆଦ୍ୟ ଶରତର ଆସର ଶାରଦୀୟ ପର୍ବ,ଏହି ସମୟରେ ସମଗ୍ର ପୁରପଲ୍ଲୀ ,ସହରନଗର ମାତୃଶକ୍ତିର ଆବାହନୀରେ ମାତୃବନ୍ଦନା ମନ୍ତ୍ରର ଝଙ୍କାର ରେ ଝଙ୍କୃତ ହୁଏ, ଦିଗରୁ ଦିଗନ୍ତ।ମନ୍ଦିର, ମଣ୍ଡପ ରେ ସର୍ବତ୍ର “ଯାଦେବୀ ସର୍ବଭୂତେଷୁ . . . . . . ର ସମ୍ମିଳିତ ସ୍ୱର। ଏହି ଅବସରରେ ବାଣପୁରର ବଡ଼ ଦlଣ୍ଡରେ ଦେବୀ ନୃତ୍ୟ । ସତେଯେପରି ଶୁମ୍ଭ ନିଶୁମ୍ଭ ମହିଶ ପରି ଅସୁରମାନଙ୍କୁ ସଂହାର କରିବାପାଇଁ ମା’ଉଦଣ୍ଡନୃତ୍ୟରତା।

ଘଣ୍ଟ, କାହାଳୀ ବାଦ୍ୟନାଦର ତାଳେ ତାଳେ ଏହି ଦୁର୍ଲଭ ନୃତ୍ୟକୁ ଦର୍ଶନ କରିବାପାଇଁ ଅଗଣିତ ଶ୍ରଦ୍ଧାଳୁଙ୍କ ସମାଗମ ଶାରଦୀୟ ପର୍ବକୁ ଅତ୍ୟନ୍ତଭାବଭକ୍ତି ମୟ କରିଦିଏ। ଆଶ୍ୱିନ କୃଷ୍ଣ ଅଷ୍ଟମୀଠାରୁ ମହାଳୟା ଅମାବାସ୍ୟା ପର୍ଯ୍ୟନ୍ତ ପ୍ରତି ସଂଧ୍ୟାରେ ଏହିଭଳି ଦେବୀନୃତ୍ୟ କେବଳଏହିପୀଠର ନିଆରାପରମ୍ପରା ବୋଲି ମନ୍ଦିର କାର୍ଯ୍ୟନିର୍ବାହୀଙ୍କଠାରୁ ପ୍ରକାଶ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ମା’ଭଗବତୀ ମନ୍ଦିର ପୁରୋହିତଙ୍କୁ ବରଣ କରି ଗୁଆପଇତା ଦେଲେ ରାଜା, ଅଷ୍ଟମୀରୁ ଶାରଦୀୟ ପର୍ବ ଆରମ୍ଭ

ବାଣପୁର (ସୀତାରାମ ଅଗ୍ରୱାଲ): ଉତ୍କଳର ପ୍ରାଚୀନ ଶକ୍ତିପୀଠମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲା ବାଣପୁରର ମା’ଭଗବତୀଙ୍କ ପୀଠ ଅନ୍ୟତମ। ଏହି ପୀଠରେ ପାଳିତ ବାରମାସର ତେର ପର୍ବ ମଧ୍ୟରୁ ଶାରଦୀୟ ପୂଜୋତ୍ସବ ଅନନ୍ୟ ଶ୍ରେଷ୍ଠପର୍ବ। ସର୍ବତ୍ର ଶାରଦୀୟ ପର୍ବ ଆଶ୍ୱିନ କୃଷ୍ଣ ଅଷ୍ଟମୀଠାରୁ ଦଶହରା ପର୍ଯ୍ୟନ୍ତ ପାଳିତ ହେଉଥିବାବେଳେ ଏଠାରେ ଭାଦ୍ରବ ଶୁକ୍ଳ ଷଷ୍ଠୀ ଠାରୁ ଆରମ୍ଭ ହୋଇ ଆଶ୍ୱିନ କୁମାର ପୂର୍ଣ୍ଣିମାରେ ଉଦ୍‌ଯାପିତ ହେବାର ପରମ୍ପରା କାହିଁ କେଉଁ କାଳରୁ ଚଳି ଆସିଛି।

ଭାଦ୍ରବ ଶୁକ୍ଳ ଅଷ୍ଟମୀ ଠାରୁ ଦେବୀ ଶୟନରେ ରହନ୍ତି। ଏହି ସମୟରେ ମାଙ୍କ ମନ୍ଦିରରେ ଧୂପ ଆଳତିରେ ଘଣ୍ଟ କାହାଳୀ , ବାଦ୍ୟ ବାଜିବା ବନ୍ଦ ଥାଏ। ଆଶ୍ୱିନ କୃଷ୍ଣ ଅଷ୍ଟମୀ ବା ମୂଳାଷ୍ଟମୀରେ ସହସ୍ର କୁମ୍ଭବରଣ ପରେ ସ୍ତୋତ୍ରୀୟ ଶାକ୍ତ ବ୍ରାହ୍ମଣଙ୍କ ମନ୍ତ୍ର ଉଚ୍ଚାରଣ ସହିତ ଘଣ୍ଟ କାହାଳୀ ବାଦ୍ୟ ବାଦନ ପରେଦେବୀ ଶୟନରୁ ଉଠନ୍ତିା ମଙ୍ଗଳକୁମ୍ଭ ଦୀପସ୍ଥାପନ କରାଯାଇ ଦେବୀଙ୍କୁ ସ୍ନାନ ମଣ୍ଡପରେ ୧୦୮ କଳସ ଅଭିଷିକ୍ତ ସୁବାଷିତ ଜଳରେ ସ୍ନାନ କରାଯାଇ ରାଜାଙ୍କ ପ୍ରଦତ୍ତ ନୂତନ ପାଟବସ୍ତ୍ର ‘ପୁଷ୍ପଚ଼ନ୍ଦନ ସିନ୍ଦୁର ପରିଧାନ କରିବା ପରେ ଆଳତି ବନ୍ଦାପନା ହୋଇ ଶାରଦୀୟ ପର୍ବଗୃହକୁ ବିଜେ ପାଇଁ ସମସ୍ତ ପ୍ରକାର ବିଧିବ୍ୟବସ୍ଥା ଗ୍ରହଣ କରାଯାଏ।

ପାରମ୍ପରିକ କ୍ରମେ ସପ୍ତମୀରେ ପ୍ରାଚୀନବଙ୍କାଡ଼ଗଡ଼ ଅଧୁନା ପାରିକୁଦ ଗଡ଼ର ରାଜା ସନ୍ତୋଷ ଚନ୍ଦ୍ର ମାନସିଂମର୍ଦ୍ଦରାଜ ହରିଚନ୍ଦ୍ର ଆଜିମା’ଭଗବତୀଙ୍କ ମନ୍ଦିର ପୁରୋହିତ, ପୂଜକ ସାମନ୍ତ ଙ୍କୁ ବରଣ କରି ଗୁଆପଇତା ପାଟମଠା ପ୍ରଦାନ କରି ମା’ଙ୍କ ପରିଧାନ ନିମନ୍ତେ ଅଙ୍ଗବସ୍ତ୍ର ସହିତ ଚୁଡ଼ିସିନ୍ଦୁର ଅଳତା ପୁଷ୍ପମାଳ ପ୍ରଦାନ କରି ପର୍ବର ସର୍ବମଙ୍ଗଳ କାମନା କରିଥିଲେ। ଅଷ୍ଟମୀ ଦିନ ଦେବୀ ଉତ୍ଥାପନ ନୀତିକାନ୍ତି ପରେମା’ କନକଦୁର୍ଗାପ୍ରଥମେ ଏହାକୁ ପରିଧାନ କରି ସର୍ବସାଧାରଣଙ୍କୁ ଦର୍ଶନ ଦେବେ। ପରେ ସଂଧ୍ୟାରୁ ମା’ଦେବୀ ଭଗବତୀଙ୍କ ଚଳନ୍ତି ପ୍ରତିମା ସ୍ତମ୍ଵେଶ୍ଵରୀ କାଠି ଠାକୁରାଣିଙ୍କ ଦେବୀ ନୃତ୍ୟ ଆରମ୍ଭ ହୋଇ ମା’ପିତ୍ରାଳୟଦକ୍ଷେଶ୍ଵର ମନ୍ଦିରରୁ ଭିତର ପର୍ବଗୃହକୁ ବିଜେ କରିବାପରେ ଅମାବାସ୍ୟା ପର୍ଯ୍ୟନ୍ତ ଭିତର ପର୍ବ ଆରମ୍ଭ ହେବ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ମା’ଭଗବତୀଙ୍କ ପୀଠରେ ଷଷ୍ଠୀ ଓଷା, ପାର୍ବଣ ପ୍ରସ୍ତୁତି ପାଇଁ ଷଷ୍ଠୀ ବ୍ରତ ଧାରଣ କଲେ ସେବାୟତ

ବାଣପୁର (ସୀତାରାମ ଅଗ୍ରୱାଲ): ଉପକୂଳ ଓଡ଼ିଶାର ମହାନ ପର୍ବ ଷଷ୍ଠୀ ଓଷା, ଭାଦ୍ରବ ଶୁକ୍ଳ ଷଷ୍ଠୀ ଦିନ ପୁରପଲ୍ଲୀର ପ୍ରତି ଘରେ ଭାଗ୍ୟର ଦେବୀ ଷଷ୍ଠୀଦେବୀଙ୍କୁ ଛଅତିଅଣ ଛ, ଭଜା, ସହିତ ନାନାଦି ପ୍ରକାର ପିଠାପଣା, କ୍ଷିରୀ ଖେଚଡ଼ି କରି ପୂଜାକରାଯାଏ। ଏହି ଦିନ ଗୃହମାନଙ୍କରେ ମା’ଙ୍କୁ ପୂଜା ଆରଧନା କଲେ ଘରର ସମସ୍ତଙ୍କୁ ମା’ ସମସ୍ଥ ବିପଦ ଆପଦ , ରୋଗ ବୈରାଗରୁ ରକ୍ଷା କରିବା ସହିତ ଅଶେଷ ଆୟୁଷ ଓ ଉତ୍ତମଭାଗ୍ୟ ପ୍ରଦାନ କରିଥାନ୍ତି ବୋଲି ବିଶ୍ୱାସ ଅଛି। ଏଣୁ ପ୍ରତିଟି ଓଡ଼ିଆ ଘରମାନଙ୍କରେ ସ୍ୱତନ୍ତ୍ର ଷଠିଘର ସ୍ଥାପନ କରି ଜନ୍ମ ସମୟରୁ ଏହିଦିନ ମା’ଙ୍କୁ ମହା ଆଡ଼ମ୍ବର ସହକାରେ ପୂଜା ଆରାଧନା କରାଯାଏ।

ଖୋର୍ଦ୍ଧା ଜିଲ୍ଲାର ପ୍ରାଚୀନ ଶକ୍ତିପୀଠ ମା’ଭଗବତୀଙ୍କ ମନ୍ଦିରରେ ମଧ୍ୟ ଏହି ପର୍ବ ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି। ମା’ଙ୍କୁ ସ୍ୱୟଂ ଷଷ୍ଠି ଦେବୀ ଭାବରେ ମଧ୍ୟ ବିଶ୍ୱାସ କରାଯାଇ ଏହି ପର୍ବ ପାଳନ କରାଯିବାର ପରମ୍ପରା କାହିଁ କେଉଁ କାଳରୁ ଚଳି ଆସିଛି। ଏହି ଦିନ ପ୍ରତ୍ୟୁଷରୁ ମା’ଙ୍କ କେବଳ ଅଙ୍ଗରାଗ ମାଜଣା ପରେ ବେଶ ହୋଇ ସକାଳର କୌଣସି ନୀତିକାନ୍ତି ହୋଇ ନ ଥିଲା।

ମଧ୍ୟାହ୍ନରେ ମା’ଭଗବତୀଙ୍କ ଚଳନ୍ତି ପ୍ରତିମା ସ୍ତମ୍ଵେଶ୍ଵରୀ ନାନାଦି ରଙ୍ଗବେରଙ୍ଗର ପାଟ ପତନି ସହିତ ବେଲପତ୍ର ମନ୍ଦାରମାଳ ପରିଧାନ କରି ନିଯୋଗୀ ସେବାୟତଙ୍କ ସହିତ ଘଣ୍ଟ ଛତା କାହାଳୀ , ବାଦ୍ୟରେ ପିତ୍ରାଳୟଶ୍ରୀ ଶ୍ରୀଦକ୍ଷେଶ୍ଵର ମନ୍ଦିରରୁ ବାହାରି ବଡ଼ ଦାଣ୍ଡରେ ଯାତ୍ରା କରି ନିଜ ମନ୍ଦିରକୁ ବିଜେ କରିଥିଲେ। ଯାତ୍ରା ସମୟରେ ମା’ଙ୍କର ବିଜେ କାହାଳୀ ଶବ୍ଦ ଶୁଣି ପ୍ରତିଟି ଘରମାନଙ୍କରେ ଗୃହିଣୀମାନେ ଶଙ୍ଖ ହୁଳହୁଳି ପକାଇ ଷଷ୍ଠୀଦେବୀଙ୍କୁ ପୂଜା ଆରାଧାନା ସହିତ ନାନାଦି ନୈବେଦ୍ୟ ଅର୍ପଣ ପୂର୍ବକ ପରିବାର ସହିତ ସଂସାରରମଙ୍ଗଳ କାମନା କରିଥିଲେ।

ମା’କାଠି ଠାକୁରାଣୀ ମନ୍ଦିରରେ ବିଜେ କରିବାପରେ ପୂଜକ ସାଆନ୍ତ , ପାଳିଆ ମାଳି ମା’ଙ୍କ ସମ୍ମୁଖରେ କୁମ୍ଭ , ସପ୍ତମୁଖୀ ଦୀପ ସ୍ଥାପନ ସହିତ ଛଅଟି ସରାରେ ନୈବେଦ୍ୟ (ବଲ୍ଲଭ,ନଡ଼ିଆ ପାତି ଆଦି) ଅର୍ପଣ କରି ମା’ଙ୍କୁ ଷଷ୍ଠୀ ଦେବୀ ଭାବରେ ଆବାହନ କରି .ଷଠି ସୂତା ଲାଗି କରିବା ସହିତ ଷୋଡ଼ଷ ଉପଚାରରେ ପୂଜା ଓ ଆଳତି ବନ୍ଦାପନା କରି ସଂସାରରମଙ୍ଗଳ କାମନା କରିଥିଲେ। ମା’ଙ୍କୁ ଷଷ୍ଠୀ ଦେବୀ ଭାବରେ ଦର୍ଶନକରି ଆଶୀର୍ବାଦ ଲାଭ ପାଇଁ ଅଗଣିତ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ପରେ ମା’ଙ୍କ ପାଖରେଶଙ୍କୁଡ଼ି ଧୂପରେ, କ୍ଷିରି ଖେଚଡ଼ି ,ମାଛ ମହୁର, ଆମ୍ବିଳ, ଶାଗମୁଗ,ଭଜା,ଏଣ୍ଡୁରି ଲାଗି ହୋଇ ଧୂପ ଆଳତି ବଢିଥିଲା। ମା’ଙ୍କ ପ୍ରତିଟି ସେବାୟତ ପରିବାରର ସମସ୍ତେ ଷଠିସୂତା ଧାରଣ କରି ତାଙ୍କରି ଆଶୀର୍ବାଦ କାମନା ସହିତ ପ୍ରସାଦ ସେବନ କରିଥିଲେ।

ଆଜିଠାରୁ ମା’ଭଗବତୀଙ୍କ ପାର୍ବଣ ପ୍ରସ୍ତୁତି ଆରମ୍ଭ ‘ ଲଳିତା ସପ୍ତମୀରେ ମା’ଙ୍କ ପାଣି ତୋଳା ଯାତ୍ରା ସହିତ ଚିଲିକାରେ ନୌବିହାର କରି ଭଉଣୀ ମା’କାଳିଜାଇ ଙ୍କୁ ପାର୍ବଣ ପାଇଁ ନିମନ୍ତ୍ରଣ କରି ଆଜ୍ଞାମାଳ ନେଇ ଫେରିବା ପରେ ଦୁର୍ଗାଷ୍ଟମୀରୁ ଦେବୀଶୟନ କରିବେ। ଆଶ୍ୱିନ କୃଷ୍ଣ ଅଷ୍ଟମୀ ବା ମୂଳାଷ୍ଟମୀଠାରୁ ମା’ଭଗବତୀଙ୍କ ଷୋଳ ପର୍ବ ଆରମ୍ଭ ହେବା। ମା’ଙ୍କ ଶୃଙ୍ଖଳିତ ଷଷ୍ଠୀ ଓଷା ପୂଜାନୀତି ପାଇଁ ମନ୍ଦିର କାର୍ଯ୍ୟାଳୟ ତରଫରୁ ସମସ୍ତ ପ୍ରକାର ବିଧିବ୍ୟବସ୍ଥା ଯୋଗାଇଦିଆଯାଇଥିବାକଥା କାର୍ଯ୍ୟନିର୍ବାହୀଙ୍କଠାରୁ ପ୍ରକାଶ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଶ୍ରାବଣ ପୂର୍ଣ୍ଣିମାରେ ମା’ଭଗବତୀଙ୍କ ପୀଠରେ ନିଆରା ଢଙ୍ଗରେ ପାଳିତ ହେଲା ଗୋପୂଜନ, ଗହ୍ମାପର୍ବ

ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲାର ପ୍ରସିଦ୍ଧ ପ୍ରାଚୀନ ଶକ୍ତିପୀଠ ବାଣପୁରର ମା’ଭଗବତୀଙ୍କ ମନ୍ଦିରରେ ବାରମାସର ତେର ଯାତ ସ୍ୱତନ୍ତ୍ର ନିଆରା ଢଙ୍ଗରେ ପାଳିତ ହୁଏ।  ଶ୍ରାବଣ ମାସର ପୂର୍ଣ୍ଣିମା ବିଷ୍ଣୁ ମନ୍ଦିରରେ ସର୍ବତ୍ର ରକ୍ଷାବନ୍ଧନ, ବଳଭଦ୍ର ଜନ୍ମ ଭାବରେ ପାଳନ କରାଯାଉଥିବା ବେଳେ, ମା’ ଯୋଗମାୟା ଭଗବତୀଙ୍କ ପୀଠରେ ଗୋପୂଜନ ଓ ଗହ୍ମା ଡିଆଁ ପର୍ବ ଭାବରେ ସ୍ୱତନ୍ତ୍ର ନୀତି କାନ୍ତିରେ ପାଳନ କରାଯିବାର ବିଧି କାହିଁ କେଉଁ କାଳରୁ ଚଳି ଆସିଛି।

ପୂର୍ଣ୍ଣମୀ ଦିନ ପ୍ରତ୍ୟୁଷରୁ ମା’ଙ୍କ ଅଙ୍ଗରାଗ ମାଜଣା, ମହାପ୍ରସାଦ ଅର୍ପଣ, ବେଶ, ବଲ୍ଲଭ ଆଳତୀ, ମଧ୍ୟାହ୍ନରେ ଶଙ୍କୁଡ଼ି ଧୂପ ପରେ ପହୁଡ଼ ପରେ ଅପରାହ୍ନରେ ନିଶଙ୍କୁ ଡ଼ି ଧୂପ ଆଳତିସରିରାତ୍ର ୪ପ୍ରହରରେ ବଡ଼ ଶିଙ୍ଗାରଧୂପପରେ ମା’ଙ୍କ ଚଳନ୍ତି ପ୍ରତିମା ସ୍ତମ୍ଵେଶ୍ଵରୀ କାଠି ଠାକୁରାଣୀ, ଶ୍ରୀ ଶ୍ରୀ ଚନ୍ଦ୍ରଶେଖରଦେବ ଓ ଶ୍ରୀ ଶ୍ରୀ ଗୋପୀନାଥ ଦେବଙ୍କ ସହିତ ପିତ୍ରାଳୟଦକ୍ଷେଶ୍ଵର ମନ୍ଦିରରୁ ବିଜେ କାହାଳି ବାଜିବା ପରେ ଗହ୍ମା ପଡ଼ିଆକୁ ବିଜେ କରିଥିଲେ।

ଘଣ୍ଟା ଘଣ୍ଟ କାହାଳି ଢ଼ୋଲ ମହୁରୀ ଆଲଟ ଚାମର ଛତ୍ର ତରାସ, ଆଦି ଥାଟ ପଟୁଆର ସହିତ ସେବାୟତ ଓ ଶ୍ରଦ୍ଧାଳୁଙ୍କ ଗ୍ରହଣରେ ବିଜେ କଲା ବେଳେ ହୁଳହୁଳି ଓ ଜୟ ଜୟକାର ଧ୍ବନୀରେ ପଡ଼ିଆ ଉଚ୍ଛୁଳି ପଡ଼ିଥିଲା। ବିଷରପାଟଣା ଛକ ଉପରେ ପଲେଇ ସେବକ ଏକ ବାଲିର ବେଦୀକରି ତା ଉପରେ ପାଟବସ୍ତ୍ର ପକାଇ ଆସନପ୍ରସ୍ତୁତ କରିଥିଲେ। କାଠି ନାହାକ ଓ ପରିଛା ସାଆନ୍ତ ମା’ ଙ୍କୁ ଓ ଜୀଉମାନଙ୍କୁ ଉକ୍ତବେଦୀ ଉପରେ ବିଜେ କରାଇ ଷୋଡ଼ଷ ଉପଚ଼ାରରେ ପୂଜାକରି ଗୋମାତା ଓ ଠାକୁର ଠାକୁରାଣୀଙ୍କୁ ପରମ୍ପରା କ୍ରମେ କେବଳ ଶାକର ଓ ନଡ଼ିଆ ପାତି ୪ପତ୍ରରେ ଠା କରି ନୈବେଦ୍ୟ ଆକାରରେ ଧୂପ ବଢ଼ାଇ ଆଳତି ସମର୍ପଣ କରିଥିଲେ।

ପଲେଇ ସେବକ ଆଗରୁ ଗୋମାତାଙ୍କ ପ୍ରତୀକ ଭାବରେ ବାଛୁରୀଟି ଏ ଆଣି ତାଙ୍କୁ ଚନ୍ଦନ ସିନ୍ଦୁର ଫୁଲ ମାଳଦେଇ ପୂଜା କରି ଶାକର ନଡ଼ିଆ ଖୁଆଇ ସାରି ଉକ୍ତ ବେଦି ଉପରେ ଡ଼ିଆଁଇବା ପରେ ମା’ଙ୍କ ଗହ୍ମା ଡିଆଁ ପର୍ବ ଶେଷ ହୋଇଥିଲା।

ଏହି ପବିତ୍ର ମୂହୁର୍ତ୍ତରେ ମା’ଙ୍କୁ ଦର୍ଶନ କରିବାକୁ ଆସିଥିବା ଅଗଣିତ ଶ୍ରଦ୍ଧାଳୁଙ୍କ ହୁଳହୁଳି ଜୟ ଜୟକାର ଧ୍ବନୀରେ ପରିବେଶ ବେଶ ଆଧ୍ୟାତ୍ମିକ ମୟ ହୋଇ ଉଠିଥିଲା। ପରେ ଠାକୁର ଠାକୁରାଣୀ ମାନେ ମନ୍ଦିର ଫେରିବା ବାଟରେ ପରିଚ୍ଛାଙ୍କ ଦ୍ଵାର ମାନଙ୍କରେ ପନ୍ତିଭୋଗ ଖାଇ ପିତ୍ରାଳୟ ଦକ୍ଷେଶ୍ଵର ମନ୍ଦିରକୁ ଫେରି ରାତ୍ର ପହୁଡ଼ ହୋଇଥିଲେ।

କୃଷିର ପର୍ବ ଶ୍ରାବଣ ପୂର୍ଣ୍ଣିମାପ୍ରଭୁ ବଳଭଦ୍ରଙ୍କ ଜନ୍ମଦିନ ଭାବରେ ଓଡ଼ିଶାର ପ୍ରତ୍ୟେକ ବିଷ୍ଣୁ ମନ୍ଦିରରେ ଧୁମ୍ ଧାମରେ ପାଳିତ ହେଉଥିବା ବେଳେ ପରମ ବୈଷ୍ଣବୀ ଦେବୀ ଯୋଗମାୟା ମା’ ଭାଗବତୀଙ୍କ ପୀଠରେ ମଧ୍ୟ କୃଷି କାର୍ଯ୍ୟର ପ୍ରମୁଖ ଗୋମାତାଙ୍କ ପୂଜନ ପରି ପରମ୍ପରା କୈଣସୀ ଶକ୍ତିପୀଠରେ ପାଳିତ ହେଉଥିବାର ଦେଖିବାକୁ ମିଳେନାହିଁ ବୋଲି ଶ୍ରୀ ଶ୍ରୀଦକ୍ଷେଶ୍ଵର ଭଗବତୀ ଦେବୋତ୍ତର କାର୍ଯ୍ୟାଳୟର କାର୍ଯ୍ୟନିର୍ବାହୀ ବାଳମୁକୁନ୍ଦ ଦାସଙ୍କଠାରୁ ପ୍ରକାଶ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ସରିଲା ମା’ଭଗବତୀଙ୍କ ଚନ୍ଦନ ଯାତ୍ରା, ଜଳସ୍ପର୍ଶ ବିଧି ରକ୍ଷାକରି ପାଳିତ ହେଲା ଭଉଁରୀ

ବାଣପୁର (ସୀତାରାମ ଅଗ୍ରୱାଲ): ଦୀର୍ଘ ୨୧ ଦିନର ପ୍ରଚଣ୍ଡ ରୌଦ୍ରତାପରୁ ଦେବା ଦେବୀମାନଙ୍କ ଶ୍ରୀଅଙ୍ଗକୁ ଶୀତଳ ରଖିବା ପାଇଁ ପାଳିତ ହୁଏ ଚନ୍ଦନ ଯାତ୍ରା। ଦୈନନ୍ଦିନ ନୀତିକାନ୍ତି ପରେ ଚନ୍ଦନ କୁଣ୍ଡର ଚନ୍ଦନ ଶ୍ରୀକର୍ପୁର ଅଗୁରୁ ମିଶ୍ରିତ ଶୀତଳ ଜଳରେ ଜିଉମାନଙ୍କୁ ରଖାଯାଇ ଶୀତଳ ମଣୋହି ଲାଗି କରାଯିବାର ପରମ୍ପରା ଉତ୍କଳର ପ୍ରତିଟି ଦେବାଦେବୀ ମନ୍ଦିରରେ ପାଳିତ ହୋଇଆସୁଥିବା ବେଳେ ଶ୍ରୀକ୍ଷେତ୍ର ପରି କେତେକ ସ୍ଥାନରେ ଦେବା ଦେବୀଙ୍କ ଚାପଯାତ୍ରା ମଧ୍ୟ ଅନୁଷ୍ଠିତ ହେଉଥିବାର ପରମ୍ପରା ଏପର୍ଯ୍ୟନ୍ତ ଚାଲି ଆସିଛି।

ବାଣପୁରର ଆରାଧ୍ୟାଦେବୀ ମା’ ଭଗବତୀଙ୍କ ଚନ୍ଦନ ଓ ଚାପଯାତ୍ରା ତିନିଦିନ ଧରିନିଆରା ଢଙ୍ଗରେ ମହାଆନନ୍ଦ ଉଲ୍ଲାସର ସହିତ ପାଳିତ ହୋଇଯାଇଛି। ଅକ୍ଷୟ ତୃତୀୟାଠାରୁ ଆରମ୍ଭ ଏହି ଯାତ୍ରାର ଶେଷ ତିନିଦିନ ପ୍ରତିବର୍ଷ ପରିବାଣପୁର ନିକଟସ୍ଥ ଗୋପାଳପୁର ଶାସନ ମାଜଣା ପୋଖରୀ ଚନ୍ଦନ ଚକଡ଼ାରେ ଚଳିତ ବର୍ଷ ଧୁମ୍ ଧାମରେ ପାଳିତ ହୋଇଥିଲା। ଶାସନ ବାଡ଼ିର ଆରାଧ୍ୟ ଠାକୁର ଶ୍ରୀ ଶ୍ରୀ ବାଲୁଙ୍କେଶ୍ଵର ଦେବଙ୍କ ନିମନ୍ତ୍ରଣକ୍ରମେ ପ୍ରତି ସଂଧ୍ୟାରେ ମା’ଭଗବତୀ କାଠି ଠାକୁରାଣି ନିଯୋଗୀ ସେବାୟତ ଓ ଶ୍ରଦ୍ଧାଳୁମାନଙ୍କ ଗହଣରେ ଥାଟ ପଟୁଆର, ବାଣ ରୋଷଣି, ଘଣ୍ଟ ଘଣ୍ଟା କାହାଳୀ ଆଲଟଚାମର ବାଦ୍ୟର ଶବ୍ଦରେ ପାଟପତନୀ ମନ୍ଦାର ବେଲପତ୍ର ମାଳରେ ସଜ୍ଜିତ ହୋଇ ବାଣପୁର ବଡ଼ ଦାଣ୍ଡରେ ଯାତ୍ରା କଲା ବେଳେ ଏକ ଭାବ ଭକ୍ତିମୟ ପରିବେଶ ସୃଷ୍ଟି ହେଉଥିଲା।

ଅଧାବାଟରେ ଗୋପାଳପୁର ଗ୍ରାମବାସୀଙ୍କ ସହିତ ଶ୍ରୀ ଶ୍ରୀ ବାଲୁଙ୍କେଶ୍ଵର ଦେବମା’ଙ୍କୁ ପାଛୋଟି ନେଇ ମାଜଣା ପୋଖରୀର ଚନ୍ଦନ ଚକଡ଼ାରେ ଉପବେସନ କରାଉଥିଲେ।ଦେବୀଙ୍କ ସହିତ ଶ୍ରୀ ଶ୍ରୀ ଚନ୍ଦ୍ରଶେଖରଦେବ, ଶ୍ରୀଗୋପୀନାଥଦେବ,ଶ୍ରୀରଙ୍କ ନାଥ ଦେବ ,ପାଟି ପୁର ଶାସନର ଶ୍ରୀଗୋପୀନାଥ ଦେବ ଓ କନକଦୁର୍ଗା, କୋଟ ବିଦ୍ୟାଧରପୁର ଶାସନର ଶ୍ରୀନୀଳକଣ୍ଠେଶ୍ଵର ଦେବ, ଗୋପାଳପୁର ଶାସନର ଶ୍ରୀକପିଳେଶ୍ୱର ଦେବ ଓ ଦୋଳ ଗୋବିନ୍ଦଦେବ ଏବଂ ସ୍ଥାନାଧିପତି ବାଲୁଙ୍କେଶ୍ଵର ଦେବଙ୍କ ସହିତ ଏକତ୍ର ଶୀତଳ ମଣୋହୀ ସେବନ କରିବାର ଦୃଶ୍ୟ ମନୋମୁଗ୍ଧକର।

ଚଳିତ ବର୍ଷ ମାଜଣା ପୋଖରୀର ପଙ୍କ ଉଧାର ଯୋଗୁଁ କେବଳ ଜଳସ୍ପର୍ଶ ବିଧିରେ ଚାପର ସମସ୍ତ ନୀତିକାନ୍ତି ଶେଷ କରାଯାଇ ଦେବା ଦେବୀଙ୍କୁ ଚନ୍ଦନ କୁଣ୍ଡରେ ପୂଜା ବିଧିସହିତ ଦ୍ୱିତୀୟ ପ୍ରହର ର ଚନ୍ଦନଲାଗି କରାଯାଇ ଶୀତଳ ମଣୋହୀରେ ପୂଜାନୀତି ଶେଷ କରାଇ ନିଶାର୍ଦ୍ଧରେ ମନ୍ଦିର ବାହୁଡ଼ା କରାଇଥିଲେ। ତିନିଦିନର ଏହି ଯାତ୍ରାରେ ଗୋପାଳପୁର ଗ୍ରାମବାସୀଙ୍କ ମିଳିତ ସହଯୋଗରେ ପ୍ରତିଦିନ ଭଜନ ସମାରୋହ, ରାମଲୀଳା ଭଳି ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଥିଲା। ପ୍ରତିଦିନ ସ୍ଥାନୀୟ ଅଞ୍ଚଳର ଅଗଣିତ ଶ୍ରଦ୍ଧାଳୁମାଙ୍କୁ ଦର୍ଶନକରିବାକୁ ଆସୁଥିବାର ଦେଖିବାକୁ ମିଳିଥିଲା।

ଶ୍ରୀ ଶ୍ରୀଦକ୍ଷେଶ୍ଵର ଭଗବତୀ ଦେବୋତ୍ତର କାର୍ଯ୍ୟାଳୟର କର୍ମକର୍ତ୍ତା,ସ୍ଥାନୀୟ ପ୍ରଶାସନ ଏବଂ ଗୋପାଳପୁର ଗ୍ରାମର ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଚଳିତ ବର୍ଷ ଏହି ଯାତ୍ରା ଶାନ୍ତି ଶୃଙ୍ଖଳାର ସହିତ ପାଳିତ ହୋଇଥିଲା।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ମହାବିଷୁବରେ ଉତ୍ତର ଦିଗକୁ ଯାତ୍ରା କଲେ ମା’ଭଗବତୀ, ଭଉଣୀ ଶିଦ୍ଧେଶ୍ୱରୀଙ୍କ ଠାରୁ ଆସିବ ଆଜ୍ଞାମାଳ

ବାଣପୁର (ସୀତାରାମ ଅଗ୍ରୱାଲ): ମହାବିଷୁବ ସଂକ୍ରାନ୍ତି, ଉତ୍କଳୀୟଙ୍କ ନବବର୍ଷ ଭାବରେ ପାଳନ କରାଯାଏ। ପଣା ସଂକ୍ରାନ୍ତି ଭାବରେ ମଧ୍ୟ ଏହିଦିନ ଦେବାଦେବୀଙ୍କ ପୀଠରେ ଶୀତଳ ପଣା ଭୋଗ ଲାଗି ହେବାର ପରମ୍ପରା ଚ଼ଳି ଆସିଛି। ମା’ ଭଗବତୀଙ୍କ ପୀଠରେ ନବବର୍ଷର ପ୍ରଥମ ଦିନରେ ମା’ ଉତ୍ତର ଦିଗରକ୍ଷାକାରିଣୀ, ଭାଟପଡ଼ାଗଡ଼ର ଆରାଧ୍ୟା ଦେବୀ, ଶୋଲରୀ ପାହାଡ଼ ଖୋଲରେ ପୂଜିତ।, ଭଉଣୀ ଶିଦ୍ଧେଶ୍ଵରୀଙ୍କ ପୀଠକୁ ଯାତ୍ରା କରି ଆଗମୀ ଶାରଦୀୟ ପର୍ବକୁ ନିମନ୍ତ୍ରଣ କରି ମା’ଶିଦ୍ଧେଶ୍ୱରୀଙ୍କ ଆଜ୍ଞାମାଳ ନେଇ ଫେରିବାର ପରମ୍ପରା କାହିଁ କେଉଁ କାଳରୁ ଚଳି ଆସିଛି। ମା’ଭଗବତୀଙ୍କ ମାନବୀୟ ଲୀଳାର ଏହା ଏକ ନିଆରା ପରମ୍ପରା’।

ବାଟରେ ଗଲାବେଳେ ବଡ଼ହନ୍ତୁ ଆଡ଼ ଗ୍ରାମର ଆରଧ୍ଯ ଦଣ୍ଡ ଠାକୁର ରାଜରାଜେଶ୍ୱର ଦେବ ତାଙ୍କୁଥାଟ ପଟୁଆରରେ ସାଦରେନିମ୍ନନ୍ତ୍ରଣ କରି ଗ୍ରାମପରିକ୍ରମା କରାଇବା ପରେ ମା’ ଅନ୍ଧାର ଭିତରେ କେବଳ ଦିକିଦିକି ମଶାଲ ଆଲୁଅରେ ଅଣୁଆ ଜଙ୍ଗଲିଆ ରାସ୍ତାରେ ଶୋଲରୀ ପାହାଡ଼ ପାଦତଳେ ତଳେ କଣ୍ଟାଲତା ଡେଇଁ ବାଟରେ ଡ଼ାଳ ଖାଇ ଠାକୁରାଣୀଙ୍କ ପୀଠରେ ପହଞ୍ଚି ବିଶ୍ରାମ ନିଅନ୍ତି। ନିଯୋଗୀ ସେବାୟତମାନେ ମା’ଙ୍କ ଭରସାରେ ବିଶ୍ୱାସରସହିତ ଅନ୍ଧାର ରାସ୍ତାରେ ଯାତ୍ରା କଲାବେଳେ କେବେହେଲେ କାହାର କ୍ଷତି ହୋଇନାହିଁ ବୋଲି କହନ୍ତି ବରିଷ୍ଠ ସେବକ ଭାସ୍କର ନାୟକ, ବସନ୍ତନାୟକ, ପରିଚ୍ଛା ପ୍ରକାଶ ମହାପାତ୍ର। ଏପରିକି ସ୍ୱାପଦ ଶଙ୍କୁଳ ପାହାଡ଼ିରାସ୍ତା, ହିଂସ୍ର ଯନ୍ତୁମାନଙ୍କ ଆଶ୍ରୟସ୍ଥଳ ଏବଂ ସଂକୀର୍ଣ୍ଣ କଂଟକପୂର୍ଣ୍ଣ ହୋଇଥିଲେ ମଧ୍ୟ ପାଦରେ କଣ୍ଟାଟିଏ ମଧ୍ୟ ଲାଗେ ନାହିଁ ବୋଲି କହନ୍ତି କାଠିନାହାକ ଗଣେଶ ନାୟକ।

ପଣାପାଣି ସାରି ପୁଣି ଭାଟିପଡ଼ା ଗଡ଼କୁ ଯାତ୍ରା ଆରମ୍ଭ ହୁଏ। ଶେଷରେ ଗଡ଼ର ପଶ୍ଚିମ ଦିଗରେ ପୂଜା ପାଉଥିବା ଗ୍ରାମଦେବତୀଙ୍କ ମନ୍ଦିରରେ ପହଞ୍ଚିବା ପରେ ଗଡ଼ର ଦଳବେହେରା ମାନବେନ୍ଦ୍ର ମହାରଥାଙ୍କ ସହିତ ଗ୍ରାମବାସୀ ମା’ଙ୍କୁ ପୁଷ୍ପଚନ୍ଦନ ଦେଇ ନିମନ୍ତ୍ରଣ କରିବା ପରେ ମା’ ଗଡ଼ପରିକ୍ରମା କରି ସେହି ଅନ୍ଧା କାର ଭିତରେ ଶୋଲରୀ ପାହାଡ଼ ଖୋଲରେ ଉପରେ ପୂଜିତା ମା’ ଶିଦ୍ଧେଶ୍ୱରୀଙ୍କ ପୀଠରେ ଅବସ୍ଥାନ କରନ୍ତି।

ମନ୍ଦିରର ଜାନିସଂପ୍ରଦାୟର ପୂଜକମାନେ ଦୁଇ ଭଉଣୀଙ୍କ ପାଇଁ ଚୁଡ଼ାଗୁଡ଼ ନୈବେଦ୍ୟ ଅର୍ପଣ କରି ଆଜ୍ଞାମାଳ କରିବା ପରେ ଜଣେ ପୂଜକ ଧଳା ଲୁଗା ଘୋଡ଼େଇ ହୋଇ ଆଜ୍ଞାମାଳ ନେଇ ଫେରି ଦଳବେହେରାଙ୍କ ଦୁଆରେ ପହଞ୍ଚିବା ପରେ ପନ୍ତିଭୋଗ ଖାଇ ରାତ୍ରିର ଶେଷ ପ୍ରହରରେ ପିତ୍ରାଳୟ ଦକ୍ଷେଶ୍ଵର ମନ୍ଦିରକୁ ଫେରିବା ବାଟରେ ଟିକିରାଇ ମନ୍ଦିରରେ ପଣା ଭୋଗ ଏବଂ ଖମାରଠାରେ ଗଜପତି ମହାରାଜାଙ୍କ ଦ୍ଵାରା ପ୍ରଚଳିତ ନିଶଙ୍କୁଡ଼ି ଭୋଗ ଲାଗି ହୋଇ ଫେରନ୍ତି ବୋଲି ଦକ୍ଷେଶ୍ଵର ଭଗବତୀ ଦେବୋତ୍ତର କାର୍ଯ୍ୟଳୟର କାର୍ଯ୍ୟନିର୍ବାହୀ ବାଳମୁକୁନ୍ଦ ଦାସଙ୍କଠାରୁ ପ୍ରକାଶ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ତ୍ରୟୋଦଶୀରେ ଛଅ ଶାସନର ନିମନ୍ତ୍ରଣ ଗ୍ରହଣ କଲେ ମା’ଭଗବତୀ, ଚତୁର୍ଦ୍ଦଶୀରୁ ଚ଼ାଚ଼େରୀ ଭୋଗ ଆରମ୍ଭ

ବାଣପୁର (ସୀତାରାମ ଅଗ୍ରୱାଲ): ଓଡ଼ିଶାର ପୁରପଲ୍ଲୀରେ ଫାଲ୍ଗୁନ ଶୁକ୍ଳ ଦଶମୀଠାରୁ ଦୋଳଯାତ୍ରା ଆରମ୍ଭ ହୋଇ ଚୈତ୍ର କୃଷ୍ଣ ଏକାଦଶୀ ଯାଏ ଚାଲେ। ଏହି ସମୟରେ ମନ୍ଦିରରେ ବିଜେ ଚଳନ୍ତି ପ୍ରତିମା ମାନେ ରତ୍ନସିଂହାସନ ତ୍ୟାଗ କରି ଗ୍ରାମ ପରିକ୍ରମା କରି ଶ୍ରଦ୍ଧାଳୁଙ୍କ ଦୂଆରେ ବଢ଼ାଯାଇଥିବା ମୁଆଁ, ଖଇ, କୋରା, ଫଳମୂଳ, ଚଣା, ଶାକର, ଫେଣି, ଆଖୁ, ମୁଗଧୁଆ, ଚ଼ୁଡ଼ାଘଷା, ରସାବଳୀ ଇତ୍ୟାଦି ନାନାଦି ପ୍ରକାରର ନୈବେଦ୍ୟ ଗ୍ରହଣ କରି ଅବିର ଲାଗି ହୁଅନ୍ତି। ଏହାକୁ ଚ଼ାଚ଼େରୀ ଭୋଗ କୁହାଯାଏ।

ଶକ୍ତିପୀଠ ବାଣପୁରରେ କିନ୍ତୁ ମା’ଭଗବତୀଙ୍କ ଚ଼ାଚ଼େରୀ ଭୋଗ ନିଆରା। ଫାଲ୍ଗୁନ ତ୍ରୟୋଦଶୀରେ ଛଅ ବ୍ରାହ୍ମଣ ଶାସନର ଠାକୁରମାନେ ମା’ଙ୍କୁ ନିମନ୍ତ୍ରଣ କରି ଫେରିବା ପରେ ମା’ ନିମନ୍ତ୍ରଣ ରକ୍ଷା କରି ଚ଼ତୁର୍ଦ୍ଦଶୀରେ ବାହାରିଛନ୍ତି ଶାସନ ବାଡିରେ ଚାଚେରୀ ଖାଇ। ବର୍ଷକେ ଥରେ ମା’ଭଗବତୀଙ୍କୁ ଦୁଆରେ ପାଇ ବ୍ରାହ୍ମଣ ପରିବାରମାନଙ୍କରେ ଆନନ୍ଦ ଉଲ୍ଲାସ ଭରିଯାଏ। ପରିବାରର ପୁଅଝୀଅ ବନ୍ଧୁବାନ୍ଧବ ଯେତେ ଦୂରରେ ଥିଲେ ବି ମା’ଙ୍କ ଦର୍ଶନ ସହିତ ପ୍ରସାଦ ପାଇବା ପାଇଁ ଘରେ ପହଞ୍ଚିଯାନ୍ତି।

ଏହିଦିନ ପ୍ରତିଘରେ ମା’ଙ୍କ ପ୍ରିୟ ଶଙ୍କୁଡ଼ି ଭୋଗ ଖେଚ଼େଡ଼ି, ଡ଼ାଲି, ଆମ୍ବିଳ, ମାଛମହୁର, ମାଛ ଭଜା, ମାଛ ପୋଡ଼ା, ଗୁଣ୍ଡିଭଜା, ଖିରି, କାକରା ମୁଆଁ, ଫଳମୂଳ ଇତ୍ୟାଦି ନାନାଦି ବ୍ୟଞ୍ଜନ ପ୍ରସ୍ତୁତ କରି ଘର ଭିତରେ ବାଢ଼ି ମା’ଙ୍କୁ ଅର୍ପଣ କରନ୍ତି। ଏଥି ସହିତ ପାଟ, ଶ।ଢ଼ି, ଚ଼ୁଡ଼ି ପରି ନାନାଦି ଶୃଙ୍ଗାର ଦ୍ରବ୍ୟ ମା’ଙ୍କୁ ଅର୍ପଣ କରି ବାଜାରୋଷଣୀ ନାଚଗୀତରେ ମା’ଙ୍କୁ ଗ୍ରାମ ପରିକ୍ରମା କରାନ୍ତି। ମା’ଙ୍କ ପ୍ରସାଦ ଶାହି ପଡ଼ିସା ବନ୍ଧୁବାନ୍ଧବଙ୍କୁ ବଣ୍ଟନ କରାଯାଏ।

ଅଚ୍ୟୁତରାଜପୁର, ଶ୍ରୀନିବାସପୁର ତୁଳସୀ ଦେଇ ପୁରପରି ତିନିଶାସନବାଡ଼କୁ ମା’ ଚ଼ତୁର୍ଦ୍ଦଶୀ ଯାତ୍ରାରେ ଯୋଗଦେଉଥିବାବେଳେ, ଗୋପାଳପୁର, କୋଟ ବିଦ୍ୟାଧରପୁର, ପାଟପୁର ପରି ତିନି ଶାସନକୁ ଚନ୍ଦନଯାତ୍ରାରେ ଚାପକ୍ରୀଡ଼ାରେ ଯୋଗ ଦେବାକୁ ଯାତ୍ରା କରି ପନ୍ତି ଭୋଗ ଖାଇ ଫେରିବାର ନିଆରା ପରମ୍ପରା କାହିଁ କେଉଁ କାଳରୁ ଚଳି ଆସିଛି।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ପଖାଳ ଦିବସରେ ବାଣପୁରରେ ପ୍ରଚଳିତ ମା’ଭଗବତୀଙ୍କ ଅତିପ୍ରିୟ ପଖାଳ ଭୋଗ ଲୋକକଥା

ବାଣପୁର (ସୀତାରାମ ଅଗ୍ରୱାଲ): ପ୍ରତି ଓଡ଼ିଆଙ୍କ ପ୍ରିୟ ପଖାଳ କେବଳ ଓଡ଼ିଆ ଜାତି ଭିତରେ ସିମୀତ ନାହିଁ। ପ୍ରଚଳିତ ପ୍ରାଚୀନ ପରମ୍ପରାରୁ ଜଣାପଡ଼େ ଓଡ଼ିଆ ଜାତିର ଆରାଧ୍ୟ ଠାକୁର ଶ୍ରୀଜଗନ୍ନାଥ ପଖାଳପ୍ରିୟ। ଏହା ଶ୍ରୀମନ୍ଦିରରେ ପ୍ରଚଳିତ ଛପନ ଭୋଗରୁ ଜଣାପଡ଼େ।

ସେହିପରି ବାଣପୁରର ଆରାଧ୍ୟା ଦେବୀ ଜଗତଜନନୀ ମା’ଭଗବତୀ ମଧ୍ୟ ପଖାଳପ୍ରିୟ। ତାଙ୍କ ଦୈନଦିନ ଭୋଗନୀତିକାନ୍ତିରୁ ଜଣାପଡେ। ମହାପ୍ରଭୁ ଜଗନ୍ନାଥଙ୍କ ଛପନ ଭୋଗ ସାଥିରେ ପଖାଳ ନୈବେଦ୍ୟ ମିଶି ରହିଥିଲାବେଳେ ମା’ଭଗବତୀଙ୍କ ପ୍ରତ୍ୟହ ବଡ଼ସିଂହାର ଧୂପରେ କେବଳ ଦହିପଖାଳକୁ ମାଛଗୁଣ୍ଡି ଭଜା ସ୍ଵତନ୍ତ୍ର ଭାବରେ ପ୍ରସ୍ତୁତ କରାଯାଇ ଲାଗି ହେବାର ପରମ୍ପରା କେଉଁ ଆଦିମ କାଳରୁ ଚଳି ଆସିଛି।

ସାଧାରଣତଃ ଓଡ଼ିଆ ପରିବାରରେ ମା’ଭଉଣୀମାନେ ଘରର ପୁରୁଷମାନଙ୍କ ଅପେକ୍ଷା ଅଧିକ ପଖାଳପ୍ରିୟ। ଦିନରେ ଦୁଇ ଓଳା ପଖାଳ ଖାଇବାକୁ ପସନ୍ଦ କରନ୍ତି। ପଖାଳ ସହିତ ମାଛ ହେଉବା ଶୁଖୁଆ ଭଜା ଚ଼ିଲିକା ଉପକୁଳିଆ ଅଞ୍ଚଳର ପ୍ରଧାନ ଖାଦ୍ୟ। ମଣିଷ ପରି ଏଠି ଦେବୀ ମଧ୍ୟ ପଖାଳ ସହିତ ମାଛପୋଡ଼ା (ବଳିପୋଡା ) ମାଛଭଜା, ବିଶେଷ କରି ସୁପକାର ମାନଙ୍କଦ୍ଵାରା ପ୍ରସ୍ତୁତ ମାଛ ଗୁଣ୍ଡିଭଜା ମା’ଭଗବତୀଙ୍କ ପୀଠରେ ସ୍ୱାତନ୍ତ୍ରତା ବହନ କରେ।

ଏଭଳି ନୈବେଦ୍ୟ ଏହି ପୀଠ ଛଡ଼ା ଓଡ଼ିଶାର ଅନ୍ୟ କୌଣସୀ ଶକ୍ତିପୀଠମାନଙ୍କରେ ଦେଖିବାକୁ ମିଳେନାହିଁ। ଚିଲିକାରୁ ସଂଗୃହୀତ ସବାଖଇଙ୍ଗାମାଛ କୁନେଇ ଗୁଆଘିଅ, ମସଲା ଦେଇ ପ୍ରସ୍ତୁତ ହୁଏ ଏହି ମାଛ ଗୁଣ୍ଡିଭଜା। ବେଳେବେଳେ ଏଥିରେ କେବଳ ବାଇଗଣ ମିଶାଇ ମଧ୍ୟ ସ୍ୱତନ୍ତ୍ର ଭାବରେ ପ୍ରସ୍ତୁତ କରାଯାଏ। ଏହାର ସ୍ଵାଦ ନିଆରା।ମା’ଙ୍କ ସବୁଠାରୁ ଅତିପ୍ରିୟ ନୈବେଦ୍ୟ ଏହି ମାଛଗୁଣ୍ଡି ଭଜା ଯିଏ ଥରେ ପାଇଥାଏ ସେକେବେ ଭୁଲିପାରେ ନାହିଁ।

ଏହି ପ୍ରିୟ ନୈବେଦ୍ୟ ଉପରେ ବାଣପୁର ଅଞ୍ଚଳରେ ପ୍ରଚଳିତ ଏକ ଲୋକକଥା ଏବେ ମଧ୍ୟ ଜନସ୍ମୃତିହୋଇ ରହିଛି। ବହୁଦିନ ତଳର କଥା। ତଦନାନ୍ତିନ ବାଣପୁରର ରାଜା ମା’ଭଗବତୀଙ୍କ ସମସ୍ଥ ସେବାପୂଜା ଦାୟୀତ୍ୱ ଏହି ଅଞ୍ଚଳର ଏକ ବ୍ରାହ୍ମଣ ପରିବାର ହାତରେ ଟେକି ଦେଇ ତାଙ୍କୁ ପରୀଚ୍ଛାପଦବୀ ଅର୍ପଣ କରିପାରିକୁଦ ଚାଲିଗଲେ। ପରିଚ୍ଛା ସାଆନ୍ତ ଭାବରେ ପରିଚିତ ଏହି ପରିବାର ମା’ଭଗବତୀଙ୍କୁ ନିଜ ପରିବାରର ଝିଅ ଭାବରେ ବିଶ୍ୱାସ କରି ନିଷ୍ଠାର ସହିତ ତାଙ୍କ ସେବାପୂଜା କରିଆସୁଥିଲେ।

ଏକଦା କୌଣସି ଏକ ଅପରାହ୍ନରେ ସାତ ଜଣ ଝିଅ ସାତଭଉଣୀ ଭାବରେ ବାଣପୁର ଦାଣ୍ଡରେ ଚାଲିଯାଉଯାଉସଂଧ୍ୟା ହୋଇଯିବାରୁ ପରିଚ୍ଛାଙ୍କ ଘରେ ଆଶ୍ରୟ ନେଲେ। ରାତିରେ ପରିଚ୍ଛା ସେମାନଙ୍କ ପାଇଁ ଖାଦ୍ୟପେୟ କଥା ପଚ଼ାରିବାରୁ ବଡ଼ ଭଉଣୀ ଆମେ ସମସ୍ତେ ପଖାଳ ଖାଇବୁ ବୋଲି କହିବାରୁ ପରିଚ୍ଛାଙ୍କ ସ୍ତ୍ରୀ କୁଣିଆ ଝୀଅଙ୍କ ପାଇଁ ରାତିରେ ପଖାଳ ସହିତ ଏମିତି ଭାବରେ ଘିଅ ମସଲାରେ ଖଇଙ୍ଗ।ମାଛର ମାଛଗୁଣ୍ଡି ଭଜା ପ୍ରସ୍ତୁତ କରି ସାତଭଉଣୀଙ୍କୁ ବାଢ଼ିଦେଲେ ଯେ ସାତଭଉଣୀ ସନ୍ତୁଷ୍ଟମନରେ ପେଟପୁରାଇ ଖାଇ ରାତିରେ ପରିଛାଙ୍କ ଘର ସ୍ଵତନ୍ତ୍ର କୋଠରୀରେ ବିଶ୍ରାମ ନେଲେ।

ରାତି ପାହିଲା। ପରିଛାଙ୍କ ସ୍ତ୍ରୀକୋଠରୀ କବାଟ ଖୋଲି ଦେଖିଲାବେଳକୁ ଘର ଖାଲିପଡ଼ିଛି, ଚନ୍ଦନ ଅଗୁରୁ ଝୁଣାରେ ମହମହ ବାସୁଛି। ଆଶ୍ଚର୍ଯ୍ୟ ହୋଇ ପରିଚ୍ଛାଙ୍କୁ ଡାକ ପକାଇ ସ୍ତ୍ରୀ କହିଲେ ଏମାନେ କୁଆଡ଼େ ଉଭାନ ହୋଇଗଲେ। ଏମାନେ ମଣିଷ ନୁହନ୍ତି ଦେବୀ କି ଦାନବୀ। ସତକୁ ସତ ସେହି ଦିନ ରାତିରେ ପରିଚ୍ଛାଙ୍କୁ ସ୍ୱପ୍ନାଦେଶ ହେଲା।

ମା’ଭଗବତୀ ସ୍ୱପ୍ନରେ କହିଲେ “ଆମେ ସବୁ ସାତଭଉଣୀ ସାତଦେବୀ। ତୁମର ଆତିଥ୍ୟରେ ଆମେ ବହୁତ ଖୁସି। ତୁମେ ଆଜିଠାରୁ ଆମର ବାପଘର ପରି, ଆମକୁ ଆମର ପ୍ରିୟପଖାଳ ଓ ମାଛ ଗୁଣ୍ଡିଭଜା ସବୁଦିନ ଲାଗି କରାଇବ। ଆମେ ତୁମକୁ ଆଶୀର୍ବାଦ କରୁଛୁ ତୁମର ସର୍ବମଙ୍ଗଳ ହେବ।”

ସେହିଦିନଠାରୁ ମା’ଭଗବତୀଙ୍କ ମନ୍ଦିରରେ ରାତ୍ର ଧୂପରେ କେବଳ ମା’ଙ୍କ ପ୍ରିୟଦହି ପଖାଳକୁ ମାଛ ଗୁଣ୍ଡି ଭଜା ଅର୍ପଣ କରିବାର ପରମ୍ପରା ଚଳିଆସିଛି। ମନ୍ଦିର ଭିତର ପୂଜା ସହିତ, ଆଶ୍ୱିନ ମାସର ଷୋଳପର୍ବରେ, ଫଗୁଣ ମାସର ଚ଼ାଚ଼େରୀଭୋଗ ସମୟରେ ବାପ ଘର ଭାବରେ ପରିଚିତ ପରିଚ୍ଛାଙ୍କ ଦୁଆରେ ମା’ଭଗବତୀଙ୍କ ପ୍ରିୟ ଟଭା ପତରର ପଖାଳ ତୋରାଣି ମାଛ ଗୁଣ୍ଡି ଭଜା ଏଯାବତ୍ ଭୋଗ ଲାଗିହେବାର ଏକ ନିଆରା ପରମ୍ପରା କାହିଁ କେଉଁ କାଳରୁ ଚଳି ଆସିଛି। ମା’ଙ୍କ ଏହି ଦୁର୍ଲଭ ପ୍ରସାଦ ପାଇବା ପାଇଁ ଶ୍ରଦ୍ଧାଳୁମାନେ ଏବେ ମଧ୍ୟ ଦୋଳପୂର୍ଣ୍ଣିମା ଦିନକୁ ଅପେକ୍ଷା କରନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଅବୀର ଲାଗି ପରେ ମା’ଭଗବତୀଙ୍କ ପୀଠ ଚ଼ଳଚ଼ଞ୍ଚଳ: ଫଗୁଦଶମୀରୁ ଆରମ୍ଭ ହେଲା ଦୋଳଯାତ୍ରା

ବାଣପୁର (ସୀତାରାମ ଅଗ୍ରୱାଲ): ବସନ୍ତ ଋତୁର ବଡ଼ ପର୍ବ ଦୋଳଯାତ୍ରା। ବସନ୍ତ ରାସ ସହିତ ଫଗୁ ବା ଅବୀରଖେଳର ଯାତ୍ରା ଭାବରେ ଉତ୍କଳର ପୁରପଲ୍ଲୀ ଚ଼ଳଚ଼ଞ୍ଚଳ ହୋଇଉଠେ। ଦୋଳଗୋବିନ୍ଦ ଶ୍ରୀଦେବୀ ଭୂଦେବୀଙ୍କ ସହିତ ସମସ୍ତ ଦେବାଦେବୀ ଦୋଳବିମାନରେ ବସି ଦ୍ଵାରା ଦ୍ଵାର ବୁଲି ଚ଼ାଚ଼େରୀଭୋଗ ଖାଇବା ସହିତ ଦୋଳିରେ ବସି ଝୁଲିବାର ଏହି ଆଧ୍ୟାତ୍ମିକ ଉତ୍ସବ ପ୍ରାଚୀନ କାଳରୁ ଉତ୍କଳରେ ପାଳିତ ହୋଇଆସୁଥିବାବେଳେ ମା’ଭଗବତୀଙ୍କପୀଠ ବାଣପୁରରେ ଏହି ଯାତ୍ରା ନିଆରା ଢଙ୍ଗରେ ପାଳିତ ହୁଏ।

ଫାଲଗୁନ ଶୁକ୍ଳ ଦଶମୀ ଭିତରଫଗୁ। ପ୍ରତ୍ୟୁଷରୁ ମା’ଙ୍କ ଅଙ୍ଗରାଗ ମାଜଣା, ବେଶ, ମହାପ୍ରସାଦ ଲାଗି ପରେ ବଲ୍ଲଭ ଆଳତୀ, ହୋଇ ଅବୀର ସହିତ ଚ଼ଣା ଶାକର ଲାଗିପରେ ମଧ୍ୟାହ୍ନଧୂପ ହୋଇ ପହୁଡ଼। ସଂଧ୍ୟାରେ ନିଶଙ୍କୁଡ଼ି ଧୂପ, ଆଳତି, ବଡ଼ସିଂହାର ଧୂପ ପରେ ପହୁଡ’।

ଶୁକ୍ଳ ଏକାଦଶୀରେ ରାତ୍ର ବଡ଼ସିଂହାର ପରେ ମା’ଙ୍କ ଚଳନ୍ତି ପ୍ରତିମା କାଠିଠାକୁରାଣୀ, ଶ୍ରୀ ଶ୍ରୀଦକ୍ଷେଶ୍ଵରଦେବ, ଶ୍ରୀ ଶ୍ରୀରଙ୍କ ନାଥ ଦେବ ଶ୍ରୀଶ୍ରୀ ରଘୁନାଥ ଦେବଙ୍କ ସହିତ ଦକ୍ଷେଶ୍ଵର ମନ୍ଦିର ଠାରୁ ସମ୍ମିଳିତ ଭାବରେ ସିଧାସିଧା ବାଜାରୋଷଣି ସହିତ ପୂର୍ବ ଦିଗରେ ଅବସ୍ଥିତ ବିଷରପାଟଣା ପର୍ଯନ୍ତ ଯାତ୍ରାକରି ଫେରିବା ବାଟରେ ପରିଛା ସାହି ର ପିତ୍ରାଳୟ ପରିଛା ସାଆନ୍ତଙ୍କ ଦୁଆରେ ମାନଙ୍କରେ ଚ଼ାଚ଼େରୀଭୋଗସାରି ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରନ୍ତି।

ସେହିପରି ଶୁକ୍ଳ ଦ୍ଵାଦଶୀ ତିଥିର ରାତ୍ରବଡ଼ସିଂହାରପରେ ମା’ଭଗବତୀ ଶ୍ରୀଦକ୍ଷେଶ୍ଵର , ଶ୍ରୀରଙ୍କ ନାଥ,ଶ୍ରୀ ରଘୁନାଥ ଦେବଙ୍କ ସହିତ ଦକ୍ଷେଶ୍ଵର ମନ୍ଦିରରୁ ବିଜେ କରି ପଶ୍ଚିମଦିଗରେ ଅବସ୍ଥିତ ମା’ଭଗବତୀ ମନ୍ଦିର ପର୍ଯ୍ୟନ୍ତ ଥାଟ ପଟୁଆରରେ ଯାତ୍ରା କରି ସେଠାରୁ ଦକ୍ଷେଶ୍ଵର ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରନ୍ତି। ଶୁକ୍ଳ ତ୍ରୟୋଦିଶି ତିଥିରେ ପୁଣି ମା’କାଠି ଠାକୁରାଣୀ ପୂର୍ବ ଦିନ ପରି ବିଷର ପାଟଣା ପର୍ଯ୍ୟନ୍ତ ଯାତ୍ରାକରି ଫେରିବା ବାଟରେ ପରିଛା ସାଆନ୍ତଙ୍କ ଦୁଆରେ ଚାଚେରୀ ଭୋଗ ସାରି ଫେରିଆସିବା ସମୟରେ ବାଣପୁର ନିକଟସ୍ଥ ଅଚ୍ୟୁତରାଜପୁର, ଶ୍ରୀନିବାସପୁର, ତୁଳସୀ ଦେଇ ପୁର, ପାଟପୁର, କୋଟ ବିଦ୍ୟାଧରପୁର, ଗୋପାଳପୁର ଇତ୍ୟାଦି ଶାସନବାଡ଼ି ସହିତ ଖୁଣ୍ଟପଲ୍ଲୀର ଠାକୁରମାନେ ଥାଟ ପଟୁଆର ବାଣରୋଶଣୀ ସହିତ ମଧ୍ୟରାତ୍ର ପରେ ମିଳିତ ହୋଇ ମା’ଭଗବତୀଙ୍କୁ ଚତୁର୍ଦ୍ଦଶୀ ଯାତ୍ରା ନିମନ୍ତେ ନିମନ୍ତ୍ରଣ ଧରି ବାଣପୁର ବଜାର ସାହିଠାରେ ଆସି ଅପେକ୍ଷା କରିଥିବା ସମୟରେ ମା’ କାଠି ଠାକୁରାଣିଙ୍କୁ ସାଥିରେ ନେଇ ଭଗବତୀ ମନ୍ଦିର ପର୍ଯ୍ୟନ୍ତ ଯାତ୍ରା କରି ସେଠାରେ ସମସ୍ତ ଦେବାଦେବୀଙ୍କୁ ବିଦାୟ ଦେଇ ମା’ ଦକ୍ଷେଶ୍ଵର ମନ୍ଦିରକୁ ଫେରିଆସନ୍ତି।

ଶୁକ୍ଳ ଚତୁର୍ଦ୍ଦଶୀ ତିଥିସଂଧ୍ୟାରେ ବାଲୁଗାଁ ଅଞ୍ଚଳର ଆରାଧ୍ୟ ଠାକୁର ଶ୍ରୀ ଶ୍ରୀ ଉମାମହେଶ୍ୱର ଦେବ ଦକ୍ଷେଶ୍ଵର ମନ୍ଦିର ନିକଟରେ ପହଞ୍ଚିବା ପରେ ମା’ଭଗବତୀ କାଠିଠାକୁରାଣି, ଶ୍ରୀଦକ୍ଷେଶ୍ଵରଦେବ, ଶ୍ରୀରଘୁନାଥ ଦେବ ଶ୍ରୀରଙ୍କ ନାଥ ଦେବ ଥାଟ ପଟୁଆରରେ ଭଗବତୀ ମନ୍ଦିର ପର୍ଯ୍ୟନ୍ତ ଯାତ୍ରାକରି ମା’ଭଗବତୀଙ୍କୁ ଶାସନ ବାଡିର ଚ଼ାଚେରୀ ଭୋଗଖିଆ ନିମନ୍ତେ ବିଦାୟ ଦେଇ ନିଜ ନିଜ ମନ୍ଦିରକୁ ଫେରିଆସନ୍ତି। କେବଳ ଶ୍ରୀଉମାମହେଶ୍ୱର ଦେବ ଦକ୍ଷେଶ୍ଵର ମନ୍ଦିର ବାହାର ଗୁମୁଟପାଖରେ ମା’ଙ୍କ ଫେରିବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତି।

ଚତୁର୍ଦ୍ଦଶୀ ରାତ୍ରରୁ ପୂର୍ଣ୍ଣିମା ଅପରାହ୍ନ ପର୍ଯ୍ୟନ୍ତ ମା’ଭଗବତୀ ତିନିଶାସନବାଡ଼ି ସହିତ, କାଠି ନାହାକ ଓ ପରିଚ୍ଛା ସାଆନ୍ତଙ୍କ ଦୁଆରମାନଙ୍କରେ ଶଙ୍କୁଡ଼ି/ନିଶଙ୍କୁଡ଼ି ଭୋଗ ଲାଗି ହୋଇ ଉମା ମହେଶ୍ୱର ଦେବ ଦକ୍ଷେଶ୍ଵରଦେବ, ରଙ୍କ ନାଥ ଦେବ ରଘୁନାଥ ଦେବଙ୍କ ସହିତ ମିଶି ବିଷର ପାଟଣାର ଅଗ୍ନି ଉତ୍ସବ ପଡ଼ିଆକୁ ଯାତ୍ରା କରନ୍ତି। ସେଠାରେ ଅଗିରାପୋଡ଼ା ରେ ପରିକ୍ରମା ପରେ ଉମାମହେଶ୍ୱର ଦେବଙ୍କୁ ବିଦାୟ ଦେଇ ଦକ୍ଷେଶ୍ଵର ମନ୍ଦିରକୁ ଫେରିଆସି ଧୂପବଢିବା ପରେ ଦୋଳବେଦୀକୁ ବିଜେ କରନ୍ତି। ସେଠାରେ ଦୋଳପୂର୍ଣ୍ଣିମାର ନୀତିକାନ୍ତି ସରିବା ପରେ ମା’ ମନ୍ଦିରକୁ ଫେରିପହୁଡ଼ ଯାଆନ୍ତି। ପାଞ୍ଚଦିନ ଧରି ପାଳିତବାଣପୁର ଅଞ୍ଚଳର ଏହି ନିଆରା ପାରମ୍ପରିକ ଦୋଳଉତ୍ସବରେ ଅଗଣିତ ଶ୍ରଦ୍ଧାଳୁଯୋଗ ଦେଇ ମା’ଙ୍କ ଦର୍ଶନ ସହିତ ଆଶୀର୍ବାଦ ଲାଭ କରନ୍ତି।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର ସଂସ୍କୃତି

ମା’ଭଗବତୀଙ୍କ ଶାରଦୀୟ ପର୍ବ ଉଦ୍‌ଯାପିତ, କଉଡ଼ି ଖେଳ ସାରି ସ୍ଵମନ୍ଦିରକୁ ଫେରିଲେ ଭଉଣୀ କନକ ଦୁର୍ଗା

ବାଣପୁର (ସୀତାରାମ ଅଗ୍ରୱାଲ): ପବିତ୍ର କୁମାର ପୂର୍ଣ୍ଣମୀ ଅବସରରେ ମା’ ଭଗବତୀଙ୍କ ମନ୍ଦିରରେ ଦଶହରା ଠାରୁ ପୂଜା ପାଉଥିବା ପ୍ରାଚୀନ ବଙ୍କାଡ଼ଗଡ ରାଜାଙ୍କର ଇଷ୍ଟଦେବୀ ମା’ କନକ ଦୁର୍ଗା ଶାରଦୀୟ ପର୍ବ ଶେଷ କରି ଶ୍ରୀ ଶ୍ରୀ ଦକ୍ଷେଶ୍ଵର ମନ୍ଦିରକୁ ବାହୁଡା ବିଜେ କରିଛନ୍ତି। ଦଶହରା ବିଜୟା ଦଶମୀ ନିଶାର୍ଦ୍ଧରେ ସାତ ବଖରା ପର୍ବଗୃହରୁ ମା’ ଭଗବତୀ ପାଞ୍ଚ ଭଉଣୀକୁ ମେଳାଣି ଦେଇ କେବଳ ଭଉଣୀ କନକ ଦୁର୍ଗାଙ୍କୁ ଶେଷ ପର୍ବ କୁମାର ପୂର୍ଣ୍ଣମୀ ପର୍ଯ୍ୟନ୍ତ ନିଜ ମନ୍ଦିରରେ ରହି ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେବାର ଅନୁରୋଧ କରି ଛାଡିଦେଇପିତ୍ରାଳୟକୁ ବାହୁଡିଥିଲେ।

ବଡ଼ ଭଉଣୀଙ୍କ ସେହି 6ସ୍ନହବୋଳାକଥା ରକ୍ଷା କରି ମା’ କନକ ଦୁର୍ଗା ଦଶହରା ଠାରୁ କୁମାର ପୂର୍ଣ୍ଣମୀ ପର୍ଯ୍ୟନ୍ତ ମା’ ଭଗବତୀଙ୍କ ସିଂହାସନ ଉପରେ ପାଖକୁ ଲାଗି ବିରାଜମାନ କରିଥିଲେ। ଦୁଇ ଭଉଣୀ ଙ୍କୁ ପ୍ରତ୍ୟହ ଏକାଠି ସ୍ନାନ ନୀତି, ମହାପ୍ରସାଦ ଅର୍ପଣ, ବେଶ , ବଲ୍ଲଭ ଆଳତି,ଶଙ୍କୁଡ଼ି ଧୂପ, ପହୁଡ଼, ନିଶଙ୍କୁଡି ଧୂପ , ସଂଧ୍ୟା ଆଳତି, ବଡ଼ସିଂହାର ବେଶ ପରେ ଦହିପ ଖାଳ,ମାଛ ଗୁଣ୍ଡି ଭଜା , କାକାର କାନ୍ତି, ପଣା ଲାଗି ହୋଇ ରାତ୍ର ପହୁଡ଼ ହେଉଥିଲା।

ଚଳିତ ପବିତ୍ର କୁମାର ପୂର୍ଣ୍ଣିମାରେ ରାହୁ ଗ୍ରସ୍ତ ଖଣ୍ଡ ଗ୍ରାସ ଚନ୍ଦ୍ରଗ୍ରହଣ ପଡ଼ିଥିବାରୁ ପ୍ରତ୍ୟୁଷରୁ ସମସ୍ତ ଦୈନନ୍ଦିନ ନୀତିକାନ୍ତି ଶେଷ କରି ଶାରଦୀୟ ପର୍ବର ଅନ୍ତିମ ନୀତି କଉଡ଼ି ଖେଳ ପାଇଁ ପରିଛା ସାଆନ୍ତ, ପାଳି ଆମାଳି, ନିଯୋଗୀ ସେବାୟତମିଶି ମା’ ଙ୍କ ପ୍ରଧାନପର୍ବସେବକ ବଳି ଜେନାକୁ ଡାକରାକରିଥିଲେ ।ପରେ ଦିବା ୩ ଘଟିକା ସମୟରେ ମା’ଙ୍କ ବଡ଼ସିଂହାର ବେଶ ସାରି ବଳି ଜେନା ଙ୍କ ତରଫରୁ ସ୍ଵତନ୍ତ୍ର ଭାବେ ପ୍ରସ୍ତୁତ ଖେଚଡ଼ି ମହୁର ଭୋଗ ମା’ଙ୍କ ପାଖରେ ଲାଗି ହୋଇଥିଲା।

ନିଯୋଗି ସେବାୟତମାନେ ସମସ୍ତେ ଏକତ୍ର ପ୍ରସାଦ ସେବନ କରିବା ପରେ ମା’ କନକଦୁର୍ଗାଙ୍କ ସହିତ ବଳିଜେନାଙ୍କ କଉଡ଼ି ଖେଳ ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷ ମା’ କନକ ଦୁର୍ଗାଙ୍କ ତରଫ ନେଇଥିବା ପାଳିଆମାଳି ସଂଜୟ ମହାପାତ୍ର ସହିତ ପରିଛା ସାଆନ୍ତ ବିନାୟକ ମହାପାତ୍ରଙ୍କ ମଧ୍ୟ ସ୍ତତାରେ ବଳିଜେନାଙ୍କ ମଧ୍ୟରେ ସିଂହାସନ ଉପରେ ସାତଥର କଉଡି ଖେଳ ଅନୁଷ୍ଠିତ ହୋଇଥିଲା। ଖେଳରେ ହାରି ୧୧ ଗୋଟି କଉଡ଼ିକୁ କାନିରେ ବାନ୍ଧି ବଳି ଜେନା ଦୁଇମାଙ୍କ ପଦାରବିନ୍ଦରେ ସମର୍ପିତ ହୋଇ କ୍ଷମା ପ୍ରାର୍ଥନା ପୂର୍ବକ ଆଗମୀ ଶାରଦୀୟ ପର୍ବରେ ପୁଣି ଆଦ୍ୟସେବା କରିବାର ସଂକଳ୍ପ କରି ଆଶୀର୍ବାଦ ଭିକ୍ଷା କରିଥିଲେ।

ଏହି ସମୟରେ ଆଲଟଚାମର, ଘଣ୍ଟା ଘଣ୍ଟକାହାଳି, ହୁଳହୁଳି,ଦୁନ୍ଦୁ ଭି ବାଜି ଉଠିବା ସହିତ ନିଯୋଗୀ ସେ ବାୟତ ଓ ଉପସ୍ଥିତ ଶ୍ରଦ୍ଧାଳୁମାନେ ମିଶି ମା’ଙ୍କର ଜୟଧ୍ଵନୀ ସହିତବଳି ଜେନାଙ୍କର ମଙ୍ଗଳ କାମନା କରିବାପରେ ବଳିଜେନା ସ୍ଵଗୃହକୁ ଏକ ମୁହାଁ ହୋଇ ପ୍ରତ୍ୟାବର୍ତ୍ତନ କରିଥିଲେ। ବର୍ଷର ପ୍ରାରମ୍ଭ ବିଷୁବ ସଂକ୍ରାନ୍ତିଠାରୁ ନିଆରା ଢଙ୍ଗରେ ଆରମ୍ଭ ହୋଇଥିବା ମା’ ଭଗବତୀଙ୍କ ଏହି ପ୍ରସିଦ୍ଧ ଶାରଦୀୟ ଦୁର୍ଗୋତ୍ସବ ଶେଷରେ ଆଶ୍ଵିନ କୁମାର ପୂର୍ଣ୍ଣମୀରେ ଉଦ୍ ଯାପିତ ହେଲା। ପରେ ଚନ୍ଦ୍ର ଗ୍ରହଣଯୋଗୁଁ ଦିବା ୪ଘଟିକାରୁ ମନ୍ଦିରର ସମସ୍ତ ଦେବନୀତି ସଂପର୍ଣ୍ଣ କରାଯାଇ କୁଢୁଆ ଦ୍ଵାର ବନ୍ଦ କରାଯାଇଥିଲା।

ଏହି ସମୟରେ ଶ୍ରଦ୍ଧାଳୁମାନେ ଅନ୍ୟ ଦ୍ଵାର ଦେଇ ଯାଇ ମଣ୍ଡପ ଉପରୁ ମା’ଙ୍କୁ ଦର୍ଶନ କରିପାରିବେ ଏବଂ ରାତ୍ର ୧ଘଟିକା ୪୦ ମିନିଟସମୟରେ ଗ୍ରହଣ ସ୍ପର୍ଶକାଳରେ ମା’ଙ୍କ ପାଖରେ କେବଳ ପରିଛା ସାଆନ୍ତ, ପାଳି ଆମାଳି ଘଣ୍ଟୁଆ କାହାଳିଆ ସେବାୟତଙ୍କ ଦ୍ଵାରା ସ୍ଵତନ୍ତ୍ର ଗ୍ରହଣ ନୀତିକାନ୍ତି ସମାପନ ପରେ ମା’ଙ୍କ ପହୁଡ଼ ହେବ ବୋଲି ମନ୍ଦିର କାର୍ଯ୍ୟାଳୟରୁ ପ୍ରକାଶ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଛଅ ଭଉଣୀଙ୍କୁ ମେଲାଣୀ ଦେଇ ପିତ୍ରାଳୟ ଦକ୍ଷେଶ୍ଵର ମନ୍ଦିରକୁ ବାହୁଡିଲେ ମା’ ଭଗବତୀ

ବାଣପୁର (ସୀତାରାମ ଅଗ୍ରୱାଲ): ସଂସାରର କୀଟ ଠାରୁ ବ୍ରହ୍ମ ପର୍ଯ୍ୟନ୍ତ ସଚରାଚର ଜୀବଜଗତଙ୍କ ମନରେ ପ୍ରାଣରେ ହୃଦୟରେ, ପ୍ରକୃତିର ପ୍ରତିଟି ଅଣୁରେ ଅସୀମ ଶକ୍ତି ସଂଚାର କରି, ଜଗତର ମଙ୍ଗଳ ବିଧାନ କରି ମଙ୍ଗଳମୟୀ ମା’ଭଗବତୀ ପବିତ୍ର ଦଶହରାରେ ଶ୍ରଦ୍ଧାଳୁଙ୍କୁ ଶୁଖ ଶାନ୍ତି ସମୃଦ୍ଧି ପ୍ରଦାନ କରି ଛଅ ଭଉଣୀଙ୍କୁ ମେଲାଣୀ ଦେବା ପରେ ପିତ୍ରାଳୟ ଦକ୍ଷେଶ୍ଵର ମନ୍ଦିରକୁ ବାହୁଡିଲେ ମା’ ଭଗବତୀ। ମା’ଙ୍କର ମାନବୀୟ ଲୀଳାର ପ୍ରତୀକ ବାଣପୁରର ପ୍ରସିଦ୍ଧ ଶାରଦୀୟ ପର୍ବ ସପ୍ତ ମାତୃପୂଜା ଏକ ଅନନ୍ୟ ପରମ୍ପରା।

ଜାନିଯାତ୍ରା ପର୍ବପବାଣୀରେ ଝିଅ ମାନେ ବାପ ଘରୁ ଡ଼ାକରା ପାଇ ଏକାଠି ହେବାପରେ ଆନନ୍ଦ ଉଲ୍ଲାସରେ ଯେପରି ସମୟ କଟାନ୍ତି, ପର୍ବଶେଷରେ ଭଉଣୀମାନେ ପରସ୍ପର ପରସ୍ପରଠାରୁ ମେଲାଣି ନେଲା ବେଳେ ଯେପରି ଆଖିରୁ ଲୁହ ଝରିପଡ଼େ, ସେହିପରି ଆଜି ଦୀର୍ଘ ଷୋଳଦିନର ମହା ଆନନ୍ଦର ସମୟର ଶେଷ ପରେ ସତେ ଯେପରି ସମସ୍ତଙ୍କ ମନରେ ସେହି ଦୁଃଖର ଛାଇ ଖେଳିଯାଇଛି। ପୁଣି ଦେଖା ହେବ ଆସନ୍ତା ଆଶ୍ଵିନର ସେହି କୃଷ୍ଣ ଅଷ୍ଟମୀ ତିଥିରେ। ଆଉ ମହାମନ୍ତ୍ରର ଧ୍ଵନୀ, ଘଣ୍ଟ ଘଣ୍ଟା କାହାଳୀର ସ୍ଵର ଶୁଭିବ ନାହିଁ ପର୍ବଗୃହରେ। ପର୍ବ ଗୃହଶୂନ୍ୟ ପଡିଯିବ। ଆଉ ରୋଷଣୀର ଆଲୋକମାଳାରେ ଝଲସିବ ନାହିଁ ମନ୍ଦିର, ମୁଖଶାଳା ପାଟ ଅଗଣା। ପୁଣି ଆଗାମୀ ଆଶ୍ୱିନ କୁ ଅପେକ୍ଷା।

ମା’ କାଳିଜାଇ ଚାଲିଯିବେ ନୀଳାମ୍ବୁ ଚିଲିକା ମଧ୍ୟକୁ, ନାରାୟଣୀ ଚାଲି ଯିବେ ଭଙ୍ଗିଳଭାଲେରୀର ଖୋଲ ବା ଗୁମ୍ଫା ଦେଉଳକୁ, ଶିଦ୍ଧେଶ୍ଵରୀ ଶୋଲରୀର ସାମୁକା ପାଖ ଦେଉଳକୁ ଚାଲିଯିବେ। ମା’ କନକ ଦୁର୍ଗା କୁମାର ପୂର୍ଣ୍ଣମୀ ଯାଏଁ ବରିଜାଇଙ୍କୁ ନେଇ ମନ୍ଦିରରେ ରହିବେ।

ଦଶହରାର ନିଶାର୍ଦ୍ଧରେ ମା’ ମାନଙ୍କ ମେଲାଣୀ ଉତ୍ସବ ବାଣପୁରବାସୀଙ୍କ ମନରେ ଆଣିଦେଇଥିଲା ଅନେକ ଦୁଃଖ। ବାହାର ପର୍ବଗୃହ ସାତବଖରା ଘରୁ ବାହାରି ପ୍ରଥମେ ସାତ ଭଉଣୀ ପଶ୍ଚିମ ଦିଗ ରକ୍ଷା କାରିଣୀ ମା’ ବିରିଜାଇଙ୍କୁ ମେଲାଣି ଦେବା ପାଇଁ ମା’ ଭଗବତୀଙ୍କ ମନ୍ଦିର ପର୍ଯ୍ୟନ୍ତ ବାହାରି ଥିଲେ। ବାଟରେ ମାଧବଙ୍କ ପ୍ରତୀକ ଶ୍ରୀରଙ୍କନାଥ ଦେବ ମଧ୍ୟ ସାଥିରେ ସାମିଲ ହୋଇଥିଲେ।

ମା’ଙ୍କ ମନ୍ଦିର କୁଢୁଆ ଦ୍ଵାର ସମ୍ମୁଖରେ ପୂର୍ବରୁ ପ୍ରସ୍ତୁତ ବାଲୁକା ବେଦି ଉପରେ ଦଣ୍ଡାୟମାନ ହେବାପରେ ପର୍ବ ପୂଜକ, ପରୀଚ୍ଛା, ପତ୍ରୀ, ପାଳିଆ ମାଳି, ନିଯୋଗୀ ସେବାୟତମାନେ ମା’ମାନଙ୍କୁ ସ୍ଵାଗତ କରି ଜୟ ଧ୍ଵନୀ ସହିତ ଆଲଟଚାମର ସେବା କରିଥିଲେ। ପରେ ଘଣ୍ଟା ଘଣ୍ଟକାହାଳୀ ବାଜି ନୈବେଦ୍ୟ ଅର୍ପଣ, ଅଗ୍ନି ଉତ୍ସବ, ଆଳତୀ ବନ୍ଦାପନା ପରେ ଦେବୀମାନେ ମନ୍ଦିର ପ୍ରବେଶ କରିଥିଲେ।

ମନ୍ଦିର ଭିତରେ ବିଜୟ ଦଶମୀର ସମସ୍ତ ନୀତିକାନ୍ତି ସରିବା ପରେ ମା’ ଭଗବତୀ ବଡ଼ ଭଉଣୀ ବିରିଜାଇ ଓ ମା’ କନକ ଦୁର୍ଗାଙ୍କୁ ଛାଡ଼ି ଏକାକୀ ପିତ୍ରାଳୟ ଦକ୍ଷେଶ୍ଵର ମନ୍ଦିରକୁ ବାହୁଡା ବିଜେ କରିବା ବେଳେ ବଡ଼ ଦାଣ୍ଡରେ ଶ୍ରୀ ଶ୍ରୀ ରଘୁନାଥ ଦେବ ମା’ଙ୍କୁ ପାଛୋଟି ନେଇ ମା’ଙ୍କ ଅତିପ୍ରିୟ ଅଧର ମୁଆଁ ସହିତ ବିଭିନ୍ନ ପ୍ରକାରର ମିଷ୍ଠାନ ନୈବେଦ୍ୟ ଅର୍ପଣ କରି ମା’ଙ୍କୁ ଶାନ୍ତ କରାଇବା ସହିତ ବିଦାୟ ଦେଇଥିଲେ।

ପରେ ରାତ୍ରିର ଶେଷ ପ୍ରହରରେ ମା’ ଭଗବତୀ କାଠି ଠାକୁରାଣୀ ପିତ୍ରାଳୟ ଶ୍ରୀ ଶ୍ରୀଦକ୍ଷେଶ୍ଵର ଦେବ ମନ୍ଦିରକୁ ପ୍ରବେଶ କରିଥିଲେ। ମା’ଙ୍କ ଏହି ମେଲାଣି ଉତ୍ସବରେ ଅଗଣିତ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ମା’କନକ ଦୁର୍ଗା କୁମାରପୂର୍ଣ୍ଣମୀ ପର୍ଯ୍ୟନ୍ତ ମନ୍ଦିରରେ ରହି ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେବେ। ସ୍ଥାନୀୟ ପ୍ରଶାସନ, ପୋଲିସ୍‌, ମନ୍ଦିର ପ୍ରସାଶନ ରଘୁନାଥ ସାହିପକ୍ଷରୁ ସମସ୍ତ ପ୍ରକାର ବିହିତ ପଦକ୍ଷେପ ଗ୍ରହଣ କରାଯାଇଥିବା କଥା କାର୍ଯ୍ୟନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସଙ୍କ ଠାରୁ ପ୍ରକାଶ।

Categories
ଆଜିର ଖବର ରାଜ୍ୟ ଖବର

ମା’ଭଗବତୀଙ୍କ ମନ୍ଦିରରେ ଷଷ୍ଠୀ ଓଷାବ୍ରତ, ଲଳିତା ସପ୍ତମୀ ପର୍ବ ଓ ମା’ଙ୍କ ନୌବିହାର: ଲଗ୍ନ ସ୍ଥିର କଲେ ମନ୍ଦିରଗଣକ

ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳର ଆରାଧ୍ୟା ଦେବୀ ମା’ ଭଗବତୀଙ୍କ ମନ୍ଦିରରେ ପାଳିତ ପର୍ବପର୍ବାଣୀ ଓ ଷାବ୍ରତକୁ ସମଗ୍ର ଜିଲ୍ଲାର ପ୍ରତି ଘରେ ଧୁମଧାମରେ ପାଳନ କରାଯିବାର ବିଧି କାହିଁ କେଉଁ କାଳରୁ ଚଳି ଆସୁଛି। ମା’ଙ୍କ ପୀଠରେ ବାରମାସରେ ତେର ପର୍ବ ପାଳିତ ହୁଏ। ଭାଦ୍ରବ ଶୁକ୍ଳଷଷ୍ଠୀ ଓ ସପ୍ତମୀ ତିଥିକୁ ଷଷ୍ଠି ଓଷା ଓ ଲଳିତା ସପ୍ତମୀ ଭାବରେ ମନ୍ଦିରରେ ପାଳନ କରାଯାଉଥିବାବେଳେ ସପ୍ତମୀରେ ଚିଲିକାରେ ମା’ଙ୍କ ନୈବିହାର ସହିତ ପୂର୍ବ ଦିଗସୁରକ୍ଷାକାରିଣୀ ଭଉଣୀ ମା’କାଳିଜାଇ ଙ୍କୁ ଶାରଦୀୟ ପର୍ବକୁ ନିମନ୍ତ୍ରଣ କରି ଦୁର୍ଗା ଅଷ୍ଟମୀରୁ ଶୟନ କରିବା ପରମ୍ପରା ଅତ୍ୟନ୍ତ ପ୍ରାଚୀନ ଓ ସଂପୂର୍ଣ୍ଣ ନିଆରା।

ଚଳିତବର୍ଷ ଏହି ଷଷ୍ଠି ଓଷାବ୍ରତ ପାଳନ ପାଇଁ ତା ୨୧_୯-୨୩ରିଖ ଗୁରୁବାର ଦିବା ୧ ଘଟିକା ୩୧ ମିନିଟ ଠାରୁ ଶୁଭ ମୂହୁର୍ତ୍ତରେ ଆରମ୍ଭ କରିବା ପାଇଁ ମନ୍ଦିର ଗଣକ ଶରତ ଚନ୍ଦ୍ର ପଣ୍ଡିତ ରାୟ ଙ୍କ ସହିତ କାର୍ଯ୍ୟନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସ, ପରିଛା ସାଆନ୍ତ ବିନାୟକ ମହାପାତ୍ର, ମା’ଙ୍କ ଅଙ୍ଗ ଲାଗି ବରିଷ୍ଠ ସେବକ ଭାସ୍କର ଚନ୍ଦ୍ର ନାୟକ, ସୁକାନ୍ତ ନାୟକ,କାଠି ନାହାକ ଗଶେଷ ନାୟକ , ମନ୍ଦିର କର୍ମ ଚାରୀ ସୁରେନ୍ଦ୍ର ସାହୁ, ସହିତ ନିଯୋଗୀ ସେବାୟତମାନେ ବସିଲଗ୍ନ ସ୍ଥିର କରିଛନ୍ତି। ଏହି ଅନୁସାରେ ମା’ ଭଗବତୀଙ୍କ ଚଳନ୍ତି ପ୍ରତିମା କାଠି ଠାକୁରାଣି ରଙ୍ଗ ବେରଙ୍ଗର ପାଟବସ୍ତ୍ର, ସହିତ ମନ୍ଦାର କନିଅର, ମଲ୍ଲୀ ମାଳତୀ , ରଜନୀଗନ୍ଧା, ବେଲପତ୍ର ଆଦି ସୁଗନ୍ଧିତ ପୁଷ୍ପମାଲ୍ୟ ମଣ୍ଡିତ ହୋଇ ନିଯୋଗୀ ସେବାୟତଙ୍କ ସହିତ ଘଣ୍ଟା, ଘଣ୍ଟ, କାହାଳୀ ,ବାଦ୍ୟ,ସଂକୀର୍ତ୍ତନ, ରେ ଦିହୁଡ଼ି, ଛତ୍ର , ତରାସ, ଆଲଟ, ଚାମର ସହିତ ଶ୍ରଦ୍ଧାଳୁଙ୍କ ସାଥିରେ ପିତ୍ରାଳୟଦକ୍ଷେଶ୍ଵର ଦେବ ମନ୍ଦିରରୁ ଥାଟ ପଟୁଆରରେ ନିଜ ମନ୍ଦିରୁ ଶୁଭ ଲଗ୍ନରେ ଯାତ୍ରା କରନ୍ତି।

ଏହି ଯାତ୍ରା ସମୟରେ ଘଣ୍ଟ କାହାଳୀ ଶବ୍ଦ ଶୁଣି ବାଣପୁର ଅଞ୍ଚଳର ଘରେ ଘରେ ଶୁଭ ଶଙ୍ଖ, ହୁଳହୁଳି ପକାଇ ଗୃହିଣୀମାନେ ନିଜ ନିଜ ଘରେ ଷଷ୍ଠୀଦେବୀଙ୍କୁ ଛ ତିଅଣ ନଭଜା,କ୍ଷିରୀଖେଚଡ଼ି , ପିଠାପଣା କରି ପୂଜାକରିବା ସହିତ ଛଖଣ୍ଡ ହଳଦୀରେ ବନ୍ଧା ହଳଦୀ କନାର ବଜ୍ର ଗଣ୍ଠି ବ୍ରତ ମା’ଙ୍କୁ ଅର୍ପଣ କରି ପିଲାମାନଙ୍କୁ ପିନ୍ଧାଇ ବାର ପରମ୍ପରା ରହିଆସିଛି। ମା’ ମନ୍ଦିରକୁ ଯାତ୍ରା ନ କରିବା ପର୍ଯ୍ୟନ୍ତ ଘରମାନଙ୍କରେ ପୂଜା ହୁଏ ନାହିଁ। ମା’ ମନ୍ଦିରରେ ପହଞ୍ଚିବାପରେ ମା’ଙ୍କୁ ଭାଗ୍ୟ ଓ ଆୟୁଷର ଦେବୀ ଷଷ୍ଠୀଦେବୀ ଭାବରେ ବରଣ କରାଯାଇ ମଙ୍ଗଳ କଳସ ସ୍ଥାପନ ପରେ ଷୋଡଷ ଉପଚାରରେ ପରିଛା ସାଆନ୍ତ ପୂଜା ଅର୍ଚ୍ଚନା କରି ଆଳତି ବନ୍ଦାପନା ପରେ ସମସ୍ଥସେ ବାୟତ ପରିବାରର ଯୁବକ ମାନେ ଷଠି କନା ଡୋରିହାତରେ ଧାରଣ କରି ମା’ଙ୍କ ଶାରଦୀୟ ପର୍ବ କୁ ନିର୍ବଘ୍ନରେ ପାଳନ କରିବାକୁ ସଂକଳ୍ପ ନେଇ ମା’ଙ୍କ ପାଖରେ ସମର୍ପିତ ହୋଇ ଆଶୀର୍ବାଦ କାମନା କରନ୍ତି।

ଏହାପରଦିନ ଲଳିତା ସପ୍ତମୀ ।ମୀନ ସପ୍ତମୀ ଭାବରେ ମା’କାଠି ଠାକୁରାଣୀକୁ ମନ୍ଦିର ବାମ୍ଫି ନିକଟରେ ବିଧି ବିଧାନ ଅନୁସାରେ ପୂଜାର୍ଚ୍ଚନା ପରେ ମା’ ପୂର୍ବ ଦିଗକୁ ଯାତ୍ରା ଆରମ୍ଭକରି ସୁରକ୍ଷା କାରିଣୀ ଚିଲିକାରେ ନୌବିହାର ସହିତ ନୀଳ ଜଳରାଶି ମଧ୍ୟରେ ପୂଜିତା ଭଉଣୀ କାଳିଜାଇ ଙ୍କୁ ଶାରଦୀୟ ନିମନ୍ତ୍ରଣ ସହିତ ଆଜ୍ଞାମାଳ ନେଇ ପିତ୍ରାଳୟକୁ ଫେରିବା ବାଟରେ ବାଲୁଗାଁ ନିକଟସ୍ଥ ସାମନ୍ତରାପୁର, ଗଣ୍ଡର ପୁର, ଅନ୍ତର କିଆରୀର ଶ୍ରଦ୍ଧାଳୁମାନଙ୍କ ଦ୍ଵାରେ ଦ୍ଵାରେ ସହିତ ପରିଛା ସାଆନ୍ତ ଙ୍କଦ୍ଵାରଠାରେ ପନ୍ତିଭୋଗ ଖାଇ ପିତ୍ରାଳୟ ଦକ୍ଷେଶ୍ଵର ଦେବଙ୍କ ମନ୍ଦିରରେ ଦୁର୍ଗାଶୟନ ଅଷ୍ଟମୀ ତିଥିଠାରୁ ଆଶ୍ଵିନ କୃଷ୍ଣସପ୍ତମୀ ପର୍ଯ୍ୟନ୍ତ୍ର ଶୟନ କରନ୍ତି। ପରଦିନ ମୂଳାଷ୍ଟମୀରେ ଦେବୀ ଉତ୍ ଥାପନ, ସହସ୍ର କୁମ୍ଭାଭିଷେକ ହୋଇ ମା’ ଭାଗବତାଙ୍କଶାରଦୀୟ ଦୁର୍ଗୋତ୍ସବ ବାହାର ପର୍ବ ଆରମ୍ଭ ହୁଏ।

Categories
ଆଞ୍ଚଳିକ

ଖୋଲିଲା ମା’ଭଗବତୀଙ୍କ ଭିତର ହୁଣ୍ଡି: ମନ୍ଦିରର ଉନ୍ନତି କାର୍ଯ୍ୟରେ ଲାଗିବ ଶ୍ରଦ୍ଧାଳୁଙ୍କ ଦାନ ଅର୍ଥ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁରର ଆରାଧ୍ୟ ଦେବୀ ମା’ ଭଗବତୀଙ୍କ ମନ୍ଦିର ଭିତର ହୁଣ୍ଡି ଖୋଲାଯାଇଛି। ଆଜି ଦିବା ୧୦ ଘଟିକା ସମୟରେ ମନ୍ଦିର ଟ୍ରଷ୍ଟବୋର୍ଡ଼ର ସଭାପତି ସ୍ଥାନୀୟ ତହସିଲଦାର କୁଞ୍ଜ ବିହାରୀ ବଡ଼ଜେନା, ଟ୍ରଷ୍ଟର ସଦସ୍ୟ ସ୍ଥାନୀୟ ଥାନା ଭାରପ୍ରାପ୍ତ ନିରୀକ୍ଷକ ରମେଶ କୁମାର ଦେବତା, ଏଣ୍ଡାଓମେଣ୍ଟର କାର୍ଯ୍ୟ ନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସ, ପୂଜକ ସାଆନ୍ତ ପରିଚ୍ଛା ବିନାୟକ ମହାପାତ୍ର, ପାଳିଆମାଳି ଭାସ୍କର ଚନ୍ଦ୍ରନାୟକଙ୍କ ସହିତ ମନ୍ଦିର କର୍ମଚାରୀ ସୁରେନ୍ଦ୍ର କୁମାର ସାହୁ, ଅକ୍ଷୟ କୁମାର ମିଶ୍ର, ଆଶ୍ଵିନୀ ମିଶ୍ର, କମଳମିଶ୍ର ପ୍ରମୁଖ ମା’ଙ୍କ ପାଖରେ ସମର୍ପିତ ହୋଇ ଭିତର କାଠ ପାଖ ହୁଣ୍ଡିକୁ ଖୋଲି ଥିଲେ।

ଏଥିରୁ ସର୍ବମୋଟ ୧ ଲକ୍ଷ ୧୧ ହଜାର ୫୦ ଟଙ୍କା ସଂଗୃହିତ ହୋଇ ସ୍ଥାନୀୟ ୟୁକୋ ବ୍ୟାଙ୍କରେ ଥିବା ମନ୍ଦିର ଜମାଖାତାରେ ଜମା କରାଯାଇଥିଲା। ଶ୍ରଦ୍ଧାଳୁଙ୍କ ଦାନ ଅର୍ଥ ମନ୍ଦିର ଉନ୍ନତି କାର୍ଯ୍ୟରେ ଲାଗିବ ବୋଲି ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଦାସଙ୍କଠାରୁ ପ୍ରକାଶ।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର

ମା’ଭଗବତୀଙ୍କ ପୀଠରେ ବକୁଳ ଲାଗି

ସୀତାରାମ ଅଗ୍ରୱାଲ

ବାଣପୁର: ମା’ଙ୍କ ପୀଠରେ ବାର ମାସରେ ତେର ପର୍ବ। ପ୍ରତ୍ୟେକ ଋତୁରେ ଚଳଚଞ୍ଚଳ ଶକ୍ତିପୀଠ ବାଣପୁର। ପୌଷର ଶୀତଳ ସ୍ପର୍ଶରେ ଘୋଡ଼ ଲାଗି ହୋଇଛନ୍ତି ମା’। ପୌଷମାସ ଅମାବାସ୍ୟା ବକୁଳ ଲାଗି ଅମାବାସ୍ୟା ଭାବରେ ଓଡ଼ିଶାର ପ୍ରଧାନ ପର୍ବ। ଘରେ ଘରେ ନୂଆ ଚାଉଳ ଚୁନା, ଗୁଡ଼, ନଡ଼ିଆ, କ୍ଷୀର, କାଜୁ ମସଲାରେ ତିଆରି ଗଇଣ୍ଠା ଲାଗି ହୁଏ। ଏଣେ ଆମ୍ରବୃକ୍ଷ ବକୁଳକଳିକାରେ ପରିପୂର୍ଣ୍ଣ ହୁଏ।

ପ୍ରଥମ ବକୁଳ ଦେବା ଦେବୀଙ୍କୁ ଲାଗି କରାଯିବାର ବିଧି ପ୍ରାଚୀନ କାଳରୁ ଓଡ଼ିଶାରେ ଚଳି ଆସିଛି। ସେହି ଅନୁସାରେ ମା’ଙ୍କ ପୀଠରେ ଆଜି ସୁପକାରଙ୍କ ଦ୍ୱାରା ମା’ଙ୍କ ଜମିରୁ ସଂଗୃହୀତ ଧାନରୁ ଆଦାୟ ନୂଆ ଚାଉଳର ଚୁନା, ଗୁଡ଼, ନଡ଼ିଆ, ଘିଅ, କାଜୁମସଲାରେ ଶୁଦ୍ଧ ପୂତ ଭାବରେ ପ୍ରସ୍ତୁତ ଗଇଣ୍ଠା ସହ ବକୁଳ ଲାଗି କରାଯାଇଛି। ସକାଳୁ ମା’ଙ୍କ ଅଙ୍ଗରାଗ ମାଜଣା, ବେଶ, ମହାପ୍ରସାଦ ଅର୍ପଣ, ବଲ୍ଲଭ ଆଳତୀ, ସର୍ବ ସାଧାରଣ ଦର୍ଶନ ସହିତ ରାଜଭୋଗ ଖେଚଡ଼ି ଡାଲି ଧୂପ ପରେ ମଧ୍ୟାହ୍ନରେ ଅନ୍ନ, ମହୁର, ଡାଲି, କ୍ଷୀରୀ ଭୋଗ ହୋଇ ପହୁଡ଼ ପଡ଼ିଥିଲା।

ସଂଧ୍ୟାରେ ପୀଠ ଧୋପଖାଳ ହୋଇ ଖଜା, କାନ୍ତି, ପୁଳି, ଖେଇ, ସରପୁଳି, ମାଠ ପୁଳି, ଧୂପ ପରେ ଆଳତି କରି ପରିଛା ସାମନ୍ତଙ୍କ ଦ୍ୱାରା ବକୁଳ ଲାଗି ନୀତି ବଢିଥଲା। ସୁପକାର ମୁହଁରେ ତୁଣ୍ଡି ବାନ୍ଧି ଗଇଣ୍ଠା ଆଣି ମା’ଙ୍କ ଭୋଗ ମଣ୍ଡପରେ ଠାକରିବା ପରେ ଘଣ୍ଟ କାହାଳି ବାଜି ପାଳିଆ ମାଳି ଯୋଗାଇଥିବା ବକୁଳ ସହିତ ଧୂପ ହୋଇଥିଲା।

ପରେ ବଡ଼ସିଂହାର ହୋଇ ମା’ଙ୍କ ପହୁଡ଼ ନୀତି ସରିବା ପରେ ନିଯୋଗୀ ସେ ବାୟତ ଓ ଶ୍ରଦ୍ଧାଳୁମାନଙ୍କୁ ମା’ଙ୍କ ଗଇଁ ଠାପ୍ରସାଦ ବଣ୍ଟନ କରାଯାଇଥିଲା ।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର ସଂସ୍କୃତି

ମା’ଭଗବତୀଙ୍କ ପୀଠରେ ଚନ୍ଦ୍ରଗ୍ରହଣ ନୀତିକାନ୍ତି

ବାଣପୁର: ଚଳିତ ମହାକାର୍ତ୍ତିକ ରାସ ପୂର୍ଣ୍ଣିମା ତିଥି ତା-୮.୧୧.୨୨ ରିଖ ମଙ୍ଗଳବାର ଦିନ ଅପରାହ୍ନରେ କେତୁ ଗ୍ରସ୍ତ ଖଣ୍ଡ ଗ୍ରାସ ଚନ୍ଦ୍ରଗ୍ରହଣ ଲାଗୁଥିବାରୁ ଏବଂ ଏହା ଓଡ଼ିଶାକୁ ଦୃଶ୍ୟମାନ ହେଉଥିବାରୁ ଶ୍ରୀମନ୍ଦିର ପରି ମା’ଭାଗବତୀଙ୍କ ପୀଠରେ ଗ୍ରହଣ ପାଇଁ ସ୍ୱତନ୍ତ୍ର ନୀତିକାନ୍ତି ପାଳିତ ହେବ। ମନ୍ଦିର ପ୍ରଶାସନ, ମନ୍ଦିର ଖଡ଼ିରତ୍ନ, ପରିଛା ସାମନ୍ତ, ଛତିଶା ନିଯୋଗଙ୍କ ମିଳିତ ବୈଠକର ନିଷ୍ପତିକ୍ରମେ ତା’ ୭.୧୧.୨୨ ରିଖ ସୋମବାର ସଂଧ୍ୟାରୁ ରାତ୍ର ୧୦ଟା ୩୦ରେ ମା’ଙ୍କ ବଡ଼ସିଂହାର ହୋଇ ପହଡ଼ ପଡ଼ିବ।

ସେହି ଦିନ ରାତ୍ର ୧୨ଘଟିକା ପରେ ମା’ଙ୍କ ମଙ୍ଗଳବାର ନୀତିକାନ୍ତି ଆରମ୍ଭ ହୋଇ ଦ୍ଵାର ଫିଟା, ଅବକାଶ, ଅଙ୍ଗରାଗ ମାଜଣା, ବେଶ, ମହାପ୍ରସାଦ ଅର୍ପଣ, ବଲ୍ଲଭ ଆଳତୀ ପରେ ଖେଚଡ଼ି ଡାଲି ଧୂପ ବଢି ଶଙ୍କୁଡ଼ି ପୂଜା ହୋଇ ମଙ୍ଗଳବାର ଭୋର ୫ଟାରୁ ମାଠ ପୁଳି ଧୂପ ଶେଷ ପରେ ଦେବନୀତି ବନ୍ଦ ରହିବ।

ମଙ୍ଗଳବାର ଦିନ ଗ୍ରହଣ ଲାଗୁଥିବାରୁ ଦିନ ସାରା ମନ୍ଦିର ଖୋଲା ରହିବ ଏବଂ ସର୍ବ ସାଧାରଣ ମଣ୍ଡପ ଉପରେ ରହି ଦୂରରୁ କେବଳ ମା’ଙ୍କୁଦର୍ଶନ କରିବେ। ସ୍ପର୍ଶ କରିବେ ନାହିଁ। ଗ୍ରହଣସ୍ପର୍ଶ ଅପରାହ୍ନ ୨ଟା ୩୯ମିରୁ ଆରମ୍ଭ ହେଉଥିବାରୁ ଗ୍ରହଣ ମଧ୍ୟ ସମୟ ୪ଟା ୨୯ମିରେ ଗ୍ରହଣ ଭୋଗ ହୋଇ ପୋତା ହେବ। ଗ୍ରହଣ ସର୍ବମୋକ୍ଷ ସଂଧ୍ୟା ୬ଟା ୨୯ମି ପରେ ପୁଣି ମଙ୍ଗଳବାର ରାତ୍ର ନୀତିକାନ୍ତି ଆରମ୍ଭ ହେବ। ସେହି ଦିନ ମା’କାଠି ଠାକୁରାଣି ସଂଧ୍ୟା ୮ ଘଟିକାରେ ଦକ୍ଷେଶ୍ଵର ମନ୍ଦିରରୁ ବିଜେ କରିବେ ଏବଂ ବଡ଼ସିଂହାର ପରେ ମଙ୍ଗଳବାର ରାତ୍ର ୧୧ ଘଟିକାରେ ପିତ୍ରାଳୟକୁ ଫେରିବା ପରେ ପହୁଡ଼ ହେବ ବୋଲି ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସଙ୍କଠାରୁ ପ୍ରକାଶ।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର ସଂସ୍କୃତି

ମା’ ଭଗବତୀଙ୍କ ପୀଠରେ ସୂର୍ଯ୍ୟପରାଗ ନୀତିକାନ୍ତି

ସୀତାରାମ ଅଗ୍ରୱାଲ

ବାଣପୁର: ଚଳିତବର୍ଷ ମହାକାର୍ତ୍ତିକ ଦୀପାବଳି ଅମାବାସ୍ୟା ତିଥିରେ କେତୁ ଗ୍ରସ୍ତ ସୂର୍ଯ୍ୟପରାଗ ଲାଗୁଥିବାରୁ ଏବଂ ଏହା ଓଡ଼ିଶାକୁ ସୂର୍ଯ୍ୟାସ୍ତ ପୂର୍ବରୁ ଦୃଶ୍ୟମାନ ହେଉଥିବାରୁ ଶ୍ରୀମନ୍ଦିର ସହିତ ଦେବା ଦେବୀ ପୀଠମାନଙ୍କରେ ସ୍ଵତନ୍ତ୍ର ନୀତିକାନ୍ତି ପାଳିତ ହେବ। ଏହି ଦିନ ମା’ ଭଗବତୀଙ୍କ ପୀଠରେ ମଧ୍ୟ ସ୍ଵତନ୍ତ୍ର ଭାବରେ ପରାଗ ନୀତିକାନ୍ତି ପାଳନ କରାଯିବାକୁ ମନ୍ଦିର ପ୍ରଶାସନ ଓ ଛତିଶା ନିଯୋଗ ସେବାୟତଙ୍କ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି।

ଏହି ଅନୁସାରେ ମନ୍ଦିର ପାଞ୍ଜିଗଣକ, ପୁରୋହିତ, ପର୍ବପୂଜକ, ପରିଛା ସାମନ୍ତ ଏବଂ ପ୍ରଶାସନଙ୍କ ମିଳିତ ନିଷ୍ପତ୍ତିକ୍ରମେ ମଙ୍ଗଳବାରେ ଅମାବାସ୍ୟା ତିଥିରେ ଅପରାହ୍ନ ୪ ଟା ୫୬ ମିନିଟ ୫୨ ସେକେଣ୍ଡରେ ପରାଗ ସ୍ପର୍ଶ କରୁଥିବାରୁ ଏବଂ ସଂଧ୍ୟା ୬ ଟା ୨୬ ମିନିଟ ୫୨ ସେକେଣ୍ଡରେ ସର୍ବ ମୋକ୍ଷ ହେଉଥିବାରୁ ସୂର୍ଯ୍ୟ ଦୃଶ୍ୟମାନ ହେଉନ ଥିବା ଯୋଗୁଁ ମନ୍ଦିରର ମଙ୍ଗଳବାରର ସମସ୍ତ ନୀତିକାନ୍ତି ଦିଅଁ ବିଜେ, ସୋମବାର ରାତ୍ର ୧୨ ଘଟିକାରୁ ଆରମ୍ଭ ହୋଇ ଭୋର୍ ୪ଟା ୫୭ ମିନଟ୍ ମଧ୍ୟରେ ଶେଷ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଗଲା।

କାରଣ ମଙ୍ଗଳବାର ଭୋର୍ ୪ ଟା ୫୭ ମିନିଟରୁ ପାକ ତ୍ୟାଗ ଦେବନୀତି ନିଷେଧ ଥିବାରୁ ଏହି ସମୟରୁ ମା’ଙ୍କର ସମସ୍ତ ନୀତିକାନ୍ତି ମଙ୍ଗଳବାର ଦିନ ସାରା ବନ୍ଦ ରହିବ। ମା’ କେବଳ ସର୍ବ ସାଧାରଣଙ୍କୁ ଦୂରରେ ଦର୍ଶନ ଦେବେ। ଏହି ସମୟରେ ସର୍ବସାଧାରଣଙ୍କ ଭୋଗ ଲାଗି ହେବ ନାହିଁ, ଶ୍ରଦ୍ଧାଳୁମାନେ ଗର୍ଭ ଗୃହ, ଚନ୍ଦନ ଅର୍ଗଳୀ ପାଖକୁ ଯାଇ ପାରିବେ ନାହିଁ। କେବଳ ମଣ୍ଡପରେ ଥାଇ ଦର୍ଶନ କରିବେ।

ସୋମବାର ସଂଧ୍ୟା ସମୟରେ ଦୀପଦାନ ଦୀପାବଳିର ସମସ୍ତ ନୀତିକାନ୍ତି ପରେ ବଡ଼ସିଂହାର ହୋଇ ରାତ୍ର ପହୁଡ଼ ହେବ। ପୁଣି ରାତ୍ର ୧୨ ଘଟିକା ଠାରୁ ଦ୍ଵାର ଫିଟା, ଅବକାଶ, ମା’ଙ୍କ ଅଙ୍ଗରାଗ ମାଜଣା ମହାପ୍ରସାଦ ଅର୍ପଣ, ବଲ୍ଲଭ ଆଳତି ବଢିବା ପରେ ଖେଚଡ଼ି ଡ଼ାଲି ଧୂପ ବଢି ଶଙ୍କୁଡି ଭୋଗ ପରେ ଦିବା ପହୁଡ଼ ପରେ ମଙ୍ଗଳବାର ନୀତିକାନ୍ତିରେ ମା’କାଠି ଠାକୁରାଣୀ ଦକ୍ଷେଶ୍ଵର ମନ୍ଦିରରୁ ନିଶାର୍ଦ୍ଧରେ ବିଜେ କରିବାପରେ ଆଳତି ଖେଇ ଧୂପ ହୋଇ ମଙ୍ଗଳବାରର ବଡ଼ସିଂହାର ସାରି ପିତ୍ରାଳୟକୁ ଫେରିବା ପରେ ରାତ୍ର ପହୁଡ ହୋଇ ପୁଣି ମାଜଣାବଲ୍ଲଭ ଆଳତି ହୋଇ ଭୋର୍ ୪ ଟା ୫୭ ପୂର୍ବରୁ ଦେବୀନୀତି ଶେଷହେବ, ମଙ୍ଗଳବାର ପରାଗ ସ୍ପର୍ଶ ସମୟରେ ପରାଗ ଧୂପ ହୋଇ ପୋତା ଯିବ।

ବୁଧବାର ଭୋର୍ ୫ ଟା ୫୬ମିନିଟସୂର୍ଯ୍ୟ ଉଦୟରୁ ପୁଣି ଯଥାରୀତି ନୀତିକାନ୍ତି ବଢିବ ବୋଲି କାର୍ଯ୍ୟାଳୟର ନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସଙ୍କ ଠାରୁ ପ୍ରକାଶ।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର ସଂସ୍କୃତି

ମା’ଭଗବତୀଙ୍କ ପୀଠରେ ମହାକାର୍ତ୍ତିକ ନୀତିକାନ୍ତି

ସୀତାରାମ ଅଗ୍ରୱାଲ

ବାଣପୁର: ଆଶ୍ଵିନର ଶାରଦୀୟ ପର୍ବପରେ ମା’ ଭଗବତୀଙ୍କ ପୀଠରେ ଆରମ୍ଭ ହୋଇଛି ମହାକାର୍ତ୍ତିକ ନୀତିକାନ୍ତି। ମା’ ଭଗବତୀ ପରମ ବୈଷ୍ଣବୀ। ଯାହାଙ୍କୁ ମାଜଣା ପରେ ପ୍ରତ୍ୟହ ମହାପ୍ରସାଦ ଅର୍ପଣ କରିବାର ପରମ୍ପରା କାହିଁ କେଉଁ କାଳରୁ ଚଳି ଆସିଛି। ଓଡ଼ିଆ ଘରର ଚଳଣିରେ ସ୍ନାନ ପରେ ପରେ ଜଗନ୍ନାଥଙ୍କ ନିର୍ମାଲ୍ୟ ମହାପସ୍ରାଦ ସେବନ କରିବା ପରି ମା’ଙ୍କ ନୀତି କାନ୍ତିରେ ମହାପ୍ରସାଦ ଅର୍ପଣରୁ ମା’ଙ୍କ ପୀଠ ପରମ ବୈଷ୍ଣବ ପୀଠ ଭାବରେ ପରିଚିତ।

ମହାକାର୍ତ୍ତିକର ପ୍ରାରମ୍ଭରୁ ପ୍ରତ୍ୟହ ଭୋର ୫ ଘଟିକାରେ ଦ୍ଵାର ଫିଟା, ମା’ଙ୍କ ଅଙ୍ଗରାଗ ମାଜଣା, ମହାପ୍ରସାଦ ଅର୍ପଣ, ନାମ ସଂକୀର୍ତ୍ତନ, ସକାଳ ୭ ଘଟିକାରେ ବଲ୍ଲଭ ଆଳତୀ, ବେଢ଼ା ପରିକ୍ରମା, ବେଶ, ସର୍ବସାଧାରଣଙ୍କ ନୈବେଦ୍ୟ ଲାଗି, ଦିବା ୧୨ ଘଟିକାରେ ଶଙ୍କୁଡ଼ି ଧୂପ, ତାପରେ ଏଣ୍ଡୁରୀ ସହ ଶଙ୍କୁଡ଼ି ଲାଗି। ଦିବା ୨ଘଟିକାରେ ଦିବା ପହୁଡ। ଦିବା ୩ ଘଟିକାରୁ ଦ୍ଵାର ଫିଟା ସର୍ବସାଧାରଣ ଦର୍ଶନ। ସଂଧ୍ୟା ଛଅ ଘଟିକାରେ ନିଶଙ୍କୁଡ଼ି ଖଜା, କାନ୍ତି, ସରପୁଳି, ମାଠ ପୁଳି, ଧୂପସହ ଆଳତି, ପୁରାଣ ପାଠ। ରାତ୍ର ୧୦ ଘଟିକାରେ ଦହି ପଖାଳ, ଗୁଣ୍ଡି ଭଜା, ଛେନାପଣା, କାକରା ମାଠ ପୁଳି ଧୂପ ପରେ ବଡସିଂହାର ବେଶ, ରାତ୍ର ପହୁଡ଼।

ମା’ଙ୍କ ବଲ୍ଲଭ ଆଳତିଦର୍ଶନ ପାଇଁ ହବିଷ୍ୟାଳୀଙ୍କ ପ୍ରବଳ ଭିଡ଼ ସହିତ ହରିବୋଲ ହୁଳହୁଳି ଶବ୍ଦରେ ମନ୍ଦିର ବେଢାରେ ଆଧାତ୍ମିକ ପରିବେଶ ପରିଲକ୍ଷିତ ହେଉଛି। ସର୍ବସାଧାରଣଙ୍କ ଅନୁରୋଧକ୍ରମେ ପୁରୀର ଶ୍ରୀମନ୍ଦିର ପରି ମହାକାର୍ତ୍ତିକରେ ଚଳିତ ବର୍ଷ ମନ୍ଦିର ପ୍ରଶାସନ ତରଫରୁ ମା’ଙ୍କ ପୀଠକୁ ସ୍ଵଚ୍ଛ, ପବିତ୍ର, ଶୁଦ୍ଧପୂତ ରଖିବା ସହିତ ପରିବେଶ ପ୍ରଦୂଷଣ ମୁକ୍ତ ରଖିବାପାଇଁ ବାହାରର ଅପମିଶ୍ରିତ ଘିଅ ଦୀପ ମନ୍ଦିର ଭିତରେ ନ ଜାଳିବାକୁ ଶ୍ରଦ୍ଧାଳୁମାନଙ୍କୁ ଅନୁରୋଧ କରାଯିବା ସହିତ ମନ୍ଦିର ବେଢାରେ ଶ୍ରୀମନ୍ଦିର ପରି ଶୁଦ୍ଧ ଭଲ ଘିଅ ଓଡ଼ିଶା ସରକାରଙ୍କ ଭରଷାଯୋଗ୍ୟ ଓମ୍ ଫେଡ୍‌ ଘିଅ ଦୀପ ଯୋଗାଇଦେବାର ବ୍ୟବସ୍ଥା କରାଯାଇଛି।