Categories
ବିଶେଷ ଖବର

କେନ୍ଦ୍ରାପଡା ଗସ୍ତରେ ୫-ଟି ସଚିବ: ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର କଲେ ଅନୁଧ୍ୟାନ

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭି.କେ. ପାଣ୍ଡିଆନ ଆଜି କେନ୍ଦ୍ରାପଡା ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାମ ଅନୁଧ୍ୟାନ କରିବା ସହିତ ଏହାର ଅଗ୍ରଗତି ପାଇଁ ପଦକ୍ଷେପ ନେବାକୁ ଆବଶ୍ୟକ ପରାମର୍ଶ ଓ ନିର୍ଦ୍ଦେଶ ଦେଇଛନ୍ତି ।

ଶ୍ରୀ ପାଣ୍ଡିଆନ ଆଜି କେନ୍ଦ୍ରାପଡାର ପ୍ରସିଦ୍ଧ ବଳଦେବଜୀଉ ମନ୍ଦିର, ଗୋଲରା ହାଟସ୍ଥିତ ଦଧିବାମନ ଜିଉ ମନ୍ଦିର ଓ ରାମନଗର ଠାରେ ଥିବା ରାମଚଣ୍ଡୀ ମନ୍ଦିର ପରିଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ। ବଳଦେବଜିଉ ମନ୍ଦିର ଟ୍ରଷ୍ଟବୋର୍ଡ ଓ ସେବାୟତ ମାନଙ୍କ ସହିତ ଆଲୋଚନା କରି ଏହାର ଅଧିକ ବିକାଶ ଓ ସୌନ୍ଦର୍ଯ୍ୟକରଣ ପାଇଁ DPR ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ଦଧିବାମନଜୀଉ ଓ ରାମଚଣ୍ଡୀ ମନ୍ଦିରର ପାରିପାର୍ଶ୍ବିକ ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ପାଇଁ DPR ପ୍ରସ୍ତୁତ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ।

ମହାକାଳପଡା ବ୍ଲକ୍‌ସ୍ଥିତ ଅଡୋଇଠାରେ ପ୍ରସ୍ତାବିତ Arcelor Mittal Nippon Steel Plant ଅଞ୍ଚଳ ପରିଦର୍ଶନ କରିଥିଲେ। ସେଠାରେ ବିଭିନ୍ନ ପଦାଧିକାରୀମାନଙ୍କ ସହିତ ଆଲୋଚନା କରି ପ୍ରକଳ୍ପର ପ୍ରାକ୍‌ ପ୍ରସ୍ତୁତି ସଂପର୍କରେ ସମୀକ୍ଷା କରିଥିଲେ। ଏହି କାମ ତୁରନ୍ତ ଆରମ୍ଭ କରିବାକୁ ସେ ଜିଲ୍ଲାପାଳ ଓ ପ୍ଲାଣ୍ଟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେଠାରେ ସେ ମାର୍ଶାଘାଇ-ଜମ୍ବୁ କେନାଲ ରାସ୍ତାର ପ୍ରସ୍ତାବିତ ସଂପ୍ରସାରଣ କାର୍ଯ୍ୟ ସଂପର୍କରେ ସମୀକ୍ଷା କରିଥିଲେ। ୧୧୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଏହି ପ୍ରକଳ୍ପକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ସେ ପରାମର୍ଶ ଦେଇଥିଲେ।

କେନ୍ଦ୍ରପଡା ସର୍କିଟ ହାଉସରେ ଶ୍ରୀ ପାଣ୍ଡିଆନ ପ୍ରାୟ ୧୩୦ଟି ନାଗରିକ ସମାଜ (ସିଭିଲ ସୋସାଇଟି) ବିଭିନ୍ନ ସଂସ୍ଥା ଓ ସଂଘ ମାନଙ୍କ ସହ ଆଲୋଚନା କରି ଜିଲ୍ଲାର ବିକାଶ ଓ ଲୋକ ମାନଙ୍କ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ। ଜିଲ୍ଲାସ୍ତରରେ ଯେଉଁସବୁ ସମସ୍ୟାର ସମାଧାନ ହୋଇପାରିବ, ତାର ତୁରନ୍ତ ସମାଧାନ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ । ରାଜ୍ୟ ସରକାରଙ୍କ ସ୍ତରରେ ହେବାକୁ ଥିବା ସମସ୍ୟାର ସମାଧାନ ଉପଯୁକ୍ତ ପର୍ଯ୍ୟାଲୋଚନା ପରେ ପଦକ୍ଷପ ନିଆଯିବ ବୋଲି ସେ କହିଥିଲେ।

ଶ୍ରୀ ପାଣ୍ଡିଆନ ପ୍ରଥମେ କେନ୍ଦ୍ରାପଡା ଜିଲ୍ଲାର RMC Complex କୁ ଗସ୍ତ କରି ସେଠାରେ ୫୦୦ ଏମ୍‌.ଟି ବିଶିଷ୍ଟ ଶୀତଳଭଣ୍ଡାରର ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରି ଏହାକୁ ଖୁବଶୀଘ୍ର ସଂପୂର୍ଣ୍ଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ସେ କେନ୍ଦ୍ରାପଡା ବ୍ଲକ୍‌ ଜଜାଙ୍ଗସ୍ଥିତ ସଂକଳ୍ପ ପ୍ରକଳ୍ପ ପରିଦର୍ଶନ କରିଥିଲେ। ଏଠାରେ ଗୋଲଡେନ୍‌ ଗ୍ରାସ ହସ୍ତଶିଳ୍ପ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି । ଏଠାରେ ଶ୍ରୀ ପାଣ୍ଡିଆନ କାମ କରୁଥିବା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟ ମାନଙ୍କ ସହିତ ଆଲୋଚନା କରି ସେମାନଙ୍କର କାର୍ଯ୍ୟ ଓ ସୁବିଧା ଅସୁବିଧା ସଂପର୍କରେ ବୁଝିଥିଲେ। ଗୋଲଡେନ୍‌ ଗ୍ରାସରେ ପ୍ରସ୍ତୁତ ବିଭିନ୍ନ ସାମଗ୍ରୀର ଉପଯୁକ୍ତ ମାର୍କେଟିଂ ପାଇଁ ପଦକ୍ଷେପ ନେବାକୁ ଏବଂ ଏହି ପ୍ରକଳ୍ପରେ ଅଧିକରୁ ଅଧିକ ସ୍ବୟଂ ସହାୟକ ଗୋଷ୍ଠୀକୁ ସାମିଲ କରିବାକୁ ସେ ହସ୍ତଶିଳ୍ପ ବିଭାଗକୁ ପରାମର୍ଶ ଦେଇଥିଲେ ।

ଏହାପରେ ଶ୍ରୀ ପାଣ୍ଡିଆନ ବଡମୂଳବସନ୍ତ ଅଞ୍ଚଳରେ ଚାଲିଥିବା ଜୟ ସଂକଟମୋଚନ ଓ ମା ଶାରଳା ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଦ୍ବାରା ପରିଚାଳିତ ମତ୍ସ୍ୟ ଚାଷ ପ୍ରକଳ୍ପ ଅନୁଧ୍ୟାନ କରିଥିଲେ । ପ୍ରକଳ୍ପ ସହିତ ସିଧାସଳଖ ସଂଶ୍ଲିଷ୍ଟ ହୋଇ କାମକୁ ଆଗେଇ ନେବାପାଇଁ ସେ ସଦସ୍ୟା ମାନଙ୍କୁ ପରାମର୍ଶ ଦେଇଥିଲେ ।

ଏହାପରେ ୫-ଟି ସଚିବ ପଟ୍ଟାମୁଣ୍ଡାଇସ୍ଥିତ State Institute of Plumbing Technology ବୁଲି ଦେଖିଥିଲେ । ସେଠାରେ ଶିକ୍ଷକ ଓ ଛାତ୍ରଛାତ୍ରୀ ମାନଙ୍କ ସହିତ ଆଲୋଚନା କରି ପିଲାମାନେ ଯେପରି ପାସ୍‌ ହେବା ପରେ ପରେ ତୁରନ୍ତ ନିଯୁକ୍ତି ପାଇପାରିବେ, ସେ ସଂପର୍କରେ ପଦକ୍ଷେପ ନେବା ପାଇଁ ଅଧ୍ୟକ୍ଷଙ୍କୁ ପରାମର୍ଶ ଦେଇଥିଲେ । ଏହାପରେ ସେ Indoor Stadium ଓ Indoor Hall କାମ ଅନୁଧ୍ୟାନ କରି ଶୀଘ୍ର କାମ ସଂପୂର୍ଣ୍ଣ କରିବାକୁ ପରାମର୍ଶ ଦେଇଥିଲେ । ଗୋଲରା ହାଟ ଠାରେ ସେ ମିଶନ ଶକ୍ତି ଅଧିନସ୍ଥ ଉତ୍କଳ ଗ୍ରାମୀଣ ଉତ୍ପାଦକ ଗୋଷ୍ଠୀ ଦ୍ବାରା ପରିଚାଳିତ Embroidery Stitching Unit ପରିଦର୍ଶନ କରିଥିଲେ । ଜିଲ୍ଲା ଓ ରାଜ୍ୟ ସ୍ତରରେ ଏହି ସାମଗ୍ରୀ ପାଇଁ ଅଧିକ ବଜାର ସୁବିଧା କରିବା ପାଇଁ ସେ ପରାମର୍ଶ ଦେବା ସହିତ ଏହି ସଂସ୍ଥା ଗୁଡିକ ଅଧିକ ସହଯୋଗ ଯୋଗାଇ ଦେବାପାଇଁ ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦେଇଥିଲେ।

ଡେରାବିଶ ବ୍ଲକ୍‌ରେ ଏକ ମିଶନ ଶକ୍ତି କେଫ ପରିଦର୍ଶନ କରି ସେଠାରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନଙ୍କ ସହିତ ଆଲୋଚନା କରିଥିଲେ । ଲୋକଙ୍କ ଆବଶ୍ୟକତାକୁ ଦେଖି ନୂଆ ନୂଆ ପ୍ରକାରର ଖାଦ୍ୟ ପଦାର୍ଥ ପ୍ରସ୍ତୁତ କରି ନିଜ ପାଇଁ ବଜାର ସୃଷ୍ଟି କରିବାରୁ ସେ ପରାମର୍ଶ ଦେଇଥିଲେ। ଡେରାବିଶରେ ସେ ପ୍ରାୟ ୬୦୦ ଜିଲ୍ଲାସ୍ତରୀୟ ଓ ବ୍ଲକ୍‌ସ୍ତରୀୟ ଓ ଗ୍ରାମପଞ୍ଚାୟତସ୍ତରୀୟ କାର୍ଯ୍ୟକର୍ତ୍ତା ମାନଙ୍କ ସହିତ ଆଲୋଚନା କରିଥିଲେ ଏବଂ ଲୋକଙ୍କ ପାଇଁ ଅଧିକରୁ ଅଧିକ ଜୀବିକା ସୃଷ୍ଟି କରିବା ପାଇଁ ସେ ପରାମର୍ଶ ଦେଇଥିଲେ । ଏ କ୍ଷେତ୍ର ପାଇଁ ଅର୍ଥର କୌଣସି ଅଭାବ ରହିବା ନାହିଁ ବୋଲି ସେ କହିଥିଲେ ।

ଏହି ପରିଦର୍ଶନ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସ୍ଵତନ୍ତ୍ର ସଚିବ ଭିନିଲ କ୍ରିଷ୍ଣା କେନ୍ଦ୍ରାପଡା ଜିଲ୍ଲାପାଳ ଓ ବିଭିନ୍ନ ବିଭାଗର ସଂପୃକ୍ତ ଅଧିକାରୀମାନେ ଓ ମୁଖ୍ୟମନ୍ତ୍ରୀ ଙ୍କ କାର୍ଯ୍ୟାଳୟ ର ଅଧିକାରୀମାନେ ଉପସ୍ଥିତ ଥିଲେ ।

Categories
ବିଶେଷ ଖବର

ମୁଖ୍ୟ ଶାସନ ସଚିବ ଏବଂ ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବଙ୍କର ଭଦ୍ରକ ଜିଲ୍ଲାଗସ୍ତ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭି.କେ.ପାଣ୍ଡିଆନ୍ ଆଜି ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଧାମରା ବନ୍ଦର ଏବଂ ଆରଡ଼ିଧାମ ପରିଦର୍ଶନ କରି ବିଭିନ୍ନ ପ୍ରକଳ୍ପର କ୍ଷେତ୍ରସ୍ତରୀୟ ଅଗ୍ରଗତି ସମୀକ୍ଷା କରିଥିଲେ।

ପ୍ରଥମେ ଏହି ସର୍ବୋଚ୍ଚ ପ୍ରଶାସନିକ ଟିମ୍ ଧାମରାରେ ପହଞ୍ଚି ଜାମୁଝାଡିରୁ ଧାମରା ପର୍ଯ୍ୟନ୍ତ ଦୁଇସାରିଆ ରାସ୍ତାର ନିର୍ମାଣ କାର୍ଯ୍ୟ, ଚାନ୍ଦବାଲିରୁ ଧାମରା ପର୍ଯ୍ୟନ୍ତ ସଡ଼କ ସଂଯୋଗ ପାଇଁ ମନ୍ତେଇ ନଦୀ ସେତୁ କାର୍ଯ୍ୟ, ଭଦ୍ରଖ ଧାମରା ରେଳଲାଇନ୍ର ଦୋହରୀକରଣ, ଧାମରାଠାରେ ବନ୍ଦରଭିତ୍ତିକ ଶିଳ୍ପାଞ୍ଚଳ ପ୍ରତିଷ୍ଠା, ବାଲିମେଳାଠାରେ ଏୟାରଷ୍ଟ୍ରିପ୍ ନିର୍ମାଣ, ଧାମରା ବନ୍ଦରରେ ଏଲ୍.ଏନ୍.ଜି. ଗ୍ୟାସ ଟର୍ମିନାଲ ଏବଂ ପାଇପ ଯୋଗେ ରାଜ୍ୟର ବିଭିନ୍ନ ଅଂଚଳକୁ ଗ୍ୟାସ ଯୋଗାଣ ପାଇଁ ଟାଙ୍କି ନିର୍ମାଣ ଆଦି କାର୍ଯ୍ୟର ସମୀକ୍ଷା କରିଥିଲେ।

ସମୀକ୍ଷାରୁ ଜଣାପଡିଥିଲା ଯେ ଜାମୁଝାଡିରୁ ଧାମରା ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଅବଶିଷ୍ଟ କାମ ତ୍ୱରାନ୍ୱିତ କରି ନିର୍ଦ୍ଧାରିତ ସମୟସୀମା ପୂର୍ବରୁ କାମ ପୂର୍ଣ୍ଣାଙ୍ଗ କରିବାକୁ ମୁଖ୍ୟ ଶାସନ ସଚିବ ପୁର୍ତ୍ତ ବିଭାଗ ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଚଳିତ ବର୍ଷ ଡ଼ିସେମ୍ବର ଶେଷସୁଦ୍ଧା ମନ୍ତେଇ ନଦୀସେତୁ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ବନ୍ଦର ଭିତ୍ତିକ ଶିଳ୍ପାଞ୍ଚଳ ନିମନ୍ତେ ପ୍ରଥମ ପର୍ଯ୍ୟାୟରେ ୧୨୦୦ ଏକର ଜମି ଏବଂ ଧାମରା ଏୟାର ଷ୍ଟ୍ରିପ୍ ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ କ୍ଷେତ୍ରସ୍ତରୀୟ ଅଧିକାରୀମାନଙ୍କୁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ। ବନ୍ଦରରେ ବାର୍ଷିକ ୫ ନିୟୁତ କ୍ଷମତା ବିଶିଷ୍ଟ ଏଲ୍.ଏନ୍.ଜି. ଗ୍ୟାସ୍ ଟର୍ମିନାଲ୍ ନିର୍ମାଣ କାର୍ଯ୍ୟରେ ଅଗ୍ରଗତି ସନ୍ତୋଷଜନକ ହୋଇଛି। ଏଥିରେ ପ୍ରାୟ ୬୫୦୦ କୋଟି ଟଙ୍କା ବିନିଯୋଗ ହେବ, ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ଏବଂ ଏହି ଟର୍ମିନାଲ ଓଡ଼ିଶା ସମେତ ଭାରତର ପୂର୍ବ ଏବଂ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟମାନଙ୍କୁ ଗ୍ୟାସ୍ ପରିବହନରେ ସହାୟକ ହେବ।

ପରେ ପରେ ଏହି ଟିମ୍ ଆରଡ଼ିଧାମ ଯାଇ ଆଖଣ୍ଡଳମଣି ମନ୍ଦିର ଏବଂ ଚର୍ତୁପାର୍ଶ୍ୱ ବିକାଶ ପ୍ରକଳ୍ପର କ୍ଷେତ୍ରସ୍ତରୀୟ କାର୍ଯ୍ୟାନ୍ୱୟନ ସମୀକ୍ଷା କରିଥିଲେ। ପ୍ରଥମ ପର୍ଯ୍ୟାୟରେ ହାତକୁ ନିଆଯାଇଥିବା ମନ୍ଦିରର ନୂଆ ସିଂହଦ୍ୱାର ନିର୍ମାଣ, ଶ୍ରାବଣମାସରେ ବାବା ଆଖଣ୍ଡଳମଣିଙ୍କ ଜଳାଭିଷେକ ପାଇଁ ଶ୍ରାବଣୀ ମଣ୍ଡପ ନିର୍ମାଣ, ଗଣେଶ ମଣ୍ଡପର ନବୀକରଣ, ଟ୍ରଷ୍ଟ୍ କାର୍ଯ୍ୟାଳୟ, ମନ୍ଦିର ଭିତରୁ ବାହାରକୁ ଜଳ ନିଷ୍କାସନ ବ୍ୟବସ୍ଥା, ମନ୍ଦିର ବେଢ଼ା ଭିତରେ ଖଣ୍ଡାଲାଇଟ୍ ପଥର ଦ୍ୱାରା ଚର୍ତୁପାର୍ଶ୍ୱ ସୌନ୍ଦର୍ଯ୍ୟକରଣ, ମନ୍ଦିରର ନୂଆ ପାଚେରୀ ନିର୍ମାଣ, ମନ୍ଦିରର ଚାରିଦିଗସ୍ଥ ଗୁମୁଟର ନବୀକରଣ ଓ ବୃକ୍ଷରୋପଣ ଆଦି କାର୍ଯ୍ୟ ଆରମ୍ଭ କରାଯାଇଛି। ଏସବୁ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ୬ କୋଟି ଟଙ୍କା ରାଜ୍ୟ ସରକାରଙ୍କ ତରଫରୁ ଯୋଗାଇ ଦିଆଯାଇଛି। ଏହିସବୁ କାମ ନଭେମ୍ବର ୩୦ ତାରିଖ ସୁଦ୍ଧା ସାରିବା ପାଇଁ ୫-ଟି ସଚିବ ଶ୍ରୀ ପାଣ୍ଡିଆନ୍ ସଂପୃକ୍ତ ବିଭାଗର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ପ୍ରକଳ୍ପର ୨ ୟ ପର୍ଯ୍ୟାୟ ପାଇଁ ଶ୍ରୀ ମହାପାତ୍ର ଏବଂ ଶ୍ରୀ ପାଣ୍ଡିଆନ୍ ମନ୍ଦିରର ସେବାୟତ ଓ ସ୍ଥାନୀୟ ଲୋକମାନଙ୍କ ସହ ଆଲୋଚନା କରିଥିଲେ। ଆରଡ଼ି ମନ୍ଦିରକୁ ସଡ଼କ ସଂଯୋଗ ପାଇଁ ସାଳନ୍ଦୀ ନଦୀ ତିନିତର ଘାଟ ନିକଟରେ ସେତୁ ନିର୍ମାଣ କାର୍ଯ୍ୟ ଶିଘ୍ର ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ବୈତରଣୀ ନଦୀଉପରେ ପୋଲ ନିର୍ମାଣ ଏବଂ ସେବାୟତମାନଙ୍କର ଅଭାବ ଅସୁବିଧା ଆଦି ବିଷୟ ସେବାୟତମାନେ ଏହି ଟିମକୁ ଜଣାଇଥିଲେ। ଏ ବିଷୟକୁ ସରକାର ସହୃଦୟତାର ସହ ବିଚାର କରି ନିଷ୍ପତ୍ତି ନେବେ ବୋଲି ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କହିଥିଲେ।

ପ୍ରସିଦ୍ଧ ଆରଡ଼ିପୀଠର ସର୍ବାଙ୍ଗିନ ବିକାଶ ପାର୍ଇ ୫-ଟି ଶାସନ ସଚିବ ଶ୍ରୀ ପାଣ୍ଡିଆନ୍ ସମସ୍ତଙ୍କର ସହଯୋଗ କାମନା କରିଥିଲେ। ଏହି ଗସ୍ତ ସମୟରେ ଭଦ୍ରଖର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ, ଏସ୍.ପି.ଚରଣ ସିଂ ମୀନାଙ୍କ ସମେତ ସଂପୃକ୍ତ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ଆବଶ୍ୟକୀୟ ତଥ୍ୟ ଉପସ୍ଥାପନ କରିଥିଲେ।