Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ମାନବୀୟ ଲୀଳାର ପ୍ରତୀକ ଭାବେ ପିତୃପୁରୁଷଙ୍କୁ ପିଣ୍ଡଦାନ କଲେ ବାଣପୁରର ବ୍ରହ୍ମସ୍ପର୍ଶୀ ଆରାଧ୍ୟ ଠାକୁର ଶ୍ରୀରଙ୍କନାଥ

ବାଣପୁର: ମାର୍ଗଶୀର କୃଷ୍ଣ ଚତୁର୍ଦ୍ଦଶୀ, ଅମାବାସ୍ୟା, ଶୁକ୍ଳ ପ୍ରତିପଦା ତିଥିରେ ତିନି ଦିନ ଧରି ଲୀଳା କ୍ଷେତ୍ର ବାଣପୁରର ବ୍ରହ୍ମସ୍ପର୍ଶୀ ଆରାଧ୍ୟ ଠାକୁର ଶ୍ରୀରଙ୍କନାଥ ଦେବଙ୍କ ପୀଠରେ ମହା ଆନନ୍ଦ ଉଲ୍ଲାସର ସହିତ ପାଳିତ ହୋଇଯାଇଛି ଦେବଦୀପାବଳୀ ଉତ୍ସବ। ଏହି ଦିନମାନଙ୍କରେ ପ୍ରତ୍ୟହ ଶ୍ରୀଜୀଉମାନଙ୍କର ଦୈନକ ନୀତିକାନ୍ତି ସାରି ସଂଧ୍ୟା ଧୂପ ପରେ ଜୀଉମାନଙ୍କୁ ଧଳା ବସ୍ତ୍ର ପରିଧାନ କରାଇ ଶ୍ରାଦ୍ଧ ବେଶରେ ବେଶ କରାଯାଇଥିଲା। ରତ୍ନସିଂହାସନ ତଳେ ପୂଜକ ସାମନ୍ତ ଚାଉଳରେ କଦଳୀ ବୃକ୍ଷ କରିବା ପରେ ଦୀପମାନ ସ୍ଥାପନ କରାଇ ପିତୃପୁରୁଷଙ୍କୁ ପିଣ୍ଡଦାନପୂର୍ବକ ଶ୍ରାଦ୍ଧ ନୀତିକାନ୍ତି ସମାପନ କରିଥିଲେ।

ଚତୁର୍ଦ୍ଦଶୀରେ ସତ୍ୟ ଯୁଗର ମାତା ପିତା ଅଦିତି, କାଶ୍ୟପ ଅମାବାସ୍ୟାରେ ତ୍ରେତୟା ଯୁଗର ମାତା ପିତା କୌଶଲ୍ୟା, ଦଶରଥ ଏବଂ ପ୍ରତିପଦାରେ ଦ୍ଵାପର ଯୁଗର ମାତାପିତା ଦେବକୀ ବସୁଦେବ, ଯଶୋଦା, ନନ୍ଦରାଜା ଏବଂ ଇନ୍ଦ୍ରଦ୍ୟୁମ୍ନ ଗୁଣ୍ଡିଚାଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ ସହିତ ଦୀପଦାନ ନୀତିକାନ୍ତି ସମାପନ କରାଯାଇଥିଲା। ଶ୍ରୀଜଗନ୍ନାଥଙ୍କ ମାନବୀୟ ଲୀଳାର ପ୍ରତୀକ ଏହି ଉତ୍ସବରେ ବହୁସଂଖ୍ୟାରେ ଶ୍ରଦ୍ଧାଳୁମାନେ ଯୋଗଦାନ କରି ମନ୍ଦିର ପ୍ରାଙ୍ଗଣରେ ସହସ୍ରାଧିକ ଜୀବପ୍ରଜ୍ଜୋଳନ କରି ଜୀଉମାନଙ୍କୁ ଦର୍ଶନ ପୂର୍ବକ ପୂଣ୍ୟ ଅର୍ଜନ କରିଥିଲେ।

ଏହି ଉପଲକ୍ଷେ ମନ୍ଦିର ପ୍ରାଙ୍ଗଣରେ ସ୍ଥାନୀୟ କଳାକାରମାନଙ୍କ ଦ୍ଵାରା ଏକ ମନୋଜ୍ଞ ଭଜନ ସମାରୋହର ଆୟୋଜନ କରାଯାଇଥିଲା। ମନ୍ଦିର କାର୍ଯ୍ୟାଳୟ ତରଫରୁ ଏହାକୁ ପରିଚାଳନା କରିଥିଲେ।