Categories
ଆଜିର ଖବର ରାଜ୍ୟ ଖବର

ଗୋଟିଏ ଦିନ ପୂର୍ବରୁ ଶେଷ ହେଲା ବିଧାନସଭାର ମୌସୁମୀ ଅଧିବେସନ

ଭୁବନେଶ୍ବର: ଗୋଟିଏ ଦିନ ପୂର୍ବରୁ ଶେଷ ହୋଇଛି ବିଧାନସଭାର ମୌସୁମୀ ଅଧିବେସନ। ସେପ୍ଟେମ୍ବର ୨୨ ତାରିଖରୁ ଆରମ୍ଭ ହୋଇଥିବା ଏହି ଅଧିବେସନ ଆସନ୍ତାକାଲି ବା ବୁଧବାରରେ ଶେଷ ହେବାର ଥିଲା। ହେଲେ ବାଚସ୍ପତି ଗୋଟିଏ ଦିନ ପୂର୍ବରୁ ବିଧାନସଭାକୁ ଅନିର୍ଦ୍ଧିଷ୍ଠ କାଳ ପାଇଁ ମୁଲତବି ଘୋଷଣା କରିଛନ୍ତି।

ଚଳିତ ମୌସୁମୀ ଅଧିବେସନେର ଅତିରିକ୍ତ ବ୍ୟୟ ମଂଜୁରୀ ବିଲ ସହିତ ୧୨ଟି ବିଲ୍‌ ପାରିତ ହୋଇଛି। ଏଥର ଅର୍ଥମନ୍ତ୍ରୀ ବିକ୍ରମ ଆରୁଖ ୨୮ ହଜାର ୨୦୦ କୋଟି ଟଙ୍କାର ଅତିରିକ୍ତ ବଜେଟ ବିଧାନସଭାରେ ଆଗତ କରିଥିଲେ। ଯାହା ପାରିତ ହୋଇଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ମନ୍ତବ୍ୟ ରଖି କହିଥିଲେ ଯେ, ଏଥର ମୌସୁମୀ ଅଧିବେସନକୁ ସଠିକ ଭାବେ ପରିଚାଳନା କରାଯାଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ। ବିଶେଷ କରି ବାଚସ୍ପତି ଏବଂ ଉପବାଚସ୍ପତିଙ୍କୁ ଧନ୍ୟବାଦ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏଥିସହିତ ସେ ଗଣମାଧ୍ୟମ ଏବଂ ଅଫିସରଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି। ଏଥର ଅଧିବେସନକୁ ପ୍ରଥମ ଥର ପାଇଁ ପ୍ରମିଳା ମଲ୍ଲିକ ବାଚସ୍ପତି ହୋଇ ଗୃହ ପରିଚାଳନା କରିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ବାଚସ୍ପତିଙ୍କ ପୋଡିୟମ ଉପକୁ ଡାଲି ଫିଙ୍ଗି ଦୁଇ ବିଜେପି ବିଧାୟକ ନିଲମ୍ବିତ

ଭୁବନେଶ୍ବର: ଆଜି ବିଧାନସଭାରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା। ବିରୋଧୀ ବିଜେପି ବିଧାୟକ ଗୃହ ମଧ୍ୟ ଭାଗକୁ ଆସି ହଟ୍ଟଗୋଳ କରି ବାଚସ୍ପତିଙ୍କ ପୋଡିୟମ ଉପରକୁ ଡାଲି ଫିଙ୍ଗିଥିଲେ। ଯାହାକୁ ନେଇ ଦୁଇ ଜଣ ବିଧାୟକଙ୍କୁ ଗୃହରୁ ନିଲମ୍ବିତ କରିଥିଲେ ବାଚସ୍ପତି ପ୍ରମିଳା ମଲ୍ଲିକ। ସେମାନେ ହେଲେ ମୋହନ ମାଝି ଓ ମୁକେଶ ମହାଲିଙ୍ଗ। ଚଳିତ ଅଧିବେସନ ଶେଷ ପର୍ଯ୍ୟନ୍ତ ତାଙ୍କୁ ନିଲମ୍ବିତ କରାଯାଇଛି।

ଆଜି ଶୂନ୍ୟ କାଳରେ ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ର ନିଜର ବିବୃତି ରଖୁଥିଲେ। ହେଲେ ତାଙ୍କର ସମୟ ସରିଯିବା ପରେ ଅଧିକ କହିବା ପାଇଁ ବାଚସ୍ପତି ଅନୁମତି ଦେଇ ନ ଥିଲେ। ଏହାକୁ ନେଇ ଜୟନାରାୟଣ ଉତକ୍ଷିପ୍ତ ହୋଇ ଯାଇଥିଲେ। ଫଳରେ ବିଜେପି ବିଧାୟକଗଣ ଗୃହ ମଧ୍ୟକୁ ଆସି ପାଟି କରିଥିଲେ। ଏଥିସହିତ ମେଣ୍ଟାଲ ହେଲଥ ଡିସଅଡର ଶଦ୍ଦକୁ ବାଦ ଦେବା ପାଇଁ ବିଜେପି ବିଧାୟକ ଦାବୀ କରିଥିଲେ।

ଏହି ସମୟରେ ପଲିଥିନରେ ଆଣିଥିବା ଡାଲିକୁ ବାଚସ୍ପତିଙ୍କ ଉଦ୍ଦେଶ୍ୟରେ ବିଜେପି ସଦସ୍ୟ ଦେଖାଇଥିଲେ। ଏହାପରେ ବାଚସ୍ପତିଙ୍କ ଉପରକୁ ଏହି ଡାଲି ଫିଙ୍ଗିଥିଲେ। ଏହାକୁ ନେଇ ମୁକେଶ ମହାଲିଙ୍ଗ ତାଙ୍କର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ବାଚସ୍ପତି ଡାଲି ଭଲ ପାଆନ୍ତି। ସେଥିପାଇଁ ତାଙ୍କୁ ଡାଲି ଉପହାର ଦେବା ପାଇଁ ଆଣିଥିଲୁ। ହେଲେ ବାଚସ୍ପତି ନିର୍ଦ୍ଦଳିୟ ନିଷ୍ପତି ନେବା କଥା ତାହା କଲେ ନାହିଁ।

ସେହିପରି ମୋହନ ମାଝି ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ ମୋତେ ବିନା ଦୋଷରେ ସସପେଣ୍ଡ କରାଯାଇଛି। ମୁଁ ଡାଲି ଆଣି ନାହିଁ କି ଫୋପାଡି ନାହିଁ। ହେଲେ ମୋତେ କାହିଁକି ସସପେଣ୍ଡ କରାଗଲା ମୁଁ ଜାଣି ପାରୁ ନାହିଁ। ସେ ଡାଲି ଭଲ ପାଉଛନ୍ତି ବୋଲି ଆମ ବିଧାୟକ ତାଙ୍କୁ ଉପହାର ଦେବାକୁ ଆଣିଥିଲେ। ହେଲେ ମୁଁ ଏହା କରି ନାହିଁ।

ଏହାକୁ ନେଇ ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ର ମଧ୍ୟ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ, ସେମାନେ ମୋତେ ଗୃହରେ ମେଣ୍ଟାଲ ଡିସଅଡର ବୋଲି କହିଲେ। ତାହାକୁ ଗୃହର ବିବରଣୀରୁ ବାଦ ଦେବା ପାଇଁ ଆମେ ବାଚସ୍ପତିଙ୍କୁ କହିଲୁ। ହେଲେ ବାଚସ୍ପତି ତାହାକୁ ଗ୍ରହଣ କଲେ ନାହିଁ। ବାଚସ୍ପତି ନିରପକ୍ଷ ନୁହଁନ୍ତି। ସେ ଦଳୀୟ ନେତାଙ୍କ ପରି ବ୍ୟବହାର କରୁଛନ୍ତି।

 

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଦରଦାମ ଏବଂ ଜିଏସଟି ବୃଦ୍ଧି ନେଇ ସଂସଦରେ ହାଙ୍ଗାମା, ଦିନକ ପାଇଁ ଉଭୟ ଗୃହ ମୁଲତବି

ନୂଆଦିଲ୍ଲୀ: ଦରଦାମ ଏବଂ ଜିଏସଟି ବୃଦ୍ଧି ନେଇ ବିରୋଧୀ ଦଳଙ୍କ ହାଙ୍ଗାମା ପରେ ସଂସଦର ଉଭୟ ଗୃହକୁ ଗୋଟିଏ ଦିନ ପାଇଁ ମୁଲତବି ରଖାଯାଇଛି। ଲୋକସଭାରେ ପ୍ରଥମେ ଦିନ ଦୁଇଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା। ଏହାପରେ ଗୃହ ଆରମ୍ଭ ହେବା ମାତ୍ରେ ପୁଣି ବିରୋଧୀ ସଦସ୍ୟମାନେ ହଟ୍ଟଗୋଳ କରିଥିଲେ।

ବାଚସ୍ପତି ବାରମ୍ବାର ସଦସ୍ୟମାନଙ୍କୁ ନିଜ ଆସନକୁ ଯାଇ ଗୃହ କାର୍ଯ୍ୟରେ ସହଯୋଗ କରିବାକୁ ଅନୁରୋଧ କରିଥିଲେ। ହେଲେ ବିରୋଧୀ ସଦସ୍ୟମାନେ ଏଥିପ୍ରତି ଧ୍ୟାନ ଦେଇ ନ ଥିଲେ। ଫଳରେ ବାଚସ୍ପତି ଦିନକ ପାଇଁ ଗୃହକୁ ମୁଲତବି ଘୋଷଣା କରିଥିଲେ।

ସକାଳେ ଲୋକସଭା କାର୍ଯ୍ୟ ଆରମ୍ଭ ହେବା ମାତ୍ରେ କଂଗ୍ରେସ ନେତା ଅଧୀର ରଂଜନ ଚୈଧୁରୀ ମୂଲ୍ୟ ବୃଦ୍ଧି ପ୍ରସଙ୍ଗ ଉଠାଇବାକୁ ଚେଷ୍ଟା କରିଥିଲେ। ତେବେ ବାଚସ୍ପତି ଓମ ବିର୍ଲା ତାଙ୍କୁ ଅନୁମତି ଦେଇନଥିଲେ ଏବଂ ତୁରନ୍ତ ପ୍ରଶ୍ନକାଳ ଆରମ୍ଭ କରିଥିଲେ।

ଏହା ପରେ କଂଗ୍ରେସ, ଡିଏମକେ ଏବଂ ଟିଏମସି ସମେତ ବିରୋଧୀ ଦଳର ସଦସ୍ୟମାନେ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇ ହଟ୍ଟଗୋଳ କରିଥିଲେ। ବାଚସ୍ପତି ଗୃହ କାର୍ଯ୍ୟକୁ ଚଳାଇବା ପାଇଁ ଚେଷ୍ଠା କରି ବିଫଳ ହୋଇଥିଲେ। ଫଳରେ ପ୍ରଥମେ ସେ ଦିନ ଦୁଇଟା ପର୍ଯ୍ୟନ୍ତ ଗୃହକୁ ମୁଲତବି ଘୋଷଣା କରିଥିଲେ।

ସେହିପରି ରାଜ୍ୟସଭାର ଦୃଶ୍ୟ ମଧ୍ୟ ସମାନ ଥିଲା। ହଟ୍ଟଗୋଳ ଯୋଗୁଁ ପ୍ରଥମେ ଦିନ ଦୁଇଟା ପର୍ଯ୍ୟନ୍ତ ଗୃହକୁ ମୁଲତବି ରଖାଯାଇଥିଲା। ଜିଏସଟି ବୃଦ୍ଧି ଏବଂ ମୁଦ୍ରାସ୍ଫୀତି ଉପରେ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇ କଂଗ୍ରେସ, ଆପ୍, ଡିଏମକେ, ଟିଏମସି ଏବଂ ବାମପନ୍ଥୀ ବିରୋଧୀ ସଦସ୍ୟମାନେ ଗୃହ ଭିତରକୁ ପଶି ଆସିଥିଲେ। ଆରଜେଡି, ଏନସିପି, ଶିବସେନା ଏବଂ ସମାଜବାଦି ପାର୍ଟିର ସଦସ୍ୟମାନେ ମଧ୍ୟ ସେମାନଙ୍କୁ ଅନୁସରଣ କରି ଗୃହ ଭିତରେ ହଟ୍ଟଗୋଲ କରିଥିଲେ।

ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ଗୃହ ଚଳାଇବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ବିରୋଧୀ ସଦସ୍ୟଙ୍କୁ ବାରମ୍ବାର ଗୃହକୁ କାର୍ଯ୍ୟରେ ସହଯୋଗ କରିବାକୁ ଅନୁରୋଧ କରିଥିଲେ ମଧ୍ୟ କେହି ଶୁଣି ନ ଥିଲେ। ଏହି ହଟ୍ଟଗୋଳ ଜାରି ରହିଥିବା ବେଳେ ଉପାଧ୍ୟକ୍ଷ ଦିନକ ପାଇଁ ଗୃହକୁ ମୁଲତବି ଘୋଷଣା କରିଥିଲେ। ସକାଳେ ମଧ୍ୟ ଗୃହରେ ହଟ୍ଟଗୋଳ ହେବାରୁ ଗୃହକୁ ଦିନ ଦୁଇଟା ପର୍ଯ୍ୟନ୍ତ ମୁଲତବି ରଖାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଦ୍ରୌପଦୀ ମୁର୍ମୁଙ୍କୁ କଂଗ୍ରେସର ଆକ୍ଷେପକୁ ନେଇ ବିଧାନସଭାରେ ହଟ୍ଟଗୋଳ

ଭୁବନେଶ୍ବର: ଆଜି ବିଧାନସଭାରେ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ କଂଗ୍ରେସର ଅକ୍ଷେପକୁ ନେଇ ହଟ୍ଟଗୋଳ ସୃଷ୍ଟି ହୋଇଥିଲା। ଧାର୍ଯ୍ୟ ସମୟରେ ପ୍ରଶ୍ନୋତ୍ତର କାର୍ଯ୍ୟକାଳ ଆରମ୍ଭ ହେବା କ୍ଷଣି ବିରୋଧୀ କଂଗ୍ରେସ ଓ ବିଜେପି ସଭ୍ୟ ଗୃହ ମଝିରେ ହଟଗୋଳ କରିଥିଲେ।

ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଆଦିବାସୀ ବିରୋଧୀ ବୋଲି କଂଗ୍ରେସ ନେତା ଅଜୟ କୁମାର ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଏହାକୁ ବିରୋଧ କରି ବିଜେପି ସଭ୍ୟ ପ୍ରଥମେ ନିଜ ଆସନରେ ଏବଂ ପରେ ଗୃହ ମଝିରେ ନାରାବାଜି ସହ ହଟଗୋଳ କରିଥିଲେ। ଏହି ପ୍ରସଙ୍ଗରେ ବିଜେପି ସଭ୍ୟ ଗୃହରେ ନିନ୍ଦା ପ୍ରସ୍ତାବ ଆସୁ ବୋଲି ଦାବି ସହ କଂଗ୍ରେସ କ୍ଷମା ପ୍ରାର୍ଥନା କରୁ ବୋଲି ଦାବି କରିଥିଲେ।

ଅନ୍ୟ ପକ୍ଷରେ କଂଗ୍ରେସ ସଭ୍ୟ ଏହାକୁ ବିରୋଧ କରି ଅନୁରୂପ ଭାବେ ନାରାବାଜି ସହ ହୋ ହାଲ୍ଲା କରିଥିଲେ। ଗୃହର ଅବସ୍ଥା ଠିକ ନ ଥିବାରୁ ବାଚସ୍ପତି ବାଧ୍ୟ ହୋଇ ଗୃହକୁ ମୁଲତବି କରିଥିଲେ। ଗୃହ ମୁଲତବୀ ହେବା ପରେ ବିଜେପି ସଭ୍ୟମାନେ ବାହାରେ ଵ୍ୟାନର ଓ ପ୍ଲାକାର୍ଡ ଧରି ପ୍ରତିବାଦ କରିଥିବା ଦେଖାଯାଇଥିଲା।

Categories
ବିଶେଷ ଖବର ରାଜ୍ୟ ଖବର

ଆଜିଠାରୁ ଆରମ୍ଭ ହେଉଛି ବିଧାନସଭାର ମୌସୁମୀ ଅଧିବେସନ, ହେଲେ ଏତେ ସପନକୁ ରାତି କାହିଁ

ଭୁବନେଶ୍ବର, ବୁଧବାର ଦିନ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେସନ। ଏହି ଅଧିବେସନରେ ବିରୋଧୀ ଦଳ ବିଭିନ୍ନ ପ୍ରସଂଗ ପାଖରେ ଧରି ରଖିଛନ୍ତି। ଶାସକ ବିଜେଡିକୁ ପୁରା ଘାଇଲା କରିବା ମୁଡରେ ରହିଛନ୍ତି। ହେଲେ ଏତେ ସପନକୁ ରାତି କାହିଁ ନ୍ୟାୟରେ ଏହି ମାଳମାଳ ପ୍ରସଂଗ ଆଲୋଚନା ହେବାର ସମ୍ଭାବନା ବହୁତ କମ।

ଏହାର କାରଣ ହେଲା ଏଥର ବିଧାନସଭାକୁ ପୁରା କାଣ୍ଟଛାଣ୍ଟ କରିଦିଆଯାଇଛି। ଏହି ଅଧିବେସନ ସେପ୍ଟେମ୍ବର ଏକ ତାରିଖରୁ ଆରମ୍ଭ ହୋଇ ନଅ ତାରିଖ ପର୍ଯ୍ୟନ୍ତ ଚାଲିବ। ମାତ୍ର ଆଠଟି କାର୍ଯ୍ୟ ଦିବସ ରହିଛି। ଗତ ବଜେଟ ଅଧିବେସନରେ ବିରୋଧୀ ଦଳ ଯେପରି ତୁମ୍ବିତୋଫାନ କରିଥିଲେ ତାହା ଏହି ସମୟ ଅଭାବରୁ ଆଉ ପରିଲକ୍ଷିତ ହେବ ନାହିଁ।

ତେବେ ଏଥର ବିରୋଧୀ ଯେଉଁ ପ୍ରମୁଖ ପ୍ରସଂଗ ନେଇ ଶାସକ ବିଜେଡିକୁ ଘେରିବା ପାଇଁ ନିଷ୍ପତି କରିଛନ୍ତି ସେ ମଧ୍ୟରେ ରହିଛି ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଖବର। ମାହାଙ୍ଗା ଡବଲ ମଡର ଘଟଣାର କୋର୍ଟ ମନ୍ତ୍ରୀଙ୍କ ନାମ ଯୋଡିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ ନେଇ ବିଜେପି ବଡ ପ୍ରସଂଗ କରିବ ବୋଲି ଜଣାପଡିଛି।

ପଞ୍ଚାୟତ ନିର୍ବାଚନ ମୁଣ୍ଡ ଉପରେ ଥିବାରୁ ବିରୋଧୀ ଏହାକୁ ମଧ୍ୟ ପ୍ରଂସଗ କରିବେ ବୋଲି ଅନୁମାନ କରାଯାଉଛି। କାରଣ ରାଜ୍ୟ ସରକାର ପଞ୍ଚାୟତ ନିର୍ବାଚନ କଥା କହୁଥିଲେ ମଧ୍ୟ ପୌର ନିର୍ବାଚନ ଉପରେ ଆଲୋଚନା ହେଉ ନାହିଁ। ଫଳରେ ବିରୋଧୀ ଦୁଇଟି ନିର୍ବାଚନ ଏକାଥରେ କରିବା ପାଇଁ ଗୃହରେ ଦାବୀ କରିପାରନ୍ତି। ଏ ନେଇ ବିଜେପି କୋର୍ଟର ଦ୍ବାରସ୍ଥ ମଧ୍ୟ ହୋଇଛି।

ସେହିପରି କୋଟିଆ ଗ୍ରାମପୁଂଜ ସୀମା ବିବାଦ, ରାଜ୍ୟରେ ମରୁଡି ଆଶଙ୍କା, ବିଦ୍ୟୁତ ବିଲ ବୃଦ୍ଧି ପ୍ରମୁଖ ପ୍ରଂସଗ ରହିଛି। ଅନ୍ୟପକ୍ଷରେ ଗଜପତି ଜିଲ୍ଲାର ଏସିଏଫ ସୌମ୍ୟକାନ୍ତଙ୍କ ମୃତ୍ୟୁକୁ ନେଇ ମଧ୍ୟ ବିରୋଧୀ ତୁମ୍ବିତୋଫନ କରିବାର ସମ୍ଭାବନା ରହିଛି।

ଅନ୍ୟପକ୍ଷରେ ଶାସକ ବିଜେଡି ଦଳ ମଧ୍ୟ ବିଭିନ୍ନ ପ୍ରସଂଗ ହାତରେ ରଖିଛି। ସେଥି ମଧ୍ୟରେ ରହିଛି ଦେଶରେ ତେଲ ଏବଂ ଗ୍ୟାସର ମୂଲ୍ୟ ବୃଦ୍ଧି ସହିତ ଦରଦାମ ନିୟନ୍ତ୍ରଣ କରିବାରେ କେନ୍ଦ୍ର ସରକାରଙ୍କ ବିଫଳତା। ତେବେ ଏ ସବୁ ସମୟ ସୁବିଧା ଦେଖି ଦଳ ପ୍ରୟୋଗ କରିବ ବୋଲି ଜଣାପଡିଛି।

Categories
ଆଜିର ଖବର ଜାତୀୟ ଖବର

ଦୁଇ ଦିନ ପୂର୍ବରୁ ଶେଷ ହେଲା ସଂସଦର ମୌସୁମୀ ଅଧିବେସନ

ନୂଆଦିଲ୍ଲୀ, ଆଜି ସଂସଦର ଉଭୟ ଗୃହ ସାଇନ ଡାଏ ଘୋଷଣା କରାଯାଇଛି। ପ୍ରଥମେ ଲୋକସଭାକୁ ବାଚସ୍ପତି ସାଇନ ଡାଏ କରିଥିଲେ। ଏହାପରେ ଧାର୍ଯ୍ୟ କାର୍ଯ୍ୟ ଦିବସ ସମାପ୍ତ କରିବା ପରେ ରାଜ୍ୟସଭାକୁ ମଧ୍ୟ ଅଧକ୍ଷ ସାଇନ ଡାଏ ଘୋଷଣା କରିଛନ୍ତି। ସଂସଦର ମୌସୁମୀ ଅଧିବେଶନ 19 ଜୁଲାଇରୁ ଆରମ୍ଭ ହୋଇଥିଲା ଯାହା ଅଗଷ୍ଟ 13 ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଧାର୍ଯ୍ୟ କରାଯାଇଥିଲା।

Categories
ଜାତୀୟ ଖବର ବିଶେଷ ଖବର

ସଂସଦର ମୌସୁମୀ ଅଧିବେସନ ପାଇଁ ଘୋଷଣା ହେଲା ତାରିଖ, ମୋଟ 19ଟି କାର୍ଯ୍ୟ ଦିବସ ରହିଛି

ନୂଆଦିଲ୍ଲୀ, ଆସନ୍ତା ମୌସୁମୀ ଅଧିବେସନ ପାଇଁ ତାରିଖ ଘୋଷଣା ହୋଇଛି। ସେହି ଅନୁସାରେ ଜୁଲାଇ 19 ତାରିଖରୁ ଆରମ୍ଭ ହେବ ମୌସୁମୀ ଅଧିବେସନ। ଏହି ଅଧିବେସନ ଅଗଷ୍ଟ 13 ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ସମୟରେ ମୋଟ 19ଟି କାର୍ଯ୍ୟ ଦିବସ ରହିଛି।

ଏଥରର ମୌସୁମୀ ଅଧିବେସନ ଅନେକ କ୍ଷେତ୍ରରେ ଗୁରୁତ୍ବ ବହନ କରିବ। ପ୍ରଥମ କଥା ହେଲା ଏଥର ଅଧିବେସନଟି ନୂଆ ମନ୍ତ୍ରୀମଣ୍ଡଳକୁ ନେଇ ବସିବ। ପ୍ରଥମ ଥର ପାଇଁ ନୂଆ ମନ୍ତ୍ରୀମାନେ ସେମାନଙ୍କ ବିଭାଗର ତଥ୍ୟ ଉପସ୍ଥାପନା କରିବେ।

ସେହିପରି କରୋନା ନେଇ ଏଥର ଗୃହ ସରଗରମ ହୋଇପାରେ, ଅନ୍ୟପକ୍ଷରେ ପଶ୍ଚିମବଂଗ ନିର୍ବାଚନ ପରବର୍ତ୍ତି ହିଂସା ଏବଂ ପ୍ରଶାସନିକ ଅଦଳବଦଳକୁ ନେଇ ମଧ୍ୟ ତୁମ୍ବି ତୋଫାନ ହେବାର ସମ୍ଭାବନା ରହିଛି।

Categories
ଆଜିର ଖବର ଜାତୀୟ ଖବର

ଜୁଲାଇ 19 ରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେସନ

ନୂଆଦିଲ୍ଲୀ, ସଂସଦର ମୌସୁମୀ ଅଧିବେଶନ ଜୁଲାଇ 19 ରୁ ଆରମ୍ଭ ହେଉଛି। ଏହି ଅଧିବେଶନ ଅଗଷ୍ଟ 13 ତାରିଖ ପର୍ଯ୍ୟନ୍ତ ଜାରି ରଖିବାକୁ ସ୍ଥିର ହୋଇଛି। ଏଥିରେ ମୋଟ 20 କାର୍ଯ୍ୟ ଦିବସ ରହିଛି। ସଂସଦୀୟ ବ୍ୟାପାର ଉପରେ କ୍ୟାବିନେଟ କମିଟି ଜୁଲାଇ 19 ରୁ ଅଗଷ୍ଟ 13 ପର୍ଯ୍ୟନ୍ତ ସଂସଦର ମୌସୁମୀ ଅଧିବେଶନକୁ ସୁପାରିଶ କରିଥିଲା। ଏହି 20 କାର୍ଯ୍ୟ ଦିବସ ଅଧିବେଶନରେ ଅନେକ ବିଲ୍ ଉପସ୍ଥାପିତ ହେବାର ସମ୍ଭାବନା ଅଛି।