Categories
ବିଶେଷ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଝାଡାବାନ୍ତି ସ୍ଥିତି ନେଇ ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ, ଦେଲେ ଏହି ନିର୍ଦ୍ଦେଶ

ଭୁବନେଶ୍ବର: ରାଜ୍ୟରେ ଦେଖାଦେଇଥିବା ଝାଡାବାନ୍ତି ନେଇ ଆଜି ମୁଖ୍ୟଶାସନ ସଚିବ ସମୀକ୍ଷା ବୈଠକ କରିଛନ୍ତି। ଏଥିରେ ସେ ଗ୍ରାମ ଓ ୱାର୍ଡ ରୁ କମ୍ୟୁନିଟି ହେଲଥ୍ ସେଣ୍ଟର, ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନା ଏବଂ ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ତ୍ୱରିତ ଡାଇରିଆ ସୂଚନା ପ୍ରସାରଣ ବ୍ୟବସ୍ଥା ଉପରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଗୁରୁତ୍ୱ ଦେଇଛନ୍ତି।

ସେହିପରି ରୋଗୀମାନଙ୍କୁ ତୁରନ୍ତ ହସ୍ପିଟାଲ୍ ସ୍ଥାନାନ୍ତର ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ପ୍ରସାରଣ ଓ ହସ୍ପିଟାଲ ସ୍ଥାନାନ୍ତର ବ୍ୟବସ୍ଥାରେ ଆଶାକର୍ମୀ/ଅଙ୍ଗନାବାଡ଼ି କର୍ମୀ/ଓ୍ୱାର୍ଡ଼- ମେମ୍ବର/ସରପଂଚ/ସ୍ଥାନୀୟ ସ୍ୱେଚ୍ଛାସେବୀ ଅନୁଷ୍ଠାନଗୁଡିକୁ ସାମିଲ କରିବା ନିମନ୍ତେ ମଧ୍ୟ ଶ୍ରୀ ମହାପାତ୍ର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସମସ୍ତ ପାନୀୟଜଳ ସ୍ରୋତକୁ ନିୟମିତ ବ୍ୟବଧାନରେ ବିଶୋଧନ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଲୋକମାନେ ଯେପରି ଝରଣାପାଣି ନ ପିଅନ୍ତି ତା ଉପରେ ସତର୍କ ଦୃଷ୍ଟି ରଖିବାକୁ ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସଚେତନତା କାର୍ଯ୍ୟକ୍ରମକୁ ଅଧିକ ସକ୍ରିୟ କରିବାକୁ କୁହାଯାଇଛି। ସଂକ୍ରମିତ ଅଂଚଳରେ ଜଳ ବିଶୋଧନ ପାଇଁ ‘ରିଭର୍ସ ଅସମୋସିସ୍ ଯନ୍ତ୍ର’ ଲାଗିଥିବା ଗାଡ଼ି ମୁତୟନ କରିବାକୁ ଶ୍ରୀ ମହାପାତ୍ର ପରାମର୍ଶ ଦେଇଛନ୍ତି।

ସେହିପରି ରୋଗ ନିରୀକ୍ଷଣ ଓ ଅନୁଧ୍ୟାନ ବ୍ୟବସ୍ଥାକୁ ଅଧିକ ବ୍ୟାପକ କରାଯିବ। ବର୍ଷାଋତୁ ଶେଷ ପର୍ଯ୍ୟନ୍ତ ଡାଇରିଆ ନିରାକରଣ ବ୍ୟବସ୍ଥାକୁ ପୂର୍ଣ୍ଣ ସକ୍ରିୟ ରଖିବା ସହ ସଂପୂର୍ଣ୍ଣ ସଜାଗ ଓ ସତର୍କ ରହିବାକୁ ସମସ୍ତ ଜିଲ୍ଲାପାଳ ଏବଂ କ୍ଷେତ୍ରସ୍ତରୀୟ ସ୍ୱାସ୍ଥ୍ୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି ବର୍ତ୍ତମାନ ସୁଦ୍ଧା ରାୟଗଡ଼ା, କୋରାପୁଟ, ନବରଙ୍ଗପୁର, ସୋନପୁର, ନୂଆପଡ଼ା, ଗଜପତି, ଝାରସୁଗୁଡ଼ା ଆଦି ୭ ଟି ଜିଲ୍ଲାରେ ସମୁଦାୟ ୬୮୦ ଲୋକ ସଂକ୍ରମିତ ହୋଇଥିବା ବେଳେ ୬୧୦ ଜଣ ଆରୋଗ୍ୟ ଲାଭ କରିଛନ୍ତି । ୫୩ ଜଣ ହସ୍ପିଟାଲରେ ଚିକିତ୍ସାଧିନ ଅଛନ୍ତି ଏବଂ ୧୭ ଜଣ ହସ୍ପିଟାଲ୍ ଆସିବାରେ ବହୁ ବିଳମ୍ବ କରି ମୃତ୍ୟୁ ବରଣ କରିଛନ୍ତି ।

ଏହି ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପ୍ରମୁଖ ଶାସନ ସଚିବ ଶ୍ୟୀ ନିକୁଞ୍ଜବିହାରୀ ଧଳ, ମିଶନ ନିର୍ଦ୍ଦେଶକ ଶ୍ରୀମତୀ ଶାଳିନୀ ପଣ୍ଡିତ୍, ଆର୍. ଏମ୍. ଆର.ସି ଡାଇରେକ୍ଟର ଶ୍ରୀମତୀ ସଂଘମିତ୍ରା ପତି, ପବ୍ଲିକ୍ ହେଲ୍ଥ୍ ଡାଇରେକ୍ଟର ଡାକ୍ତର ନିରଞ୍ଜନ ମିଶ୍ରଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ସଂପୃକ୍ତ ଜିଲ୍ଲାପାଳମାନେ ଭିଡିଓ କନ୍ଫେରେନ୍ସିଂ ମାଧ୍ୟମରେ କ୍ଷେତ୍ରସ୍ତରୀୟ ସ୍ଥିତି ଓ ଡାଇରିଆ ନିରାକରଣ ନିମନ୍ତେ ନିଆଯାଇଥିବା ପଦକ୍ଷେପ ବିଷୟରେ ଜଣାଇଥିଲେ ।

Categories
ଅପରାଧ ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ମୁଖ୍ୟଶାସନ ସଚିବଙ୍କୁ ମଧ୍ୟ ଛାଡିଲେନି ସାଇବର ଠକ, ତାଙ୍କ ନାମରେ ମାଗିଲେ ଟଙ୍କା

ଭୁବନେଶ୍ବର: ଦିନକୁ ଦିନ ସାଇବର ଠକଙ୍କ ପ୍ରର୍ଦୁଭାବ ବଢିବାରେ ଲାଗିଛି। ସେମାନେ ବର୍ତ୍ତମାନ ନୂଆ ତରିକାରେ ଠକିବା ଆରମ୍ଭ କରିଛନ୍ତି। ତାହା ହେଲା ସେମାନେ ବଡବଡିଆଙ୍କ ଫଟୋ ଲଗାଇ ହ୍ବାଟସଆପ ଆକାଉଣ୍ଟ କରି ପାଇସା ମାଗିବାରେ ଲାଗିଛନ୍ତି। ପୂର୍ବରୁ ବହୁ ବରିଷ୍ଠ ଅଧିକାରୀଙ୍କ ନାମରେ ସେମାନେ ଏହିପରି କାରନାମା କରିଆସୁଥିଲେ। ହେଲେ ବର୍ତ୍ତମାନ ଏକ ନୂଆ କାରନାମ ଧରାପଡିଛି। ତାହା ହେଲା ଯେ, ଶେଷରେ ସାଇବର ଠକମାନେ ଓଡିଶାର ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କୁ ମଧ୍ୟ ଛାଡିଲେ ନାହିଁ।

ଘଟଣାରୁ ଜଣାପଡିଛି ଯେ, ଏହି ସାଇବର ଠକମାନେ ୯୩୧୫୬୪୧୭୮୪ ମୋବାଇଲ ନମ୍ବରରେ ମୁଖ୍ୟ ଶାସନ ସଚିବଙ୍କ ଫଟୋ ଲଗାଇ ହ୍ବାଟସଆପ ଗ୍ରୁପ ତିଆରି କରିଛନ୍ତି। ଏଥିରେ ସେମାନେ ବିଭିନ୍ନ ଲୋକଙ୍କୁ ଆମାଜନରୁ ଏକ ଜିନିଷ କିଣିଛି ତାହାକୁ ପଇଠ କରିଦିଅନ୍ତୁ ବୋଲି ମେସେଜ ପଠାଉଛନ୍ତି। ଫଳରେ ଯେଉଁମାନଙ୍କ ପାଖକୁ ଏହି ମେସେଜ ଯାଉଛି ସେମାନେ ମୁଖ୍ୟଶାସନ ସଚିବ ପଠାଇଛନ୍ତି ବୋଲି ଭାବୁଛନ୍ତି। ଏପରି ପରିସ୍ଥିତିରେ ସେମାନେ କଣ କରିବେ କିଛି ଜାଣିପାରୁ ନାହାଁନ୍ତି।

ଏହିପରି ବିଭିନ୍ନ ଲୋକଙ୍କ ପାଖକୁ ହ୍ବାଟସଆପ ମେସେଜ ଯିବା ପରେ ଶେଷରେ ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ଖବର ଆସିଲା। ସେ ଏପରି ମେସେଜ ପାଇ ବିଚଳିତ ହୋଇପଡିଲେ। ସଙ୍ଗେ ସଙ୍ଗେ ସାଇବର ପୋଲିସଙ୍କୁ ଅବଗତ କରାଇଛନ୍ତି। ଏହା ଜାଣିବା ପରେ ମୁଖ୍ୟ ଶାସନ ସଚିବଙ୍କ ନାମରେ ସାଇବର ଠକ ଏପରି ବଡ କ୍ରାଇମ କରିପାରିବେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି।

ଏ ନେଇ ମୁଖ୍ୟଶାସନ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟାଳୟରୁ ଏକ ସୂଚନା ମଧ୍ୟ ପ୍ରଦାନ କରାଯାଇଛି। ସେଥିରେ କୁହାଯାଇଛି ଯେ, କେତେକ ଠକ ମୁଖ୍ୟଶାସନ ସଚିବଙ୍କ ଫୋଟକୁ ଯୋଡି ସାମାଜିକ ଗଣମାଧ୍ୟମରେ ପଇସା ମାଗୁଛନ୍ତି। ମୁଖ୍ୟଶାସନ ସଚିବଙ୍କ କାହାକୁ କେବେ ବିଲ ପଇଠ ବା ଟଙ୍କା ପଇଠ କରିବାକୁ କୁହନ୍ତି ନାହିଁ। ଏଥିପାଇଁ ଜନସାଧାରଣ ସତର୍କ ରହିବାକୁ ନିବେଦନ କରିଛନ୍ତି। ଏପରି ଘଟଣା ଆସିଲେ ତୁରନ୍ତ ସାଇବର ପୋଲିସ ନିକଟରେ ଅଭିଯୋଗ କରନ୍ତୁ ବୋଲି ପରାମର୍ଶ ଦିଆଯାଇଛି।

ଯଦି କୌଣସି ବ୍ୟକ୍ତି କିଛି ଟଙ୍କା ପଇଠ କରେ ତେବେ ମୁଖ୍ୟ ଶାସନ ସଚିବ ଏଥିପାଇଁ ଦାୟି ରହିବେ ନାହିଁ ବୋଲି କୁହାଯାଇଛି। ଏପରି ଘଟଣା ପଦାକୁ ଆସିବା ପରେ ସାଇବର ପୋଲିସ ତରଫରୁ ତତ୍ପରତା ପ୍ରକାଶ ପାଇଛି। ସଂପୃକ୍ତ ମୋବାଇଲ ନମ୍ବରକୁ ଟ୍ରାକ କରି ଠକକୁ ଧରିବା ପାଇଁ ଉଦ୍ୟମ କରାଯାଉଛି।

Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଓଡିଶା ସରକାର ଏବଂ ଆନ୍ତର୍ଜାତିକ ଅର୍ଥ ନିଗମ ମଧ୍ୟରେ ସ୍ବାକ୍ଷରିତ ହେଲା ବୁଝାମଣାପତ୍ର, ଜାଣନ୍ତୁ କଣ 

ଭୁବନେଶ୍ୱର: ଉତ୍ତମ ସେବା ଯୋଗାଣ କ୍ଷେତ୍ରରେ ଅନ୍ୟ ଏକ ପଦକ୍ଷେପ ଭାବେ ରାଷ୍ଟ୍ରାୟତ୍ତ ସଂପତ୍ତି ମୁଦି୍ରକରଣ ଓ ପୁନଃବିନିଯୋଗ ପାଇଁ ଆଜି ରାଜ୍ୟ ସରକାର ଏବଂ ବିଶ୍ୱ ବ୍ୟାଙ୍କର ଆନ୍ତର୍ଜାତିକ ଅର୍ଥ ନିଗମ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛି ।

ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଓ ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତିରେ ରାଜ୍ୟ ଲୋକସେବା ଭବନ ସଭାଗୃହଠାରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା । ଏହା ସାର୍ବଜନୀନ ସଂପତ୍ତିର ବୃତ୍ତିଗତ ଆର୍ଥିକ ପରିଚାଳନା ତଥା ରାଜ୍ୟର ଆର୍ଥିକ ଅଭିବୃଦ୍ଧିରେ ବିଶେଷ ସହାୟକ ହେବ । ଏହା ମାଧ୍ୟମରେ ସାର୍ବଜନୀନ ସଂପତ୍ତିର ଏକ ବୃହତ ରାଶି ବେସରକାରୀ ପୁଂଜିବିନିଯୋଗକୁ ବ୍ୟାପକ କରିବ ।

ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି ଯେ ବୁଝାମଣାପତ୍ର ଅନୁସାରେ ରାଷ୍ଟ୍ରାୟତ୍ତ ଅଚଳ ସଂପତ୍ତିଗୁଡ଼ିକର ମୁଦି୍ରକରଣ ଓ ସେଥିରେ ଘରୋଇ ପୁଂଜିବିନିଯୋଗ ପ୍ରକ୍ରିୟାକୁ ସରଳ କରିବା ପାଇଁ ଆଇଏଫ୍‌ସି ବୈଷୟିକ ଓ ବୃତ୍ତିଗତ ସହାୟତା ଯୋଗାଇବ। ଏହା ରାଜ୍ୟର ଶିଳ୍ପ ଭିତ୍ତିଭୂମି ଓ ଶିଳ୍ପାନ୍ୱୟନ ବାତାବରଣ ବିକାଶରେ ବିଶେଷ ସହାୟକ ହେବ।

ଏହା ମଧ୍ୟ ଖୋଲାବଜାରରୁ ଋଣ ଉଠାଣ ଆବଶ୍ୟକତାକୁ ବହୁଭାବେ ହ୍ରାସ କରିବ ଓ ଭିତ୍ତିଭୂମି ବିକାଶ ପାଇଁ ଆର୍ଥିକ ବ୍ୟବଧାନ ଦୂର କରିବ । ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କହିଥିଲେ ଯେ ଏହି ପ୍ରଚେଷ୍ଟା ଘରୋଇ ପୁଂଜିବିନିଯୋଗ ଓ ଅଧିକ କର୍ମନିଯୁକ୍ତି ସୃଷ୍ଟି କ୍ଷେତ୍ରରେ ବିଶେଷ ସହାୟକ ହେବ ।

ଉନ୍ନୟନ କମିଶନର ଶ୍ରୀ ପ୍ରଦୀପ କୁମାର ଜେନା, ଶକ୍ତି ବିଭାଗ ପ୍ରମୁଖ ସଚିବ ଶ୍ରୀ ନିକୁଞ୍ଜବିହାରୀ ଧଳ, ଶିଳ୍ପ ବିଭାଗ ପ୍ରମୁଖ ସଚିବ ଶ୍ରୀ ହେମନ୍ତ କୁମାର ଶର୍ମା, ପୂର୍ତ୍ତ ସଚିବ ଶ୍ରୀ ବୀର ବିକ୍ରମ ଯାଦବ, ଶିଳ୍ପ ବିଭାଗ ଅତିରିକ୍ତ ସଚିବ ଶ୍ରୀ ଶୁଭେନ୍ଦ୍ର କୁମାର ନାୟକଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ଓଡ଼ିଶା ସରକାରଙ୍କ ତରଫରୁ ଇପିକଲର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଭୂପେନ୍ଦ୍ର ସିଂ ପୁନିଆ ଓ ଆନ୍ତର୍ଜାତିକ ଅର୍ଥ ନିଗମର ସର୍ବଭାରତୀୟ ଅଧିକାରୀ ସୁଶ୍ରୀ ରୋଶିକା ସିଂହ ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲେ ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଚିନ୍ତା ବଢାଇଲାଣି କରୋନା ଆକ୍ରାନ୍ତ ସଂଖ୍ୟା, ସମୀକ୍ଷା କରି ମୁଖ୍ୟ ଶାସନ ସଚିବ ଦେଲେ ଏହି ନିର୍ଦ୍ଦେଶ

ଭୁବନେଶ୍ୱର: ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ କୋଭିଡ୍ ସ୍ଥିତି ପୂର୍ଣ୍ଣ ନିୟନ୍ତ୍ରଣାଧିନ ଅଛି । ତେବେ ସହରାଞ୍ଚଳମାନଙ୍କରେ ସଂକ୍ରମଣ ସଂଖ୍ୟା ବଢ଼ୁଥିବାରୁ ଟିକାକରଣ, ସଚେତନତା ଏବଂ ସଠିକ୍ ସୂଚନା ପ୍ରସାରଣ ଉପରେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଗୁରୁତ୍ୱ ଆରୋପ କରିଛନ୍ତି ।

ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ରାଜ୍ୟର କୋଭିଡ଼୍ ସ୍ଥିତି ସମୀକ୍ଷା କରି ଶ୍ରୀ ମହାପାତ୍ର ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଏ ବିଷୟରେ ନିର୍ଦ୍ଦେଶମାନ ଦେଇଛନ୍ତି । ରାଜ୍ୟ ଲୋକସେବା ଭବନରୁ ଅନୁଷ୍ଠିତ ଏହି ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ନିକୁଞ୍ଜବିହାରୀ ଧଳ କୋଭିଡ଼୍ ସଂକ୍ରମଣ ଓ ପରିଚାଳନା ସମ୍ବନ୍ଧିତ ତଥ୍ୟ ଆଲୋଚନା ପାଇଁ ଉପସ୍ଥାପନ କରିଥିଲେ ।

ଜିଲ୍ଲାୱାରୀ ସ୍ଥିତିର ସମୀକ୍ଷା କରି ମୁଖ୍ୟ ଶାସନ ସଚିବ ଆସନ୍ତା କାଲି ୧୫ ତାରିଖରୁ ୧୮-୫୯ ବର୍ଷ ଲୋକଙ୍କ ପାଇଁ ଟିକାକରଣ ଅଭିଯାନ ଆରମ୍ଭ କରିବା, ଦୈନିକ କୋଭିଡ଼୍ ପରୀକ୍ଷା ସଂଖ୍ୟା ବଢ଼ାଇବା କଲ୍ ସେଣ୍ଟରକୁ ୨୪x ୭ ଭିତ୍ତିରେ କାର୍ଯ୍ୟକ୍ଷମ କରାଇବା ଏବଂ ଜନସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ବିଭିନ୍ନ ଇଞ୍ଜିନିଅରିଂ କଲେଜ, ଛାତ୍ରାବାସ, ଉଚ୍ଚଶିକ୍ଷାନୁଷ୍ଠାନ ଆଦିରେ ଛାତ୍ରଛାତ୍ରୀମାନଙ୍କର ଟିକାକରଣ ସହ ସହରାଞ୍ଚଳମାନଙ୍କରେ ୧୮ ରୁ ୫୯ ବର୍ଷ ଲୋକଙ୍କ ପାଇଁ ବ୍ୟାପକ ଟିକାକରଣ ଅଭିଯାନ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସହରାଞ୍ଚଳରେ ପ୍ରତି ୱାର୍ଡ଼ ଏବଂ ଗ୍ରାମାଞ୍ଚଳରେ ଗ୍ରାମ ଓ ପଂଚାୟତୱାରୀ ଟିକାକରଣ କାର୍ଯ୍ୟଯୋଜନା କାର୍ଯ୍ୟାନ୍ୱୟନ ପାଇଁ ସ୍ୱାସ୍ଥ୍ୟ ବିଭାଗ ପ୍ରମୁଖ ସଚିବ ଶ୍ରୀ ଧଳ ନିର୍ଦ୍ଦେଶ ଦେଇଥିଲେ । ଏହି କାର୍ଯ୍ୟରେ ସ୍ୱାସ୍ଥ୍ୟକର୍ମୀ, ଅଙ୍ଗନବାଡି କର୍ମୀ, ଜନ ପ୍ରତିନିଧି, ସେଚ୍ଛାସେବୀ ଅନୁଷ୍ଠାନ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠିମାନଙ୍କୁ ସାମିଲ କରିବାକୁ ଉନ୍ନୟନ କିମିଶନର ଶ୍ରୀ ପ୍ରଦୀପ କୁମାର ଜେନା ନିର୍ଦ୍ଦେଶ ଦେଇଥିଲେ ।

ରାଜ୍ୟରେ ଆଇ.ଏଲ୍.ଆଇ. ଏବଂ ସାରି ରୋଗର ସଂନୀରକ୍ଷଣକୁ ସଘନ କରିବା ସହ ଲୋକମାନଙ୍କ ମଧ୍ୟରେ କୋଭିଡ଼୍ ନିରୋଧି ବ୍ୟବହାରିକ ଢ଼ଙ୍ଗି ଯଥା ମାସ୍କ ପରିଧାନ, ପରସ୍ପରଠାରୁ ଶାରିରୀକ ଦୁରତା, ଭିଡ଼୍ ମଧ୍ୟକୁ ନଯିବା, ଅଯଥା ଗହଳି ସୃଷ୍ଟି ନକରିବା ଆଦି ବିଷୟରେ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । ଟିକାକରଣ କେନ୍ଦ୍ରର ଅବସ୍ଥିତି ଓ ସମୟ, କଲ୍ସେଣ୍ଟର ଓ ସହାୟତା କେନ୍ଦ୍ରର ନମ୍ବର ଏବଂ କୋଭିଡ଼୍ ଚିକିତ୍ସା ସୁବିଧା ବିଷୟରେ ଲୋକମାନଙ୍କୁ ସଠିକ୍ ସୂଚନାପ୍ରଦାନ ପାଇଁ ମଧ୍ୟ ସେ ନିର୍ଦ୍ଦେଶ ଦେଇଥିଲେ ।

ସମୀକ୍ଷାରୁ ଜଣାପଡିଥିଲା ଯେ ବର୍ତ୍ତମାନ ରାଜ୍ୟରେ ସମୁଦାୟ ୪୨୬୨ ଆକ୍ଟିଭ୍ କୋଭିଡ଼୍ କେସ୍ ଅଛି । ଏମାନଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ପିଲାଙ୍କ ସଂଙ୍ଖ୍ୟା ୭୧ । ସଂକ୍ରମିତମାନେ ମୁଖ୍ୟତଃ ହୋମ୍ ଆଇସୋଲେସନ୍ ମାଧ୍ୟମରେ ଚିକିତ୍ସିତ ହେଉଛନ୍ତି । ବର୍ତ୍ତମାନ ସୁଦ୍ଧା ୩୯ ଜଣ ଚିକିତ୍ସା ପାଇଁ ହସ୍ପିଟାଲରେ ଆଡମିସନ୍ ହୋଇଛନ୍ତି । ପ୍ରତ୍ୟେକ ମେଡ଼ିକାଲ କଲେଜ ଏବଂ ଜିଲ୍ଲା ଚିକିତ୍ସାଳୟରେ ସ୍ୱତନ୍ତ୍ର କୋଭିଡ଼୍ ୱାର୍ଡ ବ୍ୟବସ୍ଥା କରାଯାଇଛି । ଆବଶ୍ୟକତା ଅନୁସାରେ ହସ୍ପିଟାଲ ଏବଂ ବେଡ୍ ସଂଖ୍ୟା ବଢ଼ାଇବା ପାଇଁ ପ୍ରତି ଜିଳ୍ଲା ପ୍ରସ୍ତୁତ ଅଛି । ଜୁଲାଇ ୧୫ ତାରିଖରୁ ୧୮ ରୁ ୫୯ ବର୍ଷ ବୟସ୍କ ନିମନ୍ତେ ମାଗଣା ବୁଷ୍ଟର ଡ଼ୋଜ୍ ନିମନ୍ତେ ପ୍ରଶାସନିକ ପ୍ରସ୍ତୁତି କରାଯାଉଛି ।

ଉନ୍ନୟନ କମିାନର ଶ୍ରୀ ପ୍ରଦୀପ କୁମାର ଜେନା, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଗୃହ ବିଭାଗ ଶ୍ରୀ ସଂଜୀବ ଚେପ୍ରା, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁଗର୍ଗ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପ୍ରମୁଖ ଶାସନ ସଚିବ ଶ୍ରୀ ନିକୁଞ୍ଜବିହାରୀ ଧଳଙ୍କ ସମେତ ସମସ୍ତ ବିଭାଗର ପ୍ରମୁଖ ଶାସନ ସଚିବ ଓ ବରିଷ୍ଠ ଅଧିକାରୀଗଣ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଜିଳ୍ଲାପାଳ ଏବଂ ପୌର ପରିଷଦ କମିଶନରମାନେ ଭିଡ଼ିଓ କନ୍ଫେରେନ୍ସିଂ ମାଧ୍ୟମରେ ନିଜ ନିଜ ଅଂଚଳର କୋଭିଡ଼୍ ସ୍ଥିତି ଓ ମୁକାବିଲା ପାଇଁ ପ୍ରସ୍ତୁତି ବିଷୟରେ ସଦ୍ୟତନ ସୂଚନା ଦେଇଥିଲେ

Categories
ବିଶେଷ ଖବର ରାଜ୍ୟ ଖବର

ସମ୍ବଲପୁର ଜିଲ୍ଲାକୁ ଏକ ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର କରିବାକୁ ମୁଖ୍ୟ ଶାସନ ସଚିବ ଦେଲେ ଏହି ନିର୍ଦ୍ଦେଶ

ସମ୍ବଲପୁର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ଅପରାହ୍ନରେ ସମ୍ବଲପୁର ଜିଲ୍ଲା ଗସ୍ତ କରି ବିଭିନ୍ନ ବିଭାଗରେ ଚାଲିଥିବା ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ପ୍ରସିଦ୍ଧ ହୀରାକୁଦ ନଦୀବନ୍ଧ ,ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ଏବଂ ଆଇଲାଣ୍ଡ କୁ କିଭଳି ପର୍ଯ୍ୟଟକଙ୍କ ନିମନ୍ତେ ଅଧିକ ଆକର୍ଷଣୀୟ କରାଯାଇ ପାରିବ ତା ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱାରୋପ କରିଛନ୍ତି।

ସମୀକ୍ଷାରେ ମୁଖ୍ୟତଃ କଟକ -ଅନୁଗୁଳ , ଅନୁଗୁଳ -ସମ୍ବଲପୁର ଜାତୀୟ ରାଜପଥ, ଜଳ ସମ୍ପଦ ବିଭାଗର ମେଗା ଲିଫ୍ଟ ପ୍ରକଳ୍ପ, ପାଇପ ଯୋଗେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ, ପୂର୍ତ୍ତ ବିଭାଗ ରାସ୍ତା ଆଦି ବିଷୟ ସ୍ଥାନ ପାଇ ଥିଲା। ମୁଖ୍ୟ ରାସ୍ତା ଗୁଡ଼ିକର କାର୍ଯ୍ୟ ତୁରନ୍ତ ସାରିବାକୁ ମୁଖ୍ୟ ଶାସନ ସଚିବ ସମ୍ପୃକ୍ତ ବିଭାଗମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବିଭିନ୍ନ ପ୍ରକଳ୍ପ ଗୁଡ଼ିକ ପୂର୍ଣ୍ଣାଙ୍ଗ ନିମନ୍ତେ ସମୟସୀମା ଧାର୍ଯ୍ୟକରି ସେହି ଅନୁସାରେ ସାପ୍ତାହିକ ଓ ମାସିକ କାର୍ଯ୍ୟ – ସାରଣୀ ପ୍ରସ୍ତୁତ ଓ ତାହାର ତଦାରଖ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ପରେ ପରେ ଶ୍ରୀ ମହାପାତ୍ର ମା ସମଲେଇଙ୍କୁ ଦର୍ଶନ କରି ସେଠାରେ ଚାଲିଥିବା ଉନ୍ନୟନ କାର୍ଯ୍ୟପାଇଁ ପ୍ରସ୍ତୁତିର ଅଗ୍ରଗତି ଲକ୍ଷ୍ୟ କରିଥିଲେ। ମନ୍ଦିରରେ ଲାଇଟ ଏବଂ ସାଉଣ୍ଡ ସୋ ର ସଠିକ କାର୍ଯ୍ୟକାରିତା ତନଖି ଥିଲେ। ଏହି ଆଲୋକ ଓ ଧ୍ଵନି ପ୍ରଦର୍ଶନ ରେ ସମ୍ବଲପୁର ଇତିହାସ, ଐତିହ, କଳା, ସଂସ୍କୃତି, ଆଧ୍ୟାତ୍ମିକତା, କୃଷି, ଲୋକ ପରମ୍ପରା ଉପରେ ଆଧାରିତ କଥାବସ୍ତୁ ରଙ୍ଗୀନ ଆଲୋକ ଓ ଶବ୍ଦ ଦ୍ୱାରା ସନ୍ନିବେଶିତ ହୋଇଛି।

ଏଥିରେ ମଧ୍ୟ ସମ୍ବଳିକା ସମ୍ପର୍କରେ ଗ୍ରିକ ଦାର୍ଶନିକ ଟଲେମିଙ୍କ ଉଲ୍ଲେଖ ଠାରୁ ଆରମ୍ଭ କରି ଚୌହାନ ଵଂଶର ଆଗମନ, ବଳରାମ ଦେବଙ୍କ ଦ୍ୱାରା ସମଲେଇ ମନ୍ଦିର ନିର୍ମାଣ ଓ ସମ୍ବଲପୁର ନଗର ସ୍ଥାପନ, ବ୍ରିଟିଶ ରାଜ, ସୁରେନ୍ଦ୍ର ସାଏଙ୍କ ସଂଗ୍ରାମ ଆଦି ବିଭିନ୍ନ ଐତିହାସିକ କଥାବସ୍ତୁ ସ୍ଥାନିତ ହୋଇଛି। ଏହି ଲାଇଟ ଏବଂ ସାଉଣ୍ଡ ପ୍ରଦର୍ଶନ କୁ ଉଭୟ ଓଡ଼ିଆ ଓ ହିନ୍ଦୀ ଭାଷାରେ ପରିବେଷଣ ର ବ୍ୟବସ୍ଥା ରହିଛି। ଏ ପ୍ରକାର ରୁଦ୍ଧିମନ୍ତ ଲାଇଟ୍ ଓ ସାଉଣ୍ଡ ସୋ ପ୍ରସ୍ତୁତି ଓ ପରିବେଷଣ ଭକ୍ତ ତଥା ପର୍ଯ୍ୟଟକମାନଙ୍କୁ ବିଶେଷ ଭାବେ ଆକୃଷ୍ଟ କରିବ ବୋଲି ମୁଖ୍ୟ ଶାସନ ସଚିବ କହିଥିଲେ।

ଏହି ଗସ୍ତ ସମୟରେ ଅନ୍ୟ ମାନଙ୍କ ସହ ଉତ୍ତରାଞ୍ଚଳ ରାଜସ୍ବ କମିଶନର ଡ. ସୁରେଶ ଚନ୍ଦ୍ର ଦଳେଇ, ସମ୍ବଲପୁର ଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ପରିଡା ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର

ଇବ୍ ନଦୀ ଉପରେ ବ୍ୟାରେଜ ନିର୍ମାଣ କାର୍ଯ୍ୟ ଶୀଘ୍ର ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ

ସୁନ୍ଦରଗଡ଼ : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ମହାପାତ୍ର ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର କ୍ଷେତ୍ରସ୍ତରୀୟ ଅଗ୍ରଗତି ଅନୁଧ୍ୟାନ କରିଥିଲେ। ପ୍ରଥମେ ସେ ସୁନ୍ଦରଗଡ଼ ସଦର ବ୍ଲକ୍ ଅନ୍ତର୍ଗତ କୋପସିଙ୍ଗାଠାରେ ବ୍ୟାରେଜ ନିର୍ମାଣ ପ୍ରସ୍ତୁତି ପରିଦର୍ଶନ କରିବା ସହ ସୁନ୍ଦରଗଡ଼ ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ ଟ୍ରାଫିକ ପରିଚାଳନା ପାଇଁ ଅତ୍ୟାଧୁନିକ କମାଣ୍ଡ ସେଣ୍ଟର ଓ କଣ୍ଟ୍ରୋଲ ରୁମ୍ ବୁଲି ଦେଖିଥିଲେ।

ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ମହାପାତ୍ର କହିଥିଲେ ଯେ, କୋପସିଙ୍ଗା ଏବଂ କୁଡ଼ାବଗାଠାରେ ବ୍ୟାରେଜ କାର୍ଯ୍ୟକ୍ଷମ ହେଲେ ସୁନ୍ଦରଗଡ଼ ସହର ସହିତ ଆଖପାଖ ଅଞ୍ଚଳବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ହୋଇପାରିବ। ଚାଷଜମିକୁ ଜଳସେଚନର ସୁବିଧା ହେବା ସହିତ ଭୂତଳ ଜଳସ୍ତର ମଧ୍ୟ ପୁନଃ ଭରଣ ହୋଇପାରିବ। ଏହି ଦୁଇଟି ବ୍ୟାରେଜ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଶେଷ ହେବ। ୨୪, ୭୭୯ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ କୋପସିଙ୍ଗା ବ୍ୟାରେଜ ପ୍ରକଳ୍ପ ନିର୍ମାଣ କରାଯାଉଛି। ଏହାର ଲମ୍ବ ୫୦୦ ମିଟରରୁ ଅଧିକ ରହିଥିବା ବେଳେ ଏଥିରେ ୫ଟି ସ୍ଲୁଇସ୍ ଗେଟ୍ ରହିବ।

ସୂଚନାଯୋଗ୍ୟ, ରାଜ୍ୟ ସରକାରଙ୍କ ‘କନଷ୍ଟ୍ରକସନ ଅଫ୍ ଇନ-ଷ୍ଟ୍ରିମ ଷ୍ଟୋରେଜ ଷ୍ଟ୍ରକଚର’ ଯୋଜନା ଅଧୀନରେ ସୁନ୍ଦରଗଡ଼ ଜିଲ୍ଲାର କୋପସିଙ୍ଗା ଏବଂ କୁଡ଼ାବଗାଠାରେ ଇବ୍ ନଦୀ ଉପରେ ଦୁଇଟି ବ୍ୟାରେଜ ନିର୍ମାଣ କରାଯାଉଛି। ନିକଟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।

ସୁନ୍ଦରଗଡ଼ ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ନିମନ୍ତେ ଆବଶ୍ୟକ ବ୍ୟବସ୍ଥା କରାଯାଉଛି। ଇତିମଧ୍ୟରେ ନ୍ୟାସନାଲ ମେଡିକାଲ କାଉନସିଲ ଏହି କଲେଜ ପରିଦର୍ଶନ କରି ଏହାର ଭିତ୍ତିଭୂମି ବ୍ୟବସ୍ଥା ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି। କାଉନସିଲର ଅନୁମତି ଆସିଲେ ଚଳିତବର୍ଷଠାରୁ କଲେଜରେ ନାମଲେଖା ଆରମ୍ଭ କରିବା ନିମେନ୍ତ ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ଏହି ଗସ୍ତ ଅବସରରେ ଶ୍ରୀ ମହାପାତ୍ର ସୁନ୍ଦରଗଡ଼ ଜିଲ୍ଲାରେ ସଡ଼କ ସୁରକ୍ଷା ନିମନ୍ତେ କାର୍ଯ୍ୟକାରୀ କରାଯାଇଥିବା ସମନ୍ୱିତ ଟ୍ରାଫିକ୍ ପରିଚାଳନା ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ। ଏହି ବ୍ୟବସ୍ଥା ରାସ୍ତାରେ ଅପରାଧ ଓ ଦୁର୍ଘଟଣା ଆଦି ନିୟନ୍ତ୍ରଣ କରିବାରେ ବିଶେଷ ସହାୟକ ହେବ ବୋଲି ଶ୍ରୀ ମହାପାତ୍ର କହିଥିଲେ।

ଗାଡ଼ିର ବେଗ ନିୟନ୍ତ୍ରଣ ପାଇଁ ୧୦ ନମ୍ବର ରାଜ୍ୟ ରାଜପଥର ଭସ୍ମା ଛକଠାରୁ ବେଦବ୍ୟାସ ଏବଂ ୧୪୩ ନମ୍ବର ଜାତୀୟ ରାଜପଥର ବେଦବ୍ୟାସ ଛକଠାରୁ ବୀରମିତ୍ରପୁର ପର୍ଯ୍ୟନ୍ତ ରାସ୍ତାର ବିଭିନ୍ନ ସ୍ଥାନରେ କ୍ୟାମେରା ଖଞ୍ଜାଯାଇଛି। ସୁନ୍ଦରଗଡ଼ଠାରେ ଥିବା କଣ୍ଟ୍ରୋଲ ରୁମ୍ ଓ କମାଣ୍ଡ ସେଣ୍ଟର ବସି ଏସବୁ ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ ମୁଖ୍ୟ ଶାସନ ସଚିବ। ଏହି ପଦକ୍ଷେପ ପାଇଁ ସେ ଜିଲ୍ଲା ପ୍ରଶାସନକୁ ପ୍ରଶଂସା କରିଥିଲେ।

ଏହି ଗସ୍ତ ବେଳେ ମୁଖ୍ୟ ଶାସନ ସଚିବଙ୍କ ସହିତ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ, ଏସପି ସାଗରିକା ନାଥ, ଅତିରିକ୍ତ ଜିଲ୍ଲାପାଳ ରବି ନାରାୟଣ ସାହୁ, ଉପଜିଲ୍ଲାପାଳ ଅଭିମନ୍ୟୁ ବେହେରା, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର, ସୁନ୍ଦରଗଡ଼ ମେଡିକାଲ କଲେଜର ଆଣ୍ଡ ହସ୍ପିଟାଲର ସୁପରିଣ୍ଟେଣ୍ଡେଣ୍ଟ ପ୍ରଫେସର ଡାକ୍ତର ପଙ୍କଜ ପରିଡ଼ା, ଡିନ୍ ପ୍ରଫେସର ଡାକ୍ତର ଦୈତାରୀ ରାଉତରାୟ, ଜଳସମ୍ପଦ ବିଭାଗର ମହାନଦୀ ବେସିନର ମୁଖ୍ୟ ଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ, ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ସରୋଜ କୁମାର ପାଣିଗ୍ରାହୀ, ସୁନ୍ଦରଗଡ଼ ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଶିବ ପ୍ରସାଦ ମହାରଣାଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ଆବଶ୍ୟକୀୟ ତଥ୍ୟ ଉପସ୍ଥାପନ କରିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ଖୁବ ଶିଘ୍ର ଭୁବନେଶ୍ବରରୁ ରାଉରକେଲା ଉଡିବ ବିମାନ, ମୁଖ୍ୟ ଶାସନ ସଚିବ କଲେ ସମୀକ୍ଷା

ରାଉରକେଲା : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ମହାପାତ୍ର ରାଉରକେଲା ଗସ୍ତରେ ଆସି ୨୦୨୩ରେ ଖେଳା ଯିବାକୁ ଥିବା ପୁରୁଷ ବିଶ୍ୱକପ ହକି ଲାଗି ସମୀକ୍ଷା ବୈଠକ କରିଛନ୍ତି। ବିଭିନ୍ନ ବିଭାଗର ଅଧିକାରୀଙ୍କ ସହିତ ହକି ଷ୍ଟାଡିୟମର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ସହ ବିଭିନ୍ନ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟ ଶାସନ ସଚିବ ସମୀକ୍ଷା କରିବା ପରେ ଗଣାମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି ଯେ, ୨୦୨୩ରେ ଭୁବନେଶ୍ୱର ଓ ରାଉରକେଲାରେ ପୁରୁଷ ବିଶ୍ଵକପ ହକି ଖେଳାଯିବ। ଏଥିପାଇଁ ରାଉରକେଲାଠାରେ ଦେଶର ସର୍ବ ବୃହତ୍ ହକି ଷ୍ଟାଡିୟମ ନିର୍ମାଣ କରାଯାଉଛି। ଏଠାରେ ୨୦ ହଜାର ଦର୍ଶକ ଏକାସାଙ୍ଗରେ ବସି ଖେଳ ଉପଭୋଗ କରିପାରିବେ।

ଏହି ଷ୍ଟାଡିୟମ ନିର୍ମାଣ କାମର ନିୟମିତ ଅଗ୍ରଗତି ସମୀକ୍ଷା କରାଯାଉଛି। ଷ୍ଟାଡିୟମକୁ ସଂଯୋଗ କରୁଥିବା ରାସ୍ତାଗୁଡ଼ିକର ମଧ୍ୟ ଉନ୍ନତିକରଣ କରାଯାଉଛି। ଖୁବଶୀଘ୍ର ମୁଖ୍ୟ ଷ୍ଟାଡିୟମର ଗ୍ୟାଲେରୀ ଏବଂ ଖେଳାଳିମାନଙ୍କ ଅଭ୍ୟାସ ପାଇଁ ଥିବା ପଡ଼ିଆ ପ୍ରସ୍ତୁତ ହୋଇଯିବ। ସେଠାରେ ବିଶ୍ୱକପ ପୂର୍ବରୁ ଅଭ୍ୟାସ ମ୍ୟାଚଗୁଡ଼ିକ ଆୟୋଜନ କରାଯିବାର କାର୍ଯ୍ୟକ୍ରମ ରହିଛି। ବିପିୟୁଟି କ୍ୟାମ୍ପସରେ ଖେଳାଳିମାନଙ୍କ ରହିବା ପାଇଁ ବିଶେଷ ବ୍ୟବସ୍ଥା କରାଯାଉଛି।

ପୁରୁଷ ବିଶ୍ଵକପ ହକିକୁ ଦୃଷ୍ଟିରେ ରଖି ସ୍ମାର୍ଟ ସିଟି ରାଉରକେଲାରେ ଅନେକ ଉନ୍ନୟନମୂଳକ କାମ ଚାଲିଛି। ବିଶେଷକରି ପାର୍କଗୁଡ଼ିକର ବିକାଶ ଓ ଅନ୍ୟାନ୍ୟ ସୌନ୍ଦର୍ଯ୍ୟକରଣ କାମ କରାଯାଉଛି। ନିର୍ଦ୍ଧାରିତ ସମୟ ପୂର୍ବରୁ କାମ ସାରିବା ପାଇଁ ମୁଖ୍ୟ ଶାସନ ସଚିବ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ସେହିପରି ରାଉରକେଲା ବିମାନ ବନ୍ଦରରେ ମଧ୍ୟ ବିଭିନ୍ନ ପ୍ରକାରର ଭିତ୍ତିଭୂମି ନିର୍ମାଣ କାମ ଚାଲିଛି। ଅକ୍ଟୋବର ସୁଦ୍ଧା ନିର୍ମାଣ କାମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିବା ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କହିଛନ୍ତି। ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେଲେ ଭୁବନେଶ୍ୱରରୁ ରାଉରକେଲାକୁ ସିଧାସଳଖ ବିମାନ ଚଳାଚଳ କରିପାରିବ। ପୁରୁଷ ବିଶ୍ୱକପ ହକି ବେଳେ ଖେଳାଳିମାନେ ବିମାନ ଯୋଗେ ରାଉରକେଲାରେ ପହଞ୍ଚି ପାରିବେ।

ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ ବ୍ରାହ୍ମଣୀ ନଦୀରେ ଚାଲିଥିବା ଦ୍ଵିତୀୟ ସେତୁ ନିର୍ମାଣ ଓ ଆପ୍ରୋଚ ରୋଡର ମଧ୍ୟ ସମୀକ୍ଷା କରିଥିଲେ। ଜୁନ୍ ଶେଷ ସୁଦ୍ଧା ଆପ୍ରୋଚ ରୋଡ କାମ ସାରିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ। ଏହାଦ୍ଵାରା ବ୍ରାହ୍ମଣୀ ପୋଲ ଉପରେ ଯେଉଁ ଟ୍ରାଫିକ ସମସ୍ୟା ଦେଖାଯାଉଥିଲା ତାହା ଦୂର ହୋଇପାରିବ ବୋଲି ସେ କହିଥିଲେ।

ଏହି ସମୀକ୍ଷା ବୈଠକରେ ସୁନ୍ଦରଗଡ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ, ରାଉରକେଲା ଏସପି ମୁକେଶ କୁମାର ଭାମୁ, ପାନପୋଷ ଉପଜିଲ୍ଲାପାଳ ଦୌଲତ ଚନ୍ଦ୍ରାକର, ରାଉରକେଲା ମହାନଗର ନିଗମର ଡେପୁଟି କମିଶନର ସୁଧାଂଶୁ କୁମାର ଭୋଇ,ରାଉରକେଲା ତହସିଲଦାର ଚନ୍ଦ୍ରକାନ୍ତ ମଲ୍ଲିକ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ମୁଖ୍ୟ ଶାସନ ସଚିବ କହିଲେ ସାମ୍ବାଦିକମାନଙ୍କର ସମାଜପ୍ରତି ଗୁରୁଦାୟିତ୍ୱ ରହିଛି

ଭୁବନେଶ୍ୱର: ସାମ୍ବାଦିକତାର ସମାଜ ପ୍ରତି ଗୁରୁଦାୟିତ୍ୱ ରହିଛି। ଗଣମାଧ୍ୟମ ଗଣ ସଚେତନତାର ବାହକ। ସାମ୍ବାଦିକମାନେ ସାମାଜିକ ପ୍ରତିବନ୍ଧିତା ସହ ନିରପେକ୍ଷ ସମ୍ବାଦ ପରିବେଷଣ କଲେ ସମାଜର ମଙ୍ଗଳ ସାଧନ ହେବ ବୋଲି ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି। ଆଜି ସ୍ଥାନୀୟ ଜୟଦେବ ଭବନଠାରେ ଉତ୍କଳ ସାମ୍ବାଦିକ ସଂଘ ଓ ଭୁବନେଶ୍ୱର ସାମ୍ବାଦିକ ସଂଘଙ୍କ ଦ୍ୱାରା ମିଳିତ ଭାବେ ଆୟୋଜିତ ରାଜ୍ୟସ୍ତରୀୟ ସାମ୍ବାଦିକ ସମ୍ମେଳନକୁ ଉଦ୍ଘାଟନ କରି ଶ୍ରୀ ମହାପାତ୍ର ଏହା କହିଥିଲେ।

ଶ୍ରୀ ମହାପାତ୍ର ଆହୁରି ମଧ୍ୟ କହିଥିଲେ ଯେ କ୍ଷେତ୍ରସ୍ତରରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ସୁରକ୍ଷା ଓ ଅଧିକ ଟଙ୍କାର ସ୍ୱାସ୍ଥ୍ୟବୀମା ଆଦି ସାମ୍ବାଦିକମାନଙ୍କ ଆବଶ୍ୟକତା ବିଷୟରେ ସରକାର ସଚେତନ ଅଛନ୍ତି। କାର୍ଯ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣକାରୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଜିଲ୍ଲାପାଳ ଓ ଏସ୍.ପି.ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସାମ୍ବାଦିକମାନଙ୍କର ଅନ୍ୟାନ୍ୟ ଆବଶ୍ୟକତା ଓ ଦାବି ବିଷୟରେ ସରକାର ସହୃଦୟତାର ବିଚାର କରୁଛନ୍ତି ବୋଲି ମଧ୍ୟ ମୁଖ୍ୟ ଶାସନ ସଚିବ କହିଥିଲେ।

ଏହି ଅବସରରେ ବିଶ୍ୱ ପ୍ରେସ୍ ସ୍ୱାଧିନତା ଦିବସ ଉପଲକ୍ଷେ ଜୟଦେବ ଭବନ ପରିସରରେ ଆୟୋଜିତ ଫଟୋଚିତ୍ର ପ୍ରଦର୍ଶନୀକୁ ଶ୍ରୀ ମହାପାତ୍ର ବୁଲି ଦେଖିଥିଲେ। ରାଜ୍ୟର ବିଭିନ୍ନ ସ୍ଥାନରୁ ସାମ୍ବାଦିକତା କ୍ଷେତ୍ରରେ ଉତ୍ତମ କାର୍ଯ୍ୟ କରିଥିବା ୭ ଜଣ ଯୁବ ସାମ୍ବାଦିକଙ୍କୁ ମଧ୍ୟ ମୁଖ୍ୟ ଶାସନ ସଚିବ ମାନପତ୍ର ଓ ଉପତୌକନ ଦେଇ ଉତ୍ସାହିତ କରିବା ସହ ଉତ୍କଳ ସାମ୍ବାଦିକ ସଂଘର ମୁଖପତ୍ର ‘ଓଡ଼ିଶା ବାର୍ତ୍ତାଜୀବୀ’ ଉନ୍ମୋଚନ କରିଥିଲେ।

ସମ୍ବର୍ନ୍ଧିତ ହୋଇଥିବା ସାମ୍ବାଦିକମାନେ ହେଲେ ସର୍ବଶ୍ରୀ ପୂର୍ଣ୍ଣ ଚନ୍ଦ୍ର ନାୟକ, ରାଜେନ୍ ଚୌଧୂରୀ, ଜିତେନ୍ଦ୍ର ସାହୁ, ଭରତ ବେହେରା, ମନୋଜ ପ୍ରଧାନ, ରାମଚନ୍ଦ୍ର ପାଲ୍ ଓ ପ୍ରତାପ ପ୍ରଧାନ। ଉତ୍କଳ ସାମ୍ବାଦିକ ସଂଘର ସଭାପତି ଶ୍ରୀ ବିଭୁତି ଭୂଷଣ କରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମ୍ମେଳନର ଉଦ୍ଘାଟନୀ ପର୍ଯ୍ୟାୟରେ ସମାଜର ପୂର୍ବତନ ଖବର- ସଂପାଦକ ତଥା ଉତ୍କଳ ସାମ୍ବାଦିକ ସଂଘର ମୁଖ୍ୟ ଉପଦେଷ୍ଟା ଶ୍ରୀ ପ୍ରଦୋଷ ପଟ୍ଟନାୟକ ସମ୍ମାନିତ ଅତିଥିଭାବେ ଯୋଗଦେଇ ମୂଲ୍ୟବୋଧ ଭିତ୍ତିକ ସମ୍ବାଦିକତାର ଗୁରୁତ୍ୱ ଉପରେ ଉଦ୍ବୋଧନ ଦେଇଥିଲେ।

ସାମ୍ବାଦିକ କଲ୍ୟାଣ ବୋର୍ଡର ସାଧାରଣ ସଂପାଦକ ଶ୍ରୀ ସନତ କୁମାର ମିଶ୍ର ଅତିଥି ପରିଚୟ ପ୍ରଦାନ ସହ ସମ୍ମେଳନର ସଂଯୋଜନା କରିଥିଲେ । ସଭାପତି ଶ୍ରୀ କର କାର୍ଯ୍ୟରତ ସାମ୍ବାଦିକମାନଙ୍କ କ୍ଷେତ୍ରସ୍ତରୀୟ ବାସ୍ତବ ସମସ୍ୟାଗୁଡିକ ପ୍ରତି ମୁଖ୍ୟ ଶାସନ ସଚିବଙ୍କ ଦୃଷ୍ଟି ଆକର୍ଶଣ କରିଥିଲେ । ଭୁବନେଶ୍ୱର ସାମ୍ବାଦିକ ସଂଘର ସଭାପତି ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ, ବରିଷ୍ଠ ସାମ୍ବାଦିକ ତଥା ଓଡ଼ିଶା ସାମ୍ବାଦିକ ସଂଘର କର୍ମକର୍ତ୍ତା ଶ୍ରୀ ପ୍ରଦ୍ୟୁମ୍ନ ମହାନ୍ତି, ଶ୍ରୀ ରାଜେନ ପ୍ରଧାନ ଓ ଶ୍ରୀ ଭାଗବତ ପ୍ରସାଦ ତ୍ରିପାଠୀ ପ୍ରମୁଖ ସମ୍ମାନିତ ଅତିଥିଭାବେ ଉଦ୍ଘାଟନୀ ଉତ୍ସବରେ ଯୋଗ ଦେଇଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ସାଂସ୍କୃତିକ ଓ କ୍ରୀଡ଼ା ସଂସଦର ବାର୍ଷିକ ଉତ୍ସବ

ଭୁବନେଶ୍ବର: ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ସାଂସ୍କୃତିକ ଓ କ୍ରୀଡ଼ା ସଂସଦର ବାର୍ଷିକ ଉତ୍ସବ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଦ୍ଵାରା ଆଜି ରବୀନ୍ଦ୍ର ମଣ୍ଡପ ଠାରେ ଉଦଘାଟିତ ହୋଇଯାଇଛି।

ନିଜର ଉଦ୍ଘାଟନୀ ଅଭିଭାଷଣରେ ମୁଖ୍ୟ ଶାସନ ସଚିବ କହିଥିଲେ ଯେ ସାଂସ୍କୃତିକ କାର୍ଯ୍ୟକ୍ରମ ପରସ୍ପର ମଧ୍ୟରେ ଟିମ୍ ମନୋଭାବ ସୃଷ୍ଟି କରିଥାଏ। ସାଧାରଣ ପ୍ରଶାସନ ସାଂସ୍କୃତିକ ସଂସଦର ସଦସ୍ୟମାନେ ସଠିକ୍ ଭାବେ ନିଜର ଅଫିସ କାର୍ଯ୍ୟ ସଂପାଦନ କରିବା ସହ ସାମାଜିକ ଓ ସାଂସ୍କୃତିକ ଦାୟିତ୍ୱବୋଧ ତୁଲାଇ ଥିବାରୁ ଶ୍ରୀ ମହାପାତ୍ର ସେମାନଙ୍କୁ ସାଧୁବାଦ ଜଣାଇ ଥିଲେ।

ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ କୃଷି ଉତ୍ପାଦନ କମିଶନର ଶ୍ରୀ ସଞ୍ଜୀବ ଚୋପ୍ରା, ଅତିରିକ୍ତ ଶାସନ ସଚିବ ଶ୍ରୀ ଗଣେଶ ପାତ୍ର, ମାହାଲ ନିର୍ଦ୍ଦେଶକ ଶ୍ରୀ ସୁଶାନ୍ତ କୁମାର ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସମବେତ ସଭ୍ୟ ସଭ୍ୟା ଓ ଦର୍ଶକ ମଣ୍ଡଳୀଙ୍କୁ ଉଦବୋଧନ ଦେଇଥିଲେ। ଏହି ଅବସରେ ସାଂସ୍କୃତିକ ପରିଷଦର ମୁଖପତ୍ର ସତୀର୍ଥ ର ବାର୍ଷିକ ସଂଖ୍ୟାକୁ ମୁଖ୍ୟ ଶାସନ ସଚିବ ଏବଂ ସମ୍ମାନିତ ଅଟିଥିମାନେ ଉନ୍ମୋଚିତ କରିଥିଲେ।

ସାଂସ୍କୃତିକ ଓ କ୍ରୀଡ଼ା ପରିଷଦ ଦ୍ଵାରା ଆୟୋଜିତ ସୃଜନାତ୍ମକ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ପୁରସ୍କାର ଓ ପ୍ରମାଣ ପତ୍ର ଦେଇ ଉତ୍ସାହିତ କରିଥିଲେ। ସଂସଦର କାର୍ଯ୍ୟକାରି ସଭାପତି ଶ୍ରୀକାନ୍ତ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ସମ୍ପାଦକ ଅମିୟ କୁମାର ଦାସ ବାର୍ଷିକ ବିବରଣୀ ପାଠ କରିଥିଲେ।

ସାଧାରଣ ସଭା ପରେପରେ ସଂସଦର ସଦସ୍ୟ ମାନଙ୍କ ଦ୍ଵାରା ‘ଜୀବନ ଏମିତି ‘ ଶୀର୍ଷକ ଏକ ଆକର୍ଷଣୀୟ ନାଟକ ପରିବେଷଣ କରାଯାଇଥିଲା। ନାଟ୍ୟକାର ମଳୟ ରାଉତଙ୍କ ଦ୍ଵାରା ରଚିତ ଏହି ନାଟକରେ କୈଳାସ ମହାପାତ୍ର ଅଭିନୟ ନିର୍ଦ୍ଦେଶନା, ଏବଂ ଗୀତିକାର ବିନୟ ଦାସ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ। ସଦସ୍ୟ ମାନଙ୍କର ଅଭିନୟ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା।

Categories
ବିଶେଷ ଖବର ବ୍ୟବସାୟ

ତୋଷାଳି ମେଳା: କାଇଁଚ ଶିଳ୍ପର ଜିଆଇ ଟ୍ୟାଗ ପାଇଁ ଚାଲିଛି ପକ୍ରିୟା; ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ଆଜି ଷୋଡ଼ଶ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳାର ଏଗାର ଦିନ ସନ୍ଧ୍ୟାରେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ପ୍ରଦୀପ ପ୍ରଜ୍ୱଳନ ସହ ଜଗନ୍ନାଥଙ୍କ ପାଦରେ ପୁଷ୍ପଗୁଚ୍ଛ ନିବେଦନ କରି ମେଳାର ଶୁଭାରମ୍ଭ କରିଥିଲେ।

ଏହି ଅବସରରେ ସମବେତ ଶିଳ୍ପୀ, କଳାକାର, ବୁଣାକାର ଓ ଦର୍ଶକମାନଙ୍କୁ ଉଦ୍‌ବୋଧନ ଦେଇ ଶ୍ରୀ ମହାପାତ୍ର କହିଥିଲେ ଯେ କୋଭିଡ୍‌ ପରବର୍ତ୍ତୀ ଅବସ୍ଥାରେ ପ୍ରଥମ ଥର କରି ତୋଷାଳି ମେଳାକୁ ସମାରୋହ ଓ ସଫଳତାର ସହିତ ଆୟୋଜନ କରାଯାଇଛି । ଏହା କୋଭିଡ୍‌ କ୍ଷତିଗ୍ରସ୍ତ ଶିଳ୍ପୀମାନଙ୍କ ପାଇଁ ନୂଆ ଆଶା ସଂଚାର କରିଛି । ପ୍ରଦର୍ଶନୀକୁ ଦୈନିକ ହଜାର ହଜାର ସଂଖ୍ୟାର ଦର୍ଶକ ପରିଦର୍ଶନ କରୁଛନ୍ତି ଏବଂ ଶିଳ୍ପୀ ଓ କାରିଗରମାନଙ୍କର ଉତ୍ପାଦିତ ଦ୍ରବ୍ୟ ବିକ୍ରି ବହୁଗୁଣିତ ହୋଇଛି।

କାଇଁଚ ଶିଳ୍ପ ଓଡ଼ିଶାର ଏକ ସ୍ୱତନ୍ତ୍ର ହସ୍ତଶିଳ୍ପ। କାଇଁଚ ଶିଳ୍ପୀମାନେ ଦୈନିଦିନ ଜୀବନରେ ବ୍ୟବହାର୍ଯ୍ୟ ପଦାର୍ଥଠାରୁ ଆରମ୍ଭ କରି କାର୍ଯ୍ୟାଳୟ ଓ ବିଭିନ୍ନ ପ୍ରକାର ସାଜସଜ୍ଜାରେ ଆବଶ୍ୟକ ପଡ଼ୁଥିବା ଦ୍ରବ୍ୟ ଉତ୍ପାଦନ କରନ୍ତି। ଏହି ଶିଳ୍ପୀମାନଙ୍କର ଉତ୍ପାଦ ବେଶ୍‌ ଆକର୍ଷଣୀୟ ଏବଂ ଉପଯୋଗୀ। କାଇଁଚ ହସ୍ତଶିଳ୍ପକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଲୋକପି୍ରୟ କରିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ପ୍ରଚେଷ୍ଟା ଆରମ୍ଭ କରାଯାଇଛି ବୋଲି ଶ୍ରୀ ମହାପାତ୍ର କହିଥିଲେ।

କେନ୍ଦ୍ରାପଡ଼ା କାଇଁଚ ଉତ୍ପାଦର ଜି.ଆଇ. ଟ୍ୟାଗିଂ ପାଇଁ ମଧ୍ୟ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଥିଲେ। ମୁଖ୍ୟ ଶାସନ ସଚିବ ଆହୁରି ମଧ୍ୟ କହିଥିଲେ ଯେ ହସ୍ତଶିଳ୍ପୀ ଓ କାରିଗରମାନଙ୍କୁ ବର୍ଷତମାମ୍‌ ବିକି୍ରବଟା ସୁଯୋଗ ଦେବା ନିମନ୍ତେ ରାଜ୍ୟ ସରକାରଙ୍କ ତରଫରୁ ଭୁବନେଶ୍ୱର ଏକାମ୍ର ହାଟରେ ସ୍ୱତନ୍ତ୍ର ଷ୍ଟଲମାନ ପ୍ରତିଷ୍ଠା କରାଯାଇଛି। ପୁରୀ ଓ କୋଣାର୍କରେ ଥିବା ନୀଳାଚଳ ଓ କୋଣାର୍କ ହାଟକୁ ନବୀକରଣ କରାଯାଇ ବର୍ଷତମାମ୍‌ ଚାଲୁ କରାଯିବାର ବ୍ୟବସ୍ଥା କରାଯାଉଛି ବୋଲି ମଧ୍ୟ ସେ କହିଥିଲେ।

ବିଭାଗୀୟ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା ଜଣାଇଥିଲେ ଯେ କେନ୍ଦ୍ରାପଡ଼ା ଜିଲ୍ଲାରୁ ପ୍ରାୟ ୩ ହଜାର କାଇଁଚ ଶିଳ୍ପୀଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରୁ ପ୍ରାୟ ଶତକଡ଼ା ୯୦ ଭାଗ ହେଉଛନ୍ତି ମହିଳା। ଚିହ୍ନିତ ଶିଳ୍ପୀମାନଙ୍କୁ ଆଧୁନିକ କାଇଁଚ କଳା ବିଷୟରେ ତାଲିମ ଦେବା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଇତି ମଧ୍ୟରେ ୯୬୫ ଜଣଙ୍କୁ ତାଲିମ ଦିଆସରିଛି ଏବଂ ଆଉ ୫୦୦ ଜଣଙ୍କର ତାଲିମ କାର୍ଯ୍ୟକ୍ରମ ଚାଲୁ ରହିଛି। ଚଳିତ ବର୍ଷ ଅକେଫାବର ଶେଷ ସୁଦ୍ଧା ସମସ୍ତ ଚିହ୍ନିତ ଶିଳ୍ପୀମାନଙ୍କୁ ତାଲିମ ଦିଆଯିବ ବୋଲି ଶ୍ରୀମତୀ ଶର୍ମା ଜଣାଇଥିଲେ।

ସୂଚନାଯୋଗ୍ୟ, ଚଳିତ ବର୍ଷ ପ୍ରାୟ ୪୫୦ ଷ୍ଟଲରେ ବିଭିନ୍ନ ହସ୍ତଶିଳ୍ପ ଓ ହସ୍ତତନ୍ତ ସାମଗ୍ରୀ ପ୍ରଦର୍ଶିତ ଓ ବିକ୍ରୟ ହେଉଛି। ଓଡ଼ିଶା ସମେତ ପ୍ରାୟ ୨୪ଟି ରାଜ୍ୟରୁ କାରିଗର ଓ ବୁଣାକାରମାନେ ନିଜ ନିଜ ଉତ୍ପାଦ ବିକ୍ରିବଟା କରୁଛନ୍ତି। ମୁଖ୍ୟ ଶାସନ ସଚିବ ମେଳାରେ ବିଭିନ୍ନ ଷ୍ଟଲ ବୁଲିବା ସହ ଶିଳ୍ପୀ ଓ ବୁଣାକାରଙ୍କ ସହ ଆଲୋଚନା କରିଥିଲେ। ଶିଳ୍ପୀ ଓ ବୁଣାକାରମାନେ ସଂପୃକ୍ତ ହସ୍ତଶିଳ୍ପର ବିକାଶ ନିମନ୍ତେ ଆବଶ୍ୟକୀୟ ମତାମତ ଦେଇଥିଲେ।

ମେଳାର ଅନ୍ୟ ଏକ ଆକର୍ଷଣ ହେଉଛି ବିଭିନ୍ନ ପ୍ରକାରର ଓଡ଼ିଆ ଖାଦ୍ୟଦ୍ରବ୍ୟ, ସୁସ୍ୱାଦୁ ଆମିଷ ଓ ନିରାମିଷ ଖାଦ୍ୟ ଷ୍ଟଲ। ଏସବୁ ଖାଦ୍ୟ ଦର୍ଶକମାନଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ସନ୍ଧ୍ୟାରେ ଗୁରୁ ଶତ୍ରୁଘ୍ନ ନାୟକ ଏବଂ ସାଥୀ କଳାକାର, ସାଂସ୍କୃତିକ ଅନୁଷ୍ଠାନ ‘ନୃତ୍ୟ ପ୍ରତିଭା’ ଓ ‘ବିନାରୀ ୱେଲ୍‌ଫେୟାର ଅର୍ଗାନାଇଜେସନ୍‌’ର କଳାକାରମାନଙ୍କ ଦ୍ୱାରା ଓଡ଼ିଶୀ, ଦେବଦାସୀ ଓ ମାହାରୀ ନୃତ୍ୟ ପରିବେଷଣ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଜଗନ୍ନାଥଙ୍କ ଚୁଲି ଭାଙ୍ଗିବା ଘଟଣା, ରାତିରେ ସେଠାରେ କେହି ଲୁଛି ଥିଲେ ବୋଲି କହିଲେ ମୁଖ୍ୟ ସଚିବ

ପୁରୀ: ପ୍ରଭୃ ଶ୍ରୀଜଗନ୍ନାଥଙ୍କ ଚୁଲି ଭାଙ୍ଗିବା ଘଟଣାର ନୂଆ ତଥ୍ୟ ପଦାକୁ ଆସିଛି। ତାହା ହେଲା ଯେ, ରାତିରେ ଶ୍ରୀମନ୍ଦିର ବନ୍ଦ ପୂର୍ବରୁ ସେହି ସ୍ଥାନରେ କେହି ଲୁଚି ରହିଥିବାର ସନ୍ଦେହ ହେଉଛି। ଫଳରେ ସେ ରାତିରେ ଏହି ଚୁଲା ଭଙ୍ଗା କାର୍ଯ୍ୟ କରିଛି। ପରେ ସକାଳେ ମନ୍ଦିର ଖୋଲିବା ପରେ ଭକ୍ତଙ୍କ ମେଳରେ ସେ ଖସି ପଳାଇଛି। ଏହିପରି ତଥ୍ୟ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର।

ଆଜି ସଂଧ୍ୟାରେ ମୁଖ୍ୟଶାସନ ସଚିବ ଏବଂ ପୋଲିସ ଡିଜି ଶ୍ରୀମନ୍ଦିର ଯାଇ ପରିସ୍ଥିତି ଅନୁଧ୍ୟାନ କରିଥିଲେ। ସେଠାରେ ସେ ଜଗନ୍ନାଥଙ୍କ ଚୁଲା ବାହାରୁ ଦେଖିବା ସହିତ ସିସିଟିଭି ଫୁଟେଜ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହି ଫୁଟେଜକୁ ଅନୁଧ୍ୟାନ କରାଯାଉଛି। ଏହାପରେ ପ୍ରକୃତ ତଥ୍ୟ ଆସିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।

Categories
ବିଶେଷ ଖବର ବ୍ୟବସାୟ

ମୁଖ୍ୟ ଶାସନ ସଚିବଙ୍କ ଦ୍ୱାରା ବିଦ୍ୟୁତ ଯାନ ସବ୍‌ସିଡ଼ି ପୋର୍ଟାଲର ଶୁଭାରମ୍ଭ

ଭୁବନେଶ୍ୱର: ରାଜ୍ୟରେ ପରିବେଶ  ଅନୁକୂଳ ବିଦ୍ୟୁତ  ଯାନ  ବ୍ୟବହାରକୁ ପ୍ରୋତ୍ସାହିତ  କରିବା ନିମନ୍ତେ  ଉଦ୍ଧିଷ୍ଟ ବିଦ୍ୟୁତ ଯାନ  ନିୟାମକ-୨୦୨୧ ର ତ୍ୱରାନିତ୍ୱ କାର୍ଯ୍ୟାନ୍ୱୟନ  ନିମନ୍ତେ  ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର  ବିଦ୍ୟୁତ ଯାନ  ସବ୍‌ସିଡ଼ି  ପୋର୍ଟାଲ​‌ର ଶୁଭାରମ୍ଭ  କରିଛନ୍ତି।

ଲୋକସେବା  ଭବନରେ ଆୟୋଜିତ ଏକ  ସଭାରେ ବାଣିଜ୍ୟ ଓ ପରିବହନ ବିଭାଗ  ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ, ବୈଦ୍ୟୁତିକ  ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗ  ଶାସନ ସଚିବ ମନୋଜ  କୁମାର ମିଶ୍ର ଏବଂ  ପରିବହନ ଆୟୁକ୍ତ ଅରୁଣ ବୋଥ୍ରାଙ୍କ  ଉପସ୍ଥିତିରେ  ମୁଖ୍ୟ ଶାସନ ସଚିବ ରାଜ୍ୟ ଲୋକସେବା ଭବନରୁ  ଆଜି ଏହି ପୋର୍ଟାଲର  ଶୁଭାରମ୍ଭ କରିଛନ୍ତି।

ପୋର୍ଟାଲକୁ ବ୍ୟାଙ୍କ୍‌ମାନଙ୍କର ଅନ୍‌ଲାଇନ୍‌ ପେମେଣ୍ଟ୍‌ ବ୍ୟବସ୍ଥା ସହ ସଂଯୋଗ କରି ପୂର୍ଣ୍ଣମାତ୍ରାରେ ସ୍ୱୟଂକ୍ରୀୟ କରିବାକୁ ଶ୍ରୀ ମହାପାତ୍ର  ନିର୍ଦ୍ଦେଶ ଦେଇଥିଲେ। ଆଜି ମଧ୍ୟ ମୁଖ୍ୟ ଶାସନ ସଚିବ ପ୍ରଥମଥର  ଭୁବନେଶ୍ୱର ଆର୍‌.ଟି.ଓ-୨ ରେ  ପଞ୍ଜୀକୃତ ୨ ଚକିଆ  ବିଦ୍ୟୁତ ଯାନ

ମାଲିକ ତ୍ରିଲୋଚନ ବେହେରାଙ୍କୁ  ସବ୍‌ସିଡ଼ି  ପ୍ରଦାନର ମଞ୍ଜୁରୀ ଦେଇଥିଲେ।

ପୋର୍ଟାଲ ବିଷୟରେ ସୂଚନା ଦେଇ  ପ୍ରମୁଖ ଶାସନ ସଚିବ  ଶ୍ରୀ ସେଠୀ  କହିଥିଲେ ଯେ  ଓଡ଼ିଶାର ବିଦ୍ୟୁତ ଯାନ  ନିୟାମକ  ଏକ ପ୍ରଗତିଶୀଳ ଏବଂ ଆଗୁଆ ନିୟମ ଏହାର ସରଳ ଓ ସୁବିଧାଜନକ କାର୍ଯ୍ୟାନ୍ୱୟନ  ନିମନ୍ତେ  ଏନ୍‌.ଆଇ.ସି.ଙ୍କ ବୈଷୟିକ  ସହାୟତାରେ ପ୍ରସ୍ତୁତ  ୱେବ୍‌ ପୋର୍ଟାଲ ମଧ୍ୟ ଦେଶରେ ସର୍ବ ପ୍ରଥମ।

ପରିବହନ ଆୟୁକ୍ତ ଶ୍ରୀ ବୋଥ୍ରା କହିଥିଲେ ଯେ  ବିଦ୍ୟୁତ ଯାନ  ମାଲିକମାନଙ୍କୁ ରାଜ୍ୟ ସରକାରଙ୍କ  ସବ୍‌ସିଡ଼ି  ସିଧାସଳଖଭାବେ  ଏହି  ପୋର୍ଟାଲ ମାଧ୍ୟମରେ  ପ୍ରଦାନ କରାଯିବ।  ଏଥି ପାଇଁ  ସେମାନଙ୍କୁ  ଆର୍‌.ଟି.ଓ ଅଫିସକୁ ଦୌଡିବାକୁ  ପଡିବ ନାହିଁ। ଶ୍ରୀ ବୋଥ୍ରା ଆହୁରି ମଧ୍ୟ  କହିଥିଲେ ଯେ  ୧.୯.୨୦୨୧ ପରଠାରୁ କିଣା ଯାଇଥିବା  ସମସ୍ତ  ବିଦ୍ୟୁତ-ଯାନ ଏହି ସବ୍‌ସିଡ଼ି  ପାଇବେ। ନିୟାମକ ଅନୁସାରେ ଏହି ବ୍ୟବସ୍ଥା  ଆସନ୍ତା ୪ ବର୍ଷ ପର୍ଯ୍ୟନ୍ତ ବଳବତ୍ତର ରହିବ।

ନିୟାମକ ବ୍ୟବସ୍ଥା ଅନୁଯାୟୀ ୨ ଚକିଆ ଯାନ  ସର୍ବାଧିକ  ୫ ହଜାର, ତିନି ଚକିଆ ଯାନ ସର୍ବାଧିକ  ୧୦ ହଜାର, ଏବଂ ଚାରି ଚକିଆ ଯାନ ସର୍ବାଧିକ ୫୦ ହଜାର ସବ୍‌ସିଡ଼ି ପାଇବେ। ତେବେ  ୨ ଚକିଆ ଯାନ  ସବ୍‌ସିଡ଼ି  ପାଇବା ନିମନ୍ତେ   ‘‘ ଫା​‌ଷ୍ଟର ଆଡପ୍‌ସନ୍‌ ଆଣ୍ଡ୍‌  ମାନୁଫାକ୍‌ଚରିଂ ଅଫ୍ ଇଲେକ୍‌ଟ୍ରିକ୍‌ ଭେଇକିଲ ସ୍କିମ୍‌ ’’ ର ନିର୍ଦ୍ଧାରିତ  ସର୍ତ୍ତ ପୁରଣ କରିବା ଆବଶ୍ୟକ।

ସୂଚନା ଯୋଗ୍ୟ, ବିଦ୍ୟୁତ ଯାନ ପାଇଁ ରାଜ୍ୟ ସରକାର ଗାଡ଼ି ପଞ୍ଜୀକରଣ ଦେୟ ସଂପୂର୍ଣ୍ଣ ଛାଡ କରିଛନ୍ତି। ବର୍ତ୍ତମାନ  ବିଦ୍ୟୁତ ଗାଡିର ମାଲିକମାନେ  ଏହି ସୁବିଧା  ପାଉଛନ୍ତି। ଏହା ସହ ସବ୍‌ସିଡ଼ି ପାଇବା ପାଇଁ ସଂପୃକ୍ତ ଗାଡି ମାଲିକ  ଓଡ଼ିଶାଟ୍ରାନ୍‌ସ୍‌ପୋର୍ଟ .ଗଭ୍‌.ଇନ୍‌ ପୋର୍ଟାଲ୍‌ରେ  ଲଗ୍‌ଇନ୍‌ କରି  ଆବଶ୍ୟକୀୟ  ତଥ୍ୟ  ଦେବେ।  ଦରଖାସ୍ତର ସତ୍ୟାରୋପନ ବାହାନ ପୋର୍ଟାଲ୍‌ରେ  ପଞ୍ଚୀକୃତ  ତଥ୍ୟ ଅନୁଯାୟୀ  ସ୍ୱୟଂକ୍ରିୟ ଉପାୟରେ  ହେବ ।  ଗାଡି ମାଲିକ  ନିଜର  ବ୍ୟାଙ୍କ୍‌ ଆକାଉଣ୍ଟ୍‌ ତଥ୍ୟ  ଦେଲେ  ସବ୍‌ସିଡ଼ି ରାଶି ସିଧାସଳଖ ତାଙ୍କ  ଆକାଉଣ୍ଟ୍‌କୁ  ଯିବ ଏବଂ ସବ୍‌ସିଡ଼ି  ପ୍ରଦାନ ବିଷୟରେ ତାଙ୍କୁ ଏସ୍‌.ଏମ୍‌.ଏସ୍‌. ମାଧ୍ୟମରେ ସୂଚନା ପଠାଇ ଦିଆଯିବ।

ଏନ୍‌.ଆଇ.ସି.ର ଉପ ମହା ନିର୍ଦ୍ଦେଶକ  କବିତା ରାୟ, ପରିବହନ କର୍ତ୍ତୃପକ୍ଷ ସଚିବ ବ୍ରଜବନ୍ଧୁ ଭୋଳ, ବିଭାଗୀୟ ଅତିରିକ୍ତ  ଶାସନ ସଚିବ  କିଶୋର ଦାସଙ୍କ  ସମେତ ବାଣିଜ୍ୟ ଓ  ପରିବହନ ବିଭାଗ  ଏବଂ  ଏନ୍‌.ଆଇ.ସି.ର ବରିଷ୍ଠ ଅଧିକାରୀମାନେ  ଏହି ପୋର୍ଟାଲ୍‌ ଶୁଭାରମ୍ଭ  ବୈଠକରେ ଅଂଶଗ୍ରହଣ  କରିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ମୁଖ୍ୟ ଶାସନ ସଚିବଙ୍କ ଦ୍ୱାରା ଲର୍ଣ୍ଣିଂ ଟ୍ରି ଏକାଡେମୀ ଉଦ୍ଘାଟିତ, ଜାଣନ୍ତୁ ଏହା କଣ

ଆଠଗଡ଼: ଆଠଗଡ଼ ଉପଖଣ୍ଡ ଅନ୍ତର୍ଗତ ତିଗିରିଆର ନୂଆସଡ଼କଠାରେ ସି.ବି.ଏସ୍.ଇ. ଅନୁବନ୍ଧିତ ବିଦ୍ୟାଳୟ ଲର୍ଣ୍ଣିଂ ଟ୍ରି ଏକାଡ଼େମୀକୁ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଗତକାଲି ଅପରାହ୍ନରେ ଉଦ୍ଘାଟନ କରିଛନ୍ତି। ନିଜର ଉଦ୍ଘାଟନୀ ଅଭିଭାଷଣରେ ଶ୍ରୀ ମହାପାତ୍ର କହିଥିଲେ ଯେ ଗ୍ରାମାଞ୍ଚଳରେ ସି.ବି.ଏସ୍.ଇ. ଅନୁବନ୍ଧିତ ବିଦ୍ୟାଳୟ ନୂତନତାର ବାର୍ତ୍ତାବହ। ଘରୋଇ ପ୍ରଚେଷ୍ଟାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚମାନର ଶିକ୍ଷାପ୍ରଦାନରେ ବିଶେଷ ସହାୟକ ହେବ।

ଶ୍ରୀ ମହାପାତ୍ର ଆହୁରି ମଧ୍ୟ କହିଥିଲେ ଯେ ଗ୍ରାମାଞ୍ଚଳରେ ପିଲାମାନଙ୍କୁ ସହରାଞ୍ଚଳର ଯେ କୌଣସି ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ସହ ସମକକ୍ଷ କରିବା ନିମନ୍ତେ ରାଜ୍ୟ ସରକାର ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟ ଆରମ୍ଭ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ସ୍ମାର୍ଟ କ୍ଲାସ୍ ରୁମ୍, ସ୍ମାର୍ଟ ଲାଇବ୍ରେରୀ, ଆଧୂନିକ ଦୃଶ୍ୟ-ଶ୍ରାବ୍ୟ ବୈଷୟିକ କୌଶଳ ମାଧ୍ୟମରେ ଶିକ୍ଷା ଆଦି ବ୍ୟବସ୍ଥା ସହ ପ୍ରାୟ ୩୦୦୦ ବିଦ୍ୟାଳୟକୁ ରୂପାନ୍ତରିତ କରାଯାଇଛି।

୮୦୦୦ ବିଦ୍ୟାଳୟକୁ ରୂପାନ୍ତରିତ କରିବାର ଲକ୍ଷ୍ୟ ନେଇ କାର୍ଯ୍ୟ ଆରମ୍ଭ କରାଯାଇଛି। ସରକାରଙ୍କ ପ୍ରଚେଷ୍ଟା ସହ ଘରୋଇ ଉଦ୍ୟମ ମାଧ୍ୟମରେ ତିଗିରିଆ କ୍ଲବ୍ରେ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ପ୍ରତିଷ୍ଠା କରିଥିବାରୁ ପ୍ରତିଷ୍ଠାତା ସେକ୍ ଅବଦୁଲ୍ ଅଜିମ୍ ଏବଂ ତାଙ୍କର ସହଯୋଗୀମାନଙ୍କୁ ଶ୍ରୀ ମହାପାତ୍ର ସାଧୁବାଦ ଜଣାଇଥିଲେ।

ଆଠଗଡ଼ର ଉପ ଜିଲ୍ଲାପାଳ ଶ୍ରୀ ହେମନ୍ତ କୁମାର ସ୍ୱାଇଁ ଉଦ୍ଘାଟନୀ ସଭାରେ ସମ୍ମାନିତ ଅତିଥିଭାବେ ଯୋଗଦେଇ ତିଗିରିଆ ବ୍ଲକ୍ରେ ଏହି ଅନୁଷ୍ଠାନ ଇଂରାଜୀ ମାଧ୍ୟମ ଶିକ୍ଷା ପ୍ରଦାନରେ ଏକ ବିଶେଷ ଭୂମିକା ନେବ ବୋଲି ଆଶା ପ୍ରକାଶ କରିଥିଲେ। ଏକାଡ଼େମୀର ପ୍ରତିଷ୍ଠାତା ସେକ୍ ଅବ୍ଦୁଲ ଅଜିମ୍ ସ୍ୱାଗତ ଅବିଭାଷଣ ଦେବା ସହ କହିଥିଲେ ଯେ ବର୍ତ୍ତମାନ ବିଦ୍ୟାଳୟରେ ନର୍ସରୀରୁ ୬ଷ୍ଠ ଶ୍ରେଣୀ ପର୍ଯ୍ୟନ୍ତ ନାମଲେଖା ହେଉଛି।

ପ୍ରତି ଶ୍ରେଣୀରେ ୪୦ ଜଣ ଛାତ୍ରଛାତ୍ରୀଙ୍କର ନାମ ଲେଖାଯିବ। ବିଦ୍ୟାଳୟର ୯ ଟି ଶ୍ରେଣୀରେ ପ୍ରାୟ ୩୬୦ ଜଣ ଛାତ୍ରଛାତ୍ରୀ ସି.ବି.ଏସ୍.ଇ. ପାଠ୍ୟକ୍ରମ ଅନୁସାରେ ଶିକ୍ଷା ଗ୍ରହଣ କରିବେ।
ଅନ୍ୟତମ ଅତିଥିଭାବେ ଭୁତତ୍ତ୍ଵବିତ୍ ଶ୍ରୀ ସୁରେନ୍ଦ୍ର ନାଥ ଦଳାଇ ବିଦ୍ୟାଳୟର ବିଶେଷତ୍ଵ ସଂପର୍କରେ ଆଲୋକପାତ କରିଥିଲେ।

ସ୍ଥାନୀୟ ଅଞ୍ଚଳର ଶିକ୍ଷାବିତ୍, ଶିକ୍ଷାପ୍ରେମୀ ବ୍ୟକ୍ତିବିଶେଷ, ବିଦ୍ୟାଳୟରେ ନାମ ଲେଖାଇଥିବା ବା ଲେଖାଇବାକୁ ଥିବା ଅବିଭାବକ, ଶିକ୍ଷକ ଶିକ୍ଷୟତ୍ରୀ ଏବଂ ନେତୃସ୍ଥାନୀୟ ବ୍ୟକ୍ତିମାନେ ଏହି ଉଦ୍ଘାଟନୀ ସଭାରେ ଯୋଗଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପୌର ନିର୍ବାଚନରେ ମତାଧିକାର ସାବ୍ୟସ୍ତ କଲେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର

ଭୁବନେଶ୍ବର: ଆଜି ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର। ସେ ଏବଂ ତାଙ୍କର ଧର୍ମପତ୍ନୀ ୟୁନିଟ 1 ରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟର 416 ନମ୍ବର ବୁଥରେ ଭୋଟ ଦେଇଛନ୍ତି। ସେ ହେଉଛନ୍ତି ୱାର୍ଡ ନମ୍ବର 40ର ଭୋଟର।

ଉଭୟ ପତିପତ୍ନୀ ଭୋଟ ଦେଇ ଆସିବା ପରେ ସମସ୍ତଙ୍କୁ ଗଣତନ୍ତ୍ରର ଏହି ପର୍ବରେ ସାମିଲ ହେବା ପାଇଁ ଅନୁରୋଧ କରିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ମୁଖ୍ୟ ଶାସନ ସଚିବ, 5- ଟି ସଚିବଙ୍କ ସମ୍ବଲପୁର ଗସ୍ତ, ସମୁଲେଇ ପ୍ରକଳ୍ପର ସମୀକ୍ଷା

​ସମ୍ବଲପୁର:  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଧେଶ କ୍ରମେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ମୁଖ୍ୟମନ୍ତ୍ରୀଙ୍କ ସଚିବ (5-ଟି ) ଭି. କେ. ପାଣ୍ଡିଆନ ସମ୍ବଲପୁର ଗସ୍ତରେ ଆସି ସମୁଲେଇ ପ୍ରକଳ୍ପର ସମୀକ୍ଷା କରିଛନ୍ତି | ଏହି ଉଚ୍ଚ ସଚିବ ସ୍ତରୀୟ ଟିମରେ ୱାର୍କସ ବିଭାଗର ପ୍ରମୁଖ ସଚିବ ଭି. ଭି ଯାଦବ ଏବଂ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଆର. ଭିନିଲକ୍ରିଷ୍ଣା ସମ୍ବଲପୁର ଆସିଥିଲେ।

​ଏହି ଉଚ୍ଚ ସଚିବ ସ୍ତରୀୟ ଟିମ ସମ୍ବଲପୁରରେ ପହଂଚି ପ୍ରଥମେ ମା ସମୁଲେଇଙ୍କ ଦର୍ଶନ ସହିତ ପ୍ରକଳ୍ପପାଇଁ ବିସ୍ତାପିତ ହେବାକୁ ଥିବା ଅଞ୍ଚଳକୁ ନିରୀକ୍ଷଙ୍କ କରିଛନ୍ତି। ଏହି ପ୍ରକଳ୍ପ ଦ୍ୱାରା ପ୍ରଭାବିତ ହେବାକୁ ଥିବା ଜନବସତି କୁ ସ୍ଥାନାନ୍ତରଣ କରି ଦୁର୍ଗାପାଲି ଠାରେ ନିର୍ମାଣଧୀନ କଲୋନୀ କୁ ଅବସ୍ଥାପିତ କରାଯିବ। ସେଠାରେ ପ୍ରଶାସନ ତରଫରୁ ସମସ୍ତ ପ୍ରକାର ସୁବିଧା ଯୋଗେଇ ଦିଆଯିବ।

ଏହି ପ୍ରକଳ୍ପ ଦ୍ୱାରା ସମ୍ବଲପୁର ଜିଲ୍ଲା ଓଡିଶା ମାନଚିତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିବା ସହ ଅର୍ଥନୀତି କ୍ଷେତ୍ରରେ ରେ ସୁଦୃଢ ହେବ ଏବଂ ପର୍ଯ୍ୟଟନ କ୍ଷେତ୍ରରେ ଅଗଣିତ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ। ମନ୍ଦିର ପାରିପାର୍ଶ ବୁଲିବା ପରେ ଟିମ ଦୁର୍ଗାପାଲି ଗସ୍ତ କରି ପ୍ରକଳ୍ପ ଦ୍ୱାରା ପ୍ରଭାବିତ ହେଉଥିବା ବାସିନ୍ଦାଙ୍କ ପାଇଁ ନିର୍ମାଣ କରାଯାଉଥିବା କଲୋନୀ ବୁଲି ଦେଖିଛନ୍ତି। ଏବଂ କାମ ଗୁଡିକ ତୁରନ୍ତ ସାରିବା ସହ ଅନ୍ୟାନ୍ୟ ଅନୁସଙ୍ଗିକ ବ୍ୟବସ୍ଥା ଯଥାଶୀଘ୍ର ସାରିବାକୁ ନିର୍ଦ୍ଧେଶ ଦେଇଛନ୍ତି।

ସୂଚନା ଯୋଗ୍ୟ ଯେ ନିର୍ମାଣ ସ୍ଥଳୀରେ ବିସ୍ଥାପନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇ ସାରିଛି ଏବଂ ଏପ୍ରିଲ ପ୍ରଥମ ସପ୍ତାହରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ। ଆସନ୍ତା ବର୍ଷ ମଧ୍ୟଭାଗ ସୁଦ୍ଧା ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ କରାଯିବା ଲକ୍ଷ୍ୟ ରଖାଯାଇଛି।​

​ଏହି ପରିଦର୍ଶନରେ ଉତ୍ତରାଞ୍ଚଳ ରାଜସ୍ୱ କମିଶନର ଡ. ସୁରେଶ ଚନ୍ଦ୍ର ଦଳେଇ ସମ୍ବଲପୁର ଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ପରିଡା, ସଦର ଉପଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ ସହିତ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Categories
ବିଶେଷ ଖବର ସ୍ବାସ୍ଥ୍ୟ

ରଥଯାତ୍ରାରେ ଆରମ୍ଭ ହେବ ବାଗଚୀ ଶଙ୍କର କ୍ୟାନସର ହସପିଟାଲ, ମୁଖ୍ୟଶାସନ ସଚିବଙ୍କ ସମୀକ୍ଷା

ଭୁବନେଶ୍ୱର: ଓଡ଼ିଶାରେ କ୍ୟାନ୍ସର ଚିକିତ୍ସା କ୍ଷେତ୍ରରେ ଅନ୍ୟଏକ ମାଇଲ୍ଖୁଣ୍ଟ ଭାବେ ଗଢ଼ିଉଠୁଥିବା ବାଗ୍ଚୀ-ଶଙ୍କର କ୍ୟାନ୍ସର୍ ହସ୍ପିଟାଲ୍ ଓ ଗବେଷଣା କେନ୍ଦ୍ରର ନିର୍ମାଣ କାର୍ଯ୍ୟରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି । ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଓ ଓଡ଼ିଶା କୌଶଳ ବିକାଶ କର୍ତ୍ତୁପକ୍ଷ ଅଧ୍ୟକ୍ଷ ତଥା ହସ୍ପିଟାଲ ଓ କରୁଣାଶ୍ରୟର ପ୍ରମୁଖ କର୍ଣ୍ଣଧାର ଡଃ ସୁବ୍ରତୋ ବାଗ୍ଚୀଙ୍କ କ୍ଷେତ୍ରପରିଦର୍ଶନ ଏବଂ ସମୀକ୍ଷାରୁ ଏହା ଜଣାପଡ଼ିଛି ।

ଏହି ହସ୍ପିଟାଲ୍ ପାଇଁ ରାଜ୍ୟ ସରକାର ଇନଫୋଭ୍ୟାଲି-୨ ରେ ଯୋଗାଇ ଦେଇଥିବା ୨୦ ଏକର ପରିମିତ ଅଂଚଳ ପରିଦର୍ଶନ କରି ଶ୍ରୀ ମହାପାତ୍ର ନିର୍ମାଣ କାର୍ଯ୍ୟର କ୍ଷେତ୍ରସ୍ତରୀୟ ସମୀକ୍ଷା କରିଥିଲେ। ସମୀକ୍ଷାରୁ ଜଣାପଡ଼ିଥିଲା ଯେ ଇତିମଧ୍ୟରେ ଏହି ହସ୍ପିଟାଲ୍କୁ ୭୫୦ ଶଯ୍ୟା ବିଶିଷ୍ଟ କରିବା ପାଇଁ ନିର୍ମାଣ କାମ ଆରମ୍ଭ ହୋଇଛି । ପୂର୍ବରୁ ଏହା ୫୦୦ ଶଯ୍ୟା ପାଇଁ ଯୋଜନା କରାଯାଇଥିଲା। ଇତି ମଧ୍ୟରେ ବର୍ହିବିଭାଗ ଚିକିତ୍ସା କୋଠା ଏବଂ ଗ୍ରାଉଣ୍ଡ ଫ୍ଲୋର କାମରେ ଦୃତ ଅଗ୍ରଗତି ହୋଇଛି। ଚଳିତ ବର୍ଷ ମେ ମାସ ଶେଷ ସୁଦ୍ଧା ଗ୍ରାଉଣ୍ଡ ଫ୍ଲୋରର ଛାତ ପଡ଼ିବ ବୋଲି କାର୍ଯ୍ୟରତ ଇଞ୍ଜିନିଅର ଜଣାଇଥିଲେ।

ଏହି ହସ୍ପିଟାଲରେ ରୋଗୀ ଏବଂ ତାଙ୍କର ସହାୟକଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା ଉପଲବ୍ଧ ହେବ। କ୍ୟାଣ୍ଟିନ୍, ଶୌଚାଳୟ, ପାର୍କିଂ ସ୍ଥାନ, ଅତ୍ୟାବଶ୍ୟକୀୟ ପଦାର୍ଥ ସରଞ୍ଜାମ ଦୋକାନ ଆଦି ଉପଲବ୍ଧ ହେବ। ହସ୍ପିଟାଲ୍ ଚତୁପାର୍ଶ୍ୱ ସୌନ୍ଦର୍ଯ୍ୟକରଣ ପାଇଁ ସବୁଜ ବଳୟ ସୃଷ୍ଟି ସହ ପରିସର ଭିତରେ ଥିବା ପ୍ରକୃତିକ ଖାଲୁଆ ଯାଗାକୁ ଏକ ସୁନ୍ଦର ପୁଷ୍କରିଣୀ ଭାବେ ବିକଶିତ କରିବା ନିମନ୍ତେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ ।

ନିର୍ମାଣ କାର୍ଯ୍ୟ ପାଇଁ ଆବଶ୍ୟକୀୟ ଦ୍ରବ୍ୟ, ଆଇନ୍ ଶୃଙ୍ଖଳା ସ୍ଥିତି, ନିର୍ମାଣ ନିମନ୍ତେ ମାନବ ସମ୍ବଳ, ଯନ୍ତ୍ରପାତି ଆଦିର ଉପଲବ୍ଧି ବିଷୟରେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ସମୀକ୍ଷା କରିଥିଲେ। ଏସବୁ ବିଷୟରେ କିଛି ଅସୁବିଧା ଅଛିକି ବୋଲି କ୍ଷେତ୍ରରେ କାର୍ଯ୍ୟରତ ଇଞ୍ଜିନିଅର ଏବଂ ସୁପରଭାଇଜରମାନଙ୍କୁ ପଚାରି ବୁଝିଥିଲେ। ନିର୍ମାଣପାଇଁ କୌଣସି ବିଶେଷ ଅସୁବିଧା ନଥିବା କଥା ଇଞ୍ଜିନିୟରମାନେ ଜଣାଇଥିଲେ। ୨୦୨୩ ମସିହା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ସୁଦ୍ଧା ହସ୍ପିଟାଲ୍ର ପ୍ରଥମ ପର୍ଯ୍ୟାୟ ନିର୍ମାଣ ଶେଷ ପୂର୍ବକ ରୋଗୀସେବା ଆରମ୍ଭ କରିବା ପାଇଁ ସମୀକ୍ଷା ସମୟରେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ଏହି ହସ୍ପିଟାଲ୍ ନିର୍ମାଣରେ ପ୍ରାୟ ୨୨୦ କୋଟି ଟଙ୍କା ବିନିଯୋଗ ହେବାର ଆକଳନ କରାଯାଇଛି।

ପରେ ପରେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଏବଂ ଡଃ ବାଗ୍ଚୀ ଇନଫୋଭ୍ୟାଲି-୨ ରେ ବାଗ୍ଚୀ କରୁଣାଶ୍ରୟ ଉପଶମ ଚିକିତ୍ସା କେନ୍ଦ୍ର ପରିସର ଯାଇ ସେଠାରେ ମଧ୍ୟ ନିର୍ମାଣ ଓ ସେବା ଯୋଗାଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ। ପ୍ରାୟ ୨୧୦ କୋଟି ଟଙ୍କା ଆକଳନରେ ଆରମ୍ଭ ହୋଇଥିବା ଏହି କେନ୍ଦ୍ରର ନିର୍ମାଣ କାର୍ଯ୍ୟ ୨୦୨୩ ଜୁଲାଇ ମାସ ଶେଷସୁଦ୍ଧା ସରିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । ଏହାକୁ ୧୫୦ ଶଯ୍ୟା ବିଶିଷ୍ଟ ଉପଶମ ଚିକିତ୍ସା କେନ୍ଦ୍ର ଭାବେ ବିକଶିତ କରାଯିବ। ଶିକ୍ଷା ଓ ଗବେଷଣା ନିମନ୍ତେ ଏଥିରେ ୫୦୦ ସିଟ୍ ବିଶିଷ୍ଟ ଅଡିଟୋରିୟମ ବ୍ୟବସ୍ଥା କରାଯିବ।

ଗଣ୍ଡମୁଣ୍ଡାଠାରେ ଆରମ୍ଭ କରାଯାଇଥିବା ଅସ୍ଥାୟୀ ଗୃହଭିତ୍ତିକ ସେବାଯୋଗାଣ କେନ୍ଦ୍ରରେ ମଧ୍ୟ ବର୍ହିବିଭାଗ ଚିକିତ୍ସା ଆରମ୍ଭ କରାଯାଇଛି ବୋଲି ଡକ୍ଟର ବାଗଚୀ ଜଣାଇଥିଲେ। ଏହି କେନ୍ଦ୍ରରେ ଗୃହଭିତ୍ତିକ ସେବା ଯୋଗାଣ ଏବଂ ବର୍ହିବିଭାଗ ଚିକିତ୍ସା ପାଇଁ ଆବଶ୍ୟକୀୟ ଡାକ୍ତର, ନର୍ସ, ଫାମାସିଷ୍ଟ, ଗାଡ଼ି ଏବଂ ଆନୁସଙ୍ଗିକ ବ୍ୟବସ୍ଥା ଆଦିରେ ପରିମାଣାତ୍ମକ ଓ ଗୁଣାତ୍ମକ ବିକାଶ କରାଯାଇଛି। ଚଳିତ ମାର୍ଚ୍ଚ ମାସରୁ ପ୍ରତି ସପ୍ତାହର ଶୁକ୍ରବାର ଦିନ ଏହି ଚିକିତ୍ସା ଔଷଧ ଯୋଗାଇ ଦିଆଯାଇଛି । ସୂଚନା ଯୋଗ୍ୟ, ଏହି ଅସ୍ଥାୟୀ ଗୃହସେବା ଚିକିତ୍ସା କେନ୍ଦ୍ରକୁ ମୁଖ୍ୟ ଶାସନ ସଚିବ ଗତ ଡିସେମ୍ବର ମାସରେ ଉଦଘାଟନ କରିଥିଲେ।

ଇତି ମଧ୍ୟରେ ୧୨୮ ଜଣ ରୋଗୀଙ୍କୁ କେନ୍ଦ୍ର ତରଫରୁ ଗୃହଭିତ୍ତିକ ଉପଶମ ଚିକିତ୍ସା ଓ ଯତ୍ନ ଯୋଗାଇ ଦିଆଯାଇଛି। ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲ୍, ଏମ୍ସ୍, କ୍ୟାପିଟାଲ୍ ହସ୍-ପିଟାଲ୍ ଆଦିରୁ ଶେଷ ପର୍ଯ୍ୟାୟ ଉପମଶମ ଚିକିତ୍ସା ଦରକାର କରୁଥିବା ରୋଗୀମାନଙ୍କୁ ଏଠାକୁ ପଠାଯାଉଛି । ବର୍ତ୍ତମାନ ସୁଦ୍ଧା ୩୬ ଜଣ ଏପରି ରୋଗୀଙ୍କୁ ବର୍ହିବିଭାଗ ରେଫେରାଲ୍ କେସ୍ ଭାବେ ଚିକିତ୍ସା ଯୋଗାଇ ଦିଆଯାଉଛି ।

ଏହାଛଡ଼ା କର୍କଟ ରୋଗରେ ମୃତ୍ୟୁବରଣ କରିଥିବା ୬ଟି ଗରିବ ପରିବାରଙ୍କୁ ମଧ୍ୟ ସ୍ୱେଚ୍ଛାସେବୀ ଅନୁଷ୍ଠାନମାନଙ୍କ ମାଧ୍ୟମରେ ଖାଦ୍ୟ ସାମଗ୍ରୀ ଓ ପିଲାଙ୍କ ପାଠପଢ଼ା ସହାୟତା ଯୋଗାଇବାର ସମନ୍ୱୟ କରାଯାଇଛି । ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା ସମୟରେ ଡକ୍ଟର ସୁବ୍ରତୋ ବାଗ୍ଚୀଙ୍କ ସମେତ ହସ୍-ପିଟାଲ୍ର ମୁଖ୍ୟ ଅର୍କିଟେକ୍ ଶ୍ରୀ ସୁନ୍ଦର ରମନ୍, କରୁଣାଶ୍ରୟର ମୁଖ୍ୟ ଆର୍କିଟେକ୍ ଶ୍ରୀ ଏନ୍. ମେଡାପ୍ପା, କରୁଣାଶ୍ରୟର ପରିଚାଳକ ଶ୍ରୀ ଜ୍ଞାନ ରଂଜନ ମହାପାତ୍ର, ପ୍ରକଳ୍ପ ପରିଚାଳକ ଶ୍ରୀ ଲଲାଟେନ୍ଦୁ ଚୌଧୂରୀ ପ୍ରମୁଖ କ୍ଷେତ୍ରସ୍ତରୀୟ ସ୍ଥିତି ସହ ଆବଶ୍ୟକୀୟ ତଥ୍ୟ ଉପସ୍ଥାପନ କରିଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ମୁଖ୍ୟ ଶାସନ ସଚିବଙ୍କ ପୁରୀ ଜିଲ୍ଲା ଗସ୍ତ, ବାତ୍ୟା ନିରୋଧି ବନୀକରଣ ସଘନ କରିବାକୁ ନିର୍ଦ୍ଦେଶ

ପୁରୀ: ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ପୁରୀ ଗସ୍ତରେ ଆସି ଜିଲ୍ଲାରେ ଚାଲିଥିବା ବନୀକରଣ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ପୁରୀ ଏକ ଉପକୂଳବର୍ତ୍ତି ଜିଲ୍ଲା ହୋଇଥିବାରୁ ବାତ୍ୟା ନିରୋଧି ବନୀକରଣ ସଘନ କରିବାକୁ ବୃକ୍ଷରୋପଣ ନିମନ୍ତେ ଶ୍ରୀ ମହାପାତ୍ର ପରାମର୍ଶ ଦେଇଛନ୍ତି।

ଅସ୍ତରଙ୍ଗ ଓ କାକଟପୁର ସମେତ ଜିଲ୍ଲାର ସମସ୍ତ ସମୁଦ୍ର କୂଳିଆ ଅଞ୍ଚଳ, ବନଖଣ୍ତ-ଅଭୟାରଣ୍ୟ, ପୁରୀ- କୋଣାର୍କ ମେରାଇନ ଡ୍ରାଇଭ ରୋଡ,ନୂଆ ମୁହାଣ ଅଞ୍ଚଳ, ପୁରୀ- ସାତପଡା ଓ ଜାତୀୟ ରାଜପଥ ଏବଂ ଜିଲ୍ଲାର ଅନ୍ୟାନ୍ୟ ସହରାଞ୍ଚଳରେ ବୃକ୍ଷରୋପଣ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ବର, ଅଶ୍ବସ୍ତ, ଆକାଶିଆ, କାଜୁ ଓ ଝାମୁ ଗଛ ଲଗାଇବା, ମୃତ୍ତିକା କ୍ଷୟ ରୋକିବା, ବାଲିବନ୍ଧ ସୁରକ୍ଷା ଏବଂ ଅସ୍ତରଙ୍ଗର ତଣ୍ତାଘର ଅଞ୍ଚଳକୁ ସମୁଦ୍ରପାଣି ପ୍ରବେଶ ରୋକିବା ନିମନ୍ତେ କିଆବାଡ ବ୍ୟବସ୍ଥା କରିବାକୁ ମୁଖ୍ୟ ଶାସନ ସଚିବ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଅନ୍ୟପକ୍ଷରେ ଗତବର୍ଷ ଜିଲ୍ଲାରେ ୧୭୮୩୭୫ଟି ଚାରାରୋପଣ ସହ ୧୪୬୦୦ ଚାରା ବଣ୍ଟନ କରାଯାଇଛି । ଆସନ୍ତା ଆର୍ଥିକ ବର୍ଷରେ ୭୭୧.୧ ହେକ୍ଟର ଅଞ୍ଚଳରେ ୬୮୫୨୫୦ ଚାରା ରୋପଣ ନିମନ୍ତେ ଲକ୍ଷ ରଖାଯାଇଥିବା ଜିଲ୍ଲା ବନଖଣ୍ତ ଅଧିକାରୀ ସୂଚନା ଦେଇଥିଲେ।

ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା, ଡିଏଫ୍ଓ ଶ୍ରୀ ପି. ର‍ମାସ୍ବାମୀ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ, ଉପ ଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁ, ଜଳସେଚନ ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ପ୍ରଶାନ୍ତ କୁମାର ଦାସ, ୱାଟକୋ ଜେନେରାଲ ମ୍ୟାନେଜର ଶ୍ରୀ ଶରତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Categories
StateBoard ବିଶେଷ ଖବର

ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ବିଷୟରେ ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି, ଜାଣନ୍ତୁ କଣ ଘୋଷଣା କଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର: ରାଜ୍ୟରେ କିଛି ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗକୁ ନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ରାଜ୍ୟରେ ପରୀକ୍ଷାକୁ ନେଇ ମୁଖ୍ୟ ଶାସନ ସଚିବ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ରାଜ୍ୟରେ ଦଶମ ପରୀକ୍ଷା ବିଷୟରେ ଶ୍ରୀ ମହାପାତ୍ର ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଉପରେ ଘୋଷଣା କରିଛନ୍ତି। ଦଶମ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଓ ମୂଲ୍ୟାୟନ ବିଷୟରେ ସେ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି।

ଏପ୍ରିଲ ମାସ ୨୯ ତାରିଖରେ ପରୀକ୍ଷା କରିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଏହି ପରୀକ୍ଷା ମେ’ ୬ ତାରିଖ ପର୍ଯ୍ୟନ୍ତ ଚାଲିବ। ଅଫଲାଇନ ମୋଡରେ ପରୀକ୍ଷା କରାଯିବ। ସମ୍ମେଟିଭ-୨ ପରୀକ୍ଷାକୁ ବାଧ୍ୟତାମୂଳକ କରାଯାଇଛି। ନିଜ ସ୍କୁଲରେ ପରୀକ୍ଷା କରାଯିବ ଏବଂ ଅନ୍ୟ ସ୍କୁଲର ଶିକ୍ଷକଙ୍କ ତତ୍ବାବଧାନରେ ଏହି ପରୀକ୍ଷା କରାଯିବ। ଯେଉଁ ସ୍କୁଲରେ ପରୀକ୍ଷା ପାଇଁ ସୁବିଧା ନଥିବ, ସେହି ସ୍କୁଲର ପିଲାମାନେ ପାଖ ସ୍କୁଲରେ ପରୀକ୍ଷା ଦେଇପାରିବେ। ଦିନକୁ କେବଳ ଗୋଟିଏ ବିଷୟ ପରୀକ୍ଷା କରାଯିବ।

ସେହିଭଳି ତିନି ପ୍ରକାର ପଦ୍ଧତିରେ ମୂଲ୍ୟାୟନ ହେବ। ପ୍ରଥମ ପଦ୍ଧତିରେ ସମ୍ମେଟିଭ-୧ ପରୀକ୍ଷା ଓ ଇଣ୍ଟରନାଲ ଆସେସମେଣ୍ଟର ୨ ଗୁଣ, ଦ୍ଵିତୀୟ ପଦ୍ଧତିରେ ସମ୍ମେଟିଭ-୨ ପରୀକ୍ଷାର ଦୁଇଗୁଣ କରି ହିସାବ ହେବ। ସମ୍ମେଟିଭ-୧ ରୁ ୩୦ ପ୍ରତିଶତ, ସମ୍ମେଟିଭ-୨ ରୁ ୫୦ ପ୍ରତିଶତ ଏବଂ ଇଣ୍ଟରନାଲ ଆସେସମେଣ୍ଟ ୨୦ ପ୍ରତିଶତ ହିସାବ କରି ପରୀକ୍ଷା ଫଳ ମୂଲ୍ୟାୟନ ହେବ।

Categories
ଆଜିର ଖବର ରାଜ୍ୟ ଖବର

ଫେବୃୟାରୀରେ ଶେଷ ହେବ ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ, ହେଲେ ସେ ନେବେ ନାହିଁ ଅବସର

ଭୁବନେଶ୍ବର: ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ଆସନ୍ତା ଫେବୃୟାରୀ 28 ତାରିଖରେ ଶେଷ ହେଉଛି। ହେଲେ ସେ ଅବସର ନେବେ ନାହିଁ। ତାହାର କାରଣ ହେଲା ରାଜ୍ୟ ସରକାର ତାଙ୍କର କାର୍ଯ୍ୟକାଳ ଆଉ 6 ମାସ ପାଇଁ ବୃଦ୍ଧି କରିଛନ୍ତି। ଏନେଇ ରାଜ୍ୟ ସରକାର କେନ୍ଦ୍ରର ଅନୁମତି ଲୋଡିଥିଲେ। ଆଜି କେନ୍ଦ୍ର ସରକାରଙ୍କ ପର୍ସୋନେଲ ଓ ପେନସନ ଅଭିଯୋଗ ମନ୍ତ୍ରାଳାୟ ଅନୁମତି ପ୍ରଦାନ କରିଛନ୍ତି।

୧୯୮୬ ବ୍ୟାଚର ଆଇଏଏସ ଅଫିସର ସୁରେଶ ମହାପାତ୍ର ୨୦୨୦ ଡିସେମ୍ବରରେ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଇଥିଲେ । ଦୀର୍ଘ ବର୍ଷ ଧରି ଓଡିଶାର ବିଭିନ୍ନ ଜିଲ୍ଲାରେ କାର୍ଯ୍ୟ କରିବା ସହ ରାଜ୍ୟ ସରକାରଙ୍କ ଏକାଧିକ ବିଭାଗର ଦାୟିତ୍ବ ଦକ୍ଷତାର ସହ ତୁଲାଇଛନ୍ତି । ବର୍ତ୍ତମାନ ରାଜ୍ୟରୋ କରୋନା ପରିସ୍ଥିତି ଜାରୀ ରହିଥିବାରୁ ତାଙ୍କର କାର୍ଯ୍ୟକାଳ ବୃଦ୍ଧି କରିବା ପାଇଁ ରାଜ୍ୟ ସରକାର ଇଚ୍ଛା ପ୍ରକାଶ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଯାଜପୁର ଜିଲ୍ଲାର ବିଭିନ୍ନ ପ୍ରକଳ୍ପ ଗୁଡ଼ିକର ପରିଦର୍ଶନ କଲେ ମୁଖ୍ୟ ଶାସନ ସଚିବ, କହିଲେ ଏପରି କଥା

ଭୁବନେଶ୍ବର: ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଯାଜପୁର ଜିଲ୍ଲାଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ଗୁଡ଼ିକର କ୍ଷେତ୍ରସ୍ତରୀୟ ଅଗ୍ରଗତି ନିରୀକ୍ଷଣକରିବା ସହ ପ୍ରକଳ୍ପଗୁଡ଼ିକର ବିଭିନ୍ନ ପର‌୍ୟ୍ୟାୟ କାମ ଏବଂ ପୂର୍ଣ୍ଣାଙ୍ଗ ନିମନ୍ତେ ସମୟ ସୀମା ନିର୍ଦ୍ଧାରଣ କରିଛନ୍ତି ।

ଜିଲ୍ଲାରେ ପହଞ୍ଚିବା ପରେ ପରେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତ୍ତୀ ସିଂ ରାଠୋରଙ୍କ ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନିର୍ମାଣାଧିନ ସଂପ୍ରସାରଣ ବ୍ଲକର ଅଗ୍ରଗତି କାର‌୍ୟ୍ୟ ପରିଦର୍ଶନ କରିଥିଲେ । କାର‌୍ୟ୍ୟାନ୍ୱୟନ ତ୍ୱରାନ୍ୱିତ କରି ୨୦୨୨ ଅଗଷ୍ଟମାସ ଶେଷସୁଦ୍ଧା କାର‌୍ୟ୍ୟପୂର୍ଣ୍ଣାଙ୍ଗ ପୂର୍ବକ ରୋଗୀ ସେବାରେ ନିୟୋଜିତ କରିବା ପାଇଁ ନିର୍ମାଣକାରୀ ସଂସ୍ଥା ଏବଂ ଜିଲ୍ଲା ପ୍ରଶାସନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ପରେପରେ ଶ୍ରୀ ମହାପାତ୍ର ନିର୍ମାଣାଧାନ ଯାଜପୁର ମେଡିକାଲ କଲେଜ, ଇନ୍ଡୋର ସ୍ପୋର୍ଟସ୍ କଂପ୍ଲେକ୍ସ୍, ମା’ ବିରଜା ମନ୍ଦିର ଚତୁପାର୍ଶ୍ୱ ଉନ୍ନୟନ ପ୍ରକଳ୍ପ ଏବଂ ବିରଜା ହାଇସ୍କୁଲ ରୂପାନ୍ତରଣ ପ୍ରକଳ୍ପ ଆଦି ପରିଦର୍ଶନ କରି ପ୍ରକଳ୍ପ ଗୁଡ଼ିକର କ୍ଷେତ୍ରସ୍ତରୀୟ ଅଗ୍ରଗତି ଅନୁଧ୍ୟାନ କରିଥିଲେ ।
ପ୍ରାୟ ୪୨୬ କୋଟି ଟଙ୍କା ବିନିଯୋଗରେ ନିର୍ମାଣ କରାଯାଉଥିବା ଏହି ମେଡିକାଲ କଲେଜର କାଯ୍ୟ ୨୦୨୩ ମସିହା ଜୁନ୍ ମଧ୍ୟରେ ସାରିବା ପାଇଁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ ।

ସେହିପରି ପ୍ରାୟ ୧୪.୪୦ କୋଟି ଟଙ୍କା ଖର୍ଚ୍ଚ ଅଟକଳରେ ନିର୍ମାଣ ହେଉଥିବା ଇନ୍ଡୋର ସ୍ପୋର୍ଟସ୍ କଂପ୍ଲେକ୍ସ, ଏବଂ ୬.୫ କୋଟି ଟଙ୍କା ଖର୍ଚ୍ଚ ଅଟକଳରେ କରାଯାଉଥିବା ମା ବିରଜା ମନ୍ଦିର ଚର୍ତୁପାର୍ଶ୍ୱ ଉନ୍ନୟନ କାଯ୍ୟ ୨୦୨୨ ମାର୍ଚ୍ଚ ସୁଦ୍ଧା ସାରିବା ପାଇଁ ସମୟ ସୀମା ନିର୍ଦ୍ଧାରଣ କରିଥିଲେ ।

ଏହି ଗସ୍ତକାଳରେ ମହାପାତ୍ର ବିରଜା ଉଚ୍ଚ ଇଂରାଜୀ ବିଦ୍ୟାଳୟ ପରିଦର୍ଶନ କରି ବିଦ୍ୟାଳୟ ରୂପାନ୍ତରଣ ପ୍ରକଳ୍ପର ଅଗ୍ରଗତି ନିରୀକ୍ଷଣ କରିଥିଲେ । ବିଦ୍ୟାଳୟର ସ୍ମାର୍ଟ କ୍ଲାସ୍ ରୁମ୍, ଇ-ଲାଇବ୍ରେରୀ, ବିଜ୍ଞାନ ପରୀକ୍ଷାଗାର ଆଦି ପରିଦର୍ଶନ କରି ଶିକ୍ଷକମାନଙ୍କ ସହ ଆଲୋଚନା କରିଥିଲେ । ଏହିସବୁ ସୁବିଧାର ସର୍ବୋକୃଷ୍ଟ ବ୍ୟବହାର ପୂର୍ବକ ଛାତ୍ରଛାତ୍ରୀମାନଙ୍କୁ ଦେଶର ଯେକୌଣସି ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ସମକକ୍ଷକରି ଗଢ଼ିବା ପାଇଁ ମହାପାତ୍ର ଶିକ୍ଷକମାନଙ୍କୁ ପରାମର୍ଶ ଦେଇଥିଲେ ।

ଗସ୍ତ ସମୟରେ ଜିଲ୍ଲାପାଳ ରାଠୋର ଏବଂ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀ ଓ ଯନ୍ତ୍ରୀମାନେ ଆବଶ୍ୟକୀୟ ସଦ୍ୟତନ ତଥ୍ୟ ଉପସ୍ଥାପନ କରିଥିଲେ ।

Categories
ବିଶେଷ ଖବର ରାଜ୍ୟ ଖବର

ଚାଷୀଙ୍କ ପାଇଁ ଅଧିକ ସଂସ୍ଥା ମାଧ୍ୟମରେ ଧାନ କିଣିବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଜିଲ୍ଲାରେ ଚାଷୀମାନଙ୍କ ସୁବିଧା ନିମନ୍ତେ ଅଧିକରୁ ଅଧିକ ସଂଖ୍ୟକ ମହିଳା ସ୍ୱୟଂସହାୟକ ଗୋଷ୍ଠୀ, ଆର୍.ଏମ୍.ସି. ଏବଂ କୃଷିବିପଣୀ ସଂସ୍ଥାମାନଙ୍କୁ ନିୟୋଜିତ କରିବା ପାଇଁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଜିଲ୍ଲାପାଳ, ଜିଲ୍ଲାଯୋଗାଣ ଅଧିକାରୀ, ଏବଂ ସମବାୟ ବିଭାଗ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆଜି ଭିଡ଼ିଓ କନ୍ଫେରେନ୍ସିଂ ମାଧ୍ୟମରେ ଜିଲ୍ଲାମାନଙ୍କରେ ଧାନକିଣା ସ୍ଥିତି ସମୀକ୍ଷା କରି ମୁଖ୍ୟ ସଚିବ ଏହି ନିର୍ଦ୍ଦେଶ ଦେଇଛନ୍ତି । ଧାନବିକ୍ରୀ କରିବା ପାଇଁ ଚାଷୀ ଯେମିତି ଅସୁବିଧାର ସମ୍ମୁଖୀନ ନହୁଏ ତା’ଉପରେ ଦୃଷ୍ଟି ରଖିବା ପାଇଁ ମଧ୍ୟ ମହାପାତ୍ର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ରାଜ୍ୟ ଲୋକସେବା ଭବନରୁ ଓସ୍ୱାନ ପ୍ଲାଟଫର୍ମ ମାଧ୍ୟମରେ ଅନୁଷ୍ଠିତ ଏହି ଭିଡିଓ କନ୍-ଫେରେନ୍ସିଂରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଏବଂ ସମବାୟ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବୀର ବିକ୍ରମ ଯାଦବ ବିଭିନ୍ନ ଜିଲ୍ଲାରେ ଧାନସଂଗ୍ରହ ସମ୍ବନ୍ଧିତ ବୈଷୟିକ ଏବଂ ପ୍ରଶାସନିକ ବିଷୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ ।

ସମୀକ୍ଷାରୁ ଜଣାପଡ଼ିଥିଲା ଯେ ସାଧାରଣତଃ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶା ଜିଲ୍ଲାମାନଙ୍କରେ ନଭେମ୍ବର-ଡିସେମ୍ବର ରୁ ଜାନୁଆରୀ-ଫେବୃଆରୀ ପର୍ଯ୍ୟନ୍ତ, ଏବଂ ଉପକୂଳ ଜିଲ୍ଲାମାନଙ୍କରେ ଡିସେମ୍ବର-ଜାନୁଆରୀ ରୁ ମାର୍ଚ୍ଚ-ଏପ୍ରିଲ୍ ପର୍ଯ୍ୟନ୍ତ ଧାନକିଣା ହୋଇଥାଏ । ସେହି ଅନୁସାରେ ବର୍ତ୍ତମାନ ବରଗଡ଼, ସମ୍ବଲପୁର, କଳାହାଣ୍ଡି, ସୁବର୍ଣ୍ଣପୁର, ସୁନ୍ଦରଗଡ଼, ନୂଆପଡ଼ା, ବଲାଙ୍ଗିର, ରାୟଗଡ଼ା ଆଦି ଜିଲ୍ଲାରେ ଧାନକିଣା ଅବ୍ୟାହତ ରହିଛି । ଅନ୍ୟାନ୍ୟ ଜିଲ୍ଲାରେ ଧାନକିଣା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । କୋରାପୁଟ, ମାଲକାନାଗିରି, ବାଲେଶ୍ୱର, ବୌଦ୍ଧ ଆଦି ଜିଲ୍ଲାରେ ମଧ୍ୟ ବିଭିନ୍ନ ମଣ୍ଡିରେ ଧାନକିଣା ଚାଲିଛି । ବର୍ତ୍ତମାନ ସୁଦ୍ଧା ପ୍ରାୟ ୯୮ ହଜାର ଚାଷୀଙ୍କଠାରୁ ୫.୧୩ ଲକ୍ଷ ମାଟ୍ରିକ୍ ଟନ୍ ଧାନ ସଂଗ୍ରହ ସରିଛି ।

ବିଭିନ୍ନ ମଣ୍ଡିମାନଙ୍କରେ ଅଧିକ ସଂଖ୍ୟାରେ ମହିଳା ସ୍ୱୟଂସହାୟକ ଗୋଷ୍ଠୀ, ଆର୍.ଏମ୍.ସି. କର୍ମଚାରୀ, ଯୋଗାଣ ସହାୟକ, କୃଷି ବିଭାଗ ଅଧିକାରୀ, ସମବାୟ ବିଭାଗ ଅଧିକାରୀ ଏବଂ ଅନ୍ୟାନ୍ୟ ବିଭାଗରୁ ଡାଟା ଏଣ୍ଟ୍ରି ଅପରେଟର ଆଦିଙ୍କୁ ମୁତୟନ କରିବା ପାଇଁ ମୁଖ୍ୟ ଶାସନ ସଚିବ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବ୍ୟବସ୍ଥାକୁ ଚାଷୀମାନଙ୍କ ନିମନ୍ତେ ଅଧିକ ସୁଗମ କରିବା ପାଇଁ ଜିଲ୍ଲାପାଳମାନେ ଜିଲ୍ଲାସ୍ତରରେ କାର୍ଯ୍ୟକରୁଥିବା ସଂସ୍ଥା ଓ ବିଭାଗମାନଙ୍କୁ ମଧ୍ୟ ମୁତୟନ କରିପାରିବେ ।

ପ୍ରମୁଖ ଶାସନ ସଚିବ ଯାଦବ କହିଥିଲେ ଯେ ଧାନକିଣା ପି-ପାସ୍ ନାମକ ଅନ୍ଲାଇନ୍ ବ୍ୟବସ୍ଥା ମାଧ୍ୟମରେ କରାଯାଇଛି । ଏହା ଏକ ସ୍ୱୟଂକ୍ରିୟ ଓ ସରଳ ବ୍ୟବସ୍ଥା । ଏଥିରେ ଦୈନିକ ଧାନକିଣା ତଥ୍ୟ ଅପ୍ଲୋଡ୍ ହୁଏ ଏବଂ ସେହି ତଥ୍ୟ ଭିତ୍ତିରେ ଚାଷୀମାନଙ୍କୁ ଧାନର ମୂଲ୍ୟ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ୍ ମାଧ୍ୟମରେ ସିଧା ସଳଖ ପଠାଇ ଦିଆଯାଏ । ଅନ୍ୟ ବିଭାଗର ଅଧିକାରୀ ଓ କର୍ମଚାରୀମାନଙ୍କୁ ପ୍ରକ୍ରିୟା ବିଷୟରେ ତୁରନ୍ତ ଅନ୍ଲାଇନ୍ ତାଲିମ୍ ଦିଆଯିବ। ଜିଲ୍ଲାସ୍ତରରେ ଥିବା ସମବାୟ ବିଭାଗ ଏବଂ ଯୋଗାଣ ବିଭାଗ ଅଧିକାରୀମାନେ ମଧ୍ୟ ଏଥିରେ ସକ୍ରିୟଭାବେ ସାମିଲ୍ ହେବେ ।

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ରାଜେନ୍ଦ୍ର ମିଶ୍ର ବୈଠକରେ ଆବଶ୍ୟକୀୟ ତଥ୍ୟ ଉପସ୍ଥାପନ କରିଥିଲେ । ଜିଲ୍ଲାପାଳମାନେ ନିଜ ନିଜ ଜିଲ୍ଲାର ଧାନକିଣା ପ୍ରସ୍ତୁତି ଓ ଅଗ୍ରଗତି ବିଷୟ ଜଣାଇଥିଲେ । ଆବଶ୍ୟକତା ଅନୁସାରେ ଜିଲ୍ଲାମାନଙ୍କୁ ସମସ୍ତ ପ୍ରକାର ବୈଷୟିକ ଓ ପ୍ରଶାସନିକ ସହାୟତା ଯୋଗାଇ ଦିଆଯିବବୋଲି ପ୍ରମୁଖ ଶାସନ ସଚିବ ଶ୍ରୀ ଯାଦବ ଜଣାଇଥିଲେ ।