Categories
ଆଜିର ଖବର ରାଜ୍ୟ ଖବର

ବିଦାୟୀ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କୁ ମିଳିଲା ନୂଆ ନିଯୁକ୍ତି

ଭୁବନେଶ୍ବର: ବିଦାୟୀ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କୁ ନୂଆ ନିଯୁକ୍ତି ମିଳିଛି। ସେ ବର୍ତ୍ତମାନ ଓଡିଶାର ଇଲେକ୍ଟ୍ରିସିଟି ରେଗୁଲେଟରୀ ଅଥରିଟିର ଅଧ୍ୟକ୍ଷ ହେବେ। ଏ ନେଇ ଆଜି ଶକ୍ତି ବିଭାଗ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି।

ଏଥିରେ କୁହାଯାଇଛି ଯେ ମୁଖ୍ୟ ଶାସନ ସଚିବ ତଥ ମୁଖ୍ୟ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର, ଆଇଏଏସଙ୍କୁ ଓଇଆରସି ର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। ସେ ଯେବେଠାରୁ ଏହି ଦାୟିତ୍ବ ନେବେ ସେହିଦିନଠାରୁ ତାଙ୍କର ନିଯୁକ୍ତିକୁ ଗ୍ରହଣ କରାଯିବ।

Categories
ବିଶେଷ ଖବର ରାଜ୍ୟ ଖବର

ବାଲେଶ୍ବର ମେଡିକାଲ କଲେଜ କାର୍ଯ୍ୟ ଶିଘ୍ର ଶେଷ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ବର: ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ବାଲେଶ୍ବର ଜିଲ୍ଲା ଗସ୍ତ କରି ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି । ବାଲେଶ୍ବରସ୍ଥିତ ଫକିର ମୋହନ ମେଡିକାଲ କଲେଜ ଓ ହସପିଟାଲ ଗସ୍ତକରି ନିର୍ମାଣଧିନ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଆସନ୍ତା ୬ ମାସ ମଧ୍ୟରେ ସମସ୍ତ କାର୍ଯ୍ୟ ଶେଷ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଏଠାରେ ପଢୁଥିବା ଛାତ୍ରଛାତ୍ରୀ ମାନେ ବର୍ତ୍ତମାନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାକ୍ଟିକାଲ ଶ୍ରେଣୀରେ ଯୋଗ ଦେଉଛନ୍ତି । ଏଥିସହ ଉକ୍ତ ୬୫୦ ଶଯ୍ୟା ବିଶିଷ୍ଟ ହସପିଟାଲ ନିମନ୍ତେ ଆସୋସିଏଟ ଓ ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ମିଶାଇ ପ୍ରାୟ ଶହେ ଜଣ ନିଯୁକ୍ତ ଅଛନ୍ତି । ଏଠାରେ କର୍କଟ ରୋଗର ଚିକିତ୍ସା ନିମନ୍ତେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଉଥିବା ଶ୍ରୀ ମହାପାତ୍ର କହିଛନ୍ତି ।

ଜାତୀୟ ରାଜପଥରୁ ମେଡିକାଲକୁ ପ୍ରାୟ ଏକ କିଲୋମୋଟର ସଂଲଗ୍ନ ରାସ୍ତାର ଯାରି ମରାମତି କାର୍ଯ୍ୟକୁ ଖୁବଶୀଘ୍ର ଶେଷ କରିବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି । ମୁଖ୍ୟ ଶାସନ ସଚିବ ଚାନ୍ଦିପୁର ଗସ୍ତକରି ମେରାଇନ ଡ୍ରାଇଭ୍ ରୋଡ ନିର୍ମାଣକାର୍ଯ୍ୟ ସମୀକ୍ଷା କରିଥିଲର । ଏହି ସଡକ ସହ ପ୍ରାୟ ୨ କିଲୋମିଟର ବ୍ୟାପି ସୁରକ୍ଷା ପ୍ରାଚୀର ମଧ୍ୟ ନିର୍ମାଣ କରାଯାଉଛି ଯାହାଦ୍ବାରା ବାତ୍ୟା ସମୟରେ ୫ ମିଟର ପର୍ଯ୍ୟନ୍ତ ଉଚ୍ଚ ଜୁଆର ଆସିଲେ ମଧ୍ୟ କୌଣସି କ୍ଷତି ହେବ ନାହିଁ ବୋଲି ସେ କହିଛନ୍ତି ।

ଏହି ନିର୍ମାଣ କାର୍ଯ୍ୟକୁ ବୁଢାବଳଙ୍ଗ ମୁହାଣ ପର୍ଯ୍ୟନ୍ତ ସଂପ୍ରସାରଣ କରାଯିବ । ଏଠାରେ ମଧ୍ୟ ପର୍ଯ୍ୟଟକ ମାନଙ୍କ ନିମନ୍ତେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଉଛି । ଆଲୋକୀକରଣ, ପାର୍କିଂ, ଶୌଚାଳୟ ଏବଂ ରହିବା ବ୍ୟବସ୍ଥା କରାଯିବା ସହ ଦୋକାନୀ ମାନଙ୍କୁ ଥଇଥାନ କରାଯିବା ନେଇ ସେ ସୂଚନା ଦେଇଥିଲେ । ଯାହାଦ୍ବାରା ପର୍ଯ୍ୟଟକ ମାନଙ୍କ ପାଇଁ ଏହା ଉପଭୋଗ୍ୟ ହୋଇପାରିବ ଏବଂ ଏହା ଓଡିଶାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଭାବେ ପରିଗଣିତ ହେବ ବୋଲି ଶ୍ରୀ ମହାପାତ୍ର କହିଥିଲେ ।

ଏଥିସହ ମୁଖ୍ୟ ଶାସନ ସଚିବ ତାଳସେରୀ- ଉଦୟପୁର ବେଳାଭୂମି, ବିଚିତ୍ରପୁର ଜେଟି ଓ ଫରେଷ୍ଟ ରିସୋର୍ଟ,ନୁନିଆ ଯୋଡି ବ୍ରିଜ, ଶଙ୍ଗାରୀସ୍ଥିତ ମନ୍ମଥ- ମନୋଜ ସ୍ମୃତିସ୍ଥଳୀକୁ କ୍ଷେତ୍ର ପରିଦର୍ଶନ କରି ସେଠାରେ ଯାରି ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିବା ସହ ତ୍ବରାନ୍ବିତ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ଗସ୍ତ କାର୍ଯ୍ୟକ୍ରମ ସମୟରେ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରେୟ ବାହୁସାହେବ ସିନ୍ଧେ, ଆରକ୍ଷୀ ଅଧିକ୍ଷକ ସାଗରିକା ନାଥ, ଉୋ ଜିଲ୍ଲାପାଳ ଶ୍ରୀ କୁନାଲ ଚୌହାନ, ଜିଲ୍ଲା ପରିଷଦ ଉୋ ମୁଖ୍ୟ ଉନ୍ନୟନ ତଥା ଅତିରିକ୍ତ ନିର୍ବାହୀ ଅଧିକାରୀ ଶ୍ରୀ ଚାମୁନ୍ଦ୍ର କୁଜ୍ଜୁର ଏବଂ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଆରମ୍ଭ ହେବ ତିନିଟି ନୂଆ ଡ୍ରାଇଭିଂ ତାଲିମ ଓ ଗବେଷଣା ଅନୁଷ୍ଠାନ, ଦିଆଯିବ ମାଗଣା ଆବାସିକ ତାଲିମ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଚାଲିଥିବା ‘ସ୍କିଲ୍ଡ୍ ଇନ୍ ଓଡ଼ିଶା’ ଅଭିଯାନର ଅନ୍ୟ ଏକ ସଂପ୍ରସାରିତ ପଦକ୍ଷେପ ଭାବେ ଇତି ମଧ୍ୟରେ ସୁନ୍ଦରଗଡ଼, ବ୍ରହ୍ମପୁର ଏବଂ କେନ୍ଦୁଝରଠାରେ ନୂଆ ତିନିଟି ଡ୍ରାଇଭିଂ ତାଲିମ ଏବଂ ଗବେଷଣା ଅନୁଷ୍ଠାନ ନିର୍ମାଣ ପୂର୍ଣ୍ଣାଙ୍ଗ ହୋଇଛି।

ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରୁ ଏହା ଜଣାପଡିଛି। ରାଜ୍ୟ ଲୋକସେବା ଭବନ ସଭାଗୃହରେ ଅନୁଷ୍ଠିତ ଏହି ବୈଠକରେ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ ନୂଆ ଅନୁଷ୍ଠାନ ଗୁଡିକର ପରିଚାଳନା ସମ୍ବନ୍ଧିତ ବିଷୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ।

ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ଅଗ୍ରଗତିର ସମୀକ୍ଷା କରି ଚଳିତ ବର୍ଷ ଶେଷସୁଦ୍ଧା ତିନିଟିଯାକ ଅନୁଷ୍ଠାନକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ପାଇଁ ଶ୍ରୀ ମହାପାତ୍ର ବିଭାଗଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଅନୁଷ୍ଠାନଗୁଡିକର ପରିଚାଳନା ନିମନ୍ତେ ପରିବହନ କମିଶନରଙ୍କ ଅଧ୍ୟକ୍ଷତାରେ ଏକ ସୋସାଇଟି ଗଠନ କରାଯିବ।

ଏହି ସୋସାଇଟି ଦ୍ୱାରା ସରକାରୀ ଘରୋଇ ସହଭାଗିତା (ପି.ପି.ପି.ମୋଡ୍) ନିୟାମକ ଅନୁସାରେ ଅନୁଷ୍ଠାନ ଗୁଡିକ ପରିଚାଳିତ ହେବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା । ପ୍ରତି ଅନୁଷ୍ଠାନରେ ତାଲିମ ଗାଡି, ଡୁଆଲ୍ କଣ୍ଟେ୍ଲ ଡ୍ରାଇଭିଂ ଡିଭାଇସ୍, ସିମୁଲେଟର, ଓ୍ୱାର୍କସପ୍ ଯନ୍ତ୍ରପାତି ଓ ତାଲିମ ଉପକରଣ ଆଦି ପାଇଁ ପ୍ରାୟ ୨.୬୭ କୋଟି ଟଙ୍କା ସୋସାଇଟିଙ୍କୁ ଯୋଗାଇ ଦିଆଯିବ। ଅନ୍ୟାନ୍ୟ ପରିଚାଳନା ଖର୍ଚ୍ଚ ଘରୋଇ ଭାଗିଦାର ସଂସ୍ଥା କରିବେ।

ଆଧୂନିକ ଜ୍ଞାନ କୌଶଳ ସହ ଉଚ୍ଚମାନର ତାଲିମ ଦେବା ଏବଂ ତାଲିମ ପରେ ଯୁବକ ଯୁବତୀମାନଙ୍କୁ ଡ୍ରାଇଭିଂ ଲାଇସେନ୍ସ୍ ପ୍ରଦାନ ନିଶ୍ଚିତ କରାଇବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ।

ବୈଠକର ଆଲୋଚନାରୁ ଜଣାପଡିଥିଲା ଯେ ବର୍ତ୍ତମାନ ଯାଜପୁର ଜିଲ୍ଲାର ଛତିଆସ୍ଥିତ ଗୋଟିଏ ଅନୁଷ୍ଠାନ ପି.ପି.ପି.ମୋଡ୍ରେ ସଫଳତାର ସହ କାର୍ଯ୍ୟକରୁଛି । ଅଶୋକ ଲେଲ୍ୟାଣ୍ଡ କଂପାନୀ ଏହା ପରିଚାଳନା କରୁଛନ୍ତି । ଏହି ନୂଆ ଅନୁଷ୍ଠାନକୁ ମିଶାଇଲେ ୪ ଟି ଉଚ୍ଚମାନର ଅନୁଷ୍ଠାନ ପି.ପି.ପି.ମୋର୍ଡରେ ପରିଚାଳିତ ହେବ ।

ବର୍ତ୍ତମାନ ଛତିଆ ସ୍ଥିତ ଅନୁଷ୍ଠାନ ୧୫୦ ସିଟ୍ ବିଶିଷ୍ଟ ଅଛି । ନବ ନିର୍ମିତ କେନ୍ଦୁଝର ଅନୁଷ୍ଠାନ ୧୩୪ ସିଟ୍, ସୁନ୍ଦରଗଡ ୧୫୦ ସିଟ୍, ଏବଂ ବ୍ରହ୍ମପୁର ୧୪୦ ସିଟ୍ ବିଶିଷ୍ଟ ହେବ । ଏହିସବୁ ଅନୁଷ୍ଠାନରେ ଉଭୟ ଛୋଟ ଏବଂ ବଡ ଗାଡି (ଏଲ୍.ଏମ୍.ଭି. ଏବଂ ଏଚ୍.ଏମ୍.ଭି.) ଡ୍ରାଇଭିଂ ତାଲିମ ଦିଆଯିବ । ବଡ ଗାଡି ପାଇଁ ତାଲିମ ଅବଧି ୩୦ ଦିନ ଏବଂ ଛୋଟ ଗାଡି ପାଇଁ ତାଲିମ ଅବଧି ୨୧ ଦିନ ହେବ।

ଏ କ୍ଷେତ୍ରରେ ବିଶେଷ ଅଭିଜ୍ଞତା ଓ ଦକ୍ଷତା ଥିବା ଅଶୋକ ଲେ ଲ୍ୟାଣ୍ଡ ସଂସ୍ଥା ସହଭାଗୀ ଭାବେ ଅନୁଷ୍ଠାନ ଗୁଡିକର ଦୈନନ୍ଦିନ ପରିଚାଳନା କରିବେ । ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସୁଥିବା ଯୁବକ ଯୁବତୀମାନଙ୍କୁ ଏସବୁ ଅନୁଷ୍ଠାନରେ ମାଗଣା ଆବାସିକ ତାଲିମ ଦିଆଯିବ। ତାଲିମ କାଳରେ ସେମାନଙ୍କର ରହିବା, ଖାଇବା ଖର୍ଚ୍ଚ ସରକାରଙ୍କ ତରଫରୁ ବହନ କରାଯିବ ବୋଲି ନିଷ୍ପତି ହୋଇଛି।

କର୍ମ ନିପୁଣତା ଓ ସଚ୍ଚୋଟତା ଦୃଷ୍ଟିରୁ ଓଡ଼ିଶା ତାଲିମ ପ୍ରାପ୍ତ ଓଡ଼ିଆ ଡ୍ରାଇଭରମାନଙ୍କର ଦେଶର ବିଭିନ୍ନ ରାଜ୍ୟରେ ବିଶେଷ ଚାହିଦା ରହିଛି ବୋଲି ବୈଠକରେ ଉପସ୍ଥିତ ପରିବହନ କମିଶନର ଶ୍ରୀ ଅରୁଣ ବୋଥ୍ରା କହିଥିଲେ । ତାଲିମ ପ୍ରାପ୍ତ ଯୁବକ ଯୁବତୀମାନଙ୍କ ନିଯୁକ୍ତି ନିମନ୍ତେ ଉପଯୁକ୍ତ ପରାମର୍ଶ ଏବଂ ସହାୟତା ଦେବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ।

ଗୃହ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୀବ ଚୋପ୍ରା, ବାଣିଜ୍ୟ ଓ ପରିବହନ ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଳ କୁମାର ଦେବ, ପରିବହନ କମିଶନର ଶ୍ରୀ ଅରୁଣ କୁମାର ବୋଥ୍ରା, ଭୁବନେଶ୍ୱରସ୍ଥିତ ସରକାରୀ ଡ୍ରାଇଭିଂ ତାଲିମ ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀ ପ୍ରଦୀପ କୁମାର ମହାନ୍ତିଙ୍କ ସମେତ ବାଣିଜ୍ୟ ଓ ପରିବହନ ବିଭାଗ ଏବଂ ଅଶୋକ ଲେ ଲ୍ୟାଣ୍ଡର ବରିଷ୍ଠ ପଦାଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଦେଶରେ ଆଧାର କାର୍ଡ ସଂଯୋଗୀକରଣରେ ଓଡିଶା ଆଗରେ, ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ଉତ୍ତମ ପ୍ରଶାସନ ଦିଗରେ ଅନ୍ୟ ଏକ ପଦକ୍ଷେପ ସ୍ୱରୂପ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଆଧାର ବ୍ୟବହାର ସଂପ୍ରସାରଣ ସମ୍ବନ୍ଧିତ କର୍ମଶାଳା ଉଦ୍ଘାଟନ କରିଛନ୍ତି। ରାଜ୍ୟ ସରକାର ଏବଂ ଭାରତର ଏକକ ପରିଚୟ କର୍ତ୍ତୁପକ୍ଷକଙ୍କ ମିଳିତ ସହଯୋଗିତାରେ ରାଜ୍ୟ ଲୋକସେବା ଭବନ କନ୍ଭେନ୍ସନ୍ ସେଣ୍ଟରରେ ଆଜି ଏହି ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଥିଲା।

କର୍ମଶାଳାକୁ ଉଦ୍ଘାଟନ କରି ଶ୍ରୀ ମହାପାତ୍ର କହିଥିଲେ ଯେ ଆଧାର ନମ୍ବର ବ୍ୟବହାରର ସରଳୀକରଣ ନାଗରିକମାନଙ୍କ ଜୀବନ ଧାରାକୁ ସହଜ କରିବା ସହିତ ବିଭିନ୍ନ ପ୍ରକାର ସାଧାରଣ ସେବା ପ୍ରଦାନକୁ ଅଧିକ ତ୍ୱରାନ୍ୱିତ କରିବ। ଏହାର ବ୍ୟବହାର ଦ୍ୱାରା ବହୁ ସଂଙ୍ଖ୍ୟକ ଲୋକଙ୍କୁ ଏକ ସମୟରେ ସଠିକ୍ ଓ ସମୟାନୁବନ୍ଧିତ ସେବା ଯୋଗାଯାଇ ପାରିବ।
ସକ୍ରିୟ ଅଂଶଗ୍ରହଣ ପୂର୍ବକ ବିଭିନ୍ନ ସେବା ପ୍ରଦାନ ସହ ଆଧାର ସଂଯୋଗୀକରଣ ସମ୍ବନ୍ଧୀୟ ପ୍ରଶ୍ନର ସମାଧାନ କରିବା ପାଇଁ କର୍ମଶାଳାରେ ଯୋଗ ଦେଇଥିବା ବିଭିନ୍ନ ବିଭାଗର ଅଧିକାରୀମାନଙ୍କୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ।

ଆଧାରରେ ସନ୍ନିବଶିତ ତଥ୍ୟ ଏବଂ ବାଇଓମେଟ୍ରିକ୍ ଛାପ ଆଦିକୁ ନିୟମିତ ସମୟ ବ୍ୟବଧାନରେ ଅପ୍ଡେଟ୍ କରିବା ପାଇଁ ମଧ୍ୟ ଆଧାର କର୍ତ୍ତୁପକ୍ଷକଙ୍କୁ ଶ୍ରୀ ମହାପାତ୍ର ପରାମର୍ଶ ଦେଇଥିଲେ। ଏହାଦ୍ୱାରା ତଥ୍ୟଭିତ୍ତି ସଦ୍ୟତନ ରହିବ ଏବଂ ଆଧାର ନମ୍ବର ମାଧ୍ୟମରେ ନାଗରିକ ଚିହ୍ନଟକରଣ ସଠିକ୍ ହେବ। ବିଶେଷତଃ ଛୋଟ ପିଲାମାନଙ୍କ ନାମରେ ହୋଇଥିବା ବାଇମେଟ୍ରିକ୍ର ନିୟମିତ ସମୟାନ୍ତରରେ ସଦ୍ୟତନ ଦେବାର ଆବଶ୍ୟକତା ଅଧିକ। ନବଜାତ ଶିଶୁ ଏବଂ ଆଧାର କେନ୍ଦ୍ରକୁ ଆସି ପାରିନଥିବା ଦିବ୍ୟାଙ୍ଗ ବା ନିଃସହାୟ ବୃଦ୍ଧ ବ୍ୟକ୍ତିମାନଙ୍କ ଆଧାର ପଞ୍ଜୀକରଣ ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ଆରୋପ କରିଥିଲେ।

ଗ୍ରାମ, ୱାର୍ଡ଼, ଗ୍ରାମ ପଞ୍ଚାୟତ ଆଦି ସ୍ତରରେ କାର୍ଯ୍ୟ କରୁଥିବା ‘ମୋ ସେବା କେନ୍ଦ୍ର’ ଗୁଡିକରେ ଆଧାର ପଞ୍ଚୀକରଣ ଏବଂ ସଂଶୋଧନ ସମ୍ବନ୍ଧିତ ସେବା ଯୋଗାଇବା ପାଇଁ ମଧ୍ୟ ଶ୍ରୀ ମହାପାତ୍ର ଆଧାର କର୍ତ୍ତୁପକ୍ଷଙ୍କୁ ପରାମର୍ଶ ଦେଇଥିଲେ। ଏହାହେଲେ ଦୂରଦୂରାନ୍ତ ସ୍ଥିତ ଗ୍ରାମରେ ରହୁଥିବା ଲୋକମାନେ ମଧ୍ୟ ଆଧାର ସେବା ପାଇପାରିବେ। ବର୍ତ୍ତମାନ ରାଜ୍ୟର ବିଭିନ୍ନ ଅଂଚଳରେ ୫୯୨୩ ଟି ମୋ ସେବା କେନ୍ଦ୍ର କାର୍ଯ୍ୟ କରୁଛି। ଏହି କେନ୍ଦ୍ରଗୁଡିକର ଲୋକପ୍ରିୟତା ଦିନକୁ ଦିନ ବଢ଼ୁଛି ଏବଂ ଅଧିକରୁ ଅଧିକ ଲୋକ ଏହି କେନ୍ଦ୍ର ମାଧ୍ୟମରେ ଅନ୍ଲାଇନ୍ ସରକାରୀ ସେବା ପାଇପାରୁଛନ୍ତି।

ଶ୍ରୀ ମହାପାତ୍ର ଆହୁରି ମଧ୍ୟ କହିଥିଲେ ଯେ ଖାଦ୍ୟ ଯୋଗାଣ ଯୋଜନା, କାଳିଆ ଭଳି କୃଷକ କଲ୍ୟାଣ ଯୋଜନା, ବିଭିନ୍ନ ପ୍ରକାର ଭତ୍ତା ପ୍ରଦାନ, ଛାତ୍ର ବୃତ୍ତି ମଞ୍ଜୁର ଓ ପ୍ରଦାନ ଆଦିରେ ଆଧାର ନମ୍ବର ବ୍ୟବହାର ଉତ୍ସାହଜନକ ଫଳାଫଳ ହୋଇଛି। ଏହା ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ, ସରଳ ଏବଂ ସଠିକ୍ କରିଛି। ସ୍ୱାର୍ଥନ୍ୱଷୀ ମଧ୍ୟବର୍ତ୍ତୀ ଲୋକକମାନଙ୍କୁ ପ୍ରକ୍ରିୟାରୁ ବାଦ ଦେଇଛି। ଆଧାର କାର୍ଡର ପ୍ରୟୋଜନୀୟତା ବିଷୟରେ ସଚେତନତା ସୃଷ୍ଟି କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ ଓ ସଘନ କରିବା ପାଇଁ ଶ୍ରୀ ମହାପାତ୍ର ଆଧାର କର୍ତ୍ତୁପକ୍ଷଙ୍କୁ ପରାମର୍ଶ ଦେଇଥିଲେ।

ଆଧାର କର୍ତ୍ତୁପକ୍ଷକଙ୍କ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ ସୌରଭ ଗର୍ଗ କହିଥିଲେ ଯେ ଆଧାର ନମ୍ବର ବ୍ୟବହାରରେ ଓଡ଼ିଶା ଏକ ଅଗ୍ରଦୃତ ରାଜ୍ୟ। ୧୮ ରୁ ଉର୍ଦ୍ଧ ଜନସଂଙ୍ଖ୍ୟାର ପଞ୍ଜୀକରଣ ଶତ ପ୍ରତିଶତ ପାଖାପାଖି ପହଞ୍ଚିଛି। ଆଧାର ନମ୍ବର ଆର୍ଥିକ ଓ ସାମାଜିକ ଅନ୍ତର୍ଭୁକ୍ତିକରଣର ଏକ ଚାବିକାଠି ବୋଲି ଡ଼ଃ ଗର୍ଗ କହିଥିଲେ। ଆଧାରର ବ୍ୟବହାର ଓ ପଞ୍ଜୀକରଣ ଆଦି କାର୍ଯ୍ୟର ସଠିକ୍ ପରିଚାଳନା ନିମନ୍ତେ ଶିଘ୍ର ଜିଲ୍ଲାସ୍ତରୀୟ କମିଟିମାନ ଗଠନ କରାଯିବ ବୋଲି ମଧ୍ୟ ସେ ସୂଚନା ଦେଇଥିଲେ।

କର୍ମଶାଳାଟି ୩ ଟି ପର୍ଯ୍ୟାୟରେ ଆୟୋଜିତ ହୋଇଥିଲା। ଉଦ୍ଘାଟନୀ ପର୍ଯ୍ୟାୟରେ କର୍ମଶାଳାର ଉଦ୍ଦେଶ୍ୟ ଏବଂ ଆଲୋଚ୍ୟ ବିଷୟବସ୍ତୁ ଉପରେ ଆଲୋକପାତ କରାଯାଇଥିଲା। ବୈଷୟିକ ପର୍ଯ୍ୟାୟରେ ଆଧାର ବ୍ୟବହାର ବୃଦ୍ଧି ନିମନ୍ତେ ନୂତନ ପ୍ରଚେଷ୍ଟା, ଆଧାର ଏବଂ ଇ-ଗଭର୍ନାନ୍ସ୍, ରାଜ୍ୟରେ ଆଧାରର ପ୍ରୟୋଗ, ସର୍ବୋତ୍ତମ ପ୍ରାମାଣିତ ପଦ୍ଧତି, ହିତାଧିକାରୀମାନଙ୍କୁ ସିଧାସଳଖ ଆର୍ଥିକ ସହାୟତା ପ୍ରଦାନ ଆଦି ବିଷୟରେ ସବିଶେଷ ଆଲୋଚନା ହୋଇଥିଲା।

ଉଦ୍ଯାପନୀ ପର୍ଯ୍ୟାୟ ଉନ୍ନୟନ କମିଶନର ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ବିକାଶ ପ୍ରକ୍ରିୟାରେ ଜନସାଧାରଣଙ୍କ ଅନ୍ତର୍ଭୁକ୍ତିକରଣ ପାଇଁ ଆଧାର ବ୍ୟବହାରର ଏକ ଫଳଦାୟୀ ଉପାୟ ବୋଲି ଶ୍ରୀ ଜେନା କହିଥିଲେ ବିଭିନ୍ନ ବିଭାଗର ସମନ୍ୱୟ ମାଧ୍ୟମରେ କ୍ଷେତ୍ରସ୍ତରରେ ଏକ ଆଧାର ବ୍ୟବହାର ଉପଯୋଗୀ ବାତାବରଣ ସୃଷ୍ଟି କରିବା ପାଇଁ ସେ ପରାମର୍ଶ ଦେଇଥିଲେ।

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଳ କୁମାର ଦେବ, କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଡ଼ଃ ଅରବିନ୍ଦ ପାଢ଼ୀ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଶାସନ ସଚିବ ଶ୍ରୀ ମନୋଜ କୁମାର ମିଶ୍ରଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ଆଧାର କର୍ତ୍ତୁପକ୍ଷଙ୍କ ତରଫରୁ ପି.ସଙ୍ଗିଥା, ଅମିତ ଭାଗର୍ଭ, ସୁମେଶ ଯୋଗୀ, ସୁଦ୍ଧିପ୍ତ ନାୟକ, ଅଂଶୁମାନ କାମିଲା, ଏବଂ ଡ଼ି.ଭାସ୍କର ରାଓ ପ୍ରମୁଖ ବିଶେଷଜ୍ଞମାନେ ଉପରୋକ୍ତ ବିଷୟଗୁଡିକ ଉପରେ ଆଲୋକପାତ କରିଥିଲେ।

Categories
ଅପରାଧ ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ମୁଖ୍ୟଶାସନ ସଚିବଙ୍କୁ ମଧ୍ୟ ଛାଡିଲେନି ସାଇବର ଠକ, ତାଙ୍କ ନାମରେ ମାଗିଲେ ଟଙ୍କା

ଭୁବନେଶ୍ବର: ଦିନକୁ ଦିନ ସାଇବର ଠକଙ୍କ ପ୍ରର୍ଦୁଭାବ ବଢିବାରେ ଲାଗିଛି। ସେମାନେ ବର୍ତ୍ତମାନ ନୂଆ ତରିକାରେ ଠକିବା ଆରମ୍ଭ କରିଛନ୍ତି। ତାହା ହେଲା ସେମାନେ ବଡବଡିଆଙ୍କ ଫଟୋ ଲଗାଇ ହ୍ବାଟସଆପ ଆକାଉଣ୍ଟ କରି ପାଇସା ମାଗିବାରେ ଲାଗିଛନ୍ତି। ପୂର୍ବରୁ ବହୁ ବରିଷ୍ଠ ଅଧିକାରୀଙ୍କ ନାମରେ ସେମାନେ ଏହିପରି କାରନାମା କରିଆସୁଥିଲେ। ହେଲେ ବର୍ତ୍ତମାନ ଏକ ନୂଆ କାରନାମ ଧରାପଡିଛି। ତାହା ହେଲା ଯେ, ଶେଷରେ ସାଇବର ଠକମାନେ ଓଡିଶାର ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କୁ ମଧ୍ୟ ଛାଡିଲେ ନାହିଁ।

ଘଟଣାରୁ ଜଣାପଡିଛି ଯେ, ଏହି ସାଇବର ଠକମାନେ ୯୩୧୫୬୪୧୭୮୪ ମୋବାଇଲ ନମ୍ବରରେ ମୁଖ୍ୟ ଶାସନ ସଚିବଙ୍କ ଫଟୋ ଲଗାଇ ହ୍ବାଟସଆପ ଗ୍ରୁପ ତିଆରି କରିଛନ୍ତି। ଏଥିରେ ସେମାନେ ବିଭିନ୍ନ ଲୋକଙ୍କୁ ଆମାଜନରୁ ଏକ ଜିନିଷ କିଣିଛି ତାହାକୁ ପଇଠ କରିଦିଅନ୍ତୁ ବୋଲି ମେସେଜ ପଠାଉଛନ୍ତି। ଫଳରେ ଯେଉଁମାନଙ୍କ ପାଖକୁ ଏହି ମେସେଜ ଯାଉଛି ସେମାନେ ମୁଖ୍ୟଶାସନ ସଚିବ ପଠାଇଛନ୍ତି ବୋଲି ଭାବୁଛନ୍ତି। ଏପରି ପରିସ୍ଥିତିରେ ସେମାନେ କଣ କରିବେ କିଛି ଜାଣିପାରୁ ନାହାଁନ୍ତି।

ଏହିପରି ବିଭିନ୍ନ ଲୋକଙ୍କ ପାଖକୁ ହ୍ବାଟସଆପ ମେସେଜ ଯିବା ପରେ ଶେଷରେ ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ଖବର ଆସିଲା। ସେ ଏପରି ମେସେଜ ପାଇ ବିଚଳିତ ହୋଇପଡିଲେ। ସଙ୍ଗେ ସଙ୍ଗେ ସାଇବର ପୋଲିସଙ୍କୁ ଅବଗତ କରାଇଛନ୍ତି। ଏହା ଜାଣିବା ପରେ ମୁଖ୍ୟ ଶାସନ ସଚିବଙ୍କ ନାମରେ ସାଇବର ଠକ ଏପରି ବଡ କ୍ରାଇମ କରିପାରିବେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି।

ଏ ନେଇ ମୁଖ୍ୟଶାସନ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟାଳୟରୁ ଏକ ସୂଚନା ମଧ୍ୟ ପ୍ରଦାନ କରାଯାଇଛି। ସେଥିରେ କୁହାଯାଇଛି ଯେ, କେତେକ ଠକ ମୁଖ୍ୟଶାସନ ସଚିବଙ୍କ ଫୋଟକୁ ଯୋଡି ସାମାଜିକ ଗଣମାଧ୍ୟମରେ ପଇସା ମାଗୁଛନ୍ତି। ମୁଖ୍ୟଶାସନ ସଚିବଙ୍କ କାହାକୁ କେବେ ବିଲ ପଇଠ ବା ଟଙ୍କା ପଇଠ କରିବାକୁ କୁହନ୍ତି ନାହିଁ। ଏଥିପାଇଁ ଜନସାଧାରଣ ସତର୍କ ରହିବାକୁ ନିବେଦନ କରିଛନ୍ତି। ଏପରି ଘଟଣା ଆସିଲେ ତୁରନ୍ତ ସାଇବର ପୋଲିସ ନିକଟରେ ଅଭିଯୋଗ କରନ୍ତୁ ବୋଲି ପରାମର୍ଶ ଦିଆଯାଇଛି।

ଯଦି କୌଣସି ବ୍ୟକ୍ତି କିଛି ଟଙ୍କା ପଇଠ କରେ ତେବେ ମୁଖ୍ୟ ଶାସନ ସଚିବ ଏଥିପାଇଁ ଦାୟି ରହିବେ ନାହିଁ ବୋଲି କୁହାଯାଇଛି। ଏପରି ଘଟଣା ପଦାକୁ ଆସିବା ପରେ ସାଇବର ପୋଲିସ ତରଫରୁ ତତ୍ପରତା ପ୍ରକାଶ ପାଇଛି। ସଂପୃକ୍ତ ମୋବାଇଲ ନମ୍ବରକୁ ଟ୍ରାକ କରି ଠକକୁ ଧରିବା ପାଇଁ ଉଦ୍ୟମ କରାଯାଉଛି।

Categories
ଆଜିର ଖବର ରାଜ୍ୟ ଖବର

ଫେବୃୟାରୀରେ ଶେଷ ହେବ ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ, ହେଲେ ସେ ନେବେ ନାହିଁ ଅବସର

ଭୁବନେଶ୍ବର: ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ଆସନ୍ତା ଫେବୃୟାରୀ 28 ତାରିଖରେ ଶେଷ ହେଉଛି। ହେଲେ ସେ ଅବସର ନେବେ ନାହିଁ। ତାହାର କାରଣ ହେଲା ରାଜ୍ୟ ସରକାର ତାଙ୍କର କାର୍ଯ୍ୟକାଳ ଆଉ 6 ମାସ ପାଇଁ ବୃଦ୍ଧି କରିଛନ୍ତି। ଏନେଇ ରାଜ୍ୟ ସରକାର କେନ୍ଦ୍ରର ଅନୁମତି ଲୋଡିଥିଲେ। ଆଜି କେନ୍ଦ୍ର ସରକାରଙ୍କ ପର୍ସୋନେଲ ଓ ପେନସନ ଅଭିଯୋଗ ମନ୍ତ୍ରାଳାୟ ଅନୁମତି ପ୍ରଦାନ କରିଛନ୍ତି।

୧୯୮୬ ବ୍ୟାଚର ଆଇଏଏସ ଅଫିସର ସୁରେଶ ମହାପାତ୍ର ୨୦୨୦ ଡିସେମ୍ବରରେ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଇଥିଲେ । ଦୀର୍ଘ ବର୍ଷ ଧରି ଓଡିଶାର ବିଭିନ୍ନ ଜିଲ୍ଲାରେ କାର୍ଯ୍ୟ କରିବା ସହ ରାଜ୍ୟ ସରକାରଙ୍କ ଏକାଧିକ ବିଭାଗର ଦାୟିତ୍ବ ଦକ୍ଷତାର ସହ ତୁଲାଇଛନ୍ତି । ବର୍ତ୍ତମାନ ରାଜ୍ୟରୋ କରୋନା ପରିସ୍ଥିତି ଜାରୀ ରହିଥିବାରୁ ତାଙ୍କର କାର୍ଯ୍ୟକାଳ ବୃଦ୍ଧି କରିବା ପାଇଁ ରାଜ୍ୟ ସରକାର ଇଚ୍ଛା ପ୍ରକାଶ କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶାର ଚାଷୀଙ୍କ ଆୟ ବୃଦ୍ଧି ନିମନ୍ତେ ଲାଗୁ ହେବ ନୂଆ ଯୋଜନା ‘ରିୱାର୍ଡ’, ଜାଣନ୍ତୁ ଏହି ଯୋଜନା କଣ

ଭୁବନେଶ୍ୱର,  ଜଳଛାୟା ଅଞ୍ଚଳରେ ନିରନ୍ତର ଜୀବିକା ସୃଷ୍ଟି ଓ ସମନ୍ୱିତ ବିକାଶ ଦିଗରେ ଅନ୍ୟ ଏକ ବଡ଼ ପଦକ୍ଷେପ ଭାବେ ସରକାର ନୂଆ ଯୋଜନା ‘ରିଓ୍ୱାର୍ଡ’ର  ପରିକଳ୍ପନା ଆରମ୍ଭ କରିଛନ୍ତି । ଏଥି ପାଇଁ ଇତି ମଧ୍ୟରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ରାଜ୍ୟ ଲୋକସେବା ଭବନରୁ ଡିଜିଟାଲ୍‌ ମୋଡ୍‌ରେ ଅନୁଷ୍ଠିତ ଏହି ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ ପ୍ରକଳ୍ପର ଆବଶ୍ୟକତା ବିଷୟ ଉପସ୍ଥାପନ କରିଥିବାବେଳେ ବିଶ୍ୱବ୍ୟାଙ୍କର ବରିଷ୍ଠ ଅଧିକାରୀ କୁମାରୀ  ପ୍ରୀତି କୁମାର ନିଜ ଟିମ୍‌ଙ୍କ ସହ  ପ୍ରକଳ୍ପର ବୈଷୟିକ, ଆର୍ଥିକ ଓ କାର୍ଯ୍ୟ ପନ୍ଥା ବିଷୟରେ ସବିଶେଷ ସୂଚନା ଦେଇଥିଲେ ।

ପ୍ରକଳ୍ପର ବିଭିନ୍ନ ଦିଗକୁ ବିଚାର କରି କୃଷକମାନଙ୍କ ନିମନ୍ତେ ନିରନ୍ତର ଜୀବିକା ନିର୍ବାହ  ପନ୍ଥା ଏବଂ ଆୟବୃଦ୍ଧି ଉପରେ ଗୁରୁତ୍ୱ ଦେଇ ଯୋଜନା ସ୍ଥିର କରିବାକୁ ମୁଖ୍ୟ ଶାସନ ସଚିବ  ନିର୍ଦ୍ଦେଶ ଦେଇଛନ୍ତି । ଜଳଛାୟା  ପ୍ରକଳ୍ପ ଅନ୍ତର୍ଭୁକ୍ତ ସମସ୍ତ ଅଞ୍ଚଳ ସହ  ପ୍ରକଳ୍ପ ସଂଲଗ୍ନ ଅଞ୍ଚଳମାନଙ୍କୁ ଏହି ଯୋଜନା ସଂପ୍ରସାରିତ କରିବା ନିମନ୍ତେ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି ।

ନୂତନ ଜ୍ଞାନକୌଶଳ ପ୍ରୟୋଗ ଓ ପରି ପୂର୍ଣ୍ଣତା ଭିତ୍ତିରେ (ସେଚୁରେସନ୍‌ ମୋଡ୍‌)ରେ ସମଗ୍ର ଭୂସଂପତ୍ତି ଓ ପ୍ରାକୃତିକ ସାଧନର ବିନିଯୋଗ କରି କୃଷକମାନଙ୍କ ଆୟବୃଦ୍ଧି ହାସଲ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ ।

ରିଜୁଭେନେଟିଂ ଓ୍ୱାଟରସେଡସ୍‌ ଫର ଏଗ୍ରିକଲଚରାଲ୍‌ ରେଜିଲେନ୍ସ ଥ୍ରୁ ଇନୋଭେଟିଭ୍‌ ଡେଭଲପ୍‌ମେଣ୍ଟ ବା ‘ରିଓ୍ୱାର୍ଡ’ ନାମରେ ନାମିତ ଏହି ପ୍ରକଳ୍ପକୁ କୋରାପୁଟ, ନୟାଗଡ଼, ଢେଙ୍କାନାଳ, ଦେଓଗଡ଼ ଓ ସମ୍ବଲପୁର ଆଦି ୫ଟି ଜିଲ୍ଲାର ୧.୧୫ ଲକ୍ଷ ହେକ୍ଟର ପରିବ୍ୟାପ୍ତ ଜଳଛାୟା ପ୍ରକଳ୍ପ ଅଞ୍ଚଳରେ ପରୀକ୍ଷାମୂଳକ ( ପାଇଲଟ୍‌) ପ୍ରକଳ୍ପ ଭାବେ ଆରମ୍ଭ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି ।

ଏହି ସବୁ ଜିଲ୍ଲାର ୧୫୨ଟି କ୍ଷୁଦ୍ର-ଜଳଛାୟା ପ୍ରକଳ୍ପ ଅଞ୍ଚଳ ଏଥିରେ ସାମିଲ ହେବ । ଏହିସବୁ  ପ୍ରକଳ୍ପ ସଂଲଗ୍ନ ଅଧିକ ୪.୧୧ ଲକ୍ଷ ହେକଫର ଜମିକୁ ମଧ୍ୟ ଏହି ପ୍ରକଳ୍ପରେ ସାମିଲ କରାଯିବ । ଏହି ସଂପ୍ରସାରିତ ଅଞ୍ଚଳରେ ୫୩୩ଟି କ୍ଷୁଦ୍ର ଜଳଛାୟା ପ୍ରକଳ୍ପ ରହିଛି ।

ଉପରୋକ୍ତ ୫ଟି ଜିଲ୍ଲା ସହ ନବରଙ୍ଗପୁର ଏବଂ ସୁନ୍ଦରଗଡ଼ ଜିଲ୍ଲାରେଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକରୁଛିା ଏହିପରି ସମୁଦାୟ ୭ଟି ଜିଲ୍ଲାର ୭୦୫ କ୍ଷୁଦ୍ର ଜଳଛାୟା ପ୍ରକଳ୍ପ ଅନ୍ତର୍ଭୁକ୍ତ ୫.୨୬ ଲକ୍ଷ ହେକଫର ଭୂସଂ ପତ୍ତି ଏବଂ ପ୍ରାକୃତିକ ସାଧନକୁ ପ୍ରଥମ ପର୍ଯ୍ୟାୟରେ ପ୍ରକଳ୍ପରେ ସାମିଲ କରିବା ପାଇଁ ନିଷ୍ପତ୍ତି ହୋଇଛି।

ବିଶ୍ୱବ୍ୟାଙ୍କ ପ୍ରତିନିଧି କୁମାରୀ  ପ୍ରୀତି କୁମାର କହିଥିଲେ ଯେ ଜଳଛାୟା  ପ୍ରକଳ୍ପ କ୍ଷେତ୍ରରେ ଓଡ଼ିଶା ଏକ ଅଗ୍ରଗାମୀ ରାଜ୍ୟ। ସମଗ୍ର ଦେଶରେ କର୍ଣ୍ଣାଟକ, ଆନ୍ଧ୍ର ପ୍ରଦେଶ ଓ ଓଡ଼ିଶା ଆଦି ୩ଟି ରାଜ୍ୟରେ ଏହି ରିଓ୍ୱାର୍ଡ ପ୍ରକଳ୍ପ କାର୍ଯ୍ୟକାରୀ କରିବା  ପାଇଁ ବିଶ୍ୱବ୍ୟାଙ୍କ  ପ୍ରସ୍ତାବ ରଖିଛନ୍ତି।  ପ୍ରକଳ୍ପ ଦ୍ୱାରା ଜଳଛାୟା ଅଞ୍ଚଳର ସମନ୍ୱିତ କୃଷିକୁ ପ୍ରାକୃତିକ ବି ପର୍ଯ୍ୟୟ-ସହନଶୀଳ କରାଯିବ। କୃଷି-ଜଳବାୟୁ ଭିତ୍ତିରେ ଭୂସଂ ପତ୍ତିର ପୂର୍ଣ୍ଣ ବିନିଯୋଗ ସହ

ଉତ୍ପାଦକତା ବୃଦ୍ଧି କରାଯିବ । ଏହା ସହ କୃଷକମାନଙ୍କ ଆୟ ବୃଦ୍ଧି ନିମନ୍ତେ ବୈଷୟିକ ଓ ଆର୍ଥିକ ସହଯୋଗ ମାଧ୍ୟମରେ ସ୍ଥାନୀୟ କୃଷି ଉଦ୍ୟୋଗ ସୃଷ୍ଟି କରାଯିବ । ଓଡ଼ିଶା ସରକାରଙ୍କ ପ୍ରଚଳିତ ବ୍ୟବସ୍ଥା ଅନୁସାରେ କୃଷକମାନଙ୍କଠାରୁ କୃଷି ଉତ୍ପାଦସବୁ କ୍ରୟ କରିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

ବିଭାଗୀୟ ଶାସନ ସଚିବ ବଶିଷ୍ଠ ଜଣାଇଥିଲେ ଯେ  ପ୍ରକଳ୍ପରେ  ପ୍ରାୟ ୨୧୧.୫୭ ନିୟୁତ ଡଲାର ବିନିଯୋଗ ହେବାର ଆକଳନ କରାଯାଇଛି । ପ୍ରକଳ୍ପର ଅବଧି କାଳ ପ୍ରାୟ ୬ ବର୍ଷ ରହିବ। ଏହି ଅର୍ଥ ମଧ୍ୟରୁ ୧୬୨.୫୭ ନିୟୁତ ଡଲାର ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଯୋଜନାର ସଂଯୋଜନା ଭିତ୍ତିରେ ଯୋଗାଇବେ ଏବଂ ବିଶ୍ୱବ୍ୟାଙ୍କର ଆନ୍ତର୍ଜାତିକ  ପୁନର୍ଗଠନ ଓ ଉନ୍ନୟନ ବ୍ୟାଙ୍କ ୪୯ ନିୟୁତ ଡଲାର ଋଣ ଆକାରରେ ଯୋଗାଇବେ ।

ଯୋଜନାର କାର୍ଯ୍ୟାନ୍ୱୟନ ଏବଂ ଫଳାଫଳର ନିୟମିତ ମୂଲ୍ୟାୟନ ନିମନ୍ତେ ଏକ ନିର୍ଭରଯୋଗ୍ୟ ବିଶେଷଜ୍ଞ ସଂସ୍ଥା ଚୟନ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ମହା ପାତ୍ର ନିର୍ଦ୍ଦେଶ ଦେଇଥିଲେ । ଚଳିତ ବର୍ଷ ଜୁଲାଇ ମାସ ଶେଷ ସୁଦ୍ଧା ପ୍ରକଳ୍ପ  ପ୍ରସ୍ତାବ ଏବଂ କାର୍ଯ୍ୟାନ୍ୱୟନ ପଦ୍ଧତି ପୂର୍ଣ୍ଣାଙ୍ଗ କରିବାକୁ ବୈଠକରେ ସ୍ଥିର ହୋଇଥିଲା ।

ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା, ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା କୃଷି ଉତ୍ପାଦନ କମିଶନର ରାଜ କୁମାର ଶର୍ମା, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା, କୃଷି ଓ କୃଷକ ସଶକ୍ତିକରଣ ଶାସନ ସଚିବ ସୁରେଶ କୁମାର ବଶିଷ୍ଠଙ୍କ ସମେତ ସଂପୃକ୍ତ ବିଭାଗର ପ୍ରମୁଖ ଶାସନ ସଚିବ, ଶାସନ ସଚିବ ଏବଂ ବିଶ୍ୱବ୍ୟାଙ୍କର ବରିଷ୍ଠ  ପଦାଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Categories
ବିଶେଷ ଖବର ରାଜ୍ୟ ଖବର

କରୋନା ଗ୍ରାଫ ସହ ପରିଚାଳନାକୁ ତୀକ୍ଷ୍ମ ନଜର ରଖିଛନ୍ତି ରାଜ୍ୟ ସରକାର, ପରିସ୍ଥିତି ଦେଖି ନେବେ ନିଷ୍ପତି

ଭୁବନେଶ୍ବର,ବର୍ତ୍ତମାନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ସାମାନ୍ୟ ହ୍ରାସ ଘଟିଥିଲେ ମଧ୍ୟ ସଂପୂର୍ଣ୍ଣ ନିୟନ୍ତ୍ରଣରେ ଅଛି ବୋଲି କହିହେବ ନାହିଁ। ବର୍ତ୍ତମାନ ସହର ସହିତ କରୋନା ଗ୍ରାମାଞ୍ଚଳ ଆଡକୁ ମୁହାଁଇବାରେ ଲାଗିଛି। ତେବେ ଏହି ପରିସ୍ଥିତିକୁ ସଂପୂର୍ଣ୍ଣ ନଜରରେ ରଖାଯାଇଛି ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କହିଛନ୍ତି। ପରିସ୍ଥିତି ଦେଖି ପରବର୍ତ୍ତି ପଦକ୍ଷେପ ନିଆଯିବ ବୋଲି ସେ ପରୋକ୍ଷରେ ସୂଚନା ଦେଇଛନ୍ତି।

ଏକ ଭିଡିଓ ବାର୍ତ୍ତାରେ ସେ କହିଛନ୍ତି ଯେ, ରାଜ୍ୟ ସରକାର ପ୍ରତ୍ୟକ ଜିଲ୍ଲାର କୋଭିଡ ସ୍ଥିତି ଏବଂ ଏହାର ମୁକାବିଲା କାର୍ଯ୍ୟକ୍ରମ ଉପରେ ତୀକ୍ଷଣ ଦୃଷ୍ଟି ରଖିଛନ୍ତି। ପ୍ରତିଦିନ କାର୍ଯ୍ୟକୁ ଅନୁଧ୍ୟାନ କରୁଛନ୍ତି । ରାଜ୍ୟର ୧୦ ଟି ଜିଲ୍ଲା ଯଥା-ଭଦ୍ରକ , ବଲାଙ୍ଗିର , ଦେବଗଡ , ଗଜପତି,କଳାହାଣ୍ଡି , ନବରଙ୍ଗପୁର , ନୂଆପଡା, ସମ୍ବଲପୁର,ସୁନ୍ଦରଗଡ ଓ ଝାରସୁଗୁଡା ଆଦି ଜିଲ୍ଲାରେ ଗତ ୨ ସପ୍ତାହ ମଧ୍ୟରେ କରୋନା ସଂକ୍ରମଣ ହାର ପ୍ରାୟତଃ ସ୍ଥିର ରହିଛି ବା କମିବାକୁ ଆରମ୍ଭ କରିଛି। ତେବେ ବି ଗତ ୧୦ ଦିନ ମଧ୍ୟରେ ରାଜ୍ୟରେ ଦୈନିକ ସଂକ୍ରମଣ୧୦ ରୁ ୧୨ ହଜାର ମଧ୍ୟରେ ରହିଛି ।

ସେ କହିଛନ୍ତି ଯେ, ବର୍ତ୍ତମାନ ସାରା ରାଜ୍ୟରେ ଲକ ଡାଉନ କଟକଣା ଜାରି ରହିଛି । ଜନ ସାଧାରଣ ଏହି କଟକଣାକୁ ହାଲୁକା ଭାବେ ନନେଇ ଏହାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଯେଉଁ ନିବେଦନ କରିଛନ୍ତି, ତାହାକୁ ଅକ୍ଷରେ ଅକ୍ଷରେ ପାଳନ କରିବା ପାଇଁ ମୁଖ୍ୟ ଶାସନ ସଚିବ ଅନୁରୋଧ କରିଥିଲେ । ମାସ୍କ ବ୍ୟବହାର କରିବା, ସାମାଜିକ ଦୂରତା ରଖିବା, ଘର ଭିତରେ ରହିବା, ନିହାତି ଦରକାର ନଥିଲେ ବାହାରକୁ ନଯିବା, ବାହାରକୁ ଯିବା ସମୟରେ ଭିଡଠାରୁ ଦୂରେଇ ରହିବା ଆଦି ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବା ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ଵାରୋପ କରିଥିଲେ ।

ମୁଖ୍ୟ ଶାସନ ସଚିବ କହିଥିଲେ ଯ, କରୋନା ଲଢେଇରେ ନିୟୋଜିତ ରାଜ୍ୟର ଡାକ୍ତର,ସ୍ୱାସ୍ଥ୍ୟ ଅଧିକାରୀ , ସ୍ୱାସ୍ଥ୍ୟକର୍ମୀ ଓ କର୍ମଚାରୀମାନେ ଦିନରାତି କଠିନ ପରିଶ୍ରମ କରୁଛନ୍ତି । ନିଜର ଜୀବନକୁ ବିପନ୍ନ କରି ସେମାନେ ସେବା ଯୋଗାଉଛନ୍ତି । ଏମାନଙ୍କୁ ସମସ୍ତ ପ୍ରକାର ସହଯୋଗ କରିବା ପାଇଁ ମୁଖ୍ୟଶାସନ ସଚିବ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ ଏବଂ କହିଥିଲେ ଯେ, ଆମେ ସମସ୍ତେ ମିଳିମିଶି ଚେଷ୍ଟାକଲେ ଆସନ୍ତା କିଛିଦିନ ମଧ୍ୟରେ କରୋନା ସଂକ୍ରମଣକୁ ପୂର୍ଣ୍ଣମାତ୍ରାରେ ନିୟନ୍ତ୍ରଣାଧୀନ କରିପାରିବ। ।