Categories
ଜାତୀୟ ଖବର ଜୀବନ ଶୈଳୀ ବିଶେଷ ଖବର

ଏକସଙ୍ଗେ ଦେଖିବାକୁ ମିଳିଲା ଅମ୍ବାନି ପରିବାରର ଚାରି ପିଢ଼ି, ଜାଣନ୍ତୁ କିପରି, କେଉଁଠି

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଚେୟାରମ୍ୟାନ୍ ମୁକେଶ ଅମ୍ବାନିଙ୍କ ମା’ ଶ୍ରୀମତୀ କୋକିଳାବେନ୍ ରବିବାର ନୀତା ମୁକେଶ ଅମ୍ବାନି କଲଚରାଲ୍ ସେଂଟରରେ ୧୬ ହଜାର ବର୍ଗଫୁଟ ପରିବ୍ୟାପ୍ତ ଆର୍ଟ ହାଉସ୍‌କୁ ଉଦ୍‌ଘାଟନ କରିଛନ୍ତି। ଏହି କଲଚରାଲ୍ ସେଂଟର୍‌ର ଉଦ୍‌ଘାଟନୀ ସମାରୋହର ଆଜି ତୃତୀୟ ଦିନରେ ଅମ୍ବାନି ପରିବାରର ଚାରି ପିଢ଼ିଙ୍କୁ ଏକସଙ୍ଗେ ଦେଖିବାକୁ ମିଳିଥିଲା।

ମେଗା ଉଦଘାଟନୀ ସମାରୋହର ତୃତୀୟ ଦିନରେ ଆନ୍ତର୍ଜାତିକ ଫେସନ ଜଗତରେ ଭାରତୀୟ ଫେସନର ପ୍ରଭାବକୁ ପ୍ରଦର୍ଶିତ କରୁଥିବା ସ୍ୱତନ୍ତ୍ର କଫି-ଟେବୁଲ୍ ପୁସ୍ତକ “ଇଣ୍ଡିଆ ଇନ୍ ଫେସନ୍‌” କୁ ନୀତା ଅମ୍ବାନି ଓ ଇଶା ଅମ୍ବାନି ଉନ୍ମୋଚନ କରିଛନ୍ତି। ଏହି ପୁସ୍ତକର କିଛି ମହତ୍ୱପୂର୍ଣ୍ଣ ଭାଗକୁ ଇଶା ଅମ୍ବାନି ଉପସ୍ଥିତ ଦର୍ଶକଙ୍କୁ ପଢ଼ି ଶୁଣାଇଥିଲେ। ଏହି ଅବସରରେ ଗାୟକ ପ୍ରତୀକ କୁହାଡ଼ ନିଜ ମଧୂର ସ୍ୱରରେ ଉନ୍ମୋଚନ କାର୍ଯ୍ୟକ୍ରମରେ ଉପସ୍ଥିତ ଦର୍ଶକଙ୍କୁ ରୋମାଂଚିତ କରିଥିଲେ।

ଆର୍ଟ ହାଉସ୍‌ରେ “ସଙ୍ଗମ’ ନାମରେ ଏକ ଉଦ୍‌ଘାଟନୀ କଳା ପ୍ରଦର୍ଶନୀ ଆୟୋଜନ କରାଯାଇଛି। ଭାରତର ବିଶିଷ୍ଟ ସାଂସ୍କୃତିକ ବିଚାରକ ରଣଜିତ ହୋସକୋଟେ ଓ ନ୍ୟୁୟର୍କ ସ୍ଥିତ କଳା ସଂଗ୍ରାହକ ଓ ଗ୍ୟାଲେରିଷ୍ଟ୍ ଜେଫ୍ରି ଡାଇଚ୍ ଏହାକୁ ଡିଜାଇନ୍ କରିଛନ୍ତି। ଏହି ପ୍ରଦର୍ଶନୀରେ ଦେଶବିଦେଶର ୧୦ ପ୍ରସିଦ୍ଧ କଳାକାରଙ୍କ ୫୦ରୁ ଅଧିକ କଳାକୃତିକୁ ସାମିଲ କରାଯାଇଛି।

ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ଫ୍ରାଂଚେସ୍କୋ କ୍ଲେମେଂଟ୍‌, ଅନ୍‌ସେଲ୍‌ମ୍ କିଫର ଏବଂ ସେସିଲି ବ୍ରାଉନ୍‌ଙ୍କ ଭଳି କଳାକାରମାନଙ୍କ କୃତିକୁ ପ୍ରଥମ ଥର ପାଇଁ ଭାରତରେ ପ୍ରଦର୍ଶିତ କରାଯାଇଛି । ଭାରତୀୟ କଳାକାର ଭୁପେନ୍ ଖଖର, ଶାନ୍ତିବାଇ, ରଞ୍ଜନୀ ସେଟ୍ଟାର ଓ ରତିଶ ଟି’ଙ୍କ କାମକୁ ମଧ୍ୟ ସେଥିରେ ସାମିଲ କରାଯାଇଛି।

କଲ୍‌ଚରାଲ୍ ସେଂଟର୍‌ରେ ଥିବା ଆର୍ଟ ହାଉସ୍‌ର ବିଶେଷତ୍ୱ ହେଉଛି ଏହାକୁ ଆବଶ୍ୟକତା ଅନୁସାରେ ପ୍ରସ୍ତୁତ କରାଯାଇପାରିବ। ଚାରି ମହଲା ବିଶିଷ୍ଟ ଏହି ଆର୍ଟ ହାଉସ୍‌କୁ ତିଆରି କରିବା ଲାଗି ଅତ୍ୟାଧୁନିକ ପ୍ରଯୁକ୍ତି ବ୍ୟବହାର କରାଯାଇଛି। ବିଶ୍ୱସ୍ତରୀୟ କଳା ପ୍ରଦର୍ଶନୀଠାରୁ ଆରମ୍ଭ କରି ବୈଷୟିକ ଓ ଶିକ୍ଷା ସମ୍ପର୍କିତ କର୍ମଶାଳା ଭଳି କାର୍ଯ୍ୟକ୍ରମକୁ ମଧ୍ୟ ଏଠାରେ ଆୟୋଜନ କରାଯାଇପାରିବ।

ନୂଆ ପ୍ରତିଭାମାନଙ୍କୁ ସାମ୍ନାକୁ ଆଣିବା ଏବଂ କଳାକୁ ଆଗକୁ ବଢ଼ାଇବାରେ ଏହି ଆର୍ଟ ହାଉସ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। ବିଶ୍ୱସ୍ତରୀୟ ମଂଚ ମିଳିବା ଦ୍ୱାରା ଯୁବ କଳାକାରମାନଙ୍କ ପ୍ରତିଭାକୁ ସାରା ବିଶ୍ୱରେ ପରିଚୟ ମିଳିପାରିବ।

Categories
MahaShivratri 2023 ଆଜିର ଖବର ଜାତୀୟ ଖବର ଧର୍ମ ବ୍ୟବସାୟ

ମହାଶିବରାତ୍ରି ରେ ମୁକେଶ ଆମ୍ବାନୀ ମନ୍ଦିରକୁ ଦାନ କଲେ ୧.୫୧ କୋଟି ଟଙ୍କା

ମୁମ୍ବାଇ: ମହାଶିବରାତ୍ରୀ ଅବସରରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଅଧ୍ୟକ୍ଷ ତଥା ଏମଡି ମୁକେଶ ଅମ୍ବାନୀ ଏବଂ ତାଙ୍କ ପୁଅ ଆକାଶ ଅମ୍ବାନୀ ଗୁଜୁରାଟର ସୋମନାଥ ମନ୍ଦିର ଦର୍ଶନ କରିଛନ୍ତି।ଉଭୟ ସୋମନାଥ ମହାଦେବଙ୍କୁ ଦର୍ଶନ କରିବା ସହିତ ମୁକେଶ ଅମ୍ବାନୀ ସୋମନାଥ ମନ୍ଦିର ଟ୍ରଷ୍ଟକୁ ୧.୫୧ କୋଟି ଟଙ୍କା ଦାନ କରିଛନ୍ତି।

ମୁକେଶ ଅମ୍ବାନୀ ଏବଂ ଆକାଶ ଅମ୍ବାନୀ ଭଗବାନ ସୋମନାଥଙ୍କ ନିକଟରେ ଜଳ ଅଭିଷେକ କରିବା ସହିତ ପ୍ରାର୍ଥନା କରିଥିଲେ। ମନ୍ଦିର ପୂଜକ ଉଭୟଙ୍କ ମସ୍ତକରେ ଚନ୍ଦନ ଲଗାଇ ସ୍ବାଗତ କରିଥିଲେ। ମନ୍ଦିର ଟ୍ରଷ୍ଟ ପକ୍ଷରୁ ଟ୍ରଷ୍ଟର ସଭାପତି ପି ଲାହିରି ଏବଂ ସଚିବ ଯୋଗେନ୍ଦ୍ରଭାଇ ଦେଶାଇ ଉଭୟଙ୍କୁ ପାଛୋଟି ନେଇଥିଲେ।

ଭଗବାନ ଶିବଙ୍କ ପ୍ରତି ଗଭୀର ଭାବରେ ଉତ୍ସର୍ଗୀକୃତ ଅମ୍ବାନୀ ପରିବାର ପରଂପରା ବିଶ୍ବାସୀ। ତାଙ୍କ ପରିବାର ସମସ୍ତ ହିନ୍ଦୁ ପର୍ବକୁ ନିଷ୍ଠାର ସହିତ ପାଳନ କରିଥାନ୍ତି। ଆଜି ଯେତେବେଳେ ସମଗ୍ର ଦେଶ ମହାଶିବରାତ୍ରୀ ପାଳନ କରୁଛି ଅମ୍ବାନୀ ପରିବାର ମଧ୍ୟ ପ୍ରାର୍ଥନା କରିବା ସହିତ ଏହି ଶୁଭ ଅବସରରେ ଦେଢ କୋଟି ଦାନ କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଉତ୍ତର ପ୍ରଦେଶରେ ରିଲାଏନ୍ସ ୭୫ ହଜାର କୋଟି ଟଙ୍କା ନିବେଶ କରିବ: ମୁକେଶ ଅମ୍ବାନି

ଲକ୍ଷ୍ନୌ : ଦେଶର ସର୍ବବୃହତ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ମାଲିକ ମୁକେଶ ଅମ୍ବାନି ଉତ୍ତର ପ୍ରଦେଶରେ ୭୫ ହଜାର କୋଟି ଟଙ୍କା ନିବେଶ କରିବେ। ଏହି ନିବେଶ ଦ୍ୱାରା ପ୍ରାୟ ୧ ଲକ୍ଷ ନୂଆ ନିଯୁକ୍ତି ସୃଷ୍ଟି ହେବା ଆଶା କରାଯାଉଛି। ଲକ୍ଷ୍ନୌରେ ଆୟୋଜିତ ‘ଉତ୍ତର ପ୍ରଦେଶ ଗ୍ଲୋବାଲ ଇନଭେଷ୍ଟର୍ସ ସମ୍ମିଟ୍‍’ରେ ଏହି ଘୋଷଣା କରିଛନ୍ତି ମୁକେଶ ଅମ୍ବାନି। ସେ ଜୋର୍‍ ଦେଇ କହିଛନ୍ତି ଯେ ୫ ବର୍ଷ ମଧ୍ୟରେ ଉତ୍ତର ପ୍ରଦେଶ ଅର୍ଥନୀତି ୧ ଟ୍ରିଲିଅନ ଡଲାରରେ ପହଞ୍ଚିବ।

ରିଲାଏନ୍ସ ଉତ୍ତର ପ୍ରଦେଶରେ ୧୦ ଗିଗାୱାଟର ଅକ୍ଷୟ ଶକ୍ତି ଉତ୍ପାଦନ କ୍ଷମତା ସ୍ଥାପନ କରିବାକୁ ଯୋଜନା କରିଛି। ଏହା ଉତ୍ତର ପ୍ରଦେଶରେ ଏପର୍ଯ୍ୟନ୍ତ ସବୁଠାରୁ ବଡ ଅକ୍ଷୟ ଶକ୍ତି ପରିଯୋଜନା ହେବ। କମ୍ପାନୀ ଉତ୍ତର ପ୍ରଦେଶରେ ବାୟୋଗ୍ୟାସ୍‍ ବ୍ୟବସାୟରେ ପ୍ରବେଶ କରିବା ସମ୍ପର୍କରେ ମଧ୍ୟ ଘୋଷଣା କରିଛି। ଏ ସମ୍ପର୍କରେ ପ୍ରକାଶ କରି ମୁକେଶ ଅମ୍ବାନି କହିଥିଲେ ଯେ ବାୟୋ ଗ୍ୟାସ୍‍ ଦ୍ୱାରା ପରିବେଶରେ ସୁଧାର ଆସିବ ଏବଂ ତାହାସହିତ କୃଷକମାନଙ୍କୁ ମଧ୍ୟ ବଡ ଲାଭ ମିଳିବ। “ଆମ କୃଷକମାନେ ଅନ୍ନଦାତା ତ ଅଟନ୍ତି, ଏବେ ସେମାନେ ଉର୍ଜାଦାତା ପାଲଟିବେ।”

ରାଜ୍ୟର ଗାଁ ଏବଂ ଛୋଟ ସହରଗୁଡିକରେ ଗୁଣାତ୍ମକ ଶିକ୍ଷା ଏବଂ ସ୍ୱାସ୍ଥ୍ୟସେବା ଯୋଗାଣ ପାଇଁ ରିଲାଏନ୍ସ ଜିଓ ପ୍ଲାଟଫର୍ମ ଜରିଆରେ ଦୁଇଟି ପାଇଲଟ ପ୍ରକଳ୍ପ ‘ଜିଓ ସ୍କୁଲ’ ଏବଂ ‘ଜିଓ-ଏଆଇ-ଡାକ୍ତର’ ସର୍ମ୍ପକରେ ମଧ୍ୟ ଘୋଷଣା କରିଛି। ଏହାସହିତ ଉତ୍ତର ପ୍ରଦେଶର କୃଷି ଏବଂ ଅଣକୃଷି ଉତ୍ପାଦ ସଂଗ୍ରହ ପରିମାଣ ବହୁଗୁଣ ବୃଦ୍ଧି କରିବାକୁ ମୁକେଶ ଅମ୍ବାନି ନିଜର ଉଦ୍ଦେଶ୍ୟ ସମ୍ପର୍କରେ ପ୍ରକାଶ କରିଛନ୍ତି। ଏହାଦ୍ୱାରା କୃଷକ, ସ୍ଥାନୀୟ କାରିଗର, ଶିଳ୍ପକାର ଏବଂ ଛୋଟ ଓ ମଧ୍ୟମ ଉଦ୍ୟୋଗଗୁଡିକୁ ଫାଇଦା ମିଳିବ। ମୁକେଶ ଅମ୍ବାନି ୨୦୨୩ ଶେଷ ସୁଦ୍ଧା ଉତ୍ତର ପ୍ରଦେଶର ସମସ୍ତ ସହରରେ ୫ଜି ସେବା ପ୍ରଚଳନ କରିବା ସମ୍ପର୍କରେ ପ୍ରକାଶ କରିଛନ୍ତି।

ଶ୍ରୀ ଅମ୍ବାନି କହିଥିଲେ ଯେ “ନୂଆ ଭାରତ ଗଠନ ନିମନ୍ତେ ଉତ୍ତର ପ୍ରଦେଶ ଆଶାର କେନ୍ଦ୍ର ପାଲଟିଯାଇଛି । ନଏଡାରୁ ଗୋରଖପୁର ପର୍ଯ୍ୟନ୍ତ ଜନସାଧାରଣଙ୍କ ମଧ୍ୟରେ ଆତ୍ମବିଶ୍ୱାସ ଓ ଉତ୍ସାହ ଦେଖିବାକୁ ମିଳୁଛି । ଆମେ ସମସ୍ତେ ସମ୍ମିଳିତ ଭାବରେ ଭାରତର ସବୁଠାରୁ ଜନବହୁଳ ରାଜ୍ୟକୁ ଭାରତର ସବୁଠାରୁ ସମୃଦ୍ଧ ରାଜ୍ୟ ମଧ୍ୟରେ ଅନ୍ୟତମରେ ପରିଣତ କରିବା।”

Categories
ଜାତୀୟ ଖବର ବିଶେଷ ଖବର

ପୁରୀ ଆସି ଜଗନ୍ନାଥଙ୍କ ଆର୍ଶିବାଦ ନେଲେ ମୁକେଶ ଆମ୍ବାନୀଙ୍କ ପୁଅ ଅନନ୍ତ

ପୁରୀ: ବିବାହ ପୁର୍ବରୁ ବିଶ୍ବର ପ୍ରତିଷ୍ଠିତ ଶିଳ୍ପପତି ମୁକେଶ ଆମ୍ବାନୀଙ୍କ ପୁଅ ଅନନ୍ତ ଆମ୍ବାନୀ ପୁରୀ ଆସି ଜଗନ୍ନାଥଙ୍କ ଆର୍ଶିବାଦ ନେଇଛନ୍ତି। ନିକଟରେ ଅନନ୍ତଙ୍କ ନିର୍ବନ୍ଧ ଶେଷ ହୋଇଛି। ସେ ରାଧୀକା ମର୍ଚେଣ୍ଟଙ୍କୁ ବିବାହ କରିବେ। ସେଥିପାଇଁ ସେ ବିବାହ ପୂର୍ବରୁ ଦେଶର ପ୍ରତିଷ୍ଠିତ ମନ୍ଦିର ଦର୍ଶନ କରୁଛନ୍ତି।

ଆଜି ଅନନ୍ତ ଦିନ 2. 30 ମିନଟରେ ଏକ ଚାଟର ଫ୍ଲାଇଟରେ ଆସି ଭୁବନେଶ୍ବରରେ ପହଁଚିଥିଲେ। ସେଠାରୁ ସେ କାର ଯୋଗେ ପୁରୀ ଗସ୍ତ କରିଥିଲେ। ସେଥିପାଇଁ ସୁରକ୍ଷା ବ୍ୟବସ୍ଥା ପୁରା କଡାକଡି କରାଯାଇଥିଲା। ସେ ଗତକାଲି ଗୌହାଟୀରେ କାମାକ୍ଷା ଦେବୀଙ୍କୁ ଦର୍ଶନ କରି ସେଠାରେ ଅବସ୍ଥାନ କରିଥିଲେ। ଆଜି ସିଧା ଗୌହାଟୀରୁ ଭୁବନେଶ୍ବର ଆସିଛନ୍ତି।

ଅନନ୍ତ ପୁରୀରେ ପହଁଚିବାପରେ ତାଙ୍କୁ ସେବକ ତଥା ଜିଲ୍ଲା ପ୍ରଶାସନ ତରଫରୁ ସ୍ବାଗତ କରାଯାଇଥିଲା। ସେ ବଡଦାଣ୍ଡରେ କିଛି ବାଟ ଚାଲିଚାଲି ସିଂହଦ୍ବାର ନିକଟରେ ପହଁଚିଥିଲେ। ସେଠାରେ ତାଙ୍କୁ ସ୍ବାଗତ କରାଯାଇଥିଲା। ବଡ ଦାଣ୍ଡରୁ ସେ ନୀଳଚକ୍ରକୁ ଦେଖି ମୁଣ୍ଡିଆ ମାରିଥିଲେ। ସାଧାରଣ ଭକ୍ତଙ୍କ ପରି ସେ ମନ୍ଦିର ଭିତରକୁ ଯାଇଥିଲେ।

ଏହାପରେ ଅନନ୍ତ ଗରୁଡ ସ୍ତମ୍ଭ, ପତିତପାବନ ସହିତ ଭିତରେ ବିଭିନ୍ନ ଦେବା ଦେବୀଙ୍କ ନିକଟରେ ପୂଜା ଅର୍ଚ୍ଚନା କରିଛନ୍ତି। ସେ ମନ୍ଦିର ଭିତରେ ପ୍ରାୟ ତିରିଶି ମିନଟ ପର୍ଯ୍ୟନ୍ତ ରହି ଶ୍ରୀଜୀୟୁଙ୍କ ଦର୍ଶନ କରିଥିଲେ। ଅନନ୍ତଙ୍କୁ ଦେଖିବା ପାଇଁ ବଡଦାଣ୍ଡରେ ଲୋକଙ୍କ ଭିଡ ମଧ୍ୟ ପରିଲକ୍ଷିତ ହୋଇଥିଲା।

ଦର୍ଶନ ପରେ ସେ ଭୁବନେଶ୍ବର ଆସି ମୁମ୍ବାଇ ଫେରିଯାଇଥିବାର ଜଣାପଡିଛି।

Categories
ଆଜିର ଖବର

ମୁକେଶ ଆମ୍ବାନୀଙ୍କ ପୁଅ ଅନନ୍ତଙ୍କ ସହ ରାଧିକାଙ୍କ ନିର୍ବନ୍ଧ, ଜାଣନ୍ତୁ କଣ ସବୁ ହେଲା

ମୁମ୍ବାଇ: ରାଧିକା ମର୍ଚ୍ଚାଣ୍ଟ ଏବଂ ଅନନ୍ତ ଅମ୍ବାନୀଙ୍କ ମଧ୍ୟରେ ଗୁରୁବାର ପରିବାରବର୍ଗ ଏବଂ ବନ୍ଧୁବାନ୍ଧବଙ୍କ ଉପସ୍ଥିତିରେ ପୂର୍ଣ୍ଣ ରୀତି ନୀତି ଓ ବିଧି ଅନୁଯାୟୀ ବିବାହ ପୂର୍ବ ଆନୁଷ୍ଠାନିକ ନିର୍ବନ୍ଧ କାର୍ଯ୍ୟ ସମ୍ପନ୍ନ ହୋଇଛି। ଏହି ନିର୍ବନ୍ଧ କାର୍ଯ୍ୟ ମୁମ୍ବଇସ୍ଥିତ ଅମ୍ବାନୀ ନିବାସରେ ଅନୁଷ୍ଠିତ ହୋଇଥିଲା।

ଗୁଜରାଟି ହିନ୍ଦୁ ପରିବାରରେ ପିଢି ପରେ ପିଢି ପ୍ରଚଳିତ ହୋଇଆସୁଥିବା ଶହ ଶହବର୍ଷ ପୁରାତନ ଗୋଲ୍‍-ଧନା ଏବଂ ଚୁନରୀ ବିଧି ଆଦି ପରମ୍ପରା ସମାରୋହ ସ୍ଥଳ ଏବଂ ପରିବାରିକ ମନ୍ଦିରରେ ଅତ୍ୟନ୍ତ ଆନନ୍ଦ ଉତ୍ସାହର ସହିତ ଆୟୋଜିତ ହୋଇଥିଲା। ଦୁଇ ପରିବାର ପରସ୍ପରକୁ ଉପହାର ପ୍ରଦାନ କରିଥିଲେ। ଅନନ୍ତଙ୍କ ମା’ ଶ୍ରୀମତୀ ନୀତା ଅମ୍ବାନୀଙ୍କ ନେତୃତ୍ୱରେ ଅମ୍ବାନି ପରିବାରର ସଦସ୍ୟମାନଙ୍କ ଦ୍ୱାରା ନୃତ୍ୟ ପ୍ରଦର୍ଶନ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା।

ଗୋଲ୍‍-ଧନାର ଅର୍ଥ ହେଉଛି ଗୁଡ ଏବଂ ଧନିଆ ମଞ୍ଜି, ଗୁଜରାଟୀ ପରମ୍ପରାରେ ଗୋଲ୍‍-ଧନା ବିବାହ ପୂର୍ବ ନିର୍ବନ୍ଧ ଅନୁରୂପ ଏକ ଉତ୍ସବ। କାର୍ଯ୍ୟକ୍ରମ ସମୟରେ ଏହି ବସ୍ତୁକୁ ବର ଘର ଲୋକଙ୍କୁ ବିତରଣ କରାଯାଏ। କନ୍ୟା ପକ୍ଷ ପରିବାର ବର ଘରକୁ ଉପହାର ଏବଂ ମିଠାଇ ଧରି ଆସନ୍ତି ଏବଂ ବର ଓ କନ୍ୟା ଉଭୟ ପରସ୍ପରକୁ ମୁଦି ପିନ୍ଧାନ୍ତି। ଏହାପରେ ବର ଓ କନ୍ୟା ସେମାନଙ୍କ ପରିବାରର ବୟସ୍କ ଲୋକଙ୍କ ନିକଟରୁ ଆଶୀର୍ବାଦ ନେଇଥାନ୍ତି।

ସନ୍ଧ୍ୟାରେ ନିର୍ବନ୍ଧ ଉତ୍ସବ ପାଇଁ ସର୍ବପ୍ରଥମେ ଅନନ୍ତଙ୍କ ଭଉଣୀ ଇଶା ଏବଂ ପରିବାରର ଅନ୍ୟ ସଦସ୍ୟଗଣ ରାଧିକାଙ୍କୁ ତାଙ୍କ ବାସଭବନକୁ ଯାଇ ଆମନ୍ତ୍ରିତ କରିଥିଲେ। ତତ୍‍ପରେ ଅମ୍ବାନୀ ପରିବାର ନିଜ ବାସଭବନରେ ଆରତୀ ଏବଂ ମନ୍ତ୍ରୋଚ୍ଚାରଣ ମଧ୍ୟରେ କନ୍ୟା ପକ୍ଷଙ୍କୁ ଭବ୍ୟ ସ୍ୱାଗତ କରିଥିଲେ।

ବର ଓ କନ୍ୟା ଯୋଡିଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଭଗବାନ କୃଷ୍ଣଙ୍କର ଆଶୀର୍ବାଦ ନେବାକୁ ସମୁଦାୟ ପରିବାର ଅନନ୍ତ ଓ ରାଧିକାଙ୍କ ସହିତ ମନ୍ଦିର ଯାଇଥିଲେ । ସେଠାରୁ ସମସ୍ତେ ଗଣେଶଙ୍କ ପୂଜା ନିମନ୍ତେ ସମାରୋହ ସ୍ଥଳକୁ ଯାଇଥିଲେ। ସେଠାରେ ଲଗ୍ନ ପଞ୍ଜିକା ପାଠ କରାଯାଇଥିଲା।

ଗୋଲ୍‍-ଧନା ଓ ଚୁନରୀ ବିଧି ସମ୍ପନ୍ନ ହେବାପରେ ଅନନ୍ତ ଏବଂ ରାଧିକାଙ୍କ ପରିବାର ମଧ୍ୟରେ ଉପହାର ଆଦାନ ପ୍ରଦାନ କରାଯାଇଥିଲା। ଶ୍ରୀମତୀ ନୀତା ଅମ୍ବାନୀଙ୍କ ନେତୃତ୍ୱରେ ଅମ୍ବାନି ପରିବାରର ସଦସ୍ୟମାନଙ୍କ ଦ୍ୱାରା ଏକ ଭବ୍ୟ ଏବଂ ଚମତ୍କାର ନୃତ୍ୟ କରାଯାଇଥିଲା। ଏହାକୁ ଉପସ୍ଥିତି ବ୍ୟକ୍ତି ବିଶେଷ ଭୂୟସୀ ପ୍ରଶଂସା କରିଥିଲେ।

ଭଉଣୀ ଇଶା ନିର୍ବନ୍ଧ ପର୍ବ ଆରମ୍ଭ ସମ୍ପର୍କରେ ଘୋଷଣା କରିବା ମାତ୍ରେ ଅନନ୍ତ ଏବଂ ରାଧିକା ନିଜ ପରିବାର ଓ ସାଙ୍ଗସାଥୀଙ୍କ ସମ୍ମୁଖରେ ପରସ୍ପର ପରସ୍କରକୁ ମୁଦି ପିନ୍ଧାଇ ସେମାନଙ୍କର ଆଶୀର୍ବାଦ କାମନା କରିଥିଲେ।

ଅନନ୍ତ ଏବଂ ରାଧିକା କିଛିବର୍ଷ ହେଲା ପରସ୍ପରକୁ ଜାଣିଛନ୍ତି ଏବଂ ଅନୁଷ୍ଠିତ ନିର୍ବନ୍ଧ ଉତ୍ସବ ରୀତି ନୀତିରେ ଉଭୟ ପରସ୍ପରର ଅଧିକ ନିକଟତର ହେବା ସୁଯୋଗ ପାଇଛନ୍ତି । ଉଭୟଙ୍କ ପରିବାର ରାଧିକା ଏବଂ ଅନନ୍ତଙ୍କ ପାଇଁ ସମସ୍ତଙ୍କ ନିକଟରୁ ଆଶୀର୍ବାଦ ଓ ଶୁଭକାମନା ଲୋଡିଛନ୍ତି ।

ନୀତା ଓ ମୁକେଶ ଅମ୍ବାନୀଙ୍କ ପୁତ୍ର ଅନନ୍ତ ଆମେରିକାସ୍ଥିତ ବ୍ରାଉନ ୟୁନିଭରସିଟିରେ ନିଜର ପାଠପଢା ଶେଷ କରିଛନ୍ତି ଏବଂ ସେବେଠାରୁ ସେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜରେ ବିଭିନ୍ନ କ୍ଷମତାରେ ସଂଯୁକ୍ତ ହୋଇ ରହିଛନ୍ତି । ସେ ଜିଓ ପ୍ଲାଟଫର୍ମସ୍‍ ଏବଂ ରିଲାଏନ୍ସ ରିଟେଲ ଭେଞ୍ଚର୍ସର ବୋର୍ଡରେ ରହିଛନ୍ତି। ସେ ବର୍ତ୍ତମାନ ରିଲାଏନ୍ସର ଶକ୍ତି ବ୍ୟବସାୟର ନେତୃତ୍ୱ ନେଉଛନ୍ତି । ଶୈଲା ଏବଂ ବୀରେନ ମର୍ଚ୍ଚାଣ୍ଟଙ୍କ ଝିଅ ରାଧିକା ନ୍ୟୁୟର୍କ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଶିକ୍ଷା ହାସଲ କରିଛନ୍ତି ଏବଂ ଏନକୋର ହେଲ୍‍ଥକେୟାର ବୋର୍ଡରେ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଏଥର ହ୍ୱାଟସ୍‌ଆପ୍‌ରେ ମଧ୍ୟ ଜିଓମାର୍ଟର କରିପାରିବେ କାରବାର, ମୁକେଶ ଆମ୍ବାନୀ କଲେ ଘୋଷଣା

ମୁମ୍ବାଇ/ ଭୁବନେଶ୍ୱର: ମେଟା ଓ ଜିଓ ପ୍ଲାଟଫର୍ମସ୍ ପକ୍ଷରୁ ଗତକାଲି ହ୍ୱାଟସ୍‌ଆପ୍‌ରେ ପ୍ରଥମ ଧରଣର ଏଣ୍ଡ୍‌-ଟୁ-ଏଣ୍ଡ୍ ସପିଙ୍ଗ୍ ଅନୁଭୂତିର ଶୁଭାରମ୍ଭ ବିଷୟରେ ଘୋଷଣା କରାଯାଇଛି, ଯେଉଁଥିରେ ଗ୍ରାହକମାନେ ସେମାନଙ୍କ ହ୍ୱାଟସ୍‌ଆପ୍ ଚାଟ୍‌ରେ ରହି ଜିଓମାର୍ଟରେ ସପିଙ୍ଗ କରିପାରିବେ ।

ସାରା ବିଶ୍ୱରେ ପ୍ରଥମ ଭାବେ ହ୍ୱାଟସ୍‌ଆପ୍‌ରେ ଜିଓମାର୍ଟ ସେବା ଜରିଆରେ ପୂର୍ବରୁ କେବେ ଅନଲାଇନ୍‌ରେ ସପିଙ୍ଗ୍ କରିନଥିବା ଗ୍ରାହକଙ୍କ ସମେତ ସମସ୍ତ ଭାରତୀୟ ଜିଓମାର୍ଟର ସମଗ୍ର ଗ୍ରୋସରି କାଟ୍‌ଲଗ୍‌କୁ ବ୍ରାଉଜ୍ କରିପାରିବେ, କାର୍ଟରେ ସାମଗ୍ରୀ ଯୋଡ଼ିପାରିବେ ଏବଂ କିଣାକିଣି ପ୍ରକ୍ରିୟାକୁ ଶେଷ କରିବା ଲାଗି ପେମେଂଟ୍ (ଦେୟ ପ୍ରଦାନ) ମଧ୍ୟ କରିପାରିବେ-ଏସବୁ କାମ ପାଇଁ ସେମାନଙ୍କୁ ହ୍ୱାଟସ୍‌ଆପ୍ ଚାଟ୍ ଛାଡ଼ିଯିବାକୁ ପଡ଼ିବନି ।

ଏକ ଫେସବୁକ୍ ପୋଷ୍ଟ୍ ଜରିଆରେ ମେଟାର ପ୍ରତିଷ୍ଠାତା ଓ ସିଇଓ ମାର୍କ ଜୁକରବର୍ଗ କହିଛନ୍ତି ଯେ, “ଭାରତରେ ଜିଓମାର୍ଟ ସହିତ ଆମର ସହଯୋଗିତାର ଶୁଭାରମ୍ଭକୁ ନେଇ ଉତ୍ସାହିତ ଅଛୁ । ହ୍ୱାଟସ୍‌ଆପ୍‌ରେ ଏହା ହେଉଛି ଆମର ଏଣ୍ଡ୍‌-ଟୁ-ଏଣ୍ଡ୍ ସପିଙ୍ଗ୍ ଅନୁଭୂତି ଯାହା ଜରିଆରେ ଲୋକମାନେ ସେମାନଙ୍କ ଚାଟ୍‌ରେ ରହି ଜିଓମାର୍ଟରୁ ଏବେ ଗ୍ରୋସରି ସପିଙ୍ଗ୍ କରିପାରିବେ । ଏଭଳି ବାସ୍ତବ ଧାରା ଓ ଚାଟ୍ ଭିତିକ ଅନୁଭୂତିକୁ ନେଇ ପ୍ରସ୍ତୁତ ବ୍ୟବସାୟ ମେସେଜିଂ ସୁବିଧା ଆଗାମୀ ଦିନରେ ଲୋକଙ୍କ ଦ୍ୱାରା ଓ ବ୍ୟବସାୟ ଯୋଗାଯୋଗ ପାଇଁ ବିଶେଷ ଭାବେ ଆଦୃତ ହେବ ।’’

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନି କହିଛନ୍ତି ଯେ, “ଆମର ଲକ୍ଷ୍ୟ ହେଉଛି ବିଶ୍ୱର ଅଗ୍ରଣୀ ଡିଜିଟାଲ୍ ସମାଜ ଭାବେ ଭାରତକୁ ଆଗକୁ ବଢ଼ାଇବା । ଯେତେବେଳେ ୨୦୨୦ରେ ଜିଓ ପ୍ଲାଟଫର୍ମସ୍ ଓ ମେଟାର ସହଯୋଗିତା ବିଷୟରେ ଘୋଷଣା କରାଯାଇଥିଲା ସେହି ସମୟରେ ମାର୍କ ଓ ମୁଁ ଅଧିକ ଲୋକ ଓ ବ୍ୟବସାୟକୁ ଅନଲାଇନ୍ ପର୍ଯ୍ୟନ୍ତ ଆଣିବା ଏବଂ ପ୍ରତି ଭାରତୀୟଙ୍କ ଦୈନନ୍ଦିନ ଜୀବନରେ ଅଧିକ ସୁବିଧା ପ୍ରଦାନ କରିବା ଲାଗି ବାସ୍ତବ ଅଭିନବ ସମାଧାନ ସୃଷ୍ଟି କରିବାର ସମାନ ଲକ୍ଷ୍ୟ ରଖିଥିଲୁ ।

ଅଭିନବ ଗ୍ରାହକ ଅନୁଭୂତିର ଏକ ଉଦାହରଣ ହେଉଛି ଯେ ହ୍ୱାଟସ୍‌ଆପ୍‌ରେ ଜିଓମାର୍ଟ ଏବଂ ଏହି ପ୍ରଥମ ଧରଣର ଏଣ୍ଡ୍‌-ଟୁ-ଏଣ୍ଡ୍ ସପିଙ୍ଗ୍ ଅନୁଭୂତି ବିକଶିତ କରିଥିବାରୁ ଆମେ ଗର୍ବିତ ମନେ କରୁଛୁ । କୋଟି କୋଟି ଭାରତୀୟଙ୍କୁ ଅନ୍‌ଲାଇନ୍ ସପିଙ୍ଗ୍‌ର ସରଳ ଓ ସହଜ ଉପାୟ ପ୍ରଦାନ କରିବା ଲାଗି ଆମର ରହିଥିବା ପ୍ରତିବଦ୍ଧତାକୁ ହ୍ୱାଟସ୍‌ଆପ୍‌ରେ ଜିଓମାର୍ଟ ଅନୁଭୂତି ଆହୁରି ଆଗକୁ ବଢ଼ାଇବ ।’’

ଭାରତର ଡିଜିଟାଲ୍ ରୂପାନ୍ତରଣକୁ ତ୍ୱରାନ୍ୱିତ କରିବା ଏବଂ ଦେଶରେ ଅର୍ଥନୈତିକ ଅଭିବୃଦ୍ଧିକୁ ଆଗକୁ ବଢ଼ାଇବା ଓ ସାଧାରଣ ଲୋକ ତଥା ବ୍ୟବସାୟମାନଙ୍କୁ ନୂଆ ଉପାୟରେ ଯୋଡ଼ି ହେବା ଲାଗି ସବୁ ପ୍ରକାର ସୁଯୋଗ ପ୍ରଦାନ କରିବା ଲାଗି ମେଟା ଓ ଜିଓ ପ୍ଲାଟଫର୍ମସ୍ ମଧ୍ୟରେ ସ୍ଥାପନ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ସହଯୋଗିତାର ଅଂଶ ହେଉଛି ଆଜିର ଏହି ଶୁଭାରମ୍ଭ ।

ହ୍ୱାଟସ୍‌ଆପ୍‌ରେ ଜିଓମାର୍ଟ ଅନୁଭୂତି ସାରା ଦେଶରେ କୋଟି କୋଟି ବ୍ୟବସାୟମାନକୁ ସେମାନଙ୍କ ଗ୍ରାହକମାନଙ୍କ ସହ ଯୋଡ଼ି ହେବାର ଉପାୟଗୁଡ଼ିକରେ ବୈପ୍ଳବିକ ପରିବର୍ତନ ଆଣିବ ଏବଂ ଲୋକମାନଙ୍କ ସପିଙ୍ଗ୍ ଅନୁଭୂତିରେ ଅତୁଳନୀୟ ସରଳତା ଓ ସୁବିଧା ପ୍ରଦାନ କରିବ ।

ହ୍ୱାଟସ୍‌ଆପ୍‌ରେ ଜିଓ ନମ୍ବର (+୯୧-୭୯୭୭୦୭୯୭୭୦)ରେ ସରଳ ଭାବେ ଇଂରାଜିରେ “ଐସ’ ଲେଖି ପଠାଇ ଗ୍ରାହକମାନେ ହ୍ୱାଟସ୍‌ଆପ୍ ଜରିଆରେ ଜିଓମାର୍ଟରେ ସପିଙ୍ଗ୍ ଆରମ୍ଭ କରିପାରିବେ ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଆଜି ରିଲାଏନ୍ସ କଂପାନୀ ଅଧ୍ୟକ୍ଷ ମୁକେଶ ଆମ୍ବାନୀ 5ଜିକୁ ନେଇ କଲେ ଏକ ବଡ ଘୋଷଣା

ମୁମ୍ବାଇ: ଆଜି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (RIL) ର 45 ତମ ବାର୍ଷିକ ସାଧାରଣ ସଭାରେ  ଅଂଶୀଦାରମାନଙ୍କୁ କଂପାନୀ ଅଧ୍ୟକ୍ଷ ମୁକେଶ ଆମ୍ବାନୀ ସମ୍ବୋଧିତ କରିଛନ୍ତି। ଏହି ବୈଠକରେ ସେ ଆସନ୍ତା ଦୀପାବଳୀରେ 5ଜି ସେବା ଆରମ୍ଭ ହେବ ବୋଲି ଘୋଷଣା କରିଛନ୍ତି। ଏଥିସହିତ ସେ କହିଛନ୍ତି ଯେ, 5ଜିକୁ ନେଇ ରିଲାଏନ୍ସ ବିଶ୍ବରେ ସବୁଠାରୁ ବଡ ଯୋଜନା ପ୍ରସ୍ତୁତ କରିଛି।

ଏହି ବୈଠକରେ ହୋଇଥିବା ନୂତନ ଘୋଷଣାଗୁଡିକ ହେଲା…

1- ଆସନ୍ତା ଦୀପାବଳୀ ଦିନ ଦେଶରେ 5ଜି ସେବା ଆରମ୍ଭ ହେବ ବୋଲି ମୁକେଶ ଆମ୍ବାନୀ ଘୋଷଣା କରିଛନ୍ତି।

2- ମୁକେଶ ଅମ୍ବାନୀ ଦାବି କରିଛନ୍ତି ଯେ ରିଲାଏନ୍ସ ଭାରତରେ 2 ଲକ୍ଷ 23 ହଜାର ନୂତନ ଚାକିରୀ ସୃଷ୍ଟି କରିପାରିଛି।

3- 5G ନେଟୱାର୍କ ସ୍ଥାପନ ପାଇଁ 2000 ବିଲିୟନ ଟଙ୍କା ବିନିଯୋଗ କରାଯିବ ବୋଲି  ରିଲାଏନ୍ସ ଘୋଷଣା କରିଛି।

4- ଜିଓ ଫାଇବର ବର୍ତ୍ତମାନ ଦେଶରେ 1.1 ମିଲିୟନ କିଲୋମିଟର ପର୍ଯ୍ୟନ୍ତ ବିସ୍ତାର କରାଯାଇଛି।

5- ଜିଓ 5G ର ବ୍ରଡବ୍ୟାଣ୍ଡ ବେଗ ପ୍ରତି ସେକେଣ୍ଡରେ 1 ଗିଗାବାଇଟ ରହିବ, ଯାହାକି ଏହା ଅନ୍ୟ ନେଟୱାର୍କ ଅପେକ୍ଷା ତୀବ୍ରତର ହେବ।

6- ଅତ୍ୟାଧୁନିକ ଜ୍ଞାନ କୈଶଳ ଏବଂ କ୍ଲାଉଡ୍ ଡାଟା ପାଇଁ ଜିଓ ମେଟା, ଗୁଗୁଲ୍, ମାଇକ୍ରୋସଫ୍ଟ ଏବଂ ଇଣ୍ଟେଲ ସହିତ ଅଂଶୀଦାର ହେବେ। 

7- ଜିଓ ଭାରତକୁ ଡାଟା ଚାଳିତ ଅର୍ଥନୀତି କରିବ ବୋଲି ମୁକେଶ ଅମ୍ବାନୀ ଦାବି କରିଛନ୍ତି। 

8- 2021 ମସିହାରେ, RIL 750 ବିଲିୟନ ଟଙ୍କା ବଜେଟ୍ ସହିତ ସବୁଜ ଶକ୍ତି କ୍ଷେତ୍ରକୁ ପ୍ରବେଶ କରିଥିଲା ​। 

9- 2020 ରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଘୋଷଣା ଥିଲା କମ୍ପାନୀରେ ସଂଖ୍ୟାଲଘୁ ନିବେଶକ ଭାବରେ ଗୁଗୁଲର ପ୍ରବେଶ।

10- ଜିଓ ବୁକ୍ ଲାପଟପ୍ ଆରମ୍ଭ ହୋଇନାହିଁ।

11- ସମୁଦାୟ ଗ୍ୟାସ ଉତ୍ପାଦନରେ ଭାରତର 30% କୃଷ୍ଣ ଗୋଦାବରୀ ଧୀରୁଭାଇ -6 ପ୍ରକଳ୍ପ ହେବ।

12- ଅତ୍ୟାଧୁନିକ 5G ଗ୍ରହଣ ପାଇଁ ଜିଓ କ୍ୱାଲକମ୍ ସହିତ ସହଯୋଗ ହାସଲ କରିଛି। କ୍ୱାଲକମ୍ ର କ୍ରିଷ୍ଟିଆନୋ ଆମନ୍ ମୁକେଶ ଅମ୍ବାନୀଙ୍କ ସହ ଏହି ବୈଠକରେ ଥିଲେ।

13- କ୍ରିଷ୍ଟିଆନୋ ଆମନ୍ କହିଛନ୍ତି ଯେ ବ୍ରଡବ୍ୟାଣ୍ଡ ପରି ଫାଇବର ଅଭିଜ୍ଞତାକୁ ସକ୍ଷମ କରିବା ପାଇଁ mmWave 5G ର ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ ହେବ। ସେ ଆହୁରି ମଧ୍ୟ କହିଛନ୍ତି ଯେ 5G ସେବା ଆରମ୍ଭ ଏକ ପ୍ରମୁଖ ପ୍ରାଥମିକତା।

14- ବେଙ୍ଗାଲୁରୁ ଦିଲ୍ଲୀ, ଗାନ୍ଧିନଗର, ଚଣ୍ଡିଗଡ଼, ଅହମ୍ମଦାବାଦ, ଗୁରୁଗ୍ରାମ, ମୁମ୍ବାଇ, ପୁଣେ, ହାଇଦ୍ରାବାଦ, ଚେନ୍ନାଇ, ଜାମନଗର, କୋଲକାତା, ଏବଂ ଲକ୍ଷ୍ନୌ ଭଳି 13 ଟି ପ୍ରମୁଖ ସହରରେ 5G ନେଟୱାର୍କ ପ୍ରଥମେ ଆରମ୍ଭ କରାଯିବ।

ଏହି ବୈଠକ ସଂପର୍କରେ ଯେଉଁମାନେ ଅଧିକ ଜାଣିବାକୁ ଚାହୁଁଛନ୍ତି ସେମାନେ ଜିଓ ଫେସବୁକ ପେଜ, ଜିଓ ଟୁଇଟର, ଜିଓ ୟୁଟ୍ୟୁବ ଚ୍ୟାନେଲକୁ ଲଗ ଅନ କରି ଜାଣିପାରିବେ।

Categories
ଜାତୀୟ ଖବର ବିଶେଷ ଖବର

ମୁକେଶ ଆମ୍ବାନୀଙ୍କ ପରିବାର ଭାରତ ଛାଡିବା ଖବର ମିଛ, ରିଲାଏନ୍ସ କଂପାନୀର ସ୍ପଷ୍ଟିକରଣ

ମୁମ୍ବାଇ: ଦେଶର ଏକ ପ୍ରତିଷ୍ଠିତ ଖବର କାଗଜରେ ପ୍ରକାଶ ପାଇଥିଲା ଯେ, ରିଲାଏନ୍ସ କଂପାନୀର ମାଲିକ ମୁକେଶ ଆମ୍ବାନୀ ଏବଂ ତାଙ୍କ ପରିବାର ଭାରତ ଛାଡିବେ। ସେଥିପାଇଁ ସେମାନେ ଲଣ୍ଡନର ଷ୍ଟୋକ ପାର୍କରେ ଏକ ଘର କିଣିଛନ୍ତି। ସେଠାରେ ସେ ବସବାସ କରିବେ। ଏହି ଖବରକୁ ନେଇ ଦିନ ତମାମ ବେଶ୍ ଚର୍ଚ୍ଚା ଚାଲିଛି।

ଏହି ଖବରକୁ ନେଇ ଶେଷରେ ରିଲାଏନ୍ସ ଇଣ୍ଡଷ୍ଟ୍ରୀ ତରଫରୁ ସ୍ପଷ୍ଟି କରଣ ଦିଆଯାଇଛି। ଏଥିରେ କୁହାଯାଇଛି ଯେ, କଂପାନୀ ଅଧ୍ୟକ୍ଷ ଏବଂ ତାଙ୍କ ପରିବାର ଲଣ୍ଡନ ଯିବା ଖବର ସଂପୂର୍ଣ୍ଣ ମିଥ୍ୟା ଏବଂ କଳ୍ପୋଳକଳ୍ପିତ। ସେ ଲଣ୍ଡନ ନୁହେଁ ବିଶ୍ବର କୌଣସି ଦେଶକୁ ସ୍ଥାନାନ୍ତରିତ ହେବାର ନାହିଁ।

ଏହି ସ୍ପଷ୍ଟିକରଣରେ କୁହାଯାଇଛି ଯେ, କଂପାନୀ ତରଫରୁ ଲଣ୍ଡନର ଷ୍ଟୋକ ପାର୍କ ଅଞ୍ଚଳରେ ଏକ ଘର କିଣାଯାଇଛି। ତାହା ଏକ ଐତିହ୍ୟ ବିଲିଡିଂ। ସେଠାରେ ଗଳ୍ଫ ଏବଂ କ୍ରୀଡା ରିସୋର୍ଟ ଭାବରେ ପରିଗଣିତ କରାଯିବ ବୋଲି ନିଷ୍ପତି ହୋଇଛି। ହେଲେ ସେଠାରେ ରହିବାର ଖବର ସଂପୂର୍ଣ୍ଣ ମିଥ୍ୟା।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ସବୁଜ ଶକ୍ତି ବ୍ୟବସାୟରେ ରିଲାଏନ୍ସ କଂପାନୀ, ଗାଁ ଛାତରେ ଲଗାଇବେ ସୌର ପ୍ୟାନେଲ, ଆମ୍ବାନୀଙ୍କ ଘୋଷଣା

ମୁମ୍ବାଇ, ରିଲାଏନ୍ସ ଏହାର ଶକ୍ତି ବ୍ୟବସାୟର ଚେହେରା ବଦଳାଇବାକୁ ଯାଉଛି। ଆଜି ରିଲାଏନ୍ସର ବାର୍ଷିକ ସାଧାରଣ ସଭାରେ ଏହାର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଏହିପରି ବଡ ଘୋଷଣା କରିଛନ୍ତି। ସବୁଜ ଶକ୍ତି କ୍ଷେତ୍ରରେ ରିଲାଏନ୍ସ ଏକାସାଙ୍ଗରେ ବହୁ ବୃହତ ପ୍ରକଳ୍ପ ପ୍ରତିଷ୍ଠା କରିବ ବୋଲି ଘୋଷଣା କରିଛନ୍ତି।

ଏଥିପାଇଁ ରିଲାଏନ୍ସ, ଗୁଜୁରାଟର ଜାମନଗରରେ 5000 ଏକର ପରିମିତ ଜମିରେ ଧୀରୁଭାଇ ଅମ୍ବାନୀ ଗ୍ରୀନ୍ ଏନର୍ଜି ଗିଗା କମ୍ପ୍ଲେକ୍ସ ନିର୍ମାଣ କରିବ। ଆଗାମୀ 3 ବର୍ଷରେ ରିଲାଏନ୍ସ ନବୀକରଣ ଯୋଗ୍ୟ ଶକ୍ତି ଇକୋସିଷ୍ଟମ ପାଇଁ 75000 କୋଟି ଟଙ୍କା ବିନିଯୋଗ କରିବ ବୋଲି ମୁକେଶ ଘୋଷଣା କରିଛନ୍ତି।

ସବୁଜ ଶକ୍ତିର ମେଗା ଯୋଜନାରେ ତିନୋଟି ପ୍ରମୁଖ ଅଂଶ ଅଛି। ପ୍ରଥମ ଭାଗରେ ଚାରୋଟି ଗିଗା କାରଖାନା ନିର୍ମାଣ ହେବ, ଯାହା ନୂତନ ଶକ୍ତି ଇକୋସିଷ୍ଟମର ସମସ୍ତ ପ୍ରମୁଖ ଯନ୍ତ୍ରାଂଶ ଉତ୍ପାଦନ କରିବ। ଏଥି ମଧ୍ୟରୁ ଗୋଟିଏ ସୌର ଶକ୍ତି ପାଇଁ ହେବ। ଯାହା ସୌର ଫୋଟୋଭୋଲ୍ଟିକ୍ ମଡ୍ୟୁଲ୍ ତିଆରି କରିବ। ଦ୍ୱିତୀୟରେ, ଶକ୍ତି ସଂରକ୍ଷଣ କିମ୍ବା ସଂରକ୍ଷଣ ପାଇଁ କମ୍ପାନୀ।

ଏହା ଏକ ଅତ୍ୟାଧୁନିକ ଶକ୍ତି ସଂରକ୍ଷଣ ବ୍ୟାଟେରୀ ଉତ୍ପାଦନ କାରଖାନା ମଧ୍ୟ ସ୍ଥାପନ କରିବ। ତୃତୀୟରେ ସବୁଜ ହାଇଡ୍ରୋଜେନ ଉତ୍ପାଦନ ପାଇଁ ଏକ ଇଲେକ୍ଟ୍ରୋଲାଇଜର କାରଖାନା ପ୍ରତିଷ୍ଠା ହେବ। ଚତୁର୍ଥ କମ୍ପାନୀ ହାଇଡ୍ରୋଜେନକୁ ଶକ୍ତିରେ ପରିଣତ କରିବା ପାଇଁ ଏକ ଇନ୍ଧନ ସେଲ କାରଖାନା ନିର୍ମାଣ କରିବ।

ପ୍ରଧାନମନ୍ତ୍ରୀ ମୋଦୀ 2030 ସୁଦ୍ଧା ଦେଶ ସମ୍ମୁଖରେ 450 GW  ଅକ୍ଷୟ ଶକ୍ତି ଉତ୍ପାଦନ କରିବାର ଲକ୍ଷ୍ୟ ରଖିଛନ୍ତି। ଏହାକୁ ନେଇ ଅମ୍ବାନୀ କହିଛନ୍ତି ଯେ ରିଲାଏନ୍ସ 2030 ସୁଦ୍ଧା 100GW ସୌର ଶକ୍ତି ଉତ୍ପାଦନ କରିବ। ସେହିପରି ଗ୍ରାମ ଛାତ ଉପର ମଧ୍ୟ ସୌର ଶକ୍ତି ଉତ୍ପାଦନ କରାଯିବ। ଗ୍ରାମଗୁଡିକରେ ସୌର ଶକ୍ତି ଉତ୍ପାଦନ ଗ୍ରାମୀଣ ଅର୍ଥନୀତିକୁ ବୃଦ୍ଧି କରିବ ବୋଲି ଆମ୍ବାନୀ କହିଛନ୍ତି। ରିଲାଏନ୍ସ ସୌର ଶକ୍ତିକୁ ସୁଲଭ କରିବା ପାଇଁ ଦୁନିଆର ସର୍ବନିମ୍ନ ସୌର ମଡ୍ୟୁଲଗୁଡିକର ଉପଯୋଗ କରିବ।

ସୂର୍ଯ୍ୟ ଭଗବାନଙ୍କୁ ନମସ୍କାର କରି ମୁକେଶ ଅମ୍ବାନୀ କହିଛନ୍ତି ଯେ ସୂର୍ଯ୍ୟ ଅସୀମିତ ଶକ୍ତି ଉତ୍ପାଦନ କରନ୍ତି। ଯଦି ଆମେ ସୌର ଶକ୍ତି ବ୍ୟବହାର କରିବାରେ ସକ୍ଷମ, ତେବେ ଭାରତ ପାରଂପାରିକ ବା ଜୀବାଷ୍ଣୁ ଇନ୍ଧନ ଆମଦାନୀକାରୀଙ୍କଠାରୁ ନିର୍ମଳ ସୌର ଶକ୍ତି ରପ୍ତାନି ଦେଶ ହୋଇପାରେ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ମୁକେଶ ଆମ୍ବାନୀଙ୍କ ବଡ ଘୋଷଣା, ଗଣେଷ ପୂଜାରେ ଆସିବ ନୂଆ ସ୍ମାର୍ଟ ଫୋନ ଜିଓଫୋନ ନେକ୍ସେଟ୍

ମୁମ୍ବାଇ, ଆଜି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆରଏଲ) ର ବହୁ ପ୍ରତୀକ୍ଷିତ ବାର୍ଷିକ ସାଧାରଣ ସଭାରେ ବା ଏଜିଏମ୍ ରେ ଏହାର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଏକ ବଡ ଘୋଷଣା କରିଛନ୍ତି। ତାହା ହେଲା ରିଲାଏନ୍ସ ଜିଓ ଭାରତରେ ଏକ ନୂତନ ସ୍ମର୍ଟ ଫୋନ ବଜାରକୁ ଆଣିବ। ଯାହାର ନାମ ହେଲା ଜିଓଫୋନ୍ ନେକ୍ସେଟ JioPhone Next । ଖୁସିର କଥା ଏହା ଗୁଗୁଲ ଏବଂ ଜିଓ ମିଳିତ ଭାବେ ବିକଶିତ କରୁଛନ୍ତି। ଉଭୟ କଂପାନୀର ସହଭାଗିତାରେ ଏହି ନୂଆ ଜିଓଫୋନ୍ ନେକ୍ସେଟ ପ୍ରସ୍ତୁତ କରାଯାଉଛି।

ଏହି ଫୋନ କେବଳ ଭାରତରେ ନୁହେଁ ବିଶ୍ୱରେ ସବୁଠାରୁ ଶସ୍ତା ସ୍ମାର୍ଟଫୋନ ହେବ ବୋଲି  ମୁକେଶ ଘୋଷଣା କରିଛନ୍ତି। ଏହି ନୂଆ ଜିଓଫୋନ୍ ନେକ୍ସେଟ୍ ଆସନ୍ତା ଗଣେଶ ଚତୁର୍ଥୀ ଅର୍ଥାତ ସେପ୍ଟେମ୍ବର 10ରେ ବଜାର ପ୍ରବେଶ କରିବ ବୋଲି ମୁକେଶ କହିଛନ୍ତି। ଏହି ଫୋନ ପ୍ରଥମେ ଭାରତରେ ଲଞ୍ଚ ହେବ, ଏହା ପରେ ବିଶ୍ବ ବଜାରରେ ଉପଲବ୍ଧ କରାଯିବ ବୋଲି ବୈଠକରେ ଆମ୍ବାନୀ କହିଛନ୍ତି।

JioPhone Next ହେଉଛି ଏପରି ଏକ ସ୍ମାର୍ଟଫୋନ୍ ଯାହା ଗୁଗୁଲ୍ ଏବଂ ଜିଓ ଏବଂ ପ୍ଲେ ଷ୍ଟୋର୍ର ଆପ୍ସର ସମ୍ପୂର୍ଣ୍ଣ ସମର୍ଥନ କରିବ। ଫୋନ୍ ଭଏସ୍ ଆସିଷ୍ଟାଣ୍ଟକୁ ମଧ୍ୟ ସମର୍ଥନ କରିବ ଏବଂ ଏପରିକି ଗୋଟିଏ କ୍ୟାମେରା ସହିତ ସଜ୍ଜିତ ହେବ ଯାହା ବର୍ଦ୍ଧିତ ରିଅଲିଟି ଫିଲ୍ଟରକୁ ସମର୍ଥନ କରିବ।

ଏଜିଏମ୍ ବୈଠକରେ କମ୍ପାନୀ ଘୋଷଣା କରିଛି ଯେ ଜିଓରେ 37.9 ମିଲିୟନରୁ ଅଧିକ ନୂତନ ଗ୍ରାହକ ଯୋଗ ହୋଇଛନ୍ତି। ରିଲାଏନ୍ସ ଜିଓର ଦେଶରେ 42.5 ମିଲିୟନରୁ ଅଧିକ ଗ୍ରାହକ ଅଛନ୍ତି। କମ୍ପାନୀ ଭାରତରେ ଡାଟା ବ୍ୟବହାରରେ 45 ପ୍ରତିଶତ ବୃଦ୍ଧି କରିଛି। ରିଲାଏନ୍ସ ଜିଓ 200 ନିୟୁତ ନୂତନ ଗ୍ରାହକ ଯୋଗ କରିବ ବୋଲି ଆଶା କରାଯାଉଛି।

ମୁକେଶ ଅମ୍ବାନୀ କହିଛନ୍ତି ଯେ ଜିଓ ଫାଇବର ଗତ ଏକ ବର୍ଷ ମଧ୍ୟରେ 2 ମିଲିୟନରୁ ଅଧିକ ନୂତନ ସଂଯୋଗ କରିଛି । 3 ମିଲିୟନ ସକ୍ରିୟ ଘର ଏବଂ ବ୍ୟବସାୟ ଉପଭୋକ୍ତାଙ୍କର ଏକ ମିଳିତ ଆଧାର ସହିତ, ଜିଓ ଫାଇବର ଭାରତର ସର୍ବବୃହତ ତଥା ଦ୍ରୁତତମ ବୃଦ୍ଧି ପାଉଥିବା ବ୍ରଡବ୍ୟାଣ୍ଡ ଅପରେଟର ହୋଇପାରିଛି।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ କହିଛନ୍ତି ଯେ ଜିଓ  5G କୁ ଶୀଘ୍ର ଏବଂ ନିରବଚ୍ଛିନ୍ନ ଭାବରେ ଅପଗ୍ରେଡ୍ କରିବାକୁ ଏକ ନିଆରା ସ୍ଥିତିରେ ଅଛି। 5G ଇକୋସିଷ୍ଟମ୍ ବଢାଇବାକୁ, ଆମେ 5G ଉପକରଣର ପରିସର ବିକାଶ ପାଇଁ ବିଶ୍ୱସ୍ତରୀୟ ଅଂଶୀଦାରମାନଙ୍କ ସହିତ କାର୍ଯ୍ୟ କରୁଛୁ। ଜିଓ କେବଳ ଭାରତକୁ 2G ମୁକ୍ତ କରିବା ପାଇଁ କାମ କରୁନାହିଁ, ବରଂ 5G କୁ ଯୁକ୍ତ କରିବା ପାଇଁ ମଧ୍ୟ ପ୍ରୟାସ କରୁଛି।

Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ରିଲାଏନସ୍ ଅଧ୍ୟକ୍ଷ ମୁକେଶ ଆମ୍ବାନୀ ଆଜି କରିବେ ବଡ ଘୋଷଣା, ଆଣିପାରନ୍ତି ନୂଆ ସ୍ମାର୍ଟ ଫୋନ

ଭୁବନେଶ୍ବର, ଭାରତର ବଡ ଟେଲିକମ ତଥା ତୈଳ୍ୟ କଂପାନୀ ରିଲଏନସ ତରଫରୁ ଏହାର ଅଧ୍ୟକ୍ଷ ମୁକେଶ ଆମ୍ବାନୀ କରିବେ ବଡ ଘୋଷଣା। କାରଣ ଆଜି ଅପରାହ୍ନରେ ରିଲାଏନ୍ସ ଇଣ୍ଡଷ୍ଟ୍ରିର ବାର୍ଷିକ ସାଧାରଣ ବୈଠକ ବା ଏଜିଏମ ବସୁଛି । ପ୍ରତି ବର୍ଷ ଆମ୍ବାନୀ ଏହି ଏଜିଏମରେ କିଛି ବଡ ଘୋଷଣା କରିଥାନ୍ତି। ଯାହା ସାରା ବିଶ୍ବ ବଜାରରେ ଏକ ହଇଚଇ ସୃଷ୍ଟି କରିଥାଏ।

ତେବେ ଜାତୀୟ ଗଣ ମାଧ୍ୟମର ରିପୋର୍ଟ ଅନୁସାରେ ଆମ୍ବାନୀ ଏଥର ନନ-ଟେଲିକମ ବ୍ୟବସାୟ ଉପରେ ଗୁରୁତ୍ବ ଦେବେ। ମୁଖ୍ୟତଃ ରିଲାଏନ୍ସ ରିଟେଲ ଉପରେ ଏକ ଗୁରୁତ୍ବ ପୂର୍ଣ୍ଣ ନିଷ୍ପତି ଘୋଷଣା କରିପାରନ୍ତି। କାରଣ କରୋନା ସମୟରେ ରିଲାଏନ୍ସ ରିଟେଲ ବେଶ୍ ଭଲ ବ୍ୟବସାୟ କରିଛି। ବର୍ତ୍ତମାନ ଇ କମର୍ସରେ ରିଲାଏନ୍ସ ରିଟେଲ 30 ପ୍ରତିଶତ ବଜାର ଅକ୍ତିୟାର କରିଛି।

ସେହିପରି ରିଲାଏନ୍ସ ଇଣ୍ଡଷ୍ଟ୍ରି କେତେକ ନୂଆ ବ୍ୟବସାୟରେ ସାମିଲ ହେବା ନେଇ ମଧ୍ୟ ଘୋଷଣା ହୋଇପାରେ। ଏଥିରେ ଅକ୍ଷୟ ଶକ୍ତି ବା ରିଇନେବୁଲ ଏନର୍ଜି ସେକ୍ଟରରେ କଂପାନୀ ପ୍ରବେଶ କରିବାର ସମ୍ଭାବନା ରହିଛି। କାରଣ କଂପାନୀ ଲକ୍ଷ ରଖିଛି ଭବିଷ୍ୟତରେ ଏହି ଶକ୍ତିର ଚାହିଦା ସୃଷ୍ଟି ହେବ।

ସେହିପରି ସାରା ବିଶ୍ବରେ ଚହଳ ସୃଷ୍ଟି କରିଥିବା ରିଲାଏନ୍ସ ଜିଓ ଉପରେ ମଧ୍ୟ କିଛି ନୂଆ ଘୋଷଣା କରାଯିବାର ସମ୍ଭାବନା ରହିଛି। ମୁଖ୍ୟତଃ କଂପାନୀ ଏକ ଭିନ୍ନ ଧରଣର ନୂଆ ଶସ୍ତା ସ୍ମାର୍ଟ ଫୋନ ବଜାର ପ୍ରବେଶ କରାଇବ ବୋଲି ଜଣାପଡିଛି। ତେବେ ଏହି ଏଜିଏମରେ ମୁକେଶ ଆମ୍ବାନୀଙ୍କ ଘୋଷଣାକୁ ନେଇ ସାରା ବିଶ୍ବ ବ୍ୟବସାୟ ଗୋଷ୍ଠୀ ଅପେକ୍ଷା କରି ରହିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଦେଶରେ ଟେଲିକମ୍ ସେବାକୁ ଆଗକୁ ନେବାକୁ ହେଲେ ୨ଜି ସେବା ବନ୍ଦ କରିବାକୁ ପଡିବ, ମୁକେଶ ଆମ୍ବାନୀ

ମୁମ୍ବାଇ, ଦୀର୍ଘ ୨୫ ବର୍ଷ ପୂର୍ବେ ଆରମ୍ଭ ହୋଇଥିବା ୨ଜି ମୋବାଇଲ୍ ସେବାକୁ ବନ୍ଦ କରି ଆଗକୁ ବଢିବା ସହିତ ତାହାକୁ ଇତିହାସ ପୃଷ୍ଠାରେ ସ୍ଥାନ ଦିଆଯାଉ।ଏହା କହିଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ତଥା ଦେଶରେ ଜିଓ ପ୍ଲାଟଫର୍ମ ମାଧ୍ୟରେ ବିଫ୍ଲବ ଆଣିଥିବା ମୁକେଶ ଅମ୍ବାନି। ପ୍ରଥମ ମୋବାଇଲ୍ କଲ୍‌ର ରୌପ୍ୟ ଜୟନ୍ତୀ ଉତ୍ସବ ଅବସରରେ ସେ କହିଛନ୍ତି ଯେ ସାରା ବିଶ୍ୱ ଯେତେବେଳେ ୫ଜି ଟେଲିଫୋନ ଆଡ଼କୁ ମୁହାଁଉଛି ସେହି ସମୟରେ ୨ଜି ଯୁଗର ଫିଚର ଫୋନ୍‌କୁ ବନ୍ଦ କରିବାର ଆବଶ୍ୟକତା ରହିଛି।

ଭାରତରେ ପ୍ରାୟ ୩୦ କୋଟି ଗ୍ରାହକ ବର୍ତ୍ତମାନ ସୁଦ୍ଧା ଫିଚର ଫୋନ ବ୍ୟବହାର କରୁଛନ୍ତି। ଫଳରେ ସେମାନେ ମୌଳିକ ଇଟଂରନେଟ୍ ସେବା ପାଇବାରୁ ବଂଚିତ ହେଉଛନ୍ତି । ୨ଜି କୁ ଇତିହାସ ପୃଷ୍ଠାରେ ସ୍ଥାନିତ କରି ଆଗକୁ ବଢିବା ଲାଗି ଜରୁରୀକାଳୀନ ଭିତିରେ ନୀତିଗତ ପଦକ୍ଷେପ ଗ୍ରହଣ କରାଯିବାର ଆବଶ୍ୟକତା ରହିଛି ବୋଲି ଅମ୍ବାନି କହିଛନ୍ତି ।

ଏହି ଅବସରରେ ମୁକେଶ ଅମ୍ବାନି କହିଛନ୍ତି ଯେ ୧୯୯୫ରେ ମୋବାଇଲ୍ ସେବାର ଅଭ୍ୟୁଦୟ ହେବା ସହ ଉଜ୍ଜ୍ୱଳ ଭବିଷ୍ୟତ ଆଡ଼କୁ ଭାରତ ଏକ ବଡ ଲମ୍ଫ ସହିତ ଯାତ୍ରା ଆରମ୍ଭ କରିଥିଲା । ଯେତେବେଳେ ଲ୍ୟାଣ୍ଡ୍‌ଲାଇନ୍‌ର ଆବିସ୍କାର ହୋଇଥିଲା ତାହା ଏକ ବିରଳ ଐତିହାସିକ ମୁହୂର୍ତ ଥିଲା । ମାତ୍ର ତାହା ଯୋଗାଯୋଗରେ ଆଂଶିକ ସ୍ୱାଧୀନତା ଦେଉଥିଲା ।

ଏହା ବାସ୍ତବରେ ଦୂରତ୍ୱକୁ ନେଇ ରହିଥିବା ସବୁ ସମସ୍ୟା ଦୂର କରିପାରିନଥିଲା । ଲୋକମାନେ ଯେକୌଣସି ସ୍ଥାନରୁ ଯେକୌଣସି ସମୟରେ ଚବିଶ ଘଂଟା ଯୋଗାଯୋଗରେ ରହିବାର ସୁଯୋଗ ପାଇନଥିଲେ । ସେ କହିଛନ୍ତି, ଭାରତରେ ମୋବାଇଲ୍ ଫୋନ୍ ଆଶା ଠାରୁ ଅଧିକ ସୁଲଭ ମୂଲ୍ୟର ହୋଇପାରିଛି । ୧୯୯୫ରେ ସେଲ୍ ଫୋନ୍‌ରୁ କରାଯାଉଥିବା କଲ୍‌ର ଦାମ୍ ୨୪ ଟଙ୍କା ଥିଲା । କଲ୍ କରୁଥିବା ବ୍ୟକ୍ତି ୧୬ ଟଙ୍କା ଓ କଲ୍ ଗ୍ରହଣ କରୁଥିବା ବ୍ୟକ୍ତି ୮ ଟଙ୍କା ଗଣୁଥିଲେ । ମାତ୍ର ଏବେ ଭଏସ୍ କଲ୍ ସମ୍ପୂର୍ଣ୍ଣ ନିଶୁଳ୍କ ହୋଇଥିବା ବେଳେ ଏହାର କୌଣସି ସର୍ବାଧିକ ସୀମା ମଧ୍ୟ ନାହିଁ ।

ସୁଲଭ ମୋବାଇଲ୍ ସେବା ଗଣତନ୍ତ୍ରରେ ପରିଣତ ହୋଇଛି ଏବଂ ଦୀର୍ଘବର୍ଷ ପୂର୍ବ ସମୟ ଭଳି ଏହା ଆଉ ଧନୀ ବ୍ୟକ୍ତିଙ୍କ ଏକଚାଟିଆ ଅକ୍ତିଆରରେ ନାହିଁ । ମାନବ ଇତିହାସରେ ମୋବାଇଲ୍ ଫୋନ୍ ଭଳି ଅନ୍ୟ କୌଣସି ପ୍ରଯୁକ୍ତି ଉପକରଣ ଧନୀ ଓ ଗରିବଙ୍କ ଭିତରେ ଥିବା ପ୍ରଭେଦକୁ ଏଭଳି ଭାବେ ଦୂର କରିପାରିନାହିଁ । ମୋବାଇଲ୍ ଇଟଂରନେଟ୍ ଯୋଗୁଁ ପୂର୍ବରୁ କେବଳ ଗୋଟିଏ କାର୍ଯ୍ୟ ହୋଇପାରୁଥିବା ମୋବାଇଲ୍ ଫୋନ୍‌ରେ ଆଜି ବିବିଧ ପ୍ରକାର କାର୍ଯ୍ୟ ହେଉଛି । ଏହା ସହିତ ଯୋଗାଯୋଗର ବିପ୍ଳବ ମାନବିକ ଅଭିନବ ଚିନ୍ତାଧାରାର ବନ୍ୟା ସୃଷ୍ଟି କରିଛି ବୋଲି ଅମ୍ବାନି କହିଛନ୍ତି ।

ସେ କହିଛନ୍ତି, ୨୫ ବର୍ଷ ପୂର୍ବେ ମୋବାଇଲ୍ ଟେଲି ଯୋଗାଯୋଗ କ୍ଷେତ୍ର ବିଶ୍ୱର ଅନ୍ୟ ଦେଶଗୁଡ଼ିକ ଠାରୁ ଭାରତ ବହୁ ପଛରେ ଥିଲା । କିନ୍ତୁ ଏବେ ଦେଶ ପାଇଁ ସମୟ ଆସିଛି ପ୍ରଯୁକ୍ତିର ପ୍ରମୁଖ ଭାଗରେ ବିଶ୍ୱର ଅନ୍ୟମାନଙ୍କ ଠାରୁ ଆଗରେ ରହିବା ପାଇଁ । ଲୋକମାନେ ଏବେ ନିଜ ମୋବାଇଲ୍ ଫୋନ୍‌ରେ ଜ୍ଞାନ ହାସଲ କରିବା ସହ ପରସ୍ପର ସହ ବାଂଟୁଛନ୍ତି, ଖବର ପାଉଛନ୍ତି ଏବଂ ଭିଡିଓ ଦେଖୁଛନ୍ତି ଓ ତିଆରି ମଧ୍ୟ କରୁଛନ୍ତି ।

ଲୋକମାନେ ଫୋନ୍ ଜରିଆରେ ଘରେ ରହି କାମ କରୁଛନ୍ତି ଏବଂ ପଢ଼ୁଛନ୍ତି । ଭର୍ଚୁଆଲ୍ ବୈଠକରେ ସେମାନେ ଭାଗ ନେଉଛନ୍ତି । ମୋବାଇଲ୍ ଫୋନ୍ କିଭଳି ଲୋକମାନଙ୍କୁ ସଶକ୍ତ କରୁଛି କୋଭିଡ୍ ଲକ୍‌ଡାଉନ ତାହାର ଶ୍ରେଷ୍ଠ ଉଦାହରଣ ପ୍ରଦାନ କରିଛି । ସାରା ଦେଶକୁ ଏହା ଯୋଗାଯୋଗ ମାଧ୍ୟମରେ ସଂଯୁକ୍ତ ରଖିଛି ବୋଲି ସେ କହିଛନ୍ତି ।