Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ନେପାଳ ବିମାନ ଦୁର୍ଘଟଣାରେ ୫ ଭାରତୀୟ ସାମିଲ, ଏପର୍ଯ୍ୟନ୍ତ ୪୦ ମୃତଦେହ ଉଦ୍ଧାର

ନୂଆଦିଲ୍ଲୀ: ନେପାଳର ପୋଖରାରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ୟେତି ଏୟାରଲାଇନ୍ସ ବିମାନରେ ଅତି କମରେ ୫ ଜଣ ଭାରତୀୟ ଯାତ୍ରୀ ମଧ୍ୟ ଥିଲେ। ୬୮ ଜଣ ଯାତ୍ରୀ ଏବଂ ୪ ଜଣ କ୍ରୁ ସଦସ୍ୟଙ୍କ ସମେତ ୭୨ ଜଣଙ୍କୁ ନେଇ ଯାଉଥିବା ବିମାନଟି ପୋଖରା ବିମାନବନ୍ଦର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ରିପୋର୍ଟ ଅନୁଯାୟୀ, ବିମାନ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୪୦ ଜଣଙ୍କର ମୃତ୍ୟୁ ହୋଇଥିବା ନିଶ୍ଚିତ ହୋଇଛି।

ବିମାନରେ ଥିବା ପାଞ୍ଚ ଜଣ ଭାରତୀୟଙ୍କ ବିଷୟରେ ସୂଚନା ମିଳିଛି। ନେପାଳ ବେସାମରିକ ବିମାନ ଚଳାଚଳ ପ୍ରାଧିକରଣ ଗଣମାଧ୍ୟମକୁ କହିଛି ଯେ, ବିମାନରେ ଥିବା ପାଞ୍ଚ ଜଣ ଭାରତୀୟଙ୍କ ନାମ ସଞ୍ଜୟ ଜୟସ୍ଵାଲ, ସୋନୁ ଜୟସ୍ଵାଲ, ଅନିଲ କୁମାର ରାଜଭର, ଅଭିଷେକ କୁଶୱା ଏବଂ ବିଶାଲ ଶର୍ମା।

କାଠମାଣ୍ଡୁରେ ଥିବା ଭାରତୀୟ ଦୂତାବାସ ମଧ୍ୟ ନେପାଳ ପ୍ରଶାସନ ଏବଂ ୟେତି ଏୟାରଲାଇନ୍ସ ସହିତ ଯୋଗାଯୋଗରେ ଅଛି।

ବିମାନ ଦୁର୍ଘଟଣା ବିଷୟରେ ଏପର୍ଯ୍ୟନ୍ତ ଯାହା ଜଣା ପଡିଛି:

ବିମାନରେ ୫ ଜଣ ଭାରତୀୟ, ୪ ଜଣ ଋଷ, ଜଣେ ଆୟାରିଶ ଏବଂ ଦୁଇ ଜଣ କୋରିଆ ନାଗରିକ ଥିଲେ।

ଦୁର୍ଘଟଣାଗ୍ରସ୍ତ ସ୍ଥାନରେ ଉଦ୍ଧାର କାର୍ଯ୍ୟ ଚାଲିଛି। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ, ବିମାନଟି ଖସିଯିବା ପରେ ଏଥିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା।

ଦୁର୍ଘଟଣା ସ୍ଥଳର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ଯେଉଁଥିରେ କଳା ଧୂଆଁ ଦେଖାଯାଉଥିଲା।

ନେପାଳର ବେସାମରିକ ବିମାନ ଚଳାଚଳ ପ୍ରାଧିକରଣ (CAAN) ଅନୁଯାୟୀ, ୟେତି ଏୟାରଲାଇନ୍ସର ବିମାନ ସକାଳ ୧୦.୩୩ ରେ ରାଜଧାନୀ କାଠମାଣ୍ଡୁର ତ୍ରିଭୁବନ ବିମାନବନ୍ଦରରୁ ବିମାନ ଉଡ଼ାଣ କରିଥିଲା। ଏହା ପୋଖରା ବିମାନ ବନ୍ଦରରେ ଅବତରଣ କରିବାକୁ ଥିଲା।

ପାଇଲଟ୍ ଏଟିସିରୁ ଅବତରଣ ଅନୁମତି ନେଇଥିଲେ। ପୋଖରା ଏଟିସିରୁ ଅବତରଣ ପାଇଁ ଠିକ ଅଛି ବୋଲି ମଧ୍ୟ କୁହାଯାଇଥିଲା। ବୈଷୟିକ ତ୍ରୁଟି ହେତୁ ଦୁର୍ଘଟଣା ହେବାର ସମ୍ଭାବନା କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି।

ବେସାମରିକ ବିମାନ ଚଳାଚଳ ପ୍ରାଧିକରଣ କହିଛି ଯେ, ଅବତରଣ ପୂର୍ବରୁ ବିମାନରେ ନିଆଁ ଲାଗିଯାଇଥିଲା। ତେଣୁ ଖରାପ ପାଗ ଯୋଗୁଁ ଏହି ଦୁର୍ଘଟଣା ଘଟିଛି ବୋଲି କୁହାଯାଇପାରିବ ନାହିଁ।

Categories
ଅନ୍ତରାଷ୍ଟ୍ରୀୟ ଅପରାଧ ଆଜିର ଖବର

ଆମେରିକାରେ ଗୁଳି ବିନିମୟ: ଘର ଭିତରେ ୮ ମୃତ, ପାଞ୍ଚ ଶିଶୁଙ୍କ ମୃତଦେହ ଉଦ୍ଧାର

ନୂଆଦିଲ୍ଲୀ: ଆମେରିକାରେ ଏକ ଅଭାବନୀୟ ଘଟଣା ଘଟିଛି। ଆମେରିକାର ୟୁଟା ରାଜ୍ୟରେ ଗୁଳି ବିନିମୟରେ ଆଠ ଜଣଙ୍କର ମୃତ୍ୟୁ ହୋଇଛି। ଘରେ ଗୁଳି ବିନିମୟରେ ପ୍ରାଣ ହରାଇଥିବା ଆଠ ଜଣଙ୍କ ମଧ୍ୟରେ ପାଞ୍ଚ ଜଣ ଶିଶୁ ମଧ୍ୟ ସାମିଲ ହୋଇଛନ୍ତି। ତେବେ ଗୁଳି ବିନିମୟ ସମ୍ପର୍କରେ ଅଧିକାରୀମାନେ ସମ୍ପୂର୍ଣ୍ଣ ସୂଚନା ଦେଇନାହାଁନ୍ତି। ପାଖାପାଖି ୮ ହଜାର ଜନସଂଖ୍ୟା ବିଶିଷ୍ଟ ଏକ ସହରରେ ଏହି ଗୁଳି ବିନିମୟ ହୋଇଥିଲା। ଏଭଳି ପରିସ୍ଥିତିରେ ଏହି ଘଟଣା ପରେ ସମଗ୍ର ସହରରେ ଆତଙ୍କ ଖେଳିଯାଇଛି।

ନ୍ୟୁୟର୍କ ଟାଇମ୍ସ ଅନୁଯାୟୀ କିଏ ଗୁଳି ଚଳାଇଥିଲା ଏବଂ କାହିଁକି ତଦନ୍ତ ଚାଲିଛି। ସହରର ଅଧିକାରୀମାନେ ଲୋକଙ୍କୁ କହିଛନ୍ତି ଯେ ଭୟ କରିବାର କିଛି ନାହିଁ। ଖୁବ୍ ଶୀଘ୍ର ଅଭିଯୁକ୍ତ ଧରାଯିବ।

ନିକଟସ୍ଥ ଏକ ସ୍ଥାନରେ କାମ କରୁଥିବା ଜଣେ ବ୍ୟକ୍ତି ନ୍ୟୁୟର୍କ ଟାଇମ୍ସକୁ ଏହି ଘଟଣା ବିଷୟରେ କହିଥିଲେ ଯେ, ସେ ପୀଡ଼ିତମାନଙ୍କୁ ଭଲଭାବେ ଜାଣିଥିଲେ କାରଣ ସେମାନେ ଗୋଟିଏ ଚର୍ଚ୍ଚକୁ ଯାଉଥିଲେ। ସେ କହିଛନ୍ତି ଯେ, “ଆମେ ସମସ୍ତେ ଚକିତ ଓ ବିସ୍ମିତ। ଏଠାରେ ରହୁଥିବା ଲୋକମାନେ ନିଜ ପଡ଼ୋଶୀଙ୍କୁ ବହୁତ ଭଲ ପାଆନ୍ତି। ”

ଆମେରିକାରେ ନୂତନ ବର୍ଷର ପ୍ରଥମ ତିନି ଦିନ ମଧ୍ୟରେ ୧୩୦ ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି ଏବଂ ୩୦୦ ରୁ ଅଧିକ ଆହତ ହୋଇଛନ୍ତି। ଏନଜିଓ ଦ୍ୱାରା ମଙ୍ଗଳବାର ପ୍ରକାଶିତ ତଥ୍ୟରେ ଏହା ପ୍ରକାଶ ପାଇଛି। ପରିସଂଖ୍ୟାନ ଅନୁଯାୟୀ, ବର୍ଷ ଆରମ୍ଭରୁ ୧୩୧ ଜଣଙ୍କର ଭୁଲବଶତଃ କିମ୍ବା ଉଦ୍ଦେଶ୍ୟମୂଳକ ଭାବେ ମୃତ୍ୟୁ ଘଟିଛି ଏବଂ ୩୧୩ ଜଣ ଆହତ ହୋଇଛନ୍ତି।

Categories
ଅପରାଧ ଆଜିର ଖବର ଜାତୀୟ ଖବର ସିନେମା

ଝୁଲନ୍ତା ଅବସ୍ଥାରେ ତାମିଲ ଅଭିନେତ୍ରୀ ଦୀପାଙ୍କ ମୃତଦେହ ଉଦ୍ଧାର

ଚେନ୍ନାଇ: ସେପ୍ଟେମ୍ବର ୧୮ ତାରିଖରେ ଚେନ୍ନାଇର ଭୀରୁଗମ୍ବାକ୍କମ ମଲ୍ଲିକା ଭେନ୍ୟୁରେ ତାମିଲ ଅଭିନେତ୍ରୀ ପାଉଲିନ୍ ଜେସିକା (ଦୀପା) ଙ୍କୁ ତାଙ୍କ ଭଡା ଫ୍ଲାଟରେ ମୃତଦେହ ମିଳିଛି। ତାଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଛି। ନିକଟରେ ମୁକ୍ତିଲାଭ କରିଥିବା ତାମିଲ ଚଳଚ୍ଚିତ୍ର ‘ବୈଧା’ରେ ମୁଖ୍ୟ ଭୂମିକାରେ ଦୀପା ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏହା ବ୍ୟତୀତ ସେ ଅନେକ ତାମିଲ ଚଳଚ୍ଚିତ୍ର ଏବଂ ସିରିଏଲରେ କାମ କରିଥିଲେ। ସେ ଆନ୍ଧ୍ରପ୍ରଦେଶର ମୂଳ ବାସିନ୍ଦା ଥିଲେ। ଏହି ଲୋକପ୍ରିୟ ଅଭିନେତ୍ରୀ ରବିବାର ତାଙ୍କ ଆପାର୍ଟମେଣ୍ଟରେ ଝୁଲୁଥିବା ଦେଖିବାକୁ ମିଳିଥିଲା।

ତାଙ୍କ ମୃତ୍ୟୁ ବିଷୟରେ ପଡୋଶୀମାନେ କୋୟମ୍ବେଡୁ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ପରେ ଅଭିନେତ୍ରୀଙ୍କ ସମ୍ପର୍କୀୟଙ୍କୁ ସୂଚନା ଦିଆଯାଇଥିଲା ଏବଂ ତାଙ୍କ ମୃତଦେହ ଆନ୍ଧ୍ରପ୍ରଦେଶକୁ ପଠାଯାଇଥିଲା।

ପୋଲିସ କହିଛି ଯେ, ଲୋକପ୍ରିୟ ଅଭିନେତ୍ରୀ ପାଉଲିନ୍ ଜେସିକାଙ୍କ ଆତ୍ମହତ୍ୟାକୁ ଆମେ ସବୁ ଦିଗରୁ ଯାଞ୍ଚ କରୁଛୁ ଏବଂ ସିସିଟିଭିର ସାହାଯ୍ୟ ନେଉଛୁ।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଗୋଟିଏ ପରିବାରର ଦୁଇ ପିଲାଙ୍କ ସମେତ ୬ ମୃତଦେହ ଉଦ୍ଧାର: ପୋଲିସ ଜବତ କଲା ଆତ୍ମହତ୍ୟା ନୋଟ

ଅମ୍ବାଲା: ହରିୟାଣାର ଅମ୍ବାଲାର ବଲାନା ଗ୍ରାମରେ ଆଜି ସକାଳେ ଗୋଟିଏ ପରିବାରର ୬ ଜଣ ସଦସ୍ୟଙ୍କ ମୃତଦେହ ମିଳିଛି। ଘଟଣାସ୍ଥଳରୁ ପୋଲିସ ଆତ୍ମହତ୍ୟା ନୋଟ ଉଦ୍ଧାର କରିଛନ୍ତି। ମୃତକଙ୍କ ନାମ ସଙ୍ଗତ ରାମ (୬୫), ତାଙ୍କ ପତ୍ନୀ ମହିନ୍ଦ୍ର କୌର, ସୁଖବିନ୍ଦର ସିଂ (୩୪) ଏବଂ ତାଙ୍କ ପତ୍ନୀ ରୀନା ବୋଲି ଜଣାପଡିଛି। ଏମାନଙ୍କ ବ୍ୟତୀତ ସୁଖବିନ୍ଦର ସିଂଙ୍କ ଦୁଇ ଝିଅ ଆଶୁ (୫) ଏବଂ ଜସି (୭) ମଧ୍ୟ ମୃତକଙ୍କ ମଧ୍ୟରେ ଅଛନ୍ତି।

ଅମ୍ବାଲା ପୋଲିସ୍ ଉପ ଅଧୀକ୍ଷକ ଯୋଗୀନ୍ଦର ଶର୍ମା କହିଛନ୍ତି ଯେ, “ଗୋଟିଏ ପରିବାରର ଦୁଇ ଶିଶୁଙ୍କ ସମେତ ୬ ଜଣ ସଦସ୍ୟଙ୍କ ମୃତଦେହ ମିଳିଛି। ଘଟଣାସ୍ଥଳକୁ କ୍ରାଇମବ୍ରାଞ୍ଚ ଡକାଯାଇଛି। ଆତ୍ମହତ୍ୟା ନୋଟ ଉଦ୍ଧାର କରାଯାଇଛି। ଅଧିକ ତଦନ୍ତ ଜାରି ରହିଛି।”

ଚଳିତ ମାସ ଆରମ୍ଭରେ ଏହି ପରି ଗୋଟିଏ ପରିବାରର ୬ ଜଣ ସଦସ୍ୟଙ୍କ ମୃତଦେହ ଜମ୍ମୁର ସିଦ୍ଧ୍ରା ଅଞ୍ଚଳରୁ ଜବତ ହୋଇଥିଲା।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଦୁଇଟି ଘରୁ ମିଳିଲା ୬ ମୃତଦେହ: ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା

ଶ୍ରୀନଗର: ଜମ୍ମୁରୁ ଆଉ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଆଜି ଜମ୍ମୁ କାଶ୍ମୀର ପୋଲିସ ଜମ୍ମୁ ଜିଲ୍ଲାରୁ ୬ ଟି ମୃତଦେହ ଉଦ୍ଧାର କରିଛି। ମୃତଦେହ ଘର ଭିତରେ ରହସ୍ୟମୟ ଅବସ୍ଥାରେ ଦେଖିବାକୁ ମିଳିଛି।

ପୋଲିସ ଅଧିକାରୀଙ୍କ କହିବାନୁସାରେ, ମୃତକଙ୍କ ନାମ ସାକିନା ବେଗମ୍, ତାଙ୍କର ଦୁଇ ଝିଅ ନାସିମା ଅଖତର ଏବଂ ରୁବିନା ବାନୋ, ପୁଅ ଜାଫର ସଲିମ ଏବଂ ତାଙ୍କର ଦୁଇ ସମ୍ପର୍କୀୟ ନୁର-ଉଲ-ହବିବ ଏବଂ ସାଜାଦ ଅହମ୍ମଦ ବୋଲି ଜଣାପଡିଛି। ଘଟଣା ସମ୍ପର୍କରେ ସୂଚନା ଦେଇ ପୋଲିସ କହିଛି ଯେ, ସିଦରା ଅଞ୍ଚଳରେ ଅବସ୍ଥିତ ଘରୁ ମୃତଦେହ ଉଦ୍ଧାର କରାଯାଇଛି। ସିଦରା ଅଞ୍ଚଳର ଗୋଟିଏ ଘରେ ଦୁଇଟି ମୃତଦେହ ମିଳିଥିବା ବେଳେ ଅନ୍ୟ ଏକ ଘରେ ଚାରିଟି ମୃତଦେହ ମିଳିଛି।

ସୂଚନା ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି। ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ। ଜଣେ ଅଧିକାରୀ କହିଛନ୍ତି ଯେ ପୋଷ୍ଟମର୍ଟମ ପରେ ହିଁ ଘଟଣାର ସତ୍ୟତା ସ୍ପଷ୍ଟ ହୋଇଯିବ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ନିରାକାରପୁର: ଅଚିହ୍ନା ଯୁଵକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ନିରାକାରପୁର: ଅଚିହ୍ନା ଯୁଵକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି।

ସୂଚନା ମୁତାବକ ରାହୁଳ ହଜ ଖଣି ନିକଟରେ ଆଜି ସକାଳେ ଏକ ଅଚିହ୍ନା ଯୁବକଙ୍କ ଶବ କାଜୁ ଗଛରେ ଝୁଲି ରହିଥିବାର ଦେଖିବାକୁ ମିଳିଥିଲା। ଗ୍ରାମବାସୀ ଯୁବକଙ୍କ ଝୁଲନ୍ତା ମୃତ ଦେହ ଦେଖି ପୋଲିସକୁ ଖବର ଦେବାପରେ ନିରାକାରପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା। ମୃତକର ପରିଚୟ ମିଳିପାରିନଥିବାବେଳେ ପୋଲିସ୍ ଶବ ଜବତ କରି ତଦନ୍ତ ଚଳାଇଛି।

ଯୁବକ ଜଣଙ୍କର ବୟସ ୨୬ ରୁ ୨୭ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ତାଙ୍କ ପ୍ୟାଣ୍ଟ ପକେଟ୍ ରୁ ଏକ ସାଇକେଲ ଚାବି ପୋଲିସ୍ ଜବତ କରିଥିବାବେଳେ ମୃତ ଯୁବକ ଜଣଙ୍କର ହାତରେ ଏକ ଟାଟୁ ରହିଛି ଯାହାର ନାମ ପ୍ରଭାତ ଲେଖାହୋଇଥିବା ନିରାକାରପୁର ଆଇଆଇସି ଗୀତାଞ୍ଜଳି ନାୟକ ସୂଚନା ଦେଇଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଝୁଲନ୍ତା ଅବସ୍ଥାରେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କଲା ଚାନ୍ଦପୁର ପୋଲିସ

ଚାନ୍ଦପୁର: ଆଜି ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଜଣେ ବ୍ୟକ୍ତିଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ପୋଲିସ ଉଦ୍ଧାର କରିଛି।

ସୂଚନା ମୁତାବକ ଆଜି ସକାଳେ ପଟିଆ ଜ୍ୱାଇଁ ସାହି ଅଞ୍ଚଳର ନାଲୁ ବେହେରା (୬୦) ନାମକ ବ୍ୟକ୍ତିଙ୍କୁ ଘର ନିକଟ ଜଙ୍ଗଲର ଏକ ଗଛରେ ଗ୍ରାମବାସୀ ଝୁଲୁଥିବାର ଦେଖିବାକୁ ପାଇଥିଲେ। ସଙ୍ଗେସଙ୍ଗେ ଏ ନେଇ ଚାନ୍ଦପୁର ଥାନାକୁ ଖବର ଦେଲାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ନାଲୁଙ୍କ ଶବ ଜବତ କରିଥିଲା। ଏବଂ କେଶ ନଂ ୭/୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ପାଇଁ ପଠାଇଦେଇଛି। ଆଇଆଇସି ମୁକେଶ ବେହେରା ଏନେଇ  ସୂଚନା ଦେଇଛନ୍ତି। ତେବେ ପ୍ରାଥମିକ ଅନୁସନ୍ଧାନରେ ଏହା ପାରିବାରିକ ଅଶାନ୍ତି ଲାଗି ହୋଇଥିବାର ସନ୍ଦେହ କରାଯାଉଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ତାପଙ୍ଗ କ୍ରସର କମ୍ପାନୀ ନିକଟରୁ ଗାଡି ଚାଳକଙ୍କ ମୃତଦେହ ଉଦ୍ଧାର

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ସଦର ଥାନା ଅନ୍ତର୍ଗତ ତାପଙ୍ଗ କ୍ରସର କମ୍ପାନୀ ନିକଟରେ ଟ୍ରକ୍‌ ଡାଲାରେ ପଡିରହିଛି ଯୁବକଙ୍କ ମୃତଦେହ। ସୂଚନା ଅନୁସାରେ ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ଓରବରସିଂ ଗ୍ରାମର ପିତବାସ ବେହେରାଙ୍କ ପୁତ୍ର ସଞ୍ଜୟ ବେହେରା (୨୫) ଓରଫ ବାପି ତାପଙ୍ଗରେ ଏକ କ୍ରସର କମ୍ଫାନୀରେ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ।

ତେବେ ଆଜି ମଧ୍ୟାହ୍ନରେ ଟ୍ରକ୍ ଡାଲାରେ ଯୁବକ ଜଣକ ପଡ଼ିରହିଥିବାର ସାଥୀ ଚାଳକମାନେ ଦେଖିଥିଲେ। ତାପରେ ସେମାନେ ପୋଲିସକୁ ଖବର ଦେଇଥିଲେ। ଖୋର୍ଦ୍ଧା ସଦର ଥାନା ଆଇଆଇସି ଅନିତା ସାହୁ ଘଟଣା ସ୍ଥଳରେ ପହଁଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଖୋର୍ଦ୍ଧା ମେଡିକାଲ୍ କୁ ପଠାଇଦେଇଛନ୍ତି।

ଏହି ପରିପ୍ରେକ୍ଷୀରେ ସଦର ଥାନା ପୋଲିସ କେଶ ନମ୍ବର ୯/୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁକରି ଅଧିକ ତଦନ୍ତ ଜାରୀ ରଖିଛି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଝୁଲନ୍ତା ଅବସ୍ଥାରେ ବିଜେପି କର୍ମୀଙ୍କ ମୃତଦେହ ଉଦ୍ଧାର, ଟିଏମସି ଉପରେ ହତ୍ୟା ଅଭିଯୋଗ

କୋଲକାତା: ଜଣେ ବିଜିପି କର୍ମୀଙ୍କ ମୃତଦେହ ମିଳିବା ପରେ କୋଲକାତାରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ଏହି ଘଟଣା କାଶିପୁର ଅଞ୍ଚଳର ଯେଉଁଠାରେ ବିଜେପି କର୍ମୀ ଅର୍ଜୁନ ଚୌରସିଆଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ବିଜେପି ଏହି ଘଟଣାରେ ଦୁଃଖ ପ୍ରକାଶ କରି ଟିଏମସି ଉପରେ ହତ୍ୟା ଅଭିଯୋଗ କରିଛି। ଏଥିସହ କୋଲକାତାରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ସ୍ଵାଗତ କାର୍ଯ୍ୟକ୍ରମ ବାତିଲ କରାଯାଇଛି।

କୋଲକାତା ବିଜେପି ସଭାପତି କଲ୍ୟାଣ ଚୌବେ ନିଶ୍ଚିତ କରିଛନ୍ତି ଯେ, ବିଜେପି ଯୁବା ମୋର୍ଚ୍ଚା ଉପାଧ୍ୟକ୍ଷ ଅର୍ଜୁଲ ଚୌରାସିଆଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଛି। ସେ ଦାବି କରିଛନ୍ତି ଯେ, ଗତକାଲି ରାତିରେ ଏହି ଆକ୍ରମଣ ହୋଇଛି। କାରଣ ତାଙ୍କ ନେତୃତ୍ୱରେ ୨୦୦ ବାଇକ୍ ରାଲି ଆୟୋଜନ କରିବାକୁ ଯୋଜନା ହୋଇଥିଲା ​​ଏବଂ ସେ ବହୁତ ଦକ୍ଷ ଥିଲେ। ହେଲେ ଘୋଷ ବାଗାନ ରେଳ ପ୍ରାଙ୍ଗଣରେ ତାଙ୍କର ମୃତଦେହ ମିଳିଛି।

ଉଲ୍ଲେଖ ଯୋଗ୍ୟ ଯେ, ଆଜି ଗୃହମନ୍ତ୍ରୀ ଅମିତ ଶାହା କୋଲକାତା ଗସ୍ତ କରିବାକୁ ଯାଉଥିଲେ। ଏହି ଘଟଣା ପରେ ତାଙ୍କର ସ୍ଵାଗତ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି। ଏଥିସହ ବିଜେପି କର୍ମୀ ଅର୍ଜୁନ ଚୌରାସିଆଙ୍କ ଶରୀରକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ବିଜେପି କର୍ମୀଙ୍କ ମଧ୍ୟରେ କ୍ରୋଧ, ଅସନ୍ତୋଷ ସ୍ପଷ୍ଟ ଦେଖାଯାଉଛି। ଏହି ଅଞ୍ଚଳରେ ପୋଲିସ ଏବଂ ବିଜେପି କର୍ମୀ ମୁହାଁମୁହିଁ ହୋଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଜଙ୍କିଆ: ଭାସମାନ ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଜାରି

ଜଙ୍କିଆ: ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। କୃଷ୍ଣପୁର ନିକଟସ୍ଥ ମଲାଗୁଣି ନଦୀରେ ଭାସମାନ ଅବସ୍ଥାରେ ମହିଳାଙ୍କ ଶବ ଉଦ୍ଧାର କରାଯାଇଛି। ତେବେ ମୃତ ମହିଳାଙ୍କ ପରିଚୟ ମିଳିଥିବା ବେଳେ ତାଙ୍କ ନାମ ମମତା ସୁନ୍ଦରାୟ (୪୦ ବର୍ଷ) ବୋଲି ଜଣାପଡିଛି। ଶୌଚ ହେବାକୁ ଯାଇଥିଵା ବେଳେ ମହିଳାଙ୍କ ଗୋଡ ଖସି ଯିବାରୁ ତାଙ୍କର ମୃତ୍ୟୁ ହୋଇଥିଵା ସନ୍ଦେହ କରାଯାଉଛି। ହେଲେ ଜଙ୍କିଆ ଥାନା  ଆଇଆଇସି ଦିଗବିଜୟ ବିଶ୍ୱାଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଥିବା ବେଳେ ସାଇଣ୍ଟିଫିକ୍ ଟିମ୍ କୁ ଡକାଇଥିବାର ସୂଚନା ରହିଛି।

Categories
ଆଜିର ଖବର ଜାତୀୟ ଖବର

ଦୁଃଖଦ ଖବର: ହିମସ୍ଖଳନରେ ଫସି ରହିଥିବା ୭ ସୈନିକଙ୍କ ମୃତଦେହ ଉଦ୍ଧାର

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶର କାମେଙ୍ଗ ସେକ୍ଟରର ହିମସ୍ଖଳନ ଯୋଗୁଁ ଭାରତୀୟ ସେନାର ୭ ଜଣ ଯବାନ ଫସିରହିଥିଲେ। ଦୁଇ ଦିନ ପୂର୍ବେ ଏଭଳି ଏକ ଅଭାବନୀୟ ଘଟଣା ଘଟିଥିଲା। ସେହି ଦିନଠାରୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା। କିନ୍ତୁ ଦୁର୍ଭାଗ୍ୟବଶତଃ ଆଜି ସେମାନଙ୍କ ମରୁତ ଦେହ ଉଦ୍ଧାର କରାଯାଇଛି। ଆଜି ଏକ ବିବୃତ୍ତିରେ ସେନା ପକ୍ଷରୁ ଏହି ସୂଚନା ଦିଆଯାଇଛି। ସେନା କର୍ମଚାରୀମାନେ ଏକ ପାଟ୍ରୋଲିଂ ପାର୍ଟିର ଅଂଶ ଥିଲେ ଯାହା ରବିବାର ଦିନ ହିମସ୍ଖଳନରେ ଫାଶି ଯାଇଥିଲେ।

ଏହି ଦୁର୍ଘଟଣା ପରେ ସର୍ଚ୍ଚ ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ରିଲିଫ୍ କାର୍ଯ୍ୟରେ ସାହାଯ୍ୟ କରିବା ପାଇଁ ଏକ ବିଶେଷଜ୍ଞ ଦଳକୁ ବିମାନରେ ପଠାଯାଇଥିଲା। ଗତ କିଛି ଦିନ ହେବ ଏହି ଅଞ୍ଚଳରେ ପାଗ ଖରାପ ରହିଥିଲା ​​ଏବଂ ପ୍ରବଳ ତୁଷାରପାତ ହୋଇଥିଲା।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ନାଚୁଣୀ: ଉଲଗ୍ନ ଅବସ୍ଥାରେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଜାରି

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଜୀବନଦେଇପୁର ଗ୍ରାମରେ ଏକ ଦୁଃଖଦ ଦୃଶ୍ୟ ଦେଖିବାକୁ ମିଳିଛି। ଗ୍ରାମର ଶେଷ ଭାଗରେ ଜଣେ ଅଚିହ୍ନା ବ୍ୟକ୍ତିଙ୍କ ଶବ ପଡିଥିବାର ଦେଖାଯାଇଛି।

ଖବର ମୁତାବକ ଆଜି ସକାଳୁ ଜୀବନଦେଇପୁର ଗ୍ରାମର ଶେଷ ଭାଗ ପର୍ବତର ପାଦଦେଶରେ ଜଣେ ଅଚିହ୍ନା ବ୍ୟକ୍ତିଙ୍କ ଶବ ଉଲଗ୍ନ ଅବସ୍ଥାରେ ପଡିଥିବାର ଗ୍ରାମବାସୀ ଦେଖିଥିଲେ। ଖବର ପାଇ ବର୍ତ୍ତମାନ ଘଟଣାସ୍ଥଳରେ ନାଚୁଣୀ ଫାଣ୍ଡି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଛି। ତେବେ ବ୍ୟକ୍ତି ଜଣକ କିଏ ଏବଂ କଣ ପାଇଁ ତାଙ୍କର ମୃତ୍ୟୁ ହୋଇଛି ତାହା ତଦନ୍ତ ପରେ ଜଣାପଡିବ ବୋଲି ପୋଲିସ କହିଛି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦିୟୁରପ୍ପାଙ୍କ ନାତୁଣୀର ମୃତଦେହ ଉଦ୍ଧାର, ଆତ୍ମହତ୍ୟା ସନ୍ଦେହ

ବେଙ୍ଗାଲୁରୁ: କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦିୟୁରପ୍ପାଙ୍କ ନାତୁଣୀ (ବଡ ଝିଅର ଝିଅ)ଙ୍କ ମୃତଦେହ ବେଙ୍ଗାଲୁରୁ ଘରେ ମିଳିଛି। ପୋଲିସର ସୂଚନାନୁସାରେ ୩୦ ବର୍ଷିୟ ସୌନ୍ଦର୍ଯ୍ଯାଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା। ପୋଲିସ “ଅପମୃତ୍ୟୁ” ମାମଲା ରୁଜୁ କରିଛି।

ପୋଲିସ ସନ୍ଦେହ କରୁଛି ଯେ, ସୌନ୍ଦର୍ଯ୍ଯା ଆତ୍ମହତ୍ୟା କରିଥାଇ ପାରନ୍ତି, କିନ୍ତୁ ତଦନ୍ତ ଚାଲିଛି। ସୌନ୍ଦର୍ଯ୍ଯା ବିଏସ୍ ୟେଡିୟୁରପ୍ପାଙ୍କ ବଡ ଝିଅ ପଦ୍ମାବତୀଙ୍କ ଝିଅ। ଏହି ମାମଲାରେ ଏଫ୍ଆଇଆର୍ ପଞ୍ଜିକରଣ କରି ପୋଲିସ ତଦନ୍ତ ଆରମ୍ଭ କରିଛି। ସୌନ୍ଦର୍ଯ୍ଯା ଜଣେ ଡାକ୍ତର ଥିଲେ। ସେ ମାତ୍ର ଦୁଇ ବର୍ଷ ପୂର୍ବେ ବିବାହ କରିଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଜାତୀୟ ରାଜପଥରୁ ଯୁବକଙ୍କ ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ

ଜଙ୍କିଆ: ଜଂକିଆ ଖେଳପଡିଆ ନିକଟସ୍ଥ ରାଜପଥ ଉପରୁ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ମୃତକ ଯୁବକଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।

ସୂଚନା ଅନୁଯାୟୀ, ରଣପୁରର ରାଜେଶ କୁମାର ପାଣ୍ଡିଙ୍କର ଏକ ଗ୍ୟାରେଜ ଅଛି। ରାକେଶ ଗ୍ୟାରେଜରେ ଭେରୁପଡା ଗ୍ରାମର ସୈ।ମ୍ୟରଂଜନ କାମ ଶିଖୁଥିଲେ। ସବୁଦିନ ରାତିରେ ସୌମ୍ୟ କାମ ସାରି ଘରକୁ ଫେରୁଥିବା ବେଳେ ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରକୁ ଫେରିନଥିଲେ। ରାଜେଶ ଓ ରଂଜନ ଏକ ପଲସର ବାଇକ ଯୋଗେ ଜଂକିଆ ପଟୁ ଗୋଳବାଇ ଆଡକୁ ଯାଉଥିଲେ। କିନ୍ତୁ ଜାତୀୟ ରାଜପଥ ଉପରେ ରଞ୍ଜନଙ୍କ ମୃତ୍ୟୁବରଣ ହୋଇଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଦୁର୍ଘଟଣାରେ ରଞ୍ଜନଙ୍କ ମୃତ୍ୟୁ ହୋଇଥିବା ନେଇ ସ୍ଥାନୀୟ ଲୋକଙ୍କୁ ରାଜେଶ କହିଥିଲେ। ତେବେ ସ୍ଥାନୀୟ ଲୋକେ ଏହା ଜାଣିପାରି ଜଙ୍କିଆ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ରଞ୍ଜନଙ୍କ ମୃତଦେହକୁ ଉଦ୍ଧାର କରିଥିଲା। ଏବଂ ପ୍ରାଥମିକ ତଦନ୍ତରୁ ରଞ୍ଜନଙ୍କ ମୁଣ୍ଡର ପଛ ପଟୁ ଧାରୁଆ ଅସ୍ତ୍ରରେ ଆକ୍ରମଣ ହୋଇଥିବା ପୋଲିସ ଦେଖିବାକୁ ପାଇଥିଲା।

ଫଳରେ ପୋଲିସର ସନ୍ଦେହ ହେବାରୁ ରାଜେଶକୁ ଥାନାରେ ଅଟକ ରଖିଥିବା ବେଳେ ମୋଟର ସାଇକେଲ ଜବତ କରାଯାଇଛି। ଅପରପକ୍ଷେ ଜଙ୍କିଆ ପୋଲିସ ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଅଧିକ ତଦନ୍ତ ଜାରି ରଖିଛି। ହେଲେ ମୃତକଙ୍କ ପରିବାର ଲୋକେ ଜଂକିଆ ଥାନାରେ ପହଞ୍ଚି ହତ୍ୟା କରାଯାଇଥିବା ଅଭିଯୋଗ କରିବା ସହ ଦୋଷୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

କରଡାପାଳ ଗ୍ରାମ ନିକଟ ଜଙ୍ଗଲରୁ ଦନ୍ତା ହାତୀର ମୃତଦେହ ଉଦ୍ଧାର: ମୃତ୍ୟୁର କାରଣ ଅସ୍ପଷ୍ଟ

କନ୍ଦର୍ପ ବେହେରା

ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢାଖୋଲ ବନଖଣ୍ଡ ଅଞ୍ଚଳରୁ ଏକ ଦନ୍ତାହାତୀର ମୃତଦେହ ଉଦ୍ଧାର କରାଯାଇଛି। କୁକୁଡାବାହାଳୀ ପଞ୍ଚାୟତ କରଡାପାଲ ଗ୍ରାମର ଜଙ୍ଗଲରେ ଆଜି ସକାଳୁ ଏକ ଦନ୍ତାହାତୀର ମୃତଦେହ ପଡ଼ିଥିବା ଦେଖି ଗ୍ରାମବାସୀ ବନ ବିଭାଗକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ବନ କର୍ମଚାରୀମାନେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିବାବେଳେ ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ବନ ବିଭାଗ କହିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

୩ଦିନ ନିଖୋଜ ପରେ ଯୁବକର ମୃତଦେହ ଉଦ୍ଧାର, ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ସାନଖଇରମାଲ ଖିତି ଗଉଡ଼ଙ୍କ ପୁଅ ସୁଦାମ ଗଉଡ଼ ଓରଫ ରାହୁଲ ଗତ ୪ ତାରିଖ ଦିନ ସନ୍ଧ୍ୟାରୁ ନିଖୋଜ ଥିବା ଯୁବକର ମୃତ ଦେହ ଆଜି ନିଜ ଗାଁ ସାନଖଇରମାଲ ନିକଟସ୍ଥ ଏକ ଚାଷ ଜମିରୁ ଉଦ୍ଧାର କରାଯାଇଛି।

ମୃତ ଯୁବକଙ୍କ ବାପା ଖିତି ଗଉଡ଼ଙ୍କ (୪୨) ସୂଚନା ଅନୁସାରେ ସାନ ପୁଅ ସୁଦାମ ଗଉଡ଼ ଓରଫ ରାହୁଲ ନାମକ (୧୭) ବର୍ଷୀୟ ଯୁବକ ଗତ ୪ ତାରିଖ ଘରେ ରାତ୍ରି ଭୋଜନସାରି ଘରୁ ପଦାକୁ ଚାଲି ଆସିଥିଲେ। ଘରକୁ ଫେରିବାରେ ଅତ୍ୟଧିକ ବିଳମ୍ବ ହେବା ଯୋଗୁଁ, ପରିବାର ଲୋକେ ବହୁ ଖୋଜା ଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳିନଥିଲା।

ନିଖୋଜ ହେବାର ୨୪ ଘଣ୍ଟା ପରେ, ପରିବାର ଲୋକେ ଗତକାଲି କର୍ଲାପଡ଼ା ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ। ତେବେ ଆଜି ପୂର୍ବାହ୍ନ ୯ ଟା ସମୟରେ ସାନଖଇରମାଲ ଗ୍ରାମର ଜନୈକ ଗ୍ରାମବାସୀ, ଗ୍ରାମ ନିକଟରେ ନିର୍ମାଣ କରାଯାଉଥିବା ପୋଖରୀ କାମ ତଦାରଖ ପାଇଁ ଯିବା ସମୟରେ ଦୁର୍ଗନ୍ଧ ଅନୁସରଣ କରି ପୋଖରୀ ନିକଟରେ ଥିବା ଖାତରେ ଅଜଣା ବ୍ୟକ୍ତିର ଶବ ଦେଖିବାକୁ ପାଇଥିଲେ।

ଏହି ଘଟଣା ସମ୍ପର୍କରେ ଗ୍ରାମବାସୀଙ୍କୁ ଜଣାଇବା ପରେ, ଗ୍ରାମବାସୀ ଏହା ନିଖୋଜ ସୁଦାମ ଗଉଡ଼ ବୋଲି ଜାଣିବାକୁ ପାଇଥିଲେ। ଗ୍ରାମବାସୀ ତୁରନ୍ତ କର୍ଲାପଡ଼ା ଫାଣ୍ଡିରେ ଏହା ସମ୍ପର୍କରେ ସୂଚନା ଦେବାପରେ, ଭବାନୀପାଟଣା ସଦରଥାନା ଅଧିକାରୀ ପ୍ରଦୀପ ଧରୁଆ କେଶ ନମ୍ବର ୧୫୧/୨୦୨୧ ଅନୁସାରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି। କଳାହାଣ୍ଡି ଜିଲ୍ଲାରେ ସନ୍ଧାନୀ କୁକୁର ନଥିବା ଯୋଗୁଁ, ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଅନୁରୋଧ କ୍ରମେ ରାୟଗଡା ଜିଲ୍ଲାରୁ ସନ୍ଧାନୀ କୁକୁର ଅଣାଯାଇ ତଦନ୍ତ ଜାରି ରଖିଛନ୍ତି।

ତେବେ କିଛି ଗ୍ରାମବାସୀ ଅଭିଯୋଗ କରିଛନ୍ତି, ଗତକାଲି ରାତିରେ କିଛି ବ୍ୟକ୍ତି ସାନଖଇରମାଲ ଗାଁରେ ଲାଗିଥିବା ସମସ୍ତ ଷ୍ଟ୍ରିଟ ଲାଇଟ ଭାଙ୍ଗି ଦେବା ଓ ବିଜୁଳି ଟ୍ରାନ୍ସଫର୍ମରରେ ତାର ପକାଇ ଫ୍ୟୁଜ କରିଦେଇଥିଲେ। ଏଣୁ ଏହି ଘଟଣା ଆହୁରି ରହସ୍ୟମୟ ହେବା ସହିତ କେହି ଜାଣି ଶୁଣି ଏଭଳି କରି, ଶବଟିକୁ ଏଠାରେ ଆଣି ଫିଙ୍ଗି ଦେଇଥିବା ସନ୍ଦେହ କରୁଛନ୍ତି। ଶବ ଟିକୁ ବ୍ୟବଚ୍ଛେଦ ପାଇଁ ଭବାନୀପାଟଣା ଜ଼ୀଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ପଠାଗଲା।

Categories
ଆଜିର ଖବର ରାଜ୍ୟ ଖବର

ଜଂଗଲରୁ ମୃତଦେହ ଉଦ୍ଧାର: ହାତୀ ଦଳି ମାରିଥିବା ସଂଦେହ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗଂଜାମ ଜିଲ୍ଲା ତାରସିଂ ଥାନା ଅନ୍ତର୍ଗତ ଏକ ଜଂଗଲରୁ ଜଣେ ବୟସ୍କ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ ନିକଟସ୍ଥ କଳିଙ୍ଗପଦର ହାଇସ୍କୁଲ ସାହିର ଶ୍ୟାମଘନ ଜାନୀ (୬୫)।

ସୂଚନା ପ୍ରକାରେ ତାରସିଂ ବନାଞ୍ଚଳର ଗାୟାଗଣ୍ଡା ସେକ୍ସନ ଅନ୍ତର୍ଗତ ଆମ୍ବଝରି ଜଂଗଲର ଭାଗ ନଂ ୧୦ରେ ଶ୍ୟାମଘନଙ୍କ ମୃତଦେହ ମୁହଁମାଡ଼ି ତଳେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖି ପୋଲିସ୍‌କୁ ଖବର ଦେଇଥିଲେ। ପାରିପାଶ୍ୱିର୍କ ଅବସ୍ଥିତିକୁ ଦେଖିଲେ ଏହା ହାତୀ ଆକ୍ରମଣରେ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି।

ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ବନବିଭାଗ ଏବଂ ପୋଲିସ୍ କହିଛି। ଅନ୍ୟପକ୍ଷରେ ବ୍ୟକ୍ତିଜଣକ ଅତି ଗରିବ ଶ୍ରେଣୀର ହୋଇଥିବାରୁ ସରକାରୀ ସହାୟତା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଟାଙ୍ଗୀ: ଜଗାବଳିଆ ଲଜ୍‌ରୁ ଯୁବକଙ୍କ ମୃତଦେହ ଉଦ୍ଧାର

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଜଗାବଳିଆ ଲଜ୍‌ରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ବ୍ୟକ୍ତିଜଣକଙ୍କ ପରିଚୟ ମିଳିଥିବାବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିିଛି। ମୃତ ବ୍ୟକ୍ତି ଜଣକ ଆନ୍ଧ୍ର ପ୍ରଦେଶ ରାଜ୍ୟର ଶ୍ରୀକାକୁଲମ୍ ଜିଲ୍ଲାର କୋଣ୍ଡିଭେଦି , ଆର୍-ବେଲଗାମ୍ ଅଞ୍ଚଳର ଦୁପାନା ତୁଲସିଦାସ୍ ବୋଲି ଜଣାପଡିଛି।

ମିଳିଥିବା ସୂଚନା ଅନୁସାରେ ଖୋର୍ଦ୍ଧା ଜିଲ୍ଲା ଟାଂଗୀ ଥାନା କାଳୁପଡାଘାଟରେ ରହିଛି ଏହି ଜଗା-ବଳିଆ ଲଜ୍। ଆଜକୁ ୫ ଦିନ ଧରି ଏହି ବ୍ୟକ୍ତି ଜଣକ ଏଠାରେ ରୁମ୍ ଭଡା ନେଇ ରହୁଥିଲେ।  ତେବେ ଟାଂଗୀ ଥାନା ପୋଲିସ ଏବଂ ଚିଲିକା ତହସିଲଦାରଙ୍କ ଉପସ୍ଥିତି ରେ ରୁମ୍ କବାଟ ଭଂଗାଯାଇ ମୃତଦେହ ଉଦ୍ଧାର କରାଯାଇଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।

ଅପରପକ୍ଷରେ ଏହି ଲଜ୍‌କୁ ନେଇ ମଧ୍ୟ ବହୁ ପ୍ରଶ୍ନ ଉଠିଛି। ବେଆଇନ ଭାବେ ଦୀର୍ଘ ୮/୧୦ ବର୍ଷ ଧରି ଏହି ଲଜ୍ ଚାଲିଥିଲା। ଲଜ୍‌ଟି ପଞ୍ଜୀକୃତ ହୋଇନଥିବାବେଳେ ଏହି ଲଜ୍‌ରୁ ଯୁବକଙ୍କ ମୃତଦେହ ଉଦ୍ଧାର ହେବା ଘଟଣାକୁ ଆହୁରି ରହସ୍ୟମୟ କରୁଛି। ଲଜ୍ ମାଲିକଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ। ବେଆଇନ୍‌ ଭାବେ ଚାଲୁଥିବା ଏହି ଲଜ୍‌ ଉପରେ ପୋଲିସ୍‌ କାର୍ଯ୍ୟାନୁଷ୍ଠାନ କରି ଏହି ଘଟଣାର ପର୍ଦ୍ଦାଫାସ କରିବା ପାଇଁ ସାଧାରଣରେ ଦାବି ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

ଦୁଇଦିନ ପରେ କୁଜଙ୍ଗ ମହାନଦୀରୁ ଉଦ୍ଧାର ହେଲା ଇଂଜିନିୟରିଂ ଛାତ୍ରଙ୍କ ମୃତଦେହ

ରମେଶ ମହାନ୍ତି
ଜଗତସିଂହପୁର: ୨ଦିନ ପୂର୍ବେ ମହାନଦୀକୁ ଡେଇଁ ଆତ୍ମହତ୍ୟା କରିଥିବା ଇଂଜିନିୟରିଂ ଛାତ୍ରଙ୍କ ମୃତଦେହ ଆଜି (ଶନିବାର) ସକାଳେ ଉଦ୍ଧାର ହୋଇଛି। ସୂଚନାନୁଯାୟୀ ଗତ ଗୁରୁବାର ଦିନ ଅପରାହ୍ନ ସମୟରେରେ କୁଜଙ୍ଗ କୃଷି ଫାର୍ମ ନିକଟସ୍ଥ ମହାନଦୀର ଗଭୀର ଜଳକୁ ଲକ୍ଷ୍ମୀକାନ୍ତ ଡେଇଁ ପଡ଼ିଥିବା ଜଣା ପଡ଼ିଥିଲା। ତେବେ କୁଜଙ୍ଗ ଥାନା ଅନ୍ତର୍ଗତ କରତୁଠା ଗ୍ରାମର ଉମାକାନ୍ତ ନାୟକଙ୍କ ଏକମାତ୍ର ୨୧ ବର୍ଷର ପୁଅ ଲକ୍ଷ୍ମୀକାନ୍ତଙ୍କ ମୃତଦେହ ଆଜି ଉଦ୍ଧାର ହୋଇଛି। ୨ ଦିନ ଧରି ଅଗ୍ନିଶମ ବିଭାଗ ଓ ଓଡ୍ରାଫ ଟିମର ପ୍ରଚେଷ୍ଟା ଫଳରେ ଆଜି ଲକ୍ଷ୍ମୀକାନ୍ତଙ୍କ ମୃତଦେହ ଉଦ୍ଧାର କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ବରଯାତ୍ରୀ ରୂପେ ଆସି ଶବ ହୋଇ ଫେରିଲେ ଯୁବକ

ଖୋର୍ଦ୍ଧା: ବାହାଘରରେ ବରଯାତ୍ରୀ ହୋଇ ଆସିଥିଲେ ଯୁବକ, କିନ୍ତୁ ଫେରିଲା ତାଙ୍କର ମୃତଦେହ। ଏପରି ଏକ ଅଘଟଣ ଖୋର୍ଦ୍ଧା ଜିଲ୍ଲାରେ ଘଟିଯାଇଛି। ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ରମାବିଲି ଗ୍ରାମର ଏକ କୂଅରୁ ଜଣେ ଯୁବକର ମୃତଦେହ ଉଦ୍ଧାର ହୋଇଛି। ଯୁବକ ଜଣକ ନିରାକପୁର ଥାନା ଅନ୍ତର୍ଗତ ଡିଆଗ୍ରାମର ବୋଲି ସୂଚନା ରହିଛି। ଯୁବକଙ୍କ ନାମ ହେଉଛି ବିକାଶ ସାହୁ। ତେବେ ବିକାଶ ଗତ ୯ ତାରିଖ ଦିନ ଡିଆ ଗ୍ରାମର ତ୍ରିନାଥ ବାରିକଙ୍କ ପୁଅ ବାହାଘରରେ ବରଯାତ୍ରୀ ହୋଇ ରମାବିଲି ଗ୍ରାମକୁ ଆସିଥିଲେ। ତେବେ ବରଯାତ୍ରୀ ଆସିବା ସମୟରେ ବାଟରେ ଗଣ୍ଡଗୋଳ ହୋଇଥିଲା। କନ୍ୟାଯାତ୍ରୀ ଓ ବରଯାତ୍ରୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା।

ତେବେ ବାହାଘର ପରେ ବରଯାତ୍ରୀ ଫେରିଥିଲେ, କିନ୍ତୁ ବିକାଶ ଫେରିନଥିଲେ। ବହୁ ଖୋଜାଖୋଜି ପରେ ବିକାଶ ନ ଫେରିବାରୁ ସେ ନିଖୋଜ ହୋଇନଥିବା ନେଇ ତାଙ୍କ ବାପା ଥାନାରେ ଏତଲା ଦେଇଥିଲା। ତେବେ ଆଜି ସକାଳୁ ସକାଳୁ ରମାବିଲିର ଏକ କୂଅରୁ ବିକାଶଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଘରର ଏକମାତ୍ର ପୁଅକୁ ହରାଇ ସେହି ପରିବାରର ଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି। ବିବାହ କାହା ପାଇଁ ଖୁସି ଆଣିଥିବାବେଳେ ଆଉ କାହାର ଓଠରୁ ଛଡାଇନେଇଛି ହସ।

Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁ: ଝୁଲନ୍ତା ଅବସ୍ଥାରେ ନାବାଳକ ମୃତଦେହ ଉଦ୍ଧାର

ସୀତାରାମ ଅଗ୍ରଓ୍ବାଲ 

ବାଲୁଗାଁ: ଚିଲିକା ବ୍ଲକ ସିଂଗେଶ୍ୱର ଗ୍ରାମ ପଞ୍ଚାୟତ ରଘୁନାଥପୁର ଗ୍ରାମ ଏକ ଦୁଃଖଦ ଘଟଣା ଘଟିଯାଇଛି। ଝୁଲନ୍ତା ଅବସ୍ଥାରେ ଜଣେ ନାବାଳକଙ୍କ ମୃତଦେହ ଉଦ୍ଧାର ହୋଇଛି। ନାବାଳକ ଜଣକ ହେଲେ ପିନୁ ପ୍ରଧାନ।

ମିଳିଥିବା ସୂଚନା ଅନୁସାରେ, ଗତକାଲି ଅପରାହ୍ନ ତିନି ଘଟିକାରେ ପିନୁ ଗ୍ରାମର ମଶାଣି ପାଖ ପୋଖରୀରେ ଗାଧେଇବାକୁ ଯାଇଥିଲା। ବହୁତ ବିଳମ୍ବ ପରେ ଯେତେବେଳେ ସେ ଘରକୁ ଫେରିନଥିଲେ ସେତେବେଳେ ତାଙ୍କ ପରିବାର ଲୋକେ ଓ ସ୍ଥାନୀୟ ଲୋକେ ଖୋଜାଖୋଜି କରିଥିଲେ। ପରେ ପୋଖରୀ ପାଖରେ ଥିବା ଏକ ତେନ୍ତୁଳି ଗଛରେ ସଂପୂର୍ଣ୍ଣ ଉଲଗ୍ନ ଅବସ୍ଥାରେ ତାଙ୍କର ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିଲା। ନାବାଳକ ଜଣକ ମୃତ୍ୟୁ ଏବେବି ରହସ୍ୟଘେରରେ ରହିଛି। ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତଦନ୍ତ ପରେ ଏହା ସ୍ପଷ୍ଟ ହେବ।