Categories
ଆଜିର ଖବର ରାଜ୍ୟ ଖବର

ମହିଳାମାନଙ୍କ ନିକଟରେ ସବୁ ପ୍ରକାର ଦାୟିତ୍ୱ ସମ୍ଭାଳିବାର ଦକ୍ଷତା ରହିଛି: ରଞ୍ଜନା ଚୋପ୍ରା

ଭୁବନେଶ୍ୱର: ଯେକୌଣସି ଦାୟିତ୍ୱକୁ ସମ୍ଭାଳିବାର ଦକ୍ଷତା ଓ ସାମର୍ଥ୍ୟ ମହିଳାମାନଙ୍କର ରହିଛି ଏବଂ ସେମାନେ ଏହାକୁ ସୁଚାରୁରୂପେ ସଂପାଦନ କରିପାରିଥାନ୍ତି। ଏଭଳି ମତ ରଖିଛନ୍ତି ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ପ୍ରମୁଖ ସଚିବ ରଞ୍ଜନା ଚୋପ୍ରା।

ଶିକ୍ଷା ଓ ଅନୁସନ୍ଧା (ସୋଆ) ପକ୍ଷରୁ ମଙ୍ଗଳବାର ଆୟୋଜିତ ଦୁଇ ଦିନିଆ ଫ୍ୟାକଲ୍ଟି ଡେଭଲପ୍‌ମେଂଟ ପ୍ରୋଗ୍ରାମରେ ଏହା ପ୍ରକାଶ କରିଛନ୍ତି ଶ୍ରୀମତି ଚୋପ୍ରା। ସେ ନାରୀ ହେଉ କିମ୍ବା ପୁରୁଷ ସବୁ ମଣିଷଙ୍କ ନିକଟରେ ଆତ୍ମବିଶ୍ୱାସ ରହିବା ନିତାନ୍ତ ଆବଶ୍ୟକ ବୋଲି ଆନ୍ତର୍ଜାତିକ ମହିଳା ଦିବସ ପରିପ୍ରେକ୍ଷୀରେ ଆୟୋଜିତ ଏହି ଭର୍ଚୁଆଲ୍ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀମତି ଚୋପ୍ରା ଏହା କହିଛନ୍ତି।

ବର୍ତ୍ତମାନ ସମୟରେ ମହିଳାମାନେ ମଧ୍ୟ ପୁରୁଷ ମାନଙ୍କ ଭଳି ଏକ ସାଂଗରେ ଅନେକ ଗୁଡିଏ କାର୍ଯ୍ୟ ତୁଲାଇବାରେ ସକ୍ଷମ। ତେଣୁ ଲିଙ୍ଗଗତ ବୈଷମ୍ୟତା ରଖି ସେମାନଙ୍କୁ ଦାୟିତ୍ୱ ପ୍ରଦାନ କରିବା ଉଚିତ୍ ନୁହେଁ ବୋଲି ଲଘୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ବିଭାଗର ଦାୟିତ୍ୱ ତୁଲାଉଥିବା ଶ୍ରୀମତି ଚୋପ୍ରା କହିଛନ୍ତି।

ନିଜର ପାରଦର୍ଶିତା ଦେଖାଇବା ପାଇଁ ସେଭଳି ଦକ୍ଷତା ରଖିବା ସହ କାର୍ଯ୍ୟ କରିବା ମଧ୍ୟ ଆବଶ୍ୟକ ବୋଲି କହିବା ସହ ଉଭୟ ପରିବାର ଓ ସାମାଜିକ ସ୍ତରରେ ସ୍ତ୍ରୀ ଓ ପୁରୁଷ ଉଭୟଙ୍କର ସମାନ ଅବଦାନ ରହିବା ଆବଶ୍ୟକ ବୋଲି ସେ କହିଛନ୍ତି।

କାର୍ଯ୍ୟକ୍ରମର ଦ୍ୱିତୀୟ ଦିନରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଉପସଭାପତି ଶାଶ୍ୱତୀ ଦାସ ଯୋଗ ଦେଇ କହିଥିଲେ ଯେ ମହିଳାମାନେ ଜୀବନରେ ଅନେକ ଭୂମିକା ତୁଲାଇଥାନ୍ତି ଏବଂ ପ୍ରାୟ ସବୁ କ୍ଷେତ୍ରରେ ସେମାନେ ସଫଳତା ଅର୍ଜନ କରିଥାନ୍ତି। ହ୍ୟୁମାନିଟିଜ୍ ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ନେଇ ଶ୍ରୀମତି ଦାସ ସନ୍ତୋଷ ପ୍ରକାଶ କରିଥିଲେ।

ଏହି କାର୍ଯ୍ୟକ୍ରମର ପ୍ରଥମ ଦିନରେ ୟୁଏସ୍‌ଏର ମିଚିଗାନ୍ ସ୍ଥିତ ସଗିନ ଭ୍ୟାଲି ଷ୍ଟେଟ୍ ୟୁନିଭର୍ସିଟିର ଇଂରାଜୀ ବିଭାଗର ଆସୋସିଏଟ୍‌ ପ୍ରଫେସର ନାତାଲିଆ ନୋବ୍‌ଲକ୍ ଯୋଗ ଦେଇ ନିବନ୍ଧ ଗୁଡ଼ିକ କିପରି ଉଚିତ ଜର୍ଣ୍ଣାଲ୍‌ରେ ପ୍ରକାଶ କରି ହେବ ସେ ସମ୍ପର୍କରେ ମତ ରଖିଥିଲେ।

ଏହି ଅବସରରେ ଟିଭି ସାମ୍ବାଦିକା ରୁପଶ୍ରୀ ନନ୍ଦ, ରୋଜିସ୍ କିଚେନ୍‌ର ମୁଖ୍ୟ ଶ୍ରୀମତି ସରୋଜା ଚୌଧୁରୀ ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମର ଦ୍ୱିତୀୟ ଦିନରେ ସମ୍ମାନିତ ଅତିଥି ଭାବେ ଷ୍ଟେଟ୍ ୟୁନିଭର୍ସିଟି ଅଫ୍ ବେଲାରୁଷର କଲଚରାଲ୍ ଷ୍ଟଡିଜ୍ ଏବଂ ଲିଙ୍ଗ୍ୟୁଷ୍ଟିକ୍‌ସ ବିଭାଗର ମୁଖ୍ୟ ପ୍ରଫେସର ଇନେସା କ୍ରିଷ୍ଟୋପ୍ ଯୋଗ ଦେଇଥିବା ବେଳେ କିନ୍ନର ସମାଜ ପକ୍ଷରୁ ସ୍ୱିଟି ସାହୁ ନିଜ ସମାଜର ଗରୀବ ଏବଂ ଅଭାବୀମାନଙ୍କର ଅବସ୍ଥା ସମ୍ପର୍କରେ ଚିନ୍ତା ପ୍ରକଟ କରିବା ସହ ତାଙ୍କ ଏନ୍‌ଜିଓ ସଖୀ ମାଧ୍ୟମରେ କିଭଳି ଏମାନଙ୍କର ଉନ୍ନତି ନେଇ କାର୍ଯ୍ୟ କରୁଛନ୍ତି ସେ ବିଷୟରେ ସୂଚନା ଦେଇଥିଲେ । ରେଡିଓ ଜକି ଶ୍ରୀମତି ରିତୁପର୍ଣ୍ଣା ଏବଂ ଗୃହିଣୀ ଶ୍ରୀମତି ଶୁଭଶ୍ରୀ ସମାଜରେ ମହିଳାମାନଙ୍କର ଅବଦାନ ନେଇ ମତ ରଖିଥିଲେ।

ସୋଆ ପରିଚାଳିତ ଆଇଟିଇଆର୍ ଅଧିନସ୍ଥ ହ୍ୟୁମାନିଟିଜ୍ ବିଭାଗର ଆସୋସିଏଟ୍ ପ୍ରଫେସର ତଥା କାର୍ଯ୍ୟକ୍ରମର ସଂଯୋଜିକା ଡକ୍ଟର ସ୍ୱଂୟପ୍ରଭା ଶତପଥୀ ଅତିଥି ମାନଙ୍କୁ ସ୍ୱାଗତ କରିଥିବା ବେଳେ ଡକ୍ଟର ଶିବାନୀ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ଜଙ୍ଗଲ ଅଧିକାର ଆଇନ୍‌ ସେଲ୍‌ରେ ନିଯୁକ୍ତ କର୍ମଚାରୀଙ୍କ ପାଇଁ ଦକ୍ଷତା ବିକାଶ ତାଲିମ ଦେବାକୁ ନିଷ୍ପତି

ଭୁବନେଶ୍ୱର, ଜଙ୍ଗଲ ଅଧିକାର ଆଇନର ବିଧିବଦ୍ଧ କାର୍ଯ୍ୟକାରିତା ତଥା ଅଗ୍ରଗତି ନିମନ୍ତେ ଓଡ଼ିଶା ସରକାରଙ୍କ ଅନୁମୋଦନ କ୍ରମେ ରାଜ୍ୟର ଜନଜାତି ଅଧ୍ୟୁଷିତ ଜିଲ୍ଲାମାନଙ୍କରେ ୧୬୦ଟି ଏଫ୍‌.ଆର୍‌.ଏ ସେଲ୍‌ ଗଠନ କରାଯାଇ କାର୍ଯ୍ୟକାରୀ କରାଯାଇଛି । ଏହି ସେଲ୍‌ମାନଙ୍କରେ ନିଯୁକ୍ତ କର୍ମଚାରୀମାନଙ୍କର ଦକ୍ଷତା ବୃଦ୍ଧି ଉଦ୍ଦେଶ୍ୟରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ତାଲିମ ପ୍ରତିଷ୍ଠାନ ଦ୍ୱାରା ଆୟୋଜିତ ଏକ ଦୁଇଦିନିଆ ତାଲିମ କାର୍ଯ୍ୟକ୍ରମ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଶ୍ରୀମତୀ ରଞ୍ଜନା ଚୋପ୍ରାଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି ।

ପ୍ରାରମ୍ଭରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ତାଲିମ୍‌ ପ୍ରତିଷ୍ଠାନର ଉପଦେଷ୍ଟା ତଥା ନିର୍ଦ୍ଦେଶକ ପ୍ରଫେସର ଡ. ଅଖିଳ ବିହାରୀ ଓତା ସ୍ୱାଗତ ସମ୍ଭାଷଣ ଦେବା ସହିତ ୧୬୦ ଏଫ୍‌.ଆର୍‌.ଏ ସେଲ୍‌ ସଂପର୍କିତ ସୂଚନା ପ୍ରଦାନ କରିଥିଲେ । ଜଙ୍ଗଲ ଅଧିକାର
ଆଇନ୍‌ର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ଆଧାରରେ ଏହାର ସୁଫଳ କିପରି ଜନଜାତି ସମୁଦାୟକୁ ମିଳିପାରିବ ଓ ଏହି ଆଇନକୁ କାର୍ଯ୍ୟକାରୀ କରାଯିବା ଦିଗରେ ଯେପରି କୌଣସି ହିତାଧିକାରୀ ଛାଡ଼ି ହୋଇ ନଯିବେ ସେ ଦିଗରେ ଏଫ୍‌.ଆର୍‌.ଏ ସେଲ୍‌ଗୁଡ଼ିକ ଉଲ୍ଲେଖନୀୟ
ଭୂମିକା ସଂପାଦନ କରିବେ ବୋଲି ସେ ଆଶା ବ୍ୟକ୍ତ କରିଥିଲେ ।

ଓଡ଼ିଶା ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଶ୍ରୀମତୀ ରଞ୍ଜନା ଚୋପ୍ରା ନିଜର ଅଭିଭାଷଣରେ କହିଥିଲେ ଯେ ଜଙ୍ଗଲ ଅଧିକାର ଆଇନର ଫଳପ୍ରଦ କାର୍ଯ୍ୟକାରିତା ଦିଗରେ ଏଫ୍‌.ଆର୍‌.ଏ ସେଲ୍‌ କର୍ମଚାରୀଙ୍କର ବହୁତ ବଡ଼ ଭୂମିକା ରହିଛି ଓ ଓଡ଼ିଶା ସରକାର ସେମାନଙ୍କ ଉପରେ ଆସ୍ଥା ପ୍ରକଟ କରୁଛନ୍ତି । ଏହି
ଦିଗରେ ଉପଯୁକ୍ତ ତଥ୍ୟ ସଂଗ୍ରହ ଓ ପରିଚାଳନା, ଦାବିଗୁଡ଼ିକର ତ୍ୱରିତ ପ୍ରକ୍ରିୟାକରଣ ଓ ସେ ସଂକ୍ରାନ୍ତୀୟ କାର୍ଯ୍ୟଗୁଡ଼ିକୁ ସମୟାନୁବର୍ତ୍ତିତା ଭିତ୍ତିରେ ସଂପାଦନା କରିବା ଦିଗରେ ସେଲ୍‌ର କର୍ମଚାରୀମାନେ ପ୍ରଚେଷ୍ଟା ଜାରି ରଖିବେ ବୋଲି ଆଶା ରଖି ସେମାନଙ୍କର ସଫଳତା କାମନା କରିଥିଲେ ।

ଏହି ତାଲିମ କାର୍ଯ୍ୟକ୍ରମରେ ବୈଷୟିକ ଦିଗଗୁଡ଼ିକ ଉପରେ ଆଲୋଚନା କରାଯାଇଥିଲା । ୱାଇ.ଗିରି ରାଓ, ତୁଷାର ଦାସ, ରାଜକିଶୋର ଦାସ ପ୍ରମୁଖ ଏହି ତାଲିମ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ଓ ବିଭିନ୍ନ ପ୍ରସଙ୍ଗରେ ଉପସ୍ଥାପନା ଦେଇଥିଲେ । ଏହି ତାଲିମ
କାର୍ଯ୍ୟକ୍ରମକୁ ଶେତ୍ବା ମିଶ୍ର ପରିଚାଳନା କରିଥିଲେ ।