ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର : ଏମକେସିଜି ବଡ଼ମେଡିକାଲରେ ଆଜି ସକାଳୁ ସିତଲାପଲ୍ଲୀ କୋଭିଡ 19 ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଗଂଜାମ ଜିଲ୍ଲାର ଜଣେ 32 ବର୍ଷୀୟ ମହିଳା ଯାଆଁଳା ଶିଶୁ ଜନ୍ମ ଦେଇଛନ୍ତି । ମହିଳା ଜଣକ ଏକ ପୁତ୍ର ଓ କନ୍ୟାକୁ ଜନ୍ମ ଦେଇଥିଲେ । ହେଲେ କିଛି ସମୟପରେ ପୁତ୍ର ଶିଶୁଟି ଆଖି ବୁଜିଦେଇଛି ।
ମହିଳା ଜଣଙ୍କ କିଛି ଦିନ ତଳେ ସୁରତରୁ ଟ୍ରେନରେ ଫେରିବା ପରେ ତାଙ୍କୁ ସଂଗରୋଧ କେନ୍ଦ୍ରରେ ରଖାଯାଇଥିଲା । ସ୍ୱାବ ନମୁନା ପରୀକ୍ଷଣ ପରେ ପଜିଟିଭ ଚିହ୍ନଟ ହୋଇଥିଲେ। ତେଣୁ ତାଙ୍କୁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
ଆଜି ସକାଳୁ ଗର୍ଭ ଯନ୍ତ୍ରଣା ପରେ ସେଠାରେ କାଯ୍ୟରତ ଡାକ୍ତର ତାଙ୍କୁ ଏମକେସିଜି ପଠାଇଥିଲେ । କାଜୁଆଲିଟିକୁ ଅଣା ଯିବା ପରେ ସକାଳ 9ଟା ବେଳେ ମହିଳା ଜଣକ ଯାଆଁଳା ସନ୍ତାନ ଜନ୍ମ ଦେଇଥିଲେ । କାଜୁଆଲିଟିର ଅସ୍ତ୍ରୋପଚାର ଗୃହରେ ପ୍ରସୂତି ବିଭାଗର ଏକ ସ୍ୱତନ୍ତ୍ର ଡାକ୍ତର ଓ ନର୍ସ ଦଳଙ୍କ ଦ୍ଵାରା ମହିଳାଙ୍କ ପ୍ରସବ କରାଯାଇଥିଲା। ସମୟ ପୂର୍ବରୁ ଶିଶୁ ଜନ୍ମ ଦେଇଥିବାରୁ ଶିଶୁ ପୁତ୍ରର ଓଜନ ମାତ୍ର 900 ଗ୍ରାମ ରହିଥିଲା । ଏହି କାରଣରୁ ଶିଶୁ ପୁତ୍ରଟିର ମୃତ୍ୟୁ ହୋଇଛି ବୋଲି ଏମକେସିଜି ମେଡିକାଲ ଅଧିକ୍ଷକ ପ୍ରଫେସର ସନ୍ତୋଷ କୁମାର ମିଶ୍ର କହିଛନ୍ତି । ତେବେ ଜନ୍ମହୋଇଥିବା କନ୍ୟା ସନ୍ତାନଟି ଏବେ ସୁସ୍ଥ ରହିଥିବାର ଜଣାଇଛନ୍ତି ମେଡିକାଲ୍ ଅଧୀକ୍ଷକ ।
ସୂଚନାଯୋଗ୍ୟ, ଗତକାଲି ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ମର୍ଦ୍ଦେକାଟ ଗାଁ ସ୍ଥିତ ହରିହର ମର୍ଦ୍ଦରାଜ ହାଇସ୍କୁଲରେ ହୋଇଥିବା କ୍ବାରେଣ୍ଟିନ୍ ସେଣ୍ଟରେ ଜଣେ ମହିଳା ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ ।