ନୂଆଦିଲ୍ଲୀ: ମାନବ ଚାଲାଣର ଶୀକାର ହେଉଥିବା ପୀଡିତା, ବିଶେଷ କରି ନାବାଳିକା ଓ ଯୁବତୀ ମାନଙ୍କ ପାଇଁ ସୁରକ୍ଷା ଏବଂ ଥଇଥାନ ଗୃହ ସ୍ଥାପନ ପାଇଁ ସୀମାନ୍ତ ଅଞ୍ଚଳ ଗୁଡିକରେ ଥିବା ରାଜ୍ୟ / କେନ୍ଦ୍ରଶାସିତ ଅଂଚଳ ମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ଘରଗୁଡିକ ଆଶ୍ରୟ, ଖାଦ୍ୟ, ପୋଷାକ, ପରାମର୍ଶ, ପ୍ରାଥମିକ ସ୍ୱାସ୍ଥ୍ୟ ସୁବିଧା ଏବଂ ଅନ୍ୟାନ୍ୟ ଦୈନନ୍ଦିନ ଆବଶ୍ୟକତା ଭଳି ସେବା ପ୍ରଦାନ କରିବେ।
ମିଶନ୍ ବାତ୍ସଲ୍ୟ ଯୋଜନାର ନିର୍ଦ୍ଦେଶାବଳୀ ଅନୁଯାୟୀ ଉପଯୁକ୍ତ ସୁବିଧା ଘୋଷଣା କରିବାକୁ ପୀଡିତା ଝିଅ ମାନଙ୍କୁ ସିଡବ୍ଲ୍ୟୁସିଙ୍କ ନିକଟରେ ଉପସ୍ଥାପନ କରାଯିବ ଏବଂ ସେହି ଅନୁଯାୟୀ ଆବଶ୍ୟକୀୟ କାର୍ଯ୍ୟ ଗୁଡିକ ସମ୍ପନ୍ନ କରିବାକୁ ରାଜ୍ୟ / କେନ୍ଦ୍ରଶାସିତ ଅଂଚଳ ମାନଙ୍କୁ ଅନୁରୋଧ କରାଯିବ।
ଦେଶର ପ୍ରତ୍ୟେକ ଜିଲ୍ଲାରେ ମାନବ ଚାଲାଣ ବିରୋଧୀ ୟୁନିଟ୍ (ଏଏଚ୍ଟିୟୁ) ଗୁଡିକ ଗଠନ / ମଜଭୁତ କରିବା ପାଇଁ ସରକାର ନିର୍ଭୟା ପାଣ୍ଠି ଅଧୀନରେ ଥିବା ସମସ୍ତ ରାଜ୍ୟ / କେନ୍ଦ୍ରଶାସିତ ଅଂଚଳ ମାନଙ୍କୁ ସହାୟତା ପ୍ରଦାନ କରିଛନ୍ତି। ଏଥିସହ ବିଏସ୍ଏଫ୍ ଏବଂ ଏସ୍ଏସ୍ବି ପରି ସୀମା ସୁରକ୍ଷା ବାହିନୀରେ ଏଏଚ୍ଟିୟୁ ପାଇଁ ମଧ୍ୟ ପାଣ୍ଠି ପ୍ରଦାନ କରାଯାଇଛି। ଆଜି ପର୍ଯ୍ୟନ୍ତ ସୀମା ସୁରକ୍ଷା ବାହିନୀର ୩୦ଟି ସହିତ ୭୮୮ ଏଏଚ୍ଟିୟୁ କାର୍ଯ୍ୟ କରୁଛନ୍ତି।
ଭାରତ ମାନବ ଚାଲାଣ ପାଇଁ ଏକ ଉତ୍ସ ଏବଂ ଲକ୍ଷ୍ୟ ସ୍ଥଳ ଅଟେ। ଉତ୍ସ ଦେଶ ଗୁଡିକ ହେଉଛି ନେପାଳ, ବାଂଲାଦେଶ ଏବଂ ମିଆଁମାର ଯେଉଁଠାରୁ ମହିଳା ଏବଂ ବାଳିକା ମାନଙ୍କୁ ଭାରତରେ ଉନ୍ନତ ଜୀବନଯାପନ, ଚାକିରି ଏବଂ ସ୍ୱଚ୍ଛନ୍ଦରେ ରହିବାର ଲୋଭ ଦେଖାଯାଇ କାରବାର କରାଯାଉଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ନାବାଳିକା / କମ୍ ବୟସର ମହିଳା, ଯେଉଁମାନଙ୍କୁ ଭାରତରେ ପହଂଚିବା ପରେ ବିକ୍ରି କରାଯାଇ ବ୍ୟବସାୟିକ ଭାବରେ ଯୌନ କାର୍ଯ୍ୟରେ ବଳପୂର୍ବକ ଭର୍ତ୍ତି କରାଯାଇଥାଏ।
ଏହି ଝିଅ /ମହିଳାମାନେ ମୁମ୍ବାଇ ଦିଲ୍ଲୀ, ହାଇଦ୍ରାବାଦ ଇତ୍ୟାଦି ଭଳି ପ୍ରମୁଖ ସହର ମାନଙ୍କରେ ପହଞ୍ଚନ୍ତି, ଯେଉଁଠାରୁ ସେମାନଙ୍କୁ ମୁଖ୍ୟତଃ ଦେଶ ବାହାରକୁ ମଧ୍ୟ ପୂର୍ବ ଏବଂ ଦକ୍ଷିଣ ପୂର୍ବ ଏସିଆକୁ ନିଆଯାଇଥାଏ। ଏହି କାରଣରୁ ଏହିସବୁ ଦେଶ ଗୁଡିକର ସୀମାନ୍ତବର୍ତ୍ତୀ ରାଜ୍ୟଗୁଡିକ ଅଧିକ ସଜାଗ ରହିବା ଆବଶ୍ୟକ ଏବଂ ମାନବ ଚାଲାଣ କାରବାରର ପୀଡିତ ମାନଙ୍କୁ ସୁରକ୍ଷା ଏବଂ ଥଇଥାନ ସେବା ଯୋଗାଇବା ପାଇଁ ପର୍ଯ୍ୟାପ୍ତ ସୁବିଧାର ଅଧିକାରୀ ହୋଇଥିବା ଆବଶ୍ୟକ।
ପୁନଶ୍ଚ, ଜେଜେ ଆଇନ, ୨୦୧୫ ର ଧାରା ୫୧ ଅନୁଯାୟୀ (୨୦୨୧ରେ ସଂଶୋଧିତ), (୧) ଏହି ବୋର୍ଡ କିମ୍ବା କମିଟି ଏକ ସରକାରୀ ସଂଗଠନ କିମ୍ବା ଯେ କୌଣସି ଆଇନ ଅଧୀନରେ ପଞ୍ଜିକୃତ ଏକ ସ୍ୱେଚ୍ଛାସେବୀ ସଂସ୍ଥା କିମ୍ବା ଅଣ – ସରକାରୀ ସଂଗଠନ ଦ୍ୱାରା ପରିଚାଳିତ ଏକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟରେ ଏକ ଶିଶୁର ଦାୟିତ୍ୱକୁ ସାମୟିକ ଭାବେ ଗ୍ରହଣ କରିବା ପାଇଁ ଉପଯୁକ୍ତ ହେବା ନିମନ୍ତେ ବଳବତ୍ତର ଥିବା ସମୟରେ ଏବଂ ଅନୁଷ୍ଠାନର ଅନୁଧ୍ୟାନ ପରେ ଶିଶୁର ଯତ୍ନ ନେବା ପାଇଁ ସୁବିଧାକୁ ଏଭଳି ଭାବରେ ସ୍ୱୀକୃତି ଦେଇଥାଏ ଯେପରିକି ଅନୁମୋଦିତ ହୋଇ ଥାଇପାରେ ଏବଂ (୨) ଏହି ବୋର୍ଡ କିମ୍ବା ଲିଖିତ ଆକାରରେ ଲିପିବଦ୍ଧ ହେବାର କାରଣ ପାଇଁ କମିଟି ଉପ -ଧାରା (୧) ଅନୁଯାୟୀ ସ୍ୱୀକୃତି ପ୍ରତ୍ୟାହାର କରିପାରେ।