Categories
ଆଜିର ଖବର ଜାତୀୟ ଖବର

ଭୁଟାନ ଛାତ୍ରମାନଙ୍କ ପାଇଁ ଆସାମର ମେଡିକାଲ କଲେଜରେ ମିଳିବ ସିଟ୍: ନିଷ୍ପତ୍ତି ନେଲା ହିମନ୍ତ ବିଶ୍ୱ ସରମାଙ୍କ କ୍ୟାବିନେଟ୍

ନୂଆଦିଲ୍ଲୀ: ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମାଙ୍କ କ୍ୟାବିନେଟ ରାଜ୍ୟର ଦୁଇଟି ମେଡିକାଲ କଲେଜରେ ଭୁଟାନ ଛାତ୍ରଛାତ୍ରୀଙ୍କ ପାଇଁ ଆସନ ସଂରକ୍ଷଣ ପ୍ରସ୍ତାବକୁ ଅନୁମୋଦନ କରିଛି। ମୁଖ୍ୟମନ୍ତ୍ରୀ ନିଜେ ଆଜି ଏହି ସୂଚନା ଦେଇଛନ୍ତି।

ବୁଧବାର ଦିନ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ଭୁଟାନର ଛାତ୍ରଛାତ୍ରୀମାନଙ୍କ ପାଇଁ ନଲବାଡି ମେଡିକାଲ କଲେଜ ହସ୍ପିଟାଲରେ ଦୁଇଟି ସିଟ୍ ଏବଂ ବରପେଟାର ଫଖରୁଦ୍ଦିନ ଅଲି ଅହମ୍ମଦ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଗୋଟିଏ ସିଟ୍ ସଂରକ୍ଷଣ କରିବାକୁ ନିଷ୍ପତ୍ତି ନିଆଯାଇଛି।

Categories
ବିଶେଷ ଖବର

କନ୍ଧମାଳ ଗସ୍ତରେ ୫ଟି ସଚିବ: ଆସନ୍ତା ବର୍ଷଠାରୁ ମେଡିକାଲ କଲେଜରେ ଆରମ୍ଭ ହେବ ପାଠପଢା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଦୁଇ ଦିନିଆ କନ୍ଧମାଳ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀଙ୍କ ୫ଟି ସଚିବ ଭି.କେ. ପାଣ୍ଡିଆନ ଆଜି ଦ୍ୱିତୀୟ ଦିନରେ କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ, ଫୁଲବାଣୀ, ଦାରିଙ୍ଗବାଡୀ, କେ. ନୂଆଗାଁ, ବାଲିଗୁଡା ଓ ଜି. ଉଦୟଗିରୀ ବ୍ଲକ ଗସ୍ତ କରିବା ସହ ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଥିଲେ। ବିଭିନ୍ନ ବିକାଶ କାମର ସମୀକ୍ଷା କରିଥିଲେ ଏବଂ ଜନସାଧାରଣଙ୍କୁ ଭେଟି ସେମାନଙ୍କ ଅଭିଯୋଗ ଶୁଣିଥିଲେ।
ଏହି ଗସ୍ତ ଅବସରରେ ଶ୍ରୀ ପାଣ୍ଡିଆନ ବାଲିଗୁଡାରେ ଥିବା ପ୍ରସିଦ୍ଧ ମା ପାଟ୍ଟଖଣ୍ଡା ମନ୍ଦିର ଏବଂ ଜଗନ୍ନାଥ ମନ୍ଦିର ଯାଇ ସେଠାରେ ପୂଜାର୍ଚ୍ଚନା କରିଥିଲେ। ମନ୍ଦିର ଦ୍ୱୟର ବିକାଶ ଓ ସୌନ୍ଦର୍ଯ୍ୟକରଣ ବିଷୟରେ ଉଭୟ ମନ୍ଦିରର ପରିଚାଳନା କମିଟି ୫ଟି ସଚିବ ଶ୍ରୀ ପାଣ୍ଡିଆନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ମା ପଟ୍ଟଖଣ୍ଡା ମନ୍ଦିର ଓ ଜଗନ୍ନାଥ ମନ୍ଦିରର ସୌନ୍ଦର୍ଯ୍ୟୀକରଣ ଓ ବିକାଶ ସମ୍ପର୍କରେ ଡି.ପି.ଆର୍ ପ୍ରସ୍ତୁତ କରିବା ପାଇଁ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଥିଲେ।
ଫୁଲବାଣୀଠାରେ ୧୦୦୦ କୋଟି ଟଙ୍କାରେ ନିର୍ମାଣାଧୀନ ୬୫୦ ଶଯ୍ୟାବିଶିଷ୍ଟ ମେଡିକାଲ କଲେଜ ଓ ହସ୍ପିଟାଲର କାମ ଶ୍ରୀ ପାଣ୍ଡିଆନ ବୁଲି ଦେଖିଥିଲେ ଓ କାର୍ଯ୍ୟ ଶେଷ କରିବା ପାଇଁ ପରାମର୍ଶ ଦେଇଥିଲେ। ଏହି ମେଡିକାଲ କଲେଜରେ ଆସନ୍ତା ବର୍ଷରୁ ପାଠ୍ୟକ୍ରମ ଆରମ୍ଭ ହେବ। ଏହା ଦ୍ୱାରା ଜିଲ୍ଲାର ସ୍ୱାସ୍ଥ୍ୟ ସେବାରେ ବଡ ରୂପାନ୍ତର ଆଣିବ ବୋଲି ସେ ଆଶାବ୍ୟକ୍ତ କରିଥିଲେ।
ସୂଚନାଯୋଗ୍ୟ ଯେ, ଗତକାଲି ୫ଟି ସଚିବ ଶ୍ରୀ ପାଣ୍ଡିଆନ ତାଙ୍କ ଅଭିଭାଷଣରେ କନ୍ଧମାଳ ମେଡିକାଲ କଲେଜ ଓ ମେଗା ପାନୀୟ ଜଳ ସମ୍ପର୍କରେ ସୂଚନା ଦେଇଥିଲେ। ଏହି ପାନୀୟ ଜଳ ପ୍ରକଳ୍ପ ୫୦୦ କୋଟି ଟଙ୍କରେ କାର୍ଯ୍ୟକାରୀ କରାଯିବ। ମହାନଦୀରୁ ପାଇପ ଯୋଗେ ପାଣି ଅଣା ଯାଇ କନ୍ଧମାଳର ସବୁ ଅଞ୍ଚଳର ଲୋକଙ୍କୁ ଭଲ ପିଇବା ପାଣି ଯୋଗାଇ ଦିଆଯିବ। ଏହି ଦୁଇଟି ପ୍ରକଳ୍ପ ସହିତ ପର୍ଯ୍ୟଟନ ଓ ଯୋଗାଯୋଗର ଉନ୍ନତି କନ୍ଧମାଳର ବିକାଶରେ ବୈପ୍ଳବିକ ପରିବର୍ତ୍ତନ ଆଣିବ।
ଫୁଲବାଣୀ ଜିଲ୍ଲାର ଉଦ୍ୟାନ କାର୍ଯ୍ୟାଳୟ ପରିସରରେ ମିଶନ ଶକ୍ତି ଦ୍ୱାରା ପରିଚାଳିତ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍ ବୁଲି ଦେଖିବା ସହ ଏହି କାର୍ଯ୍ୟର ଉଚ୍ଚପ୍ରଶଂସା କରିଥିଲେ ଏବଂ ସେମାନଙ୍କୁ ମାର୍କେଟିଁ କ୍ଷେତ୍ରରେ ବିଭିନ୍ନ ସାହାଯ୍ୟ ଯୋଗାଇ ଦେବା ପାଇଁ ପରାମର୍ଶ ଦେଇଥିଲେ।
ଫିରିଙ୍ଗିଆ ବ୍ଲକ ଡିଣ୍ଡିରା ଗାଁରେ ଥିବା ଆଦର୍ଶ ବିଦ୍ୟାଳୟକୁ ୫ଟି ସଚିବ ବୁଲି ଦେଖିଥିଲେ ଏବଂ ଛାତ୍ର, ଶିକ୍ଷକ ଓ ସ୍କୁଲ ପରିଚାଳନା କମିଟି ସଦସ୍ୟମାନଙ୍କ ସହ ଆଲୋଚନା କରି ବିଦ୍ୟାଳୟର ସମ୍ପତ୍ତି ଓ ପରିବେଶର ସୁରକ୍ଷା ଏବଂ ଯତ୍ନ ନେବା ପାଇଁ ପରାମର୍ଶ ଦେଇଥିଲେ। ଏହି ବିଦ୍ୟାଳୟଟି ନିକଟରେ ୫ଟି ସ୍କୁଲ ରୂପାନ୍ତରରେ ସାମିଲ ହୋଇଥିଲା।
ପରେ ଫିରିଙ୍ଗିଆ ବ୍ଲକକୁ ଯାଇ ସେଠାରେ ମିଶନ ଶକ୍ତି କାଫେ ବୁଲି ଦେଖିଥିଲେ। ଫିରିଙ୍ଗିଆ ମିନି ଷ୍ଟାଡିଅମ ଠାରେ ସମାଜର ବିଭିନ୍ନ ବର୍ଗର ଲୋକ ଓ ସଙ୍ଗଠନମାନଙ୍କୁ ଭେଟିଥିଲେ। ସେମାନଙ୍କ ଅନୁରୋଧକ୍ରମେ ଫିରିଙ୍ଗିଆ ନୂଆ ବସ ଷ୍ଟାଣ୍ଡ ଉପରେ ଖୁବ୍ ଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି ସେ କହିଥିଲେ। ଗ୍ରାମାଞ୍ଚଳରର ଜନସାଧାରଣ ଯେପରି ସୁବିଧାରେ ଯାତାୟତ କରିପାରିବେ ତାକୁ ଦୃଷ୍ଟିରେ ରଖି ଏହି ବ୍ଲକରେ ସବୁ ଗ୍ରାମପଞ୍ଚାୟତକୁ ପରିବହନ ସେବା ଯୋଗାଇ ଦିଆଯିବ ବୋଲି ୫ଟି ସଚିବ  ସୂଚନା ଦେଇଥିଲେ।
୫ଟି ରୂପାନ୍ତରରେ ସାମିଲ ହୋଇଥିବା ରତାଙ୍ଗ ହାଇସ୍କୁଲ ଶ୍ରୀ ପାଣ୍ଡିଆନ ବୁଲି ଦେଖିବା ସହ ଛାତ୍ରଛାତ୍ରୀ, ଶିକ୍ଷକଙ୍କ ସହ ଆଲୋଚନା କରିଥିଲେ। ରତାଙ୍ଗ ମଡେଲ ଟ୍ୟାଙ୍କ ବୁଲି ଦେଖିବା ସହିତ ମିଶନ ଶକ୍ତି ମା ମାନଙ୍କ ଦ୍ୱରା କରାଯାଉଥିବା ମାଛ ଚାଷ ବିଷୟରେ ବୁଝିଥିଲେ ଏବଂ ଏହା ପର୍ଯ୍ୟଟନର ସମ୍ଭାବନା ରହିଥିବାରୁ ତା’ର ପୂର୍ଣ୍ଣ ବିନିଯୋଗ କରିବା ପାଇଁ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଥିଲେ। ପରେ ଫିରିଙ୍ଗିଆ ବ୍ଲକର ବନ୍ଧଗଡାରେ ଥିବା KASAM  ଖାଦ୍ୟପ୍ରକ୍ରିୟାକରଣ ୟୁନିଟ, ଶ୍ରୀ ପାଣ୍ଡିଆନ ବୁଲି ଦେଖିବା ସହ  ଅର୍ଗାନିକ ଫାର୍ମିଂ କୁ ଉତ୍ସାହିତ କରିବା ପାଇଁ ପରାମର୍ଶ ଦେଇଥିଲେ।
କେ. ନୂଆଗାଁ ବ୍ଲକରେ ୫ଟି ସଚିବ ଶ୍ରୀ ପାଣ୍ଡିଆନ ବିଭିନ୍ନ ଅନୁଷ୍ଠାନ ସହ ଭେଟି ସେମାନଙ୍କ ସୁବିଧା ଓ ଅସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ ଓ ସମାଧାନ ପାଇଁ ପ୍ରତିଶୃତି ଦେଇଥିଲେ। ପରେ ବାଲିଗୁଡାଠରେ ଆମ ହସ୍ପିଟାଲ ବୁଲି ଦେଖି ରୋଗୀ ଓ ଡାକ୍ତର ମାନଙ୍କ  ସହ ମତ ବିନିମୟ କରିଥିଲେ ଏବଂ ସ୍ୱାସ୍ଥ୍ୟସେବାରେ ଅଧିକ ଉନ୍ନତି ଆଣି ରୋଗୀମାନଙ୍କୁ ଉତ୍ତମ ଚିକିତ୍ସା ସେବା ଯୋଗାଇଦେବାକୁ ପରାମର୍ଶ ଦେଇଥିଲେ।
ବାଲିଗୁଡା ମିନି ଷ୍ଟାଡିଅମ ଠାରେ ଜନସାଧାରଣ, ବିଭିନ୍ନ ସଂଗଠନ, କ୍ରୀଡାବିତଙ୍କୁ ଭେଟିଥିଲେ ଏବଂ ସେଠାରେ ମିନି ଷ୍ଟାଡିଅମ ଓ ଇଣ୍ଡୋର ଷ୍ଟାଡିଅମର ବିକାଶ ଓ ସୌନ୍ଦର୍ଯ୍ୟୀକରଣ ପାଇଁ ଶୀଘ୍ର ଡି.ପି.ଆର୍ ପ୍ରସ୍ତୁତ ପାଇଁ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଥିଲେ।
ଦାରିଙ୍ଗବାଡୀ ବ୍ଲକରେ ମଧ୍ୟ ୫ଟି ସଚିବ ମିନି ଷ୍ଟାଡିଅମ କୁ ବୁଲି ଦେଖିଥିଲେ। ମିଶନ ଶକ୍ତି ର ସଦସ୍ୟା, ସାଧାରଣ ଜନତା ଓ ବିଭିନ୍ନ ସଙ୍ଗଠନ ସହ ମିଶି ସେମାନଙ୍କ ଆପତ୍ତି ଅଭିଯୋଗ ଶୁଣିଥିଲେ ଓ ସମାଧାନ ପାଇଁ ଆଶ୍ୱାସନା ଦେଇଥିଲେ।
ପରିବେଶ ପର୍ଯ୍ୟଟନ ପାଇଁ ପ୍ରସିଦ୍ଧ ଦାରିଙ୍ଗବାଡୀରେ ଥିବା ହିଲ-ଭିୟୁ ପାର୍କ ଓ ବଟରଫ୍ଲାଏ ପାର୍କକୁ ୫ଟି ସଚିବ ବୁଲି ଦେଖିଥିଲେ ୫ଟି ସଚିବ ବୁଲି ଦେଖିଥିଲେ। ଦାରିଙ୍ଗବାଡୀର ପର୍ଯ୍ୟଟନର ବିକାଶ ପାଇଁ ବିପୂଳ ସୂଯୋଗ ରହିଛି ବୋଲି ସେ ମତ ଦେଇଥିଲେ।  ଏହି ପାର୍କ ଗୁଡିକର ପରିଚାଳନା ଦାୟିତ୍ୱରେ ଥିବା ବନ ବିଭାଗର ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ। ଦାରିଙ୍ଗବାଡୀରେ ପର୍ଯ୍ୟଟନର ଅଧିକ ବିକାଶ ପାଇଁ  ଡି.ପି.ଆର୍ ପ୍ରସ୍ତୁତ କରି ପ୍ରଦାନ କରିବାକୁ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଥିଲେ। ଏହା ପରେ ସେ ଦାରିଙ୍ଗବାଡୀର ପ୍ରସିଦ୍ଧ Eco-Cottage  ବୁଲି ଦେଖିଥିଲେ। ଏଠାରେ ମିଶନ ଶକ୍ତିର ସଦସ୍ୟାମାନେ ଅତ୍ୟନ୍ତ ବୃତ୍ତିଗତ ଢଙ୍ଗରେ ଏହାର ପରିଚାଳନା କରୁଥିବାରୁ ସେ ସନ୍ତୋଷ ପ୍ରକାଶ କରିଥିଲେ।
ଜି. ଉଦୟଗିରୀରେ ୫ଟି ସଚିବ ଏନ.ଏ.ସିର ମଲ୍ଟି-ପର୍ପୋଜ୍ ହଲ ବୁଲି ଦେଖିଥିଲେ ଏବଂ ସେଠାରେ ଏକ ମାସ ମଧ୍ୟରେ ଇଣ୍ଡୋର ଷ୍ଟାଡିଅମର ବିଭିନ୍ନ ଅତ୍ୟାଧୁନିକ ସୁଯୋଗ ଓ ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ। ଜି.ଉଦୟଗିରୀର କଳିଙ୍ଗ ମହାବିଦ୍ୟାଳୟ ଠାରେ ଜନସାଧାରଣଙ୍କୁ ଭେଟିଥିଲେ ଓ ସେମାନଙ୍କ ଆପତ୍ତି ଅଭିଯୋଗ ଶୁଣି ଏହାର ତୁରନ୍ତ ସମାଧାନ ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।
୫ଟି ସଚିବଙ୍କ ଜିଲ୍ଲା ପରିଦର୍ଶନ ସମୟରେ ସ୍ୱାସ୍ଥ୍ୟ ସଚିବ ଶାଳିନୀ  ପଣ୍ଡିତ, କ୍ରୀଡା ସଚିବ ଆର୍. ଭିନିଲ୍ କ୍ରୀଷ୍ଣା ଓ ଜିଲ୍ଲାପାଳ ଉପସ୍ଥିତ ଥିଲେ।
Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ନୂଆ ମେଡିକାଲ କଲେଜ ସବୁକୁ କାର୍ଯ୍ୟକ୍ଷମ କରିବା କାମର ପ୍ରଗତି ସମୀକ୍ଷା

ନୂଆଦିଲ୍ଲୀ: ଦେଶର ୧୪ଟି ରାଜ୍ୟରେ ବର୍ତ୍ତମାନର ସଦର ମହକୁମା ହସ୍‌ପିଟାଲ ସହିତ ସମ୍ପୃକ୍ତ ନୂଆ ମେଡିକାଲ କଲେଜଗୁଡିକୁ ଯଥାଶୀଘ୍ର  କାର୍ଯ୍ୟକ୍ଷମ କରିବାକୁ କେନ୍ଦ୍ର ସରକାର ସମ୍ପୃକ୍ତ ରାଜ୍ୟ ସରକାରମାନଙ୍କୁ ପରାମର୍ଶ ଦେଇଛନ୍ତି। ଏସବୁ ନୂଆ ମେଡିକାଲ  କଲେଜ ସ୍ଥାପନ ପାଇଁ କେନ୍ଦ୍ର ସରକାର କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନାରେ ଅର୍ଥ ଯୋଗାଇ ଦେଉଛନ୍ତି। ସମ୍ପୃକ୍ତ ପାଣ୍ଠିକୁ ତୁରନ୍ତ ବିନିଯୋଗ କରି ସେସବୁ ମେଡିକାଲ କଲେଜଗୁଡିକରେ ସ୍ନାତକ ପାଠ୍ୟକ୍ରମ ଯଥାଶୀଘ୍ର ଆରମ୍ଭ କରିବାକୁ  କୁହାଯାଇଛି।

ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ  ଉଚ୍ଚସ୍ତରୀୟ ବୈଠକରେ ଏହି ନୂଆ ମେଡିକାଲ କଲେଜଗୁଡିକର ପ୍ରଗତି ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ଏହି ମେଡିକାଲ କଲେଜଗୁଡିକର ପ୍ରଗତି ଅତ୍ୟନ୍ତ ମନ୍ଥର ଥିବାରୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଉଦ୍‌ବେଗ ପ୍ରକାଶ କରିଥିଲେ।

ଭିଡିଓ କନ୍‌ଫରେନ୍ସି ବ୍ୟବସ୍ଥାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ସମ୍ପୃକ୍ତ ୧୪ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସ୍ୱାସ୍ଥ୍ୟ ସଚିବ  ଓ ଡାକ୍ତରୀ ଶିକ୍ଷା ନିର୍ଦ୍ଦେଶକମାନେ ଯୋଗଦେଇଥିଲେ।

ଏହି କେନ୍ଦ୍ରୀୟ ଯୋଜନାରେ ଦେଶରେ ୧୫୭ ନୂଆ ମେଡିକାଲ କଲେଜ ସ୍ଥାପନ କରିବାକୁ ୨୦୧୪ରୁ ନିଷ୍ପତ୍ତି ଗ୍ରହଣ କରାଯାଇ ତିନିଟି ପର୍ଯ୍ୟାୟରେ ଏହାକୁ କାର୍ଯ୍ୟକାରୀ କରାଯାଉଛି। ଆଜିର ବୈଠକରେ ଅରୁଣାଚଳ ପ୍ରଦେଶ, ଆସାମ, ବିହାର, ଛତିଶଗଡ, ହିମାଚଳପ୍ରଦେଶ, ହରିୟାଣା, ଝାଡଖଣ୍ଡ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ମେଘାଳୟ, ମିଜୋରାମ, ଓଡିଶା, ନାଗାଲାଣ୍ଡ, ପଞ୍ଜାବ, ଜାମ୍ମୁ ଓ କାଶ୍ମୀର ଏବଂ ଆଣ୍ଡାମାନ ନିକୋବରର ସ୍ୱାସ୍ଥ୍ୟ ସଚିବ ଏବଂ ଡିଏମ୍‌ଇଟିମାନେ ଯୋଗଦେଇଥିଲେ।

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଏସବୁ ରାଜ୍ୟର ମେଡିକାଲ କଲେଜର ମନ୍ଥର ପ୍ରଗତି ଘେନି ଉଦ୍‌ବେଗ ପ୍ରକାଶ କରିବା ସହିତ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଯଥାଶୀଘ୍ର ଶେଷ କରି ୨୦୨୩-୨୪ ଶିକ୍ଷାବର୍ଷରୁ ମେଡିକାଲ ୟୁଜି ଶିକ୍ଷା ଆରମ୍ଭ କରିବାକୁ ଗୁରୁତ୍ୱ ଦେଇଥିଲେ। ସେ ଆହୁରି କହିଥିଲେ ଯେ ଏହି ଯୋଜନାକୁ ୨୦୨୪ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ତେଣୁ ଏହି ସମୟ ସୀମା ସୁଦ୍ଧା ନୂଆ ମେଡିକାଲ କଲେଜ ସବୁର ନିର୍ମାଣ କାର୍ଯ୍ୟ ଶେଷ ହୋଇ ପାଠପଢା ଆରମ୍ଭ ହେବା ଜରୁରୀ।

ବୈଠକର ସୂଚନା ଅନୁସାରେ ଏହି ଯୋଜନାରେ ସମ୍ପୃକ୍ତ ୧୪ ରାଜ୍ୟ ଓ ଦୁଇ କେନ୍ଦ୍ରଶାସିତ ଅଞ୍ଚଳକୁ କେନ୍ଦ୍ର ସରକାର ୭୫୦୦କୋଟି ଟଙ୍କା ଯୋଗାଣ ବ୍ୟବସ୍ଥା କରିଛନ୍ତି। ୨୦୨୨-୨୩ ଆର୍ଥିକ ବର୍ଷରେ ସ୍ୱାସ୍ଥ୍ୟସେବା ପାଇଁ ମାନବ ସମ୍ବଳ ଯୋଜନା ଓ ମେଡିକାଲ ଶିକ୍ଷା ବାବଦରେ ଏହି ଅର୍ଥ ପ୍ରଦାନ ବ୍ୟବସ୍ଥା କରାଯାଇଛି। ତେବେ ସମ୍ପୃକ୍ତ ନୂଆ ମେଡିକାଲ କଲେଜଗୁଡିକର ନିର୍ମାଣ କାର୍ଯ୍ୟରେ ମନ୍ଥରତା ଯୋଗୁଁ ରାଜ୍ୟ ସରକାରମାନେ ସେ ବାବଦ ଅର୍ଥ କେନ୍ଦ୍ର ସରକାରଙ୍କଠାରୁ ନେଉନାହାନ୍ତି। ସମ୍ପୃକ୍ତ ରାଜ୍ୟମାନଙ୍କର ବରାଦ ବିନା ଏହି ଅର୍ଥ କେନ୍ଦ୍ର ସରକାର ଯେଗାଇବାରେ ଅସୁବିଧା ସୃଷ୍ଟି ହେଉଛି। ତେଣୁ ସମ୍ପୃକ୍ତ ରାଜ୍ୟ ସରକାରମାନେ ନୂଆ ମେଡିକାଲ କଲେଜ ନିର୍ମାଣ ବାବଦ ଖର୍ଚ୍ଚର ବିନିଯୋଗ ପ୍ରମାଣପତ୍ର ତୁରନ୍ତ ଦାଖଲ କରି କେନ୍ଦ୍ର ନିକଟରୁ ଟଙ୍କା ନେବାକୁ ପରାମର୍ଶ ଦିଆଯାଇଛି। ଯେତେଶୀଘ୍ର ବିନିଯୋଗ ପ୍ରମାଣପତ୍ର ସମ୍ପୃକ୍ତ ରାଜ୍ୟମାନେ ଦେବେ କେନ୍ଦ୍ର ସରକାର ସେତେ ଶୀଘ୍ର ଅର୍ଥ ଯୋଗାଇ ଦେବେ।

ନୂଆ ମେଡିକାଲ କଲେଜଗୁଡିକର ନିର୍ମାଣ କାର୍ଯ୍ୟର ବାସ୍ତବ ସ୍ଥିତି, ପ୍ରଗତି ଓ ଆର୍ଥିକ  ସ୍ଥିତି ସମ୍ପର୍କରେ ତୁରନ୍ତ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ପୋର୍ଟାଲରେ ତଥ୍ୟ ଉପସ୍ଥାପନ କରିବାକୁ ସମ୍ପୃକ୍ତ ରାଜ୍ୟ ସରକାରମାନଙ୍କୁ କୁହାଯାଇଛି।

ସମୀକ୍ଷା ବୈଠକ ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ନୂଆ ମେଡିକାଲ କଲେଜଗୁଡିକର କୋଠାବାଡି ନିର୍ମାଣ କାର୍ଯ୍ୟରେ ନୂତନ ଟେକ୍‌ନୋଲୋଜି ଓ ସାମଗ୍ରୀ ବ୍ୟବହାର କରିବା ଉପରେ ଗୁରୁତ୍ୱ ଦେଇଛନ୍ତି। ଇସ୍ପାତ ଢାଞ୍ଚା ବ୍ୟବହାର କରିବା ସହିତ ନୂଆ ଟେକ୍‌ନୋଲୋଜିର ଉପଯୋଗ କରି ସମ୍ପୃକ୍ତ କୋଠାଗୁଡିକର ଊର୍ଜା ସଂରକ୍ଷଣ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ସେ ପରାମର୍ଶ ଦେଇଛନ୍ତି। ପାରମ୍ପରିକ ଟେକ୍ନୋଲୋଜି ପରିବର୍ତ୍ତେ ନୂଆ ପ୍ରଯୁକ୍ତି ବିଦ୍ୟାର ଉପଯୋଗ କଲେ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ ହେବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ କହିଛନ୍ତି।

ଆହୁରି ମଧ୍ୟ ଭବନ ନିର୍ମାଣ କାର୍ଯ୍ୟରେ ସ୍ଥାନୀୟ ଭାବେ ଉପଲବ୍ଧ ଗ୍ରୀନ୍ ଟେକ୍ନୋଲୋଜି ବ୍ୟବହାର କରିବାକୁ ସମ୍ପୃକ୍ତ ରାଜ୍ୟମାନଙ୍କୁ ପରାମର୍ଶ ଦିଆଯାଇଛି।

ଅନେକ ନିର୍ମାଣକାରୀ କମ୍ପାନୀଙ୍କର ହସ୍‌ପିଟାଲ ଓ ମେଡିକାଲ କଲେଜ ନିର୍ମାଣ କ୍ଷେତ୍ରରେ ଅଭିଜ୍ଞତା ନ ଥିବାରୁ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଅତ୍ୟନ୍ତ ମନ୍ଥର  ହୋଇଥିବା ଏହି ସମୀକ୍ଷା ବୈଠକରୁ ଜଣାପଡିଛି। ଅତଏବ ଏହି ନିର୍ମାଣ କାର୍ଯ୍ୟରେ କେବଳ ଅଭିଜ୍ଞତା ଥିବା ନିର୍ମାଣକାରୀ ସଂସ୍ଥାଙ୍କୁ ନିୟୋଜିତ କରିବାକୁ ରାଜ୍ୟମାନଙ୍କୁ ପରାମର୍ଶ ଦିଆଯାଇଛି।

ସୂଚନାଯୋଗ୍ୟ ଯେ ୨୦୧୪ରେ କେନ୍ଦ୍ର ସରକାର ଦେଶର ବିଭିନ୍ନ ଜିଲ୍ଲା ସଦର ମହକୁମା ହସ୍‌ପିଟାଲଗୁଡିକୁ ମେଡିକାଲ କଲେଜରେ ପରିଣତ କରିବାକୁ ଏହି ଯୋଜନା ଆରମ୍ଭ କରିଥିଲେ। ଏହି କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନାରେ ଜିଲ୍ଲା ସଦର ମହକୁମା ହସ୍‌ପିଟାଲ ସହିତ ରେଫରାଲ ହସ୍‌ପିଟାଲଗୁଡିକୁ ମଧ୍ୟ ସାମିଲ କରାଯାଇଥିଲା। ଏଥିପାଇଁ କେନ୍ଦ୍ର ସରକାର ୬୦ଭାଗ ଓ ରାଜ୍ୟ ସରକାରଙ୍କୁ ୪୦ଭାଗ ଅର୍ଥ ଯୋଗାଇ ଦେବାର ବ୍ୟବସ୍ଥା ହୋଇଥିଲା। ତେବେ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଓ ସ୍ୱତନ୍ତ୍ର ଶ୍ରେଣୀର ରାଜ୍ୟଗୁଡିକ ପାଇଁ ଏହି ଅନୁପାତ ଥିଲା ୯୦:୧୦ ଭାଗ।

ମୋଟ ତିନିଟି ପର୍ଯ୍ୟାୟରେ ଏହି କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା କାର୍ଯ୍ୟକାରୀ ହେଉଛି। ଏଥିରେ ପ୍ରଥମ ପର୍ଯ୍ୟାୟରେ (୨୦୧୪ ) ଦେଶର ୧୩ଟି ଆକାଂକ୍ଷୀ ଜିଲ୍ଳାରେ ୫୮ଟି ମେଡିକାଲ କଲେଜ ନିର୍ମାଣ କାର୍ଯ୍ୟ ହାତକୁ ନିଆଯାଇଥିଲା।

ଦ୍ୱିତୀୟ ପର୍ଯ୍ୟାୟରେ (୨୦୧୮) ଦେଶର ୬ଟି ଆକାଂକ୍ଷୀ ଜିଲ୍ଳାରେ ଆଉ ୨୪ଟି ନୂଆ ମେଡିକାଲ କଲେଜ ନିର୍ମାଣ କାର୍ଯ୍ୟ ହାତକୁ ନିଆଯାଇଥିଲାବେଳେ ତୃତୀୟ ପର୍ଯ୍ୟାୟରେ (୨୦୧୯) ୨୦ ଆକାଂକ୍ଷୀ ଜିଲ୍ଲାରେ ୭୫ ନୂଆ ମେଡିକାଲ କଲେଜ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା।

ପ୍ରଥମ ପର୍ଯ୍ୟାୟ ଯୋଜନାରେ ସମ୍ପୃକ୍ତ ମେଡିକାଲ କଲେଜଗୁଡିକର ନିର୍ମାଣ କାର୍ଯ୍ୟ୨୦୧୯-୨୦ ସୁଦ୍ଧା ଶେଷ କରିବାର ଲକ୍ଷ୍ୟ  ରଖାଯାଇଥିଲା। ଏହି ପର୍ଯ୍ୟାୟରେ କେନ୍ଦ୍ର ତାହାର ଅଂଶ ବାବଦରେ ସମ୍ପୃକ୍ତ ରାଜ୍ୟମାନଙ୍କୁ କଲେଜ ପିଛା ୧୮୯ କୋଟି ଟଙ୍କା ଯୋଗାଇ ଦେଇଛି। ମୋଟ ୫୮ଟି ନୂଆ ମେଡିକାଲ କଲେଜ ପାଇଁ ୭୫୪୧କୋଟି ୧୦ଲକ୍ଷ ଟଙ୍କା କେନ୍ଦ୍ର ସରକାର ଦେଇଛନ୍ତି। ମୋଟ ୫୮ଟି ମଧ୍ୟରୁ ୫୩ଟି କାର୍ଯ୍ୟକ୍ଷମ ହୋଇଛି ଓ ଅବଶିଷ୍ଟ ଆଠଟି ଏଯାଏ ସମ୍ପୂର୍ଣ୍ଣ ହୋଇନାହିଁ।

ସେହିଭଳି ଦ୍ୱିତୀୟ ପର୍ଯ୍ୟାୟ ଯୋଜନା ୨୦୧୮ରେ ଅନୁମୋଦିତ ହୋଇଥିଲା ଏବଂ ୨୦୨୧-୨୨ ମଧ୍ୟରେ ଦେଶରେ ପ୍ରତି ତିନିଟି ଲୋକସଭା ନିର୍ବାଚନମଣ୍ଡଳୀର ଅଞ୍ଚଳ ମଧ୍ୟରେ ଅତିକମ୍‌ରେ ଗୋଟିଏ ମେଡିକାଲ କଲେଜ ସ୍ଥାପନର ଲକ୍ଷ୍ୟ ରଖା ଯାଇଥିଲା। ଏଥିରେ ପ୍ରତ୍ୟେକ ମେଡିକାଲ କଲେଜ ନିର୍ମାଣ ପାଇଁ ୨୫୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଏହି ପର୍ଯ୍ୟାୟରେ ରାଜ୍ୟମାନଙ୍କୁ ମୋଟ ୩୬୭୫କୋଟି ଟଙ୍କା ଦେଇଛନ୍ତି ଏବଂ ଆଠଟି ମେଡିକାଲ କଲେଜ କାର୍ଯ୍ୟ ଆରମ୍ଭ କରିଛି।

ତୃତୀୟ ପର୍ଯ୍ୟାୟ, ଯାହା ୨୦୧୯ରେ ଆରମ୍ଭ ହୋଇଥିଲା ସେଥିରେ ୨୦୨୩-୨୪ ସୁଦ୍ଧା ଅବଶିଷ୍ଟ ନୂଆ ମେଡିକାଲ କଲେଜଗୁଡିକୁ କାର୍ଯ୍ୟକ୍ଷମ କରିବାର ଲକ୍ଷ୍ୟ ରଖାଯାଇଥିଲା। ଏହି ପର୍ଯ୍ୟାୟରେ ପ୍ରତ୍ୟେକ ମେଡିକାଲ କଲେଜ ପାଇଁ ୩୨୫କୋଟି ଟଙ୍କା ଲେଖାଏଁ ଯୋଗାଣର ବ୍ୟବସ୍ଥା କେନ୍ଦ୍ର କରିଥିଲା। ଏ ବାବଦରେ ମୋଟ କେନ୍ଦ୍ରୀୟ ଅଂଶ ୧୫୪୯୯.୪୭କୋଟି ଟଙ୍କା ମଧ୍ୟରୁ ରାଜ୍ୟମାନଙ୍କୁ ଏ ଯାଏ ୯୩୨୪.୧୧ କୋଟି ଟଙ୍କା ଯୋଗାଇ ଦିଆଯାଇଛି। ଏହି ପର୍ଯ୍ୟାୟରେ ଏବେ ସୁଦ୍ଧା ୧୪ଟି ମେଡିକାଲ କଲେଜ କାର୍ଯ୍ୟକ୍ଷମ ହୋଇଛି।

ଆଜିର ବୈଠକରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଡକ୍ଟର ମନୋହର ଅଗ୍‌ନାନି, ଯୁଗ୍ମ ସଚିବ ହେକାଲୀ ଝିମୋମି ଓ ମନ୍ତ୍ରଣାଳୟର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

Categories
ବିଶେଷ ଖବର

ତାଳଚେର ମେଡ଼ିକାଲ କଲେଜକୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତି ସ୍ୱାଗତଯୋଗ୍ୟ: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ତାଳଚେର ସ୍ଥିତ ମହାନଦୀ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡ଼ିକାଲ ସାଇନ୍ସ ଏଣ୍ଡ୍ ରିସର୍ଚ୍ଚ(ମିମସାର)କୁ ଓଡ଼ିଶା ସରକାର ଓ ମହାନଦୀ କୋଲଡ ଫିଲ୍ଡ(ଏମସିଏଲ) ସମନ୍ୱୟ ରକ୍ଷା କରି ଯଥାଶୀଘ୍ର କାର୍ଯ୍ୟକ୍ଷମ କରିବେ ବୋଲି ଆଶାବ୍ୟକ୍ତ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ରାଜ୍ୟ ସରକାରଙ୍କ ଦ୍ୱାରା ତାଳଚେର ମେଡିକାଲ କଲେଜ ପରିଚାଳନା ନିଷ୍ପତି ପ୍ରସଙ୍ଗ ନେଇ ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ଯେ ତାଳଚେର ଠାରେ ଏମସିଏଲ ଦ୍ୱାରା ନିର୍ମିତ ମହାନଦୀ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡ଼ିକାଲ ସାଇନ୍ସ ଏଣ୍ଡ୍ ରିସର୍ଚ୍ଚକୁ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ହସ୍ତକ୍ଷେପ ପରେ ଓଡ଼ିଶା ସରକାର, ଏମସିଏଲର ସହଯୋଗରେ କାର୍ଯ୍ୟକାରୀ କରିବା ପାଇଁ ନେଇଥିବା ନିଷ୍ପତି ସ୍ୱାଗତଯୋଗ୍ୟ। ସମସ୍ତଙ୍କୁ ଉତମ ସ୍ୱାସ୍ଥ୍ୟସେବା ପ୍ରଦାନ କରିବା ପାଇଁ ଦେଶର ପ୍ରତ୍ୟେକ ଜିଲ୍ଲାରେ ଗୋଟିଏ ମେଡ଼ିକାଲ କଲେଜ ସ୍ଥାପନା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଳ୍ପନା ରହିଛି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ତାଳଚେର ଠାରେ ଭାରତ ସରକାରଙ୍କ ଏମସିଏଲ ଦ୍ୱାରା ୪୯୨ କୋଟି ଟଙ୍କା ବ୍ୟୟରେ ଏହି ମେଡ଼ିକାଲ କଲେଜ ପ୍ରତିଷ୍ଠା କରାଯାଉଛି।

ଓଡ଼ିଶା ସରକାର ଓ ଏମସିଏଲ ସମନ୍ୱୟ ରକ୍ଷା କରି ଯଥାଶୀଘ୍ର ମେଡ଼ିକାଲକୁ କାର୍ଯ୍ୟକ୍ଷମ କରିବେ ବୋଲି ଆଶା କରୁଛି। ତାଳଚେର ମେଡିକାଲ କଲେଜ କାର୍ଯ୍ୟକାରୀ ହେବା ଦ୍ୱାରା ଅନୁଗୋଳ ଜିଲ୍ଲା ସମେତ ଢ଼େଙ୍କାନାଳ, ଦେବଗଡ, କେନ୍ଦୁଝର, ସୁବର୍ଣ୍ଣପୁର, ବୌଦ୍ଧ ଓ ନୟାଗଡ ଜିଲ୍ଲାର ପ୍ରାୟ ୭୦ ଲକ୍ଷ ଲୋକମାନେ ଉତମ ସ୍ୱାସ୍ଥ୍ୟ ସୁବିଧା ପାଇବା ସହ ରାଜ୍ୟର ଛାତ୍ରଛାତ୍ରୀମାନେ ମେଡ଼ିକାଲ ପଢ଼ିବାର ସୁଯୋଗ ପାଇପାରିବେ ବୋଲି କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରିଛନ୍ତି।

ସୂଚନାଯୋଗ୍ୟ, ମହନଦୀ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡ଼ିକାଲ ସାଇନ୍ସ ଏଣ୍ଡ ରିସର୍ଚ୍ଚ (ମିମସାର)ରେ ଏମସିଏଲ ତରଫରୁ ୧୦୦ ଏମବିବିଏସ ସିଟ୍ ଓ ୫୦୦ଟି ମେଡ଼ିକାଲ ଶଯ୍ୟା ସହ ସମସ୍ତ ଆନୁଷାଙ୍ଗିକ ବ୍ୟବସ୍ଥା କରାଯାଇଛି। ହସ୍ପିଟାଲକୁ ଯଥାଶୀଘ୍ର କାର୍ଯ୍ୟକ୍ଷମ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ବ୍ୟକ୍ତିଗତ ଭାବରେ ଭାରତ ସରକାରଙ୍କ କୋଇଲା ମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିବା ସହ ଗତ ମାର୍ଚ୍ଚ ୯ ତାରିଖରେ ତାଙ୍କୁ ପତ୍ର ଲେଖି ଓଡିଶା ସରକାରଙ୍କୁ କଲେଜର ପରିଚାଳନା ଦାୟିତ୍ୱ ଦେବା ନେଇ ଅବଗତ କରିଥିଲେ। ଓଡ଼ିଶା ସରକାରଙ୍କ ଦ୍ୱାରା ଏହି ହସ୍ପିଟାଲର ପରିଚାଳନା, ରକ୍ଷଣାବେକ୍ଷଣ, ପ୍ରଶାସନିକ ଦାୟିତ୍ୱ ନେବାକୁ ଚିଠି ଲେଖିବା ପାଇଁ ପରାମର୍ଶ ଦେଇଥିଲେ କେନ୍ଦ୍ରମନ୍ତ୍ରୀ। ଏହି ମର୍ମରେ ମେଡ଼ିକାଲ କଲେଜର ପରିଚାଳନା ଦାୟିତ୍ୱ ନେବା ପାଇଁ ଏମସିଏଲର ସିଏମଡ଼ି ଗତ ଏପ୍ରିଲ ୨୧ ତାରିଖରେ ପତ୍ର ଲେଖି ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବଙ୍କୁ ଅନୁରୋଧ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

କଳାହାଣ୍ଡି ବାସୀଙ୍କ ଭାବାବେଗକୁ ଧୋକା ଦେଲା ସେଲଭାମ ଚେରିଟେବୁଲ ଟ୍ରଷ୍ଟ

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଜାରିଙ୍ଗଠାରେ ମେଡିକାଲ କଲେଜ ସ୍ଥାପନ ହେବା ପରେ ଅତ୍ୟାଧୁନିକ ଚିକିତ୍ସା ସେବା ମିଳିପାରିବ ବୋଲି ସମଗ୍ର ଜିଲ୍ଲାବାସୀଙ୍କ ବହୁ ଆଶା ଆକାଂକ୍ଷା ଥିଲା। ହେଲେ କଳାହାଣ୍ଡିବାସୀଙ୍କ ଭାବେବେଗ ସହ ଖେଳ ଖେଳି ମେଡିକାଲ କଲେଜ ସ୍ଥାପନ ଦାୟୀତ୍ୱ ନେଇଥିବା ସେଲଭାମ ଏଡୁକେସନାଲ ଚାରିଟେବୁଲ ଟ୍ରଷ୍ଟ ସମଗ୍ର ଜିଲ୍ଲାବାସୀଙ୍କୁ ଧୋକା ଦେଇଥିବା ପ୍ରମାଣିତ ହୋଇଯାଇଛି। ଫଳରେ ଜିଲ୍ଲାବାସୀଙ୍କ ଭାବାବେଗରେ ଜଡିତ ଆଶା ଆକାଂକ୍ଷା ଧୂଳିସାତ ହୋଇଯାଇଛି।

ଅବହେଲିତ କଳାହାଣ୍ଡି ଜିଲ୍ଲା ସମେତ ଆଖପାଖ ଜିଲ୍ଲାର ଜନସାଧାରଣଙ୍କୁ ଚିକିତ୍ସା ସେବା ଯୋଗାଇଦେବା ନିମନ୍ତେ ତତ୍କାଳୀନ ଧର୍ମଗଡ ଉପଜିଲ୍ଲାପାଳଙ୍କ ଉଦ୍ୟମ କ୍ରମେ ଭବାନୀପାଟଣା-ଜୁନାଗଡ ଏନଏଚ-୨୬ ( ପ୍ରାକ୍ତନ ଏନଏଚ-୨୦୧) ରାସ୍ତା ପାର୍ଶ୍ଵରେ ଜାରିଙ୍ଗ ଠାରେ ୨୫ ଏକର ସରକାରୀ ଜମି ଲିଜ କେଶ ନଂ.୦୧/୨୦୦୬ ଅନୁସାରେ ପ୍ଲଟ ନଂ.୮୦୭/୯୧୯ ରେ ୨୨ ଏକର ଓ ପ୍ଲଟ ନଂ. ୨୩୫/୯୧୮ ରେ ୩ ଏକର ଜମି ଚେୟାରମେନ, ସେଲଭାମ ଏଡୁକେସନାଲ ଚେରିଟେବୁଲ ଟ୍ରଷ୍ଟ ଙ୍କ ନାମରେ ଖାତା ନଂ.୨୨୭/୫୧ ଅନୁସାରେ ହସ୍ତାନ୍ତର କରାଯାଇ ଥିଲା।

ସେହିପରି ପ୍ରସ୍ତାବିତ ମେଡିକାଲ କଲେଜ ସ୍ଥାପନ ନିମନ୍ତେ ପର୍ଯ୍ୟାପ୍ତ ସରକାରୀ ସହାୟତା ପାଣ୍ଠି ଯୋଗାଇ ଦିଆ ଯାଇଥିଲା। ତଦନୁସାରେ ସେଲଭାମ ଏଡୁକେସନାଲ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଆବଶ୍ୟକୀୟ ବିଲଡିଂ ସବୁ ନିର୍ମାଣ କରାଯାଇ ଛାତ୍ରଛାତ୍ରୀ ମାନଙ୍କ ଜଏନିଂ କରାଯାଇଥିଲା। ହେଲେ ମେଡିକାଲ କାଉନସିଲ ର ସମସ୍ତ ନିୟମାବଳୀ ପୂରଣ କରିପାରିନଥିବା ହେତୁ ସେହି କଲେଜ ବନ୍ଦ ହୋଇଯାଇଥିବା ଜଣାପଡିଛି। ବର୍ତ୍ତମାନ ସେସଂକ୍ରାନ୍ତରେ କେଶ ଚାଲିଥିବା ମଧ୍ୟ ଜଣାପଡିଛି।

ଅନ୍ୟପକ୍ଷରେ କଳାହାଣ୍ଡି ବାସୀଙ୍କ ଭାବେବେଗ ସହ ଜଡିତ ଏବଂ ସରକାରୀ ଜମି ଓ ପାଣ୍ଠି ଯୋଗାଇ ଦିଆଯାଇଥିବା ବେଳେ ଟ୍ରଷ୍ଟ ପକ୍ଷରୁ ଆବଶ୍ୟକୀୟ ଆନୁସଙ୍ଗିକ ବ୍ୟବସ୍ଥା ଏବଂ ମେଡିକାଲ ଶିକ୍ଷାଦାନ ବ୍ୟବସ୍ଥା କରିବାରେ ଅବହେଲା କରାଯାଇଥିବା ଅଭିଯୋଗ ହୋଇଥିଲା। ଯାହାଫଳରେ ମେଡିକାଲ ଶିକ୍ଷାଲାଭ ଏବଂ ଚିକିତ୍ସା ସେବା ପାଇବାରେ କଳାହାଣ୍ଡି ବାସୀ ବଂଚିତ ହୋଇଯାଇଛନ୍ତି।

ମେଡିକାଲ କଲେଜ ବନ୍ଦ ହେବାପରେ ବର୍ତ୍ତମାନ ଜମି ମାଫିଆ ମାନଙ୍କ ଲୋଲୁପ ଦୃଷ୍ଟି ସେହି ମୂଲ୍ୟବାନ ଜମି ସବୁ ଉପରେ ପଡିଥିବା ଦେଖାଯାଉଛି। ପ୍ରଥମ ପର୍ଯ୍ୟାୟରେ ମେଡିକାଲ କଲେଜ ପକ୍ଷରୁ ଷ୍ଟାଫ କ୍ୱାଟର ନିର୍ମାଣ କରାଯିବାକୁ ଏନଏଚ ପାଶ୍ୱର୍ସ୍ଥ ଜାରିଙ୍ଗ ସଂଲଗ୍ନିତ ଘଂଟବାହାଲି ମୌଜାର ବୃନ୍ଦାବତୀ ସ୍ୱାମୀ- ରାମଦାସ ସାହୁଙ୍କ ଠାରୁ ଖାତାନଂ.୯୦ ମଧ୍ୟରୁ ନଅ (୯) ଏକର ଜମି ସେଲଭାମ ଏଡୁକେସନାଲ ଚାରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷଙ୍କ ପତ୍ନୀ ସୋଫିଆ ରାଜି ଓ ତାଙ୍କ ପୁତ୍ର ମାନଙ୍କ ନାମରେ କିଣାଯାଇ ଖାତା ନଂ. ୧୫୧/୬୩ ରେ ରଖାଯାଇଥିଲା। ସେହି ନଅ ଏକର ଜମିକୁ ଜୁନାଗଡସ୍ଥିତ ଶଙ୍କରଲାଲ ଅଗ୍ରୱାଲ କିଣିନେଇ ଗତ ୨୦୨୦ ରେ ମ୍ୟୁଟେସନ ମରି ଖାତା ନଂ.୧୫୧/୭୭ ରେ ନିଜ ନାମରେ କରାଇନେଇଥିବା ଜଣାପଡିଛି। ଏନଏଚ-୨୬ ପାଶ୍ୱର୍ରେ ଥିବା ଏହି ଜମି ରେ ବର୍ତ୍ତମାନ ପ୍ଲଟିଂ କରାଯାଇ ବିକ୍ରୀ କରିବାକୁ ଯୋଜନା କରାଯାଉଥିବା ଦେଖାଯାଉଛି।

କଳାହାଣ୍ଡି ଜିଲ୍ଲାରେ ଅତୀତରେ ଚିଟଫଣ୍ଡ ଜମି, ଦେବୋତ୍ତର ଜମିକୁ ମାଫିଆ ମାନଙ୍କ ଦ୍ୱାରା କିଣାଯାଇ ପ୍ଲଟିଂ କରାଯାଉଥିବା ଅନେକ ଅଭିଯୋଗ ହେଉଥିବା ବେଳେ ଜୁନାଗଡରେ ମଧ୍ୟ ମନ୍ଦିର ଜମିକୁ ହାତେଇ ନେଇ ପ୍ଲଟିଂ କରାଯାଇ ବିକ୍ରୀ କରାଯାଇଥିବା ଅଭିଯୋଗ ହୋଇଛି। ଏପରିସ୍ଥଳେ ଘଂଟବାହାଲିସ୍ଥ ଏହି ଜମି ଯଦିଓ ଟ୍ରଷ୍ଟ ମାଲିକ ସର୍ଦ୍ଦାର ରାଜାଙ୍କ ପରିବାର ଲୋକଙ୍କ ନାମରେଥିଲା, ତଥାପି ଏହା ମେଡିକାଲ କଲେଜର ଆନୁସଙ୍ଗିକ ବିଲଡିଂ ନିର୍ମାଣ ପାଇଁ ହିଁ ରଖାଯାଇଥିବା ବେଳେ ସେହି ଜମିକୁ ହସ୍ତାନ୍ତର କରିନେଇ ପ୍ଲଟିଂ କରାଯିବା କଳାହାଣ୍ଡି ଜିଲ୍ଲାବାସୀଙ୍କ ଭାବାବେଗ ପ୍ରତି କୁଠାରାଘାତ ନୁହେଁ କି ବୋଲି ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଆଉ ୪ ଟି ମେଡିକାଲ କଲେଜର ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ସେଣ୍ଟ୍ରାଲ ଇନଷ୍ଟିଚ୍ୟୁଟ୍ ଅଫ୍ ପେଟ୍ରୋକେମିକାଲ୍ସ ଟେକ୍ନୋଲୋଜି (ସିଆଇପିଇଟି) ର ଉଦଘାଟନ କରିଛନ୍ତି। ଏହା ସହିତ ସେ ରାଜସ୍ଥାନର ୪ ଟି ମେଡିକାଲ କଲେଜର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, କୋଭିଡ ମହାମାରୀରେ ଭାରତ ଆତ୍ମନିର୍ଭରଶୀଳ ହେବାକୁ ନିଷ୍ପତ୍ତି ନେଇଛି। ରାଜସ୍ଥାନରେ ୪ ଟି ମେଡିକାଲ୍ କଲେଜ ନିର୍ମାଣ ଏବଂ ପେଟ୍ରୋକେମିକାଲ୍ ଟେକ୍ନୋଲୋଜି ଇନଷ୍ଟିଚ୍ୟୁଟର ଉଦଘାଟନ ପାଇଁ ଏହି କାର୍ଯ୍ୟକ୍ରମ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ୨୦୧୪ ମସିହାରୁ ରାଜସ୍ଥାନର ୨୩ ଟି ନୂତନ ମେଡିକାଲ କଲେଜ ପାଇଁ କେନ୍ଦ୍ର ସରକାର ଅନୁମୋଦନ ଦେଇଛନ୍ତି। ସେଥିମଧ୍ୟରୁ ୭ ଟି ମେଡିକାଲ କଲେଜ ଆରମ୍ଭ ହୋଇଛି। ଆଜି ବାଂଶୱାଡା, ସିରୋହି, ହନୁମାନଗଡ ଏବଂ ଦୌସା ଠାରେ ନୂତନ ମେଡିକାଲ କଲେଜ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଗତ ୬-୭ ବର୍ଷ ଭିତରେ ଦେଶର ସ୍ୱାସ୍ଥ୍ୟ କ୍ଷେତ୍ରରେ ମୁଁ ଯେଉଁ ତ୍ରୁଟି ଦେଖୁଛି, ସେଗୁଡିକୁ ହଟାଇବା ପାଇଁ ନିରନ୍ତର ଉଦ୍ୟମ କରାଯାଉଛି।

ପ୍ରଧାନମନ୍ତ୍ରୀ ମୋଦୀ ଆହୁରି କହିଛନ୍ତି ଯେ, ୬-୭ ବର୍ଷ ମଧ୍ୟରେ ୧୭୦ ରୁ ଅଧିକ ନୂତନ ମେଡିକାଲ କଲେଜ ନିର୍ମାଣ କରାଯାଇଛି। ୧୦୦ ରୁ ଅଧିକ ନୂତନ ମେଡିକାଲ କଲେଜରେ କାର୍ଯ୍ୟ ଚାଲିଛି। ୨୦୧୪ ମସିହାରେ, ଦେଶରେ ମେଡିକାଲ୍ ସ୍ନାତକ ଏବଂ ସ୍ନାତକୋତ୍ତର ର ମୋଟ ସିଟ୍ ପାଖାପାଖି ୮୨ ହଜାର ଥିଲା, ଆଜି ତାହାର ସଂଖ୍ୟା ୧ ଲକ୍ଷ ୪୦ ହଜାରକୁ ବୃଦ୍ଧି ପାଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କରୋନା ମୁକାବିଲା: ୩୦ ଟି ଜିଲ୍ଲା ପାଇଁ ୭ ଟି ମେଡିକାଲ କଲେଜ ମଧ୍ୟରେ ଦାୟିତ୍ଵ ବଣ୍ଟନ

ଭୁବନେଶ୍ବର: ରାଜ୍ୟ ସରକାର କରୋନା ମୁକାବିଲା ପାଇଁ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟସରକାର ୭ ଟି ମେଡିକାଲ କଲେଜକୁ ୩୦ ଟି ଜିଲ୍ଲାର ଦାୟିତ୍ଵ ଦେଇଛନ୍ତି। ମେଡିକାଲ କଲେଜ ଟିମ୍ ଜିଲ୍ଲା କୋଭିଡ଼ ସେଣ୍ଟରର ତଦାରଖ କରିବେ।

ଜାଣନ୍ତୁ କେଉଁ ମେଡିକାଲ କଲେଜକୁ କେଉଁ ଜିଲ୍ଲା ଦାୟିତ୍ଵ:

୧- ଏସସିବି ମେଡିକାଲ କଲେଜ ଟିମ୍- କଟକ, ଢେଙ୍କାନାଳ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡା, ଖୋର୍ଦ୍ଧା, ନୟାଗଡ ଏବଂ ପୁରୀ ଜିଲ୍ଲା

୨- ଏମକେସିଜି, ବ୍ରହ୍ମପୁର- ଗଞ୍ଜାମ, ବୌଦ୍ଧ, ଗଜପତି ଏବଂ କନ୍ଧମାଳ ଜିଲ୍ଲା

୩- ଭୀମସାର- ଅନୁଗୁଳ, ବରଗଡ, ଦେବଗଡ, ଝାରସୁଗୁଡା, ସମ୍ବଲପୁର ଏବଂ ସୁନ୍ଦରଗଡ ଜିଲ୍ଲା

୪- ଏସ.ଏଲ.ଏନ ମେଡିକାଲ କଲେଜ-  କୋରାପୁଟ, ମାଲକାନାଗିରି, ନବରଙ୍ଗପୁର, ରାୟଗଡା ଜିଲ୍ଲା

୫- ପି.ଆର.ଏମ, ବାରିପଦା- କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲା

୬- ଏଫ.ଏମ କଲେଜ- ବାଲେଶ୍ଵର ଏବଂ ଭଦ୍ରକ ଜିଲ୍ଲା

୭- ବି.ବି କଲେଜ- ବଲାଙ୍ଗୀରି, କଳାହାଣ୍ଡି, ନୂଆପଡା ଏବଂ ସୋନପୁର ଜିଲ୍ଲା ଦାୟିତ୍ଵ ମିଳିଛି।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତା ଶିକ୍ଷାବର୍ଷରୁ ରାଜ୍ୟରେ ଆଉ ତିନୋଟି ମେଡିକାଲ କଲେଜ

ଭୁବନେଶ୍ୱର:  ଆସନ୍ତା ଶିକ୍ଷାବର୍ଷ ରାଜ୍ୟରେ ଆଉ ତିନୋଟି ମେଡିକାଲ କଲେଜ ହେବ । ଖୁବଶୀଘ୍ର ତାଳଚେର, ସୁନ୍ଦରଗଡ଼ ଓ ପୁରୀରେ ହେବାକୁ ଯାଉଛି ତିନୋଟି ମେଡିକାଲ କଲେଜ । 3ଟି ମେଡିକାଲ କଲେଜର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ପ୍ରତି ମେଡିକାଲ କଲେଜରେ 100 ଟି ସିଟ୍‌ ରହିବ। ଚଳିତ ବର୍ଷ ଡିସେମ୍ବର ସୁଦ୍ଧା 3ଟି କଲେଜର କୋଠା କାମ ସାରିବାକୁ ନିର୍ଦ୍ଦେଶ ରହିଛି । କୋଠା କାମ ସାରି ଆଡ୍‌ମିଶନ୍‌ ପାଇଁ ଏମ୍‌ସିଆଇକୁ ଜଣାଇବାକୁ ନିର୍ଦ୍ଦେଶ ରହିଛି ।

Categories
ଜାତୀୟ ଖବର ବିଶେଷ ଖବର ସ୍ବାସ୍ଥ୍ୟ

ମେଡିକାଲ ପଢିବା ପାଇଁ ଜାତୀୟ ମେଡିକାଲ କମିଶନ ପକ୍ଷରୁ ନିଆଗଲା ବଡ ପଦକ୍ଷେପ, ଜାଣନ୍ତୁ କଣ

ନୂଆଦିଲ୍ଲୀ, ଡାକ୍ତରୀ ଶିକ୍ଷାକୁ ସୁଲଭ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରି ଜାତୀୟ ମେଡିକାଲ କମିଶନ (ଏନ୍‌ଏମ୍‌ସି) ତାହାର ପ୍ରଥମ ବଡ଼ଧରଣର ନୀତିନିୟମ ଆଜି ଘୋଷଣା କରିଛନ୍ତି। ବାର୍ଷିକ ଏମ୍‌ବିବିଏସ୍ ନାମଲେଖା ନିୟମ ୨୦୨୦ ପାଇଁ ସର୍ବନିମ୍ନ ଆବଶ୍ୟକତା ଶୀଷର୍କରେ ପ୍ରକାଶିତ ଏକ ବିଜ୍ଞପ୍ତିରେ ପୂର୍ବର ଭାରତୀୟ ଭେଷଜ ପରିଷଦ ବା ଏମ୍‌ସିଆଇର ବାର୍ଷିକ ନାମଲେଖା ସଂକ୍ରାନ୍ତ ୧୯୯୯ର ନିୟମକୁ ରଦ୍ଦ କରାଯାଇଛି । ଏମ୍‌ସିଆଇ ପକ୍ଷରୁ ୧୯୯୯ ଆଇନ (୫୦/୧୦୦/୧୫୦/୨୦୦/୨୫୦ ବାର୍ଷିକ ନାମଲେଖା) ପାଇଁ ଯେଉଁ ସର୍ବନିମ୍ନ ମାନ ଧାର୍ଯ୍ୟ କରାଯାଉଥିଲା ନୂଆ ବିଜ୍ଞପ୍ତି ଅନୁସାରେ ତାହାର ଅବସାନ ଘଟିଛି ।

ନୂଆ ନିୟମ ଅନୁସାରେ ଏଣିକି ଦେଶର ସମସ୍ତ ନୂତନ ପ୍ରସ୍ତାବିତ ମେଡିକାଲ କଲେଜମାନ ସ୍ଥାପନ ହେବ। ଏହି ଆଇନ ଅନୁସାରେ ମଧ୍ୟ ପ୍ରତିଷ୍ଠିତ ହୋଇଥିବା ମେଡିକାଲ କଲେଜଗୁଡିକର ଏମ୍‌ବିବିଏସ୍ ଆସନ ସଂଖ୍ୟା ବୃଦ୍ଧି କରାଯିବ। ୨୦୨୧-୨୨ ପାଠ୍ୟକ୍ରମ ବର୍ଷରୁ ଏହି ନୂଆ ନିୟମ ଲାଗୁ ହେବ । ଏହି ସନ୍ଧିକ୍ଷଣରେ ପ୍ରତିଷ୍ଠିତ ହୋଇସାରିଥିବା ମେଡିକାଲ କଲେଜଗୁଡିକ ଆଜିର ବିଜ୍ଞପ୍ତି ପ୍ରକାଶ ପୂର୍ବରୁ ପ୍ରଚଳିତ ନିୟମ ଅନୁସାରେ କାର୍ଯ୍ୟ କରିବ।

ମେଡିକାଲ ଶିକ୍ଷାନୁଷ୍ଠାନଗୁଡିକର କାର‌୍ୟ୍ୟ ଓ ଆବଶ୍ୟକତାକୁ ଦୃଷ୍ଟିରେ ରଖି ନୂଆ ଆଇନରେ ନୂତନ ମାନ ଓ ନୀତିମାନ ଧାର‌୍ୟ୍ୟ କରାଯାଇଛି। ଏଥିରେ ଉପଲବ୍ଧ ସମ୍ବଳର ସର୍ବାଧିକ ବିନିଯୋଗ, ଉତ୍କୃଷ୍ଟ ମାନର ଶିକ୍ଷାଦାନ ପାଇଁ ଅତ୍ୟାଧୁନିକ ଶୈକ୍ଷିକ ଟେକ୍ନୋଲଜିର ଉପଯୋଗ ଏବଂ ସମ୍ବଳ ଦୁର୍ଲ୍ଲଭ ଥିବା ଅବସ୍ଥାରେ ମଧ୍ୟ ଏସବୁ ଶିକ୍ଷାନୁଷ୍ଠାନକୁ କାର୍ଯ୍ୟ କରିବାର ସୁଯୋଗ ଦେବା ଆଦି ଅନ୍ତର୍ଭୁକ୍ତ। ମୋଟାମୋଟି ଭାବେ ନୂଆ ଆଇନ ମେଡିକାଲ କଲେଜ ପ୍ରତିଷ୍ଠା ଏହାର ଶୈକ୍ଷିକ ସମ୍ବଳ ଓ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ ଆଦି କ୍ଷେତ୍ରରେ ନମନୀୟ ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ

ନୂଆ ନିୟମରେ ଏକ ନୂତନ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ପୂର୍ବର ନିର୍ଦ୍ଦିଷ୍ଟ ପରିମାଣ ଜମିର ଆବଶ୍ୟକତାକୁ ଉଠାଇ ଦିଆଯାଇଛି। ସେହିଭଳି ସଂପୃକ୍ତ ମେଡିକାଲ କଲେଜ ସହିତ ସହବନ୍ଧିତ ଟିଚିଂ ହସ୍ପିଟାଲ୍ସଗୁଡିକର ନିର୍ଦ୍ଧାରିତ ଜମି ଆବଶ୍ୟକତା ରହିବ ନାହିଁ । ସଂପୃକ୍ତ ହସ୍ପିଟାଲଗୁଡିକର ସମସ୍ତ ଭବନ ନିର୍ମାଣ ନିର୍ଦ୍ଧାରିତ ନିୟମ ଅନୁସାରେ ହେବା ଉଚିତ। ଏହି ବିଜ୍ଞପ୍ତିରେ ଆହୁରି ମଧ୍ୟ ସବୁ ମେଡିକାଲ କଲେଜରେ ଛାତ୍ରଭିତ୍ତିକ ଇଲାକା (ଷ୍ଟୁଡେଣ୍ଟସ୍ ସେଣ୍ଟ୍ରିକ୍ ସ୍ପେସ୍‌) କେତେ ରହିବ ତାହାର ସର୍ବନିମ୍ନ ଆବଶ୍ୟକତାକୁ ଧାର‌୍ୟ୍ୟ କରାଯାଇଛି।

ତଦନୁସାରେ ନୂଆ ମେଡିକାଲ କଲେଜର କାର‌୍ୟ୍ୟକାରୀ ଇଲାକା କେତେ ହେବ ତାହା ମଧ୍ୟ ନିର୍ଦ୍ଧାରିତ ହୋଇଛି। ନୂଆ ନିୟମରେ ଯେଉଁ ମାନ ନିର୍ଦ୍ଧାରଣ କରାଯାଇଛି ସେଥିରେ ସବୁ ମେଡିକାଲ କଲେଜରେ ଉପଲବ୍ଧ ସବୁ ବିଭାଗର ଶିକ୍ଷାଦାନ ଇଲାକାକୁ ହିସାବକୁ ନିଆଯିବ। ପୂର୍ବରୁ ଏହା ସବୁ ବିଭାଗ ପାଇଁ ଭିନ୍ନ ଭିନ୍ନ ଥିଲା ଏବଂ ଏହି ସୁବିଧାକୁ ଏକକଭାବେ ହିସାବକୁ ନିଆଯାଉ ନ ଥିଲା। ନୂଆ ବ୍ୟବସ୍ଥାରେ ମେଡିକାଲ କଲେଜର ସମସ୍ତ ପାଠପଢା ସ୍ଥାନ ଇ-ଲର୍ଣ୍ଣିଂ ପାଇଁ ଉପଲବ୍ଧ ହେବ ଏବଂ ପରସ୍ପର ପରସ୍ପର ସହିତ ଡିଜିଟାଲ ବ୍ୟବସ୍ଥାରେ ସଂଯୁକ୍ତ ହେବେ।

ନୂଆ ନିୟମ ଅନୁସାରେ ଏକ ସ୍ୱୟଂ ସଂପୂର୍ଣ୍ଣ ସ୍କିଲ ଲାବରେଟୋରୀ ଛାତ୍ରଛାତ୍ରୀଙ୍କୁ ତାଲିମ ଦେବା ପାଇଁ ଅପରିହାର‌୍ୟ୍ୟ ହୋଇଛି। ସେହିଭଳି ମେଡିକାଲ ଶିକ୍ଷକମାନଙ୍କୁ ତାଲିମ ଦେବା ପାଇଁ ନୂଆ ବ୍ୟବସ୍ଥାରେ ମେଡିକାଲ ଶିକ୍ଷା ୟୁନିଟ ଗଠନ ବ୍ୟବସ୍ଥା କରାଯାଇଛି । ଏହାଛଡା ଲାଇବ୍ରେରୀ ପାଇଁ ଆବଶ୍ୟକ ସ୍ଥାନ ଏବଂ ଏଥିରେ ପୁସ୍ତକ ଓ ପତ୍ରପତ୍ରିକା କେତେ ରହିବ ତାହାକୁ ମଧ୍ୟ ପୂର୍ବାପେକ୍ଷା ହ୍ରାସ କରାଯାଇ ଯୁକ୍ତିଯୁକ୍ତ କରାଯାଇଛି । ନୂଆ ବ୍ୟବସ୍ଥାରେ ଷ୍ଟୁଡେଣ୍ଟ କାଉନ୍‌ସେଲିଂ ସେବା ବାଧ୍ୟତାମୂଳକ ହୋଇଛି।

ସଂପ୍ରତି ଡାକ୍ତରୀ ଛାତ୍ରଛାତ୍ରୀ ଓ ରେସିଡେଣ୍ଟ ଡାକ୍ତରମାନଙ୍କ ମଧ୍ୟରେ ମାନସିକ ଚାପ ବଢୁଥିବାରୁ ତାହାର ନିରାକରଣ ପାଇଁ ଏହି ସେବା ପ୍ରବର୍ତ୍ତନର ବ୍ୟବସ୍ଥା ହୋଇଛି। ମେଡିକାଲ ଟ୍ରେନିଂ କ୍ଷେତ୍ରରେ ଉତ୍ତମଭାବେ କାର‌୍ୟ୍ୟ କରୁଥିବା ଏକ ହସ୍ପିଟାଲର ଭୂମିକାକୁ ନୂଆ ନିୟମରେ ଯଥୋଚିତ ମାନ୍ୟତା ପ୍ରଦାନ କରାଯାଇଛି । ତଦନୁସାରେ ୩୦୦ ଶଯ୍ୟା ବିଶିଷ୍ଟ ସଂପୂର୍ଣ୍ଣ କାର‌୍ୟ୍ୟକ୍ଷମ ଏକ ମଲ୍ଟି ସ୍ପେଶାଲିଟି ହସ୍ପିଟାଲ ପ୍ରତିଷ୍ଠା ପାଇଁ ଆବେଦନ କଲେ ଆବେଦନକାରୀଙ୍କୁ ୨ ବର୍ଷ ମଧ୍ୟରେ ଏହିସବୁ ସୁବିଧା ଓ ଭିତ୍ତିଭୂମି ପୂରଣ କରିବାର ବ୍ୟବସ୍ଥା ରହିଛି ।

ପୂର୍ବ ନିୟମରେ ଏଭଳି ହସ୍ପିଟାଲ ପ୍ରତିଷ୍ଠା ପାଇଁ ସମୟସମୀ ଧାର‌୍ୟ୍ୟ କରାଯାଇ ନ ଥିଲା । ଟିଚିଂ ହସ୍ପିଟାଲରେ ବିଭିନ୍ନ ବିଭାଗରେ ଆବଶ୍ୟକ ହେଉଥିବା ଶଯ୍ୟାକୁ ଯୁକ୍ତିଯୁକ୍ତ କରାଯାଇଛି। ଏହା ବାର୍ଷିକ ଡାକ୍ତରୀ ଛାତ୍ରଛାତ୍ରୀ ଗ୍ରହଣ, କ୍ଲିନିକାଲ ସ୍ପେଶାଲିଟିସ୍ ପାଇଁ ବିନିଯୋଗ ହେଉଥିବା ପାଠପଢା ସମୟ ଆଦି ସହିତ ସଂଯୁକ୍ତ ହୋଇଛି । ଏହାଛଡା ଏଭଳି ମେଡିକାଲ କଲେଜରେ ସର୍ବନିମ୍ନ ଆବଶ୍ୟକ ଡାକ୍ତରୀ ଉପକରଣର ସୀମା ମଧ୍ୟ ହ୍ରାସ କରାଯାଇଛି । ଆବଶ୍ୟକସ୍ଥଳେ ଅଣ୍ଡର ଗ୍ରାଜୁଏଟ ମେଡିକାଲ ଟ୍ରେନିଂ ପାଇଁ ପୂର୍ବାପେକ୍ଷା ୧୦ ଶତାଂଶ ଟିଚିଂ ବେଡ୍‌ର ବ୍ୟବସ୍ଥା କମ୍ ହୋଇଛି ।

ଟିଚିଂ ଫାକଲ୍‌ଟିର ସଂଖ୍ୟାକୁ ମଧ୍ୟ ଯୁକ୍ତିଯୁକ୍ତ କରାଯାଇଛି । ନୂଆ ନିୟମରେ ସର୍ବନିମ୍ନ ନିର୍ଦ୍ଧାରିତ ଫାକଲ୍‌ଟି ସହିତ ଭିଜିଟିଂ ଫାକଲ୍‌ଟି ବ୍ୟବସ୍ଥା କରାଯାଇ ଟ୍ରେନିଂର ମାନ ବୃଦ୍ଧି ପାଇଁ ବ୍ୟବସ୍ଥା ରହିଛି । ଅଣ୍ଡର ଗ୍ରାଜୁଏଟ ମେଡିକାଲ ଛାତ୍ରଛାତ୍ରୀଙ୍କୁ ତାଲିମ ପ୍ରଦାନ ପାଇଁ ନୂଆ ବ୍ୟବସ୍ଥାରେ ସବୁ ମେଡିକାଲ କଲେଜ ପାଇଁ ଦୁଇଟି ନୂଆ ଟିଚିଂ ଡିପାର୍ଟମେଣ୍ଟ ବାଧ୍ୟତାମୂଳକ କରାଯାଇଛି । ସେ ଦୁଇଟି ହେଲା ଏମର୍ଜେନ୍‌ସି ମେଡିକାଲ ବିଭାଗ ଓ ଫିଜିକାଲ ମେଡିସିନ ଏବଂ ରିହାବିଲିଟେସନ ବିଭାଗ । ଆଗରୁ ଏମ୍‌ର୍ଜେନ୍‌ସି ମେଡିକାଲ ବିଭାଗଟି କାଜୁଆଲ୍‌ଟି ବିଭାଗଭାବେ ପରିଚିତ ଥିଲା ।

ଏହି ନୂଆ ବିଭାଗଟି ରୋଗୀଙ୍କୁ ତୁରନ୍ତ ସେବା ଯୋଗାଇଦେବ । ଏହାଛଡା ଏହି ବିଭାଗ ସେମାନଙ୍କ ଜୁରୁରୀ ଚିକିତ୍ସା ଆବଶ୍ୟକତା ଅନୁସାରେ ତୁରନ୍ତ ଓ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା କରିବ । ବିଶେଷ କରି ଟ୍ରମା କ୍ଷେତ୍ରରେ ରୋଗୀଙ୍କ ଚିକିତ୍ସାକୁ ଅଗ୍ରାଧିକାର ଦିଆଯିବ । ସେହିଭଳି ବାଧ୍ୟତାମୂଳକ ଅନ୍ୟ ବିଭାଗଟି ହେଲା ଫିଜିକାଲ ମେଡିସିନ ଓ ରିହାବିଲିଟେସନ । ଯେଉଁ ରୋଗୀମାନେ ପୂର୍ଣ୍ଣାଙ୍ଗ ଥଇଥାନ ଚିକିତ୍ସା ଓ ଯତ୍ନ ଲୋଡୁଛନ୍ତି ଏହି ବିଭାଗ ସେମାନଙ୍କର ଆବଶ୍ୟକତା ପୂରଣ କରିବ ।

ନୂଆ ନିୟମରେ ‘ଡିଜାଏରେବଲ’ ଓ ‘ଆସ୍ପିରେସନେବୁଲ’ ଲକ୍ଷ୍ୟକୁ ଗୁରୁତ୍ୱ ଦିଆଯାଇଛି । ସର୍ବନିମ୍ନ ଆବଶ୍ୟକତା ବାହାରେ ଏହି ଦୁଇଟି ବିଷୟ ରହିଛି । ମେଡିକାଲ କଲେଜ ଓ ହସ୍ପିଟାଲ ଭଳି ଅନୁଷ୍ଠାନର ଉତ୍କର୍ଷ ବୃଦ୍ଧିକୁ ପ୍ରୋତ୍ସାହିତ କରିବା ନିମନ୍ତେ ଏହି ଦୁଇଟି ମାନ ନୂଆ ନିୟମରେ ଯୋଡା ଯାଇଛି । ଜାତୀୟ ମେଡିକାଲ କମିଶନ ଦେଶର ମେଡିକାଲ ପ୍ରତିଷ୍ଠାନଗୁଡିକର ରେଟିଂ ନିର୍ଦ୍ଧାରଣ କରିବା ସମୟରେ ଏସବୁ ବିଷୟବସ୍ତକୁ ବିଚାରକୁ ନେବ।