ଆଜିଠାରୁ ଆରମ୍ଭ ହେଉଛି ବିଧାନସଭାର ମୌସୁମୀ ଅଧିବେସନ, ହେଲେ ଏତେ ସପନକୁ ରାତି କାହିଁ

Published: Sep 1, 2021, 6:03 am IST

ଭୁବନେଶ୍ବର, ବୁଧବାର ଦିନ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେସନ। ଏହି ଅଧିବେସନରେ ବିରୋଧୀ ଦଳ ବିଭିନ୍ନ ପ୍ରସଂଗ ପାଖରେ ଧରି ରଖିଛନ୍ତି। ଶାସକ ବିଜେଡିକୁ ପୁରା ଘାଇଲା କରିବା ମୁଡରେ ରହିଛନ୍ତି। ହେଲେ ଏତେ ସପନକୁ ରାତି କାହିଁ ନ୍ୟାୟରେ ଏହି ମାଳମାଳ ପ୍ରସଂଗ ଆଲୋଚନା ହେବାର ସମ୍ଭାବନା ବହୁତ କମ।

ଏହାର କାରଣ ହେଲା ଏଥର ବିଧାନସଭାକୁ ପୁରା କାଣ୍ଟଛାଣ୍ଟ କରିଦିଆଯାଇଛି। ଏହି ଅଧିବେସନ ସେପ୍ଟେମ୍ବର ଏକ ତାରିଖରୁ ଆରମ୍ଭ ହୋଇ ନଅ ତାରିଖ ପର୍ଯ୍ୟନ୍ତ ଚାଲିବ। ମାତ୍ର ଆଠଟି କାର୍ଯ୍ୟ ଦିବସ ରହିଛି। ଗତ ବଜେଟ ଅଧିବେସନରେ ବିରୋଧୀ ଦଳ ଯେପରି ତୁମ୍ବିତୋଫାନ କରିଥିଲେ ତାହା ଏହି ସମୟ ଅଭାବରୁ ଆଉ ପରିଲକ୍ଷିତ ହେବ ନାହିଁ।

ତେବେ ଏଥର ବିରୋଧୀ ଯେଉଁ ପ୍ରମୁଖ ପ୍ରସଂଗ ନେଇ ଶାସକ ବିଜେଡିକୁ ଘେରିବା ପାଇଁ ନିଷ୍ପତି କରିଛନ୍ତି ସେ ମଧ୍ୟରେ ରହିଛି ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଖବର। ମାହାଙ୍ଗା ଡବଲ ମଡର ଘଟଣାର କୋର୍ଟ ମନ୍ତ୍ରୀଙ୍କ ନାମ ଯୋଡିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ ନେଇ ବିଜେପି ବଡ ପ୍ରସଂଗ କରିବ ବୋଲି ଜଣାପଡିଛି।

ପଞ୍ଚାୟତ ନିର୍ବାଚନ ମୁଣ୍ଡ ଉପରେ ଥିବାରୁ ବିରୋଧୀ ଏହାକୁ ମଧ୍ୟ ପ୍ରଂସଗ କରିବେ ବୋଲି ଅନୁମାନ କରାଯାଉଛି। କାରଣ ରାଜ୍ୟ ସରକାର ପଞ୍ଚାୟତ ନିର୍ବାଚନ କଥା କହୁଥିଲେ ମଧ୍ୟ ପୌର ନିର୍ବାଚନ ଉପରେ ଆଲୋଚନା ହେଉ ନାହିଁ। ଫଳରେ ବିରୋଧୀ ଦୁଇଟି ନିର୍ବାଚନ ଏକାଥରେ କରିବା ପାଇଁ ଗୃହରେ ଦାବୀ କରିପାରନ୍ତି। ଏ ନେଇ ବିଜେପି କୋର୍ଟର ଦ୍ବାରସ୍ଥ ମଧ୍ୟ ହୋଇଛି।

ସେହିପରି କୋଟିଆ ଗ୍ରାମପୁଂଜ ସୀମା ବିବାଦ, ରାଜ୍ୟରେ ମରୁଡି ଆଶଙ୍କା, ବିଦ୍ୟୁତ ବିଲ ବୃଦ୍ଧି ପ୍ରମୁଖ ପ୍ରଂସଗ ରହିଛି। ଅନ୍ୟପକ୍ଷରେ ଗଜପତି ଜିଲ୍ଲାର ଏସିଏଫ ସୌମ୍ୟକାନ୍ତଙ୍କ ମୃତ୍ୟୁକୁ ନେଇ ମଧ୍ୟ ବିରୋଧୀ ତୁମ୍ବିତୋଫନ କରିବାର ସମ୍ଭାବନା ରହିଛି।

ଅନ୍ୟପକ୍ଷରେ ଶାସକ ବିଜେଡି ଦଳ ମଧ୍ୟ ବିଭିନ୍ନ ପ୍ରସଂଗ ହାତରେ ରଖିଛି। ସେଥି ମଧ୍ୟରେ ରହିଛି ଦେଶରେ ତେଲ ଏବଂ ଗ୍ୟାସର ମୂଲ୍ୟ ବୃଦ୍ଧି ସହିତ ଦରଦାମ ନିୟନ୍ତ୍ରଣ କରିବାରେ କେନ୍ଦ୍ର ସରକାରଙ୍କ ବିଫଳତା। ତେବେ ଏ ସବୁ ସମୟ ସୁବିଧା ଦେଖି ଦଳ ପ୍ରୟୋଗ କରିବ ବୋଲି ଜଣାପଡିଛି।

Related posts