Categories
ଆଜିର ଖବର ରାଜ୍ୟ ଖବର

ଓମଫେଡ଼ ଦୁଗ୍ଧ ଉତ୍ପାଦକମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଲିଟର ପିଛା ମିଳିବ ୩ ଟଙ୍କା ଅଧିକ ଦାମ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ସ୍ଥାନୀୟ ଲୋକସେବା ଭବନ ସମ୍ମେଳନ କକ୍ଷଠାରେ ରାଜ୍ୟସ୍ତରୀୟ ବିଶ୍ଵ ଦୁଗ୍ଧ ଦିବସ-୨୦୨୫ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଓମଫେଡ଼ ଦୁଗ୍ଧ ଉତ୍ପାଦକମାନଙ୍କୁ ସରକାରଙ୍କ ତରଫରୁ ଲିଟର ପିଛା ୩ ଟଙ୍କା ଅଧିକ ଦାମ ଦିଆଯିବ ବୋଲି ଘୋଷଣା କରିବା ସହିତ ଓମଫେଡ ଚାଷୀ ମାନଙ୍କୁ ୧ ଲକ୍ଷ ଟଙ୍କା ଦୁର୍ଘଟଣା ଜନିତ ମୃତ୍ୟୁ ସହାୟତା ରାଶି ପ୍ରଦାନ କରାଯିବ ବୋଲି ଘୋଷଣା କରିଥିଲେ।

ଏହି ଅବସରରେ ଓମଫେଡ୍‌ ବାଲ୍ଟି ଦହି, ଏ-୨ ମିଲ୍କ, ଏ-୨ ଘିଅର ଶୁଭ ଉଦ୍ଘାଟନ ମୁଖ୍ୟମନ୍ତ୍ରୀଙ୍କ କର କମଳରେ ଅନୁଷ୍ଠିତ ହୋଇଥିଲା।

ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏହି ଅବସରରେ, କାମଧେନୁ ଯୋଜନା ଅନ୍ତର୍ଗତ ଗୋପାଳନ, ମଇଁଷି ଉଦ୍ୟୋଗ ବିକାଶ, ମାଈ ବାଛୁରୀ ପାଳନ, ଗୋମହିଷାଦିଙ୍କ ବୀମାକରଣ, ଗୋପାଳକଙ୍କ ଆୟବୃଦ୍ଧି ନିମନ୍ତେ ନଗଦ ପ୍ରୋତ୍ସାହନ ଏବଂ ଘାସଚାଷ ପାଇଁ ହିତାଧିକାରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ।

ଏଥିସହିତ, ସେ ୨୦୨୪-୨୫ ଆର୍ଥିକ ବର୍ଷରେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ପ୍ରାୟ ୩ ଲକ୍ଷ ଗୋପାଳକଙ୍କୁ ୭୧ କୋଟି ଟଙ୍କାର ସହାୟତା ପ୍ରଦାନ କରିଥିଲେ ଓ ରାଜ୍ୟର ୭୭ ଗୋଟି ପଞ୍ଜିକୃତ ଗୋଶାଳାରେ ଅସହାୟ ଗାଈଗୋରୁଙ୍କ ରକ୍ଷଣାବେକ୍ଷଣ ପାଇଁ ପ୍ରାଣିକଲ୍ୟାଣ ସଂଗଠନମାନଙ୍କୁ ୧୦.୫ କୋଟି ଟଙ୍କାର ଆର୍ଥିକ ସହାୟତା ବଣ୍ଟନ କରିଥିଲେ।

ସୂଚନାଯୋଗ୍ୟ, ପୋଷଣୀୟ ବିକାଶ ଓ ଅର୍ଥନୈତିକ ଅଭିବୃଦ୍ଧିରେ ପ୍ରାଣୀପାଳକଙ୍କ ଅବଦାନ, ସୁଷମ ଖାଦ୍ୟ ମଧ୍ୟରେ ଦୁଗ୍ଧର ଉପକାରିତା ସମ୍ପର୍କରେ  ବ୍ୟାପକ  ପ୍ରଚାର ପ୍ରସାର ଲକ୍ଷ୍ୟରେ ୨୦୦୧ ମସିହା ଠାରୁ ପ୍ରତ୍ୟେକ ବର୍ଷ ଜୁନ ମାସ ୧ ତାରିଖରେ  ବିଶ୍ଵ ଦୁଗ୍ଧ ଦିବସ ପାଳନ କରାଯାଉଛି। ଚଳିତ ବର୍ଷର ଥିମ ରହିଛି  “ଲେଟସ୍ ସେଲିବ୍ରେଟ୍ ଦ ପାୱାର ଅଫ୍ ଡେରୀ ବା ଆସନ୍ତୁ,  ଦୁଗ୍ଧ ଶକ୍ତି ପାଳନ କରିବା।” ରାଜ୍ୟରେ ଦୁଗ୍ଧ ଉତ୍ପାଦନକୁ ବହୁଗୁଣିତ କରିବା ସହ ଦୁଗ୍ଧ ଚାଷୀଙ୍କ ଜୀବନ ଜୀବିକାକୁ ସୁରକ୍ଷିତ କରିବା ପାଇଁ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପ୍ରତିବଦ୍ଧ ଅଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଓଡ଼ିଶା ଏକ କୃଷିପ୍ରଧାନ ରାଜ୍ୟ, ଏବଂ ଦୁଗ୍ଧ ଉତ୍ପାଦନ ଆମ ଗ୍ରାମୀଣ ଅର୍ଥନୀତିର ଏକ ପ୍ରମୁଖ ଅଙ୍ଗ। ଏହା କେବଳ ଏକ ଆୟର ଉତ୍ସ ନୁହେଁ, ବରଂ ଆମ ସମାଜରେ ପୁଷ୍ଟିକର ଖାଦ୍ୟ ଯୋଗାଇବାରେ ମଧ୍ୟ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ଆମ ରାଜ୍ୟରେ ୨୦୨୩-୨୪ ବର୍ଷରେ ୨୬.୪ ଲକ୍ଷ ମେଟ୍ରିକ ଟନ୍ ଦୁଗ୍ଧ ଉତ୍ପାଦିତ ହୋଇଥିବା ବେଳେ ଏହାକୁ ଆଗାମୀ ୫ ବର୍ଷରେ ଦ୍ବିଗୁଣିତ କରିବା ପାଇଁ ଆମ ସରକାର ପ୍ରୟାସଶୀଳ। ସେଥିପାଇଁ ଆମର ଏହି ଲୋକଙ୍କ ସରକାର ରାଜ୍ୟରେ ଗୋପାଳନର ବିକାଶ ଓ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ଆରମ୍ଭ କରିଛନ୍ତି, ‘ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା’।

ସେ କହିଥିଲେ ଯେ, ‘ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା’ ରେ ୭୦ ପ୍ରତିଶତ ପର୍ଯ୍ୟନ୍ତ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି।ଗତ ୨୦୨୪-୨୫ ଆର୍ଥିକ ବର୍ଷରେ ଏହି ଯୋଜନାରେ ୩ ଲକ୍ଷ ହିତାଧିକାରୀ ୭୧ କୋଟି ଟଙ୍କାର ଅନୁଦାନ ରାଶି ପାଇ ଉପକୃତ ହୋଇସାରିଲେଣି। ଏହି କାମଧେନୁ ଯୋଜନା ଅଧିନରେ ଅନେକ ଯୋଜନା ଆଜି ଆମର ରାଜ୍ୟ ଚାଷୀଙ୍କୁ ସମୃଦ୍ଧ କରୁଛି।

ପ୍ରାଣିକଲ୍ୟାଣ ପ୍ରତି ଆମ ସରକାର ସର୍ବଦା ସମ୍ବେଦନଶୀଳ। ସହାନୁଭୂତି, ସଂବେଦନଶୀଳତା ଓ ପର୍ଯ୍ୟାବରଣ ସୁରକ୍ଷା ପ୍ରତି ଥିବା ଉତ୍ତରଦାୟିତ୍ବକୁ ଭଲଭାବରେ ବୁଝି ନୂତନ ଗୋଶାଳା ପ୍ରତିଷ୍ଠା ଓ ପଞ୍ଜୀକୃତ ଗୋଶାଳାକୁ ସହାୟତା ଲକ୍ଷ୍ୟରେ ଆମ ସରକାର ୧୮୬ କୋଟି ଟଙ୍କା ବ୍ଯୟ-ଅଟକଳରେ ‘ମୁଖ୍ୟମନ୍ତ୍ରୀ ପ୍ରାଣିକଲ୍ୟାଣ ଯୋଜନା’ର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାରେ ବୁଲା ଓ ଅସହାୟ ଗୋରୁଗାଈଙ୍କ ଖାଦ୍ୟ, ରକ୍ଷଣାବେକ୍ଷଣ ଓ ପରିଚାଳନା ନିମନ୍ତେ ପଞ୍ଜୀକୃତ ଗୋଶାଳାଗୁଡିକୁ ଗୋରୁ ପିଛା ଦୁଇଟି କିସ୍ତିରେ ୨୦ ହଜାର ଟଙ୍କାର ଆର୍ଥିକ ସହାୟତା ଦିଆଯାଉଛି। ପ୍ରଥମ ପର୍ଯ୍ୟାୟରେ ଗତ ନଭେମ୍ବର ମାସରେ ୬୮ ଟି ଗୋଶାଳାକୁ ୯ କୋଟି ଟଙ୍କା ପ୍ରଦାନ କରାଯାଇଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟରେ ୭୭ ଟି ଗୋଶାଳାକୁ ୧୦.୫ କୋଟି ଟଙ୍କାର ଅନୁଦାନ ଆଜି ଦିଆଯାଇଛି। ଏହି ଅର୍ଥ ରାଜ୍ୟର ପ୍ରାୟ ୨୨ ହଜାର ନିରାଶ୍ରୟ ଗୋରୁଗାଈଙ୍କ ରକ୍ଷଣାବେକ୍ଷଣରେ ଖର୍ଚ୍ଚ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ, ଅତ୍ୟନ୍ତ ଆନନ୍ଦର ବିଷୟ, ରାଜ୍ୟର ଖାଉଟିଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଆଜି ଓମଫେଡ଼ ପକ୍ଷରୁ ତିନୋଟି ନୂଆ ଉତ୍ପାଦର ବଜାରପ୍ରବେଶ କରାଯାଉଛି। ସେଗୁଡିକ ହେଲା-ବାଲ୍ଟି ଦହି, ଆମ ଓଡିଶାର ବିଞ୍ଝାରପୁରୀ ଗାଈ କ୍ଷୀରରୁ ପ୍ରସ୍ତୁତ ଦେଶୀ ଗାଈ ଘିଅ ଓ ସେହି ଗାଈ ପ୍ରଜାତିର A2 କ୍ଷୀର। ଆଜିଠାରୁ ରାଜ୍ୟର ଓମଫେଡ଼ ଦୁଗ୍ଧ ଉତ୍ପାଦକମାନଙ୍କୁ ସରକାରଙ୍କ ତରଫରୁ ଲିଟର ପିଛା ୩ ଟଙ୍କା ଅଧିକ ଦାମ ଦିଆଯିବ। ଖାଉଟିମାନଙ୍କ ପାଇଁ ବୃଦ୍ଧି ହେବାକୁ ଥିବା ଲିଟର ପ୍ରତି ୪ ଟଙ୍କାରୁ ୨ ଟଙ୍କା ସରକାର ବହନ କରିବେ। ଏହାଦ୍ଵାରା ରାଜ୍ୟର ପ୍ରାୟ ୨.୫ ଲକ୍ଷ ଗୋପାଳକ ସିଧାସଳଖ ଲାଭବାନ ହୋଇପାରିବେ।

ଆମେ ଚାହୁଁଛୁ ଯେ ଓଡ଼ିଶା ଏକ ଦୁଗ୍ଧ ଉତ୍ପାଦନ ରାଜ୍ୟ ଭାବରେ ଦେଶରେ ଏକ ମଡେଲ୍ ସ୍ଥାନ ନେଉ। ଆମେ ସମସ୍ତେ ମିଳିତ ଭାବେ ଦୁଗ୍ଧ ସମୃଦ୍ଧ ଓଡ଼ିଶା, ସୁସ୍ଥ ଓଡ଼ିଶା ନାରାକୁ ସାକାର କରିବା ଉଚିତ ବୋଲିମୁଖ୍ୟମନ୍ତ୍ରୀ ପରିଶେଷରେ କହିଥିଲେ।

ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, କହିଥିଲେ ଯେ, ଦୁଗ୍ଧ ଉତ୍ପାଦନ ଏବଂ ଦୁଗ୍ଧ ଜାତୀୟ ପଦାର୍ଥ ଉତ୍ପାଦନ ଯୋଗୁଁ ଆଜି ଓଡିଶାର ମାଆ, ଭଉଣୀ ମାନେ ଆତ୍ମନିର୍ଭରଶୀଳ। ଏହି ବିଭାଗ ସହିତ ଆମର ମିଶନ ଶକ୍ତି ମାଆ ଓ ଭଉଣୀ ମାନେ ସଂଶ୍ଳିଷ୍ଟ ରହି କେବଳ ଏତିକି ନୁହେଁ Organic Bio Compost ତିଆରି କରି ନିଜକୁ ଲକ୍ଷ ପତି ଦିଦି ଭାବେ ପରିଚିତ କରିଛନ୍ତି।

ନିଜ ବକ୍ତବ୍ୟରେ ଆଇନ, ପୂର୍ତ୍ତ ଏବଂ ଅବକାରୀ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ କହିଛନ୍ତି ଯେ, ଗୋପାଳନ ଓ ଦୁଗ୍ଧ ଉତ୍ପାଦନ, ସମାଜରେ ପ୍ରତ୍ୟେକ ସ୍ତରରେ ରୋଜଗାର ବୃଦ୍ଧି କରିବାରେ ସହାୟକ ହେଉଛି। ଦେଶର ଆର୍ଥିକ ଅବିବୃଦ୍ଧି ଦେଶର ପ୍ରତ୍ୟେକ ଟି ଗାଁ ସ୍ୱାବଲମ୍ବୀ ହେଲେ ହିଁ ହୋଇ ପାରିବ ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ କ୍ରାନ୍ତି ଆଣିଛି । ଗ୍ରାମୀଣ ଅର୍ଥନୀତିକୁ ସମୃଦ୍ଧ କରିବା ସହ ଦୁଗ୍ଧ ଉତ୍ପାଦନରେ ଓଡ଼ିଶାକୁ ସ୍ୱାବଲମ୍ବୀ କରିବା ପାଇଁ ଆମ ସରକାର ପ୍ରତିବଦ୍ଧ ଅଛି ବୋଲି କହିଛନ୍ତି ମାନ୍ୟବର ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ତଥା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି।

କାର୍ଯ୍ୟକ୍ରମରେ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ ସ୍ୱାଗତ ଭାଷଣ ଦେଇଥିବା ବେଳେ ପ୍ରାଣିପାଳନ ଓ ପ୍ରାଣିଚିକିତ୍ସା ନିର୍ଦ୍ଦେଶକ ବିଜୟ ଅମୃତା କୁଲାଙ୍ଗେ ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମ ରେ ବିଭିନ୍ନ ପ୍ରାଣିକଲ୍ୟାଣ ସଂଗଠନର କର୍ମକର୍ତ୍ତା, ରାଜ୍ୟର ବିଭିନ୍ନ ଅଞ୍ଚଳର ଗୋପାଳକ ଓ ପ୍ରାଣିପାଳକ ପ୍ରମୁଖ ଅଂଶଗ୍ରହଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ମାଈ ବାଛୁରୀ ଯୋଜନାରେ ଓମ୍ଫେଡ୍ ପକ୍ଷରୁ ଦାନା ବଣ୍ଟନର ଶୁଭାରମ୍ଭ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ରବିବାର ମାଈ ବାଛୁରୀଙ୍କୁ ରିହାତି ଦରରେ ବାଛୁରୀ ଦାନା ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଏହି ଉପଲକ୍ଷେ କଟକ ଜିଲ୍ଲା କନ୍ତାପଡା ବ୍ଲକ ଅନ୍ତର୍ଗତ ଶ୍ରୀମା ଆଞ୍ଚଳିକ ଦୁଗ୍ଧ ଉତ୍ପାଦକ ସମବାୟ ସମିତି, ଛେଣ୍ଡ ଆନୁକୂଲ୍ୟରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିର କଟକ ମିଲ୍କ ୟୁନିୟନର ସଭାପତି ତଥା ଓମ୍ଫେଡର ବୈଷୟିକ ପରାମର୍ଶଦାତା ଡକ୍ଟର ଦିଗମ୍ବର ନାୟକଙ୍କ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓଏଲ୍ଆରଡିଏସର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ, ଆତ୍ମାର ନିର୍ଦେଶକ, କଣ୍ଟାପଡା ବ୍ଲକ ବିଡିଓ, କଟକ ଦୁଗ୍ଧ ସଂଘର ଅଧିକାରୀ, କଣ୍ଟାପଡା ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ଏବଂ ଡିସିଏସ୍ ସଦସ୍ୟ ସଦସ୍ୟାମାନେ ଉପସ୍ଥିତ ଥିଲେ।

ଏଥିରେ କଣ୍ଟାପଡା ବ୍ଲକ ଅନ୍ତର୍ଗତ ଶ୍ରୀମା ଆଂଚଳିକ ଦୁଗ୍ଧ ଉତ୍ପାଦକ ସମବାୟ ସମିତି ଅଧିନରେ ଆସୁଥିବା ବିଭିନ୍ନ ଗାଁରୁ ବହୁ ଚାଷୀ ସାମିଲ ହୋଇଥିଲେ। ଯେଉଁମାନେ କୃତ୍ରିମ ଉପାୟରେ ମାଈ ବାଛୁରୀ ଜନ୍ମ କରାଇଛନ୍ତି, ସେହି ଦୁଗ୍ଧ ଚାଷୀମାନଙ୍କୁ ରିହାତି ଦରରେ ବାଛୁରୀ ଦାନା ପ୍ରଦାନ କରାଯିବା ସହ ବାଛୁରୀ କାର୍ଡ ବିତରଣ କରାଯାଇଥିଲା। ପରେ ବାଛୁରୀମାନଙ୍କୁ ନେଇ ଏକ ଶୋଭାଯାତ୍ରା କଣ୍ଟାପଡା ବଜାର ପରିକ୍ରମା କରିଥିଲା।

ସୂଚନାଯୋଗ୍ୟ କି, ରାଜ୍ୟରେ ଦୁଗ୍ଘ ଉତ୍ପାଦନ ବୃଦ୍ଧି କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନା ଅନ୍ତର୍ଗତ ମାଈ ବାଛୁରୀ ପାଳନ ଯୋଜନା ମାଧ୍ୟମରେ ଆଗାମୀ ୫ ବର୍ଷ ମଧ୍ୟରେ ଜନ୍ମିତ ୧ ଲକ୍ଷ ମାଈ ବାଛୁରୀଙ୍କୁ ୫୦ ପ୍ରତିଶତ ରିହାତି ଦରରେ ବାଛୁରୀ ପିଛା ୧୪୦୦ କେଜି ଦାନା ଦେବାର ବ୍ୟବସ୍ଥା କରାଯାଇଅଛି। ଯେଉଁ ଚାଷୀମାନେ କୃତ୍ରିମ ଉପାୟରେ ମାଈ ବାଛୁରୀ ପ୍ରଜନନ କରାଇବେ, ସେମାନଙ୍କୁ ରାଜ୍ୟ ସରକାର ଓମ୍ଫେଡ୍ ଜରିଆରେ ବାଛୁରୀ ଦାନା ୫୦ ପ୍ରତିଶତ ରିହାତି ଦରରେ ଯୋଗାଇ ଦେବେ। ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାର ଅଂଶ ସ୍ୱରୂପ ମାଈ ବାଛୁରୀ ପାଳନ ପାଇଁ ଆଜି ଓମ୍ଫେଡ୍ ପକ୍ଷରୁ କଟକ ଜିଲ୍ଲାର କଣ୍ଟାପଡାରୁ ବାଛୁରୀ କାର୍ଡ ଓ ଦାନା ବିତରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ରାଜ୍ୟ କ୍ୟାବିନେଟର ବଡ ନିଷ୍ପତି: କାମଧେନୁ ଯୋଜନାକୁ ମିଳିଲା ଅନୁମୋଦନ, କଣ୍ଟ୍ରୋଲ ଡିଲରଙ୍କ ଅବଧୀ ବୃଦ୍ଧି

ଭୁବନେଶ୍ବର: ରାଜ୍ୟ କ୍ୟାବିନେଟର ଶନିବାର ଦିନଏକ ବୈଠକ ଲୋକ ସେବା ଭବନ ସ୍ଥିତ ତୃତୀୟ ମହଲା ସମ୍ମିଳନୀ କକ୍ଷରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।  ରାଜ୍ୟ ମନ୍ତ୍ରୀମଣ୍ଡଳ ବୈଠକରେ ଆଲୋଚନା ପୂର୍ବକ ବିଭିନ୍ନ ୬  ଟି ବିଭାଗର ୭ ଟି ପ୍ରସ୍ତାବକୁ ବୈଠକରେ ପାରିତ ହୋଇଥିଲା ।

ଅନୁଷ୍ଠିତ ବୈଠକର ନିଷ୍ପତ୍ତି ସଂପର୍କରେ ପୂର୍ତ୍ତ, ଆଇନ୍ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଥିଲେ। ଏହି ପ୍ରେସ୍ ବିବୃତ୍ତି ସମୟରେ ରାଜ୍ୟ ମତ୍ସ୍ୟ, ପ୍ରାଣୀ ସଂପଦ , ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ମଧ୍ୟ ଉପସ୍ଥିତ ଥିଲେ ।

ଏହି ବୈଠକରେ ରାଜ୍ୟର କଣ୍ଟ୍ରୋଲ ଡିଲରଙ୍କ ସମୟ ସୀମା ଆଉ ଦେଢ ବର୍ଷ ପାଇଁ ବୃଦ୍ଧି କରାଯାଇଛି। ଆସନ୍ତା ୨୦୨୬ ମାର୍ଚ୍ଚ ୩୧ତାରିଖ ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଘରୋଇ ଡିଲରମାନଙ୍କ କାର୍ଯ୍ୟକାଳ ଚଳିତବର୍ଷ ସେପ୍ଟେମ୍ବର ୩୦ତାରିଖରେ ଶେଷ ହେଉଥିଲା।

ସେହିପରି ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାକୁ କ୍ୟାବିନେଟ ଅନୁମୋଦନ କରିଛନ୍ତି। ଏହି ଯୋଜନାରେ ଗୋପାଳନ, ଗୋସୁରକ୍ଷା, ଦୁଗ୍ଧ ଉପାଦାନକୁ ଜାତୀୟ ସ୍ତରରେ ପହଞ୍ଚାଇବା, ମଇଁଷି ପାଳନ, ଗୋ ସମ୍ପଦ ବୀମା, ବାଛୁରୀ ମାନଙ୍କୁ ଖାଦ୍ୟ ଯୋଗାଣ, ସମବାୟ ଚାଷୀ ଙ୍କୁ ଲୋନ ସମୟରେ ସହାୟତା, ଦୁଗ୍ଧ ଉତ୍ପାଦନକୁ ସହାୟତା, ଓମଫେଡ କୁ ସଶକ୍ତ ପାଇଁ ସହାୟତା ପାରିତ ହୋଇଛି। ଏଥିରେ ଆଗାମୀ ୫ ବର୍ଷ ରେ ୧୪୨୩ କୋଟି ଟଙ୍କା ର ସହାୟତା ରାଶି ପ୍ରଦାନ ପାଇଁ ଅନୁମୋଦନ କରାଯାଇଛି।

ସେହିପରି ଓଡ଼ିଶା ଉଚ୍ଚ ନ୍ୟାୟାଳୟର କର୍ମଚାରୀଙ୍କ ପାଇଁ ୫୫୦ ଟି ଷ୍ଟାଫ ଘର ନିର୍ମାଣ ହେବ। ଏହା ୩୦ ମାସରେ ଶେଷ ହେବ। ପିଡିଏସ କ୍ଷେତ୍ରରେ ବେସରକାରୀ ଡିଲରଙ୍କ ଏକ୍ସଟସନ ୨୦୨୬ ମସିହା ପର୍ଯ୍ୟନ୍ତ ଦେଢ଼ ବର୍ଷ କୁ ବୃଦ୍ଧି କରାଯାଇଛି। ଓଡ଼ିଶା ସୁପ୍ରିମୋ ଜୁଡ଼ିଶିଆଲ ସର୍ଭିସ ଏବଂ ଓଡ଼ିଶା ଜୁଡ଼ିଶିଆଲ ସର୍ଭିସ ନିୟମ ୨୦୦୭କୁ ସଂଶୋଧନ କରାଯାଇଛି। ରାଜ୍ୟ ଆଡଭୋକେଟ ଜେନରାଲଙ୍କ ଦରମାକୁ ମଧ୍ୟ ପାଞ୍ଚ ଗୁଣା ବୃଦ୍ଧି କରାଯାଇଛି।

ଏଥିସହିତ ସପ୍ତଦଶ ଓଡ଼ିଶା ବିଧାନସଭାର ପ୍ରଥମ ଅଧିବେଶନର ସତ୍ରାବସାନ ସଂପର୍କିତ କ୍ୟାବିନେଟର ସ୍ବୀକୃତି ମିଳିଥିଲା।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଆରମ୍ଭ ହେଲା ‘ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା’, ୧୪୨୩ କୋଟି ଟଙ୍କା ବ୍ୟୟ ଅଟକଳ

ଭୁବନେଶ୍ବର: ଭାରତର ଖାଦ୍ୟ ନିରାପତ୍ତା, ଗ୍ରାମୀଣ ବିକାଶ ଏବଂ ଅର୍ଥନୈତିକ ଅଭିବୃଦ୍ଧିରେ ପଶୁପାଳନ ଏବଂ ଗୋପାଳନ କ୍ଷେତ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନ କନ୍‌ଭେନ୍‌ସନ୍‌ ସେଣ୍ଟରଠାରେ ଭାରତ ସରକାରଙ୍କ ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ବିଭାଗ ପକ୍ଷରୁ ଆୟୋଜିତ ମୌସୁମୀ ବୈଠକ (Monsoon Meet) କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ କହିଛନ୍ତି । ରାଜ୍ୟରେ ପ୍ରଥମ ଥର ପାଇଁ ଏଭଳି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଲେ ଯେ ଦୁଗ୍ଧ ଉତ୍ପାଦନ କ୍ଷେତ୍ର ଆମ ଜାତୀୟ ଅର୍ଥନୀତିକୁ ଉଲ୍ଲେଖନୀୟ ଯୋଗଦାନ ଦେଇ ଭାରତକୁ ବିଶ୍ୱର ସର୍ବବୃହତ ଦୁଗ୍ଧ ଉତ୍ପାଦନକାରୀ ରାଷ୍ଟ୍ର ଭାବେ ମାନ୍ୟତା ଦେଇଛି। ପ୍ରାଣୀପାଳନ କ୍ଷେତ୍ର ଗ୍ରାମାଞ୍ଚଳରେ ବିଶେଷ କରି କ୍ଷୁଦ୍ର ଓ ନାମମାତ୍ର ଚାଷୀ, ଜନଜାତି ବର୍ଗ ଓ ମହିଳାମାନଙ୍କୁ କର୍ମନିଯୁକ୍ତି ସହିତ ରୋଜଗାର ମଧ୍ୟ ଯୋଗାଇ ଦେଇଥାଏ। ଆଜିର ଏହି ଆୟୋଜନ ଦେଶରେ ପ୍ରାଣୀସମ୍ପଦ ଓ ଦୁଗ୍ଧ ଉତ୍ପାଦନ କ୍ଷେତ୍ରକୁ ଆଗେଇ ନେବା ପାଇଁ ଆମର ମିଳିତ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି ବୋଲି ସେ କହିଥିଲେ ।

କୃଷି କ୍ଷେତ୍ରର ଅଭିବୃଦ୍ଧିରେ ପଶୁପାଳନର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଛି। ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀ ଏ କ୍ଷେତ୍ରର ବିକାଶ ଜରିଆରେ ଗ୍ରାମାଞ୍ଚଳର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଜୀବନଶୈଳୀରେ ଉନ୍ନତି ଆଣିବା ପାଇଁ ଲକ୍ଷ୍ୟ ରଖିଛନ୍ତି। ଏ କ୍ଷେତ୍ରରେ କାର୍ଯ୍ୟକରୁଥିବା କୃଷକ, ବେରୋଜଗାର ଯୁବଗୋଷ୍ଠୀଙ୍କୁ ଜୀବନଜୀବିକା ପ୍ରଦାନ ଏବଂ ମହିଳା ଗୋଷ୍ଠୀଙ୍କୁ ସଶକ୍ତ କରିବା ଲକ୍ଷ୍ୟ ନେଇ ଉଭୟ କେନ୍ଦ୍ର ଏବଂ ଓଡିଶା ସରକାର ଅଧିକ ଧ୍ୟାନ ଦେଉଛନ୍ତି। ନୂତନଭାବେ ଦାୟିତ୍ୱ ନେଇଥିବା ଓଡିଶା ସରକାରଙ୍କ ୧୦୦ ଦିନ ଏ ପର୍ଯ୍ୟନ୍ତ ପୂରଣ ହୋଇନାହିଁ ।

ଇତି ମଧ୍ୟରେ ରାଜ୍ୟ ସରକାର ସମସ୍ତ କ୍ଷେତ୍ରରେ ବ୍ୟାପକ କାୟାକଳ୍ପ ପରିବର୍ତ୍ତନ ପାଇଁ ଏକ ରୋଡ୍‌ ମ୍ୟାପ ପ୍ରସ୍ତୁତ କରିଛନ୍ତି। ରାଜ୍ୟରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ଲକ୍ଷ୍ୟରେ ଆଗାମୀ ୫ ବର୍ଷ ପାଇଁ ୧୪୨୩.୪୭ କୋଟି ଟଙ୍କା ବ୍ୟୟ ଅଟକଳରେ ନୂତନ କରି ‘ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା’ ଯୋଜନା ପ୍ରଣୟନ କରାଯାଇଛି।

ରାଜ୍ୟରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ସହିତ ଦୁଗ୍ଧ ସମବାୟ ସଂସ୍ଥାଗୁଡିକୁ ସୁଦୃଢ କରିବା ଉଦ୍ଦେଶ୍ୟରେ ରାଷ୍ଟ୍ରୀୟ ଡେଏରୀ ବିକାଶ ବୋର୍ଡ (NDDB) ସହିତ ଆଜି ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ଏନ୍.ଡି.ଡି.ବି.ର ସହଯୋଗରେ ଆମ ସରକାର ବ୍ରହ୍ମପୁରଠାରେ ଏକ ଟିକା ଉତ୍ପାଦନ କେନ୍ଦ୍ର (Vaccine Production Unit) ଏବଂ ଭୁବନେଶ୍ୱରରେ ଏକ ଅତ୍ୟାଧୁନିକ ଗୋଖାଦ୍ୟ ବିଶ୍ଳେଷଣ କେନ୍ଦ୍ର (Feed Analytical Laboratory) ସ୍ଥାପନ କରିବେ। ରାଜ୍ୟରେ ଛେଳି, ମେଣ୍ଢା ଓ କୁକୁଡା ପାଳନକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ‘ପ୍ରାଣୀ ସମ୍ପଦ ସମୃଦ୍ଧି ଯୋଜନା’ ଆରମ୍ଭ କରାଯିବ। ବୁଲା ଓ ଅବହେଳିତ ପ୍ରାଣୀସମ୍ପଦର ଯତ୍ନ ଉଦ୍ଦେଶ୍ୟରେ ‘ମୁଖ୍ୟମନ୍ତ୍ରୀ ପ୍ରାଣୀ କଲ୍ୟାଣ ଯୋଜନା’ ଆରମ୍ଭ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି।

ସେ ଆହୁରି ମଧ୍ୟ କହିଥିଲେ ଯେ ‘ବିକଶିତ ଓଡିଶା 2036’ କୁ ଆଖି ଆଗରେ ରଖି ଆମ ସରକାର କୃଷକଙ୍କ ଦ୍ୱାରଦେଶରେ ୨୪ ଘଣ୍ଟିଆ ପ୍ରାଣୀସ୍ୱାସ୍ଥ୍ୟ ସେବା ଉପଲବ୍‌ଧ କରିବା ଉଦ୍ଦେଶ୍ୟରେ ଏକ ସମନ୍ୱିତ କେନ୍ଦ୍ର ପ୍ରତିଷ୍ଠା ପାଇଁ ଲକ୍ଷ୍ୟ ରଖିଛନ୍ତି। ଓଡିଶାକୁ ଏଭଳି ଏକ ସମ୍ମାନଜନକ କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ସୁଯୋଗ ଦେଇଥିବାରୁ କେନ୍ଦ୍ରମନ୍ତ୍ରୀ ଓ କେନ୍ଦ୍ର ସରକାରଙ୍କ ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ବିଭାଗକୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଥିଲେ।

କେନ୍ଦ୍ର ମତ୍ସ୍ୟ, ପଶୁସମ୍ପଦ ଓ ଦୁଗ୍ଧ ଉତ୍ପାଦନ ଏବଂ ପଞ୍ଚାୟତିରାଜ ମନ୍ତ୍ରୀ ଶ୍ରୀ ରାଜୀବ ରଞ୍ଜନ ସିଂ କାର୍ଯ୍ୟକ୍ରମରେ କହିଥିଲେ ଯେ ଓଡିଶାର ବିକାଶ ପାଇଁ ପଶୁପାଳନ ସମ୍ପନ୍ଧୀୟ ସମସ୍ତ କ୍ଷେତ୍ରକୁ କେନ୍ଦ୍ର ସରକାର ଗୁରୁତ୍ୱର ସହ ନେବେ ଏବଂ ଏ କ୍ଷେତ୍ରର ବିକାଶ ପାଇଁ ସବୁ ବେଳେ କେନ୍ଦ୍ରର ସହଯୋଗ ରହିବ।

ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ ଯେ, ଚଳିତ ବର୍ଷ ପ୍ରାଣୀ ସମ୍ପଦ କ୍ଷେତ୍ରରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି। ଆମ ସରକାର ପ୍ରାଣୀ ସମ୍ପଦର କଲ୍ୟାଣ ପାଇଁ ବହୁବିଧ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏଥି ମଧ୍ୟରେ ରାଜ୍ୟର ଗୋଶାଳାମାନଙ୍କୁ ସହାୟତା ପ୍ରଦାନ, ଉଦ୍ଧାର ଏବଂ ଯତ୍ନ କେନ୍ଦ୍ର ପ୍ରତିଷ୍ଠା ଏବଂ ଆନିମଲ୍ ହେଲ୍‌ପ ଲାଇନ ସୁବିଧା ଇତ୍ୟାଦି ରହିଛି।

ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା କହିଥିଲେ ଯେ ଓଡିଶାର ସର୍ବାଧିକ ଲୋକ କୃଷି ଓ ପ୍ରାଣୀପାଳନ କ୍ଷେତ୍ର ଉପରେ ନିର୍ଭର କରିଥାନ୍ତି। କୃଷକଙ୍କ ରୋଜଗାର ବୃଦ୍ଧି କରିବାରେ ପ୍ରାଣୀପାଳନ କ୍ଷେତ୍ର ବହୁ ସହାୟତା ପ୍ରଦାନ କରୁଛି। ଓଡିଶା ସରକାର ରାଜ୍ୟରେ ଦୁଗ୍ଧ ଓ ଅଣ୍ଡା ଉତ୍ପାଦନ ବୃଦ୍ଧି ପାଇଁ ପ୍ରତିବଦ୍ଧ ଅଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ, କଟକ ଜିଲ୍ଲା ନରାଜ ତଳଗଡ ଠାରେ ସେଣ୍ଟ୍ରାଲ ପୋଲଟ୍ରି ଡେଭଲ୍‌ପମେଣ୍ଟ ସଂସ୍ଥାର ନୂତନ ୟୁନିଟ୍, ଓମଫେଡର ନୂଆ ଗୋଲ୍ଡ ପ୍ଲସ ଦୁଗ୍ଧ ପ୍ୟାକେଟ୍‌, କିଷାନ କ୍ରେଡିଟ୍ କାର୍ଡ ଅଭିଯାନ, ନ୍ୟାସନାଲ ଲେବଲ ମନିଟର ଆପ୍ଲିକେସନର ଉଦ୍‌ଘାଟନ କରିବା ସହ ପ୍ରାଣୀପାଳନ କ୍ଷେତ୍ରରେ ୧୦୧ ଜଣ ମହିଳାଙ୍କ ସଫଳ କାହାଣୀ ଉପରେ ଆଧାରିତ କଫି ଟେବଲ୍ ବୁକ୍‌, କୁକୁଡାଙ୍କୁ ହେଉଥିବା ରୋଗର ନିରାକରଣ ସମ୍ବନ୍ଧୀୟ ପୁସ୍ତକ ଇତ୍ୟାଦିର ଉନ୍ମୋଚନ କରିଥିଲେ।

କାର୍ଯ୍ୟକ୍ରମରେ କେନ୍ଦ୍ର ମତ୍ସ୍ୟ, ପଶୁ ସମ୍ପଦ ଓ ଦୁଗ୍ଧ ଉତ୍ପାଦନ ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଏସ୍.ପି ସିଂ ବଘେଲ ଏବଂ ଶ୍ରୀ ଜର୍ଜ କୁରିୟାନ, କେନ୍ଦ୍ର ସରକାରଙ୍କ ବିଭାଗୀୟ ସଚିବ ଶ୍ରୀମତୀ ଅଳକା ଉପାଧ୍ୟାୟ ଓ ଜାତୀୟ ଦୁଗ୍ଧ ବିକାଶ ବୋର୍ଡର ଅଧ୍ୟକ୍ଷ ଶ୍ରୀ ମୀନେଶ ଶାହଙ୍କ ସମେତ ଅରୁଣାଚଳ ପ୍ରଦେଶ, ବିହାର, ଗୁଜୁରାଟ, ହିମାଚଳ ପ୍ରଦେଶ, କର୍ଣ୍ଣାଟକ, କେରଳ, ମଧ୍ୟ ପ୍ରଦେଶ, ମେଘାଳୟ, ମିଜୋରାମ, ରାଜସ୍ଥାନ, ସିକିମ, ତ୍ରିପୁରା, ଉତ୍ତର ପ୍ରଦେଶ ଏବଂ ମହାରାଷ୍ଟ୍ରର ବିଭାଗୀୟ ମନ୍ତ୍ରୀମାନେ ଉପସ୍ଥିତ ଥିଲେ।