Categories
ବିଶେଷ ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିର ଅଷ୍ଟମ ପାଳି, ଜାଣନ୍ତୁ କେତେ ଅଭିଯୋଗ ଆସିଥିଲା, କେତେ ହେଲା ସମାଧାନ

ଭୁବନେଶ୍ବର: ଲୋକଙ୍କ ମୁଖ୍ୟମନ୍ତ୍ରୀଙ୍କ ଲୋକଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ଆଜି ଥିଲା ଅଷ୍ଟମ ପାଳି । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଦାୟିତ୍ୱ ନେବା ପରଠାରୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଅଧିକ କ୍ରିୟାଶୀଳ ହୋଇଛି । ମୁଖ୍ୟମନ୍ତ୍ରୀ, ସାଧାରଣ ଲୋକଙ୍କ ସୁଖ ଦୁଃଖ ଶୁଣିବା ଏବଂ ସମସ୍ୟାର ସମାଧାନ ଉପରେ ସବୁବେଳେ ଗୁରୁତ୍ୱ ଦେଇଥାନ୍ତି ।

ଆଜି ବୌଦ୍ଧ ଜିଲ୍ଲାର ହେରମ୍ବ ଗିରି ତାଙ୍କ ୭ ବର୍ଷର ଝିଅ ପ୍ରତ୍ୟୁଷା ଗିରିଙ୍କୁ ନେଇ ଅଭିଯୋଗ ପ୍ରକୋଷ୍ଠକୁ ଆସିଥିଲେ । ଝିଅଟି ଜେରୋଡର୍ମା ନାମକ ଏକ ଜଟିଳ ରୋଗରେ ପୀଡ଼ିତ । ଏହି ରୋଗର ଚିକିତ୍ସା ମଧ୍ୟ ବହୁ ବ୍ୟୟସାପେକ୍ଷ। ଗତ ଡିସେମ୍ୱର ୩୦ ତାରିଖରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଆସି ଦେଖା କରିଥିଲେ। ମୁଖ୍ୟମନ୍ତ୍ରୀ ପିଲାଟିର ଅବସ୍ଥା ଦେଖି ତାକୁ ତୁରନ୍ତ କ୍ୟାପିଟାଲ ହସପିଟାଲ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ କଟକ ବଡ଼ ମେଡିକାଲକୁ ପଠାଇ ତା’ର ଚିକିତ୍ସା ବ୍ୟବସ୍ଥା କରିଥିଲେ।

ଏକମାସ ଚିକିତ୍ସା ହୋଇ ଫେରିବା ପରେ ସେ ଆଜି ପୁଣି ଥରେ ମୁଖ୍ୟମନ୍ତ୍ରୀଙ୍କୁ ଆସି ସହାୟତା ପାଇଁ ଦେଖା କଲେ । ମୁଖ୍ୟମନ୍ତ୍ରୀ ଗୋଟିଏ ପିଲାର କଷ୍ଟ ଓ ତା ବାପା ମା’ଙ୍କ ଅସହାୟତାକୁ ହୃଦୟଙ୍ଗମ କରି ଅଭିଯୋଗ ପ୍ରକୋଷ୍ଠରେ Single Window Systemରେ ଚିକିତ୍ସା ବାବଦକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୫ ଲକ୍ଷ ଟଙ୍କା ତ୍ୱରିତ ସହାୟତା ଅନୁମୋଦନ କରି ତୁରନ୍ତ ଯୋଗାଇ ଦେବାକୁ ବ୍ୟବସ୍ଥା କରିଥିଲେ । ଏଥି ସହିତ ତାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ଗୋଟିଏ ଘର ଯୋଗାଇ ଦେବାପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି । ହେରମ୍ୱ ଗିରି ଗଣମାଧ୍ୟମକୁ ତାଙ୍କ ପ୍ରତିକ୍ରିୟାରେ କହିଥିଲେ ମୁଁ ଯେଉଁ ଆଶା ନେଇ ଆସିଥିଲି ସେହି ଆଶା ପୂରଣ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଋଣ ମୁଁ କେବେ ଶୁଝି ପାରିବି ନାହିଁ ।

ସେହିପରି ଆଉ ଜଣେ ଥିଲେ ବଲାଙ୍ଗୀରର ରତନ କାଲଶେ । ତାଙ୍କ ୧୬ ବର୍ଷର ଭିନ୍ନକ୍ଷମ ପୁଅ ଆଲୋକ କାଲଶେକୁ ସାଙ୍ଗରେ ନେଇ ଆସିଥିଲେ । ପିଲାଟି ବସି ପାରୁନି କି ଚାଲିବୁଲି ପାରୁନି । ପିଲାର କଷ୍ଟ ଓ ତା ବାପା ମୁହଁର ଦୁଃଖ ଦେଖି ତାକୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ହସପିଟାଲ ପଠାଇ ତା’ର ଚିକିତ୍ସା ବ୍ୟବସ୍ଥା ମୁଖ୍ୟମନ୍ତ୍ରୀ କରିଥିଲେ, ଏବଂ ସି.ଏମ୍‍.ଆର୍‍.ଏଫ୍‍ ରୁ ସହାୟତା ପ୍ରଦାନ କରିବା ପାଇଁ ସେ ଉପସ୍ଥିତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହିଭଳି ଅଭିଯୋଗ ପ୍ରକୋଷ୍ଠକୁ ବିଭିନ୍ନ ଆଶା ଭରସା ନେଇ ଆସୁଥିବା ଲୋକମାନଙ୍କୁ ସହାୟତା ପ୍ରଦାନ କରି ମୁଖ୍ୟମନ୍ତ୍ରୀ ତାଙ୍କ ସହୃଦୟତାର ପରିଚୟ ପ୍ରଦାନ କରିଛନ୍ତି ।

ଆଜି ଥିଲା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣୀ ପ୍ରକୋଷ୍ଠର ଅଷ୍ଟମ ପାଳି। ମୁଖ୍ୟମନ୍ତ୍ରୀ ପ୍ରଥମେ ଆସି ବାହାରେ ଚେୟାରରେ ବସିଥିବା ପ୍ରାୟ ୩୦ ଜଣ ଭିନ୍ନକ୍ଷମଙ୍କୁ ଭେଟିଥିଲେ। ସେମାନଙ୍କ ସମସ୍ୟା ଅଭିଯୋଗକୁ ଗୋଟି ଗୋଟି କରି ଶୁଣିବା ପରେ ପାଖରେ ଥିବା ସମ୍ପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନଙ୍କୁ ଅଭିଯୋଗ ପତ୍ର ଧରାଇ ସମାଧାନ କିପରି ହେବ ସେଥିପ୍ରତି ଯତ୍ନବାନ ହେବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

ଆଜି ୧୦୦୦ ଲୋକ ଅଭିଯୋଗ ଶୁଣାଣି ପାଇଁ ପଞ୍ଜୀକରଣ କରିଥିଲେ। ମୁଖ୍ୟମନ୍ତ୍ରୀ, ତାଙ୍କ ସହଯୋଗୀ ମନ୍ତ୍ରୀମଣ୍ଡଳର ସଦସ୍ୟମାନେ ସମସ୍ତଙ୍କ ଅଭିଯୋଗକୁ ଗୁରୁତ୍ୱଦେଇ ଶୁଣୁଥିଲେ ଓ ସମାଧାନ ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଉପସ୍ଥିତ ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଅଭିଯୋଗ ପ୍ରକୋଷ୍ଠରେ ଗଣମାଧ୍ୟମକୁ ବିବୃତ୍ତି ରଖି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଲୋକଙ୍କୁ ନ୍ୟାୟ ଦେବାରେ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ସଫଳତା ହାସଲ କରିଛି । ଗତବର୍ଷ ଜୁଲାଇ ପହିଲାରୁ ଆରମ୍ଭ ହୋଇଥିବା ପ୍ରଥମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରୁ ସପ୍ତମ ପାଳି ସୁଦ୍ଧା ୮୧ ପ୍ରତିଶତ କେସ୍ ସମାଧାନ ହୋଇଛି। ଗତ ୭ଟି ପାଳି ସୁଦ୍ଧା ସମୁଦାୟ ୮୦୩୧ ଟି ଅଭିଯୋଗ ପତ୍ର ଗ୍ରହଣ କରାଯାଇଥିଲା, ତନ୍ମଧ୍ୟରୁ ୬୫୪୫ଟି ଅଭିଯୋଗର ସମାଧାନ କରାଯାଇଛି ।

ପ୍ରଥମ ପାଳିରେ ୯୦ ପ୍ରତିଶତ ଅଭିଯୋଗର ସମାଧାନ ହୋଇଥିଲା ବେଳେ ଦ୍ୱିତୀୟ ପାଳିରେ ୮୮ ପ୍ରତିଶତ, ତୃତୀୟ ପାଳିରେ ୮୬ ପ୍ରତିଶତ, ଚତୁର୍ଥ ପାଳିରେ ୮୪ ପ୍ରତିଶତ, ପଞ୍ଚମ ପାଳିରେ ୮୩ ପ୍ରତିଶତ, ଷଷ୍ଠ ପାଳିରେ ୫୪ ପ୍ରତିଶତ ଏବଂ ସପ୍ତମ ପାଳିରେ ୪୭ ପ୍ରତିଶତ ଅଭିଯୋଗର ସମାଧାନ କରାଯାଇଛି। ବକେୟା ଅଭିଯୋଗଗୁଡ଼ିକ ପ୍ରୋସେସରେ ରହିଛି । ସରକାରଙ୍କ ପାଖକୁ ଯେଉଁ ଆଶା ଭରସା ନେଇ ଲୋକମାନେ ଆସୁଛନ୍ତି ଆମେ ସେମାନଙ୍କୁ କେବେ ନିରାଶ କରିବୁ ନାହିଁ । ସମସ୍ତଙ୍କ ଅଭିଯୋଗ ଓ ସମସ୍ୟାକୁ ଗୁରୁତ୍ୱଦେଇ ଶୁଣି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛୁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ମୁଖ୍ୟମନ୍ତ୍ରୀ ଗଣମାଧ୍ୟମ ଜରିଆରେ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି ଯେ, ହଇରାଣ ଓ ଖର୍ଚ୍ଚାନ୍ତ ହୋଇ ଏଠାକୁ ନ ଆସି ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ପ୍ରଥମେ ଅଭିଯୋଗ ଜଣାନ୍ତୁ, ସେଠାରେ ମଧ୍ୟ ସମାଧାନ ହେଉଛି । ଜଟିଳ ସମସ୍ୟା ହେଲେ ଜିଲ୍ଲାପାଳଙ୍କ ଅନୁମୋଦନ କ୍ରମେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସନ୍ତୁ ।

ମୁଖ୍ୟମନ୍ତ୍ରୀଙ୍କ ସହିତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ, ଶିଳ୍ପ ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ସାଧାରଣ ଅଭିଯୋଗ ଓ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାର, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓ ରଞ୍ଜନ କୁମାର ସିଂହ, ଏବଂ ଅନ୍ୟ ବିଭାଗଗୁଡ଼ିକର ସଚିବ ସ୍ତରୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Categories
ବିଶେଷ ଖବର ରାଜ୍ୟ ଖବର

ପୁଣି ଆରମ୍ଭ ହେଲା ଅଭିଯୋଗ ଶୁଣାଣି, ମୁଖ୍ୟମନ୍ତ୍ରୀ ଶୁଣିଲେ ଲୋକଙ୍କ ଅଭିଯୋଗ, ଦେଲେ ସମାଧାନର ପ୍ରତିଶ୍ରୁତି

ଭୁବନେଶ୍ବର: ଲୋକଙ୍କ ମୁଖ୍ୟମନ୍ତ୍ରୀଙ୍କ ଲୋକଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ଆଜି ଥିଲା ଷଷ୍ଠ ପାଳି। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଦାୟିତ୍ୱ ନେବା ପରଠାରୁ ସବୁ ସମୟରେ ସାଧାରଣ ଲୋକଙ୍କୁ ଭେଟିବା, ସେମାନଙ୍କ ସୁଖଦୁଃଖ ଶୁଣିବା ସହିତ ସେମାନଙ୍କ ସମସ୍ୟାର ସମାଧାନ ଉପରେ ଗୁରୁତ୍ୱ ଦେଇ ଆସିଛନ୍ତି।

ଅଭିଯୋଗ ଗୁଡିକ ମଧ୍ୟରେ ଅଧିକାଂଶ ଅଭିଯୋଗ ଘର, ଭତ୍ତା ଓ ଅନ୍ୟାନ୍ୟ ମୌଳିକ ସମସ୍ୟା ରହୁଥିବାରୁ ମୁଖ୍ୟମନ୍ତ୍ରୀ ଏଗୁଡିକୁ ତୁରନ୍ତ ସମାଧାନ କରିବା ପାଇଁ ଉପସ୍ଥିତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେବା ସହିତ ପ୍ରଶାସନ ପକ୍ଷରୁ ଏହି ସବୁ ସମସ୍ୟାଗୁଡିକୁ ତୃଣମୂଳ ସ୍ତରରେ ସମାଧାନ କରିବା ଉପରେ ଗୁରୁତ୍ୱ ଆରୋପ କରିଥିଲେ।

ଦିବ୍ୟାଙ୍ଗ ମାନଙ୍କ ସମସ୍ୟା ଉପରେ ମୁଖ୍ୟମନ୍ତ୍ରୀ ସବୁବେଳେ ପ୍ରାଥମିକତା ଦେଇଥାନ୍ତି। ସେମାନଙ୍କ ଅଭଯୋଗକୁ ସେ ପ୍ରଥମେ ଶୁଣାଣି କରିଥାନ୍ତି। ଆଜି ମୁଖ୍ୟମନ୍ତ୍ରୀ ପ୍ରଥମେ ୩୦ଜଣ ଭିନ୍ନକ୍ଷମ ବ୍ୟକ୍ତିଙ୍କ ଅଭିଯୋଗ ଶୁଣିଲେ । ପ୍ରତ୍ୟେକ ଭିନ୍ନକ୍ଷମ ବ୍ୟକ୍ତିଙ୍କ ପାଖକୁ ମୁଖ୍ୟମନ୍ତ୍ରୀ ନିଜେ ଯାଇ ସେମାନଙ୍କ ସମସ୍ୟା ଶୁଣିଥିଲେ ଏବଂ ସମାଧାନ ପାଇଁ ମଧ୍ୟ ଉପସ୍ଥିତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ମୁଖ୍ୟମନ୍ତ୍ରୀଙ୍କ ଏହି ସହୃଦୟତାପୂର୍ଣ୍ଣ ବ୍ୟବହାରରେ ଭିନ୍ନକ୍ଷମ ଅଭିଯୋଗକାରୀମାନେ ଆଶା ଓ ଭରସା ସହିତ ଆନନ୍ଦ ମନରେ ଫେରିଥିଲେ। କେନ୍ଦୁଝରରୁ ସ୍ୱାସ୍ଥ୍ୟ ସମସ୍ୟା ନେଇ ଆସିଥିବା ପ୍ରେମଲତା ନନ୍ଦ, ସୋରରୁ ସୋସାଇଟି ଋଣ ସମସ୍ୟା ନେଇ ଆସିଥିବା ପୁରୁଷୋତ୍ତମ ମହାନ୍ତି, ଧର୍ମଶାଳାରୁ ଜମିଜମା ସମସ୍ୟା ନେଇ ଆସିଥିବା ରଘୁନାଥ ମିଶ୍ର ପ୍ରମୁଖ ସମସ୍ତେ ସମାଧାନର ଆଶା ନେଇ ଖୁସି ମନରେ ଫେରିଥିଲେ।

ଆଜି ପ୍ରାୟ ୧୦୦୦ ଜଣ ଲୋକ ଅଭିଯୋଗ ଶୁଣାଣି ପାଇଁ ପଞ୍ଜିକରଣ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହିତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ମୁକେଶ ମହାଲିଙ୍ଗ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ସମବାୟ ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳସାମନ୍ତ, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଶ୍ରୀ ଗଣେଶରାମ ଖୁଣ୍ଟିଆ ଏବଂ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ଶ୍ରୀ ରବିନାରାୟଣ ନାୟକ ପ୍ରମୁଖ ଉପସ୍ଥିତ ରହି ଅଭିଯୋଗ ଶୁଣିଥିଲେ।

ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓରଞ୍ଜନ କୁମାର ସିଂହ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତା ସୋମବାରରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ, ଜାଣନ୍ତୁ କାରଣ

ଭୁବନେଶ୍ବର: ଆସନ୍ତା ସୋମବାର ଦିନ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ ବନ୍ଦ ରହିବ। ଏ ନେଇ ସରକାରଙ୍କ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ବିଜ୍ଞପ୍ତିରେ କୁହାଯାଇଛି ଯେ,

ଜନସାଧାରଣଙ୍କ ନିମନ୍ତେ ବିଶେଷ ସୂଚନା ଯେ, ଆସନ୍ତା ସୋମବାର ସେପ୍ଟେମ୍ବର ୩୦ ତାରିଖ  ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି। ମୁଖ୍ୟମନ୍ତ୍ରୀଙ୍କ ଅନ୍ୟ ଜରୁରୀ ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟକ୍ରମ ଥିବାରୁ ଭୁବନେଶ୍ୱର ୟୁନିଟ-୫ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଜନଶୁଣାଣି ବନ୍ଦ ରହିବ। ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।