Categories
ଆଜିର ଖବର ସଂସ୍କୃତି

ଉଦଯାପିତ ହେଲା ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟରେ ଆୟୋଜିତ ମେଘ ଉତ୍ସବ

ଭୁବନେଶ୍ବର: ସାହିତ୍ୟ, ସଙ୍ଗୀତ, ନୃତ୍ଯ ଓ ଚିତ୍ର କଳା ରେ ମେଘ ଓ ବର୍ଷାକୁ ପ୍ରତିବିମ୍ବ କରିବାର ଆଭିମୁଖ୍ୟ ନେଇ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଯିତ ଦୁଇ ଦିନିଆ ମେଘ ଉତ୍ସବ 2023 ଉଦଯାପିତ ହୋଇଯାଇଛି।

ବିଶ୍ୱବିଦ୍ୟାଳୟ ର କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁଙ୍କ ପୌରହିତ୍ୟରେ ଆୟୋଜିତ ଉଦଯାପନୀ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମର ଅଧ୍ୟକ୍ଷ ଡ. ଲେନିନ୍ ମହାନ୍ତି ଓଡ଼ିଶାର ସାଂସ୍କୃତିକ ବିକାଶ ପ୍ରକ୍ରିୟାରେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ଅଗ୍ରଣୀ ଭୂମିକା ର ଭୂୟସୀ ପ୍ରଶଂସା କରିବା ସହ ପ୍ରତିଭା ଧାରୀ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ସଫଳତା କାମନା କରିଥିଲେ।

ବିଶିଷ୍ଟ ଅତିଥି ଭାବେ ପ୍ରଖ୍ୟାତ ସଙ୍ଗୀତଜ୍ଞ ପଣ୍ଡିତ ହରମୋହନ ଖୁଣ୍ଟିଆ ତାଙ୍କ ବକ୍ତବ୍ୟରେ ସଙ୍ଗୀତ ଓ ସାହିତ୍ୟର ଅନନ୍ୟ ସମ୍ପର୍କ ଓ ମେଘର ବର୍ଣ୍ଣନା କରି ଏହାର ପ୍ରତିଫଳନ କୁ ବିସ୍ତୃତ ଭାବେ ଆଲୋଚନା କରିଥିଲେ।

ରାଜ୍ୟପାଳଙ୍କ ଲୋକସମ୍ପର୍କ ଅଧିକାରୀ ତଥା ବିଶିଷ୍ଟ କବି ଶ୍ରୀଯୁକ୍ତ ରକ୍ଷକ ନାୟକ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ସାହିତ୍ୟରେ ମେଘ ର ପ୍ରାସଙ୍ଗିକତା ଉପରେ ଆଲୋକପାତ କରିବା ସହ ମେଘ ସମ୍ପର୍କିତ ସ୍ଵରଚିତ କବିତା ପାଠ କରିଥିଲେ। କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁ ତାଙ୍କ ବକ୍ତବ୍ୟରେ ଛାତ୍ରଛାତ୍ରୀଙ୍କ ପ୍ରତିଭା ସହ ଓଡିଶା ର ସାଂସ୍କୃତିକ ବିକାଶ ଦିଗରେ ବିଶ୍ଵ ବିଦ୍ୟାଳୟ ପକ୍ଷରୁ ଏହି ଭଳି ଉତ୍ସବର ଆବଶ୍ୟକତା ସମ୍ପର୍କରେ ସୂଚନା ଦେଇଥିଲେ।

କୁଳସଚିବ ଶ୍ରୀମତୀ ଅନାମିକା ଅଧିକାରୀ ଆନୁଷ୍ଠାନିକ ଭାବେ ଧନ୍ୟବାଦ ଦେଇଥିବା ବେଳେ ସହକାରୀ ପ୍ରଫେସର ଡା. ଆଶିଷ ମହାପାତ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଦ୍ଵିତୀୟ ଦିବସରେ କବିତା ପାଠ ସହ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ, ତାଳ ବାଦ୍ୟ, ବେହେଲା ବାଦନ, ଛଉ ନୃତ୍ୟ ପରିବେଷଣ ସହ ଏକ ନାଟକ ମଞ୍ଚସ୍ଥ ହୋଇଥିଲା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ବିଭାଗୀୟ ମୁଖ୍ୟ ଡା. ଚକ୍ରଧର ବେହେରା।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ରାଜ୍ୟସ୍ତରୀୟ ମେଘ ଉତ୍ସବରେ ଚିତ୍ରକଳା ଶିବିର: “ମେଘ ମହ୍ଳାର” ଉଦଘାଟିତ

ଭୁବନେଶ୍ବର: ଓଡ଼ିଶା ଲଲିତ କଳା ଏକାଡେମୀ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଜିଲ୍ଲା ପ୍ରଶାସନ, ମାଲକାନଗିରି ଦ୍ଵାରା ଆୟୋଜିତ “ମେଘ ଉତ୍ସବ” ଅବସରରେ ରାଜ୍ୟସ୍ତରୀୟ ଚିତ୍ରକଳା ଶିବିର “ମେଘ ମହ୍ଳାର” ଆୟୋଜିତ ହୋଇଅଛି। ଉକ୍ତ ଶିବିରକୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସଚିବ ପ୍ରବୋଧ କୁମାର ରଥ, ଲୋକ କଳାର ପ୍ରକଳ୍ପ ନିର୍ଦ୍ଦେଶକ ବାସୁଦେବ ମାଲବିଶୋଇ, ରାଜ୍ୟ ଲୋକ କଳା ସଂଘର ସଭାପତି ଅବନିସ କୁମାର ମିଶ୍ର, ଓଡ଼ିଶା ଲଲିତ କଳା ଏକାଡେମୀର ସଚିବ ପଞ୍ଚାନନ ସାମଲ ଓ ଜୟପୁର ଆର୍ଟ ସ୍କୁଲର ଅଧ୍ୟକ୍ଷ ଯୁଧିଷ୍ଠିର ମଲ୍ଲିକ ଶୁଭ ଉଦଘାଟନ କରି ଅଂଶଗ୍ରହଣକାରୀ ଯୁବ ଶିଳ୍ପୀ ମାନଙ୍କୁ କଳାର ଶୀର୍ଷ ସୋପାନରେ ପହଞ୍ଚିବା ପାଇଁ ପ୍ରେରଣା ଦେଇଥିଲେ।

ଏଥି ସହିତ ଚିତ୍ର ଓ ସାହିତ୍ୟରେ ବର୍ଷାର ଚିତ୍ରଣ କଳା ଓ ସାହିତ୍ୟକୁ ଋଦ୍ଧିମନ୍ତ କରେ ବୋଲି ମତପ୍ରକାଶ କରିଥିଲେ। ଅତିଥି ମାନେ ପ୍ରାରମ୍ଭରେ ଶିଳ୍ପୀମାନଙ୍କୁ ପୁଷ୍ପମାଲ୍ୟ ଦେଇ ଏହି ଶିବିରକୁ ସ୍ଵାଗତ କରିଥିଲେ। ଦିପାରାଣୀ ନାୟକ, ବିବେକାନନ୍ଦ ମହାପାତ୍ର, ଗୁରୁ ଶିଷ୍ୟ, ଜଗନ୍ନାଥ ସ୍ୱାଇଁ, ଜ୍ୟୋର୍ତି୍‌ଦେବ ସିଂ, ସୋଫିୟା ୟସମିନ୍‌, ଜ୍ୟୋତିରଜଂନ ପଣ୍ଡା, ଜୀବନ ଜ୍ୟୋତି ଥଟାଇ, ଶଶିକାନ୍ତ ପୃଷ୍ଟି, ନରେନ୍ଦ୍ର କୁମାର ମାଝି, ଜ୍ୟେତିରଞ୍ଜନ ସାହୁ, ସୈାମ୍ୟ ରଞ୍ଜନ ସାହୁ, ଫକୀର ମେହେର, ଖରତ ତାଣ୍ଡି, ତ୍ରିଲୋଚନ ସାହୁ, କୁଲଦିପ ରାୟ, ଅରଜିତ ଦାସ, ଅଜୟ କୁମାର ପରିଡ଼ା, ଦିବ୍ୟ ଲୋଚନ ମହନ୍ତ, ଦ୍ୱିତିକୃଷ୍ଣ ବରାଦ, ଲକ୍ଷ୍ମୀ ନାରାୟଣ ଦୁଅଁ, ରୋହିତ କୁମାର ସରଫ ପ୍ରମୁଖ କ୍ୟାନଭାସରେ ଏକ୍ରିଲିକ ରଙ୍ଗର ଚିତ୍ର ଅଙ୍କନ କରିବା ବେଳେ ଚିନ୍ମୟ ଭଟ୍ଟ, ଦିପେଶ ଭୋଇ, ନିରଞ୍ଜନ ସାହୁ, ଅଜୟ କୁମାର ପାତ୍ର, ବିନ୍ଦଗଣ୍ଡ, ନିବେଦିତା ମହାରଣା, ସଞ୍ଜୁକ୍ତା କିଶାନ, ଦେବ ମାରି, ଅନ୍ତରାମ ସାନ୍ତା, ପ୍ରତ୍ୟୁଷ କୁମାର ସାହୁ ଆଦି ସୁନ୍ଦର ଜଳରଙ୍ଗ ଛବି ଅଙ୍କନ କରିଥିଲେ।

ଏହି ଚିତ୍ର ଶିବିରରେ ଭୁବନେଶ୍ଵରରୁ ବିଭୁତି କାନୁନଗୋ ଚାରୁକଳା ମହାବିଦ୍ୟାଳୟ, ଧଉଳି ଚାରୁକଳା ମହାବିଦ୍ୟାଳୟ, ଖଲିକୋଟରୁ ସରକାରୀ ଚାରୁ ଓ କାରୁ କଳା ମହାବିଦ୍ୟାଳୟ, ବାଲେଶ୍ଵର ଚାରୁ ଓ କାରୁକାଳା ମହାବିଦ୍ୟାଳୟ, ଭଦ୍ରକ ଚାରୁକଳା ମହାବିଦ୍ୟାଳୟ, ସୁନ୍ଦରଗଡରୁ କଳାୟତନ ଚାରୁ ଓ କାରୁ କଳା ମହାବିଦ୍ୟାଳୟ , ଉତ୍କଳ ସଂସ୍କୃତି ବିଶ୍ଵ-ବିଦ୍ୟାଳୟ ଓ କୋରାପୁଟରୁ ଶ୍ରୀ ବିକ୍ରମଦେଓ ଚାରୁ ଓ କାରୁ କଳା ବିଦ୍ୟାଳୟର ମୋଟ ୩୧ ଜଣ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ ଓ ଶିଳ୍ପୀମାନଙ୍କ ଚିତ୍ରରେ ମାଲକାନଗିରିର ପ୍ରାକୃତିକ ସୌନ୍ଦର୍ଯ୍ଯ ଓ ବର୍ଷା ଋତୁ ସମ୍ବନ୍ଧୀୟ ଚିତ୍ର ବେଶ ଆକର୍ଷଣୀୟ ଓ ପ୍ରଶଂସନୀୟ ହୋଇଥିଲା।