Categories
ଆଞ୍ଚଳିକ

ବାଣପୁର ବ୍ଲକ ପରିସରରେ ମିଳିତ ଜନଶୁଣାଣୀ: ବିଚାର ପାଇଁ ଆସିଲା ୧୧୯ ଟି ଦରଖାସ୍ତ

ବାଣପୁର (ସୀତାରାମ ଅଗ୍ରୱାଲ): ଆଜି ପୂର୍ବାହ୍ନରେ ବାଣପୁର ବ୍ଲକ ପରିସରରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧକ୍ଷତାରେ ଅନୁଷ୍ଠିତ ଉକ୍ତ ଶିବିରରେ ଏସପି ସିଦ୍ଧାର୍ଥ କଟାରିଆ, ଉପ ଜିଲ୍ଲାପାଳ ଦିପ୍ତୀରଞ୍ଜନ ସେଠି, ବିଡ଼ିଓ ଶୀତଲ ଅଗ୍ରୱାଲ, ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ତହସିଲଦାର ଟି. ପଦ୍ମନାଭ ଦୋରା, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରିଣୀ କାଦମ୍ବିନୀ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

ବାଣପୁର ବ୍ଲକ ଅନ୍ତର୍ଗତ ମୋଟ ୧୭ ଗୋଟି ପଞ୍ଚାୟତ ଓ ଏନଏସିର ବିଭିନ୍ନ ୱାର୍ଡରୁ ସମୁଦାୟ ୧୧୯ ଟି ଦରଖାସ୍ତ ବିଚାର ପାଇଁ ଆସିଥିବା ବେଳେ ତନ୍ମଧ୍ୟରୁ ୧୦୭ ଟି ବ୍ୟକ୍ତିଗତ ଓ ୪ ଗୋଟି ସାମୁହିକ ଦରଖାସ୍ତ ଥିଲା। ତତ୍କାଳ ୩ ଗୋଟି ଆବେଦନର ସମାଧାନ ହୋଇଥିଲା।

ଅନୁରୂପ ଭାବେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଜଣେ ହିତାଧିକାରୀଙ୍କୁ ୧୨ ହଜାର ଟଙ୍କା ଏବଂ ରେଡ କ୍ରସ ପାଣ୍ଠିରୁ ୪ ଜଣ ହିତାଧିକାରୀଙ୍କୁ ୫-୫ ହଜାର ଟଙ୍କା ପ୍ରଦାନ କରାଯାଇଥିଲା।

ଏହି ଅବସରରେ ବାଣପୁର ବ୍ଲକ ଅନ୍ତର୍ଗତ ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀ, ଯନ୍ତ୍ରୀ, ସ୍ଵାସ୍ଥ୍ୟ ବିଭାଗ ଅଧିକାରୀ, ସିଡିପିଓ, ଜଳସେଚନ ବିଭାଗ ଅଧିକାରୀଙ୍କ ସହ ବିଭିନ୍ନ ପଦସ୍ଥ ଅଧିକାରୀ, ୧୭ଟି ପଞ୍ଚାୟତର ଜନ ପ୍ରତିନିଧିମାନେ ଉପସ୍ଥିତ ରହି ସମସ୍ୟା ସମାଧାନ ଦିଗରେ ଶିବିରକୁ ଆସୁଥିବା ବ୍ୟକ୍ତିଙ୍କୁ ସହଯୋଗ କରିଥିଲେ। ଆଈନ ଶୃଙ୍ଖଳା ଦୃଷ୍ଟିରୁ ବାଣପୁର ପୋଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଥିଲା।

Categories
ଆଞ୍ଚଳିକ

ଚିଲିକାରେ ମିଳିତ ଜନଶୁଣାଣୀ ଶିବିର ଅନୁଷ୍ଠିତ: ବିଚାର ପାଇଁ ପଞ୍ଜିକରଣ ହେଲା ୭୬ ଟି ମାମଲା

ସୀତାରାମ ଅଗ୍ରୱାଲ

ଚିଲିକା: ଆଜି ପୂର୍ବାହ୍ନରେ ଚିଲିକା ବ୍ଲକ ସଭାଗୃହରେ ମିଳିତ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଖୋର୍ଦ୍ଧା ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ଏସପି ସିଦ୍ଧାର୍ଥ କଟାରିଆ, ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା, ଉପଜିଲ୍ଲାପାଳ ଦିପ୍ତୀରଞ୍ଜନ ସେଠି, ବିଡ଼ିଓ ଜଗଦୀଶ ଷଡ଼ଙ୍ଗୀ, ତହସିଲଦାର ଦିଲ୍ଲୀପ କୁମାର ଷଡ଼ଙ୍ଗୀ, ଚିଲିକା ପଞ୍ଚାୟତ ସମିତି ଅଧ୍ୟକ୍ଷା ଜ୍ୟୋସ୍ନା ବେହେରା, ସିଡ଼ିଏମଓ ଡ଼ା ଆର୍ତ୍ତବନ୍ଧୁ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ଚିଲିକା ବ୍ଲକ ଅନ୍ତର୍ଗତ ମୋଟ ୧୭ ଟି ପଞ୍ଚାୟତ ଓ ଏନଏସିର ବିଭିନ୍ନ ସ୍ଥାନରୁ ବ୍ୟକ୍ତିଗତ ଭାବେ ୬୯ ଟି, ସାମୁହିକ ଭାବେ ୩ଟି ଦରଖାସ୍ତ ଆସିଥିବା ବେଳେ ସମୁଦାୟ ୭୬ ଗୋଟି ମାମଲା ବିଚାର ପାଇଁ ପଞ୍ଜିକରଣ ହୋଇଥିଲା। ତତ୍କାଳୀନ ତିନୋଟି ଆବେଦନର ସମାଧାନ ହୋଇଥିଲା। ଜଣଙ୍କୁ ରେଡ଼କ୍ରସ ପାଣ୍ଠିରୁ ୨୦୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।

ଏହି ଅବସରରେ ଚିଲିକା ବ୍ଲକ ଅନ୍ତର୍ଗତ ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀ,ଯନ୍ତ୍ରୀ,ସ୍ଵାସ୍ଥ୍ୟ ବିଭାଗ ଅଧିକାରୀ,ସିଡିପିଓ,ଚିଲିକା ଵ୍ଲକ ଅଧୀନ ବିଭିନ୍ନ ପଦସ୍ଥ ଅଧିକାରୀ, ୧୭ଟି ପଞ୍ଚାୟତର ଜନ ପ୍ରତିନିଧିମାନେ ଉପସ୍ଥିତ ରହି ସମସ୍ୟା ସମାଧାନ ଦିଗରେ ସହଯୋଗ କରିଥିଲେ। ଆଇନ ଶୃଙ୍ଖଳା ରକ୍ଷାପାଇଁ ବାଲୁଗାଁ ଏସଡ଼ିପିଓଙ୍କ ତତ୍ୱାବଧାନରେ ବାଲୁଗାଁ ଆଇଆଇସି ଜୟ ପ୍ରକାଶ ପରିଡା ଏବଂ ନାଚୁଣୀ ଆଇଆଇସି ଚନ୍ଦ୍ରଶେଖର ଜେନାଙ୍କ ସମେତ ବହୁ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ।

ଏହି ଅବସରରେ ବ୍ଲକ କାର୍ଯ୍ୟାଳୟ ପରିସରରେ ନୂତନ ମିଶନ ଶକ୍ତି କାଫେ କାର୍ଯ୍ୟକ୍ଷମ ହୋଇଥିଲା।