Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶାରେ ମେଣ୍ଟ ହେଲେ ମୋଦି ଶାହାଙ୍କୁ ମିଳିବ ଦୁଇଟି ବଡ ରାଜନୈତିକ ଫାଇଦା

ଭୁବନେଶ୍ବର: ମେଣ୍ଟ ନେଇ ସାରା ରାଜ୍ୟ ପଡୁଛି ଉଠୁଛି। ହେଲେ ଗତକାଲି ଏହି ମେଣ୍ଟ ନେଇ ସେପରି ଚର୍ଚ୍ଚା ଆଲୋଚନା କିଛି ଜଣାପଡି ନାହିଁ। ହେଲେ ବର୍ତ୍ତମାନ ନେତାଙ୍କଠାରୁ କର୍ମି ପର୍ଯ୍ୟନ୍ତ ସମସ୍ତଙ୍କ ମୁହଁରେ ଗୋଟିଏ କଥା ଏହି ମେଣ୍ଟ କାହିଁକି। ଏହା ଦ୍ବାରା ବିଜେପିର ଲାଭ ହେବ କି ? ଏହାଦ୍ବାରା ବିଜେଡିର କ୍ଷତି ହେବ କି ? ଯଦି ନାହିଁ ତେବେ କାହିଁକି ଏପରି ଚାଲିଛି ବୋଲି ସମସ୍ତଙ୍କ ମଧ୍ୟରେ ବଡ ଆଲୋଚନା।

ବର୍ତ୍ତମାନ ଏହି ମେଣ୍ଟକୁ ନେଇ ରାଜ୍ୟ ବିଜେପି ସବୁଠାରୁ ଉତକ୍ଷିପ୍ତ। କାରଣ ସେମାନେ ବିଜେଡି ସହିତ ପୁଣି ମେଣ୍ଟ କଲେ ହୁଏତ ସେମାନଙ୍କର ଅସ୍ତିତ୍ବ ହଜିଯିବାର ସମ୍ଭାବନା ସୃଷ୍ଟି ହେବ। ସେମାନେ ଯେତେ ପରିଶ୍ରମ କରି ଆଜି ଦଳକୁ ଯେଉଁ ସ୍ତରକୁ ଆଣିଛନ୍ତି ମେଣ୍ଟ ହେଲେ ତାହା ପୁଣି ପଚିଶ ବର୍ଷ ତଳକୁ ଖସିଯିବ। ସେପଟେ ମେଣ୍ଟ ନ କଲେ ମଧ୍ୟ ବିଜେଡି ଏକାକୀ ସରକାର କରିବାରେ ସକ୍ଷମ। ତେବେ ଓଡିଶାରେ ମେଣ୍ଟର କୌଣସି ଆବଶ୍ୟକତା ନ ଥିବା ବେଳେ ମୋଦି ଶାହାଙ୍କର ଏପରି ପଦକ୍ଷେପ କାହିଁକି ତାହା ଜାଣିବା କାଠିକର ପାଠ।

ତେବେ ମେଣ୍ଟ ନେଇ ରାଜନୈତିକ ବିଶେଷଜ୍ଞଙ୍କ ରହିଛି ଭିନ୍ନ ମତ। ସେମାନଙ୍କର କହିବା କଥା ଯେ, ଓଡିଶାରେ ବିଜେଡି ବିଜେପି ମଧ୍ୟରେ ମେଣ୍ଟ ହେଲେ ମୋଦି ଶାହାଙ୍କୁ ମିଳିବ ଦୁଇଟ ବଡ ରାଜନୈତିକ ଫାଇଦା। ତାହାକୁ ହାସଲ କରିବା ପାଇଁ ଉଭୟ ଓଡିଶା ନେତାଙ୍କ ଉପରେ ମେଣ୍ଟକୁ ଜବରଦସ୍ତ ଲଦି ଦେଉଛନ୍ତି। ଉଭୟ ମୋଦି ଶାହା ଚାହୁଁଛନ୍ତି ଅର୍ଥ ସେଥିରେ ନା ବିଜେଡି ନା ବିଜେପି କେହି କିଛି କରିପାରିବେ।

ତେବେ ତଥ୍ୟ ଅନୁସାରେ ଓଡିଶାରେ ମେଣ୍ଟ କରିବାର ପ୍ରଥମ ବଡ ଫାଇଦା ହେଉଛି ଓଡିଶାକୁ କଂଗ୍ରେସ ମୁକ୍ତ ରାଜ୍ୟ କରିବା। ମେଣ୍ଟ ଅର୍ଥ ଓଡିଶାର ସବୁ ବିଧାନସଭା ଆସନ ଓ ଲେକସଭା ଆସନରେ ଏହି ଦୁଇ ଦଳ ଭାଗବାଣ୍ଟି ପ୍ରାର୍ଥୀ ଦେବେ। ଅର୍ଥାତ ସବୁ ଆସନରେ ବିଜେଡି ବିଜେପି ପ୍ରାର୍ଥୀ କଂଗ୍ରେସ ପ୍ରାର୍ଥୀ ସହିତ ମୁକାବିଲା କରିବ। ଦୁଇଟି ବଡ ଦଳର ପ୍ରାର୍ଥୀଙ୍କୁ କଂଗ୍ରେସ ପ୍ରାର୍ଥୀ ହରାଇବା କଷ୍ଟକର ହେବ। ଫଳରେ ଓଡିଶାର କଂଗ୍ରେସ ଯେଉଁ ନଅଟି ବିଧାନସଭା ଓ ଗୋଟିଏ ଲୋକସଭା ଆସନ ହାସଲ କରିଛି ତାହା ହୁଏତ ମୂଳପୋଛ ହୋଇଯିବ।

ଅନ୍ୟ ଯେଉଁ ଫାଇଦା ରହିଛି ତାହା ହେଲା ମୋଦିଙ୍କ ଏଥର ଚାରି ଶହ ପାର୍ ଘୋଷଣା ଏହି ମେଣ୍ଟ ଦ୍ବାରା ସମ୍ଭବ ହୋଇପାରିବ। କାରଣ ବିଜେଡି ବିଜେପି ଏକାଠି ହୋଇ ଲଢେଇ କଲେ ଏଥିରେ ଲୋକସଭାରେ ବହୁତ ବଡ ଲାଭ ହେବ। କାରଣ ବର୍ତ୍ତମାନ ଓଡିଶାରୁ କଂଗ୍ରେସର ଏକମାତ୍ର ସାଂସଦ ସପ୍ତଗିରି ଉଲ୍ଲାକା ଅଛନ୍ତି। ମେଣ୍ଟ ହେଲେ କଂଗ୍ରେସ ଆଉ ଲୋକସଭାରେ ଖାତା ଖୋଲିପାରିବ ନାହିଁ ବୋଲି ବିଜେପି ଶୀର୍ଷ ନେତୃତ୍ବଙ୍କର ଆଶା। ସେଥିପାଇଁ ଓଡିଶାରେ ମେଣ୍ଟ କରିବା ପାଇଁ ବେଶ ଆଗ୍ରହୀ ହୋଇପଡିଛନ୍ତି ମୋଦି ଶାହା।