ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଅନୁଷ୍ଠିତ ହେବାକୁ ଯାଉଛି ପବିତ୍ର ରଥଯାତ୍ରା। ବାଣପୁର ସ୍ଥିତ ରଙ୍କନାଥ ଦେବ ଏବଂ ଚରଣ ଚକାଦେବଙ୍କ ପିଠରେ ଅନୁଷ୍ଠିତ ହେବ ରଥଯାତ୍ରା। ଏଥି ନିମନ୍ତେ ଆଜି ଏକ ପ୍ରସ୍ତୁତି ବୈଠକ ବାଣପୁର ଏନଏସି ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ହେବାକୁ ଥିବା ବେଳେ ଶେଷ ମୁହୂର୍ତ୍ତରେ ତାହା ବାତିଲ ହୋଇଥିବା ଜଣାପଡିଛି।
ବାଣପୁର ଏନଏସି କାର୍ଯ୍ୟାଳୟ ପତ୍ର ସଂଖ୍ୟା ୧୨୯୩/୨୭.୦୬.୨୪ ରେ ଆଜି ରଥଯାତ୍ରା ପାଇଁ ପ୍ରଥମ ସମନ୍ୱୟ ବୈଠକ ଦିବା ୧୧.୩୦ ଘଟିକାରେ ଏନଏସି କାର୍ଯ୍ୟାଳୟ ସଭାଗୃହରେ ଅନୁଷ୍ଠିତ ହେବ ବୋଲି ଏନଏସି କାର୍ଯ୍ୟନିର୍ବାହୀ ଅଧିକାରିଣୀ କାଦମ୍ବିନୀ ଜେନାଙ୍କ ଜରିଆରେ ବିଭିନ୍ନ ପ୍ରଶାସନିକ ଅଧିକାରୀ, ବ୍ୟବସାୟୀ ସଂଘ, ଗଣମାଧ୍ୟମ ପ୍ରତିନିଧି ଏବଂ ଉଭୟ ମନ୍ଦିର କମିଟି ସଭାପତିଙ୍କୁ ନିମନ୍ତ୍ରଣ କରାଯାଇଥିଲା। ଏହାର ଏକ ନକଲ ଏନଏସି ଅଧ୍ୟକ୍ଷ, ଉପାଧ୍ୟକ୍ଷ, ସମସ୍ତ କାଉନସିଲର ଏବଂ ଖୋର୍ଦ୍ଧା ଉପଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା।
ତେବେ ଶେଷ ମୁହୂର୍ତ୍ତରେ ଉକ୍ତ ବୈଠକ ବାତିଲ ହୋଇଥିବା ଦେଖିବାକୁ ମିଳିଛି। ପ୍ରଶାସନ ପକ୍ଷରୁ ଉକ୍ତ ବୈଠକରେ କେବଳ ଅଗ୍ନିଶମ ଅଧିକାରୀ ଯୋଗଦେବାକୁ ଆସିଥିବାବେଳେ ଅନ୍ୟ କେଉଁ ଅଧିକାରୀ ଯୋଗଦେଇନଥିଲେ।
ଅନୁରୂପଭାବେ ଏକାଧିକ ବ୍ୟବସାୟୀ ସଂଘର କର୍ମକର୍ତ୍ତା ଏବଂ ଉଭୟ ମନ୍ଦିର ପ୍ରଶାସନର କର୍ମକର୍ତ୍ତାମାନେ ମଧ୍ୟ ବୈଠକରେ ସାମିଲ ହେବା ପାଇଁ ଏନଏସି କାର୍ଯ୍ୟାଳୟକୁ ଆସିଥିଲେ। ତେବେ ହଠାତ କାହିଁକି ବୈଠକକୁ ଶେଷ ମୁହୂର୍ତ୍ତରେ ସ୍ଥଗିତ ରଖାଗଲା, ତାହାର କୌଣସି କାରଣ ଜଣାପଡିନାହିଁ।
ସେପଟେ ବିଶେଷ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଉକ୍ତ ରଥଯାତ୍ରା ବୈଠକରେ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରିଣୀ ସ୍ଥାନୀୟ ଚିଲିକା ବିଧାୟକ ତଥା ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ନିମନ୍ତ୍ରଣ କରିନଥିଲେ। ଯାହାକୁ ନେଇ ବିଭିନ୍ନ ମହଲରେ କାର୍ଯ୍ୟନିର୍ବାହୀ ଅଧିକାରିଣୀଙ୍କ ଉକ୍ତ କାର୍ଯ୍ୟକୁ ଦୃଢ଼ ନିନ୍ଦା କରାଯାଇଛି ଏବଂ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଯାଇଛି।
ଏ ନେଇ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରିଣୀ ଏବଂ ଖୋର୍ଦ୍ଧା ଉପ ଜିଲ୍ଲାପାଳଙ୍କୁ ଯୋଗାଯୋଗ କରାଯାଇଥିଲେ ସୁଦ୍ଧା ତାହା ସମ୍ଭବ ହୋଇପାରିନାହିଁ।