Categories
ବିଶେଷ ଖବର ରାଜ୍ୟ ଖବର

ନିଜ ଜିଲ୍ଲା ଗସ୍ତରେରେ ମୁଖ୍ୟମନ୍ତ୍ରୀ: କହିଲେ, କେନ୍ଦୁଝରକୁ ସୁନାର କେନ୍ଦୁଝର କରିବା ପାଇଁ ପାଇଁ ନିଆଯିବ ପଦକ୍ଷେପ

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ଆଜି ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଇଦିନିଆ କେନ୍ଦୁଝର ଗସ୍ତ ରେ ଆସିଛନ୍ତି। ପ୍ରଥମେ ଘଟଗାଁ ଠାରେ ମା ତାରିଣୀ ଙ୍କ ଆଶିର୍ବାଦ କାର୍ଯ୍ୟକ୍ରମ ରହିଥିଲା। ଘଟଗାଁ ହାଇସ୍କୁଲ ପଡିଆ ରେ ବୁଲି ବୁଲି ଲୋକଙ୍କ ସହ ମିଶିଥିଲେ।

ସେଠାରୁ ଜନସାଧାରଣ ଏକ ବିଶାଳ ରୋଡ ସୋ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କୁ ମନ୍ଦିର ପର୍ଯ୍ୟନ୍ତ ପାଛୋଟି ନେଇଥିଲେ। ରାସ୍ତା ର ଉଭୟ ପାର୍ଶ୍ଵ ରେ ହଜାର ହଜାର ଜନତା ଫୁଲ ପକାଇ ମୁଖ୍ୟମନ୍ତ୍ରୀ ଙ୍କୁ ଜିଲ୍ଲା କୁ ସ୍ୱାଗତ କରିଥଲେ। ଗାଡି ଆଗରେ ଏବଂ ପଛରେ ଚାଲିଥିଲେ ହଜାର ହଜାର ଜନତା। ମୋହନ ମାଝୀ ଜିନ୍ଦାବାଦ ନାରା ରେ ପ୍ରକମ୍ପିତ ହେଉଥିଲା ମୁଖ୍ୟମନ୍ତ୍ରୀ ଙ୍କ ଶୋଭାଯାତ୍ରା।

ସାଧାରଣ ଲୋକ ଙ୍କ ଭାବାବେଗ ଓ ଉତ୍ସାହ ପ୍ରମାଣିତ କରୁଥିଲା ମୋହନ ମାଝୀ ହେଉଛନ୍ତି ଲୋକଙ୍କ ମୁଖ୍ୟମନ୍ତ୍ରୀ।

ମୁଖ୍ୟମନ୍ତ୍ରୀ ମା ତାରିଣୀ ଙ୍କ ମନ୍ଦିର ଯାଇ ପୂଜାର୍ଚ୍ଚନା କରି ମା ଙ୍କ ଆଶିର୍ବାଦ ନେଇଥିଲେ। ମନ୍ଦିର ପରିସର ରେ ସମାଜ ସେବୀ ଭୀମସେନ ରାଉତ ଓ ରାଜା ଗୋବିନ୍ଦ ଭଞ୍ଜ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ମନ୍ଦିର ବାହାରେ ଏକ ସାଧାରଣ ଲୋକ ପରି ନଡ଼ିଆ କୋରା, ମା ଙ୍କ ଫଟୋ ଓ ଭୋଗ ସାମଗ୍ରୀ ନିଜେ ପଇସା ଦେଇ କିଣିଥିଲେ। ଦୋକାନୀ ଅଧିର ଦାସ ଙ୍କ ଭଲ ମନ୍ଦ ପଚାରି ବୁଝି ଥିଲେ। ଅଧିର ଦାସ ମୁଖ୍ୟମନ୍ତ୍ରୀଙ୍କୁ ପାଖରେ ପାଇ ଆଶ୍ଚର୍ଯ୍ୟ ହୋଇଯାଇ ଥିଲେ ଏବଂ କହିଥିଲେ ମୋ ଭଳି ଗୋଟେ ସାଧାରଣ ଲୋକ ଓ ଏକ ସାଧାରଣ ଦୋକାନ କୁ ମୁଖ୍ୟମନ୍ତ୍ରୀ ଆସିବେ ବୋଲି ମୁଁ କେବେ କଳ୍ପନା କରି ନଥିଲି।

ଲୋକଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଏତେ ସାଧାରଣ ଭାବରେ ମିଶିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରୁଥାଏ। ରୋଡ ସୋ ରେ ଏବଂ ମନ୍ଦିର ପାଖରେ ଲୋକଙ୍କ ଅଭିଯୋଗ ପତ୍ର ମଧ୍ୟ
ଗ୍ରହଣ କରୁଥାନ୍ତି ମୁଖ୍ୟମନ୍ତ୍ରୀ।

ମାଙ୍କ ଦର୍ଶନ ସାରି ଫେରିବା ବେଳେ ଗଣମାଧ୍ୟମ କୁ ପ୍ରତିକ୍ରିୟା ରଖି ମୁଖ୍ୟମନ୍ତ୍ରୀ କହିଲେ ଯେ, ପୂର୍ବ ସରକାର ର ମୁଖ୍ୟମନ୍ତ୍ରୀ ଲୋକଙ୍କ ସହ ମିଶୁନଥିଲେ, ମୁ ଗୋଟେ ସାଧାରଣ ଗରିବ ଘରୁ ଆସିଛି, ସରପଞ୍ଚ ଭାବେ ରାଜନୈତିକ ଯାତ୍ରା ଆରମ୍ଭ କରି ଆଜି ମୁଖ୍ୟମନ୍ତ୍ରୀ ହୋଇଛି ତେଣୁ ଗରିବଙ୍କୁ ଚିହ୍ନିବା ଓ ଗରିବର ସମସ୍ୟା ଜାଣିବାରେ ମୋର ଅସୁବିଧା ନାହିଁ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ଯ କହିଥିଲେ ଯେ, ରାଜ୍ୟ ସରକାରଙ୍କ ପକ୍ଷରୁ ଘଟଗାଁକୁ ସ୍ଵତନ୍ତ୍ର ପର୍ଯ୍ୟଟନ କ୍ଷେତ୍ର ମାନ୍ୟତା ଦିଆଯିବା ସହିତ ଜାତୀୟ ପର୍ଯ୍ୟଟନ କ୍ଷେତ୍ର ର ମାନ୍ୟତା ପାଇଁ କେନ୍ଦ୍ର ସରକାର ଙ୍କୁ ଅନୁରୋଧ କରାଯିବ। ଏବେ ମା ଙ୍କ ମନ୍ଦିର ବିକାଶ ପାଇଁ ୫୦ କୋଟି ଟଙ୍କା ର କାମ ଚାଲିଛି। ଏହା ପର୍ଯ୍ୟାପ୍ତ ନୁହେଁ, ମା ଙ୍କ ମନ୍ଦିର ପାଇଁ ମୁଖ୍ୟମନ୍ତ୍ରୀ ଆଉ ୫୦ କୋଟି ର ଅନୁଦାନ ଘୋଷଣା କରିଥଲେ। ଏବେ ୧୦୦ କୋଟି ଟଙ୍କା ରେ ମା ଙ୍କ ମନ୍ଦିର ବିକାଶ କାମ ଚାଲିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସେ ଆହୁରି ମଧ୍ଯ କହିଲେ ଯେ, ଖଣି ଖାଦାନ, ବୈତରଣୀ ଓ ମା ତାରିଣୀ ଙ୍କ ଆଶିର୍ବାଦ କେନ୍ଦୁଝର କୁ ସମୃଦ୍ଧ କରିଛି। ଆଗାମୀ ଦିନରେ ରାଜ୍ୟ ସରକାର ଙ୍କ ପ୍ରଚେଷ୍ଟା ରେ କେନ୍ଦୁଝର ହେବ ସୁନାର କେନ୍ଦୁଝର ବୋଲି ସେ କହିଥିଲେ।

Categories
ବିଶେଷ ଖବର

5ଟି ସଚିବଙ୍କ କେନ୍ଦୁଝର ଗସ୍ତର ଦ୍ୱିତୀୟ ଦିନ: ନୂଆ ରୂପରେ ଝଲସିବ ଘଟଗାଁ ମା’ ତାରିଣୀ ପୀଠ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ କେନ୍ଦୁଝର ଜିଲ୍ଲା ଗସ୍ତରେ ଥିବା 5ଟି ସଚିବ ଭି କେ ପାଣ୍ଡିଆନ ଆଜି ଦ୍ୱିତୀୟ ଦିନରେ ଘଟଗାଁ, ହରିଚନ୍ଦନପୁର, ବାଂଶପାଳ, ହାଟଡିହି, କେନ୍ଦୁଝର ଓ ଆନନ୍ଦପୁର ପୌରପାଳିକା ଅନ୍ତର୍ଗତ ବିଭିନ୍ନ ସ୍ଥାନ ଗସ୍ତକରି ବିକାଶମୂଳକ କାର୍ଯ୍ୟର ଅଗ୍ରଗତି ଦେଖିବା ସହ ବହୁ ପ୍ରକଳ୍ପର ସମୀକ୍ଷା କରିଛନ୍ତି।

ଏଥିସହ ବିଭିନ୍ନ ଆଧ୍ୟାତ୍ମିକସ୍ଥଳୀ ଗସ୍ତକରି ସେଠାକାର ଉନ୍ନତୀକରଣ ବାବଦରେ ଆଲୋଚନା କରିବା ସହ ସ୍ଥାନୀୟ ଜନସାଧାରଣଙ୍କ ଅଭିଯୋଗ ଶୁଣିଛନ୍ତି। ମିଶନ ଶକ୍ତି ଏସଏଚଜି ସଦସ୍ୟ, କୃଷକ, ବୁଦ୍ଧିଜୀବୀ ଓ ବିଭିନ୍ନ ସଂଗଠନର ସଦସ୍ୟଙ୍କ ସହ ଆଲୋଚନା କରିଛନ୍ତି 5ଟି ସଚିବ।

ଆଜି ପ୍ରଥମେ କେନ୍ଦୁଝର ପୌରପାଳିକା ଅନ୍ତର୍ଗତ ସିଦ୍ଧମଠ ପରିଦର୍ଶନରେ ଯାଇଥିଲେ 5ଟି ସଚିବ। ସେଠାରେ ବିଭିନ୍ନ ମନ୍ଦିରରେ ଦେବାଦେବୀଙ୍କ ଦର୍ଶନ କରିବା ସାଙ୍ଗକୁ ପୂଜାର୍ଚ୍ଚନା କରିଥିଲେ। ଏହି ଅବସରରେ ସେ ସିଦ୍ଧମଠର ପାରିପାର୍ଶ୍ୱିକ ବିକାଶ ସମ୍ପର୍କରେ ମନ୍ଦିର କମିଟି ସଦସ୍ୟ, ପୂଜକ ଓ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ। ଖୁବଶୀଘ୍ର ଏହି ପୀଠର ରୂପରେଖ ବଦଳିବ ବୋଲି 5ଟି ସଚିବ ସୁଚନା ଦେଇଥିଲେ।

ଏହାପରେ ଶଙ୍କରପୁର ସ୍ଥିତ ଧରଣୀଧର କ୍ରୀଡ଼ା କମ୍ପ୍ଲେକ୍ସ ଯାଇ ବିଭିନ୍ନ ନୂଆ ନିର୍ମାଣ ସବୁ ବୁଲି ଦେଖିଥିଲେ 5ଟି ସଚିବ। ଫୁଟବଲ ଗ୍ରାଉଣ୍ଡ, ଆଥଲେଟିକ ଗ୍ରାଉଣ୍ଡ, ଇଣ୍ଡୋର ବ୍ୟାଡ଼ମିଣ୍ଟନ କୋର୍ଟ, ଆର୍ଚେରି ଗ୍ରାଉଣ୍ଡ ଏବଂ ଇଣ୍ଡୋର ଜିମ୍ ପରିଦର୍ଶନ କରିବା ସାଙ୍ଗକୁ ଉପସ୍ଥିତ ଖେଳାଳିମାନଙ୍କର ସହ ଆଲୋଚନା କରିଥିଲେ। ସମସ୍ତଙ୍କୁ ଉନ୍ନତମାନର ତାଲିମ୍, ଖାଦ୍ୟପେୟ ଓ ହଷ୍ଟେଲ ସୁବିଧା ମିଳୁଥିବା ଜାଣି 5ଟି ସଚିବ ସନ୍ତୋଷ ବ୍ୟକ୍ତ କରିଥିଲେ। କ୍ୟାମ୍ପସରେ ବୃକ୍ଷରୋପଣ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଥିଲେ।

ସେଠାରୁ ସିଧା ଘଟଗାଁ ଗସ୍ତ କରିଥିଲେ 5ଟି ସଚିବ। ଘଟଗାଁରେ ପହଞ୍ଚିବା ପରେ ପ୍ରଥମେ ମା ତାରିଣୀଙ୍କ ପୀଠକୁ ଯାଇ ଦର୍ଶନ କରିବା ସହ ଆଶୀର୍ବାଦ ଭିକ୍ଷା କରିଥିଲେ। ମନ୍ଦିର ପରିଚାଳନା କମିଟି ଓ ଦେହୁରୀ ସେବାୟତଙ୍କ ସହ ଆଲୋଚନା କରି ଖୁବଶୀଘ୍ର ମା’ଙ୍କର ପୀଠର ବିକାଶ କାମ ହାତକୁ ନିଆଯାଇ ଏହାର ରୁପାନ୍ତର କରାଯିବ ବୋଲି କହିଥିଲେ।

ତା’ପରେ ସ୍ଥାନୀୟ ମିନି ଷ୍ଟାଡିୟମ ଠାରେ କୃଷକ, ମିଶନ ଶକ୍ତି ମହିଳା ଓ ସ୍ଥାନୀୟ ଜନସାଧାରଣଙ୍କ ବିଶାଳ ସମାବେଶକୁ ସମ୍ବୋଧିତ କରିଥିଲେ 5ଟି ସଚିବ। ଏହି ଅବସରରେ ସମସ୍ତଙ୍କ ଆଗରେ ସେ ନିଜ ଚାକିରି ଜୀବନର ପୁରୁଣା ସ୍ମୃତିକୁ ସାଉଣ୍ଟିଥିଲେ। ଓଡ଼ିଶା କ୍ୟାଡରରେ ଯୋଗଦେବାପରେ ସେ କିଭଳି କେନ୍ଦୁଝର ଜିଲ୍ଲାରେ ପ୍ରଥମ ପୋଷ୍ଟିଂ ପାଇଥିଲେ ଏବଂ ପ୍ରଥମ କରି କିଭଳି ମା’ ତାରିଣୀଙ୍କ ଦର୍ଶନ ପାଇଁ ଆସିଥିଲେ, ସେ କଥା ବର୍ଣ୍ଣନା କରି ଥିଲେ। ଏଥିସହ ପୁରୀ ଶ୍ରୀମନ୍ଦିର, ତାରା ତାରିଣୀ ଓ ସମଲେଇ ପୀଠ ଭଳି ଘଟଗାଁରେ ମଧ୍ୟ ମା ତାରିଣୀଙ୍କ ପୀଠର ବିକାଶ କରାଯିବ।

ସେହିଭଳି ଗୁଣ୍ଡିଚାଘାଗି ଜଳପ୍ରପାତର ମଧ୍ୟ ଉନ୍ନତିକରଣ ହେବ। ଆଗାମୀ 500 ବର୍ଷକୁ ଆଖିରେ ରଖି ଭିତ୍ତିଭୂମି ନିର୍ମାଣ ହେବ ଏବଂ କାର୍ଯ୍ୟ ଆରମ୍ଭ ହେବାର 6 ମାସ ମଧ୍ୟରେ ଏହାକୁ ଶେଷ କରାଯିବ। ଏଥିପାଇଁ ସେ ସ୍ଥାନୀୟ ଅଞ୍ଚଳବାସୀଙ୍କ ସହଯୋଗ କାମନା କରିଥିଲେ।

ଏହାପରେ ଶ୍ରୀ ପାଣ୍ଡିଆନ ବାଂଶପାଳ ବ୍ଲକ ଅନ୍ତର୍ଗତ ଗୋନାସିକା ଅଭିମୂଖେ ବାହାରିଥିଲେ। ସେଠାରେ ଜୁଆଙ୍ଗ ପିଲାଙ୍କ ପାଇଁ ଏସସି, ଏସଟି ବିକାଶ ବିଭାଗ ଅଧିନରେ କାର୍ଯ୍ୟ କରୁଥିବା ଶିକ୍ଷାନିକେତନ ଓ ଏହା ଅନ୍ତର୍ଗତ ବାଳିକା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଥିଲେ। ସ୍କୁଲରେ 5ଟି ରୁପାନ୍ତର ଦେଖି ଖୁସି ହେବାସହ ସେ ଏନେଇ ପିଲାମାନଙ୍କ ସହ ଅଧିକ ଆଲୋଚନା କରିଥିଲେ। ଖୁବଶୀଘ୍ର ଏହି ଶିକ୍ଷାନିକେତନରେ ଯୁକ୍ତଦୁଇ ପାଠ୍ୟକ୍ରମ ଆରମ୍ଭ ହେବବୋଲି 5ଟି ସଚିବ ପ୍ରକାଶ କରିଛନ୍ତି।

ପରେ, ବୈତରଣୀ ନଦୀର ଉତ୍ପତିସ୍ଥଳ ତଥା ଗୁପ୍ତଗଙ୍ଗା ସ୍ଥଳୀ ପରିଦର୍ଶନ କରି ଏହାର ବିକାଶ ଦିଗରେ ଉପସ୍ଥିତ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ 5ଟି ସଚିବ। ଏନେଇ ସବିଶେଷ ପ୍ରକଳ୍ପ ରିପୋର୍ଟ (ଡିପିଆର) ପ୍ରସ୍ତୁତ କରିବାକୁ ସେ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଥିଲେ।

ସେଠାରୁ ପ୍ରସିଦ୍ଧ ଶୈବପୀଠ ବ୍ରହ୍ମେଶ୍ୱର ମନ୍ଦିର ଯାଇ ପୂଜାର୍ଚ୍ଚନା କରିବା ସହ ମନ୍ଦିର ଏବଂ ପାରିପାର୍ଶ୍ୱିକ ବିକାଶ କାମ ଖୁବଶୀଘ୍ର କରାଯିବ ବୋଲି କହିଥିଲେ 5ଟି ସଚିବ। ସେହିଠାରେ କୃଷକ, ମିଶନ ଶକ୍ତି ମହିଳା ଓ ସ୍ଥାନୀୟ ଲୋକଙ୍କ ଏକ ସମାବେଶକୁ ମଧ୍ୟ ସମ୍ବୋଧିତ କରିଥିଲେ। ଅଞ୍ଚଳବାସୀଙ୍କ ସମସ୍ତ ଦାବି ସେ ମୁଖ୍ୟମନ୍ତ୍ରୀଙ୍କ ନଜରକୁ ଆଣିବେ ଏବଂ ସରକାରୀ ବିଧି ବ୍ୟବସ୍ଥା ଆଧାରରେ ସେ ସବୁ ପୂରଣ ହେବ ବୋଲି ସଚିବ ଉପସ୍ଥିତ ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ।

ସେଠାରୁ ଶ୍ରୀ ପାଣ୍ଡିଆନ ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ କୁସୁମଯୋଡ଼ି ଯାଇ ସ୍ଥାନୀୟ ମହିଳା କୃଷକ ବଜାର ପରିଦର୍ଶନ କରିଥିଲେ। କୃଷି ଉତ୍ପାଦନ କ୍ଲଷ୍ଟର(ଏପିସି) କାର୍ଯ୍ୟକ୍ରମ ମାଧ୍ୟମରେ କିଭଳି ମହିଳା ଚାଷୀମାନେ ଲାଭାନ୍ୱିତ ହୋଇପାରିଛନ୍ତି ସେସବୁ ଦେଖି ସେ ଖୁସିବ୍ୟକ୍ତ କରିଥିଲେ ଏବଂ ସବୁବେଳେ ସେମାନଙ୍କ ସହଯୋଗ ପାଇଁ ରାଜ୍ୟ ସରକାର ତତ୍ପର ଅଛନ୍ତି ବୋଲି ଆଶ୍ଵାସନା ଦେଇ ଥିଲେ। ଏହାପରେ ସେ ବଘାମୁଣ୍ଡା ସ୍ଥିତ ଟସର ସିଲ୍କ ପାର୍କ ଅଭିମୂଖେ ବାହାରିଥିଲେ। ସେଠାରେ ସେ ମହିଳାମାନେ କିଭଳି ବିଭିନ୍ନ ଯନ୍ତ୍ରପାତି ବ୍ୟବହାର କରି ଟସର ସିଲ୍କରୁ ବିଭିନ୍ନ ଦ୍ରବ୍ୟ ପ୍ରସ୍ତୁତ କରୁଛନ୍ତି, ସେ ସବୁ ଦେଖିଥିଲେ। ସେଣ୍ଟରଟିର କାର୍ଯ୍ୟପ୍ରଣାଳୀ ଉପରେ ପଚାରି ବୁଝିବା ସହ ପ୍ରସ୍ତୁତ ଦେଉଥିବା ସମସ୍ତ ଦ୍ରବ୍ୟର ବ୍ରାଣ୍ଡିଂ ଓ ମାର୍କେଟିଂ ଲାଗି ରାଜ୍ୟ ସରକାର ସହାୟତା ଯୋଗାଇଦେବେ ବୋଲି 5ଟି ସଚିବ କହିଥିଲେ। ଏହି ଅବସରରେ ସେ ସ୍ଥାନୀୟ ଲୋକଙ୍କ ଦାବି ମୁତାବକ ସିତାବିଞ୍ଜି ମନ୍ଦିରର ବିକାଶ କାମ ମଧ୍ୟ ହାତକୁ ନିଆଯିବ ବୋଲି ପ୍ରକାଶ କରିଛନ୍ତି।

କାର୍ଯ୍ୟକ୍ରମ ଜାରିରଖି, 5ଟି ସଚିବ ପରେ ହାଟଡିହି ବ୍ଲକ ଅନ୍ତର୍ଗତ ସୁନ୍ଦରପାଳ ଠାରେ ପହଞ୍ଚିଥିଲେ। ସେଠାରେ ସେ ବହୁସଂଖ୍ୟାରେ ଏକତ୍ରିତ ହୋଇଥିବା ମହିଳା, ଚାଷୀ ଓ ବିଭିନ୍ନ ବର୍ଗର ଲୋକଙ୍କ ସହ ବାର୍ତ୍ତାଳାପରେ ସାମିଲ ହୋଇଥିଲେ। ଲୋକଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ ଅଛନ୍ତି ଏବଂ ଚାଷୀଙ୍କ ସମସ୍ୟାର ସମାଧାନ ସରକାରଙ୍କ ପ୍ରଥମିକତା ବୋଲି 5ଟି ସଚିବ କହିଥିଲେ। ଏହାପରେ ସେ ଗ୍ରାମୀଣ ପାନୀୟ ଜଳ ଯୋଗାଣ ଉଦ୍ଦେଶ୍ୟରେ ସଙ୍ଗମ ଠାରେ ଜାରି ରହିଥିବା ଜଳ ବିଶୋଧନାଗାର ପରିଦର୍ଶନ କରିବା ସହ ମେଗା ପାଇପ୍ ଜଳ ଯୋଗାଣ ପ୍ରକଳ୍ପର ଅଗ୍ରଗତି ନେଇ ସମୀକ୍ଷା କରିଥିଲେ ଏବଂ ନିର୍ଦ୍ଧାରିତ ସମୟସୀମା ଅନୁଯାୟୀ ପ୍ରକଳ୍ପ ସଂପୂର୍ଣ୍ଣ କରିବାକୁ ପରାମର୍ଶ ଦେଇଥିଲେ।

ପରେ ସେ ଆନନ୍ଦପୁର ବ୍ୟାରେଜ୍ ସାଇଟ୍ ପରିଦର୍ଶନ କରି ଚାଲିଥିବା କାର୍ଯ୍ୟଗୁଡ଼ିକର ସମୀକ୍ଷା କରିଥିଲେ। ଚାଲିଥିବା କେନାଲ କାର୍ଯ୍ୟ ବିଷୟରେ ତାଙ୍କୁ ସୂଚନା ଦିଆଯାଇଥିଲା ଯାହା କି କେନ୍ଦୁଝର ଓ ବାଲେଶ୍ୱର ଜିଲ୍ଲାର ପ୍ରାୟ 60,000 ହେକ୍ଟର ଅଞ୍ଚଳରେ ଜଳସେଚନର ସମ୍ଭାବନା ସୃଷ୍ଟି କରିବ। ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପ୍ରକଳ୍ପର ସମାପ୍ତି ନିଶ୍ଚିତ କରିବାକୁ ସେ ପରାମର୍ଶ ଦେଇଛନ୍ତି।

5T ସଚିବ ଙ୍କ ଗସ୍ତ ଅବସରରେ କ୍ରୀଡା ସଚିବ ଶ୍ରୀ ଆର୍ ଭିନିଲ କ୍ରିଷ୍ଣା ,ଜିଲ୍ଲାପାଳ ଆଶିଷ ଥାକରେ ,ଏସ୍ ପି ନୀତିଶ କୁଶାଲକର ପ୍ରମୂଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଭକ୍ତର ମାନସିକ ନଡିଆକୁ ମା’ଙ୍କ ନିକଟରେ ପହଞ୍ଚାଇଲେ ଅଭିନେତା ସବ୍ୟସାଚୀ

ଭୁବନେଶ୍ବର: ଭକ୍ତ ଓ ଭଗବାନଙ୍କ ମଧ୍ୟରେ କରୋନା ଏକ ପାଚେରୀ ହୋଇ ଠିଆ ହୋଇଛି। କରୋନା ଯୋଗୁଁ ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ରହିଛି। ଯଦିଓ ଭକ୍ତ ଓ ଭଗବାନଙ୍କ ସମ୍ପର୍କ ଆବେଗିକ କିନ୍ତୁ ଦେବାଳୟକୁ ଯାଇ ପ୍ରଭୁଙ୍କ ନିକଟରେ ଭକ୍ତଟିଏ ପ୍ରାର୍ଥନା କରିବାକୁ ସବୁବେଳେ ଆତୁର। କରୋନା ଯୋଗୁଁ ଦୀର୍ଘ ୧୦ ମାସ ହେଲା ଭକ୍ତଟିଏ ମନ୍ଦିର ଯାଇପାରୁନାହିଁ।

ଏପରି ସ୍ଥିତିରେ ଭକ୍ତର ମାନସିକ ନଡିଆ ମଧ୍ୟ ବାଦ୍‌ ପଡିଛି। ନା ଭକ୍ତ ଯାଇପାରୁଛି ମନ୍ଦିରକୁ ନା ଯାଇପାରୁଛି ତା’ର ମାନସିକ ନଡିଆ। ଭକ୍ତଟିଏ ନଡିଆଟିଏ ବାନ୍ଧି ଦେଇ ମା’ଙ୍କୁ ନିଜର ସମସ୍ତ ଅଳି ଅର୍ଦ୍ଦଳି ଜଣାଇଥାଏ। ପ୍ରତି ମାନସିକ ନଡିଆ ସହିତ ଜଡି ହୋଇ ରହି ଥାଏ ଦୁଃଖୀ ମଣିଷମାନଙ୍କର ବିକଳ ପ୍ରାର୍ଥନା। କୋଉଠି ମାଆ, ମୃତ୍ୟୁମୁହଁରେ ପଡ଼ିଥିବା ନିଜ ଛୁଆଟିର ଜୀବନ ପାଇଁ ଠାକୁରାଣୀ ମାଆ ପାଖେ ନଡିଆଟିଏ ଯାଚିଦେଇଥାଏ ତ କେଉଁଠି ଯନ୍ତ୍ରଣାରେ ଛଟପଟ ହେଉଥିବା ସ୍ବାମୀଙ୍କୁ ରକ୍ଷା କରିବା ପାଇଁ ନଡ଼ିଆଟିଏ ମାନସିକ କରିଥାଏ ସ୍ତ୍ରୀ।

ହେଲେ କରୋନା ପାଇଁ ଲକ୍ ଡାଉନ୍ ଆରମ୍ଭରୁ ମାନସିକ ନଡ଼ିଆ ସବୁ ମା’ ତାରିଣୀଙ୍କ ପାଖରେ ପହଞ୍ଚି ନ ପାରି ଗଦେଇ ହୋଇ ଚାଲିଥିଲା ରାସ୍ତାକଡରେ ଓ ବସ୍ ଷ୍ଟାଣ୍ଡ ରେ। ମହାମାରୀ ଆତଙ୍କ ଯୋଗୁ କେହି ହାତ ମାରିବାକୁ ଚାହୁଁନଥିଲେ ସେଇ ଗଦା ହେଇଥିବା ନଡ଼ିଆକୁ। ଭକ୍ତର ନଡିଆଟି ସେମିତି ପଡି ରହିଥିଲା ରାସ୍ତାକଡରେ।

ମାନସିକ ନଡିଆଗୁଡିକ ରାସ୍ତାରେ ପଡି ପଡି ସହରର ପରିବେଶ ଓ ସୌନ୍ଦର୍ଯ୍ୟ ମଧ୍ୟ ନଷ୍ଟ କରୁଥିଲା। କିଛି ନଡ଼ିଆରୁ ଗଜା ବାହାରିସାରିଥିଲା ଓ କିଛି ପଚିଯାଇଥିବାରୁ ଦୁର୍ଗନ୍ଧ ସହ ପରିବେଶ ଦୂଷିତ ହେଉଥିଲା। କୁକୁର ଦ୍ଵାରା କିଛି ନଡିଆ ରାସ୍ତାକୁ ଗଡି ଆସୁଥିବା ଫଳରେ ଦୁର୍ଘଟଣାର କାରଣ ମଧ୍ୟ ହେଉଥିଲା। ହେଲେ ସବୁଠୁ ବଡ଼ କଥା ହେଲା ଭକ୍ତର ଆବେଗଭରା ବିଶ୍ୱାସ ହୋଇଯାଇଥିଲା ସାହାଶୂନ୍ୟ।

ତେବେ ଭକ୍ତ ଓ ଭଗବାନ ମଧ୍ୟରେ ପୁଣି ଥରେ ଆସ୍ଥାର ଯୋଗସୂତ୍ର ସ୍ଥାପନ ହୋଇଛି। ଭକ୍ତର ମାନସିକ ନଡିଆ ପୁଣିଥରେ ଭକ୍ତର ମନୋବାଞ୍ଛା ନେଇ ମା’ଙ୍କ ପାଖରେ ପହଞ୍ଚୁଛି। ଏଭଳି ଏକ ଧାର୍ମିକ କାର୍ଯ୍ୟରେ ସହଯୋଗ କରିଛନ୍ତି ଓଲିଉଡ୍‌ ଅଭିନେତା ସବ୍ୟସାଚୀ। ଭୁବନେଶ୍ୱର ର ବରମୁଣ୍ଡା, ଫାୟାର୍ ଷ୍ଟେସନ୍ ଛକ, ସିଆରପି, ଆଚାର୍ଯ୍ୟବିହାର, ବାଣୀବିହାର, ରସୁଲଗଡ଼, କଟକର ଅନେକ ଜାଗା, ଚଣ୍ଡିଖୋଲ ସହ ପାଣିକୋଇଲିରୁ ଏଇଭଳି ଅଟକି ରହିଥିବା ପାଖାପାଖି ୩୫୦୦୦ ନଡିଆ (୩୦୦ ବସ୍ତା) କୁ ଆଜି ଦୁଇଟି ଟ୍ରକ୍ ମାଧ୍ୟମରେ ଘଟଗାଁ ପଠାଇଛନ୍ତି। ଭକ୍ତଙ୍କ ଭରସାକୁ ମାଁ ଙ୍କ ନିକଟରେ ପହଞ୍ଚାଇ ବେଶ୍‌ ଆନନ୍ଦିତ ହୋଇଛନ୍ତି ଅଭିନେତା।

ସୂଚନାଯୋଗ୍ୟ, କରୋନା କାଳରେ ଲକ୍‌ଡାଉନ୍‌ ସମୟରେ ଓଡ଼ିଶାର ପ୍ରତ୍ୟେକ ଅସହାୟଙ୍କୁ ସାହାଯ୍ୟର ହାତ ବଢାଇଛନ୍ତି ଏହି ଅଭିନେତା ଜଣକ। ଆଜି ଭକ୍ତଙ୍କ ମନୋବାଞ୍ଛା ପୂରଣ କରିବା ପାଇଁ ମାନସିକ ନଡିଆକୁ ମା’ଙ୍କ ପାଖକୁ ପଠାଇ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି ଅଭିନେତା ଜଣକ।