Categories
ଆଜିର ଖବର ଜାତୀୟ ଖବର

ଆଇଡିୱାଇ -୨୦୨୪ର ୭୫ ଦିନିଆ କାଉଣ୍ଟଡାଉନରେ ଅଂଶଗ୍ରହଣ କରିବେ ୫୦୦୦ରୁ ଅଧିକ ଯୋଗପ୍ରେମୀ

ନୂଆଦିଲ୍ଲୀ: ଆଇଡିୱାଇ ୨୦୨୪ର ୧୦୦ ଦିନର କାଉଣ୍ଟଡାଉନ (ଓଲଟା ଗଣନା) ର ଏହି ଯାତ୍ରାରେ ୭ ଏପ୍ରିଲ ୨୦୨୪ରେ ମହାରାଷ୍ଟ୍ରର ପୁଣେସ୍ଥିତ ୱାଡିଆ କଲେଜ ସ୍ପୋର୍ଟସ ଗ୍ରାଉଣ୍ଡରେ ଅନୁଷ୍ଠିତ ହେବାକୁ ଥିବା ୭୫ତମ ଦିନର କାଉଣ୍ଟଡାଉନରେ ୫୦୦୦ରୁ ଅଧିକ ଯୋଗପ୍ରେମୀ ଅଂଶଗ୍ରହଣ କରିବେ।

ସାମଗ୍ରିକ ସ୍ୱାସ୍ଥ୍ୟ ଓ କଲ୍ୟାଣ ଆଭିମୁଖ୍ୟ ଉପରେ ଗୁରୁତ୍ୱାରୋପ କରିବା ସହ ଯୋଗର ଶକ୍ତିକୁ ଦୃଷ୍ଟିରେ ରଖି ଏହି ମହୋତ୍ସବରେ ଗ୍ରାମ ପ୍ରଧାନ, ଅଙ୍ଗନବାଡି କର୍ମୀ ଓ ଆଶା କର୍ମୀ / ସ୍ୱୟଂ ସହାୟକ ଗୋଷ୍ଠୀ, ଆୟୁଷ ସ୍ୱାସ୍ଥ୍ୟ ଓ କଲ୍ୟାଣ କେନ୍ଦ୍ର, ଆବାସିକ କଲ୍ୟାଣ ସଂଘ (ଆରଡବ୍ଲ୍ୟୁଏ), ମହିଳା କଲ୍ୟାଣ ସଂଗଠନ, ସ୍କୁଲ ପିଲା ଏବଂ ଅନ୍ୟମାନେ ସକ୍ରିୟ ଅଂଶଗ୍ରହଣ କରିବେ। ଏହି ଉତ୍ସବରେ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି, ଯୋଗ ଗୁରୁ/ ଶିକ୍ଷକ ଏବଂ ଯୋଗ ଓ ଆନୁଷଙ୍ଗିକ ବିଜ୍ଞାନର ବିଶେଷଜ୍ଞ ଏବଂ ଅନୁଷ୍ଠାନର ମୁଖ୍ୟମାନେ ମଧ୍ୟ ଉପସ୍ଥିତ ରହିବେ । ଯୋଗ ମହୋତ୍ସବର ମୂଳ ଉଦ୍ଦେଶ୍ୟ ହେଉଛି ସ୍ୱାସ୍ଥ୍ୟ ଏବଂ କଲ୍ୟାଣ ପାଇଁ ଯୋଗର ବ୍ୟାପକ ପ୍ରଚାର ଏବଂ ପ୍ରଚାର ପ୍ରସାର କରିବା , ଯାହା ଦ୍ୱାରା ଉଭୟ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ଅଧିକରୁ ଅଧିକ ଲୋକ ଉପକୃତ ହୋଇ ପାରିବେ । ଆଇଡିୱାଇ ୨୦୨୪ କାର୍ଯ୍ୟକ୍ରମରେ କାଉଂଟ ଡାଉନ୍‌ର ୭୫ତମ ଦିବସ ମଧ୍ୟ ୭ ଏପ୍ରିଲ ୨୦୨୪ରେ ପଡ଼ୁଥିବା ବିଶ୍ୱ ସ୍ୱାସ୍ଥ୍ୟ ଦିବସ ସହିତ ମେଳ ଖାଉଛି।

ପ୍ରତିବର୍ଷ ଜୁନ୍ ୨୧ ତାରିଖକୁ ଅନ୍ତର୍ଜାତୀୟ ଯୋଗ ଦିବସ ଭାବେ ପାଳନ କରାଯାଏ । ଚଳିତ ବର୍ଷ ମଧ୍ୟ ଯୋଗର ଉପକାରିତା ବିଷୟରେ ଜନସାଧାରଣଙ୍କୁ ସଚେତନ କରିବା ଏବଂ ସାମଗ୍ରିକ ସ୍ୱାସ୍ଥ୍ୟର ଅନ୍ତର୍ନିହିତ ବାର୍ତ୍ତା ପ୍ରସାର କରିବା ପାଇଁ ମାର୍ଚ୍ଚ ୧୩ ତାରିଖରେ ୧୦୦ ଦିନିଆ କାଉଣ୍ଟଡାଉନ ଆରମ୍ଭ କରାଯାଇଥିଲା । ଓଲଟା ଗଣନା କାର୍ଯ୍ୟକ୍ରମ ଶୃଙ୍ଖଳାର ଏକ ଅଂଶ ଭାବରେ ୭୫ତମ ଦିବସର କାଉଣ୍ଟଡାଉନ୍ ଯୋଗ ମହୋତ୍ସବ ଆକାରରେ ପାଳନ କରାଯିବ । ମୋରାରଜୀ ଦେଶାଇ ଜାତୀୟ ଯୋଗ ପ୍ରତିଷ୍ଠାନ ଏବଂ ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ନେଚୁରୋପାଥି (ଏନ୍‌ଆଇଏନ୍‌)ର ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି ।

ସମସ୍ତ ଅଂଶଗ୍ରହଣକାରୀ ଏପ୍ରିଲ ୭ତାରିଖ ସକାଳ ୬ଟାରୁ ଆରମ୍ଭ ହେଉଥିବା କମନ୍ ଯୋଗ ପ୍ରୋଟୋକଲ୍ (ସିୱାଇପି)ର ଅଭ୍ୟାସରେ ସକ୍ରିୟ ଭାବେ ନିୟୋଜିତ ହେବେ । ଉତ୍ସାହ ଏବଂ ଅଂଶଗ୍ରହଣର ଏହି ଉଲ୍ଲେଖନୀୟ ପ୍ରଦର୍ଶନ ବ୍ୟକ୍ତିଗତ ଏବଂ ସାମାଜିକ ଉନ୍ନତିକୁ ପ୍ରୋତ୍ସାହିତ କରିବାରେ ଯୋଗର ବୃଦ୍ଧି ପାଉଥିବା ଗୁରୁତ୍ୱକୁ ସୂଚାଇଥାଏ । ଭାରତୀୟ ଯୋଗ ସଂଘ ମଧ୍ୟ ନିଜର ମହାରାଷ୍ଟ୍ର ରାଜ୍ୟ ଶାଖା ସହିତ ଏହି ୭୫ ତମ ଦିବସର କାଉଣ୍ଟଡାଉନ୍ କାର୍ଯ୍ୟକ୍ରମ ଆଇଡିୱାଇ -୨୦୨୪ ସମ୍ବନ୍ଧିତ ଉତ୍ସବକୁ ସମର୍ଥନ କରୁଛି ।

କମନ୍ ଯୋଗ ପ୍ରୋଟୋକଲ୍ (ସିୱାଇପି) ଏହି କାର୍ଯ୍ୟକ୍ରମର କେନ୍ଦ୍ରରେ ରହିଛି । ଯୋଗର ସମସ୍ତ ଲାଭ ପାଇବା ପାଇଁ ଏଥିରେ ଦୈନନ୍ଦିନ ଯୋଗ ଅଭ୍ୟାସ ଅନ୍ତର୍ଭୁକ୍ତ ହୋଇଥିବାରୁ ବିଶେଷଜ୍ଞଙ୍କ ଠାରୁ ମତାମତ ନେଇ ସିଓପି ଡିଜାଇନ୍ କରାଯାଇଛି । ଏହି ପ୍ରୋଟୋକଲ୍‌ର ଉଦ୍ଦେଶ୍ୟ ହେଉଛି ପ୍ରାଣାୟାମ, ଧ୍ୟାନ ଇତ୍ୟାଦି ଯୋଗ ଅଭ୍ୟାସକୁ ଲୋକପ୍ରିୟ କରିବା । ନମନୀୟତା, ଶକ୍ତି, ସନ୍ତୁଳନ ଏବଂ ସୌହାର୍ଦ୍ଦ୍ୟ ହାସଲ କରିବା ପାଇଁ ପ୍ରତ୍ୟେକ ଯୋଗ କାର୍ଯ୍ୟକଳାପ ଏକ ଚାବିକାଠି ଅଟେ ।

ଆୟୁଷ ମନ୍ତ୍ରଣାଳୟ ମୋରାରଜୀ ଦେଶାଇ ଜାତୀୟ ଯୋଗ ପ୍ରତିଷ୍ଠାନ ସହିତ ମିଶି ୧୩ ମାର୍ଚ୍ଚ ୨୦୨୪ ରୁ ୨୧ ଜୁନ ୨୦୨୪ ପର୍ଯ୍ୟନ୍ତ ଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟ / ଅନୁଷ୍ଠାନ/ ମହାବିଦ୍ୟାଳୟର ମିଳିତ ସହଯୋଗରେ ‘୧୦୦ ଦିନ, ୧୦୦ ସହର ଏବଂ ୧୦୦ ସଂଗଠନ’ ଅଭିଯାନ ଆୟୋଜନ କରୁଛି । ଏହି ଅଭିଯାନରେ କମନ୍ ଯୋଗ ପ୍ରୋଟୋକଲ, କର୍ମଶାଳା ଏବଂ ବ୍ୟାଖ୍ୟାନ ଅନ୍ତର୍ଭୁକ୍ତ , ଯାହା ଦ୍ୱାରା ଲୋକଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ଏବଂ କଲ୍ୟାଣରେ ଉନ୍ନତି ପାଇଁ ଯୋଗ ଅଭ୍ୟାସକୁ ପ୍ରୋତ୍ସାହିତ କରାଯାଇପାରିବ ।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଯୋଗ କରୁଥିବା ବେଳେ କେନ୍ଦ୍ର ମନ୍ତ୍ରୀ ପଶୁପତୀ ପାରସଙ୍କ ହଠାତ୍ ବିଗିଡିଲା ସ୍ୱାସ୍ଥ୍ୟ, ଏମ୍ସରେ ହେବେ ଭର୍ତ୍ତି

ହାଜିପୁର: ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ କେନ୍ଦ୍ର ମନ୍ତ୍ରୀ ପଶୁପତି କୁମାର ପାରସଙ୍କ ସ୍ୱାସ୍ଥ୍ୟ ହଠାତ୍ ଖରାପ ହୋଇଯାଇଥିଲା। ଆଜି ସକାଳେ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ପଶୁପତୀ କୁମାର ପାରସ କୋନହରା ଘାଟରେ ପହଞ୍ଚିଥିଲେ। ଯୋଗ ସମୟରେ, ପଶୁପତି ପାରସଙ୍କ ପିଏ ତାଙ୍କୁ ଧରି ସୋଫାରେ ବସାଇଥିଲେ। ବର୍ତ୍ତମାନ ସେ ଦିଲ୍ଲୀ ଯାଇ AIIMS ରେ ଚିକିତ୍ସିତ ହେବେ।

କେନ୍ଦ୍ର ମନ୍ତ୍ରୀ ପଶୁପତି କୁମାର କହିଛନ୍ତି ଯେ, ଯୋଗ ଶିବିରକୁ ଆସୁଥିବା ବେଳେ କାରଟି ଗର୍ତ୍ତ ଭିତରକୁ ଯିବା କାରଣରୁ ଏହି ସମସ୍ୟା ଘଟିଛି। ଯେତେବେଳେ ମୁଁ ଯୋଗ କରିବାକୁ ଚେଷ୍ଟା କଲି, ମୋର ସ୍ୱାସ୍ଥ୍ୟ ଖରାପ ହୋଇଗଲା। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ବୋଲି ସେ କହିଛନ୍ତି। ସେ ଦିଲ୍ଲୀ AIIMS କୁ ଯାଇ ଚିକିତ୍ସିତ ହେବେ।

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ

ଜାଣନ୍ତୁ ସେହି ୫ ବ୍ୟକ୍ତି, ଯେଉଁମାନେ ଯୋଗ କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍

ସ୍ୱାସ୍ଥ୍ୟ ଟିପ୍ସ: ଯୋଗ କେବଳ ଆମ ଶରୀର ପାଇଁ ନୁହେଁ ବରଂ ଆମ ମନ ଏବଂ ପ୍ରାଣ ପାଇଁ ମଧ୍ୟ ବହୁତ ଲାଭଦାୟକ। ତେଣୁ ସମସ୍ତଙ୍କୁ ଯୋଗ କରିବାକୁ ପରାମର୍ଶ ଦିଆଯାଇଛି। କିନ୍ତୁ ଆପଣ ଜାଣନ୍ତି କି ଏପରି କିଛି ପରିସ୍ଥିତି ଅଛି ଯେଉଁଥିରେ ଯୋଗ କରିବା ପୂର୍ବରୁ ଆପଣଙ୍କୁ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରିବାକୁ ପଡିବ, ନଚେତ୍ ଆପଣଙ୍କ ଅବସ୍ଥା ଖରାପ ହୋଇପାରେ। ଯଦି ଆପଣ ମଧ୍ୟ ଏହି ସର୍ତ୍ତଗୁଡିକ ଦେଇ ଗତି କରୁଛନ୍ତି, ତେବେ ନିଶ୍ଚିତ ଭାବରେ ଏହି ଖବର ପଢନ୍ତୁ ଏବଂ ଯୋଗ କରିବା ପୂର୍ବରୁ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ।

ଗର୍ଭବତୀ ମହିଳା:

ଗର୍ଭାବସ୍ଥାରେ ଯୋଗ କରିବା ଅତ୍ୟନ୍ତ ଲାଭଦାୟକ, କିନ୍ତୁ କୌଣସି ଯୋଗ କରିବା ପୂର୍ବରୁ ଆପଣଙ୍କୁ ଡାକ୍ତରଙ୍କ ସହିତ ପରାମର୍ଶ କରିବାକୁ ପଡିବ, କାରଣ ବେଳେବେଳେ କିଛି କଠିନ ଯୋଗ ଶିଶୁ ଏବଂ ମା’ର ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇପାରେ।

ପୂର୍ବରୁ ରୋଗରେ ଆକ୍ରାନ୍ତ ବ୍ୟକ୍ତି:

ଯଦି ଆପଣଙ୍କର ହୃଦଘାତ, ମଧୁମେହ, ଆଜମା, ଆର୍ଥ୍ରାଇଟିସ୍ କିମ୍ବା ଅନ୍ୟ କୌଣସି କ୍ରନିକ୍ ରୋଗ ଅଛି। ତେବେ ଯୋଗ କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ଏବଂ ତାଙ୍କ ପରାମର୍ଶରେ କିଛି ବିଶେଷ ଯୋଗ କରନ୍ତୁ।

ଉଚ୍ଚ ରକ୍ତଚାପ ରୋଗୀ:

କଠିନ ବ୍ୟାୟାମ କିମ୍ବା ପାୱାର ଯୋଗ କଲେ ରକ୍ତଚାପ ରୋଗୀଙ୍କ ରକ୍ତ ଶୀଘ୍ର ପମ୍ପ କରିବା ଆରମ୍ଭ କରେ ଏବଂ ରକ୍ତଚାପ ବଢିପାରେ, ଏପରି ପରିସ୍ଥିତିରେ ଆପଣ କେବଳ ଡାକ୍ତରଙ୍କ ପରାମର୍ଶରେ କିଛି ବିଶେଷ ଯୋଗାସନ କରିପାରିବେ।

ଆଘାତ କିମ୍ବା ଅସ୍ତ୍ରୋପଚାରରୁ ସୁସ୍ଥ ହୋଇଥିବା ଲୋକ:

ଯଦି ଆପଣ ନିକଟରେ ଅସ୍ତ୍ରୋପଚାର କରିଛନ୍ତି କିମ୍ବା ଆଘାତରୁ ସୁସ୍ଥ ହେଉଛନ୍ତି, ତେବେ ଯୋଗ ଆରମ୍ଭ କରିବା ପୂର୍ବରୁ, ଆପଣଙ୍କର ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ଏବଂ କେବଳ ଡାକ୍ତରଙ୍କ ମାର୍ଗଦର୍ଶନରେ ଆପଣଙ୍କର ଯୋଗ ଏବଂ ଗତିବିଧି ଆରମ୍ଭ କରନ୍ତୁ।

ବୟସ୍କ ବ୍ୟକ୍ତି:

ଯୋଗ ସବୁ ବୟସର ଲୋକଙ୍କ ଦ୍ଵାରା କରାଯାଇପାରିବ, କିନ୍ତୁ ଯେଉଁମାନେ ୬୦ ବର୍ଷ କିମ୍ବା ତଦୁର୍ଦ୍ଧ୍ୱ ଲୋକ ଯୋଗ କରିବା ପୂର୍ବରୁ ଥରେ ସେମାନଙ୍କ ଡାକ୍ତରଙ୍କ ସହିତ ପରାମର୍ଶ କରିବେ ଏବଂ ସେମାନେ ଆପଣଙ୍କ ପାଇଁ କିଛି ବିଶେଷ ଯୋଗସାନା ଏବଂ ପ୍ରାଣାୟାମ ସ୍ଥିତିକୁ ପରାମର୍ଶ ଦେଇ ପାରିବେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଯୋଗ ହେଉଛି ମହାନ ଭାରତୀୟ ପରମ୍ପରାର ବିଶ୍ୱକୁ ଗୌରବମୟ ଅବଦାନ: ଏମ୍ସ ନିର୍ଦ୍ଦେଶକ

ଭୁବନେଶ୍ୱର: ଯୋଗ ହେଉଛି ମହାନ ଭାରତୀୟ ପରମ୍ପରାର ବିଶ୍ୱକୁ ଗୌରବମୟ ଅବଦାନ।  ଏହା ସମଗ୍ର ବିଶ୍ୱରେ ପ୍ରାଚୀନ ସନାତନ ସଂସ୍କୃତିର ପ୍ରଚାର କରୁଛି, ଯାହାକି ଭାରତର ବିଶ୍ୱଗୁରୁ ଗାରିମାକୁ ପ୍ରତିପାଦିତ କରୁଛି। ଆଜି ଏମ୍ସ ପରିସରରେ ଆୟୁଷ ବିଭାଗ ପକ୍ଷରୁ ଆୟୋଜିତ ଅଷ୍ଟମ ଅନ୍ତଃରାଷ୍ଟ୍ରୀୟ ଯୋଗ ଦିବସ ପାଳନ ଅବସରରେ ଏପରି ମତବ୍ୟକ୍ତ କରିଛନ୍ତି ଏମ୍ସ ନିର୍ଦ୍ଦେଶକ ପ୍ରଫେସର ମୁକେଶ ତ୍ରିପାଠୀ।
ଏହି ଅବସରରେ ମେଡିକାଲ ଅଧୀକ୍ଷକ ଡାକ୍ତର ସଚ୍ଚିଦାନନ୍ଦ ମହାନ୍ତି, ଡିନ ଡାକ୍ତର ଦେବାଶିଷ ହୋତା, ଆୟୁଷ ବିଭାଗ ନୋଡାଲ ଅଧିକାରୀ ମେଜର ଏମ ସି ସାହୁ, ଉତ୍କଳ ବିଶ୍ଵବିଦ୍ୟାଳୟର ଯୋଗ ଅଧ୍ୟାପକ ଅଜୟ ସାହୁ ପ୍ରମୁଖଙ୍କ ସମେତ ଶତାଧିକ ଡାକ୍ତର, ନର୍ସିଂ ଅଧିକାରୀ, ମେଡିକାଲ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।
ଏମ୍ସ ଭୁବନେଶ୍ୱର ପକ୍ଷରୁ ପ୍ରତିବର୍ଷ ଯୋଗ ଦିବସ ପାଳନ କରାଯାଇଆସୁଛି। ଏମ୍ସରେ ଆୟୁର୍ବେଦ, ହୋମିଓପ୍ୟାଥିକ ଆଦିର ପ୍ରସାର ପାଇଁ ବ୍ୟାପକ ପଦକ୍ଷେପ ନିଆଯାଉଛି। ସେହିପରି କାର୍ଯ୍ୟକ୍ଷେତ୍ରରେ ହେଉଥିବା ମାନସିକ ଚାପରୁ ମୁକ୍ତି ପାଇଁ କାର୍ଯ୍ୟସ୍ଥଳରେ ଯୋଗ କରାଯିବାର ବ୍ୟବସ୍ଥା ହାତକୁ ନିଆଯାଇଛି।
ଆୟୁଷ ବିଭାଗର ବରିଷ୍ଠ ଅଧ୍ୟାପକ ଡାକ୍ତର ପ୍ରଶାନ୍ତ ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ଯୋଗ ପ୍ରଶିକ୍ଷକ ସନ୍ତୋଷ ସାହୁ ଯୋଗାଭ୍ୟାସ କରାଇଥିଲେ। ଆୟୁଷ (ହୋମିଓପ୍ୟାଥିକ) ଡାକ୍ତର ଶୁଭାଶିଷ ସରକାର ଧନ୍ୟବାଦ ଅର୍ପଣ କରିଥିଲେ।
ଆଜିର କାର୍ଯ୍ୟକ୍ରମରେ ଉପସ୍ଥିତ ବରିଷ୍ଠ ଚିକିତ୍ସକ, ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗର ଗୁରୁତ୍ୱ ସମ୍ପର୍କରେ ମତ ରଖିବା ସହିତ କୋଭିଡ କାଳରେ ଯୋଗର ମହତ୍ତ୍ୱ ପ୍ରତିପାଦିତ ହୋଇସାରିଥିବା ପ୍ରକାଶ କରିଥିଲେ। ତେଣୁ ସମସ୍ତେ ଦୈନିକ କିଛି ସମୟ ଯୋଗାଭ୍ୟାସ କରିବାକୁ ପରାମର୍ଶ ଦେବା ସହିତ ଏହାକୁ ଜୀବନର ଏକ ଅଭିନ୍ନ ଅଂଶ ଭାବେ ସାମିଲ କରିବାକୁ ଆହ୍ବାନ ଦେଇଥିଲେ।
Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ତିନିଦିନିଆ ‘ଜାତୀୟ ଯୋଗ ଅଲିମ୍ପିଆଡ’ ସମାରୋହକୁ ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର: ଭାରତର ପ୍ରାଚୀନ ସଂସ୍କୃତିରୁ ଆସିଥିବା ଅମୂଲ୍ୟ ଉପାଦାନ ‘ଯୋଗ’କୁ ଭାରତ ବିଶ୍ୱକୁ ଉପହାର ଭାବରେ ଦେଇଛି ବୋଲି ଶନିବାର ନୂଆଦିଲ୍ଲୀ ଠାରେ ତିନିଦିନିଆ ‘ଜାତୀୟ ଯୋଗ ଅଲିମ୍ପିଆଡ୍ ୨୦୨୨’ ସମାରୋହକୁ ଉଦ୍‌ଘାଟନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶିକ୍ଷା ମନ୍ତ୍ରଣାଳୟ ଓ ଜାତୀୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ(ଏନସିଇଆରଟି) ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଯୋଗ ହେଉଛି ଜୀବନର ଅବିଚ୍ଛେଦ୍ୟ ଅଙ୍ଗ। ଯୋଗ କଲେ ମନ ଓ ଶରୀର ପ୍ରଫୁଲ୍ଲିତ ହେବା ସହ ନୂଆ ଉର୍ଜା ଦେଇଥାଏ। ଜୁନ ୨୧ ତାରିଖକୁ ଆନ୍ତର୍ଜାତିକ ଯୋଗ ଦିବସ ଭାବରେ ପାଳନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରସ୍ତାବକୁ ଆମେରିକାର ମିଳିତ ଜାତିସଂଘ ସାଧାରଣ ପରିଷଦ ସ୍ୱୀକୃତି ଦେବା ପର ଠାରୁ ଏହା ବିଶ୍ୱସ୍ତରରେ ଲୋକପ୍ରିୟତା ହାସଲ କରିଛି । ଯୋଗ ବିଶ୍ୱକୁ ଭାରତର ଉପହାର। ଉତ୍ତମ ସ୍ୱାସ୍ଥ୍ୟ ଆପଣାଇବା ଦିଗରେ ଯୋଗ ବିଶ୍ୱକୁ ଏକତ୍ରିତ କରିଛି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ବିଶେଷ ଭାବରେ କୋଭିଡ୍ ସମୟରେ ଯୋଗର ମହତ୍ୱ ବୁଝାପଡ଼ିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକଙ୍କୁ ଅଧିକ ନିକଟତର କରିବା ଏବଂ ସ୍ୱାସ୍ଥ୍ୟବାନ ଜୀବନକୁ ପ୍ରୋତ୍ସାହନ ଦେବା ଦିଗରେ ଚଳିତ ବର୍ଷ “ମାନବିକତା ପାଇଁ ଯୋଗ” ଥିମ୍ ରଖିଛନ୍ତି। ଯୋଗ କେବଳ ଏକ ଶାରିରୀକ ବାୟାମ୍ ନୁହେଁ ବରଂ ଜୀବନର ଏକ ମାଧ୍ୟମ। ଜାତୀୟ ଶିକ୍ଷା ନୀତି ୨୦୨୦ରେ ଛାତ୍ର ଏବଂ ଶିକ୍ଷକଙ୍କ ଶାରୀରିକ ଏବଂ ମାନସିକ ସୁସ୍ଥତା ଉପରେ ମଧ୍ୟ ବିଶେଷ ଗୁରୁତ୍ୱ ଦିଆଯାଇଛି। କ୍ରୀଡ଼ା ଆଧାରିତ ଶିକ୍ଷା ଆରୋହଣ ଛାତ୍ରଛାତ୍ରୀଙ୍କୁ କ୍ରୀଡ଼ାବିତର ଉତ୍ସାହ ପ୍ରଦାନ କରିବ ଏବଂ ସେମାନଙ୍କୁ ଆଜୀବନ ଫିଟନେସ୍ ଆପଣାଇବାକୁ ପ୍ରୋତ୍ସାହିତ କରିବ।

ଯୋଗ ହେଇଛି ଉତମ ସ୍ୱାସ୍ଥ୍ୟ, କଲ୍ୟାଣ ଏବଂ ଶାରିରୀକ ଶିକ୍ଷାର ଅଭିନ୍ନ ଅଙ୍ଗ। ଯୋଗର ମହତ୍ୱକୁ ନୂଆପିଢ଼ିଙ୍କୁ ଶିଖାଇବା ପାଇଁ ଏନସିଇଆରଟି ପାଠ୍ୟକ୍ରମରେ ଯୋଡ଼ିବା ଦରକାର। ଯୋଗର ପ୍ରାଚୀନ ପରମ୍ପରାକୁ ପାଠ୍ୟକ୍ରମରେ ସାମିଲ କରାଯିବା ଦରକାର। ଆମେ ଜାତୀୟ ପାଠ୍ୟକ୍ରମ ରୂପରେଖ(ଏନସିଏଫ)ର ବିକାଶ ପ୍ରକ୍ରିୟାରେ ଥିବା ବେଳେ ପୌଢ଼ ଶିକ୍ଷା ସମୟରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ମଧ୍ୟରେ ଯୋଗ ଶିକ୍ଷାକୁ ପ୍ରାଥମିକତା ଦେବା ଦରକାର।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଜାତୀୟ ଯୋଗ ଅଲିମ୍ପିଆଡ ପାଇଁ ଚୟନ ହୋଇଥିବା ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏନସିଇଆରଟି ଦୀର୍ଘ ୮ ବର୍ଷ ଧରି ଏପରି କାର୍ଯ୍ୟକ୍ରମ ଆୟୋଜନ କରାଯିବା ଖୁସିର ବିଷୟ। ଏନସିଇଆରଟିକୁ ସ୍କୁଲ, ବ୍ଲକ, ଜିଲ୍ଲା ଏବଂ ରାଜ୍ୟ ସ୍ତରରେ ଯୋଗ ଅଲିମ୍ପିଆଡ ଆୟୋଜନ କରିବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ। ପ୍ରତ୍ୟେକ ବ୍ଲକରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଯୋଡ଼ିଲେ ଯୋଗର ପରମ୍ପରା ସୁଦୃଢ଼ ହେବ ଏବଂ ଯୋଗକୁ ଏକ ଜୀବନଶୈଳି ଭାବରେ ଗ୍ରହଣ କରିବା ଦିଗରେ ସହଜ ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ଏହି ସମାହୋହରେ ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ସୁବାଷ ସରକାର, ଏନସିଇଆରଟିର ନିର୍ଦ୍ଦେଶକ ପ୍ରଫେସର ଦିନେଶ ପ୍ରସାଦ ସକଲାନୀ, ଏନସିଇଆରଟିର ବରିଷ୍ଠ କାର୍ଯ୍ୟାଧିକାରୀ, ଶିକ୍ଷାବିତ୍ ପ୍ରମୁଖ ଯୋଗ ଦେଇଥିଲେ।

Categories
ଜୀବନ ଶୈଳୀ ବିଶେଷ ଖବର ସ୍ବାସ୍ଥ୍ୟ

ଓଜନ ହ୍ରାସ କରିବାକୁ ଚାହୁଁଥିଲେ, ଖାଆନ୍ତୁ ଏହି ୪ ଟି ଜିନିଷ: ମିଳିବ ଅନେକ ଲାଭ

ନୂଆଦିଲ୍ଲୀ: ଆଜିକାଲି ମେଦବହୁଳତା ଯୋଗୁଁ ଲୋକମାନେ ଅଧିକ ଅସୁବିଧାରେ ପଡ଼ନ୍ତି। ଯଦିଓ ଲୋକମାନେ ବର୍ତ୍ତମାନ ସେମାନଙ୍କର ଫିଟନେସ୍ ବିଷୟରେ ବହୁତ ସଚେତନ ହୋଇଛନ୍ତି। ଖାଦ୍ୟ, ଚାଲିବା, ଯୋଗ ଏବଂ ବ୍ୟାୟାମରେ ସୁସ୍ଥ ଖାଦ୍ୟ ଆପଣଙ୍କ ଓଜନକୁ ନିୟନ୍ତ୍ରଣରେ ରଖେ। ଯେଉଁମାନେ ମେଦବହୁଳତାର ଶିକାର ହୁଅନ୍ତି, ଅନେକ ରୋଗ ମଧ୍ୟ ସେମାନଙ୍କ ଶରୀରରେ ବୃଦ୍ଧି ପାଇବାରେ ଲାଗେ। ବିଶେଷକରି କରୋନା ସମୟରେ ନିଜକୁ ସୁସ୍ଥ ରଖିବା ଏକ ଚ୍ୟାଲେଞ୍ଜଠାରୁ କମ୍ ନୁହେଁ।

ଅନେକ ଲୋକ କ୍ରସ୍ ଡାଏଟିଂ କରି ଓଜନ ହ୍ରାସ କରିବାକୁ ଚାହାଁନ୍ତି, ଯାହା ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ। ଏପରି ପରିସ୍ଥିତିରେ, ଭୋକିଲା ହେବା ପରିବର୍ତ୍ତେ, ଆପଣଙ୍କର ଖାଦ୍ୟରେ କିଛି ସୁସ୍ଥ ଜିନିଷ ଅନ୍ତର୍ଭୁକ୍ତ କରନ୍ତୁ। ଶୁଖିଲା ଫଳଗୁଡ଼ିକ ପୋଷକ ତତ୍ତ୍ୱରେ ଭରପୂର, ଯେଉଁ କାରଣରୁ ଭୋକ ନିୟନ୍ତ୍ରିତ ହୁଏ ଏବଂ ଓଜନ ମଧ୍ୟ କମିବା ଆରମ୍ଭ କରେ। ଆଜି ଆମେ ଆପଣଙ୍କୁ ୫ ଟି ଜିନିଷ କହୁଛୁ ଯାହା ଆପଣଙ୍କର ଓଜନ ହ୍ରାସ କରିବାରେ ସାହାଯ୍ୟ କରିବ।

ଓଜନ ହ୍ରାସ ପାଇଁ ବାଦାମ ଏବଂ ଶୁଖିଲା ଫଳ:

୧- ବାଦାମ: ଓଜନ ହ୍ରାସ କରିବାରେ ମଧ୍ୟ ବାଦାମ ସାହାଯ୍ୟ କରିଥାଏ। ବାଦାମରେ ପ୍ରୋଟିନ୍, ମିନେରାଲ୍ସ ଏବଂ ଭିଟାମିନ୍ ଭରପୂର ଥାଏ। ଯଦି ଆପଣ ଭୋକିଲା ଥିବାବେଳେ ବାଦାମ ଖାଅନ୍ତି, ତେବେ ଏହା ଆପଣଙ୍କ ପେଟକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ପୂର୍ଣ୍ଣ ରଖିବ। ବାଦାମରେ ଏପରି ପୋଷକ ତତ୍ତ୍ୱ ରହିଥାଏ, ଯାହା ମସ୍ତିଷ୍କରେ ଥିବା ରାସାୟନିକ ସେରୋଟୋନିନ୍ ସ୍ତରକୁ ବୃଦ୍ଧି କରିଥାଏ। ଏହା ଭୋକର ଅନୁଭବକୁ ହ୍ରାସ କରିଥାଏ। ପ୍ରତିଦିନ ମୁଠାଏ ଭିଜାଇଥିବା ବାଦାମ ଖାଇବା ଦ୍ୱାରା ଓଜନ ହ୍ରାସ କରିବାରେ ସାହାଯ୍ୟ କରିବ।

୨- କିସମିସ୍: ଭୋକିଲା ଥିବାବେଳେ ଆପଣ କିସମିସ୍ ମଧ୍ୟ ଖାଇପାରିବେ। କିସମିସରେ କ୍ୟାଲୋରୀ ବହୁତ କମ୍ ଅଟେ। ଏହାକୁ ଖାଇବା ପରେ ଶୀଘ୍ର ଖାଇବାକୁ ଇଚ୍ଛା ହୁଏନାହିଁ। କିସମିସରେ ଭୋକ ହ୍ରାସ କରିବା ଗୁଣ ରହିଛି। ଏହା ଶରୀରରେ ଚର୍ବି କୋଷକୁ ହ୍ରାସ କରିବା ସହିତ ପେଟର ଚର୍ବି ହ୍ରାସ କରିବାରେ ସାହାଯ୍ୟ କରିଥାଏ।

୩- କାଜୁ: ଓଜନ ହ୍ରାସ କରିବା ପାଇଁ ଆପଣ କାଜୁ ମଧ୍ୟ ଖାଇପାରିବେ। କିନ୍ତୁ ଆପଣ କାଜୁ ଖାଇବା ସମୟରେ କେବଳ ସୀମିତ ପରିମାଣରେ ଖାଇବା ଉଚିତ୍। କାଜୁରେ ଅନେକ ମ୍ୟାଗ୍ନେସିୟମ୍ ଥାଏ, ଯାହା ମେଟାବୋଲିଜିମ୍ ଭଲ ରଖେ। ଏହା ସହିତ କାଜୁରେ ପ୍ରୋଟିନ୍ ମଧ୍ୟ ଥାଏ, ଯାହା ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ।

୪- ଚିନା ବାଦାମ: ଚିନା ବାଦାମ ଖାଇବା ଦ୍ଵାରା ଶରୀରରେ କ୍ୟାଲୋରୀ ନଷ୍ଟ ହୋଇଥାଏ। ଚିନା ବାଦାମରେ ମୋନୋସାସୁରେଟେଡ୍ ଫ୍ୟାଟି ଏସିଡ୍ ଏବଂ ପଲିନସୁଚୁରେଟେଡ୍ ଫ୍ୟାଟି ଏସିଡ୍ ଥାଏ, ଯାହା ଶରୀରରେ ମୋଟାପାକୁ ହ୍ରାସ କରିଥାଏ। ଚିନା ବାଦାମ ଖାଇବା ଶରୀରକୁ ଶକ୍ତି ଦେଇଥାଏ ଏବଂ ଓଜନ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରିଥାଏ।

Categories
ଜାତୀୟ ଖବର ବିଶେଷ ଖବର ସଂସ୍କୃତି ସ୍ବାସ୍ଥ୍ୟ

ଅନଲାଇନ୍ ପାଠପଢ଼ା ସମୟରେ କରୋନା ମୁକାବିଲା ପାଇଁ ପିଲାମାନଙ୍କୁ ସାମର୍ଥ୍ୟ ଦେଉଛି ଯୋଗ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ମହାମାରୀ ସତ୍ତ୍ୱେ, ଚଳିତ ବର୍ଷ ଅନ୍ତର୍ଜାତୀୟ ଯୋଗ ଦିବସର ବାର୍ତ୍ତା-“ସୁସ୍ଥତା ପାଇଁ ଯୋଗ” ଜନସାଧାରଣଙ୍କ ମନୋବଳ ବଢ଼ାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ପ୍ରତ୍ୟେକ ରାଷ୍ଟ୍ର, ସମାଜ ଓ ବ୍ୟକ୍ତିବିଶେଷଙ୍କ ସୁସ୍ଥତା ପାଇଁ ପ୍ରାର୍ଥନା କରିବା ସହିତ ଆଶା ବ୍ୟକ୍ତ କରିଛନ୍ତି ଯେ ଆମେ ସମସ୍ତେ ଏକଜୁଟ୍ ହେବା ଏବଂ ପରସ୍ପରର ସାମର୍ଥ୍ୟ ବୃଦ୍ଧି କରିବା। ଆଜି ସେ ସପ୍ତମ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଉଦବୋଧନ ଦେଇଥିଲେ।

ମହାମାରୀ ସମୟରେ ପ୍ରଧାନମନ୍ତ୍ରୀ ଯୋଗର ମହତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ ଯୋଗ ଏହି କଷ୍ଟକର ସମୟରେ ଲୋକମାନଙ୍କ ପାଇଁ ସାମର୍ଥ୍ୟ ଓ ସନ୍ତୁଳନର ଉତ୍ସ ଭାବେ ପ୍ରମାଣିତ ହୋଇଛି। ସେ କହିଥିଲେ ଯେ ମହାମାରୀ ସମୟରେ ବିଭିନ୍ନ ରାଷ୍ଟ୍ର ପାଇଁ ଯୋଗ ଦିବସକୁ ଭୁଲିବା ସହଜ ଥିଲା କାରଣ ଏହା ସେମାନଙ୍କ ସଂସ୍କୃତିର ଏକ ଅନ୍ତରୀଣ ଅଂଶବିଶେଷ ନଥିଲା, ହେଲେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି, ଯୋଗ ପ୍ରତି ବିଶ୍ୱବ୍ୟାପୀ ଉତ୍ସାହ ବୃଦ୍ଧି ପାଇଛି। ବିଶ୍ୱବ୍ୟାପୀ ଦେଖାଦେଇଥିବା ମହାମାରୀ ବିରୋଧରେ ଲଢ଼େଇ ପାଇଁ ଆତ୍ମବିଶ୍ୱାସ ଓ ଦୃଢ଼ତା ହାସଲ କରିବାରେ ଯୋଗ ଜନସାଧାରଣଙ୍କୁ ସହାୟକ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସମ୍ମୁଖ କରୋନା ଯୋଦ୍ଧାମାନେ କିପରି ଯୋଗକୁ ସେମାନଙ୍କର ସୁରକ୍ଷା କବଚରେ ପରିଣତ କରିଛନ୍ତି ଏବଂ ନିଜକୁ ଯୋଗ ମାଧ୍ୟମରେ ଦୃଢ଼ କରିଛନ୍ତି ତାହା ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ। ଭୂତାଣୁର ପ୍ରଭାବକୁ ହ୍ରାସ କରିବା ଦିଗରେ ଜନସାଧାରଣ, ଡାକ୍ତର, ନର୍ସମାନେ ଯୋଗକୁ ମାଧ୍ୟମ କରିଥିବା ପ୍ରଧାନମନ୍ତ୍ରୀ କହିଥିଲେ। ସେ କହିଥିଲେ ଆମର ଶ୍ୱସନ ପ୍ରଣାଳୀକୁ ସୁଦୃଢ଼ କରିବାରେ ପ୍ରାଣାୟମ ଓ ଅନୁଲୋମ-ବିଲୋମ ଭଳି ଶ୍ୱାସକ୍ରିୟା ବ୍ୟାୟାମ ଉପରେ ବିଶେଷଜ୍ଞମାନେ ଗୁରୁତ୍ୱାରୋପ କରୁଛନ୍ତି।

ମହାନ ତାମିଲ ସନ୍ଥ ତିରୁଭଲ୍ଲୁଭରଙ୍କ ଉକ୍ତିକୁ ଉଦ୍ଧାର କରି ପ୍ରଧାନମନ୍ତ୍ରୀ କହିଥିଲେ, ରୋଗର ମୂଳ କାରଣକୁ ଠାବ କରିବାରେ ଯୋଗ ସହାୟତା କରିଥାଏ ଏବଂ ଆରୋଗ୍ୟ ଲାଭ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ସେ ସନ୍ତୋଷ ବ୍ୟକ୍ତ କରି କହିଥିଲେ ଯେ ବିଶ୍ୱସ୍ତରରେ ଯୋଗର ଆରୋଗ୍ୟ ଗୁଣ ଉପରେ ଗବେଷଣା କରାଯାଉଛି। ଯୋଗ ଜରିଆରେ ରୋଗ ପ୍ରତିଷେଧକ ଶକ୍ତି ଉପରେ ଅଧ୍ୟୟନ କରାଯାଉଛି ଏବଂ ପିଲାମାନେ ସେମାନଙ୍କର ଅନଲାଇନ୍ ପାଠପଢ଼ା ସମୟରେ ଯୋଗ କରୁଥିବା ସେ ଉଲ୍ଲେଖ କରିଥିଲେ। ସେ କହିଥିଲେ ଯେ ଯୋଗ ପିଲାମାନଙ୍କୁ କରୋନା ବିରୋଧରେ ଲଢ଼େଇ ପାଇଁ ପ୍ରସ୍ତୁତ କରୁଛି।

ପ୍ରଧାନମନ୍ତ୍ରୀ ଯୋଗର ସାମଗ୍ରିକ ପ୍ରକୃତି ଉପରେ ଜୋର ଦେଇଥିଲେ ଏବଂ କହିଥିଲେ ଯେ ଏହା ଉଭୟ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟର ଯତ୍ନ ନେଇଥାଏ। ଯୋଗ ଆମର ଆନ୍ତରିକ ସାମର୍ଥ୍ୟ ସହିତ ଯୋଡ଼ି ହେବାରେ ସହାୟକ ହୋଇଥାଏ ଏବଂ ଆମକୁ ସମସ୍ତ ପ୍ରକାରର ନକାରାତ୍ମକତା ଠାରୁ ଦୂରେଇ ରଖିଥାଏ। ଯୋଗର ସକାରାତ୍ମକତା ଉପରେ ଜୋର ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ “ଯୋଗ ଭିନ୍ନତାରୁ ଏକତା ଦିଗରେ ଆଗେଇ ନେଇଥାଏ। ଏହା ଆତ୍ମାନୁଭୂତିର ଏକ ପ୍ରମାଣିକ ମାର୍ଗ, ଏକତାର ଏକ ଅନୁଭବ।” ସେ କହିଥିଲେ ଯେ ଏହି ପରିପ୍ରେକ୍ଷୀରେ ଗୁରୁଦେବ ରବୀନ୍ଦ୍ର ନାଥ ଠାକୁରଙ୍କ ଏକ ଉକ୍ତି ବେଶ ପ୍ରାସଙ୍ଗିକ : “ସ୍ଵୟଂର ଅର୍ଥ ଈଶ୍ୱର ଏବଂ ଅନ୍ୟମାନଙ୍କ ଠାରୁ ଅଲଗା ହେବା ନୁହେଁ, ବରଂ ଏହା ଯୋଗର ଅସୀମ ଅନୁଭବ, ଏକାତ୍ମର ବିଶାଳତା ମଧ୍ୟରେ ନିହୀତ ରହିଛି।”

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯୁଗ ଯୁଗ ଧରି ଭାରତ ‘ବସୁଧୈବ କୁଟୁମ୍ବକମ’ ମନ୍ତ୍ର ପାଳନ କରି ଆସିଛି, ଯାହା ଆଜି ସାରା ବିଶ୍ୱରେ ସ୍ଵୀକୃତି ଲାଭ କରିଛି। ଆମେ ସମସ୍ତେ ପରସ୍ପରର ସୁସ୍ଥତା କାମନା କରୁଛୁ। ମାନବତା ବିରୋଧରେ ବିପଦ ସୃଷ୍ଟି ହେଲେ ଯୋଗ ଆମକୁ ସାମଗ୍ରିକ ସ୍ଵାସ୍ଥ୍ୟ ପ୍ରଦାନ କରିଥାଏ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଥିଲେ ଯେ “ଯୋଗ ଆମକୁ ଆନନ୍ଦପୂର୍ଣ୍ଣ ଜୀବନ ନିର୍ବାହ କରିବାର ମାର୍ଗ ପ୍ରଦର୍ଶିତ କରିଥାଏ। ମୋର ଭରସା ରହିଛି ଯେ ଯୋଗ ଜନମାନସର ସ୍ଵାସ୍ଥ୍ୟ ଲାଗି ରୋଗ ନିରାକରଣ ସହିତ ଜନସ୍ଵାସ୍ଥ୍ୟ ସେବା କ୍ଷେତ୍ରରେ ଏକ ସକାରାତ୍ମକ ଭୂମିକା ନିର୍ବାହ କରିବ।”

ପ୍ରଧାନମନ୍ତ୍ରୀ ଏହି ଅବସରରେ ଘୋଷଣା କରିଥିଲେ ଯେ ବିଶ୍ୱ ସ୍ଵାସ୍ଥ୍ୟ ସଂଗଠନ ପକ୍ଷରୁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ବିଶ୍ୱକୁ ଏମ-ଯୋଗ ଆପ୍ ମିଳିବ। ଏଥିରେ ଯୋଗାଭ୍ୟାସ ଉପରେ ଅନେକ ଭିଡିଓ ରହିଛି, ଯାହା ବହୁ ଭାଷାରେ ଉପଲବ୍ଧ ହେବ। ଏସବୁ ଭିଡିଓ ସାଧାରଣ ଯୋଗ ଅଭ୍ୟାସ ଉପରେ ଆଧାରିତ। ଏହି ପ୍ରୟାସକୁ ଆଧୁନିକ ପ୍ରଯୁକ୍ତି ଏବଂ ପ୍ରାଚୀନ ବିଜ୍ଞାନର ମହାନ ସଂଗମ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଆଶା ବ୍ୟକ୍ତ କରିଥିଲେ ଯେ ଏମ-ଯୋଗ ଆପ୍ ଦ୍ୱାରା ସାରା ବିଶ୍ୱରେ ଯୋଗର ପ୍ରସାରରେ ସହାୟତା ମିଳିପାରିବ ତଥା ଏହା ମାଧ୍ୟମରେ “ଏକ ବିଶ୍ୱ ଏକ ସ୍ଵାସ୍ଥ୍ୟ’ ପ୍ରୟାସକୁ ମଧ୍ୟ ବଳ ମିଳିବ।

ପ୍ରଧାନମନ୍ତ୍ରୀ ଭଗବତ୍ ଗୀତାର ଉଦାହାରଣ ଦେଇ କହିଥିଲେ ଯେ ଆମ ସମସ୍ତଙ୍କୁ ଯୋଗର ସମ୍ମିଳିତ ଯାତ୍ରାରେ ଆଗେଇବାକୁ ହେବ କାରଣ ଯୋଗ ନିକଟରେ ସମସ୍ତଙ୍କ ପାଇଁ ସମାଧାନର ସୂତ୍ର ରହିଛି। ଯୋଗ ଏହାର ମୂଳ ଆଦର୍ଶକୁ ବଜାୟ ରଖି ସମସ୍ତଙ୍କ ନିକଟରେ ପହଞ୍ଚିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସମସ୍ତଙ୍କ ନିକଟରେ ଯୋଗକୁ ପହଞ୍ଚାଇବାରେ ଯୋଗଦାନ ଦେବା ଯୋଗ ଗୁରୁ ଏବଂ ଆମ ସମସ୍ତଙ୍କର ଦାୟିତ୍ୱ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

‘ସୋଆ’ର ସର୍ଭେ: ଯୋଗକୁ ଗୁରୁତ୍ୱ ଦେଉନାହାନ୍ତି ରାଜଧାନୀବାସୀ

ଭୁବନେଶ୍ୱର: ସାରା ବିଶ୍ୱରେ ବର୍ତ୍ତମାନ ଯୋଗକୁ ଗୁରୁତ୍ୱ ଦିଆ ଯାଉଥିବା ବେଳେ ଏହା ସାହାଯ୍ୟରେ ସବୁ ବୟସର ବ୍ୟକ୍ତି ବିଶେଷଙ୍କୁ ବିଭିନ୍ନ ରୋଗରୁ ଦୁରେଇ ରଖିବା ନିମନ୍ତେ ଭାରତରେ ଚିନ୍ତା କରାଯାଉଛି। ଏହାସତ୍ତ୍ୱେ ସହରାଂଚଳ ବାସୀଙ୍କ ମଧ୍ୟରେ ଏହି ଅଭ୍ୟାସ ଆଦୃତ ହୋଇ ପାରି ନାହିଁ ବୋଲି ଏକ ସର୍ଭେରୁ ଜଣା ପଡିଛି।

ଭୁବନେଶ୍ୱରରେ ମାତ୍ର ୧୭ ପ୍ରତିଶତ ଲୋକ ‘ଆସନ’, ‘ପ୍ରାଣାୟାମ ‘ ବା ‘ଧ୍ୟାନ’ କରୁଥିବା ବେଳେ ୧୦.୭ ପ୍ରତିଶତ ଲୋକ ଯୋଗର ବିଭିନ୍ନ ଅଭ୍ୟାସ କରିଥାନ୍ତି ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସେସ ଆଣ୍ଡ ସମ ହସ୍ପିଟାଲର କମ୍ୟୁନିଟି ମେଡ଼ିସିନ ବିଭାଗ ପକ୍ଷରୁ କରାଯାଇଥିବା ସର୍ଭେରୁ ଜଣାପଡିଛି।
ଡ଼ଃ ସତ୍ୟଜିତ ମହାନ୍ତି, ଡ଼ଃ ସନ୍ଦୀପ କୁମାର ପାଣିଗ୍ରାହୀ ଓ ଡ଼ଃ ଜ୍ୟୋତି ରଞ୍ଜନ ସାହୁଙ୍କ ଦ୍ଵାରା ଭୁବନେଶ୍ୱରର ୧୨୦୦ ରୁ ଅଧିକ ଲୋକଙ୍କୁ ନେଇ ଏହି ସାମ୍ପଲ ଷ୍ଟଡି କରାଯାଇଛି।

ନିକଟରେ ଭାରତର ବିଭିନ୍ନ ରାଜ୍ୟ ର ରାଜଧାନୀ ଗୁଡ଼ିକ ମଧ୍ୟରେ ଭୁବନେଶ୍ଵର ଶ୍ରେଷ୍ଠ ୪ଟି ବାସପଯୋଗୀ ସହର ମଧ୍ୟରେ ସ୍ଥାନିତ ହୋଇଛି।

ଏହି ସର୍ଭେରୁ ଜଣାପଡିଛି ଯେ ପୁରୁଷ ମାନଙ୍କ ଅପେକ୍ଷା ଭୁବନେଶ୍ୱରରେ ମହିଳା ମାନେ ଅଧିକ ସଂଖ୍ୟାରେ ଯୋଗାଭ୍ୟାସ କରୁଛନ୍ତି। ତେବେ ଅଧିକ ଶିକ୍ଷାଗତ ଯୋଗ୍ୟତା ଥିବା ଲୋକମାନେ ଯୋଗାଭ୍ୟାସ କୁ ଗ୍ରହଣ କରିବା ନିମନ୍ତେ ଅଧିକ ଆଗ୍ରହୀ ବୋଲି କହିଛନ୍ତି କମ୍ୟୁନିଟି ମେଡ଼ିସିନ ବିଭାଗର ପ୍ରଫେସର ଇ. ଭେଙ୍କଟ ରାଓ।

ଯୋଗର ଗ୍ରହଣୀୟତା କ୍ଷେତ୍ରରେ ଭାରତରେ ଏହା ଦ୍ଵିତୀୟ ସର୍ଭେ ବୋଲି ପ୍ରଫେସର ରାଓ ସୂଚନା ଦେଇ ପୂର୍ବ ସର୍ଭେ ଅନୁଯାୟୀ ପୂର୍ବ ଭାରତର ସହରାଞ୍ଚଳରେ ବାସ କରୁଥିବା ଲୋକଙ୍କ ମଧ୍ୟରୁ ମାତ୍ର ୫.୩ ପ୍ରତିଶତ ଯୋଗକୁ ଗୁରୁତ୍ୱ ଦେଉଥିବା ଜଣା ପଡିଥିଲା ବୋଲି କହିଛନ୍ତି।

ସଦ୍ୟତମ ସର୍ଭେରୁ ଜଣାପଡିଛି ଯେ ଉଚ୍ଚ ସାମାଜିକ ଓ ଅର୍ଥନୈତିକ ବର୍ଗର ବ୍ୟକ୍ତି ମାନେ ଯୋଗାଭ୍ୟାସ ନିମନ୍ତେ ବିଶେଷ ଆଗ୍ରହ ଦେଖାଉ ନାହାନ୍ତି। ତେବେ ଯେଉଁମାନେ ଯୋଗ କରୁଛନ୍ତି ସେମାନେ ଶାରୀରିକ ଭାବେ ସୁସ୍ଥ ଅଛନ୍ତି ଏବଂ ଭୁବନେଶ୍ବରରେ ୪୯ ପ୍ରତିଶତ ଡାକ୍ତର ତାଙ୍କ ରୋଗୀ ମାନଙ୍କୁ ଶାରୀରିକ ବ୍ୟାୟାମ ଭାବେ ଯୋଗାଭ୍ୟାସ କରିବାକୁ ପରାମର୍ଶ ଦେଉଛନ୍ତି।

ବୈଦିକ ଯୁଗରେ ଯୋଗର ଉତ୍ପତି ହୋଇଥିବା ବେଳେ ୨୦୧୫ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତିସଂଘରେ ସୁସ୍ଥତା ଓ ଜନକଲ୍ୟାଣ ନିମନ୍ତେ ଯୋଗର ଉପଯୋଗୀତା ଉପରେ ଗୁରୁତ୍ୱାରୋପ କରିବା ପରେ ସାରା ବିଶ୍ୱରେ ଏହା ପରିବ୍ୟାପ୍ତ ହୋଇଥିଲା। ଏହା ଛଡ଼ା ଜୁନ ୨୧ ତାରିଖକୁ ବିଶ୍ୱ ଯୋଗ ଦିବସ ଭାବେ ପାଳନ କରାଯାଉଛି।

‘ଫିଟ ଇଣ୍ଡିଆ’ କାର୍ଯ୍ୟକ୍ରମରେ ଯୋଗ କୁ ଅନ୍ୟତମ ଶାରୀରିକ ଅଭ୍ୟାସ ଭାବେ ଉଦ୍ଦିଷ୍ଟ କରାଯାଇଛି।

କୋଭିଡ ମହାମାରୀ ସାରା ମାନବ ସମାଜକୁ ସ୍ତବ୍ଧ କରିରଖିଥିବା ବେଳେ କୋଭିଡ ପରବର୍ତ୍ତୀ ଚିକିତ୍ସାରେ ଯୋଗର ଏକ ପ୍ରମୁଖ ଭୂମିକା ରହୁଛି ଏବଂ ଏ ଦିଗରେ ସଚେତନତାର ଆବଶ୍ୟକତା ରହିଛି।

ଆଠଟି ଯୋଗାଭ୍ୟାସ ମଧ୍ୟରୁ ଆସନ, ପ୍ରାଣାୟାମ ଏବଂ ଧ୍ୟାନ ଯୋଗର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଅଭ୍ୟାସ ହୋଇଥିବା ବେଳେ ଅନେକ କ୍ଷେତ୍ରରେ କେବଳ ଆସନ କୁ ହିଁ ଯୋଗ ଭାବେ ଗଣା ଯାଉଛି। ତେବେ ଯୋଗାଭ୍ୟାସ ମଣିଷର ଉଭୟ ଶରୀର ଓ ମନ ଉପରେ ପ୍ରଭାବ ପକାଉ ଥିବା ସ୍ପଷ୍ଟ। ଉଚ୍ଚ ରକ୍ତ ଚାପ, ମଧୁମେହ, ବିଭିନ୍ନ ଯକୃତ ଜନିତ ସମସ୍ୟା, ଆଣ୍ଠୁଗଣ୍ଠି ସମସ୍ୟା, ଅଣ୍ଟା ଯନ୍ତ୍ରଣା, ଏବଂ ମାନସିକ ସମସ୍ୟାର ଉପଚାର ନିମନ୍ତେ ମଧ୍ୟ ଯୋଗ ଏକ ପ୍ରକୃଷ୍ଟ ମାଧ୍ୟମ।

ଗୁରୁତର ସ୍ୱାସ୍ଥ୍ୟ ସମସ୍ୟାରୁ ସୁସ୍ଥ ହେବା ନିମନ୍ତେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ପ୍ରତ୍ୟେକ ଦିନ ୩୦ ମିନିଟ ର ବ୍ୟାୟ।ମ ନିମନ୍ତେ ପରାମର୍ଶ ଦିଆଯାଇଥିବା ବେଳେ ଯୋଗ ଏକ ଉତ୍କୃଷ୍ଟ ମାଧ୍ୟମ ବୋଲି ଏହି ରିପୋର୍ଟ ରେ ଉଲ୍ଲେଖ କରାଯାଇଛି।