ବାଣପୁର ବ୍ଲକ ପରିସରରେ ମିଳିତ ଜନଶୁଣାଣୀ: ବିଚାର ପାଇଁ ଆସିଲା ୧୧୯ ଟି ଦରଖାସ୍ତ

Published: Nov 20, 2023, 5:08 pm IST

ବାଣପୁର (ସୀତାରାମ ଅଗ୍ରୱାଲ): ଆଜି ପୂର୍ବାହ୍ନରେ ବାଣପୁର ବ୍ଲକ ପରିସରରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧକ୍ଷତାରେ ଅନୁଷ୍ଠିତ ଉକ୍ତ ଶିବିରରେ ଏସପି ସିଦ୍ଧାର୍ଥ କଟାରିଆ, ଉପ ଜିଲ୍ଲାପାଳ ଦିପ୍ତୀରଞ୍ଜନ ସେଠି, ବିଡ଼ିଓ ଶୀତଲ ଅଗ୍ରୱାଲ, ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ତହସିଲଦାର ଟି. ପଦ୍ମନାଭ ଦୋରା, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରିଣୀ କାଦମ୍ବିନୀ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

ବାଣପୁର ବ୍ଲକ ଅନ୍ତର୍ଗତ ମୋଟ ୧୭ ଗୋଟି ପଞ୍ଚାୟତ ଓ ଏନଏସିର ବିଭିନ୍ନ ୱାର୍ଡରୁ ସମୁଦାୟ ୧୧୯ ଟି ଦରଖାସ୍ତ ବିଚାର ପାଇଁ ଆସିଥିବା ବେଳେ ତନ୍ମଧ୍ୟରୁ ୧୦୭ ଟି ବ୍ୟକ୍ତିଗତ ଓ ୪ ଗୋଟି ସାମୁହିକ ଦରଖାସ୍ତ ଥିଲା। ତତ୍କାଳ ୩ ଗୋଟି ଆବେଦନର ସମାଧାନ ହୋଇଥିଲା।

ଅନୁରୂପ ଭାବେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଜଣେ ହିତାଧିକାରୀଙ୍କୁ ୧୨ ହଜାର ଟଙ୍କା ଏବଂ ରେଡ କ୍ରସ ପାଣ୍ଠିରୁ ୪ ଜଣ ହିତାଧିକାରୀଙ୍କୁ ୫-୫ ହଜାର ଟଙ୍କା ପ୍ରଦାନ କରାଯାଇଥିଲା।

ଏହି ଅବସରରେ ବାଣପୁର ବ୍ଲକ ଅନ୍ତର୍ଗତ ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀ, ଯନ୍ତ୍ରୀ, ସ୍ଵାସ୍ଥ୍ୟ ବିଭାଗ ଅଧିକାରୀ, ସିଡିପିଓ, ଜଳସେଚନ ବିଭାଗ ଅଧିକାରୀଙ୍କ ସହ ବିଭିନ୍ନ ପଦସ୍ଥ ଅଧିକାରୀ, ୧୭ଟି ପଞ୍ଚାୟତର ଜନ ପ୍ରତିନିଧିମାନେ ଉପସ୍ଥିତ ରହି ସମସ୍ୟା ସମାଧାନ ଦିଗରେ ଶିବିରକୁ ଆସୁଥିବା ବ୍ୟକ୍ତିଙ୍କୁ ସହଯୋଗ କରିଥିଲେ। ଆଈନ ଶୃଙ୍ଖଳା ଦୃଷ୍ଟିରୁ ବାଣପୁର ପୋଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଥିଲା।

Related posts