Categories
ଆଜିର ଖବର ରାଜ୍ୟ ଖବର

ଏପ୍ରିଲ ୧ ରୁ ୭ ତାରିଖ ପର୍ଯ୍ୟନ୍ତ “ଶୂନ ମୃତାହତ ସପ୍ତାହ” ପାଳନ: ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା

ଭୁବନେଶ୍ୱର: ରାଜ୍ୟରେ ସଡ଼କ ଦୁର୍ଘଟଣା ଜନିତ ମୃତାହତ ସଂଖ୍ୟାକୁ ଶୂନ କରିବା ଉଦ୍ଦେଶ୍ୟରେ ସଚେତନତାକୁ ବ୍ୟାପକ କରିବା ପାଇଁ ରାଜ୍ୟ ସରକାର ଆଜି ଠାରୁ ୭ ତାରିଖ ପର୍ଯ୍ୟନ୍ତ ସପ୍ତାହ ବ୍ୟାପି ଶୂନ ମୃତାହତ ସଂଖ୍ୟା ସପ୍ତାହ (ଜିରୋ ଫାଟାଲିଟି ଉଇକ) ପାଳନ କରୁଛନ୍ତି। ରାଜ୍ୟ ସରକାରଙ୍କ ତରଫରୁ ଏହି ସପ୍ତାହ ପାଳନ ପରିପ୍ରେକ୍ଷୀରେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ଏକ ସମୀକ୍ଷା ବୈଠକ ଆଜି ଅପରାହ୍ଣରେ ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।

ଏହି ସପ୍ତାହ ପାଳନ ସଂପର୍କରେ ରାଜ୍ୟ ସଡ଼କ ଓ ପରିବହନ ବିଭାଗ ତରଫରୁ ଏକ ଏସ୍ଓପି ପ୍ରସ୍ତୁତ କରି ସବୁ ଜିଲ୍ଲାର ଜିଲ୍ଲାପାଳ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ଡେପୁଟି ପୁଲିସ କମିଶନରଙ୍କ ନିକଟକୁ ପତ୍ର, ପ୍ରେରଣ କରାଯାଇଛି। ବୈଠକରୁ ଜଣାପଡିଛି ଯେ ୨୦୨୨ ବର୍ଷରେ ଓଡ଼ିଶାରେ ୧୧,୬୬୩ ଟି ସଡ଼କ ଦୁର୍ଘଟଣା ହୋଇ ଏଥିରେ ୫,୪୬୭ ଜଣ ମୃତ୍ୟୁବରଣ କରିଥିଲେ। ୨୦୨୧କୁ ତୁଳନା କଲେ ଏ ବର୍ଷ ମୃତ୍ୟୁହାର ସଂଖ୍ୟାରେ ୭.୬୦ ପ୍ରତିଶତ ବୃଦ୍ଧି ଘଟିଛି। ଦୁର୍ଘଟଣା ବେଳେ ଠିକ୍ ସମୟରେ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଦୁର୍ଘଟଣାଗ୍ରସ୍ତଙ୍କୁ ପହଞ୍ଚାଯାଇ ପାରିଥିଲେ ଏଥିରୁ ଅନେକଙ୍କ ମୂଲ୍ୟବାନ ଜୀବନ ରକ୍ଷା ହୋଇ ପାରିଥାନ୍ତା।

ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା କହିଥିଲେ ଯେ ବ୍ୟବହାରିକ ପରିବର୍ତ୍ତନ ଆମକୁ ଶୂନ ମୃତାହତ ଆଣି ଦେଇପାରିବ। ଏ ଦିଗରେ ପିତାମାତାମାନେ ସେମାନଙ୍କର ପିଲାମାନଙ୍କୁ ଦାୟିତ୍ୱପୂର୍ଣ୍ଣ ଭାବରେ ଗାଡି ଚଳାଇବା ପାଇଁ ଶପଥ କରାଇବାର ଆବଶ୍ୟକତା ରହିଛି। ଜିଲ୍ଳା ପରିଦେ, ପଂଚାୟତ ସମିତି ଓ ଗ୍ରାମ ପଂଚାୟତ ସ୍ତରରେ ବ୍ୟାପକ ସଚେତନତା ସୃଷ୍ଟି କରାଯିବାର ଆବଶ୍ୟକତା ରହିଛି। ସାମାଜିକ ଗଣମାଧ୍ୟମରେ ଏ ସଂପର୍କରେ ବହୁଳ ପ୍ରଚାର ପ୍ରସାର, ନିଶାଯୁକ୍ତ ହୋଇ ଗାଡି ଚଳାଉଥିବା ଗାଡି ଚାଳକଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଏବଂ ଏ ଦିଗରେ ସଚେତନତା ନେଇ ବ୍ୟାପକ ପ୍ରଚାର ପ୍ରସାର ଆମକୁ ଅଧିକ ସଫଳତା ଆଣିଦେବ ବୋଲି ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ପ୍ରକାଶ କରିଥିଲେ।

ବୈଠକରେ ଯୋଗଦେଇ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ କହିଥିଲେ ଯେ, ସଡ଼କ ଦୁର୍ଘଟଣାକୁ ରୋକିବା ରାଜ୍ୟ ପାଇଁ ବଡ ଆହ୍ୱାନ ରହିଛି। ପ୍ରତ୍ୟେକ ଜୀବନ ମୂଲ୍ୟବାନ। ସଡ଼କ ସୁରକ୍ଷା ରାଜ୍ୟ ସରକାର ପ୍ରମୁଖ ପ୍ରାଥମିକତା ରହିଛି ଓ ସଡ଼କ ଦୁର୍ଘଟଣା କମାଇବା ପାଇଁ ବିଭାଗ ତରଫରୁ ଅନେକ ଗୁଡିଏ ପଦକ୍ଷେପ ନିଆଯାଇଛି। ଶିକ୍ଷା, ସଡ଼କ ନିର୍ମାଣ ବେଳେ ଯାନ୍ତ୍ରିକ ଯୋଜନାର ସଠିକ ଉପଯୋଗ, କଡାକଡି ଚଢ଼ଉ ଓ ଦୁର୍ଘଟଣା ସମୟରେ ପୀଡିତଙ୍କୁ ସହାୟତା ମୃତାହତ ସଂଖ୍ୟାକୁ ଶୂନକୁ ଆଣିପାରିବ। ସେହି ପରି ଗୃହ ବିଭାଗ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ ଗୃହ ଓ ନଗର ଉନ୍ନୟନ ବିଭାଗଙ୍କୁ ମୃତାହତ ସଂଖ୍ୟା ଶୂନ କରିବା ପାଇଁ ପଦକ୍ଷେପ ନେବାକୁ କୁହାଯାଇଛି।

ଦୁର୍ଘଟଣାଗ୍ରସ୍ତ ପୀଡିତଙ୍କୁ ଆବଶ୍ୟକ ସମୟରେ ରକ୍ତ ଯୋଗାଇ ଦେବା ଉଦ୍ଦେଶ୍ୟରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗଙ୍କୁ ବିଭାଗ ସହ ଯୋଗାଯୋଗରେ ରହୁଥିବା ସଂପୃକ୍ତ ଗ୍ରୁପକୁ ସଜାଗ ରହିବାକୁ କୁହାଯାଇଛି। ଟ୍ରାମା କେୟାର ସେଣ୍ଟକୁ ୨୪ ଘଣ୍ଟା ପ୍ରସ୍ତୁତି ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅଧିକ ଦୁର୍ଘଟଣା ଘଟୁଥିବା ଅଂଚଳ ଓ ଜାତୀୟ ରାଜପଥରେ ସ୍ୱାସ୍ଥ୍ୟ ବିଭାଗ ଓ ଜାତୀୟ ରାଜପଥ କର୍ତ୍ତୁପକ୍ଷଙ୍କୁ ଆମ୍ବୁଲାନ୍ସ ମୁତୟନ ବ୍ୟବସ୍ଥା କରିବାକୁ କୁହାଯାଇଛି। ପୂର୍ତ୍ତ ବିଭାଗ ତଥା ସଂପୃକ୍ତ ସଡ଼କ କର୍ତୃପକ୍ଷଙ୍କୁ ଯଥେଷ୍ଟ ସଂଖ୍ୟକ ସଂକେତ (ସାଇନେଜ୍) ଲଗାଇବା, ଆବଶ୍ୟକ ସ୍ଥାନରେ ଖାଲଖମା ମରାମତି ଓ ରାସ୍ତା ମରାମତି ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଗ୍ରାମୀଣ ଓ ସହରାଞ୍ଚଳକୁ ଯୋଗାଯୋଗ କରୁଥିବା ରାସ୍ତାରେ ଟ୍ରାଫିକରୁ ୫୦୦ ମିଟର ପୂର୍ବରୁ ଯାତାୟତ ନିୟନ୍ତ୍ରଣକୁ ଦୃଷ୍ଟିରେ ରଖି ଆବଶ୍ୟକ ସଂକେତ ରଖିବାକୁ କୁହାଯାଇଛି।

ଗୃହ ଓ ନଗର ଉନ୍ନୟନ ବିଭାଗଙ୍କୁ ରାସ୍ତାରେ ଗାଇଗୋରୁ ଚଳାଚଳକୁ ନିଷେଧ କରିବା ଓ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥ ଗାଡିଗୁଡିକର ପାର୍କିଂ ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଂଚଳିକ ସଡ଼କ ପରିବହନ ଅଧିକାରୀ, ପୋଲିସ କର୍ମଚାରୀଙ୍କ ସହ ସପ୍ତାହ ବ୍ୟାପି ଚଢ଼ାଉକୁ କଡାକଡି କରିବେ। ଏହା ବ୍ୟତୀତ ଓଡ଼ିଶା ରାଜ୍ୟ ସଡକ ପରିବହନ ବିଭାଗ, ବ୍ୟବସାୟିକ ସଂଘ ଓ ଟ୍ରକ ମାଲିକ ସଂଘ, ରିକ୍ସା ମାଲିକ ସଂଘମାନଙ୍କୁ ଡ୍ରାଇଭରମାନଙ୍କୁ ଠିକ ଭାବେ ଗାଡି ଚଳାଇବା କାର୍ଯ୍ୟ ସହ ରାଜ ରାସ୍ତାରେ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ଦେଖିଲେ ତୁରନ୍ତ ସେମାନଙ୍କୁ ସହାୟତା କରିବାକୁ ସଚେତନ କରାଯାଇଛି। ଏହି ଶୂନ ମୃତାହତ ମିଶନରେ ସ୍ୱେଚ୍ଛାସେବୀ ଓ ପ୍ରଥମେ ପ୍ରତିକ୍ରିୟା ପ୍ରକାଶ କରୁଥିବା ଗ୍ରୁପ “ରକ୍ଷକ” ମାନଙ୍କୁ ଏହି ମିଶନକୁ ସଫଳ କରିବାକୁ ଅନୁରୋଧ କରାଯାଇଛି।

ଜନସାଧାରଣଙ୍କ ଯୋଗାଯୋଗ ଓ ସଂପୃକ୍ତ ସହଯୋଗୀ ଅନୁଷ୍ଠାନମାନଙ୍କର ଭାଗିଦାରିତାରେ ଆମେ ମୃତାହତ ସଂଖ୍ୟାକୁ ବହୁ ସଂଖ୍ୟାରେ କମାଇ ଦେଇ ପାରିବୁ ବୋଲି ବୈଠକରେ ଗୁରୁତ୍ୱ ଦିଆଯାଇଥିଲା।

ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ରାଜ୍ୟ ପୋଲିସ ମହା ନିର୍ଦ୍ଦେଶକ ସୁନିଲ କୁମାର ବଂଶଲ,ରାଜ୍ୟ ପରିବହନ କମିଶନର ଅରୁଣ ବୋର୍ଥ୍ରା, ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମର ପରିଚାଳନା ନିର୍ଦ୍ଦେଶକ ଦିପ୍ତେଶ ପଟ୍ଟନାୟକଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ରହି ମତ ରଖିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ମୁଖ୍ୟ ଶାସନ ସଚିବଙ୍କ ସହ ଡ୍ରାଇଭର ମହାସଂଘର ବୈଠକ: ଏହି ପ୍ରତିଶ୍ରୁତି ଦେଲେ ରାଜ୍ୟ ସରକାର

ଭୁବନେଶ୍ବର: ଆଜି ସନ୍ଧ୍ୟା ୭ ଟା ସମୟରେ ଡ୍ରାଇଭର ଏକତା ମହାସଂଘ ପ୍ରତିନିଧିଙ୍କ ସହ ରାଜ୍ୟର ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଏକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।

ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ ଜେନାଙ୍କ ଦ୍ଵାରା ମହାସଂଘକୁ ଲିଖିତ ପ୍ରତିଶ୍ରୁତି ପ୍ରଦାନ କରାଯାଇଛି। ପ୍ରତିଶ୍ରୁତି ଅନୁଯାୟୀ, ଆଗାମୀ ୩ ମାସରେ ଡ୍ରାଇଭର ମହାସଂଘର ଦାବୀଗୁଡିକୁ ସମାଧାନ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ଲିଖିତ ଆକାରରେ ପ୍ରତିଶ୍ରୁତି ଦେଇଛନ୍ତି।

Categories
ବିଶେଷ ଖବର

ଆସନ୍ତା ୧୦ ରୁ ମ୍ୟାଟ୍ରିକ ପରୀକ୍ଷା: ତ୍ରୁଟିଶୂନ୍ୟ ପରିଚାଳନା ଉପରେ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ୱାରୋପ

ଭୁବନେଶ୍ୱର: ଚଳିତ ମାସ ୧୦ ତାରିଖରୁ ମ୍ୟାଟ୍ରିକ ପରୀକ୍ଷାର ଦ୍ୱିତୀୟ ସମେଟିଭ ଆସେସମେଣ୍ଟ ଆରମ୍ଭ ହେବ। ଏହା ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ହାଇସ୍କୁଲ, ରାଜ୍ୟ ମୁକ୍ତ ବିଦ୍ୟାଳୟ ଏବଂ ମଧ୍ୟମାରେ ୫ଲକ୍ଷ ୪୧ ହଜାର ୨୪୭ ଜଣ ଛାତ୍ରଛାତ୍ରୀ  ୩୨୧୮ଟି କେନ୍ଦ୍ରରେ ପରୀକ୍ଷା ଦେବେ।

ଏଥି ନିମନ୍ତେ ଏକ ବୈଠକ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ଭରଚ୍ୟୁଆଲ ମାଧ୍ୟମରେ ଅନୁଷ୍ଠିତ ହୋଇଛି। ଏଥିରେ ସମସ୍ତ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ, ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ। ସଫଳତାର ସହ ତ୍ରୁଟିଶୂନ୍ୟ ଭାବେ ଏହି ଗୁରୁତ୍ୱପୂର୍ଣ୍ଣ ପରୀକ୍ଷାକୁ ପରିଚାଳନା କରିବା ନିମନ୍ତେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱାରୋପ କରିଥିଲେ। ପରୀକ୍ଷା ହଲକୁ  ଯାଉଥିବା ଛାତ୍ରଛାତ୍ରୀ ଏବଂ ପରୀକ୍ଷା ପରିଚାଳନା ସହ ସଂପୃକ୍ତ ବ୍ୟକ୍ତିଙ୍କୁ ଭଲଭାବେ ଯାଞ୍ଚ କରି କେନ୍ଦ୍ର ମଧ୍ୟକୁ ଛାଡିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ପରୀକ୍ଷା କେନ୍ଦ୍ର ନିମନ୍ତେ ଆବଶ୍ୟକୀୟ ପର୍ଯ୍ୟବେକ୍ଷକ ଓ ଫ୍ଲାଇଙ୍ଗ୍‌ ସ୍କ୍ୱାର୍ଡ ମୁତୟନ ଉପରେ ପଦକ୍ଷେପ ନେବାକୁ ସେ ପରାମର୍ଶ ଦେଇଛନ୍ତି। ପ୍ରଶ୍ନପତ୍ର ଓ ଉତ୍ତର ଖାତା ରହୁଥିବା ଷ୍ଟ୍ରଙ୍ଗ ରୁମରେ ୨୪ ଘଣ୍ଟିଆ କଡା ନିରାପତ୍ତା, ପରୀକ୍ଷା କେନ୍ଦ୍ରରେ ସୁରକ୍ଷା କର୍ମୀ ମୁତୟନ, ବିଦ୍ୟୁତ ଏବଂ ପିଇବା ପାଣି ବ୍ୟବସ୍ଥା ସହ ପରୀକ୍ଷା ପରିଚାଳନାରେ ବାଧା ସୃଷ୍ଟି କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟ ଶାସନ ସଚିବ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

ପରୀକ୍ଷା ନିମନ୍ତେ କେନ୍ଦ୍ରଗୁଡିକୁ ପ୍ରଶ୍ନପତ୍ର ଆଜିଠାରୁ ପଠେଇବା ଆରମ୍ଭ ହୋଇଥିବା ନେଇ ମାଧ୍ୟମିକ  ଶିକ୍ଷା ପରିଷଦ ପକ୍ଷରୁ ବୈଠକରେ ସୂଚନା ଦିଆଯାଇଥିଲା। ପରୀକ୍ଷା ନିମନ୍ତେ ୨୨ଟି ପୁଲିସ ଷ୍ଟେସନକୁ ମିଶାଇ ମୋଟ ୩୧୬ଟି ନୋଡାଲ ସେଣ୍ଟର କରାଯାଇଛି। ଏଥି ମଧ୍ୟରେ କନ୍ଧମାଳରେ ୭ଟି, କୋରାପୁଟରେ ୫ଟି ଏବଂ ମାଲକାନଗିରିରେ ୧୦ଟି ପୁଲିସ ଷ୍ଟେସନରେ ନୋଡାଲ ସେଣ୍ଟର କରାଯାଇଛି। ପରୀକ୍ଷା ଶେଷ ହେବା ପରେ ୫୬ଟି କେନ୍ଦ୍ରରେ ଖାତା ଦେଖା ଆରମ୍ଭ କରାଯିବା ନେଇ ପଦକ୍ଷେପ ଗ୍ରହଣ କରାଯିବ।

ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ କମିଶନର ଅନୁ ଗର୍ଗ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶାସନ ସଚିବ ଅଶ୍ୱଥି.ଏସ୍‌, ମାଧ୍ୟମିକ ଶିକ୍ଷା ବୋର୍ଡ ସଭାପତି ରାମଶିଷ ହାଜରା, ଉପସଭାପତି ଡ଼ଃ ନିହାର ରଞ୍ଜନ ମହାନ୍ତି, ନିର୍ଦ୍ଦେଶକ ସୁଶାନ୍ତ ଦାଶ, ଅତିରିକ୍ତ ସଚିବ ଅଶ୍ୱିନୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ଦେଓମାଳୀ ଓ କୋଟିଆର ଉନ୍ନୟନ କାର୍ଯ୍ୟ ତଦାରଖ କଲେ ମୁଖ୍ୟ ଶାସନ ସଚିବ

କୋରାପୁଟ: ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର କୋରାପୁଟ ଜିଲ୍ଲାର ଦେଓମାଳୀ ଓ କୋଟିଆ ଗସ୍ତ କରି ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଦେଓମାଳୀ ଠାରେ ଇକୋ ଟୁରିଜିମ କାର୍ଯ୍ୟର ଅଗ୍ରଗତି ସଂପର୍କରେ ସମୀକ୍ଷା କରିବା ସହ ଚାରା ରୋପଣ କରିଥିଲେ।

ସେହିଭଳି କୋଟିଆରେ ସରକାରଙ୍କ ପକ୍ଷରୁ ଯାରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ମଧ୍ୟ ଶ୍ରୀ ମହାପାତ୍ର ଅନୁଧ୍ୟାନ କରିଥିଲେ। ସେଠାରେ ଜନୈକ ଶ୍ରୀ ବାସନା ଗେମେଲଙ୍କ ଦ୍ବାରା ଷ୍ଟ୍ରବେରୀ ଚାଷ ଏବଂ ସ୍ବୟଂ ସହାୟକ ଗୋଷ୍ଠୀ ଦ୍ବାରା ମହୁ ମାଛି ଚାଷ ବୁଲି ଦେଖିବା ସହ ଆବଶ୍ୟକୀୟ ପ୍ରୋତ୍ସାହନ ଦେବା ପାଇଁ ଅଧିକାରୀ ମାନଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି। ସେଠାରେ ଏକ ଫରେଷ୍ଟ ଗେଷ୍ଟ ହାଉସ ଓ ଶୀତଳ ଭଣ୍ତାରର ଉଦଘାଟନ କରିଥିଲେ।

ରଣାସିଂ ଅଞ୍ଚଳରେ ଅଙ୍ଗନୱାଡି କେନ୍ଦ୍ର ଶୁଭ ଉଦଘାଟନ କରିବା ସହ ପିଲା ମାନଙ୍କୁ ପୋଷାକ ଓ ପାଠ୍ୟ ଉପକରଣ ବଣ୍ଟନ କରିଥିଲେ। ସେହିଭଳି ସେମିଲିଗୁଡା ବ୍ଲକର ରାଜପୁଟ ଠାରେ ମିଶନ ଶକ୍ତି ଦ୍ବାରା ପରିଚାଳିତ ଏକ ମିଲେଟ ପ୍ରୋସେଙ୍ଗି ୟୁନିଟର ଶ୍ରୀ ମହାପାତ୍ର ମଧ୍ୟ ଉଦଘାଟନ କରିଥିଲେ। ଗାଲିଗାବଦର ଠାରେ ୱାଟରପୁଲ ବୁଲି ଦେଖିଥିଲେ।

ଏହାକୁ ସଠିକ ଭାବେ ପରିଚାଳନା କରିବାକୁ ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟ ମାନଙ୍କୁ ଶ୍ରୀ ମହାପାତ୍ର ପରାମର୍ଶ ଦେଇଥିଲେ। ସେଠାରେ ଏକ ଇକୋ ରିସୋର୍ଟ ନିର୍ମାଣ ଲାଗି ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏତଦବ୍ୟତୀତ ସରକାରଙ୍କ ପକ୍ଷରୁ ଜିଲ୍ଲାରେ ଯାରି ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକୁ ତ୍ବରାନ୍ବିତ କରିବାକୁ ଅଧିକାରୀ ମାନଙ୍କୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ।

ମୁଖ୍ୟ ଶାସନ ସଚିବଙ୍କ ଏହି ଗସ୍ତ ସମୟରେ ଜିଲ୍ଲାପାଳ ଅବଦ୍ଦଲ ଏମ୍ ଅକତାର, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଗୌରବ ଶିବାଜୀ ଇସଲୱାର, ଆଇ.ଟି.ଡି.ଏର ଶ୍ରୀ କାରୁ ସୋରେନ, ଉପ ଜିଲ୍ଲାପାଳ ଶ୍ରୀ ବେଣୁ ଧର ଶବର, ଡିଏଫଓ ଶ୍ରୀମତୀ ଅମିତାରାଣୀ ରୟ, ପଟ୍ଟାଙ୍ଗି ବିଡଓ ଶ୍ରୀ ସୌମ୍ୟ ସାର୍ଥକ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

Breaking News: ଶେଷରେ ମୁଖ୍ୟ ଶାସନ ସଚିବ ହେଲେ ପ୍ରଦୀପ ଜେନା

ଭୁବନେଶ୍ବର: ଶେଷରେ ମୁଖ୍ୟ ଶାସନ ସଚିବ ହେଲେ ବରିଷ୍ଠ ଆଇଏଏସ ଅଫିସର ପ୍ରଦୀପ କୁମାର ଜେନା। ଆଜି ଏ ନେଇ ସାଧାରଣ ପ୍ରଶାସନ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଏବେ ମୁଖ୍ୟ ଶାସନ ସଚିବ ଥିବା ସୁରେଶ ଚନ୍ଦ୍ର ମହାପାତ୍ରଙ୍କ କାର୍ଯ୍ୟକାଳ ଫେବ୍ରୁଆରୀ ୨୮ ତାରିଖରେ ସରୁଛି। ଏହାପରେ କିଏ ମୁଖ୍ୟ ଶାସନ ସଚିବ ହେବେ ସେ ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା। ଏବେ ତାହାର ପୂର୍ଣ୍ଣଛେଦ ପଡିଛି।

୧୯୮୯ ବ୍ୟାଚର ଆଇଏଏସ୍ ଅଧିକାରୀ ପ୍ରଦୀପ ଜେନା ମାର୍ଚ୍ଚ ୧ରେ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିବେ। ଶ୍ରୀ ଜେନା ଏବେ ଉନ୍ନୟନ କମିଶନର, ସ୍ୱତନ୍ତ୍ର ରିଲିଫ୍ କମିଶନର ଦାୟିତ୍ବରେ ଅଛନ୍ତି। ସେହିପରି ବରିଷ୍ଠ ଆଇଏଏସ ଅଫିସର ଅନୁ ଗର୍ଗଙ୍କୁ ଡିସି ଭାବେ ନିଯୁକ୍ତି ଦିଆଯାଇଛି।

Categories
ବିଶେଷ ଖବର ରାଜ୍ୟ ଖବର

ବାଲେଶ୍ବର ମେଡିକାଲ କଲେଜ କାର୍ଯ୍ୟ ଶିଘ୍ର ଶେଷ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ବର: ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ବାଲେଶ୍ବର ଜିଲ୍ଲା ଗସ୍ତ କରି ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି । ବାଲେଶ୍ବରସ୍ଥିତ ଫକିର ମୋହନ ମେଡିକାଲ କଲେଜ ଓ ହସପିଟାଲ ଗସ୍ତକରି ନିର୍ମାଣଧିନ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଆସନ୍ତା ୬ ମାସ ମଧ୍ୟରେ ସମସ୍ତ କାର୍ଯ୍ୟ ଶେଷ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଏଠାରେ ପଢୁଥିବା ଛାତ୍ରଛାତ୍ରୀ ମାନେ ବର୍ତ୍ତମାନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାକ୍ଟିକାଲ ଶ୍ରେଣୀରେ ଯୋଗ ଦେଉଛନ୍ତି । ଏଥିସହ ଉକ୍ତ ୬୫୦ ଶଯ୍ୟା ବିଶିଷ୍ଟ ହସପିଟାଲ ନିମନ୍ତେ ଆସୋସିଏଟ ଓ ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ମିଶାଇ ପ୍ରାୟ ଶହେ ଜଣ ନିଯୁକ୍ତ ଅଛନ୍ତି । ଏଠାରେ କର୍କଟ ରୋଗର ଚିକିତ୍ସା ନିମନ୍ତେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଉଥିବା ଶ୍ରୀ ମହାପାତ୍ର କହିଛନ୍ତି ।

ଜାତୀୟ ରାଜପଥରୁ ମେଡିକାଲକୁ ପ୍ରାୟ ଏକ କିଲୋମୋଟର ସଂଲଗ୍ନ ରାସ୍ତାର ଯାରି ମରାମତି କାର୍ଯ୍ୟକୁ ଖୁବଶୀଘ୍ର ଶେଷ କରିବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି । ମୁଖ୍ୟ ଶାସନ ସଚିବ ଚାନ୍ଦିପୁର ଗସ୍ତକରି ମେରାଇନ ଡ୍ରାଇଭ୍ ରୋଡ ନିର୍ମାଣକାର୍ଯ୍ୟ ସମୀକ୍ଷା କରିଥିଲର । ଏହି ସଡକ ସହ ପ୍ରାୟ ୨ କିଲୋମିଟର ବ୍ୟାପି ସୁରକ୍ଷା ପ୍ରାଚୀର ମଧ୍ୟ ନିର୍ମାଣ କରାଯାଉଛି ଯାହାଦ୍ବାରା ବାତ୍ୟା ସମୟରେ ୫ ମିଟର ପର୍ଯ୍ୟନ୍ତ ଉଚ୍ଚ ଜୁଆର ଆସିଲେ ମଧ୍ୟ କୌଣସି କ୍ଷତି ହେବ ନାହିଁ ବୋଲି ସେ କହିଛନ୍ତି ।

ଏହି ନିର୍ମାଣ କାର୍ଯ୍ୟକୁ ବୁଢାବଳଙ୍ଗ ମୁହାଣ ପର୍ଯ୍ୟନ୍ତ ସଂପ୍ରସାରଣ କରାଯିବ । ଏଠାରେ ମଧ୍ୟ ପର୍ଯ୍ୟଟକ ମାନଙ୍କ ନିମନ୍ତେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଉଛି । ଆଲୋକୀକରଣ, ପାର୍କିଂ, ଶୌଚାଳୟ ଏବଂ ରହିବା ବ୍ୟବସ୍ଥା କରାଯିବା ସହ ଦୋକାନୀ ମାନଙ୍କୁ ଥଇଥାନ କରାଯିବା ନେଇ ସେ ସୂଚନା ଦେଇଥିଲେ । ଯାହାଦ୍ବାରା ପର୍ଯ୍ୟଟକ ମାନଙ୍କ ପାଇଁ ଏହା ଉପଭୋଗ୍ୟ ହୋଇପାରିବ ଏବଂ ଏହା ଓଡିଶାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଭାବେ ପରିଗଣିତ ହେବ ବୋଲି ଶ୍ରୀ ମହାପାତ୍ର କହିଥିଲେ ।

ଏଥିସହ ମୁଖ୍ୟ ଶାସନ ସଚିବ ତାଳସେରୀ- ଉଦୟପୁର ବେଳାଭୂମି, ବିଚିତ୍ରପୁର ଜେଟି ଓ ଫରେଷ୍ଟ ରିସୋର୍ଟ,ନୁନିଆ ଯୋଡି ବ୍ରିଜ, ଶଙ୍ଗାରୀସ୍ଥିତ ମନ୍ମଥ- ମନୋଜ ସ୍ମୃତିସ୍ଥଳୀକୁ କ୍ଷେତ୍ର ପରିଦର୍ଶନ କରି ସେଠାରେ ଯାରି ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିବା ସହ ତ୍ବରାନ୍ବିତ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ଗସ୍ତ କାର୍ଯ୍ୟକ୍ରମ ସମୟରେ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରେୟ ବାହୁସାହେବ ସିନ୍ଧେ, ଆରକ୍ଷୀ ଅଧିକ୍ଷକ ସାଗରିକା ନାଥ, ଉୋ ଜିଲ୍ଲାପାଳ ଶ୍ରୀ କୁନାଲ ଚୌହାନ, ଜିଲ୍ଲା ପରିଷଦ ଉୋ ମୁଖ୍ୟ ଉନ୍ନୟନ ତଥା ଅତିରିକ୍ତ ନିର୍ବାହୀ ଅଧିକାରୀ ଶ୍ରୀ ଚାମୁନ୍ଦ୍ର କୁଜ୍ଜୁର ଏବଂ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Categories
ବିଶେଷ ଖବର

ମୋ ସରକାର ସମୀକ୍ଷା: ଜିଲ୍ଲାପାଳମାନେ ଅଧିକ ଫିଡ୍‌ବ୍ୟାକ ସଂଗ୍ରହ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟ ସରକାରଙ୍କ ମୋ ସରକାର କାର୍ଯ୍ୟକ୍ରମର ସମୀକ୍ଷା କରି ଜିଲ୍ଲାସ୍ତରରେ ଅଧିକ ଫିଡବ୍ୟାକ ସଂଗ୍ରହ କରିବାପାଇଁ ନିର୍ଦ୍ଦେଶ ଦେବା ସହିତ ମୁଖ୍ୟ ଶାସନ ସଚିବ ଏ ସଂପର୍କରେ ସମୀକ୍ଷା କରି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ବିଭିନ୍ନ ବିଭାଗ ସେମାନଙ୍କ ଡାଟାବେସ୍‌କୁ ସୁଦୃଢ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ ମୋ ସରକାର କାର୍ଯ୍ୟକ୍ରମରେ ସରକାରୀ କାର୍ଯ୍ୟାଳୟକୁ ଆସୁଥିବା ବ୍ୟକ୍ତି ବିଶେଷଙ୍କୁ ଫୋନକଲ୍‌ ଜରିଆରେ ସେମାନେ କିଭଳି ବ୍ୟବହାର ପାଇଲେ ବା ତାଙ୍କ ସମସ୍ୟାର ସମାଧାନ ପାଇଁ ତୁରନ୍ତ ପଦକ୍ଷେପ ନିଆଯାଉଛି କି ନାହିଁ, ସେ ସଂପର୍କରେ ଜାଣିବା ପାଇଁ ବ୍ୟବସ୍ଥା ରହିଛି। ୨୦୧୯ ଅକ୍ଟୋବର ୨ ତାରିଖରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଗତ ବର୍ଷ ମଇ ୨୮ ତାରିଖରେ ମୁଖ୍ୟମନ୍ତ୍ରୀ ଏହାର ସମୀକ୍ଷା କରିଥିଲେ। ଆଜି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା, ପଞ୍ଚାୟତିରାଜ ଓ ପାନୀୟ ଜଳ, ଗୃହ ନିର୍ମାଣ ଓ ନଗର ଉନ୍ନୟନ, ମିଶନ ଶକ୍ତି ଏବଂ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସମୀକ୍ଷା କରାଯାଇଥିଲା।

ବୈଠକରେ ସୂଚନା ଅନୁଯାୟୀ ରାଜ୍ୟ ସରକାରଙ୍କ ୩୧ଟି ବିଭାଗର ୨୬୩ଟି ସେବା ମୋ ସରକାର ଅଧୀନକୁ ଆସିଛି। ଆଜି ପର୍ଯ୍ୟନ୍ତ ସମୁଦାୟ ୩.୭୭ କୋଟି ଫିଡବ୍ୟାକ ସଂଗ୍ରହ କରାଯାଇଛି। ମୋ ସରକାରର ୧୧ଟି ପାରାମିଟରରୁ ୯ଟି ପାରାମିଟରରେ ଉନ୍ନତି ଆସିଛି। ସମସ୍ତ ବିଭାଗର ସାମଗ୍ରିକ ପ୍ରଦର୍ଶନ ଦୃଷ୍ଟିରୁ ୯୪.୯ ପ୍ରତିଶତ ଫିଡବ୍ୟାକ ଆଉଟଷ୍ଟାଣ୍ଡିଂଙ୍ଗ ବା ସର୍ବୋତ୍ତମ ରହିଛି।

ସମୀକ୍ଷାରୁ ଜଣାଯାଇଥିଲା ଯେ ସ୍ବାସ୍ଥ୍ୟ ବିଭାଗର ପ୍ରଦର୍ଶନ ସର୍ବୋତ୍ତମ ରହିଛି। ବିଶେଷକରି ସରକାରୀ ଡାକ୍ତରଖାନା ମାନଙ୍କରେ ମିଳୁଥିବା ସେବା ସଂପର୍କରେ ଜନସାଧାରଣଙ୍କ ଫିଡବ୍ୟାକ ବହୁତ ଭଲ ରହିଛି। ୯୯ ପ୍ରତିଶତରୁ ଅଧିକ ମତ ଉତ୍ତମ ବୋଲି ଜଣାଯାଇଛି। ସେହିପରି ବେସରକାରୀ ଡାକ୍ତରଖାନା ଗୁଡିକରେ ୯୮ ପ୍ରତିଶତ ଫିଡବ୍ୟାକ ଉତ୍ତମ ରହିଛି। ବିଶେଷକରି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଏହି ଫିଡବ୍ୟାକ ନିଆଯାଇଛି। ଗୃହ ନିର୍ମାଣ ଓ ନିଗର ଉନ୍ନୟନ ବିଭାଗ କାମରେ ମଧ୍ୟ ଉନ୍ନତି ଆସିଛି ବୋଲି ଜଣାଯାଇଛି।

ସମୀକ୍ଷାରୁ ଜଣାଯାଇଛି ଯେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ୯୬ ପ୍ରତିଶତ, ରାଜସ୍ବ ବିଭାଗର ୯୮ ପ୍ରତିଶତ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ୯୨ ପ୍ରତିଶତ ଫିଡବ୍ୟାକ ଅତି ଉତ୍ତମ ରହିଛି। ମିଶନ ଶକ୍ତି ବିଭାଗ ଅପେକ୍ଷାକୃତ ନୂତନ ବିଭାଗ ହୋଇଥିବାରୁ ଏହାର ଫିଡବ୍ୟାକ ବ୍ୟବସ୍ଥା ପ୍ରସ୍ତୁତ କରାଯାଉଛି।

ସମୀକ୍ଷାରୁ ଜଣାଯାଇଥିଲା ଯେ ସବ୍‌ରେଜିଷ୍ଟର ଅଫିସ, ବିଲ୍‌ଡିଂ ପ୍ଲାନ ଅନୁମୋଦନ, ବିଲ୍‌ ପ୍ରଦାନ, ଜାତିଗତ ପ୍ରମାଣପତ୍ର ଆଦି ପ୍ରଦାନ କ୍ଷେତ୍ରରେ ସମସ୍ୟା ରହୁଛି ବୋଲି ଫିଡବ୍ୟାକରୁ ଜଣାଯାଇଛି। ଏସବୁ କ୍ଷେତ୍ରରେ ଅଧିକ ପାରଦର୍ଶିତାର ସହ କାମ କରିବାକୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସମସ୍ତ ବିଭାଗ ନିଜ ନିଜର ସେବା ପ୍ରଦାନ କାର୍ଯ୍ୟକ୍ରମ ଗୁଡିକୁ ଅତ୍ୟନ୍ତ ଦକ୍ଷତାର ସହ ତୁଲାଇବାର ଆବଶ୍ୟକତା ରହିଛି।

ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କହିଲେ ଯେ ଗତ ସମୀକ୍ଷା ଠାରୁ ବର୍ତ୍ତମାନ ମଧ୍ୟରେ ଫିଡବ୍ୟାକ ବ୍ୟବସ୍ଥାରେ ଯଥେଷ୍ଟ ଉନ୍ନତି ଆସିଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶାନୁଯାୟୀ ଜିଲ୍ଲାସ୍ତରରେ ଉତ୍ତମ ଫିଡବ୍ୟାକ ସଂଗ୍ରହ ପାଇଁ ପଦକ୍ଷେପ ନିଆଯିବ ବୋଲି ସେ କହିଥିଲେ।

ଉନ୍ନୟନ କମିଶନର ପି.କେ. ଜେନା କହିଲେ ଯେ ମୋ ସରକାର କାର୍ଯ୍ୟକ୍ରମ ଯୋଗୁ ବିଭିନ୍ନ ବିଭାଗର କ୍ଷେତ୍ରସ୍ତରୀୟ ପ୍ରଦର୍ଶନରେ ଯଥେଷ୍ଟ ଉନ୍ନତି ଆସିଛି। ସେଥିପାଇଁ ଅଭିଯୋଗର ପରିମାଣ ମଧ୍ୟ କମିଛି ବୋଲି ସେ କହିଥିଲେ।

ଆଲୋଚନାରେ ଅଂଶଗ୍ରହଣ କରି ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ କହିଲେ ଯେ ସରକାରୀ ସେବା ପାଉଥିବା ବିଭିନ୍ନ ଲୋକଙ୍କ ଠାରୁ ମତାମତ ଗ୍ରହଣ କରି ଅଧିକାରୀମାନଙ୍କ କାର୍ଯ୍ୟଦକ୍ଷତା ଓ ପ୍ରଶାସନିକ ବ୍ୟବସ୍ଥା ସଂପର୍କରେ ଜାଣିବା ଏବଂ ତଦ୍‌ନୁଯାୟୀ ପଦକ୍ଷେପ ନେବା ହେଉଛି ମୋ ସରକାରର ଲକ୍ଷ୍ୟ। ଏଥିରେ ଫିଡବ୍ୟାକ ବ୍ୟବସ୍ଥାକୁ ସୁଦୃଢ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ। ଉଦାହରଣ ଦେଇ ସେ କହିଲେ ଯେ ଅବସର ଗ୍ରହଣ କରୁଥିବା କର୍ମଚାରୀମାନଙ୍କ ପେନ୍‌ସନ କ୍ଷେତ୍ରରେ ବ୍ୟବସ୍ଥାଗତ ସମସ୍ୟା ରହିଛି। ତେଣୁ ଏହାର ନିରାକରଣ ପାଇଁ ବ୍ୟବସ୍ଥାରେ ପରିବର୍ତ୍ତନର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ। ବୈଠକରେ ନିଷ୍ପତ୍ତି ଅନୁଯାୟୀ ଆଗକୁ ଏ ସଂପର୍କରେ ଅଧିକ ଆଲୋଚନା କରାଯାଇ ବ୍ୟବସ୍ଥାଗତ ପରିବର୍ତ୍ତନ ପାଇଁ ପଦକ୍ଷେପ ନିଆଯିବ।

ବୈଠକରେ ରାଜସ୍ବ ଓ ବିପର୍ଯ୍ୟୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ସଚିବ, ନଗର ଉନ୍ନୟନ ଓ ଗୃହ ନିର୍ମାଣ ବିଭାଗର ପ୍ରମୁଖ ସଚିବ, ମିଶନ ଶକ୍ତି ବିଭାଗର କମିଶନର ତଥା ଶାସନ ସଚିବ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ନିଜ ନିଜ ବିଭାଗର ମୋ ସରକାର ତଥ୍ୟ ଉପସ୍ଥାପନ କରିଥିଲେ। ଇଲେକ୍ଟଟ୍ରୋନିକ୍‌ସ ଓ ଆଇଟି ବିଭାଗର ପ୍ରମୁଖ ସଚିବ ମୋ ସରକାର କାର୍ଯ୍ୟକ୍ରମର ସାମଗ୍ରିକ ତଥ୍ୟ ଉପସ୍ଥାପନ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

‘କଳାହାଣ୍ଡି ସେଦିନର ଓ ଆଜିର’ ଶୀର୍ଷକ ସଂପାନ ଅନୁଷ୍ଠିତ: ଯୋଗ ଦେଲେ ମୁଖ୍ୟ ଶାସନ ସଚିବ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ମନସ୍ତାତ୍ତ୍ବିକ ବିଚାରଧାରାର ପରିବର୍ତ୍ତନ କଳାହାଣ୍ଡି ଜିଲ୍ଲାକୁ ସମଗ୍ର ଦେଶରେ ଆଗୁଆ କରି ଗଢ଼ି ତୋଳିବ। ଆଜି ଏ ଜିଲ୍ଲା ସାରା ଦେଶରେ ଭାତ ହାଣ୍ଡିର ପରିଚୟ ପାଇଛି ସତ, ତେବେ ଜିଲ୍ଲାବାସୀଙ୍କ ପାଇଁ ଆଜିର ଆହ୍ବାନ ସୁସ୍ଥ କଳାହାଣ୍ଡି ହେବା ଉଚିତ୍। କାରଣ ସାରା ବିଶ୍ବକୁ କଳାହାଣ୍ଡି ଦିଗଦର୍ଶନ ଦେବାର ସମୟ ଆସିଛି। ପର୍ଯ୍ୟାପ୍ତ ଜ୍ଞାନ ଆହରଣ ଏ ଜିଲ୍ଲାର ବିକାଶକୁ ଆହୁରି ଆଗେଇ ନେବ ବୋଲି ଆଜି ସ୍ଥାନୀୟ ଟାଉନ୍ ହଲ୍ ଠାରେ ଆୟୋଜିତ ସଂପାନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିଶନର ଏବଂ ଯୋଜନା ଓ ସମ୍ମନ୍ବୟ ବିଭାଗର ସଚିବ ପ୍ରଦୀପ କୁମାର ଜେନା ନିଜ ବକ୍ତବ୍ୟରେ କହିଛନ୍ତି।

ଏଇ ଅବସରରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ଡ. ଅରବିନ୍ଦ ପାଢ଼ୀ କୃଷି, ଶିକ୍ଷା, ସ୍ବାସ୍ଥ୍ୟ ଓ ଦକ୍ଷତା ବିକାଶ ହିଁ ଏ ଜିଲ୍ଲାକୁ ଉନ୍ନତିର ଶିଖରରେ ପହଞ୍ଚାଇ ପାରିବ ଏଣୁ ଆମ ସମସ୍ତଙ୍କୁ ଏ ଜୟଯାତ୍ରାରେ ସାମିଲ ହେବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ।

କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ବେଷା ରେଡ୍ଡୀଙ୍କ ଉପସ୍ଥିତିରେ ସଂପାନ କମିଟିର ଅଧ୍ୟକ୍ଷ ତଥା କଳାହାଣ୍ଡି ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୟ କୁମାର ଶତପଥୀଙ୍କ ଅଧ୍ୟକ୍ଷତା କରିଥିବାବେଳେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସହ ଅଧ୍ୟକ୍ଷ ସୀମାଞ୍ଚଳ ମିଶ୍ର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଗବେଷକ ଡ. ତ୍ରିଭୂବନ ପଣ୍ଡା, ଉମାଶଙ୍କର କର ପ୍ରମୁଖ ଭିତ୍ତି ପ୍ରବନ୍ଧ ଉପସ୍ଥାପନ କରିଥିଲେ।

ସଂପାନ କମିଟିର ସଦସ୍ୟ ଶେଷଦେବ ମିଶ୍ର ଅତିଥି ଆବାହନ, ଡ. ସଞ୍ଜିତ ସ୍ବାଇଁ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ବିଶ୍ବରଞ୍ଜନ ବେହେରା, ପ୍ରତାପ କୁମାର ପଣ୍ଡା, ଦୁର୍ଗାପ୍ରସାଦ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଏହି ଅବସରରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ବହୁ ସଂଖ୍ୟକ କବି, ଲେଖକ, ଅଧ୍ୟାପକ, ବୁଦ୍ଧିଜୀବୀଙ୍କ ସମେତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ଶେଷରେ ସୁଢଳଦେବ ମୁଣ୍ଡ ଧନ୍ୟବାଦ ଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର

ଯୋଶୀ ମଠ ପରିସ୍ଥିତି ଉପରେ ଉଚ୍ଚ ସ୍ତରୀୟ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ଶାସନ ସଚିବ

ଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ଶାସନ ସଚିବ ଡଃ. ପି କେ ମିଶ୍ର ଆଜି ୮ ଜାନୁୟାରୀ ୨୦୨୩ ରେ ଯୋଶୀମଠରେ ଘର ଗୁଡିକର ଯେଉଁ କ୍ଷୟକ୍ଷତି ହୋଇଛି ଏବଂ ଏବଂ ଜମିରେ ଯେଉଁ ଫାଟ ସୃଷ୍ଟି ହୋଇଛି, ତାହା ଉପରେ ଏକ ଉଚ୍ଚ ସ୍ତରୀୟ ସମୀକ୍ଷା କରିଥିଲେ। କ୍ୟାବିନେଟ ସଚିବ, ଗୃହ ସଚିବ, ଭାରତ ସରକାରଙ୍କ ବରିଷ୍ଠ ଅଧିକାରୀ ଏବଂ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ସଦସ୍ୟ, ଉତ୍ତରାଖଣ୍ଡ ରାଜ୍ୟର ମୁଖ୍ୟ ସଚିବ ତଥା ଡିଜିପି, ଯୋଶୀ ମଠର ଡିଏମ୍ ଏବଂ ଅଧିକାରୀ, ଉତ୍ତରାଖଣ୍ଡର ବରିଷ୍ଠ ଅଧିକାରୀ, ଆଇଆଇଟି ରୁରକି, ଜାତୀୟ ବିପର୍ଯ୍ୟୟ ପରିଚାଳନା ସଂସ୍ଥା, ଜିଓଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ, ୱାଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ହିମାଳୟାନ୍ ଜିଓଲୋଜିର ବିଶେଷଜ୍ଞମାନେ ମଧ୍ୟ ଭିସି ମାଧ୍ୟମରେ ଏହି ବୈଠକରେ ଯୋଗ ଦେଇଥିଲେ।

ସୂଚନାଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଶୀ ମଠକୁ ନେଇ ଚିନ୍ତିତ ଅଛନ୍ତି ଏବଂ ମୁଖ୍ୟମନ୍ତ୍ରୀଙ୍କ ସହ ପରିସ୍ଥିତିର ସମୀକ୍ଷା କରିଛନ୍ତି।

ଉତ୍ତରାଖଣ୍ଡର ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି ଯେ କେନ୍ଦ୍ରୀୟ ବିଶେଷଜ୍ଞ ମାନଙ୍କ ସହଯୋଗରେ ରାଜ୍ୟ ତଥା ଜିଲ୍ଲା ଅଧିକାରୀମାନେ ସ୍ଥିତିର ମୂଲ୍ୟାଙ୍କନ କରିଛନ୍ତି। ପ୍ରାୟ ୩୫୦ ମିଟର ଚଉଡାରେ ଏକ ଷ୍ଟ୍ରିପ୍ ପ୍ରଭାବିତ ହୋଇଛି ବୋଲି ସେ ସୂଚନା ଦେଇଛନ୍ତି। ଏନ୍ଡିଆର୍ଏଫ୍ର ଗୋଟିଏ ଦଳ ଏବଂ ଏସ୍ଡିଆର୍ଏଫ୍ର ଚାରିଟି ଦଳ ଯୋଶୀ ମଠରେ ପହଞ୍ଚି ସାରିଛନ୍ତି। ଜିଲ୍ଲା ପ୍ରଶାସନ ପ୍ରଭାବିତ ପରିବାର ମାନଙ୍କ ପାଇଁ ଖାଦ୍ୟ, ଆଶ୍ରୟ ଏବଂ ନିରାପତ୍ତା ନିମନ୍ତେ ପର୍ଯ୍ୟାପ୍ତ ବ୍ୟବସ୍ଥା କରିବା ସହିତ ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ନେଇ କାର୍ଯ୍ୟ କରୁଛନ୍ତି। ଏସ୍ପି ଏବଂ ଏସ୍ଡିଆର୍ଏଫ୍ର କମାଣ୍ଡାଂଟ ଘଟଣାସ୍ଥଳରେ ଉପସ୍ଥିିତ ଅଛନ୍ତି। ଯୋଶୀ ମଠ ବାସିନ୍ଦାଙ୍କୁ ଘଟଣାକ୍ରମ ବିଷୟରେ ଅବଗତ କରାଯାଉଛି ଏବଂ ସେମାନଙ୍କର ସହଯୋଗ ଲୋଡା ଯାଇଛି। ସ୍ୱଳ୍ପ – ମଧ୍ୟମ – ଦୀର୍ଘ ମିଆଦୀ ଯୋଜନା ପ୍ରସ୍ତୁତ କରିବାକୁ ବିଶେଷଜ୍ଞ ମାନଙ୍କ ପରାମର୍ଶ ନିଆଯାଉଛି।

ଆହୁରି ମଧ୍ୟ, ସୀମା ପରିଚାଳନା ସଚିବ ଏବଂ ଏନ୍ଡିଏଏମ୍ର ସମସ୍ତ ଚାରି ଜଣ ସଦସ୍ୟ ୯ ଜାନୁଆରୀରେ ଉତ୍ତରାଖଣ୍ଡ ଗସ୍ତ କରିବେ। ଯୋଶୀ ମଠରୁ ଏବେ ଫେରିଥିବା ବୈଷୟିକ ଦଳ (ଏନ୍ଡିଏମ୍ଏ, ଏନ୍ଆଇଡିଏମ୍, ଏନଡିଆରଏଫ୍, ଜିଏସ୍ଆଇ, ଏନ୍ଆଇଏଚ୍, ୱାଡିଆ ଇନଷ୍ଟିଚ୍ୟୁଟ୍, ଆଇଆଇଟି ରୁରକି) ଏହା ଉପରେ ଅନୁସନ୍ଧାନ କରି ଯାହା ସୂଚନା ଦେଇଛନ୍ତି, ତାହା ଉପରେ ଏକ ବିସ୍ତୃତ ମୂଲ୍ୟାଙ୍କନ କରିବେ ଏବଂ ରାଜ୍ୟ ସରକାରଙ୍କୁ ପରିସ୍ଥିତିର ସମାଧାନ ପାଇଁ ତୁରନ୍ତ, ସ୍ୱଳ୍ପ – ମଧ୍ୟମ – ଦୀର୍ଘକାଳୀନ କାର୍ଯ୍ୟ ଉପରେ ପରାମର୍ଶ ଦେବେ।

ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ସଚିବ କହିଛନ୍ତି ଯେ, ପ୍ରଭାବିତ ଅଞ୍ଚଳରେ ରହୁଥିବା ଲୋକଙ୍କ ସୁରକ୍ଷା ରାଜ୍ୟ ସରକାରଙ୍କ ପାଇଁ ତତ୍କାଳ ପ୍ରାଥମିକତା ହେବା ଉଚିତ। ପ୍ରଭାବିତ ଲୋକଙ୍କ ସହ ରାଜ୍ୟ ସରକାର ଏକ ସ୍ୱଚ୍ଛ ଏବଂ ନିରନ୍ତର ଯୋଗାଯୋଗ ଚ୍ୟାନେଲ ପ୍ରତିଷ୍ଠା କରିବା ଆବଶ୍ୟକ। ପରିସ୍ଥିତିର ଅବନତିକୁ ବ୍ୟବହାରିକ ପଦକ୍ଷେପ ମାଧ୍ୟମରେ ଯାହା ସମ୍ଭବପର ହୋଇପାରିବ, ତାହା ନିୟନ୍ତ୍ରଣ କରିବା ପାଇଁ ତୁରନ୍ତ ପ୍ରୟାସ ହେବା ଦରକାର। ପ୍ରଭାବିତ ଅଞ୍ଚଳର ଏକ ଆନ୍ତଃ ଅନୁଶାସନାତ୍ମକ ଯାଂଚ କରାଯିବା ଉଚିତ୍। ବିଭିନ୍ନ କେନ୍ଦ୍ରୀୟ ଅନୁଷ୍ଠାନର ବିଶେଷଜ୍ଞମାନେ – ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏନ୍ଡିଏମ୍ଏ), ଜାତୀୟ ବିପର୍ଯ୍ୟୟ ପରିଚାଳନା ସଂସ୍ଥା (ଏନ୍ଆଇଡିଏମ୍), ଜିଓଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ (ଜିଏସଆଇ), ଭାରତୀୟ ପ୍ରାଦ୍ୟୋଗିକୀ ସଂସ୍ଥା (ଆଇଆଇଟି) ରୁରକି, ୱାଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ହିମାଳୟାନ୍ ଜିଓଲୋଜି (ଡବ୍ଲ୍ୟୁଆଇଏଚ୍ଜି), ଜାତୀୟ ଜଳ ବିଜ୍ଞାନ ସଂସ୍ଥା (ଏନ୍ଆଇଏଚ୍) ଏବଂ ସେଂଟ୍ରାଲ୍ ବିଲଡିଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ (ସିବିଆର୍ଆଇ)ର “ସମ୍ପୂର୍ଣ୍ଣ ସରକାର” ଆଭିମୁଖ୍ୟରେ ଉତ୍ତରାଖଣ୍ଡ ରାଜ୍ୟ ସହିତ ମିଳିତ ଭାବରେ କାର୍ଯ୍ୟ କରିବା ଉଚିତ୍।

ଏକ ସ୍ୱଚ୍ଛ ସମୟ ସୀମା ପୁନଃନିର୍ମାଣ ଯୋଜନା ପ୍ରସ୍ତୁତ ହେବା ଜରୁରୀ। କ୍ରମାଗତ ଭୂକମ୍ପର ନିରୀକ୍ଷଣ ହେବା ଜରୁରୀ। ଏହି ସୁଯୋଗକୁ ବ୍ୟବହାର କରି ଯୋଶୀ ମଠ ପାଇଁ ଏକ ବିପର୍ଯ୍ୟୟ ସମ୍ବେଦନଶୀଳ ସହରୀ ବିକାଶ ଯୋଜନା ମଧ୍ୟ ପ୍ରସ୍ତୁତ କରାଯିବା ଉଚିତ୍।

Categories
ବିଶେଷ ଖବର

ମୁଖ୍ୟ ଶାସନ ସଚିବଙ୍କ ପୁରୀ ଜିଲ୍ଲା ଗସ୍ତ ଓ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର କ୍ଷେତ୍ରସ୍ତରୀୟ ସମୀକ୍ଷା

ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ପୁରୀ ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ସ୍ୱତନ୍ତ୍ର ପ୍ରଦକ୍ଷଣଗୃହ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଜିଲ୍ଲାରେ ଯାରି ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଅଗ୍ରଗତି ସଂପର୍କରେ ସଂପୃକ୍ତ ବରିଷ୍ଠ ଅଧିକାରୀମାନଙ୍କ ସହ ଶ୍ରୀ ମହାପାତ୍ର ଆଲୋଚନା କରିଛନ୍ତି।

ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ, ଅବଢ଼ା ଯୋଜନା ଅନ୍ତର୍ଗତ ଶ୍ୱେତଗଙ୍ଗା, ମାର୍କଣ୍ଡ, ନରେନ୍ଦ୍ର ଓ ଇନ୍ଦ୍ରଦ୍ୟୁମ୍ନ ଐତିହ୍ୟ ସଂପର୍ଣ୍ଣ ତୀର୍ଥ ପୁଷ୍କରଣୀ ଗୁଡିକର ଉନ୍ନତିକରଣ, ମୋଚିସାହି ସ୍ଥିତ ମହୋଦଧି ମାର୍କେଟ କମ୍ପ୍ଲେକ୍ସ ଓ ବଡଦାଣ୍ଡ ସ୍ଥିତ ମ୍ୟୁନିସପାଲଟି ମାର୍କେଟ କମ୍ପ୍ଲେକ୍ସ, ଜେଲ ରୋଡ ସ୍ଥିତ ବହୁତଳ ପାର୍କିଂ ବ୍ୟବସ୍ଥା, ଓଡ଼ିଆ ବିଶ୍ୱବିଦ୍ୟାଳୟ, ଉତ୍କଳମଣୀ ଗୋପବନ୍ଧୁ ଦାସଙ୍କ ଜନ୍ମ ପୀଠର ଉନ୍ନତିକରଣ, ଜିଲ୍ଲାର ବିଭିନ୍ନ ବ୍ଲକରେ ବିଜୁପଟ୍ଟନାୟକ ଇନଣ୍ଡୋର ଷ୍ଟାଡିୟମ୍ ଏବଂ ଆଦର୍ଶ ବିଦ୍ୟାଳୟ ନିର୍ମାଣ କାର୍ଯ୍ୟର ଅଗ୍ରଗତି ସଂପର୍କରେ ସମୀକ୍ଷା କରିବା ସହ କାର୍ଯ୍ୟ ତ୍ୱରାନିତ୍ୱ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି।

ଏହା ପରେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଅବଢ଼ା ଯୋଜନା ଅନ୍ତର୍ଗତ ଜଗନ୍ନାଥବଲ୍ଲଭ ପାର୍କିଂ ସ୍ଥଳୀ, ପ୍ରାୟ ୧୯୦ କୋଟି ଟଙ୍କା ଅଟକଳରେ ନିର୍ମାଣଧୀନ ଶ୍ରୀ ସେତୁ ପ୍ରକଳ୍ପ, ପ୍ରାୟ ୧୩୩ କୋଟି ଟଙ୍କା ଅଟକଳରେ ମୂଶା ନଦୀର ଦୁଇ ପର୍ଯ୍ୟାୟ ସଂପ୍ରସାରଣ କାର୍ଯ୍ୟ, ୧୮୦ କୋଟି ଟଙ୍କାରେ ନିର୍ମାଣ କରାଯାଉଥିବା ସମଙ୍ଗସ୍ଥିତ ପ୍ରଦର୍ଶନୀ ତଥା ପାର୍କିଂ ଏରିନା, ହବିଷ୍ୟାଳୀ ଆଶ୍ରୟସ୍ଥଳୀ- ବୃନ୍ଦାବତୀ ନିବାସ, ନିର୍ମାଣଧିନ ଶ୍ରୀଜଗନ୍ନାଥ ଷ୍ଟାଡିୟମ୍ ପରିଦର୍ଶନ କରି ଅଧିକାରୀମାନଙ୍କ ସହ କ୍ଷେତ୍ରସ୍ତରୀୟ ସମୀକ୍ଷା କରିଛନ୍ତି। ପ୍ରକଳ୍ପଗୁଡିକର ଅଗ୍ରଗତି ସଂପର୍କରେ ଅବଗତ ହେବା ସହ କାର୍ଯ୍ୟ ତ୍ୱରାନିତ୍ୱ ନିମନ୍ତେ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ।

ଏହି ଗସ୍ତ କାର୍ଯ୍ୟକ୍ରମ ସମୟରେ ଜିଲ୍ଲାପାଳ ସମର୍ଥ ବର୍ମା,ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ପ୍ରଦୀପ କୁମାର ସାହୁ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) କୈଳାସ ଚନ୍ଦ୍ର ନାୟକ, ଉପଜିଲ୍ଲାପାଳ ଭବତାରଣ ସାହୁ, ପୌରନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ, ଡେପୁଟି କଲେକ୍ଟର ରାକେଶ କୁମାର ପଣ୍ଡା, ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଅଜିତ କୁମାର ମହାପାତ୍ର, ସିଡିଏମଓ ଡା ସୁଜାତା ମିଶ୍ର, ଓବିସିସି ଜିଏମ ପ୍ରଭାତ କୁମାର ପାଣିଗ୍ରାହୀ ଏବଂ ଶ୍ରୀଧର ରାଉତ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଟାଙ୍ଗୀ: ମଙ୍ଗଳାଯୋଡି ଗସ୍ତରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଖୋର୍ଦ୍ଧା ଜିଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ ମଙ୍ଗଳାଯୋଡି ଗସ୍ତରେ ଆସି ଆଜି ସକାଳୁ ସକାଳୁ ମଙ୍ଗଳାଯୋଡି ଜେଟିରେ ପହଂଚିଥିଲେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର।  ମଙ୍ଗଳାଯୋଡି ଜେଟିରେ ପହଂଚିବା ପରେ କାତ ମରା ଡଙ୍ଗାରେ ଯାଇ ଶ୍ରୀ ମହାପାତ୍ର ପକ୍ଷୀ ଅଭୟାରଣ୍ୟ ବୁଲି ଦେଖିଥିଲେ। ବିଭିନ୍ନ ଜାତିର ପକ୍ଷୀମାନଙ୍କୁ ଅତି ନିକଟରୁ ଦେଖିଥିଲେ ଶ୍ରୀ ମହାପାତ୍ର।

ଏହା ପରେ ମୁଖ୍ୟ ଶାସନ ସଚିବ ଭିତ୍ତିଭୁମିର ସମୀକ୍ଷା କରିଥିଲେ। ଶୀତ ଦିନେ ପକ୍ଷୀ ଦେଖିବା ପାଇଁ ମଙ୍ଗଳା ଯୋଡିକୁ ଶହ ଶହ ପର୍ଯ୍ୟଟକ ଆସୁଥିବାରୁ ପର୍ଯ୍ୟଟକ ମାନଙ୍କ ପାଇଁ ଥିବା ସୁବିଧା ସୁଯୋଗର ସମୀକ୍ଷା କରିଥିଲେ।

ମଙ୍ଗଳାଯୋଡି ଲେବଲ୍ କ୍ରସିଂ ଠାରୁ ଜେଟି ପର୍ଯ୍ୟନ୍ତ ଲମ୍ବିଥିବା ରାସ୍ତାର ଉନ୍ନତି କରିବା, ଜେଟି ଠାରେ ପର୍ଯ୍ୟଟକମାନଙ୍କ ଗାଡି ପାର୍କିଂ ବ୍ୟବସ୍ଥାକୁ ଉନ୍ନତ କରିବା, ପରିବେଶକୁ ସ୍ବଚ୍ଛ କରିବା ପାଇଁ ଖୋର୍ଦ୍ଧା ଜିଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ।

ଏହା ସହ ମଙ୍ଗଳା ଯୋଡିର କିଭଳି ଅଧିକରୁ ଅଧିକ ଉନ୍ନତି ହୋଇ ପାରିବ ସେ ନେଇ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ସ୍ଥାନୀୟ ଗାଇଡ୍, ପକ୍ଷୀ ସୁରକ୍ଷା ସଂଗଠନ କର୍ମକର୍ତ୍ତାଙ୍କ ସହ ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ।

ମୁଖ୍ୟ ଶାସନ ସଚିବଙ୍କ ସହ ଖୋର୍ଦ୍ଧା ଜିଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ, ବାଲୁଗାଁ ବନ୍ୟ ପ୍ରାଣୀ ଡ଼ିଏଫଓ ରାମସ୍ୱାମୀ, ଏ ସି ଏଫ ପ୍ରଶାନ୍ତ କୁମାର ପଣ୍ଡା, ଟାଙ୍ଗୀ ତହସିଲଦାର ଜନ୍ମେଞ୍ଜୟ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Categories
Hockey Worldcup23 ବିଶେଷ ଖବର

ମୁଖ୍ୟ ଶାସନ ସଚିବ ଓ ୫-ଟି ସଚିବଙ୍କ ରାଉରକେଲା ଗସ୍ତ: ହକି ଷ୍ଟାଡିୟମର ନିର୍ମାଣ କାର୍ଯ୍ୟର କଲେ ସମୀକ୍ଷା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ଭି.କେ. ପାଣ୍ତିଆନ ରାଉରକେଲା ଗସ୍ତରେ ଆସି ନିର୍ମାଣାଧୀନ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ସହିତ ରାଉରକେଲା ବିମାନ ବନ୍ଦର ଏବଂ ବିଭିନ୍ନ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଛନ୍ତି। ଏହି ସଚିବସ୍ତରୀୟ ଟିମରେ କ୍ରୀଡ଼ା ଏବଂ ଯୁବ ସେବା ବିଭାଗର ସଚିବ ଆର୍ ଭିନିଲକ୍ରୀଷ୍ଣା ଏବଂ ଇଡକୋର ପରିଚାଳନା ନିର୍ଦ୍ଦେଶକ ଭୁପେନ୍ଦ୍ର ସିଂ ପୁନିଆ ମଧ୍ୟ ରାଉରକେଲା ଆସିଥିଲେ।

ଏହି ଟିମ୍ ରାଉରକେଲାରେ ବିପିୟୁଟି କ୍ୟାମ୍ପସରେ ନିର୍ମାଣାଧୀନ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ଅନୁଧ୍ୟାନ କରିଥିଲେ। ଉଭୟ ମୁଖ୍ୟ ଓ ଅଭ୍ୟାସ ପଡିଆର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଷ୍ଟାଡିଅମର ଦୁଇଟି ଯାକ ପିଚ୍‌ ଓ ହାଇମାସ୍କ ଲାଇଟ ଯାଂଚ ପରେ ଖେଳ ପାଇଁ ଲାଇସେନ୍‌ସ ମିଳିଛି।

ଉଲେଖନୀୟ ଯେ, ପୁରୁଷ ହକି ବିଶ୍ବକପର ୨୦ଟି ମ୍ୟାଚ ରାଉଲକେଲାରେ ଖେଳାଯିବ। ପ୍ରଥମ ମ୍ୟାଚ ଆସନ୍ତା ଜାନୁୟାରୀ ୧୩ ତାରିଖରେ ଭାରତ ଓ ସ୍ପେନ ମଧ୍ୟରେ ଅନୁଷ୍ଠିତ ହେବ। ଏହାପୂର୍ବରୁ ଆସନ୍ତା ୨୪ ତାରିଖରୁ ତିନୋଟି ଅଭ୍ୟାସ ମ୍ୟାଚ ଖେଳାଯିବ। ଏହି ଅଭ୍ୟାସ ମ୍ୟାଚ ସମୟରେ ଯଦି କିଛି ତ୍ରୁଟିଥିବା ନେଇ ଜଣାପଡେ ତେବେ ଭିତ୍ତିଭୂମିକୁ ଦୃଢ଼ କରିବା ନିମନ୍ତେ ପଦକ୍ଷେପ ଗ୍ରହଣ କରାଯିବ। ଏହାସହ ରାଉରକେଲା ବିମାନ ବନ୍ଦରର କାର୍ଯ୍ୟଶେଷ ହୋଇଛି ଏବଂ ଖୁବଶୀଘ୍ର ଆବଶ୍ୟକୀୟ ଲାଇସେନ୍ସ ମିଳିବା ନେଇ ଶ୍ରୀ ମହାପାତ୍ର ଆଶାବ୍ୟକ୍ତ କରିଛନ୍ତି।

ଉଡାଣ ଯୋଜନାରେ ଖେଳାଳି ମାନଙ୍କ ପାଇଁ ୪ଟି ବିମାନ ଉଡାଣ ସୁବିଧା ମିଳିବ। ଗୋଟିଏ ବର୍ଷ ମଧ୍ୟରେ ଏଭଳି ଏକ ବିଶ୍ବସ୍ତରୀୟ ଷ୍ଟାଡିୟମ ନିର୍ମାଣ କରାଯାଇଛି। ଏଥିନିମନ୍ତେ ରାଜ୍ୟ ସରକାରଙ୍କୁ ସମସ୍ତ ସହଯୋଗ ପ୍ରଦାନ କରିଥିବାରୁ ସୁନ୍ଦରଗଡ ଓ ରାଉଲକେଲା ବାସୀଙ୍କୁ ମୁଖ୍ୟଶାସନ ସଚିବ ଓ ୫-ଟି ସଚିବ ଧନ୍ୟବାଦ ଦେଇଛନ୍ତି।

ରାଉରକେଲାରେ ପ୍ରଥମ ଥର ପାଇଁ ହକି ବିଶ୍ୱକପ ହେବାକୁ ଯାଉଛି। ତେଣୁ ହକି ମ୍ୟାଚ ଦେଖିବା ଲାଗି ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ଦର୍ଶକ ରାଉରକେଲାକୁ ଆସିବେ। ତେଣୁ ଦର୍ଶକମାନଙ୍କ ଗାଡ଼ିଗୁଡ଼ିକୁ ସୁବିଧାରେ ରଖିବା ପାଇଁ ଷ୍ଟାଡିୟମ ଚାରିପଟେ ଆଧୁନିକ ପାର୍କିଂ ସ୍ଥଳ କରାଯାଉଛି। ତା’ଛଡ଼ା ଷ୍ଟାଡିୟମ ଭିତରେ ପାନୀୟ ଜଳ ଏବଂ ଶୌଚାଳୟ ଆଦି ସୁବିଧା କରାଯାଉଛି। ଯେଉଁ ଦର୍ଶକମାନେ ଷ୍ଟାଡିୟମ ବାହାରେ ରହିଥିବେ ସେମାନଙ୍କ ପାଇଁ ବିଭିନ୍ନ ସ୍ଥାନରେ ଏଲଇଡି ଲଗାଇବାର ବ୍ୟବସ୍ଥା କରାଯାଉଛି।

ଏହି ଗସ୍ତ ସମୟରେ ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଡାକ୍ତର ଶୁଭଙ୍କର ମହାପାତ୍ରଙ୍କ ସହିତ ଜିଲ୍ଲା ପ୍ରଶାସନ ଏବଂ ରାଉରକେଲା ମହାନଗର ନିଗମର ବରିଷ୍ଠ ଅଧିକାରୀମାନେ ଯୋଗ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ ଯେ, ୨୦୨୩ ପୁରୁଷ ହକି ବିଶ୍ୱକପ ଓଡ଼ିଶାରେ ଖେଳାଯିବ। ଏହି ବିଶ୍ୱକପ୍ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ସହିତ ରାଉରକେଲାରେ ନିର୍ମାଣାଧୀନ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ହେବାକୁ ଯାଉଛି। ଏହି କ୍ରୀଡ଼ା ଭିତ୍ତିଭୂମି ଭାରତର ସବୁଠୁ ବଡ଼ ହକି ଷ୍ଟାଡିୟମର ରୂପ ନେବାକୁ ଯାଉଛି। ଏହି ଷ୍ଟାଡିୟମରେ ଏକାସାଙ୍ଗରେ ୨୦ ହଜାରରୁ ଅଧିକ ଦର୍ଶକ ବସି ଖେଳ ଉପଭୋଗ କରିପାରିବେ।

Categories
ଆଜିର ଖବର ରାଜ୍ୟ ଖବର

ପୁନରୁଦ୍ଧାର ହେବ ଶୁକ-ପାଇକା ନଦୀ: ପ୍ରାୟ ୪୯.୬୭ କୋଟି ଟଙ୍କାର ବ୍ୟୟ ଅଟକଳ ଅନୁମୋଦିତ

ଭୁବନେଶ୍ୱର: ଜଳସେଚନ ଏବଂ ପ୍ରାକୃତିକ ଜୈବ-ପରିବେଶ ବିକାଶ କ୍ଷେତ୍ରରେ ଅନ୍ୟ ଏକ ପଦକ୍ଷେପଭାବେ କଟକ ଜିଲ୍ଲା ଅନ୍ତର୍ଗତ ମହାନଦୀ ତେଲ୍ଟାର ଶୁକ-ପାଇକା ନଦୀର ପୁନରୁଦ୍ଧାର ହେବ। ସ୍ଥାନୀୟ ଭାବେ ମୃତ-ନଦୀ ବୋଲି ଜଣାଶୁଣା ଏହି ନଦୀ ଖୁବ୍ ଶିଘ୍ର ପୁଣି ଜୀବନ୍ତ ଓ ଚଳଚଞ୍ଚଳ ହେବ।

ଇତି ମଧ୍ୟରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏ ସମ୍ବନ୍ଧିତ ଏକ ପ୍ରକଳ୍ପ ଅନୁମୋଦିତ ହୋଇଛି। ଲୋକସେବା ଭବନ ସଭାଗୃହରେ ଅନୁଷ୍ଠିତ ଏହି ବୈଠକରେ ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଏହି ପ୍ରକଳ୍ପର ବୈଷୟିକ, ଆର୍ଥିକ ଏବଂ ପ୍ରଶାସନିକ ଦିଗ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ।

ପ୍ରକଳ୍ପର ବିଭିନ୍ନ ଦିଗ ବିଚାର କରି ଏହି ପ୍ରାକୃତିକ ନାଳର ପୁନରୁଦ୍ଧାର ନିମନ୍ତେ ଖୁବ୍ ଶିଘ୍ର ଟେଣ୍ଡର ଆହ୍ୱାନ କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ।

ପୁର୍ନବିନ୍ୟାସ ପରେ ବର୍ଷ ତମାମ ଯେପରି ନଦୀରେ ଯଥେଷ୍ଟ ପାଣି ରହିବ ସେଥିପ୍ରତି ଦୃଷ୍ଟି ଦେବାକୁ ଜଳ ସଂପଦ ବିଭାଗ ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ନାଳରେ ଭରା-ଜଳ ରହିଲେ ତାହା ପାର୍ଶ୍ୱବର୍ତ୍ତୀ ସ୍ଥାନର ମୁର୍ତ୍ତିକା ଆର୍ଦ୍ରତା ବଜାୟ ରଖିବାରେ ସହାୟକ ହେବା ସହ ଉଭୟ ପାର୍ଶ୍ୱର କୃଷି ଜମିକୁ ବର୍ଷ ତମାମ ଉତ୍ପାଦନକ୍ଷମ କରିବ ବୋଲି ଶ୍ରୀ ମହାପାତ୍ର କହିଥିଲେ। ବର୍ଷା ଓ ବନ୍ୟାଋତୁକୁ ଆଖିରେ ରଖି ପ୍ରକଳ୍ପ କାର୍ଯ୍ୟାୟନ ସମୟ-ନିର୍ଘଣ୍ଟ ନିର୍ଦ୍ଧାରଣ କରିବା ନିମନ୍ତେ ମୁଖ୍ୟ ଶାସନ ସଚିବ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ। ବହୁମାତ୍ରାରେ ବନ୍ୟାପାଣି ନାଳରେ ଆସି ଯେପରି ପ୍ରଭୁତ କ୍ଷତି ନଘଟାଇବ ସେହିପରି ପ୍ରକଳ୍ପ ଡ଼ିଜାଇନ୍ ବୈଷୟିକ କୌଶଳ ଏବଂ କାର୍ଯ୍ୟାୟନ ସମୟ ନିର୍ଘଣ୍ଟ ନିର୍ଦ୍ଧାରଣ କରିବାକୁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ।

ପ୍ରକଳ୍ପ ପାଇଁ ପ୍ରାୟ ୪୯.୬୭ କୋଟି ଟଙ୍କାର ଖର୍ଚ୍ଚ ଅଟକଳକୁ ବୈଠକରେ ଅନୁମୋଦନ କରାଯାଇଥିଲା। ନଦୀର ଉଭୟ ପାର୍ଶ୍ୱରେ ଥିବା ଗ୍ରାମୀଣ ରାସ୍ତାଗୁଡିକୁ ସଂଯୋଗ କରିବା ନିମନ୍ତେ ନଦୀ ଉପରେ ୪ ଟି ପୋଲ ନିର୍ମାଣ ହେବ। ସମୁଦାୟ ପ୍ରକଳ୍ପକୁ ୧୮ ମାସ ମଧ୍ୟରେ ପୂର୍ଣ୍ଣାଙ୍ଗ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ।

ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ଜଣାଇଥିଲେ ଯେ ଏହି ପ୍ରାକୃତିକ ନାଳଟି ମହାନଦୀର ଦକ୍ଷିଣ ପାର୍ଶ୍ୱସ୍ଥିତ ଆୟତପୁର ଗ୍ରାମ ପାଖରୁ ବାହାରିଛି । କଟକ ସଦର, ନିଶ୍ଚିନ୍ତକୋଇଲି ଏବଂ ରଘୁନାଥପୁର ବ୍ଲକ୍ର ପ୍ରାୟ ୨୧ ଟି ପଞ୍ଚାୟତ ଦେଇ ପ୍ରାୟ ୩୦.୪୫ କି.ମି. ଅତିକ୍ରମ କଲାପରେ ଏହା ପୁନଶ୍ଚ ତାରପୁର ନିକଟସ୍ଥ ବଙ୍କାଳଠାରେ ମହାନଦୀରେ ମିଶିଛି। ୧୯୫୦ ମସିହାରେ ତତ୍କାଳୀନ ପ୍ରଳୟଙ୍କରୀ ବନ୍ୟା ନିୟନ୍ତ୍ରଣ ଉପାୟଭାବେ ଏହାର ଜଳ ପ୍ରବେଶ ପାର୍ଶ୍ୱ ବନ୍ଦ କରାଯାଇଥିଲା। ଏହି ପ୍ରାକୃତିକ ନାଳଟି ପୁନରୁଦ୍ଧାର ହେଲେ ଅଧିକ ଜଳସେଚନ ସୁବିଧା ସୃଷ୍ଟି ସହ, ମତ୍ସ୍ୟ ଚାଷ ଓ ଉଭୟ ପାର୍ଶ୍ୱ ଜମିରେ ଅର୍ଥକାରୀ ଫସଲ ଆଦି ଉତ୍ପାଦନ ହୋଇପାରିବ । ପ୍ରାକୃତିକ ଜୈବ-ପରିବେଶ ମଧ୍ୟ ପୁର୍ନଜୀବିତ ହେବ।

ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବ, କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନୀ, ଜଳ ସଂପଦ ବିଭାଗ ପ୍ରଧାନ ମୁଖ୍ୟ ଯନ୍ତ୍ରୀ ଭକ୍ତ ରଂଜନ ମହାନ୍ତିଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Categories
ବିଶେଷ ଖବର

ରାସ୍ତା ପାର୍ଶ୍ୱ ସୁବିଧା କେନ୍ଦ୍ରଗୁଡ଼ିକର ଉତ୍ତମ ପରିଚାଳନା ଉପରେ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ୱ

ଭୁବନେଶ୍ୱର: ରାଜ୍ୟରେ ପର୍ଯ୍ୟଟନ ଶିଳ୍ପର ଅବିବୃଦ୍ଧି କ୍ଷେତ୍ରରେ ଅନ୍ୟଏକ ପଦକ୍ଷେପ ଭାବେ ରାସ୍ତାପାର୍ଶ୍ୱ ସୁବିଧା କେନ୍ଦ୍ର ଗୁଡ଼ିକର ଉତ୍ତମ ପରିଚାଳନା ଓ ରକ୍ଷଣାବେକ୍ଷଣ ନିଶ୍ଚିତ କରିବା ପାଇଁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି। ଆଜି ରାଜ୍ୟ ଲୋକସେବା ଭବନ ସଭାଗୃହରେ ଏ ସମ୍ବନ୍ଧିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ସେ ଏହି ନିର୍ଦ୍ଦେଶ ଦେଇଛନ୍ତି।

ବୈଠକର ଆଲୋଚନାରୁ ଜଣାପଡ଼ିଥିଲା ଯେ ରାଜ୍ୟର ବିଭିନ୍ନ ରାଜପଥ ଏବଂ ପର୍ଯ୍ୟଟନ ସ୍ଥଳୀକୁ ସଂଯୋଗ କରୁଥିବା ମୁଖ୍ୟ ସଡ଼କ ପାର୍ଶ୍ୱରେ ବର୍ତ୍ତମାନ ସୁଦ୍ଧା ୮୪ ଟି ରାସ୍ତାପାର୍ଶ୍ୱ ସୁବିଧା କେନ୍ଦ୍ର ସ୍ଥାପନ କରାଯାଇଛି। ଏସବୁ କେନ୍ଦ୍ରରେ ଗାଡି ପାର୍କିଂ, ମହିଳା ଓ ପୁରୁଷ ଶୌଚାଳୟ, ପ୍ରସାଧନ ସ୍ଥାନ, ବସିବା ସ୍ଥାନ, ଚା କଫି ଓ ଜଳଖିଆ ଆଦି ସ୍ଥାନ ନିର୍ମାଣ କରାଯାଇଛି। ଏଥିମଧ୍ୟରୁ ୩୫ ଟି କେନ୍ଦ୍ର ପର୍ଯ୍ୟଟନ ବିଭାଗ ଏବଂ ୪୯ ଟି କେନ୍ଦ୍ର ପୂର୍ତ୍ତବିଭାଗ ମାଧ୍ୟମରେ ନିର୍ମାଣ କରାଯାଇଛି। ଏହାଛଡ଼ା ପ୍ରକୃତି ପର୍ଯ୍ୟଟନ-ସ୍ଥଳୀ ମାନଙ୍କରେ ଜଙ୍ଗଲ ଓ ପରିବେଶ ବିଭାଗମାଧ୍ୟମରେ ମଧ୍ୟ ପର୍ଯ୍ୟଟନ-ସୁବିଧା କେନ୍ଦ୍ର ନିର୍ମାଣ କରାଯାଇଛି।

ବୈଠକରେ ମୁଖ୍ୟତଃ ରାସ୍ତାପାର୍ଶ୍ୱ ସୁବିଧା କେନ୍ଦ୍ରଗୃଡ଼ିକର ଉତ୍ତମ ରକ୍ଷଣାବେକ୍ଷଣ ଏବଂ ପରିଚାଳନା ବିଷୟରେ ସବିଶେଷ ଆଲୋଚନା ହୋଇଥିଲା। ନିରନ୍ତର ପରିଚାଳନା ଏବଂ ସ୍ଥାନୀୟ ଲୋକଙ୍କ ସଂପୃକ୍ତି ଆଦିକୁ ବିଚାର କରି ସଂପୃକ୍ତ ବ୍ଲକ୍ ଓ ଗ୍ରାମ ପଂଚାୟତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଫେଡେରେସନ୍ ମାଧ୍ୟମରେ ଏହିସବୁ କେନ୍ଦ୍ରର ପରିଚାଳନା ନିମନ୍ତେ ନିତୀଗତ ନିଷ୍ପତ୍ତି ନିଆଯାଇଥିଲା। କେନ୍ଦ୍ରଗୁଡ଼ିକର ମରାମତି ଏବଂ ରକ୍ଷଣାବେକ୍ଷଣ ବିଭାଗ ଦ୍ୱାରା ସଂପୃକ୍ତ ପରିଚାଳକ ସଂଘର ସକ୍ରିୟ ସହଯୋଗରେ କରାହେବ । କେନ୍ଦ୍ରଗୁଡ଼ିକୁ ପର୍ଯ୍ୟଟକମାନଙ୍କ ନିମନ୍ତେ ଅଧିକ ସହଜ, ଆତିଥ୍ୟପୂର୍ଣ୍ଣ ଏବଂ ନିରାପଦ କରିବା ପାଇଁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ। ଏଥିପାଇଁ ନିର୍ଦ୍ଧିଷ୍ଟ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବାକୁ ପୁର୍ତ୍ତ, ପର୍ଯ୍ୟଟନ ଏବଂ ମିଶନଶକ୍ତି ବିଭାଗଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।

ଭ୍ରମଣକାରୀ ଏବଂ ପର୍ଯ୍ୟଟକମାନେ ସାଧାରଣତଃ ଯିବା ଆସିବା କରୁଥିବା ରାସ୍ତା ନିକଟସ୍ଥ ପ୍ରାକୃତିକ ସୌନ୍ଦର୍ଯ୍ୟମୟ ସ୍ଥାନ ଗୁଡିକୁ ଚିହ୍ନଟ କରି ସେସବୁର ଏକ ସଂକ୍ଷିପ୍ତ ବିବରଣୀ ଭିତ୍ତିକ ତାଲିକା ପ୍ରସ୍ତୁତ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଗ୍ରାମ ଉନ୍ନୟନ ଓ ପୁର୍ତ୍ତ ବିଭାଗଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ସୁନ୍ଦର ସ୍ଥାନ ଗୁଡିକର ବିକାଶ ପାଇଁ ମଧ୍ୟ ନିଷ୍ପତ୍ତି ହୋଇଥିଲା। ଶୌଚାଳୟ, ବସିଥିବା ସ୍ଥାନ ଏବଂ ଛୋଟ ପାର୍କିଂ ସ୍ଥାନ ଆଦିର ସୁବିଧା କରିବା ପାଇଁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ। ଏହା କରାଗଲେ ପର୍ଯ୍ୟଟକମାନେ “ଦୀର୍ଘ ଯାତ୍ରାର କ୍ଲାନ୍ତିରୁ ସାମାନ୍ୟ ବିରାମ ନେଇ ପ୍ରାକୃତିକ ସୌନ୍ଦର୍ଯ୍ୟ ପରିଦର୍ଶନ କରିପାରିବେ”, ଏବଂ ଓଡ଼ିଶା ଭ୍ରମଣ ସେମାନଙ୍କ ପାଇଁ ଅଧିକ ଉପଭୋଗ୍ୟ ଓ ସ୍ମରଣୀୟ ହେବ ବୋଲି ଶ୍ରୀ ମହାପାତ୍ର କହିଥିଲେ।

ପର୍ଯ୍ୟଟନ ବିଭାଗ ପ୍ରମୁଖ ଶାସନ ସଚିବ ସୁରେନ୍ଦ୍ର କୁମାର, ପୁର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବ ସୁରେନ୍ଦ୍ର କୁମାର, ପୁର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବ ବୀର ବିକ୍ରମ ଯାଦବ, ମିଶନ ଶକ୍ତି ଶାସନ ସଚିବ ସୁଜାତା କାର୍ତ୍ତିକେୟାନ୍, ପର୍ଯ୍ୟଟନ ନିର୍ଦ୍ଦେଶକ ସଚ୍ଚିନ୍ ରାମଚନ୍ଦ୍ର ଯାଦବଙ୍କ ସମେତ ସଂଫୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଏବେ ବାତ୍ୟା ନାହିଁ, ତଥାପି ସତର୍କ ରହିବାକୁ ମୁଖ୍ୟ ଶାସନ ସଚିବ ଦେଲେ ଏହି ସବୁ ନିର୍ଦ୍ଦେଶ

ଭୁବନେଶ୍ୱର: ଓଡ଼ିଶାର ଭୌଗଳିକ ସ୍ଥିତି ଓ ଜଳବାୟୁ ସର୍ବଦା ବନ୍ୟା, ବାତ୍ୟା ପ୍ରବଣ ହୋଇ ରହିଛି। ଚଳିତ ମାସ ଠାରୁ ଫେରନ୍ତା ଦକ୍ଷିଣ ପଶ୍ଚିମ ମୌସୁମୀ-ବାୟୁ ପ୍ରଭାବରେ (ବିଶେଷତଃ ଅକ୍ଟୋବର ଓ ନଭେମ୍ବର ମାସରେ) ଓଡ଼ିଶାରେ ଭୀଷଣ ବାତ୍ୟା ଅନୁଭୁତ ହୁଏ। ବେଳେବେଳେ ଏହି ସମୟ ଅବଧି ଡିସେମ୍ବର ୧୫ ପର୍ଯ୍ୟନ୍ତ ମଧ୍ୟ ରହିଥାଏ।

ଏସବୁକୁ ବିଚାରକରି ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର “ବାତ୍ୟା-ଋତୁ ପାଇଁ ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ସଂପୃକ୍ତ ବିଭାଗମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି”। ନିର୍ଦ୍ଧାରିତ ଏସ୍.ଓ.ପି. ଅନୁସାରେ ଆବଶ୍ୟକୀୟ ପଦାର୍ଥ, ଯନ୍ତ୍ରପାତି, ଉପକରଣ ଏବଂ ମାନବ ସମ୍ବଳ ଆଦିର ମାନଚିତ୍ର ପ୍ରସ୍ତୁତ ସହ ସେସବୁକୁ ପୂର୍ଣ୍ଣ କର୍ମକ୍ଷମ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଆଜି ରାଜ୍ୟ ସ୍ତରୀୟ ବାତ୍ୟା ପ୍ରସ୍ତୁତି ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ମହାପାତ୍ର ଏହି ନିର୍ଦ୍ଦେଶ ଦେଇଛନ୍ତି।

ରାଜ୍ୟ ଲୋକସେବା ଭବନ ସଭାଗୃହରେ ଅନୁଷ୍ଠିତ ଏହି ବୈଠକରେ ରାଜସ୍ୱ ଓ ବିପର‌୍ୟ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ସମ୍ଭ୍ୟାବ୍ୟ ବାତ୍ୟା ମୁକାବିଲା ପ୍ରସ୍ତୁତିର ବିଭିନ୍ନ ଦିଗ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ।
ଭାରତୀୟ ପାଣିପାଗ ବିଭାଗର ଆଞ୍ଚଳିକ ନିର୍ଦ୍ଦେଶକ ଏଚ୍.ଆର.ବିଶ୍ୱାସ ଜଣାଇଥିଲେ ଯେ ଓଡ଼ିଶାର ବର୍ତ୍ତମାନ ଜଳବାୟୁସ୍ଥିତି ବାତ୍ୟା ଅନୁକୂଳ ରହିଛି ହେଲେ ଆସନ୍ତା ୧୫ ଦିନ ଭିତରେ ବାତ୍ୟାର ସୂଚନା ମିଳିନାହିଁ।

ବୈଠକର ଆଲୋଚନାରୁ ଜଣାପଡ଼ିଥିଲା ଯେ ଇତିମଧ୍ୟରେ ଓଡ଼ିଶାରେ ବାତ୍ୟାର ପୂର୍ବାନୁମାନ ଏବଂ ଆଗୁଆ ସତର୍କ ସୂଚନା ପ୍ରସାରଣ ଭିତ୍ତିଭୂମିକୁ ସୁଦୃଢ କରାଯାଇଛି। ଜିଲ୍ଲା ଓ ଅଞ୍ଚଳଭିତ୍ତିକ ପାଣିପାଗ ସୂଚନା ଦିଆଯାଉଛି। ଏକ ବାତ୍ୟାର ପ୍ରଭାବ ଭିତ୍ତିକ ପୂର୍ବାନୁମାନ ବ୍ୟବସ୍ଥା କରାଯାଇଛି।

ଗୋପାଳପୁର ଓ ପାରାଦ୍ୱୀପଠାରେ ଡପଲର ପାଣିପାଗ ରାଡାର ଷ୍ଟେସନ ସହ ବାଲେଶ୍ୱର, ଚାନ୍ଦବାଲି, ପୁରୀ, ଭୁବନେଶ୍ୱର, ଗୋପାଳପୁର ଏବଂ ପାରାଦ୍ୱୀପ ଆଦି ସ୍ଥାନରେ ଉଚ୍ଚକ୍ଷମତା ସମ୍ପନ୍ନ ବାୟୁଗତି ପରିମାପକ ଯନ୍ତ୍ରମାନ ( ହାଇ ଓ୍ୱିଣ୍ଡ୍ ସ୍ପିଡ୍ ରେକର୍ଡର) ସ୍ଥାପନ କରାଯାଇଛି। ଏହି ଯନ୍ତ୍ର ଘଣ୍ଟା ପ୍ରତି ପ୍ରାୟ ୩୦୦ କି.ମି. ପବନ ସ୍ଥିତିରେ ମଧ୍ୟ କାର‌୍ୟ୍ୟକରିପାରିବ। ଏସବୁ ଆଧୂନିକ ଭିତ୍ତିଭୂମି ସ୍ଥିତିର ପର‌୍ୟ୍ୟବେକ୍ଷଣ କରିବାସହ ପାଗ ପୂର୍ବାନୁମାନ ଅନୁଶୀଳନରେ ସହାୟକ ହେଉଛି।

ବତ୍ୟାରେ ଟେଲିଫୋନ୍ ଏବଂ ବିଦ୍ୟୁତ ଯୋଗାଣ ବ୍ୟବସ୍ଥା ଅଧିକ କ୍ଷତିଗ୍ରସ୍ତ ହେଉଥିବାରୁ ମୋବାଇଲ୍ ଟେଲିକମ୍-ଟାଓ୍ୱାର,ସାଟେଲାଇଟ୍ ଫୋନ୍ ଜେନେରେଟର, ବିଦ୍ୟୁତ ଖୁଣ୍ଟ, କଣ୍ଡକ୍ଟର, ସବ୍ଷ୍ଟେସନ୍, ଏବଂ ଯଥେଷ୍ଟ ସଂଙ୍ଖ୍ୟକ ମାନବ ସମ୍ବଳ ଆଦିର ଆକଳନ ଏବଂ ଆବଶ୍ୟକ ବେଳେ ତୁରନ୍ତ ନିୟୋଜିତ ପାଇଁ ପ୍ରସ୍ତୁତ ରହିବାକୁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ।

ଏହାଛଡା ପାନୀୟ ଜଳ ପାଇଁ ଗ୍ରାମ ଓ ସହରାଞ୍ଚଳରେ ଥିବା ହ୍ୟାଣ୍ଡ ପମ୍ପ ଗୁଡିକୁ କର୍ମକ୍ଷମ ରଖିବା ସହ ବାତ୍ୟା ଅତିକ୍ରାନ୍ତ ହେବା ସଂଙ୍ଗେ ସଂଙ୍ଗେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କର୍ମକ୍ଷମ କରିବାକୁ ପୂର୍ଣ୍ଣ ପ୍ରସ୍ତୁତି ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ । ଯଥେଷ୍ଟ ପରିମାଣର ବ୍ଲିଚିଂ, ହେଲୋଜେନ୍ ବଟିକା, ଔଷଧ, ଆମ୍ବୁଲାନ୍ସ୍ ଏବଂ ଡ଼ାକ୍ତରୀ ଟିମ୍ ଆଦି ବିଷୟରେ ପୂର୍ବ ପ୍ରସ୍ତୁତି କରିବାକୁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ। ଓଡ଼୍ରାଫ୍ ଏବଂ ଅଗ୍ନିଶ୍ରମ ସଂସ୍ଥା ଟିମ୍ମାନଙ୍କର ସବୁ ଉପକରଣକୁ ସଠିକ୍ଭାବେ ଯାଞ୍ଚ୍ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ।

ବାତ୍ୟା ପ୍ରବଣ ଉପକୂଳବର୍ତ୍ତୀ ଗ୍ରାମମାନଙ୍କରେ ବାତ୍ୟା ପ୍ରସ୍ତୁତି ସଚେତନତା କାର‌୍ୟ୍ୟକ୍ରମ ଜାରି ରଖିବା ସହ ଆସନ୍ନ ପ୍ରସବ, ବୟସ୍କ, ଦିବ୍ୟାଙ୍ଗ, ଅସହାୟମାନଙ୍କର ତାଲିକା ପ୍ରସ୍ତୁତ ରଖିବାକୁ ମହିଳା ଏବଂ ଶିଶୁ ବିକାଶ ବିଭାଗଙ୍କୁ କୁହାଯାଇଥିଲା। ଆବଶ୍ୟକ ବେଳେ ନିରାପଦ ସ୍ଥାନକୁ ସହାୟତା-ଭିତ୍ତିକ ସ୍ଥାନାନ୍ତର କରିବାରେ ଏହି ତାଲିକା ବହୁ ପରିମାଣରେ ଫଳପ୍ରଦ ହେବ।

ତୁରନ୍ତ ଗମନା ଗମନ ସୁବିଧାର ପୁନଃ ସ୍ଥାପନ, ରାସ୍ତା ଓ ନଦୀବନ୍ଧ ମରାମତି, ବାତ୍ୟା ସମୟରେ ଲୁଣାଘେରି ବନ୍ଧର ସୁରକ୍ଷା, ପାନୀୟ ଜଳ, ସହରାଞ୍ଚଳରେ ଉଦ୍ବୃତ ବର୍ଷା ଜଳ ନିଷ୍କାସନ, ହସ୍ପିଟାଲ୍ ଗୁଡିକରେ ବିକଳ୍ପ ବିଦ୍ୟୁତ ବ୍ୟବସ୍ଥା, ଗୋ ଖାଦ୍ୟ ଯୋଗାଣ, ପରିମଳ ବ୍ୟବସ୍ଥା ପାଇଁ କଣ୍ଟିଜେଣ୍ଟ୍ ପ୍ଲାନ୍ ସହ ଆବଶ୍ୟକୀୟ ସାମଗ୍ରୀ ଓ ମାନବ ସମ୍ବଳ, କୃଷକମାନଙ୍କୁ ଉପଯୁକ୍ତ ପରାମର୍ଶ ଓ ସୂଚନା ପ୍ରଦାନ, ଧାନ-କିଣା ମଣ୍ଡିରେ ସଂଗୃହିତ ଧାନର ସୁରକ୍ଷା ଓ ପରିବହନ ଆଦି କାମ ପାଇଁ ପ୍ରସ୍ତୁତ ରହିବାକୁ ମୁଖ୍ୟ ଶାସନ ସଚିବ ସଂପୃକ୍ତ ବିଭାଗମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତଦନୁଯାୟୀ କ୍ଷେତ୍ରସ୍ତରୀୟ ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ସଜାଗ ରଖିବା ପାଇଁ ମଧ୍ୟ ବିଭାଗମାନଙ୍କୁ କୁହାଯାଇଥିଲା।

ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ଼ଃ ମୋନା ଶର୍ମା, ରାଜସ୍ୱ ଓ ବିପର‌୍ୟ୍ୟୟ ପରିଚାଳନା ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ସମେତ ବାତ୍ୟା ପରିଚାଳନା ସହ ସଂପୃକ୍ତ ସମସ୍ତ ବିଭାଗର ପ୍ରମୁଖ ଶାସନ ସଚିବ, ଶାସନ ସଚିବ ଓ ବରିଷ୍ଠ ଅଧିକାରୀମାନେ ଆବଶ୍ୟକୀୟ ତଥ୍ୟ ଉପସ୍ଥାପନ କରିଥିଲେ। ନାଭାଲ୍, ଆର୍ମି, କୋଷ୍ଟଗାର୍ଡ଼ ଓ ଭାରତୀୟ ପାଣିପାଗ ବିଭାଗ ଆଦିର ବରିଷ୍ଠ ଅଧିକାରୀମାନେ ମଧ୍ୟ ବୈଠକରେ ନିଜ ନିଜ ବିଭାଗର ପ୍ରସ୍ତୁତି ଓ ଆବଶ୍ୟକତା ସଂପର୍କିତ ସୂଚନା ଦେଇଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

“ସ୍ଥାନ ଭିତ୍ତିକ ଗବେଷଣା ସଂକଳନ”ର ଉନ୍ମୋଚନ କଲେ ମୁଖ୍ୟ ଶାସନ ସଚିବ, ଜାଣନ୍ତୁ ଏହା କଣ

ଭୁବନେଶ୍ବର: ଫଳାଫଳ ଭିତ୍ତିକ ଉନ୍ନୟନମୂଳକ ପରିଚାଳନା ଦିଗରେ ଅନ୍ୟ ଏକ ପଦକ୍ଷେପ ସ୍ୱରୁପ ରାଜ୍ୟ ସରକାର ସ୍ଥାନ ଭିତ୍ତିକ ଅଧ୍ୟୟନ କାର‌୍ୟ୍ୟ ଆରମ୍ଭ କରିଛନ୍ତି। ଗୋପବନ୍ଧୁ ପ୍ରଶାସନିକ ଏକାଡ଼େମୀର ଉତ୍କର୍ଷ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ପ୍ରଥମ ସ୍ଥାନ ଭିତ୍ତିକ ଗବେଷଣା ସଂକଳନକୁ ଆଜି ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଉନ୍ମୋଚନ କରିଛନ୍ତି। ଏଥି ପାଇଁ ରାଜ୍ୟ ଲୋକସେବା ଭବନ ସଭାଗୃହରେ ଆୟୋଜିତ ବୈଠକରେ ଗୋପବନ୍ଧୁ ଏକାଡ଼େମୀର ମହା ନିର୍ଦ୍ଦେଶକ ଶ୍ରୀମତୀ ରଂଜନା ଚୋପ୍ରା ଏବଂ ୟୁନିସେଫ୍ର ରାଜ୍ୟ ମୁଖ୍ୟ ଡ଼ଃ ମୋନିକା ନିଲେସନ୍ ଯୋଗ ଦେଇଥିଲେ।

ଉତ୍କର୍ଷ କେନ୍ଦ୍ରର ଏତାଦୃଶ ସୃଜନାତ୍ମକ ପ୍ରଚେଷ୍ଟା ପାଇଁ ଗବେଷକମାନଙ୍କୁ ସାଧୁବାଦ ଜଣାଇବା ସହ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏ ପ୍ରକାର ଅଧ୍ୟୟନ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ପରାମର୍ଶ ଦେଇଥିଲେ। ଏସବୁ ଅଧ୍ୟୟନ ମାଧ୍ୟମରେ ଜନ-ସମୁଦାୟମାନଙ୍କର ଆବଶ୍ୟକତା, ଆକାଂକ୍ଷା ଏବଂ ଉନ୍ନୟନମୂଳକ କାର‌୍ୟ୍ୟକ୍ରମରେ ଥିବା କ୍ଷେତ୍ରସ୍ତରୀୟ ଗୁରୁତ୍ୱପୂର୍ଣ୍ଣ-ଶୂନ୍ୟତା (କ୍ରିଟିକାଲ୍ ଗ୍ୟାପ୍) ଆଦି ଜାଣି ହେବ। ଅଧ୍ୟୟନର ଫଳାଫଳ ଅଧିକାରୀମାନଙ୍କ ତାଲିମ ନିମନ୍ତେ ଅତି ଉପାଦେୟ ଦେବା ସହ ଏବଂ ଅନ୍ୟତ୍ର ପ୍ରୟୋଗ ନିମନ୍ତେ ବିଭିନ୍ନ ପ୍ରକଳ୍ପ ନମୁନା ପ୍ରସ୍ତୁତିରେ ସହାୟକ ହେବବୋଲି ଶ୍ରୀ ମହାପାତ୍ର କହିଥିଲେ।

ଅଧ୍ୟୟନରୁ ପ୍ରାପ୍ତ ତଥ୍ୟ ଓ ଉପସଂହାର ବିଷୟରେ ସଂପୃକ୍ତ ବିଭାଗମାନଙ୍କ ସହ ଆଲୋଚନାତ୍ମକ ଅନୁଶୀଳନ କରିବା ପାଇଁ ମଧ୍ୟ ମୁଖ୍ୟ ଶାସନ ସଚିବ ଗୋପବନ୍ଧୁ ଏକାଡ଼େମୀଙ୍କୁ ପରାମର୍ଶ ଦେଇଥିଲେ। ଏହା କ୍ଷେତ୍ରସ୍ତରୀୟ ସମସ୍ୟାର ସ୍ଥାୟୀ ସମାଧାନ ଏବଂ ସହଯୋଗିତା-ଭିତ୍ତିକ ଯୋଜନା ଓ ପ୍ରକଳ୍ପ ପ୍ରସ୍ତୁତି ଦିଗରେ ସହାୟକ ହେବ।

ମହାନିର୍ଦ୍ଦେଶକ ଶ୍ରୀମତୀ ଚୋପ୍ରା କହିଥିଲେ ଯେ ରାଜ୍ୟ ସରକାରଙ୍କ ପାଣ୍ଠି ଏବଂ ୟୁନିସେଫ୍ଙ୍କ ବୈଷୟିକ ସହଯୋଗିତାରେ ୨୦୨୧ ମସିହାରୁ ଗୋପବନ୍ଧୁ ଏକାଡ଼େମୀର ଉତ୍କର୍ଷ କେନ୍ଦ୍ର ରାଜ୍ୟ ତାଲିମ ନିୟାମକ ଅନୁସାରେ କାର‌୍ୟ୍ୟ କରୁଛି। ଏହାର ପ୍ରଥମ ସଂକଳନ ବର୍ତ୍ତମାନ ପ୍ରକାଶିତ ହେଲା । ଏହି ସଂକଳନ ଉଭୟ ଉନ୍ନୟନମୂଳକ-ପ୍ରଶାସନ ଏବଂ ଅଧିକାରୀ ମାନଙ୍କ ତାଲିମର ଗୁଣାତ୍ମକ ବିକାଶରେ ବ୍ୟବହୃତ ହେବ।

ୟୁନିସେଫ୍ ରାଜ୍ୟ ମୁଖ୍ୟ ଡ଼ଃ ମୋନିକା କହିଥିଲେ ଯେ ସ୍ଥାନ ଭିତ୍ତିକ ଗବେଷଣା ପଦ୍ଧତି ନେଇ କାର‌୍ୟ୍ୟ କରୁଥିବା ଉତ୍କର୍ଷ କେନ୍ଦ୍ର ସାରା ଦେଶରେ ପ୍ରଥମ। ଗୋପବନ୍ଧୁ ଏକାଡ଼େମୀର ଏହି କେନ୍ଦ୍ର ସହ ୟୁନିସେଫ୍ ନିଜର ସହଯୋଗିତା ବଜାୟ ରଖିବ।

ଉତ୍କର୍ଷ କେନ୍ଦ୍ରର ନିର୍ଦ୍ଦେଶକ ଡ଼ଃ ଶଶାଙ୍କ ଗ୍ରହାଚାର‌୍ୟ୍ୟ କହିଥିଲେ ଯେ ବିବିଧ ବିଷୟରେ ୧୯ ଟି ଫଳାଫଳ ଭିତ୍ତିକ ଗବେଷଣା ଏହି ସଂକଳନରେ ସ୍ଥାନିତ ହୋଇଛି । ଆଦର୍ଶ ବିଦ୍ୟାଳୟର କାର‌୍ୟ୍ୟକାରିତା, ମହିଳା ବୁଣାକାରଙ୍କ ରୋଜଗାର ଉପରେ କୋଭିଡ୍-୧୯ ର ପ୍ରଭାବ, ସିକଲ୍ ସେଲ୍ର ପ୍ରଥମାବସ୍ଥାରୁ ନିର୍ଣ୍ଣୟ ଓ ଚିକିତ୍ସା , ଉପକୂଳ ଅଞ୍ଚଳରେ ମତ୍ସ୍ୟଜିବୀ ସମୁଦାୟ, ମାନସିକ ଅନଗ୍ରସର ପିଲାମାନଙ୍କର ଯତ୍ନ ଓ ଶିକ୍ଷା, ସ୍ୱାଧାର ଗୃହର କାର‌୍ୟ୍ୟକାରିତା, କିଶୋରୀମାନଙ୍କ ମଧ୍ୟରେ ରକ୍ତହୀନତା, ଧାନ ସଂଗ୍ରହ, ଅପପୁଷ୍ଟିର ସମାଧାନ, ବନ୍ୟଜନ୍ତୁ ଶିକାର ନିରାକରଣ, ଜନସମୁଦାୟ ସ୍ତରରେ ନୂତନ ଜିବୀକା ନିର୍ବାହ ପନ୍ଥା ଆଦି ପ୍ରମୁଖ ବିଷୟ ଏଥିରେ ସ୍ଥାନିତ ହୋଇଛି।

ଡ଼ଃ ଶଶାଙ୍କ ଗ୍ରହାଚାର୍ଯ୍ୟ, ପଦ୍ମଜା ପତି, ସୌମ୍ୟ ବାନାର୍ଜୀ, ରଶ୍ମିତା ବେହେରା ଏବଂ ଅମର୍ତ୍ୟ କ୍ରିଷ୍ଣା ରାୟ ଆଦି ଗବେଷକମାନଙ୍କୁ ନେଇ ଗଠିତ ଉତ୍କର୍ଷ କେନ୍ଦ୍ରର ଗବେଷଣା ଟିମ୍ଙ୍କ ଦ୍ୱାରା ଏହି ଅଧ୍ୟୟନ କରାଯାଇଛି। ସଂକଳନଟିକୁ ଗୋପବନ୍ଧୁ ପ୍ରଶାସନିକ ଏକାଡ଼େମୀ ଏବଂ ୟୁନିସେଫ୍ଙ୍କ ଦ୍ୱାରା ଯୌଥ ଭାବେ ପ୍ରକାଶନ କରାଯାଇଛି।

Categories
ବିଶେଷ ଖବର

ମୁଖ୍ୟ ଶାସନ ସଚିବ ଏବଂ ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବଙ୍କର ଭଦ୍ରକ ଜିଲ୍ଲାଗସ୍ତ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭି.କେ.ପାଣ୍ଡିଆନ୍ ଆଜି ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଧାମରା ବନ୍ଦର ଏବଂ ଆରଡ଼ିଧାମ ପରିଦର୍ଶନ କରି ବିଭିନ୍ନ ପ୍ରକଳ୍ପର କ୍ଷେତ୍ରସ୍ତରୀୟ ଅଗ୍ରଗତି ସମୀକ୍ଷା କରିଥିଲେ।

ପ୍ରଥମେ ଏହି ସର୍ବୋଚ୍ଚ ପ୍ରଶାସନିକ ଟିମ୍ ଧାମରାରେ ପହଞ୍ଚି ଜାମୁଝାଡିରୁ ଧାମରା ପର୍ଯ୍ୟନ୍ତ ଦୁଇସାରିଆ ରାସ୍ତାର ନିର୍ମାଣ କାର୍ଯ୍ୟ, ଚାନ୍ଦବାଲିରୁ ଧାମରା ପର୍ଯ୍ୟନ୍ତ ସଡ଼କ ସଂଯୋଗ ପାଇଁ ମନ୍ତେଇ ନଦୀ ସେତୁ କାର୍ଯ୍ୟ, ଭଦ୍ରଖ ଧାମରା ରେଳଲାଇନ୍ର ଦୋହରୀକରଣ, ଧାମରାଠାରେ ବନ୍ଦରଭିତ୍ତିକ ଶିଳ୍ପାଞ୍ଚଳ ପ୍ରତିଷ୍ଠା, ବାଲିମେଳାଠାରେ ଏୟାରଷ୍ଟ୍ରିପ୍ ନିର୍ମାଣ, ଧାମରା ବନ୍ଦରରେ ଏଲ୍.ଏନ୍.ଜି. ଗ୍ୟାସ ଟର୍ମିନାଲ ଏବଂ ପାଇପ ଯୋଗେ ରାଜ୍ୟର ବିଭିନ୍ନ ଅଂଚଳକୁ ଗ୍ୟାସ ଯୋଗାଣ ପାଇଁ ଟାଙ୍କି ନିର୍ମାଣ ଆଦି କାର୍ଯ୍ୟର ସମୀକ୍ଷା କରିଥିଲେ।

ସମୀକ୍ଷାରୁ ଜଣାପଡିଥିଲା ଯେ ଜାମୁଝାଡିରୁ ଧାମରା ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଅବଶିଷ୍ଟ କାମ ତ୍ୱରାନ୍ୱିତ କରି ନିର୍ଦ୍ଧାରିତ ସମୟସୀମା ପୂର୍ବରୁ କାମ ପୂର୍ଣ୍ଣାଙ୍ଗ କରିବାକୁ ମୁଖ୍ୟ ଶାସନ ସଚିବ ପୁର୍ତ୍ତ ବିଭାଗ ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଚଳିତ ବର୍ଷ ଡ଼ିସେମ୍ବର ଶେଷସୁଦ୍ଧା ମନ୍ତେଇ ନଦୀସେତୁ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ବନ୍ଦର ଭିତ୍ତିକ ଶିଳ୍ପାଞ୍ଚଳ ନିମନ୍ତେ ପ୍ରଥମ ପର୍ଯ୍ୟାୟରେ ୧୨୦୦ ଏକର ଜମି ଏବଂ ଧାମରା ଏୟାର ଷ୍ଟ୍ରିପ୍ ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ କ୍ଷେତ୍ରସ୍ତରୀୟ ଅଧିକାରୀମାନଙ୍କୁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ। ବନ୍ଦରରେ ବାର୍ଷିକ ୫ ନିୟୁତ କ୍ଷମତା ବିଶିଷ୍ଟ ଏଲ୍.ଏନ୍.ଜି. ଗ୍ୟାସ୍ ଟର୍ମିନାଲ୍ ନିର୍ମାଣ କାର୍ଯ୍ୟରେ ଅଗ୍ରଗତି ସନ୍ତୋଷଜନକ ହୋଇଛି। ଏଥିରେ ପ୍ରାୟ ୬୫୦୦ କୋଟି ଟଙ୍କା ବିନିଯୋଗ ହେବ, ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ଏବଂ ଏହି ଟର୍ମିନାଲ ଓଡ଼ିଶା ସମେତ ଭାରତର ପୂର୍ବ ଏବଂ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟମାନଙ୍କୁ ଗ୍ୟାସ୍ ପରିବହନରେ ସହାୟକ ହେବ।

ପରେ ପରେ ଏହି ଟିମ୍ ଆରଡ଼ିଧାମ ଯାଇ ଆଖଣ୍ଡଳମଣି ମନ୍ଦିର ଏବଂ ଚର୍ତୁପାର୍ଶ୍ୱ ବିକାଶ ପ୍ରକଳ୍ପର କ୍ଷେତ୍ରସ୍ତରୀୟ କାର୍ଯ୍ୟାନ୍ୱୟନ ସମୀକ୍ଷା କରିଥିଲେ। ପ୍ରଥମ ପର୍ଯ୍ୟାୟରେ ହାତକୁ ନିଆଯାଇଥିବା ମନ୍ଦିରର ନୂଆ ସିଂହଦ୍ୱାର ନିର୍ମାଣ, ଶ୍ରାବଣମାସରେ ବାବା ଆଖଣ୍ଡଳମଣିଙ୍କ ଜଳାଭିଷେକ ପାଇଁ ଶ୍ରାବଣୀ ମଣ୍ଡପ ନିର୍ମାଣ, ଗଣେଶ ମଣ୍ଡପର ନବୀକରଣ, ଟ୍ରଷ୍ଟ୍ କାର୍ଯ୍ୟାଳୟ, ମନ୍ଦିର ଭିତରୁ ବାହାରକୁ ଜଳ ନିଷ୍କାସନ ବ୍ୟବସ୍ଥା, ମନ୍ଦିର ବେଢ଼ା ଭିତରେ ଖଣ୍ଡାଲାଇଟ୍ ପଥର ଦ୍ୱାରା ଚର୍ତୁପାର୍ଶ୍ୱ ସୌନ୍ଦର୍ଯ୍ୟକରଣ, ମନ୍ଦିରର ନୂଆ ପାଚେରୀ ନିର୍ମାଣ, ମନ୍ଦିରର ଚାରିଦିଗସ୍ଥ ଗୁମୁଟର ନବୀକରଣ ଓ ବୃକ୍ଷରୋପଣ ଆଦି କାର୍ଯ୍ୟ ଆରମ୍ଭ କରାଯାଇଛି। ଏସବୁ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ୬ କୋଟି ଟଙ୍କା ରାଜ୍ୟ ସରକାରଙ୍କ ତରଫରୁ ଯୋଗାଇ ଦିଆଯାଇଛି। ଏହିସବୁ କାମ ନଭେମ୍ବର ୩୦ ତାରିଖ ସୁଦ୍ଧା ସାରିବା ପାଇଁ ୫-ଟି ସଚିବ ଶ୍ରୀ ପାଣ୍ଡିଆନ୍ ସଂପୃକ୍ତ ବିଭାଗର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ପ୍ରକଳ୍ପର ୨ ୟ ପର୍ଯ୍ୟାୟ ପାଇଁ ଶ୍ରୀ ମହାପାତ୍ର ଏବଂ ଶ୍ରୀ ପାଣ୍ଡିଆନ୍ ମନ୍ଦିରର ସେବାୟତ ଓ ସ୍ଥାନୀୟ ଲୋକମାନଙ୍କ ସହ ଆଲୋଚନା କରିଥିଲେ। ଆରଡ଼ି ମନ୍ଦିରକୁ ସଡ଼କ ସଂଯୋଗ ପାଇଁ ସାଳନ୍ଦୀ ନଦୀ ତିନିତର ଘାଟ ନିକଟରେ ସେତୁ ନିର୍ମାଣ କାର୍ଯ୍ୟ ଶିଘ୍ର ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ବୈତରଣୀ ନଦୀଉପରେ ପୋଲ ନିର୍ମାଣ ଏବଂ ସେବାୟତମାନଙ୍କର ଅଭାବ ଅସୁବିଧା ଆଦି ବିଷୟ ସେବାୟତମାନେ ଏହି ଟିମକୁ ଜଣାଇଥିଲେ। ଏ ବିଷୟକୁ ସରକାର ସହୃଦୟତାର ସହ ବିଚାର କରି ନିଷ୍ପତ୍ତି ନେବେ ବୋଲି ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କହିଥିଲେ।

ପ୍ରସିଦ୍ଧ ଆରଡ଼ିପୀଠର ସର୍ବାଙ୍ଗିନ ବିକାଶ ପାର୍ଇ ୫-ଟି ଶାସନ ସଚିବ ଶ୍ରୀ ପାଣ୍ଡିଆନ୍ ସମସ୍ତଙ୍କର ସହଯୋଗ କାମନା କରିଥିଲେ। ଏହି ଗସ୍ତ ସମୟରେ ଭଦ୍ରଖର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ, ଏସ୍.ପି.ଚରଣ ସିଂ ମୀନାଙ୍କ ସମେତ ସଂପୃକ୍ତ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ଆବଶ୍ୟକୀୟ ତଥ୍ୟ ଉପସ୍ଥାପନ କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଦେଶରେ ଆଧାର କାର୍ଡ ସଂଯୋଗୀକରଣରେ ଓଡିଶା ଆଗରେ, ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ଉତ୍ତମ ପ୍ରଶାସନ ଦିଗରେ ଅନ୍ୟ ଏକ ପଦକ୍ଷେପ ସ୍ୱରୂପ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଆଧାର ବ୍ୟବହାର ସଂପ୍ରସାରଣ ସମ୍ବନ୍ଧିତ କର୍ମଶାଳା ଉଦ୍ଘାଟନ କରିଛନ୍ତି। ରାଜ୍ୟ ସରକାର ଏବଂ ଭାରତର ଏକକ ପରିଚୟ କର୍ତ୍ତୁପକ୍ଷକଙ୍କ ମିଳିତ ସହଯୋଗିତାରେ ରାଜ୍ୟ ଲୋକସେବା ଭବନ କନ୍ଭେନ୍ସନ୍ ସେଣ୍ଟରରେ ଆଜି ଏହି ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଥିଲା।

କର୍ମଶାଳାକୁ ଉଦ୍ଘାଟନ କରି ଶ୍ରୀ ମହାପାତ୍ର କହିଥିଲେ ଯେ ଆଧାର ନମ୍ବର ବ୍ୟବହାରର ସରଳୀକରଣ ନାଗରିକମାନଙ୍କ ଜୀବନ ଧାରାକୁ ସହଜ କରିବା ସହିତ ବିଭିନ୍ନ ପ୍ରକାର ସାଧାରଣ ସେବା ପ୍ରଦାନକୁ ଅଧିକ ତ୍ୱରାନ୍ୱିତ କରିବ। ଏହାର ବ୍ୟବହାର ଦ୍ୱାରା ବହୁ ସଂଙ୍ଖ୍ୟକ ଲୋକଙ୍କୁ ଏକ ସମୟରେ ସଠିକ୍ ଓ ସମୟାନୁବନ୍ଧିତ ସେବା ଯୋଗାଯାଇ ପାରିବ।
ସକ୍ରିୟ ଅଂଶଗ୍ରହଣ ପୂର୍ବକ ବିଭିନ୍ନ ସେବା ପ୍ରଦାନ ସହ ଆଧାର ସଂଯୋଗୀକରଣ ସମ୍ବନ୍ଧୀୟ ପ୍ରଶ୍ନର ସମାଧାନ କରିବା ପାଇଁ କର୍ମଶାଳାରେ ଯୋଗ ଦେଇଥିବା ବିଭିନ୍ନ ବିଭାଗର ଅଧିକାରୀମାନଙ୍କୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ।

ଆଧାରରେ ସନ୍ନିବଶିତ ତଥ୍ୟ ଏବଂ ବାଇଓମେଟ୍ରିକ୍ ଛାପ ଆଦିକୁ ନିୟମିତ ସମୟ ବ୍ୟବଧାନରେ ଅପ୍ଡେଟ୍ କରିବା ପାଇଁ ମଧ୍ୟ ଆଧାର କର୍ତ୍ତୁପକ୍ଷକଙ୍କୁ ଶ୍ରୀ ମହାପାତ୍ର ପରାମର୍ଶ ଦେଇଥିଲେ। ଏହାଦ୍ୱାରା ତଥ୍ୟଭିତ୍ତି ସଦ୍ୟତନ ରହିବ ଏବଂ ଆଧାର ନମ୍ବର ମାଧ୍ୟମରେ ନାଗରିକ ଚିହ୍ନଟକରଣ ସଠିକ୍ ହେବ। ବିଶେଷତଃ ଛୋଟ ପିଲାମାନଙ୍କ ନାମରେ ହୋଇଥିବା ବାଇମେଟ୍ରିକ୍ର ନିୟମିତ ସମୟାନ୍ତରରେ ସଦ୍ୟତନ ଦେବାର ଆବଶ୍ୟକତା ଅଧିକ। ନବଜାତ ଶିଶୁ ଏବଂ ଆଧାର କେନ୍ଦ୍ରକୁ ଆସି ପାରିନଥିବା ଦିବ୍ୟାଙ୍ଗ ବା ନିଃସହାୟ ବୃଦ୍ଧ ବ୍ୟକ୍ତିମାନଙ୍କ ଆଧାର ପଞ୍ଜୀକରଣ ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ଆରୋପ କରିଥିଲେ।

ଗ୍ରାମ, ୱାର୍ଡ଼, ଗ୍ରାମ ପଞ୍ଚାୟତ ଆଦି ସ୍ତରରେ କାର୍ଯ୍ୟ କରୁଥିବା ‘ମୋ ସେବା କେନ୍ଦ୍ର’ ଗୁଡିକରେ ଆଧାର ପଞ୍ଚୀକରଣ ଏବଂ ସଂଶୋଧନ ସମ୍ବନ୍ଧିତ ସେବା ଯୋଗାଇବା ପାଇଁ ମଧ୍ୟ ଶ୍ରୀ ମହାପାତ୍ର ଆଧାର କର୍ତ୍ତୁପକ୍ଷଙ୍କୁ ପରାମର୍ଶ ଦେଇଥିଲେ। ଏହାହେଲେ ଦୂରଦୂରାନ୍ତ ସ୍ଥିତ ଗ୍ରାମରେ ରହୁଥିବା ଲୋକମାନେ ମଧ୍ୟ ଆଧାର ସେବା ପାଇପାରିବେ। ବର୍ତ୍ତମାନ ରାଜ୍ୟର ବିଭିନ୍ନ ଅଂଚଳରେ ୫୯୨୩ ଟି ମୋ ସେବା କେନ୍ଦ୍ର କାର୍ଯ୍ୟ କରୁଛି। ଏହି କେନ୍ଦ୍ରଗୁଡିକର ଲୋକପ୍ରିୟତା ଦିନକୁ ଦିନ ବଢ଼ୁଛି ଏବଂ ଅଧିକରୁ ଅଧିକ ଲୋକ ଏହି କେନ୍ଦ୍ର ମାଧ୍ୟମରେ ଅନ୍ଲାଇନ୍ ସରକାରୀ ସେବା ପାଇପାରୁଛନ୍ତି।

ଶ୍ରୀ ମହାପାତ୍ର ଆହୁରି ମଧ୍ୟ କହିଥିଲେ ଯେ ଖାଦ୍ୟ ଯୋଗାଣ ଯୋଜନା, କାଳିଆ ଭଳି କୃଷକ କଲ୍ୟାଣ ଯୋଜନା, ବିଭିନ୍ନ ପ୍ରକାର ଭତ୍ତା ପ୍ରଦାନ, ଛାତ୍ର ବୃତ୍ତି ମଞ୍ଜୁର ଓ ପ୍ରଦାନ ଆଦିରେ ଆଧାର ନମ୍ବର ବ୍ୟବହାର ଉତ୍ସାହଜନକ ଫଳାଫଳ ହୋଇଛି। ଏହା ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ, ସରଳ ଏବଂ ସଠିକ୍ କରିଛି। ସ୍ୱାର୍ଥନ୍ୱଷୀ ମଧ୍ୟବର୍ତ୍ତୀ ଲୋକକମାନଙ୍କୁ ପ୍ରକ୍ରିୟାରୁ ବାଦ ଦେଇଛି। ଆଧାର କାର୍ଡର ପ୍ରୟୋଜନୀୟତା ବିଷୟରେ ସଚେତନତା ସୃଷ୍ଟି କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ ଓ ସଘନ କରିବା ପାଇଁ ଶ୍ରୀ ମହାପାତ୍ର ଆଧାର କର୍ତ୍ତୁପକ୍ଷଙ୍କୁ ପରାମର୍ଶ ଦେଇଥିଲେ।

ଆଧାର କର୍ତ୍ତୁପକ୍ଷକଙ୍କ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ ସୌରଭ ଗର୍ଗ କହିଥିଲେ ଯେ ଆଧାର ନମ୍ବର ବ୍ୟବହାରରେ ଓଡ଼ିଶା ଏକ ଅଗ୍ରଦୃତ ରାଜ୍ୟ। ୧୮ ରୁ ଉର୍ଦ୍ଧ ଜନସଂଙ୍ଖ୍ୟାର ପଞ୍ଜୀକରଣ ଶତ ପ୍ରତିଶତ ପାଖାପାଖି ପହଞ୍ଚିଛି। ଆଧାର ନମ୍ବର ଆର୍ଥିକ ଓ ସାମାଜିକ ଅନ୍ତର୍ଭୁକ୍ତିକରଣର ଏକ ଚାବିକାଠି ବୋଲି ଡ଼ଃ ଗର୍ଗ କହିଥିଲେ। ଆଧାରର ବ୍ୟବହାର ଓ ପଞ୍ଜୀକରଣ ଆଦି କାର୍ଯ୍ୟର ସଠିକ୍ ପରିଚାଳନା ନିମନ୍ତେ ଶିଘ୍ର ଜିଲ୍ଲାସ୍ତରୀୟ କମିଟିମାନ ଗଠନ କରାଯିବ ବୋଲି ମଧ୍ୟ ସେ ସୂଚନା ଦେଇଥିଲେ।

କର୍ମଶାଳାଟି ୩ ଟି ପର୍ଯ୍ୟାୟରେ ଆୟୋଜିତ ହୋଇଥିଲା। ଉଦ୍ଘାଟନୀ ପର୍ଯ୍ୟାୟରେ କର୍ମଶାଳାର ଉଦ୍ଦେଶ୍ୟ ଏବଂ ଆଲୋଚ୍ୟ ବିଷୟବସ୍ତୁ ଉପରେ ଆଲୋକପାତ କରାଯାଇଥିଲା। ବୈଷୟିକ ପର୍ଯ୍ୟାୟରେ ଆଧାର ବ୍ୟବହାର ବୃଦ୍ଧି ନିମନ୍ତେ ନୂତନ ପ୍ରଚେଷ୍ଟା, ଆଧାର ଏବଂ ଇ-ଗଭର୍ନାନ୍ସ୍, ରାଜ୍ୟରେ ଆଧାରର ପ୍ରୟୋଗ, ସର୍ବୋତ୍ତମ ପ୍ରାମାଣିତ ପଦ୍ଧତି, ହିତାଧିକାରୀମାନଙ୍କୁ ସିଧାସଳଖ ଆର୍ଥିକ ସହାୟତା ପ୍ରଦାନ ଆଦି ବିଷୟରେ ସବିଶେଷ ଆଲୋଚନା ହୋଇଥିଲା।

ଉଦ୍ଯାପନୀ ପର୍ଯ୍ୟାୟ ଉନ୍ନୟନ କମିଶନର ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ବିକାଶ ପ୍ରକ୍ରିୟାରେ ଜନସାଧାରଣଙ୍କ ଅନ୍ତର୍ଭୁକ୍ତିକରଣ ପାଇଁ ଆଧାର ବ୍ୟବହାରର ଏକ ଫଳଦାୟୀ ଉପାୟ ବୋଲି ଶ୍ରୀ ଜେନା କହିଥିଲେ ବିଭିନ୍ନ ବିଭାଗର ସମନ୍ୱୟ ମାଧ୍ୟମରେ କ୍ଷେତ୍ରସ୍ତରରେ ଏକ ଆଧାର ବ୍ୟବହାର ଉପଯୋଗୀ ବାତାବରଣ ସୃଷ୍ଟି କରିବା ପାଇଁ ସେ ପରାମର୍ଶ ଦେଇଥିଲେ।

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଳ କୁମାର ଦେବ, କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଡ଼ଃ ଅରବିନ୍ଦ ପାଢ଼ୀ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଶାସନ ସଚିବ ଶ୍ରୀ ମନୋଜ କୁମାର ମିଶ୍ରଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ଆଧାର କର୍ତ୍ତୁପକ୍ଷଙ୍କ ତରଫରୁ ପି.ସଙ୍ଗିଥା, ଅମିତ ଭାଗର୍ଭ, ସୁମେଶ ଯୋଗୀ, ସୁଦ୍ଧିପ୍ତ ନାୟକ, ଅଂଶୁମାନ କାମିଲା, ଏବଂ ଡ଼ି.ଭାସ୍କର ରାଓ ପ୍ରମୁଖ ବିଶେଷଜ୍ଞମାନେ ଉପରୋକ୍ତ ବିଷୟଗୁଡିକ ଉପରେ ଆଲୋକପାତ କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ରାଜ୍ୟ ସରକାର ୧୦ଟି ପ୍ରକଳ୍ପକୁ ଦେଲେ ଅନୁମୋଦନ, ୨୦୦୫ କୋଟି ଟଙ୍କା ପୁଂଜି ବିନିଯୋଗ

ଭୁବନେଶ୍ୱର: ଶିଳ୍ପାୟନ ମାଧ୍ୟମରେ ନୂତନ ନିଯୁକ୍ତି ତଥା ଅତିରିକ୍ତ ଜୀବିକା ନିର୍ବାହ ଦିଗରେ ଆଉ ଏକ ନିର୍ଦ୍ଦିଷ୍ଟ ପଦକ୍ଷେପରେ ଆଜି ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଡିଜିଟାଲ ମୋଡରେ ରାଜ୍ୟ ସ୍ତରୀୟ ସିଙ୍ଗିଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଆଜି ୧୦ଟି ପ୍ରକଳ୍ପକୁ ଅନୁମୋଦନ ପ୍ରଦାନ କରାଯାଇଛି।

ଏହି ପ୍ରକଳ୍ପଗୁଡିକରେ ପାଖାପାଖି ୨୦୦୫.୮୯ କୋଟି ଟଙ୍କା ବିନିଯୋଗ ହେବ। ଏଥିରେ ୩୫୪୫ ଜଣଙ୍କ ପାଇଁ ପ୍ରତ୍ୟକ୍ଷ ନିଯୁକ୍ତି ମିଳିବ। ଏଥିସହିତ ବହୁ ଲୋକଙ୍କୁ ପରୋକ୍ଷ ନିଯୁକ୍ତି ମିଳିପାରିବ ବୋଲି କୁହାଯାଇଛି। ପୁଞ୍ଜି ବିନିଯୋଗ ପ୍ରସ୍ତାବର ଆର୍ଥିକ ଏବଂ ବୈଷୟିକ ବିବରଣୀ ଉପସ୍ଥାପନ କରି ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ କୁମାର ଶର୍ମା କହିଛନ୍ତି ଯେ ଅଧିକାଂଶ ପ୍ରକଳ୍ପ ଫାର୍ମାସ୍ୟୁଟିକାଲ୍, ଖାଦ୍ୟ ପ୍ରକ୍ରିୟାକରଣ, ପର‌୍ୟ୍ୟଟନ ଏବଂ ଭିତ୍ତିଭୂମି ଭଳି କ୍ଷେତ୍ରରେ ଅଧିକ ରହିଛି। ସେଗୁଡିକ ହେଲା…

୧- ଖୋର୍ଦ୍ଧାରେ ସୁମନ ରିଏଲ ମିଡିଆ କଂପାନୀର ଏକ ଫାର୍ମାଚ୍ୟୁଟାକଲ ପ୍ରଡକ୍ସନ ଆଣ୍ଡ ରିସର୍ଚ୍ଚ ୟୁନିଟ। ଏଥିରେ ୨୦୦ କୋଟି ଟଙ୍କା ବିନିଯୋଗ ହେବ। ଏଥିରେ ୧୨୮୦ ଜଣ ପ୍ରତ୍ୟେକ୍ଷ ନିଯୁକ୍ତି ପାଇବେ।

୨-ଯାଜପୁର ଜିଲ୍ଲାରେ ସାନିଭିରା କଂପାନୀ ଏକ କାର୍ବନ ଇଲଟ୍ରୋଏଡ ପେଷ୍ଟ ମାନ୍ୟୁଫାକଚରିଂ ଶିଳ୍ପ ପ୍ରତିଷ୍ଠା କରିବ। ଏଥିରେ ୨୦୫ କୋଟି ଟଙ୍କା ବିନିଯୋଗ ହେବ। ଏଥିରେ ପ୍ରତ୍ୟେକ୍ଷ ଭାବେ ୨୬୦ ଜଣ ନିଯୁକ୍ତି ହେବେ।

୩-ଜଗତସିଂହପୁର ଜିଲ୍ଲାରେ ସାଇ ବଲ୍କ ବ୍ୟାଗ କଂପାନୀ ୧୩୫ କୋଟି ଟଙ୍କା ବିନିଯୋଗ କରି ଏକ ରସାୟନିକ କାରଖାନା ପ୍ରତିଷ୍ଠା କରିବ। ଏଥିରେ ୩୦୧ ଜଣ ନିଯୁକ୍ତି ପାଇବେ।

୪-ଯାଜପୁରରେ ୟୁନାଇଟେଡ ଫେରୋକାଷ୍ଟ ୨୬୧ ଟଙ୍କା ବିନିଯୋଗରେ ଏକ ଫେରୋ ଆଲାଏଜ କାରଖାନା ପ୍ରତିଷ୍ଠା କରିବ। ଏଥିରେ ୩୭୬ ଜଣ ସିଧା ନିଯୁକ୍ତି ହେବେ।

୫- କେଉଁଝର ଜିଲ୍ଲାରେ ବାଲେନ୍ତୋ ଏଣ୍ଟ୍ରପ୍ରାଇଜସ ୭୭୫ କୋଟି ଟଙ୍କା ବିନିଯୋଗ କରି ଲୁହା ଓର ଏବଂ ପାଲେଟ ପ୍ଲାଣ୍ଟ ପ୍ରତିଷ୍ଠା କରିବ। ଏଥିରେ ୩୧୪ ଜଣ ସିଧା ନିଯୁକ୍ତି ହେବେ।

୬- କଟକରେ ଓରିକ୍ଲିନ କଂପାନୀ ୮୮ କୋଟି ଟଙ୍କା ବିନିଯୋଗରେ ଜାମ, ଜେଲ୍ଲି, ସସ୍ ପ୍ରଭୃତି ଉତ୍ପାଦନ କାରଖାନା ପ୍ରତିଷ୍ଠା କରିବ। ଏଥିରେ ସିଧା ୧୬୦ ଜଣ ନିଯୁକ୍ତି ପାଇବେ।

୭- ଖୋର୍ଦ୍ଧାରେ ଡିଏନ ସି ସେଲ୍ସ କଂପାନୀ ୫୦ କୋଟି ଟଙ୍କା ବିନିଯୋଗ କରି ଏକ ଚିଙ୍ଗୁଡି ପ୍ରକିୟାକରଣ କାରଖାନା କରିବ। ଏଥିରେ ସିଧା ୪୦୯ ଜଣ ନିଯୁକ୍ତି ପାଇବେ।

୮- ଝାରସୁଗୁଡାରେ ରୁନ୍ୟା ଆଲ୍ୟୁମିନିୟମ କଂପାନୀ ୮୦ କୋଟି ଟଙ୍କା ବିନିଯୋଗରେ ଆଲମ୍ୟୁନିୟମ ପାଉଡର ଉତ୍ପାଦନ କରିବ। ଏଥିରେ ୧୨୫ ଜଣ ନିଯୁକ୍ତି ହେବେ।

୯- ଗଂଜାମ ଗୋପାଳପୁରରେ ଥିବା ମେ ଫାୟାର ହୋଟେଲ ଆଣ୍ଡ ରିସୋର୍ଟ ୮୫ କୋଟି ଟଙ୍କା ବିନିଯୋଗରେ ଏହାର କଳେବର ବୃଦ୍ଧି କରିବ। ଏଥିରେ ୧୨୦ ଜଣ ନିଯୁକ୍ତ ହେବେ।

୧୦- ଯାଜପୁରରେ ନରେଶ କୁମାର ଆଣ୍ଡ କୋ କଂପାନୀ ୧୨୫ କୋଟି ଟଙ୍କାରେ ୱେରହାଉସିଂ ଏବଂ ଲଜିଷ୍ଟିକ ପାର୍କ ପ୍ରତିଷ୍ଠା କରିବ। ଏଥିରେ ୨୦୦ ଜଣ ନିଯୁକ୍ତି ପାଇବେ।

ପ୍ରକଳ୍ପଗୁଡିକୁ ମଞ୍ଜୁରୀ ଦେଇ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ପ୍ରକଳ୍ପର ନିର୍ମାଣ ଏବଂ କାର‌୍ୟ୍ୟକ୍ଷମ ପାଇଁ ସମୟ ସୀମା ନିର୍ଦ୍ଧାରଣ କରିବାକୁ ଇପିକୋଲକୁ ନିର୍ଦ୍ଦେଶ ଦେଇଥିଲେ। ସଂପୃକ୍ତ ପ୍ରକଳ୍ପ ପ୍ରସ୍ତାବକଙ୍କ ଦ୍ବାରା ସମୟସୀମା ପାଳନକୁ ତୀକ୍ଷ୍ଣ ନଜର ରଖିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ନିବେଶକମାନଙ୍କୁ ଆହୁରି ଅଧିକ ନିଯୁକ୍ତି କରିବାକୁ କୁହାଯାଇଥିଲା।

ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜସ୍ୱ ଏବଂ ବିପର‌୍ୟ୍ୟୟ ପରିଚାଳନା ଏବଂ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ଶ୍ରୀ ସତ୍ୟବ୍ରତ ସାହୁ,  ପ୍ରମୁଖ ସଚିବ ଶ୍ରୀ ହେମନ୍ତ କୁମାର ଶର୍ମା, ପ୍ରମୁଖ ସଚିବ ଶକ୍ତି ଶ୍ରୀ ନିକୁଞ୍ଜା ବିହାରୀ ଧଲ, ଅର୍ଥ ବିଭାଗର ପ୍ରମୁଖ ସଚିବ ଶ୍ରୀ ବିଶାଳ କୁମାର ଦେବ, ପର୍ଯ୍ୟଟନ ବିଭାଗର ପ୍ରମୁଖ ସଚିବ ଶ୍ରୀ ସୁରେନ୍ଦ୍ର କୁମାର, ପ୍ରମୁଖ ସଚିବ ଇସ୍ପାତ ଏବଂ ଖଣି ଶ୍ରୀ ଦେଓ ରଂଜନ କୁମାର ସିଂ, ପ୍ରମୁଖ ସଚିବ ପଞ୍ଚାୟତରାଜ ଏବଂ ପାନୀୟ ଜଳ ଶ୍ରୀ ଅଶୋକ କୁମାର ମୀନା, ଏମଡି ଇପିକୋଲ ଶ୍ରୀ ଭୁପେନ୍ଦ୍ର ସିଂ ପୁନିୟା  ଏବଂ ସମ୍ପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ଏହି ଆଲୋଚନାରେ ଭାଗ ନେଇଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଘରୁ ବ୍ୟାଗ ନେଇ ବଜାରକୁ ଯିବା ପାଇଁ ଲୋକଙ୍କୁ ଅନୁରୋଧ କଲେ ମୁଖ୍ୟ ଶାସନ ସଚିବ, କାହିଁକି ?

ଭୁବନେଶ୍ୱର: ଥରେ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ୍ ନିଷିଦ୍ଧ ଆଇନ୍କୁ କଡ଼ାକଡ଼ିଭାବେ ସାରା ରାଜ୍ୟରେ ଲାଗୁ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି। ଆଜି ରାଜ୍ୟସ୍ତରୀୟ ଟାକ୍ସ ଫୋର୍ସ କମିଟି ବୈଠକରେ ଅଧ୍ୟକ୍ଷତା କରି ସେ ଏହି ନିର୍ଦ୍ଦେଶ ଦେଇଛନ୍ତି।

ରାଜ୍ୟ ଲୋକସେବା ଭବନରୁ ଡ଼ିଜିଟାଲ୍ ମୋଡ଼୍ରେ ଅନୁଷ୍ଠିତ ଏହି ବୈଠକରେ ପରିବେଶ ନିର୍ଦ୍ଦେଶକ ଶ୍ରୀ ସୁଶାନ୍ତ ନନ୍ଦ ପ୍ଲାଷ୍ଟିକ୍ ବ୍ୟବହାର ନିଷିଦ୍ଧ ନିୟମ ଏବଂ ତାହାର ଅନୁପାଳନ ସମ୍ବନ୍ଧିତ ବିଷୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ।

ଏ ଦିଗରେ ବର୍ତ୍ତମାନ ପର୍ଯ୍ୟନ୍ତ ନିଆଯାଇଥିବା ପଦକ୍ଷେପଗୁଡ଼ିକର ସମୀକ୍ଷାକରି ଆଇନକୁ କଡାକଡି ଭାବେ ଲାଗୁ କରିବା ପାଇଁ ଶ୍ରୀ ମହାପାତ୍ର ଜିଲ୍ଲାପାଳ, ଡି.ଏଫ୍.ଓ ଏବଂ ସଂପୃକ୍ତ ବିଭାଗର କ୍ଷେତ୍ରସ୍ତରୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଥରେ ବ୍ୟବହାର ଯୋଗ୍ୟ ନିଷିଦ୍ଧ ପ୍ଲାଷ୍ଟିକ୍ ଉତ୍ପାଦନ ୟୁନିଟ୍ ଓ ବିକ୍ରୀ କରୁଥିବା ଦୋକାନୀମାନଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମଧ୍ୟ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ।

ନିଜ ନିଜ ଜିଲ୍ଲା ଓ ବନଖଣ୍ଡରେ ହାଟ ବଜାର, ପର୍ଯ୍ୟଟନସ୍ଥଳୀ, ସାଧାରଣ ସମାଗମ ସ୍ଥାନ ଆଦିରେ ପ୍ଲାଷ୍ଟିକ୍ ବ୍ୟବହାର ବାରଣର ଅନୁପାଳନ ବିଷୟରେ ପ୍ରତି ମାସରେ ରିପୋର୍ଟ୍ ଦେବାପାଇଁ ଜିଲ୍ଲାପାଳ ଏବଂ ବନଖଣ୍ଡ ଅଧିକାରୀମାନଙ୍କୁ କୁହାଯାଇଥିଲା।

ଥରେ ବ୍ୟବହାର ଯୋଗ୍ୟ ନିଷିଦ୍ଧ ପ୍ଲାଷ୍ଟିକ୍, ପଲିଥିନ୍ ବ୍ୟାଗ୍, କ୍ୟାରି ବ୍ୟାଗ୍, ପ୍ଲାଷ୍ଟିକ୍ ଗ୍ଲାସ୍ ଆଦି ବ୍ୟବହାର ନକରିବା ପାଇଁ ସଚେତନତା କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ ଓ ସଘନ କରିବା ନିମନ୍ତେ ବୈଠକରେ ନିଷ୍ପତ୍ତି ହୋଇଥିଲା। ବିଦ୍ୟାଳୟମାନଙ୍କରେ ଗଠନ ହୋଇଥିବା ଇକୋ-କ୍ଲବ୍, ସାମ୍ବାଦିକ, ବରିଷ୍ଠ ନାଗରିକ, ସମ୍ମାନଷ୍ପଦ ବ୍ୟକ୍ତି ବିଶେଷ, ନିର୍ବାଚିତ ପ୍ରତିନିଧି, ବାର୍ ଆସୋସିଏସନ୍, ରୋଟାରୀ ଓ ଲାୟନ୍ସକ୍ଲବ୍ ଏବଂ ସ୍ଥାନୀୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାନଙ୍କୁ ଅଭିଯାନରେ ସକ୍ରିୟଭାବେ ସାମିଲ୍ କରିବା ପାଇଁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ।

ସ୍ୱତନ୍ତ୍ର ସ୍କ୍ୱାର୍ଡ୍ ମାଧ୍ୟମରେ ବିଭିନ୍ନ ସ୍ଥାନରେ ଚଢ଼ାଉକରି ନିଷିଦ୍ଧ ପ୍ଲାଷ୍ଟିକ୍ ଉତ୍ପାଦନ, ବିପଣୀ ଓ ବ୍ୟବହାରକାରୀ ଦୋକାନୀମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ନିଷ୍ପତ୍ତି ହୋଇଥିଲା। ପ୍ଲାଷ୍ଟିକ୍ ବର୍ଜ୍ୟ ସଂଗ୍ରହ ଓ ପରିଚାଳନା ବିଷୟ ବୈଠକରେ ସବିଶେଷଭାବେ ଆଲୋଚନା ହୋଇଥିଲା। ଏଥିପାଇଁ ଗ୍ରାମ ପଂଚାୟତ ଏବଂ ସହରାଞ୍ଚଳ ମାନଙ୍କ ମଧ୍ୟରେ ସମନ୍ୱୟକୁ ଅଧିକ ଦୃଢ଼ିଭୁତ ଓ ସୁଗମ କରାଯିବ।

ପ୍ଲାଷ୍ଟିକ୍ ବର୍ଜ୍ୟର ପୁନଃ ବ୍ୟବହାର ଉପରେ ଗୁରୁତ୍ୱ ଆରୋପ କରି ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ରାସ୍ତା ନିର୍ମାଣ ଓ ସିମେଣ୍ଟ କାରଖାନା ଆଦିରେ ଏହାର ବ୍ୟବହାର ବଢ଼ାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

ପ୍ରଦ୍ୟୁଷଣ ନିୟନ୍ତ୍ରଣ ବୋର୍ଡ, ପୁର୍ତ୍ତ, ଗ୍ରାମ ଉନ୍ନୟନ, ଗୃହ ଓ ନଗର ଉନ୍ନୟନ ବିଭାଗ ଯନ୍ତ୍ରୀ ଓ ବିଶେଷଜ୍ଞ ମାନଙ୍କ ସହ ବୈଠକ କରି ରାସ୍ତା ନିର୍ମାଣରେ ପ୍ଲାଷ୍ଟିକ୍ର ନିୟମିତ ଯୋଗାଣ ଓ ବ୍ୟବହାର ନିଶ୍ଚିତ କରାଇବା ନିମନ୍ତେ ମୁଖ୍ୟ ଶାସନ ସଚିବ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସିମେଣ୍ଟ ପ୍ରସ୍ତୁତିରେ ଅଧିକ ପ୍ଲାଷ୍ଟିକ୍ ବର୍ଜ୍ୟ ବ୍ୟବହାର ନିମନ୍ତେ ନିଜ ନିଜ ପ୍ଲାଣ୍ଟର ଦକ୍ଷତା ବଢ଼ାଇବାକୁ ସଂପୃକ୍ତ କଂପାନୀମାନଙ୍କୁ କୁହାଯାଇଥିଲା।

ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ବର୍ତ୍ତମାନ ସୁଦ୍ଧା ୧୧,୬୯୩ ଟି ଗ୍ରାମରେ ପ୍ଲାଷ୍ଟିକ୍ ବର୍ଜ୍ୟ ପରିଚାଳନା ନିମନ୍ତେ ଆବଶ୍ୟକୀୟ ଭିତ୍ତିଭୂମି ତିଆରି ହୋଇଛି। ୩୦୯୭ ଗ୍ରାମ ପଂଚାୟତରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଦ୍ୱାରା କଠିନ ବର୍ଜ୍ୟବସ୍ତୁ ଏବଂ ପ୍ଲାଷ୍ଟି୍କ୍ ବର୍ଜ୍ୟ ପରିଚାଳନା କରାଯାଉଛି। ୧୩୦୬ ଗ୍ରାମରେ ଘରକୁ ଘର ପ୍ଲାଷ୍ଟିକ୍ ବର୍ଜ୍ୟ ସଂଗ୍ରହ ବ୍ୟବସ୍ଥା ଆରମ୍ଭ ହୋଇଛି। ୧୩,୮୩୪ ଟି ବର୍ଜ୍ୟ ପୃଥକୀକରଣ ସ୍ଥାନ ତିଆରି କରାଯାଇଛି। ପ୍ରାୟ ୧୩,୪୫୫ ତିନି ଚକିଆ ଗାଡ଼ିକୁ ଗ୍ରାମାଞ୍ଚଳରେ କଠିନ ବର୍ଜ୍ୟବସ୍ତୁ ସଂଗ୍ରହ ଓ ପରିବହନ କାର୍ଯ୍ୟରେ ନିୟୋଜିତ କରାଯାଇଛି।

୨୦୨୧-୨୨ ବର୍ଷରେ ପ୍ରାୟ ବର୍ତ୍ତମାନ ସୁଦ୍ଧା ପ୍ରାୟ ୮୬ ଟନ୍ରୁ ଉର୍ଦ୍ଧ୍ୱ ପ୍ଲାଷ୍ଟିକ୍ ବର୍ଜ୍ୟ ଗ୍ରାମାଞ୍ଚଳରୁ ସଂଗ୍ରହ କରାଯାଇ ନିକଟତମ ସହରାଞ୍ଚଳ ବର୍ଜ୍ୟ ପରିଚାଳନା କେନ୍ଦ୍ରରେ ପହଞ୍ଚା ଯାଇଛି। ଏହା ବ୍ୟତୀତ ପ୍ରାୟ ୧୯୦୦ ବର୍ଜ୍ୟ ଏକତ୍ରୀକରଣ ସଂସ୍ଥା ଇତି ମଧ୍ୟରେ ୨୩୦୧ ଟନ୍ ପ୍ଲାଷ୍ଟିକ୍ ବର୍ଜ୍ୟ ସଂଗ୍ରହ କରିଥିବାର ଜଣାଇଛନ୍ତି। ସଂଗୃହିତ ପ୍ଲାଷ୍ଟିକ୍କୁ ପୁନଃ-ବ୍ୟବହାର ପୂର୍ବବର୍ତ୍ତୀ ପ୍ରକ୍ରିୟାକରଣ ନିମନ୍ତେ ଘରୋଇ ନିବେଶ ସହଭାଗିତାରେ ସ୍ୱତନ୍ତ୍ର ୟୁନିଟମାନ ପ୍ରତିଷ୍ଠା କରାଯାଇଛି। ଗ୍ରାମ ପଂଚାୟତ ଓ ସ୍ୱଚ୍ଛ ଭାରତ ଅଭିଯାନର ସହଯୋଗିତାରେ ଗ୍ରାମସ୍ତରୀୟ ବର୍ଜ୍ୟ ମହଜୁଦ ସେଡ୍ ମାନ ମଧ୍ୟ ନିର୍ମାଣ କରାଯାଇଛି।

ପର୍ଯ୍ୟାୟକ୍ରମେ ସମସ୍ତ ପଂଚାୟତ ଓ ଗ୍ରାମକୁ ପ୍ଲାଷ୍ଟିକ୍ ବର୍ଜ୍ୟ ସଂଗ୍ରହ ଏବଂ ପରିଚାଳନା କାର୍ଯ୍ୟକ୍ରମସହ ସଂଯୋଜିତ କରିବା ନିମନ୍ତେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । ବର୍ଜ୍ୟ ପୃଥକୀକରଣ ଏବଂ ପୁନଃ ବ୍ୟବହାର କେନ୍ଦ୍ର ଏବଂ ପ୍ଲାଷ୍ଟିକ୍ ରୂପାନ୍ତରଣ ୟୁନିଟ୍ ଗୁଡ଼ିକର ଦକ୍ଷତା ବଢ଼ାଇବା ପାଇଁ ମଧ୍ୟ ବୈଠକରେ ନିଷ୍ପତ୍ତି ହୋଇଥିଲା।

ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ପଂଚାୟତି ରାଜ ଓ ପାନୀୟ ଜଳ ଯୋଗାଣ ପ୍ରମୁଖ ଶାସନ ସଚିବ ଶ୍ରୀ ଆଶୋକ କୁମାର ମୀନା, ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଜି. ମାଥିଭାଥାନନ୍, ପରିବେଶ ନିର୍ଦ୍ଦେଶକ ଶ୍ରୀ ସୁଶାନ୍ତ ନନ୍ଦ, ପ୍ରଦ୍ୟୁଷଣ ନିୟନ୍ତ୍ରଣ ପରିଷଦର ସଦସ୍ୟ ସଚିବ ଡାକ୍ତର କେ. ମୁରୁଗେଶାନ୍ଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀ ଓ ଯନ୍ତ୍ରୀମାନେ ବୈଠକର ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଝାଡାବାନ୍ତି ସ୍ଥିତି ନେଇ ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ, ଦେଲେ ଏହି ନିର୍ଦ୍ଦେଶ

ଭୁବନେଶ୍ବର: ରାଜ୍ୟରେ ଦେଖାଦେଇଥିବା ଝାଡାବାନ୍ତି ନେଇ ଆଜି ମୁଖ୍ୟଶାସନ ସଚିବ ସମୀକ୍ଷା ବୈଠକ କରିଛନ୍ତି। ଏଥିରେ ସେ ଗ୍ରାମ ଓ ୱାର୍ଡ ରୁ କମ୍ୟୁନିଟି ହେଲଥ୍ ସେଣ୍ଟର, ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନା ଏବଂ ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ତ୍ୱରିତ ଡାଇରିଆ ସୂଚନା ପ୍ରସାରଣ ବ୍ୟବସ୍ଥା ଉପରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଗୁରୁତ୍ୱ ଦେଇଛନ୍ତି।

ସେହିପରି ରୋଗୀମାନଙ୍କୁ ତୁରନ୍ତ ହସ୍ପିଟାଲ୍ ସ୍ଥାନାନ୍ତର ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ପ୍ରସାରଣ ଓ ହସ୍ପିଟାଲ ସ୍ଥାନାନ୍ତର ବ୍ୟବସ୍ଥାରେ ଆଶାକର୍ମୀ/ଅଙ୍ଗନାବାଡ଼ି କର୍ମୀ/ଓ୍ୱାର୍ଡ଼- ମେମ୍ବର/ସରପଂଚ/ସ୍ଥାନୀୟ ସ୍ୱେଚ୍ଛାସେବୀ ଅନୁଷ୍ଠାନଗୁଡିକୁ ସାମିଲ କରିବା ନିମନ୍ତେ ମଧ୍ୟ ଶ୍ରୀ ମହାପାତ୍ର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସମସ୍ତ ପାନୀୟଜଳ ସ୍ରୋତକୁ ନିୟମିତ ବ୍ୟବଧାନରେ ବିଶୋଧନ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଲୋକମାନେ ଯେପରି ଝରଣାପାଣି ନ ପିଅନ୍ତି ତା ଉପରେ ସତର୍କ ଦୃଷ୍ଟି ରଖିବାକୁ ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସଚେତନତା କାର୍ଯ୍ୟକ୍ରମକୁ ଅଧିକ ସକ୍ରିୟ କରିବାକୁ କୁହାଯାଇଛି। ସଂକ୍ରମିତ ଅଂଚଳରେ ଜଳ ବିଶୋଧନ ପାଇଁ ‘ରିଭର୍ସ ଅସମୋସିସ୍ ଯନ୍ତ୍ର’ ଲାଗିଥିବା ଗାଡ଼ି ମୁତୟନ କରିବାକୁ ଶ୍ରୀ ମହାପାତ୍ର ପରାମର୍ଶ ଦେଇଛନ୍ତି।

ସେହିପରି ରୋଗ ନିରୀକ୍ଷଣ ଓ ଅନୁଧ୍ୟାନ ବ୍ୟବସ୍ଥାକୁ ଅଧିକ ବ୍ୟାପକ କରାଯିବ। ବର୍ଷାଋତୁ ଶେଷ ପର୍ଯ୍ୟନ୍ତ ଡାଇରିଆ ନିରାକରଣ ବ୍ୟବସ୍ଥାକୁ ପୂର୍ଣ୍ଣ ସକ୍ରିୟ ରଖିବା ସହ ସଂପୂର୍ଣ୍ଣ ସଜାଗ ଓ ସତର୍କ ରହିବାକୁ ସମସ୍ତ ଜିଲ୍ଲାପାଳ ଏବଂ କ୍ଷେତ୍ରସ୍ତରୀୟ ସ୍ୱାସ୍ଥ୍ୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି ବର୍ତ୍ତମାନ ସୁଦ୍ଧା ରାୟଗଡ଼ା, କୋରାପୁଟ, ନବରଙ୍ଗପୁର, ସୋନପୁର, ନୂଆପଡ଼ା, ଗଜପତି, ଝାରସୁଗୁଡ଼ା ଆଦି ୭ ଟି ଜିଲ୍ଲାରେ ସମୁଦାୟ ୬୮୦ ଲୋକ ସଂକ୍ରମିତ ହୋଇଥିବା ବେଳେ ୬୧୦ ଜଣ ଆରୋଗ୍ୟ ଲାଭ କରିଛନ୍ତି । ୫୩ ଜଣ ହସ୍ପିଟାଲରେ ଚିକିତ୍ସାଧିନ ଅଛନ୍ତି ଏବଂ ୧୭ ଜଣ ହସ୍ପିଟାଲ୍ ଆସିବାରେ ବହୁ ବିଳମ୍ବ କରି ମୃତ୍ୟୁ ବରଣ କରିଛନ୍ତି ।

ଏହି ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପ୍ରମୁଖ ଶାସନ ସଚିବ ଶ୍ୟୀ ନିକୁଞ୍ଜବିହାରୀ ଧଳ, ମିଶନ ନିର୍ଦ୍ଦେଶକ ଶ୍ରୀମତୀ ଶାଳିନୀ ପଣ୍ଡିତ୍, ଆର୍. ଏମ୍. ଆର.ସି ଡାଇରେକ୍ଟର ଶ୍ରୀମତୀ ସଂଘମିତ୍ରା ପତି, ପବ୍ଲିକ୍ ହେଲ୍ଥ୍ ଡାଇରେକ୍ଟର ଡାକ୍ତର ନିରଞ୍ଜନ ମିଶ୍ରଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ସଂପୃକ୍ତ ଜିଲ୍ଲାପାଳମାନେ ଭିଡିଓ କନ୍ଫେରେନ୍ସିଂ ମାଧ୍ୟମରେ କ୍ଷେତ୍ରସ୍ତରୀୟ ସ୍ଥିତି ଓ ଡାଇରିଆ ନିରାକରଣ ନିମନ୍ତେ ନିଆଯାଇଥିବା ପଦକ୍ଷେପ ବିଷୟରେ ଜଣାଇଥିଲେ ।