Categories
ଆଜିର ଖବର ଜାତୀୟ ଖବର

‘ମୋଦୀ ଉପନାମ’ ମାମଲା: ଗୁଜୁରାଟ ସରକାର ଏବଂ ଆବେଦନକାରୀଙ୍କୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କ ସହ ଜଡିତ ଅପରାଧିକ ମାନହାନୀ ମାମଲାରେ ସୁପ୍ରିମକୋର୍ଟରେ ଶୁଣାଣି ଆରମ୍ଭ ହୋଇଛି। ଜଷ୍ଟିସ ବିଆର ଗଭଇଙ୍କ ଖଣ୍ଡପୀଠ ଏହି ମାମଲାରେ ଅଭିଯୋଗକାରୀ ପୂର୍ଣ୍ଣେଶ ମୋଦୀ ଏବଂ ଗୁଜୁରାଟ ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୪ ତାରିଖରେ ହେବ।

ଆଜି କୋର୍ଟରେ ଶୁଣାଣି ଆରମ୍ଭ ହେବା ପରେ ଖଣ୍ଡପୀଣ୍ଠର ଅଧ୍ୟକ୍ଷ ଜଷ୍ଟିସ୍ ବିଆର ଗଭଇ ଏହି ମାମଲାରେ ନିଜର ବ୍ୟକ୍ତିଗତ ସମସ୍ୟା ଦର୍ଶାଇ ଶୁଣାଣି ପାଇଁ ଉଭୟ ପକ୍ଷଙ୍କ ପରାମର୍ଶ ଲୋଡିଥିଲେ। ଜଷ୍ଟିସ ଗଭଇ କହିଛନ୍ତି ଯେ, ମୋ ବାପା କଂଗ୍ରେସର ନିକଟତର ଥିଲେ। ଭାଇ ଏବେ ବି କଂଗ୍ରେସ ସଦସ୍ୟ। ଆପଣମାନେ ସ୍ଥିର କରନ୍ତୁ ଯେ, ମୁଁ ଏହାର ଶୁଣାଣି କରିବି କି ନାହିଁ?

ଯେତେବେଳେ ଜଷ୍ଟିସ୍ ଗଭଇ ଏପରି କହିଥିଲେ, ପୂର୍ଣ୍ଣେଶ ମୋଦୀଙ୍କ ପାଇଁ ହାଜର ହୋଇଥିବା ଓକିଲ ମହେଶ ଜେଠମାଲାନି କହିଥିଲେ ଯେ, ଆମର କୌଣସି ଆପତ୍ତି ନାହିଁ। ଏହା ପରେ ରାହୁଲ ଗାନ୍ଧୀଙ୍କ ଓକିଲ ଅଭିଷେକ ମନୁ ସିଂଭି ମଧ୍ୟ କହିଥିଲେ ଯେ, ଆମେ ତାଙ୍କ ବିବୃତ୍ତିରେ ମଧ୍ୟ ସହମତ। ଉଭୟ ପକ୍ଷ ରାଜି ହେବା ପରେ ଜଷ୍ଟିସ ଗଭଇ ଶୁଣାଣି ଆରମ୍ଭ କରିଥିଲେ। ଏବଂ ସେ କହିଥିଲେ ଯେ, ଆମେ ଆବେଦନକାରୀ ପୂର୍ଣ୍ଣେଶ ମୋଦୀ ଏବଂ ଗୁଜରାଟ ସରକାରଙ୍କୁ ଆନୁଷ୍ଠାନିକ ନୋଟିସ ଜାରି କରୁଛୁ।

ଶୁଣାଣି ସମୟରେ ପୂର୍ଣ୍ଣେଶ ମୋଦୀଙ୍କ ଓକିଲ ଏକ ଜବାବ ଦାଖଲ କରିବାକୁ ଅନୁମତି ମାଗିଥିଲେ, ଯାହା ଖଣ୍ଡପୀଠ ଦ୍ୱାରା ଗ୍ରହଣ କରାଯାଇଥିଲା। ଶ୍ରୀ ଜେଠମାଲାନି କୋର୍ଟଙ୍କୁ କହିଥିଲେ ଯେ, ସେ ୧୦ ଦିନ ମଧ୍ୟରେ ଉତ୍ତର ଦେବେ। ଜଷ୍ଟିସ ଗଭଇ ଆସନ୍ତା ଅଗଷ୍ଟ ୪ ତାରିଖରେ ଶୁଣାଣି ପାଇଁ ସ୍ଥିର କରିଥିଲେ।

Categories
ବିଶେଷ ଖବର

ମାନହାନି ମାମଲାରେ ରାହୁଲ ଗାନ୍ଧୀଙ୍କୁ ମିଳିବ ଆଶ୍ଵସ୍ତି ନା ଜାରି ରହିବ ଦଣ୍ଡ?, ଆଜି ଗୁଜୁରାଟ ହାଇକୋର୍ଟଙ୍କ ରାୟ

ନୂଆଦିଲ୍ଲୀ: ମୋଦୀ ଉପନାମ ସହ ଜଡିତ ମାନହାନୀ ମାମଲାରେ ଦିଆଯାଇଥିବା ଦଣ୍ଡ ବିରୋଧରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଆବେଦନ ଉପରେ ଗୁଜୁରାଟ ହାଇକୋର୍ଟ ଆଜି ୧୧ ଟା ସମୟରେ ନିଷ୍ପତ୍ତି ନେବେ। ଏହି ନିଷ୍ପତ୍ତି ଜଷ୍ଟିସ ହେମନ୍ତ ପ୍ରଚ୍ଛକ ପ୍ରଦାନ କରିବେ। ରାହୁଲ ଗାନ୍ଧୀ ସୁରଟ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଥିଲେ ଏବଂ ମାର୍ଚ୍ଚ ୨୩ ତାରିଖରେ ତାଙ୍କୁ ଦୁଇ ବର୍ଷ ଦଣ୍ଡିତ କରାଯାଇଥିଲା।

ଦୋଷୀ ସାବ୍ୟସ୍ତ ହେବା ପରେ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଲୋକସଭାର ସଦସ୍ୟତା ହରାଇଥିଲେ। ସଦସ୍ୟତା ଅଯୋଗ୍ୟ ହେବା ପରେ ରାହୁଲ ଗାନ୍ଧୀ କେରଳର ୱାୟାନାଡରେ କହିଥିଲେ ଯେ, କେନ୍ଦ୍ର ସରକାର ତାଙ୍କ ସ୍ୱରକୁ ଦମନ କରିବା ପାଇଁ କାର୍ଯ୍ୟ କରୁଛନ୍ତି, କିନ୍ତୁ ସେ ଭୟଭୀତ ନୁହଁନ୍ତି।

ରାହୁଲ ଗାନ୍ଧୀଙ୍କ ପାଇଁ ହାଜର ହୋଇଥିବା ଅଭିଷେକ ମନୁ ସିଂଭି ଏପ୍ରିଲରେ ଗୁଜୁରାଟ ହାଇକୋର୍ଟରେ ଶୁଣାଣି ସମୟରେ କହିଥିଲେ ଯେ, ମୋଢ ଏବଂ ତେଲିଙ୍କ ସମେତ ଅନେକ ଲୋକ ଗୁଜୁରାଟରେ ମୋଦୀ ଉପନାମ ଲେଖନ୍ତି। ରାହୁଲଙ୍କ ବକ୍ତବ୍ୟକୁ ସମସ୍ତଙ୍କ ସହ ଯୋଡିବା ଠିକ୍ ନୁହେଁ। ଆବେଦନକାରୀ କହିଛନ୍ତି ଯେ, ଦେଶର ୧୩ କୋଟି ଲୋକଙ୍କୁ ବଦନାମ କରାଯାଇଛି। ଏହା ଏକ ହାସ୍ୟାସ୍ପଦ।

ଅନ୍ୟପକ୍ଷରେ, ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କ ସମେତ ଦଳର ଅନ୍ୟ ନେତାମାନେ ରାହୁଲ ଗାନ୍ଧୀ ଅନ୍ୟ ପଛୁଆ ବର୍ଗ (ଓବିସି) କୁ ଅପମାନିତ କରିଥିବା କହିଛନ୍ତି। ଏଭଳି ପରିସ୍ଥିତିରେ ସେ ଓବିସି ସମାଜକୁ କ୍ଷମା ମାଗିବା ଉଚିତ୍ ବୋଲି ଦାବି କରାଯାଇଛି।

ଉଲ୍ଲେଖ ଯୋଗ୍ୟ ଯେ, କର୍ଣ୍ଣାଟକରେ ରାହୁଲ ଗାନ୍ଧୀଙ୍କ ୨୦୧୯ ଲୋକସଭା ନିର୍ବାଚନ ପ୍ରଚାର ଅଭିଭାଷଣକୁ ନେଇ ବିଜେପି ନେତା ପୂର୍ଣ୍ଣେଶ ମୋଦୀ ତାଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରିଥିଲେ। ଯେଉଁଥିରେ ରାହୁଲ କହିଥିଲେ ଯେ, ସମସ୍ତ ଚୋରଙ୍କ ଉପନାମ ମୋଦୀଙ୍କ କାହିଁକି?

Categories
ଆଜିର ଖବର ଜାତୀୟ ଖବର

କୋଲାରରେ ରାହୁଲ ଗାନ୍ଧୀଙ୍କ ରାଲି ସ୍ଥଗିତ, ସିଦ୍ଧରମେୟା ଏବଂ ଶିବକୁମାର ମଧ୍ୟରେ ମତଭେଦ

ନୂଆଦିଲ୍ଲୀ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ସମ୍ପର୍କରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବହୁ ପ୍ରତୀକ୍ଷିତ କୋଲାର ଜନ ସଭା ପୁଣି ଥରେ ସ୍ଥଗିତ ରଖାଯାଇଛି। ପ୍ରକାଶ ଯେ, ୨୦୧୯ ମସିହାରେ ଏହି ସ୍ଥାନରେ ସେ ‘ମୋଦୀ ଉପନାମ’ ସମ୍ବନ୍ଧରେ ଏକ ବିବାଦୀୟ ବିବୃତ୍ତି ଦେଇଥିଲେ, ଯାହା ସାଂସଦ ଭାବରେ ଅଯୋଗ୍ୟ ହେବାର କାରଣ ଥିଲା। ତେବେ ରାହୁଲଙ୍କ ରାଲିକୁ କୋଲାରରେ ଆୟୋଜନ କରି କଂଗ୍ରେସ ଏକ ରାଜନୈତିକ ବାର୍ତ୍ତା ଦେବ ବୋଲି ଆଶା କରାଯାଉଥିଲା। ଏହା କୁହାଯାଉଛି ଯେ, ଦ୍ୱିତୀୟ ଥର ପାଇଁ ସାଧାରଣ ସଭାର ସ୍ଥଗିତ ଥିବାରୁ ଜନସାଧାରଣଙ୍କ ଉପରେ ଏହାର ପ୍ରଭାବ କିଛି ମାତ୍ରାରେ ହ୍ରାସ ହୋଇପାରେ।

ଦଳର ନେତାଙ୍କ ଅନୁଯାୟୀ, ଏହାର କାରଣ ହେଉଛି କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ଏବଂ ରାଜ୍ୟ କଂଗ୍ରେସ ସଭାପତି ଡି.କେ ଶିବକୁମାରଙ୍କ ମଧ୍ୟରେ ପ୍ରାୟ ୨୫ ଟି ଆସନ ପାଇଁ ପ୍ରାର୍ଥୀ ଚୟନକୁ ନେଇ ତୀବ୍ର ବିବାଦ ରହିଛି। ତେବେ ରାହୁଲଙ୍କ ଗସ୍ତ ପୂର୍ବରୁ କଂଗ୍ରେସ ସମ୍ପୂର୍ଣ୍ଣ ରୂପେ ନିଜ ଘର ବ୍ୟବସ୍ଥିତ କରିବ ବୋଲି ଆଶା କରାଯାଉଛି।

ଏଥି ସହିତ, ଏହାର ଦ୍ୱିତୀୟ କାରଣ ହେଉଛି ଯେ ଦଳର ନେତୃତ୍ୱ ଏପର୍ଯ୍ୟନ୍ତ ସିଦ୍ଧରମେୟାଙ୍କୁ କୋଲାରରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ନିଷ୍ପତ୍ତି ନେଇ ନାହାଁନ୍ତି। ପୂର୍ବରୁ ବରୁଣାରୁ ମନୋନୀତ ହୋଇଥିବା ସିଦ୍ଧରମେୟା କହିଛନ୍ତି ଯେ, ସେ ଦୁଇଟି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପ୍ରସ୍ତୁତ ଅଛନ୍ତି। କିନ୍ତୁ, ଏହା ସଠିକ୍ ବାର୍ତ୍ତା ପଠାଇବ ନାହିଁ ବୋଲି କଂଗ୍ରେସ ଚିନ୍ତା କରୁଛି।

ଜଣେ ବରିଷ୍ଠ ନେତାଙ୍କ କହିବାନୁସାରେ, ସିଦ୍ଧରମେୟା ଏବଂ ଶିବକୁମାର ଯେଉଁ ୨୫ ଟି ଆସନରେ ମୁହାଁମୁହିଁ ହୋଇଛନ୍ତି, ସେଥିରେ ମାଙ୍ଗାଲୋର ଉତ୍ତର, ସିଡଲଘଟା, ସିନ୍ଧନୁର ଏବଂ ଅର୍ସିକେରେ ରହିଛି। ବରିଷ୍ଠ ନେତା କହିଛନ୍ତି ଯେ ‘ରାହୁଲ କିପରି ଯାଇପାରିବେ, ଯେତେବେଳେ ସିଦ୍ଧରମେୟା କୋଲାରରୁ ପ୍ରତିଦ୍ୱନ୍ଦ୍ୱିତା କରିବେ କି ନାହିଁ ତାହା ସ୍ଥିର ହୋଇନାହିଁ? ଆହୁରି ମଧ୍ୟ, ଯେହେତୁ କିଛି ଆସନରେ ଦୃଢ ମତଭେଦ ରହିଛି, ସେଠାରେ ପ୍ରଶ୍ନ ଉଠିବ।

Categories
ଆଜିର ଖବର ଜାତୀୟ ଖବର

‘ମୁଁ ଯେକୌଣସି ମୂଲ୍ୟ ଦେବାକୁ ପ୍ରସ୍ତୁତ’: ସଦସ୍ୟତା ହରାଇବା ଉପରେ ରାହୁଲ ଗାନ୍ଧୀଙ୍କ ପ୍ରଥମ ପ୍ରତିକ୍ରିୟା

ନୂଆଦିଲ୍ଲୀ: ଆଜି ଲୋକସଭା ସଚିବାଳୟ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସଦସ୍ୟତାକୁ ରଦ୍ଦ କରିଦେଇଛି। ଏହି ନିଷ୍ପତ୍ତି ପରେ ରାହୁଲ ଗାନ୍ଧୀ ଟୁଇଟ୍ କରି କହିଛନ୍ତି ଯେ, ମୁଁ ଭାରତର ସ୍ୱର ପାଇଁ ଲଢୁଛି। ମୁଁ ଯେକୌଣସି ମୂଲ୍ୟ ଦେବାକୁ ପ୍ରସ୍ତୁତ। ପ୍ରକାଶ ଯେ, ସୁରଟ କୋର୍ଟ ଗୁରୁବାର ରାହୁଲ ଗାନ୍ଧୀଙ୍କୁ ‘ମୋଦୀ ଉପନାମ’ ସମ୍ବନ୍ଧରେ ଦେଇଥିବା ବିବୃତ୍ତିରେ ୨୦୧୯ ରେ ଦାଖଲ ହୋଇଥିବା ଅପରାଧିକ ମାନହାନୀ ମାମଲାରେ ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

ତେବେ କୋର୍ଟ ଜାମିନ ପ୍ରଦାନ କରିଛନ୍ତି ଏବଂ ତାଙ୍କ ଦଣ୍ଡର ନିଷ୍ପତ୍ତିକୁ ୩୦ ଦିନ ସ୍ଥଗିତ ରଖିଛନ୍ତି, ଯାହା ଦ୍ଵାରା କଂଗ୍ରେସ ନେତାମାନେ ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିପାରିବେ। ଏହି ସମୟରେ ଲୋକସଭା ସଚିବାଳୟ ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ କରିବାକୁ ବିଜ୍ଞପ୍ତି ଜାରି କରିଛି।

ଲୋକସଭା ସଚିବାଳୟ ଦ୍ଵାରା ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ, ମାର୍ଚ୍ଚ ୨୩ ତାରିଖରୁ ତାଙ୍କର ଅଯୋଗ୍ୟତା ଆଦେଶ କାର୍ଯ୍ୟକାରୀ ହେବ। ଏହି ନିଷ୍ପତ୍ତି ଉପରେ କଂଗ୍ରେସ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି କହିଛି ଯେ, ଆଇନଗତ ଏବଂ ରାଜନୈତିକ ଯୁଦ୍ଧ ଜାରି ରହିବ। ଏହା ସହିତ ଦଳ ଆନ୍ଦୋଳନ ପାଇଁ ଚେତାବନୀ ଦେଇଛି।

ରାହୁଲ ଗାନ୍ଧୀ ଗୁରୁବାର ସୁରଟ କୋର୍ଟର ନିଷ୍ପତ୍ତି ଉପରେ ଟୁଇଟ୍ କରିଛନ୍ତି। ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ବିବୃତ୍ତିରୁ ସେ ଟ୍ୱିଟ୍ କରି କହିଛନ୍ତି ଯେ, ମୋର ଧର୍ମ ସତ୍ୟ ଏବଂ ଅହିଂସା ଉପରେ ଆଧାରିତ। ସତ୍ୟ ମୋର ଭଗବାନ, ଏହାକୁ ପାଇବା ପାଇଁ ଅହିଂସା ମାଧ୍ୟମ।

ବିଜେପି କ’ଣ କହିଲା?:

କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ରାହୁଲ ଗାନ୍ଧୀଙ୍କ ଅଯୋଗ୍ୟତା ଆଇନ ଅନୁଯାୟୀ ହୋଇଛି। ଯେଉଁଥିରେ ଦର୍ଶାଯାଇଛି ଯେ, ଦଣ୍ଡ ଘୋଷଣା ହେବା ଦିନଠାରୁ ସଦସ୍ୟତା ରଦ୍ଦ କରାଯାଇଛି। ରାହୁଲଙ୍କ ସଦସ୍ୟତାକୁ ନେଇ କଂଗ୍ରେସ ଗମ୍ଭୀର ଥିଲା କି? କାର୍ଯ୍ୟାନୁଷ୍ଠାନର କିଛି ଘଣ୍ଟା ମଧ୍ୟରେ ସେମାନେ ପୱନ ଖେଡା ମାମଲାରେ କୋର୍ଟଙ୍କ ନିକଟକୁ ଯାଇଥିଲେ, କିନ୍ତୁ ରାହୁଲଙ୍କ ମାମଲାରେ ତାହା କରିନଥିଲେ।

Categories
ବିଶେଷ ଖବର

ବିପଦରେ ରାହୁଲ ଗାନ୍ଧୀଙ୍କ ସଂସଦର ସଦସ୍ୟତା!, ଦୁଇ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଲେ କୋର୍ଟ

ସୁରଟ: ଆଜି ସୁରଟ କୋର୍ଟ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ‘ମୋଦୀ’ ଉପନାମ ଉପରେ ମାନହାନୀ ମାମଲାରେ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ତେବେ ପରେ ରାହୁଲ ଗାନ୍ଧୀ କୋର୍ଟରୁ ଜାମିନ ପାଇଛନ୍ତି। ରାହୁଲ ଗାନ୍ଧୀଙ୍କୁ ୩୦ ଦିନ ଜାମିନ ପ୍ରଦାନ କରାଯାଇଥିଲା ଏବଂ ଏହି ନିଷ୍ପତ୍ତି ବିରୋଧରେ ହାଇକୋର୍ଟରେ ଆବେଦନ କରିବାକୁ ଅନୁମତି ଦିଆଯାଇଛି। ଏହି ରାୟ ଦେବାବେଳେ କୋର୍ଟ ରାହୁଲ ଗାନ୍ଧୀଙ୍କୁ ଅପରାଧିକ ମାନହାନୀ ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ଶୁଣାଣି ସମୟରେ ରାହୁଲ ଗାନ୍ଧୀ କୋର୍ଟଙ୍କୁ କହିଛନ୍ତି ଯେ, ମୋର ଉଦ୍ଦେଶ୍ୟ ଭୁଲ ନୁହେଁ। ତାଙ୍କ ବିବୃତ୍ତିରେ କାହାରି କିଛି କ୍ଷତି ହୋଇନାହିଁ। ଏହା ସହ ସେ ଏହି ମାମଲାରେ ନିଜ ପାଇଁ କମ୍ ଦଣ୍ଡ ଦାବି କରିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ରାହୁଲ ଗାନ୍ଧୀ ଆଜି ସକାଳ ୧୦ ଟାରେ ସୁରଟ ବିମାନବନ୍ଦରରେ ପହଞ୍ଚି ପ୍ରାୟ ୧୧ ଟା ସମୟରେ କୋର୍ଟରେ ହାଜର ହୋଇଥିଲେ। ତାଙ୍କର ଏକ ଆପତ୍ତିଜନକ ମନ୍ତବ୍ୟ ପାଇଁ ସାଂସଦ ରାହୁଲ ଗାନ୍ଧୀଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା। ଯେଉଁ ଶୁଣାଣି ଉପରେ କୋର୍ଟ ତାଙ୍କୁ ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ।

ଏହି ମାମଲା ୨୦୧୯ ରେ ଘଟିଥିଲା, ଯେତେବେଳେ ସାଧାରଣ ନିର୍ବାଚନ ପୂର୍ବରୁ କର୍ଣ୍ଣାଟକର କୋଲାର ଠାରେ ଅନୁଷ୍ଠିତ ଏକ ସାଧାରଣ ସଭାରେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପନାମ ଉପରେ ମନ୍ତବ୍ୟ ଦେଇଥିଲେ। ଯାହା ପରେ ତାଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରାଯାଇଥିଲା। ରାହୁଲ ଅଭିଯୋଗ କରିଥିଲେ ଯେ, ‘କାହିଁକି ସମସ୍ତ ଚୋରଙ୍କର ସମାନ ନାମ ମୋଦୀ?’ ରାହୁଲଙ୍କ ଏହି ମନ୍ତବ୍ୟ ବିରୋଧରେ ବିଜେପି ବିଧାୟକ ତଥା ଗୁଜରାଟର ପୂର୍ବତନ ମନ୍ତ୍ରୀ ପୂର୍ଣ୍ଣେଶ ମୋଦୀ କୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ।

ପ୍ରକାଶ ଯେ, ଆଇପିସିର ଧାରା ୪୯୯, ୫୦୦ ଅନୁଯାୟୀ ରାହୁଲ ଗାନ୍ଧୀଙ୍କ ବିରୋଧରେ ଏକ ଅପରାଧ ପଞ୍ଜିକୃତ ହୋଇଛି। ଏହି ମାମଲାରେ ସେ ଆଜି ତୃତୀୟ ଥର ପାଇଁ କୋର୍ଟରେ ହାଜର ହୋଇଛନ୍ତି। ଚିଫ୍ ଜୁଡିସିଆଲ୍ ମାଜିଷ୍ଟ୍ରେଟ୍ ଏଚ୍ ଏଚ୍ ବର୍ମାଙ୍କ କୋର୍ଟ ଗତ ସପ୍ତାହରେ ଉଭୟ ପକ୍ଷର ଯୁକ୍ତି ଶୁଣାଣି କରି ମାର୍ଚ୍ଚ ୨୩ ତାରିଖକୁ ରାୟ ଘୋଷଣା କରିବା ପାଇଁ ସ୍ଥିର କରିଥିଲେ। ଆଜି ଶୁଣାଣି ପରେ କୋର୍ଟ ରାହୁଲ ଗାନ୍ଧୀଙ୍କୁ ଦୋଷୀ ଘୋଷଣା କରିଛନ୍ତି।