ଭୁବନେଶ୍ବର:-ବାଙ୍ଗାଲାଦେଶରେ କାର୍ଯ୍ୟରତ ଥିବା ଜଣେ ମହିଳାଙ୍କ ମୃତ ଶରୀର ଆଜି ଭୁବନେଶ୍ବରର ବିମାନ ବନ୍ଦରରେ ପହଁଚିଛି। ଭୁବନେଶ୍ବରର ପ୍ରଜ୍ଞା ବେହେରା ବାଙ୍ଗଲାଦେଶସ୍ଥିତ ଖାଦ୍ୟ ଏବଂ କୃଷି ସଂଗଠନ ସଂସ୍ଥାରେ କାର୍ଯ୍ୟ କରୁଥିଲେ। ଦୁର୍ଭାଗ୍ୟ ବଶତଃ ଗତ ନଭେମ୍ବର ୧୯ ତାରିଖରେ ତାଙ୍କର ମୃତ୍ୟୁ ଘଟିଥିଲା। ହେଲେ ତାଙ୍କର ପାର୍ଥିବ ଶରୀରକୁ ଓଡିଶା ସ୍ଥାନାନ୍ତର କରିବାରେ ଅସୁବିଧା ଦେଖାଦେଇଥିଲା। ଢାକାରେ ଥିବା ସଂପୃକ୍ତ ମହିଳାଙ୍କ ସ୍ବାମୀ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହୋଇଥିଲେ।
ଏ ସମ୍ପର୍କରେ ‘ଓଡିଶା ମୋ ପରିବାର’ ତରଫରୁ ରାଜ୍ୟସଭା ସାଂସଦ ଡ. ସସ୍ମିତ ପାତ୍ରଙ୍କୁ ଅବଗତ କରାଯାଇ ସହଯୋଗ ଲୋଡାଯାଇଥିଲା। ସସ୍ମିତ ବାଙ୍ଗଲାଦେଶସ୍ଥିତ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ସହ ଯୋଗାଯୋଗ କରି ସମସ୍ୟାର ସମାଧାନ କ୍ଷେତ୍ରରେ ତାଙ୍କର ସହାୟତା ଲୋଡିଥିଲେ।
ପରେ ସଂପୃକ୍ତ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ସମସ୍ତ ପ୍ରକାରର ବୈଧାନିକ ଓୌପଚାରିକତା ସମାପ୍ତ କରାଯାଇ ପାର୍ଥିବ ଶରୀରକୁ ଭୁବନେଶ୍ବର ସ୍ଥାନାନ୍ତର କରାଯିବାର ସମସ୍ତ ବ୍ୟବସ୍ଥା କରାଯାଇଥିଲା। ଆଜି ଅପରାହ୍ନ ୧.୩୦ରେ ସାଗର କୁମାର ପତ୍ନୀଙ୍କ ପାର୍ଥିବ ଶରୀର ସହ ଭୁବନେଶ୍ବର ସ୍ଥିତ ବିମାନ ବନ୍ଦରରେ ପହଞ୍ଚିଥିଲେ।