Categories
ଆଜିର ଖବର ରାଜ୍ୟ ଖବର

ମା’ ତାରାତାରିଣୀ ପୀଠର ବିକାଶ ପାଇଁ ୬୮ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଗଂଜାମ ଜିଲ୍ଲା ଗସ୍ତରେ ଯାଇ ଗାଙ୍ଗଦହଣୀ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବା ସହିତ ପ୍ରସିଦ୍ଧ ତାରାତାରିଣୀ ପୀଠରେ ମା’ ତାରାତାରିଣୀଙ୍କୁ ଦର୍ଶନ କରିବା ସହିତ ଏହି ଅଂଚଳର ଭିତ୍ତଭୂମି ବିକାଶ ନିମନ୍ତେ ଜିଲ୍ଲା ପ୍ରଶାସନ ସହିତ ସମୀକ୍ଷା କରିଛନ୍ତି।

ମୁଖ୍ୟମନ୍ତ୍ରୀ ଗାଙ୍ଗଦହଣୀ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ମହୋତ୍ସବରେ ଯୋଗଦେବା ପୂର୍ବରୁ ତାରାତାରିଣୀ ପୀଠ ବୁଲି ଦେଖିଥିଲେ ଏବଂ ଏହି ଅଂଚଳର ଉନ୍ନତିକରଣ ପାଇଁ ବିଭିନ୍ନ କାର୍ଯ୍ୟକାରୀ ହେବାକୁ ଭିତ୍ତିଭୂମିର ବିକାଶ ପାଇଁ ସ୍ଥାନୀୟ ଲୋକପ୍ରନିଧିଙ୍କ ସହିତ ଆଲୋଚନା କରିଥିଲେ।

ଏହି ଅବସରରେ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେଯେ, ଶିକ୍ଷା କେବଳ ଛାତ୍ରଛାତ୍ରୀମାନଙ୍କୁ ସାର୍ଟିଫିକେଟ୍ ଦେବାର ପ୍ରକ୍ରିୟା ନୁହେଁ; ଏହା ସେମାନଙ୍କୁ ଜୀବନ ଦୌଡ଼ ପାଇଁ ପ୍ରସ୍ତୁତ କରିବାର ଏକ ପ୍ରକ୍ରିୟା। ୧୦୦ ବର୍ଷ ଧରି, ଆମର ସ୍କୁଲ କେବଳ ଶ୍ରେଣୀଗୃହର ସମାହାର ନୁହେଁ। ଏହା ଜ୍ଞାନ ଓ ଚରିତ୍ରର ଏକ ପବିତ୍ର ସ୍ଥାନ। ଆମର ଭବିଷ୍ୟତ ଗଠନର ମୂଳଦୁଆରେ ଥିବା ପ୍ରତ୍ୟେକ ଇଟା ଦୃଢ଼ତାର କାହାଣୀ ଧାରଣ କରିଛନ୍ତି।

ଆଜିର ଦିନରେ ତୁମମାନଙ୍କ ପାଇଁ ମୋର ଛୋଟ ଉପଦେଶ ରହିବ, ଶିକ୍ଷା କେବଳ ରୋଜଗାରର ମାଧ୍ୟମ ନହେଉ। ଏହା ମାନବିକତା ବା ମଣିଷ ତିଆରି ମନ୍ଦିର ହେଉ। ଶିକ୍ଷାକୁ ସଠିକ ମାର୍ଗରେ ଉପଯୋଗ କରାଯାଉ। ଆଜି ଆମ ପଡ଼ୋଶୀ ରାଷ୍ଟ୍ର ପାକିସ୍ତାନରେ ଅନେକ ପିଲା ପାଠ ପଢିବା ପରେ ନିଜ ଜ୍ଞାନ ଗରିମାକୁ ଆତଙ୍କବାଦୀ କାର୍ଯ୍ୟକଳାପରେ ଲଗେଇ ନିଜ ଭବିଷ୍ୟତକୁ ଧ୍ବଂସ କରୁଛନ୍ତି। ହେଲେ ଆମେ ଯୁଦ୍ଧ ନୁହେଁ, ବୁଦ୍ଧ ଚାହୁଁ। ଆମେ ଜିହାଦ ନୁହେଁ, ଜଗନ୍ନାଥ ଚାହୁଁ। ଏଣୁ ଆମେ ପାଠ ପଢି ନିଜର, ନିଜ ପରିବାରର, ନିଜ ଗାଁର ଯଶ କୀର୍ତ୍ତି ବଢ଼େଇବା ସହ ଆମ ମାଟି ମାଆର ଶୌର୍ଯ୍ୟ ଓ ସମ୍ମାନ ପାଇଁ ନିଜକୁ ସମର୍ପିତ କରିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସେ ପୁଣି କହିଥିଲେଯେ, ଦୀର୍ଘ ୧୦୦ ବର୍ଷ ଧରି ଏହି ବିଦ୍ୟାଳୟ ଖଲ୍ଲିକୋଟ ଅଞ୍ଚଳରେ ଜ୍ଞାନର ଆଲୋକ ବିକିରଣ କରି ଆସୁଅଛି ଏବଂ ଏହି ଶତାୟୁ ବିଦ୍ୟାଳୟରେ ପାଠ ପଢ଼ିବା, ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ଗର୍ବ ଓ ଗୌରବର ବିଷୟ। ଗାଙ୍ଗଦହଣୀ ଉଚ୍ଚ ବିଦ୍ୟାଳୟର ଐତିହ୍ୟ, ଜୟଯାତ୍ରା ଓ ସଫଳତାକୁ ମନେ ପକେଇ ଯଥୋଚିତ ସମ୍ମାନ କରିବା ପାଇଁ ଏହା ହେଉଛି ପ୍ରକୃତ ଅବସର । ଏହା ହେଉଛି, ଆମ ପୂର୍ବତନ ଛାତ୍ରଙ୍କ ସଫଳତାର ଜୀବନ୍ତ ପ୍ରମାଣ। ଆପଣଙ୍କ ଯାତ୍ରା ଏଠାରେ ସ୍ଥାପିତ ମୂଲ୍ୟବୋଧକୁ ପ୍ରତିଫଳିତ କରେ, ଏବଂ ଆପଣଙ୍କ ସଫଳତା ଭବିଷ୍ୟତ ପିଢ଼ିକୁ ଉଚ୍ଚ ଲକ୍ଷ୍ୟ ଏବଂ ବଡ଼ ସ୍ୱପ୍ନ ଦେଖିବାକୁ ପ୍ରେରଣା ଦିଏ।ଏହା ଏକ ବ୍ୟବସ୍ଥା ଯେଉଁଥିରେ ଆମେ ପିଲାମାନଙ୍କୁ ଉତ୍ତମ ନାଗରିକ ଭାବରେ ସେମାନଙ୍କର ଅଧିକାର ଏବଂ ସମାଜ, ରାଜ୍ୟ ଏବଂ ରାଷ୍ଟ୍ର ପ୍ରତି ସେମାନଙ୍କର କର୍ତ୍ତବ୍ୟ ବିଷୟରେ ପରିଚିତ କରାଉ ।

ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ କହିବାକୁ ଯାଇ ସେ କହିଥିଲେ, ଜୀବନରେ ସଂଘର୍ଷକୁ କେବେ ହେଲେ ଡରିବନି । ସଂଘର୍ଷର ରାସ୍ତାରେ ହିଁ ସଫଳତା ମିଳେ। ସଫଳତା ପାଇବା ପାଇଁ କୌଣସି ସର୍ଟକଟ ନାହିଁ, ଯଦି ଅଛି ତ କେବଳ ସଂଘର୍ଷ ଆଉ କଠିନ ପରିଶ୍ରମ। ପିଲାମାନେ, ତୁମମାନଙ୍କୁ ମୋର ଉପଦେଶ “ ବିଦ୍ୟା ଅଟଇ ମହାଧନ, ବାଳକେ କର ଉପାର୍ଜନ”। କଠିନ ପରିଶ୍ରମ କର, ଫଳ ନିଶ୍ଚୟ ମଧୁର ହେବ । ତୁମେମାନେ ଜଣେ ଜଣେ ସଫଳ ବିଦ୍ୟାର୍ଥୀ ହେବା ସହିତ ଜଣେ ଜଣେ ଦକ୍ଷ ରାଷ୍ଟ୍ର ନିର୍ମାତା ହୁଅ। ତୁମେମାନେ ନିରାଶାର ଅନ୍ଧାରକୁ ଚିରି ଆଶାର ଆଲୁଅ ହେଇ ଜଳ। ନିଜର ଜ୍ଞାନ ଓ ଦକ୍ଷତା ବଳରେ ତୁମେମାନେ ଧୂପକାଠି ପରି ଜଳି ଅନ୍ୟକୁ ସୁବାସ ଦିଅ। ତୁମେମାନେ ଅମୃତର ସନ୍ତାନ। ତୁମେମାନେ ଅସାଧ୍ୟକୁ ସାଧ୍ୟ କରିପାରିବ। ସେ ବିଶ୍ୱାସ ଓ ଭରସା ମୋର ଅଛି।

ଶିକ୍ଷା ପ୍ରତି ଆମ ସରକାରଙ୍କ ସର୍ବାଧିକ ଗୁରୁତ୍ୱ ରହିଛି। ଚଳିତ ବର୍ଷ ବଜେଟରେ ସ୍କୁଲ ଶିକ୍ଷା ପାଇଁ 31 ହଜାର କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ଏହା ପୂର୍ବ ବର୍ଷ ତୁଳନାରେ 18 ପ୍ରତିଶତ ଅଧିକ । ସବୁ ବିଭାଗ ମଧ୍ୟରେ ସ୍କୁଲ ଶିକ୍ଷା ପାଇଁ ସର୍ବାଧିକ ବ୍ୟୟ ବରାଦ କରାଯାଇଛି। ତୁମମାନଙ୍କ ସ୍କୁଲ ଭଳି ରାଜ୍ୟରେ ଥିବା 100 ବର୍ଷରୁ ପୁରୁଣା ବିଦ୍ୟାଳୟ ଗୁଡିକୁ ଐତିହ୍ୟ ବିଦ୍ୟାଳୟ ଭାବେ ପୁନରୁଦ୍ଧାର କରିବା ଆମ ସରକାରଙ୍କ ଲକ୍ଷ୍ୟ । ଏହି ‘ଐତିହ୍ୟ ବିଦ୍ୟାଳୟ’ ଅଧିନରେ ରାଜ୍ୟରେ ଥିବା 50ରୁ ଅଧିକ ପୁରୁଣା ବିଦ୍ୟାଳୟ ଗୁଡିକର ନବୀକରଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶେଷରେ କହିଥିଲେ।

ମା’ ତାରାତାରିଣୀ ପୀଠ ଭିତ୍ତିଭୂମି ବିକାଶ ପାଇଁ ମୁଖ୍ୟମନ୍ତ୍ରୀ କଲେ ଘୋଷଣା

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତିଯେ, ରାଜ୍ୟ ସରକାର ମାଁ ତାରାତାରିଣୀ ପୀଠର ଭିତ୍ତିଭୂମି ବିକାଶ ନିମନ୍ତେ 8 କୋଟି ଟଙ୍କା ଦେଇଛନ୍ତି । ଏଥିରେ ସୁରକ୍ଷା ଓ ପରିମଳ ବ୍ୟବସ୍ଥା, ଗୋଟିଏ ସ୍ଵୟଂଚାଳିତ ରନ୍ଧାଯନ୍ତ୍ର ପ୍ରତିଷ୍ଠା (ପାହାଡ ଉପରେ), ୯୯୯ ପଥର ପାହାଚର ମରାମତି ଓ ପୁନଃ ନିର୍ମାଣ, ଯାନବାହାନ ରହଣୀସ୍ଥଳ ଓ ହେଲିପ୍ୟାଡ୍‌ପାଇଁ ଜମି ଅଧିଗ୍ରହଣ ଦିଗରେ ପଦକ୍ଷେପ ଗ୍ରହଣ କରାଯାଇଛି ।

ମୁଖ୍ୟମନ୍ତ୍ରୀ କହିଛନ୍ତିଯେ, ଏହା ସହିତ ଭକ୍ତ, ଯାତ୍ରୀମାନଙ୍କୁ ଆବଶ୍ୟକୀୟ ସୁବିଧା ସୁଯୋଗ ଯୋଗାଇଦେବା ତଥା ଆଧ୍ୟାତ୍ମିକ ଓ ସାଂସ୍କୃତିକ ଅନୁଭବ ଉପଲବ୍ଧ କରାଇବା ମହତ୍ତ୍ ଉଦ୍ଦେଶ୍ୟ ନେଇ ରାଜ୍ୟ ସରକାର ପୁଣି ୩୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏଥିରେ ସିଂହଦ୍ଵାର ସାମନାରେ ବହୁତଳ ବିଶିଷ୍ଟ ଧର୍ମଶାଳା, ବଣଭୋଜି ସ୍ଥଳ, ରାସ୍ତାଘାଟ ଉନ୍ନତିକରଣ ଯଥା ନବ ନିର୍ମିତ ପୋଲ ଠାରୁ ମୁଖ୍ୟରାସ୍ତା ଓ ଘାଟ ରୋଡ ପାର୍ଶ୍ଵରେ ସୁରକ୍ଷା ପ୍ରାଚୀର, ଆଲୋକୀକରଣ, ସାଇନ୍ ବୋର୍ଡ, ମନ୍ଦିର ଚତୁର୍ଦ୍ଦିଗରେ ୫ ଗୋଟି ଗୁମୁଟ, ମନ୍ଦିର ଉତ୍ତରପାର୍ଶ୍ଵ ଉନ୍ନତିକରଣ, ଋଷିକୂଲ୍ୟା ନଦୀ ପଠାରେ ହେବାକୁଥିବା ଅନ୍ୟାନ୍ୟ ଉନ୍ନତିକରଣ କାର୍ଯ୍ୟକ୍ରମ ୨୫ କୋଟି ଟଙ୍କା ବ୍ୟୟରେ କରାଯିବ । ଏହା ସହିତ ମନ୍ଦିର ସମେତ ଅନ୍ୟାନ୍ୟ କୋଠାବାଡି ରକ୍ଷଣାବେକ୍ଷଣ ନିମନ୍ତେ ୫ କୋଟି ଟଙ୍କା ସ୍ଥାୟୀଜମା ଆକାରରେ ରଖାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସୂଚାନଥାଉଯେ, ମା’ ତାରାତାରିଣୀ ପୀଠ ଭିତ୍ତିଭୂମି ବିକାଶ ପାଇଁ ସମୁଦାୟ ୬୮ କୋଟି ଟଙ୍କାର ଅର୍ଥ ମଂଜୁର ହୋଇଛି।

ଉକ୍ତ କାର୍ଯ୍ୟକ୍ରମରେ, ବାଣିଜ୍ୟ ଓ ପରିବହନ, ଇସ୍ପାତ ଓ ଖଣି ମନ୍ତ୍ରୀ, ଶ୍ରୀଯୁକ୍ତ ବିଭୂତି ଭୂଷଣ ଜେନା, ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀଯୁକ୍ତ ଗୋକୁଳାନନ୍ଦ ମଲ୍ଲିକ, ଚିକିଟି ବିଧାୟକ ଶ୍ରୀଯୁକ୍ତ ମନୋରଞ୍ଜନ ଦ୍ୟାନ ସାମନ୍ତରା, କବିସୂର୍ଯ୍ୟନଗର ବିଧାୟକ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ନାୟକ, ଛତ୍ରପୁର ବିଧାୟକ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ନାୟକ, ଖଲିକୋଟ ବିଧାୟକ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଓଡ଼ିଶାରେ ହେବ ଶକ୍ତି କରିଡ଼ର: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ଭୁବନେଶ୍ଵର: ଓଡ଼ିଶାରେ ହେବ ଶକ୍ତି କରିଡ଼ର। ଏହା ମାଧ୍ୟମରେ ରାଜ୍ୟରେ ରହିଥିବା ସମସ୍ତ ଶକ୍ତି ପୀଠକୁ ଯୋଡାଯିବ। ଏହି ଶକ୍ତି କରିଡ଼ର ସମ୍ପର୍କରେ ଖୁବଶିଘ୍ର ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯିବ ବୋଲି ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।

ଚୈତ୍ର ମାସର ଶେଷ ମଙ୍ଗଳବାରରେ ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଁ ତାରାତାରିଣୀଙ୍କ ଦର୍ଶନ କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଅପରାହ୍ନ ୧୧ଟା ସମୟରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସମେତ ଆଇନ ମନ୍ତ୍ରୀ ପୃଥିରାଜ ହରିଚନ୍ଦନ ମାଁ ତାରାତାରିଣୀଙ୍କ ପୀଠରେ ପହଞ୍ଚିଥିଲେ। ଉପ ମୁଖ୍ୟମନ୍ତ୍ରୀ ଓ ଆଇନ ମନ୍ତ୍ରୀଙ୍କୁ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ସମେତ ଗଞ୍ଜାମ ଜିଲ୍ଲାର ବହୁ ବିଧାୟକ ମାନେ ସ୍ବାଗତ କରିଥିଲେ। ଏହାପରେ ଉପ ମୁଖ୍ୟମନ୍ତ୍ରୀଙ୍କ ସମେତ ଆଇନ ମନ୍ତ୍ରୀ, ପରିବହନ ମନ୍ତ୍ରୀ, ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ମାଁ ତାରାତାରିଣୀଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ। ମନ୍ଦିରର ସେବାୟତ ପକ୍ଷରୁ ମଧ୍ୟ ସ୍ବତନ୍ତ୍ର ଭାବେ ପୂଜାର୍ଚ୍ଚନା କରାଯାଇଥିଲା।

ଚୈତ୍ର ମାସର ଶେଷ ମଙ୍ଗଳବାରରେ ମା’ଙ୍କୁ ଦୁର୍ଗାଙ୍କ ରୂପରେ ଦେଖି ଖୁସି ପ୍ରକାଶ କରିଥିଲେ ଉପ ମୁଖ୍ୟମନ୍ତ୍ରୀଙ୍କ ସମେତ ସମସ୍ତ ମନ୍ତ୍ରୀ। ମା’ଙ୍କୁ ଦର୍ଶନ କରିବା ପରେ ବେଢ଼ା ପରିକ୍ରମା କରିବା ସହ ମନ୍ଦିରରେ ହୋଇଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକୁ ବୁଲି ଦେଖିଥିଲେ। ମା’ଙ୍କ ନିକଟରେ ମୁଣ୍ଡିଆ ମାରି ଜଗତର କଲ୍ୟାଣ ନିମନ୍ତେ ସମସ୍ତେ ପ୍ରାର୍ଥନା କରିଥିଲେ। ଓଡ଼ିଶାରେ ଏକ ଶକ୍ତି କରିଡ଼ର କରାଯିବ। ଏଥିମଧ୍ୟରେ ରହିବେ ଗଞ୍ଜାମର ମାଁ ତାରାତାରିଣୀ, ମାଁ ବିରଜା, ମାଁ ଉଗ୍ରତାରା, ମାଁ ଭଗବତୀ, ମାଁ ମଙ୍ଗଳା, ମାଁ କାଳିଜାଇ, ମାଁ ଭୈରବୀଙ୍କୁ ଯୋଡ଼ି ଏକ ଶକ୍ତି କରିଡ଼ର ଘୋଷଣା କରିବୁ। ଜିଲ୍ଲା ସ୍ତରରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ମାଁ ତାରାତାରିଣୀ ପୀଠର ଉନ୍ନତି ପାଇଁ ୮ କୋଟି ଟଙ୍କା, ତପ୍ତପାଣିର ବିକାଶ ପାଇଁ ୧୧ କୋଟି ଟଙ୍କା ସହ ମାଁ ନାରାୟଣୀଙ୍କ ପୀଠର ଉନ୍ନତି ନିମନ୍ତେ ମଧ୍ୟ ଟଙ୍କା ପ୍ରଦାନ କରାଯାଇଛି। ସେହିକ୍ରମରେ ଜିଲ୍ଲାରେ ରହିଥିବା ସମସ୍ତ ପୀଠର ଉନ୍ନତି ନେଇ ଚଳିତ ବର୍ଷ ୬୦ କୋଟିରୁ ଉର୍ଦ୍ଧ୍ବ ଟଙ୍କା ପର୍ଯ୍ୟଟନ ବିଭାଗ ଏହି ଜିଲ୍ଲାକୁ ପ୍ରଦାନ କରାଯାଇଛି।

ଏହାବ୍ୟତୀତ ଶକ୍ତି କରିଡ଼ର ପାଇଁ ପର୍ଯ୍ୟଟନ ବିଭାଗ ଓ ପୂର୍ତ୍ତ ବିଭାଗ ମିଳିତ ଭାବେ ଏହି ଶକ୍ତି କରିଡ଼ରର ବିକାଶ କରିବ। ପୂଜା, ବରଦାନ ଓ ତପସ୍ୟା ପାଇଁ ଯଦି ଓଡ଼ିଶାର କେଉଁ କ୍ଷେତ୍ରକୁ ଲୋକେ ଆସିବେ ତେବେ ଏହି ଶକ୍ତି କରିଡ଼ରକୁ ଆସିବେ। ତେଣୁ ପର୍ଯ୍ୟଟକ ମାନଙ୍କ ଓ ସନାତନ ଧର୍ମର ଭକ୍ତ ମାନଙ୍କ ନିମନ୍ତେ ଏହି ଶକ୍ତି କରିଡ଼ରର ବଡ଼ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।

ଏହି ଶକ୍ତି କରିଡ଼ର ମାଧ୍ୟମରେ ଯେଉଁ ମାନେ ବାହାର ରାଜ୍ୟ ତଥା ଦେଶରୁ ଆସୁଥିବା ଶକ୍ତି ଆରାଧକ ମାନେ ଓଡ଼ିଶାର ପ୍ରସିଦ୍ଧ ଶକ୍ତିପୀଠ ସମ୍ପର୍କରେ ଜାଣିବା ସହ ତପସ୍ୟା ଠାରୁ ପୂଜା ଓ ଆରାଧନା କରିବାର ସୁଯୋଗ ପାଇପାରିବେ। ଏନେଇ ପର୍ଯ୍ୟଟନ ବିଭାଗ ନିଜର ଯୋଜନା ଆରମ୍ଭ କରିସାରିଛି। ଏହି ଅନୁସାରେ ପୂର୍ତ୍ତ ବିଭାଗ ମଧ୍ୟ ଐତିହ୍ୟର ବିକାଶ ପାଇଁ ବ୍ୟବସ୍ଥା କରୁଛି। ଏହି ସମସ୍ତ ଶକ୍ତି ପୀଠ ଗୁଡ଼ିକୁ ଆବଶ୍ୟକସ୍ଥଳେ ହେଲିକେପ୍ଟର ଯୋଗେ ସଂଯୋଗୀକରଣ ନେଇ ଯୋଜନା କରାଯିବ।

ଆସନ୍ତା ଦୁଇ ବର୍ଷ ମଧ୍ୟ ଏହି ଶକ୍ତି କରିଡ଼ରକୁ କାର୍ଯ୍ୟକ୍ଷମ କରିବା ନିମନ୍ତେ ଲକ୍ଷ୍ୟ ରଖାଯାଇଥିବା ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥିରାଜ ହରିଚନ୍ଦନ। ଉପ ମୁଖ୍ୟମନ୍ତ୍ରୀ ଓ ତିନି ମନ୍ତ୍ରୀଙ୍କ ସମେତ ଏହି ଗଞ୍ଜାମ ଜିଲ୍ଲାର ବହୁ ବିଧାୟକ ଓ ବିଧାୟିକା ମାନେ ଯୋଗ ଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଗଞ୍ଜାମରେ ସୁରତ ଓଡିଆ ଟେକ୍ସଟାଇଲ୍ ଶିଳ୍ପ ପାର୍କ ନିର୍ମାଣ ପାଇଁ ଆଲୋଚନା 

ଛତ୍ରପୁର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ସାମନ୍ତପଲ୍ଲୀ ଠାରେ ମା’ ତାରାତାରିଣୀ ଟେକ୍ସଟାଇଲ୍ ସହଯୋଗରେ ସୁରତ ଓଡିଆ ଟେକ୍ସଟାଇଲ୍ ଶିଳ୍ପ ପାର୍କ ନିର୍ମାଣ ପାଇଁ ଶିଳ୍ପଦ୍ୟୋଗୀଙ୍କ ମଧ୍ୟରେ ଆଲୋଚନା ହୋଇଛି। ଗଞ୍ଜାମ ଜିଲ୍ଲାର ଟେକ୍ସଟାଇଲ୍ ଶିଳ୍ପଦ୍ୟୋଗୀମାନଙ୍କ ମଧ୍ୟରୁ ସିତାରାମ ପାଣିଗ୍ରାହୀ, ଶିଶିର ପାଣିଗ୍ରାହୀ, ରାଧାଶ୍ୟାମ ପାଣିଗ୍ରାହୀ, ଜିତେନ୍ଦ୍ର ପାଣିଗ୍ରାହୀ ଓ ନିରଞ୍ଜନ ମହାରଣା ଏକ ପ୍ରତିନିଧି ଦଳ ସୁରତ ଗସ୍ତ କରି ସେଠାକାର ଓଡିଆ ଟେକ୍ସଟାଇଲ୍ ଶିଳ୍ପ ଦ୍ୟୋଗୀଙ୍କ ସହିତ ଆଲୋଚନା କରିଛନ୍ତି।

ଓଡିଶା ଗଞ୍ଜାମ କବିସୂର୍ଯ୍ୟନଗର ସାମନ୍ତପଲ୍ଲୀ ଗ୍ରାମ ଠାରେ ମା ତାରାତାରିଣୀ ଟେକ୍ସଟାଇଲ୍ ଅଧୀନରେ ୫୦୦ ଶହ ଭରଣ ଜମି ରହିଛି। ଗୁଜରାଟର ସୁରତ ମଡେଲର ବିଭିନ୍ନ ନୂତନ ବୟନ ଶିଳ୍ପସ୍ଥାପନ କରିବା ପାଇଁ ସହମତି ଜଣାଇଛନ୍ତି। ଭବିଷ୍ୟତରେ ଓଡିଶାକୁ ମଧ୍ୟ ଏକ ଟେକ୍ସଟାଇଲ୍ ହବ୍ କରିବା ପାଇଁ ଓଡିଶା ସରକାର ଓ କେନ୍ଦ୍ର ସରକାରଙ୍କ ତରଫରୁ ସମସ୍ତ ପ୍ରକାର ସହଯୋଗ ଲୋଡାଯିବାକୁ ଆଲୋଚନା ବୈଠକରେ ସ୍ଥିର ହୋଇଥିଲା।

ଗଞ୍ଜାମ ଜିଲ୍ଲାର ଟେକ୍ସଟାଇଲ୍ ଶିଳ୍ପଦ୍ୟୋଗୀ ଓ ସୁରତ ଓଡିଆ ଟେକ୍ସଟାଇଲ୍ ଶିଳ୍ପଦ୍ୟୋଗୀ ମିଳିତ ଭାବେ ଖୁବ୍ ଶୀଘ୍ର ଓଡିଶା ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷତ କରି ଆଲୋଚନା କରିବେ ବୋଲି ନିଷ୍ପତି ନିଆଯାଇଛି। ସୁରତ ଓଡିଆ ଟେକ୍ସଟାଇଲ୍ ଶିଳ୍ପଦ୍ୟୋଗୀ ମୁକେନ୍ଦ୍ର ଦେଓ, ଅଭିମନ୍ୟୁ ଜେନା, ଶ୍ରୀକାନ୍ତ ରାଉତ, ମନୋଜ ପାଢୀ, ଅଭିମନ୍ୟୁ ମଣ୍ଡଳ, ସୁଦର୍ଶନ ଜେନା, ପର୍ଶୁରାମ ନାହାକ, କବିରାଜ ନାହାକ, ଭାବଗ୍ରାହୀ ପଣ୍ଡା, ପ୍ରଦୀପ ଦଳାଇ ଓ ବିରେନ୍ ସ୍ୱାଇଁ ପ୍ରମୁଖ ଆଲୋଚନାରେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ମାଁ ତାରାତାରିଣୀଙ୍କ ପୀଠରୁ ଚୋରି ମାମଲା: ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ର ତଦାରଖ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଜାତୀୟ ସ୍ତରରେ ପ୍ରସିଦ୍ଧ ତଥା ଗଞ୍ଜାମ ଜିଲ୍ଲାର ଇଷ୍ଟ ଦେବୀ ଆଦି ଶକ୍ତି ମାଁ ତାରାତାରିଣୀଙ୍କ ପୀଠରୁ ଚୋରି ହୋଇଥିବା ଘଟଣାକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବ୍ରହ୍ମପୁର ପୂର୍ବତନ ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁର ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡା ଓ ଖଲ୍ଲିକୋଟ ପୂର୍ବତନ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ ଓ ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ଚ୍ୟାଉ ପଟନାୟକଙ୍କୁ ନେଇ ଅନୁଷ୍ଠିତ ହୋଇଥିବା ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ମାଁ ତାରାତାରିଣୀ ମନ୍ଦିର ଯାଇ ତଦାରଖ କରିଛନ୍ତି।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର

ଆଜି ମା ତାରାତାରିଣୀ ମନ୍ଦିର ଯିବେ ମୁଖ୍ୟମନ୍ତ୍ରୀ, ତା ପର୍ବରୁ ମୁଖ୍ୟଶାସନ ସଚିବ, 5ଟି ସଚିବଙ୍କ ଅନୁଧ୍ୟାନ

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାର ପ୍ରସିଦ୍ଧ ଗଂଜାମର ମା ତାରାତାରିଣୀ ମନ୍ଦିର ଗସ୍ତ କରିବେ। ସେ ସେଠାରେ ଚାଲିଥିବା ପ୍ରତିଷ୍ଠା ଉତ୍ସବରେ ଯୋଗେଦେବେ। ରାଜ୍ୟ ସରକାର ମାଙ୍କ ମନ୍ଦିର ଉନ୍ନୟନ କାର୍ଯ୍ୟ କରିଛନ୍ତି। ଏହି ନୂତନ ପ୍ରକଳ୍ପର ପ୍ରତିଷ୍ଠା ଦୁଇଦିନ ତଳେ ଆରମ୍ଭ କରାଯାଇଛି।

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏବଂ 5ଟି ସଚିବ ଭି କେ ପାଣ୍ଡିୟାନ ମାଙ୍କ ପିଠ ତଦାରଖ କରିଛନ୍ତି। ମୁଖ୍ୟମନ୍ତ୍ରୀ ଯାଉଥିବାର ପ୍ରବଳ ଜନସମାଗମ ହେବାର ସମ୍ଭାବନା ରହିଛି। ସେଥିପାଇଁ ସୁରକ୍ଷା ବ୍ୟବସ୍ଥା ତଦାରଖ କରିଥିଲେ। ସେହିପରି ଏହି ଦଳ ମାଙ୍କ ମନ୍ଦିରରେ ପୂଜାଅର୍ଚ୍ଚନା କରି ବିଭିନ୍ନ ବିକାଶ କାର୍ଯ୍ୟ ତଦାରଖ କରିଥିଲେ।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର

ମା ତାରାତାରିିଣୀ ପିଠକୁ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଗଂଜାମର ପ୍ରସିଦ୍ଧ ତାରା ତାରିଣୀ ପିଠକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗସ୍ତ କରିବେ। ଆସନ୍ତା 18 ତାରିଖରେ ସେ ଏହି ମନ୍ଦିର ଗସ୍ତ କରି ସେଠାରେ ହେଉଥିବା ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ। ଗଂଜାମର ଏହି ମନ୍ଦିରର ଉନ୍ନତି କରଣ ପାଇଁ ରାଜ୍ୟ ସରକାର ଅନୁଦାନ ପ୍ରଦାନ କରିଛନ୍ତି। ଦୀର୍ଘ ବର୍ଷ ଧରି ଏହାର ନବୀକରଣ ପରେ ବର୍ତ୍ତମାନ କାର୍ଯ୍ୟ ଶେଷ ହୋଇଛି।

ମନ୍ଦିରର ନବୀକରଣ ଉତ୍ସବ ପାଇଁ ସେଠାରେ ଆରମ୍ଭ ହୋଇଛି ଛଅ ଦିନିଆ ପ୍ରତିଷ୍ଠା ଉତ୍ସବ। ଏହି ଉତ୍ସବ ଆସନ୍ତାକାଲି ସଂକ୍ରାନ୍ତିରୁ ଆରମ୍ଭ କରାଯାଉଛି। ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ଯୋଗ ଦେବା ପାଇଁ 18 ତାରିଖରେ ଗଂଜାମ ଗସ୍ତ କରିବେ।

Categories
ବିଶେଷ ଖବର ରାଜ୍ୟ ଖବର

ଶେଷରେ ଶିଳ୍ପୀ ଦିଲୀପ ମହାରଣାଙ୍କ ଆଶା ପୂରଣ ହେଲା, ମୁଖ୍ୟମନ୍ତ୍ରୀଙ୍କୁ ଦେଲେ କାଠର କ୍ଷୁଦ୍ର କଳାକୃତି

ବ୍ରହ୍ମପୁର: କ୍ଷୁଦ୍ରକାଷ୍ଠ ଶିଳ୍ପୀ ଦିଲୀପ ମହାରଣା ତାଙ୍କର ଅନନ୍ୟ କଳାକୃତି ମା ତାରା ତାରିଣୀଙ୍କର କ୍ଷୁଦ୍ରତମ ମନ୍ଦିର ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରିଛନ୍ତି। ଦିଲୀପ ନବୀନ ନିବାସ ଯାଇ ସେଠାରେ ସେ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କର ଏହି କଳାକୃତି ପ୍ରଦାନ କରିଛନ୍ତି।

ଆଜି ମା ତାରାତାରିଣୀଙ୍କର ଚୈତ୍ର ମାସ ତୃତୀୟ ମଙ୍ଗଳବାର ପରିପ୍ରେକ୍ଷୀରେ ଏହି କାଷ୍ଠ ନିର୍ମିତ କ୍ଷୁଦ୍ର କଳାକୃତି ମୁଖ୍ୟମନ୍ତ୍ରୀଙ୍କର ବ୍ୟକ୍ତିଗତ କାର୍ଯ୍ୟାଳୟରେ ଶୋଭା ବର୍ଦ୍ଧନ କରିବ। ଦୁଇଦିନ ତଳେ ବ୍ରହ୍ମପୁର ସହରର କ୍ଷୁଦ୍ର କାଷ୍ଠ ଶିଳ୍ପୀ ଦିଲିପ ମହାରଣା ଏହି 4 ଇଞ୍ଚ ବିଶିଷ୍ଟ ଅନନ୍ୟ କଳାକୃତି କରି ସାରା ଓଡ଼ିଶା ରେ ଚହଳ ସୃଷ୍ଟି କରିଥିଲେ। ଗଣମାଧ୍ୟମ ଓ ସାମାଜିକ ଗଣାଧ୍ୟମ ର ବହୁଳ ପ୍ରଚାର ପ୍ରସାର ପରେ ଗଞ୍ଜାମ ଜିଲ୍ଲାପାଳଙ୍କର ପ୍ରଚେଷ୍ଟା ଓ ସହଯୋଗ ଯୋଗୁଁ ମୁଖ୍ୟମନ୍ତ୍ରୀ ଙ୍କ କାର୍ଯ୍ୟାଳୟ ତରଫରୁ ଡାକରା ଆସିଥିଲା।

ପଢନ୍ତୁ: କାଠରେ ମାତ୍ର ଚାରି ଇଞ୍ଚ ଉଚ୍ଚତାର ମା ତାରା ତାରିଣୀ ମନ୍ଦିର ନିର୍ମାଣ କରି ଚର୍ଚ୍ଚାରେ ଦିଲୀପ

ଆଜି ମୁଖ୍ୟମନ୍ତ୍ରୀଙ୍କ ନବୀନ ନିବାସ ରେ ପହଞ୍ଚି ଏହି କଳାକୃତିକୁ ସେ ଉପହାର ସ୍ବରୂପ ପ୍ରଦାନ କରିଥିଲେ । ଏହାକୁ ଦେଖି ମୁଖ୍ୟମନ୍ତ୍ରୀ ଖୁସି ପ୍ରକଟ କରିବା ସହ ବହୁପ୍ରଂସଶା ମଧ୍ୟ କରିଥିଲେ। ଭବିଷ୍ୟତରେ ସେ ଏହିପରି ଆହୁରି ଅନେକ କଳାକୃତି କରି ରାଜ୍ୟ ଏବଂ ଗଞ୍ଜାମ ପାଇଁ ଗୌରବ ଆଣିବା ପାଇଁ ଶୁଭେଛା ଜଣାଇଥିଲେ ।

ଏହାର ପ୍ରତିବଦଳରେ ଉପହାର ସ୍ବରୂପ ମୁଖ୍ୟମନ୍ତ୍ରୀ ହକି ଇଣ୍ଡିଆର ଜର୍ସି ଓ 10 ହଜାର ଟଙ୍କା  ପୁରସ୍କାର ଦେଇଥିଲେ।ଏହି ପରିପ୍ରେକ୍ଷୀରେ ରେ ଦିଲୀପ ଙ୍କ ସହ ବାପା ଭଗବାନ ମହାରଣା ଏବଂ ତାଙ୍କ ମାମୁଁ ବସ୍ତୁବିତ୍ ସନ୍ୟାସୀ ମହାରଣା ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି କାର୍ତ୍ତିକେୟନ ପଣ୍ଡିଆନ ମଧ୍ୟ ଉପସ୍ଥିତ ରହି ଏହି କଳାକୃତି ର ଉଚ୍ଚ ପ୍ରଶଂସା କରିଥିଲେ। ଆଗାମୀ ଦିନ ମାନଙ୍କରେ ଜିଲ୍ଲା ପ୍ରଶାସନ ସହ ଯୋଗଯୋଗ କରି ଉଚ୍ଚ ଶିକ୍ଷା ପାଇଁ ସରକାରଙ୍କ ପକ୍ଷରୁ ଆବଶ୍ୟକୀୟ ସହଯୋଗ ଯୋଗାଇଦେବା ପାଇ ପ୍ରତିଶୁତି ଦେଇଥିଲେ।