‘ମୁଁ ଯେକୌଣସି ମୂଲ୍ୟ ଦେବାକୁ ପ୍ରସ୍ତୁତ’: ସଦସ୍ୟତା ହରାଇବା ଉପରେ ରାହୁଲ ଗାନ୍ଧୀଙ୍କ ପ୍ରଥମ ପ୍ରତିକ୍ରିୟା

Published: Mar 24, 2023, 6:08 pm IST

ନୂଆଦିଲ୍ଲୀ: ଆଜି ଲୋକସଭା ସଚିବାଳୟ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସଦସ୍ୟତାକୁ ରଦ୍ଦ କରିଦେଇଛି। ଏହି ନିଷ୍ପତ୍ତି ପରେ ରାହୁଲ ଗାନ୍ଧୀ ଟୁଇଟ୍ କରି କହିଛନ୍ତି ଯେ, ମୁଁ ଭାରତର ସ୍ୱର ପାଇଁ ଲଢୁଛି। ମୁଁ ଯେକୌଣସି ମୂଲ୍ୟ ଦେବାକୁ ପ୍ରସ୍ତୁତ। ପ୍ରକାଶ ଯେ, ସୁରଟ କୋର୍ଟ ଗୁରୁବାର ରାହୁଲ ଗାନ୍ଧୀଙ୍କୁ ‘ମୋଦୀ ଉପନାମ’ ସମ୍ବନ୍ଧରେ ଦେଇଥିବା ବିବୃତ୍ତିରେ ୨୦୧୯ ରେ ଦାଖଲ ହୋଇଥିବା ଅପରାଧିକ ମାନହାନୀ ମାମଲାରେ ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

ତେବେ କୋର୍ଟ ଜାମିନ ପ୍ରଦାନ କରିଛନ୍ତି ଏବଂ ତାଙ୍କ ଦଣ୍ଡର ନିଷ୍ପତ୍ତିକୁ ୩୦ ଦିନ ସ୍ଥଗିତ ରଖିଛନ୍ତି, ଯାହା ଦ୍ଵାରା କଂଗ୍ରେସ ନେତାମାନେ ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିପାରିବେ। ଏହି ସମୟରେ ଲୋକସଭା ସଚିବାଳୟ ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ କରିବାକୁ ବିଜ୍ଞପ୍ତି ଜାରି କରିଛି।

ଲୋକସଭା ସଚିବାଳୟ ଦ୍ଵାରା ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ, ମାର୍ଚ୍ଚ ୨୩ ତାରିଖରୁ ତାଙ୍କର ଅଯୋଗ୍ୟତା ଆଦେଶ କାର୍ଯ୍ୟକାରୀ ହେବ। ଏହି ନିଷ୍ପତ୍ତି ଉପରେ କଂଗ୍ରେସ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି କହିଛି ଯେ, ଆଇନଗତ ଏବଂ ରାଜନୈତିକ ଯୁଦ୍ଧ ଜାରି ରହିବ। ଏହା ସହିତ ଦଳ ଆନ୍ଦୋଳନ ପାଇଁ ଚେତାବନୀ ଦେଇଛି।

ରାହୁଲ ଗାନ୍ଧୀ ଗୁରୁବାର ସୁରଟ କୋର୍ଟର ନିଷ୍ପତ୍ତି ଉପରେ ଟୁଇଟ୍ କରିଛନ୍ତି। ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ବିବୃତ୍ତିରୁ ସେ ଟ୍ୱିଟ୍ କରି କହିଛନ୍ତି ଯେ, ମୋର ଧର୍ମ ସତ୍ୟ ଏବଂ ଅହିଂସା ଉପରେ ଆଧାରିତ। ସତ୍ୟ ମୋର ଭଗବାନ, ଏହାକୁ ପାଇବା ପାଇଁ ଅହିଂସା ମାଧ୍ୟମ।

ବିଜେପି କ’ଣ କହିଲା?:

କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ରାହୁଲ ଗାନ୍ଧୀଙ୍କ ଅଯୋଗ୍ୟତା ଆଇନ ଅନୁଯାୟୀ ହୋଇଛି। ଯେଉଁଥିରେ ଦର୍ଶାଯାଇଛି ଯେ, ଦଣ୍ଡ ଘୋଷଣା ହେବା ଦିନଠାରୁ ସଦସ୍ୟତା ରଦ୍ଦ କରାଯାଇଛି। ରାହୁଲଙ୍କ ସଦସ୍ୟତାକୁ ନେଇ କଂଗ୍ରେସ ଗମ୍ଭୀର ଥିଲା କି? କାର୍ଯ୍ୟାନୁଷ୍ଠାନର କିଛି ଘଣ୍ଟା ମଧ୍ୟରେ ସେମାନେ ପୱନ ଖେଡା ମାମଲାରେ କୋର୍ଟଙ୍କ ନିକଟକୁ ଯାଇଥିଲେ, କିନ୍ତୁ ରାହୁଲଙ୍କ ମାମଲାରେ ତାହା କରିନଥିଲେ।

Related posts