Categories
ଆଜିର ଖବର

ଏବେ ବି ରଥଯାତ୍ରା ହେବ ବୋଲି ଆମେ ଆଶା ରଖିଛୁ, କହିଲେ ଗଜପତି ଦିବ୍ୟସିଂହ ଦେବ

ପୁରୀ,  ରଥଯାତ୍ରା ହେବ ବୋଲି ଆମେ ବର୍ତ୍ତମାନ ସୁଦ୍ଧା ଆଶା ରଖିଛୁ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ରିଭ୍ୟୁ ପିଟିସନ ଦାଖଲ ହୋଇଛି। ସୋମବାର ଦିନ କୋର୍ଟ ଏହା ଉପରେ କିଛି ପୁନଃବିଚାର କରିପାରନ୍ତି ବୋଲି କହିଛନ୍ତି ଗଜପତି ଦିବ୍ୟସିଂହ ଦେବ। ଆଜି ପ୍ରାୟ ସାଢେ ତିନି ଘଣ୍ଟା ଧରି ଛତିଶା ନିଯୋଗ ବୈଠକ ପରେ ଗଜପତି ଏହା କହିଛନ୍ତି। ଏଥିସହିତ ସେ ଆହୁରି କହିଛନ୍ତି ଯେ, ସରକାର ଏହାର ପୁନଃବିଚାର ପାଇଁ ପକ୍ଷ ରଖନ୍ତୁ। ବିଭିନ୍ନ ଅନୁଷ୍ଠାନ ତରଫରୁ ପିଟିସନ ଦାଖଲ କରାଯାଇଛି। ଶନି ଓ ରବିବାର ଛୁଟି ଥିବାରୁ ସୋମବାର ଦିନ କୋର୍ଟ ତାଙ୍କ ରାୟକୁ ସଂଶୋଧନ କରିପାରନ୍ତି ବୋଲି ଗଜପତି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ସୁପ୍ରିମକୋର୍ଟରେ ଯେପରି ରଥଯାତ୍ରା ନେଇ ତଥ୍ୟ ଉପସ୍ଥାପନା କରାଗଲା ତାହା ଠିକ ନ ଥିଲା ବୋଲି ଗଜପତି କହିଛନ୍ତି। ରଥଯାତ୍ରା ବେଳେ 10 ରୁ 12 ଲକ୍ଷ ଭକ୍ତ ଯୋଗଦେବେ ବୋଲି କହିବା ଭୁଲ ଥିଲା। ଏଥର ରଥଯାତ୍ରା ବିନା ଭକ୍ତର କରାଯାଉ ବୋଲି କେହି ବି ଯୁକ୍ତି କଲେ ନାହିଁ। ଫଳରେ କୋର୍ଟ ରଥଯାତ୍ରା ବନ୍ଦ କରାଯାଉ ବୋଲି ରାୟ ଶୁଣାଇ ଦେଲେ। ତେବେ ମନ୍ଦିର ପରିସରରେ କିପରି ରଥଯାତ୍ରା ହେବ ସେ ନେଇ ବର୍ତ୍ତମାନ ସୁଦ୍ଧା ଆଲୋଚନା ଚାଲିଛି। ତଥାପି ଆମେ ସୋମବାର ପର୍ଯ୍ୟନ୍ତ ଅପେକ୍ଷା କରିଛୁ ବୋଲି ଗଜପତି କହିଛନ୍ତି।

Categories
ବିଶେଷ ଖବର ସଂସ୍କୃତି

ବସ ଚାଲିଲା, ବିମାନ ଉଡିଲା, ଟ୍ରେନ ଗଡିଲା; ହେଲେ ରଥ ଗଡିବାରେ ଅସୁବିଧା ହେଲା କେଉଁଠି ?

ସଂପଦ ଦଳାଇ

ରଥଯାତ୍ରା ବନ୍ଦ ପାଇଁ ସୁପ୍ରିମକୋର୍ଟ ରାୟ ଦେବା ପରେ ବର୍ତ୍ତମାନ ଏହାକୁ ନେଇ ସାରା ବିଶ୍ବର ଜଗନ୍ନାଥ ପ୍ରେମୀଙ୍କୁ ଶକ୍ତ ଧକ୍କା ଦେଇଛି। ସମସ୍ତଙ୍କ ମନରେ ପ୍ରଶ୍ନ, ଯଦି କରୋନା ଆକ୍ରାନ୍ତ ବଢୁଥିବା ବେଳେ ବସ ଚାଲିବାକୁ ଅନୁମତି ମିଳିଛୁ, ବିମାନ ଉଡିବାକୁ ଅନୁମତି ଦିଆଯାଉଛି, ଟ୍ରେନ ଗଡିପାରୁଛି, ତେବେ ରଥ ଗଡିବାରେ ବାଧା ଉପୁଜିଲା କାହିଁକି। ସେସବୁ କ୍ଷେତ୍ରରେ ନା ରାଜ୍ୟ ସରକାର ନା କେନ୍ଦ୍ର ସରକାର କେହି ବି କୋର୍ଟ ଗଲେ ନାହିଁ। ହେଲେ ଯେତେବେଳେ ରଥ ଗଡିବା ସମୟ ଆସିଲା ସୁପ୍ରିମକୋର୍ଟକୁ ଆଢୁଆଳ କରି ଏହାକୁ ବନ୍ଦ କରିବା କେତେ ଦୂର ଯୁକ୍ତିଯୁକ୍ତ। ଏହିପରି ପ୍ରଶ୍ନ ବର୍ତ୍ତମାନ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ମନରେ ଆନ୍ଦୋଳିତ କରିବାରେ ଲାଗିଛି।

ଏ ସଂପର୍କରେ ବିସ୍ତୁତ ତଥ୍ୟ ରଖିବା ପୂର୍ବରୁ ସୁପ୍ରିମ କୋର୍ଟରେ ହୋଇଥିବା ତର୍କବିତର୍କ ସଂପର୍କରେ ଆଲୋଚନା କରାଯାଇପାରେ। କୋଭିଡ19 ପାଇଁ ରଥଯାତ୍ରା ବନ୍ଦ କରାଯାଉ ବୋଲି ଓଡିଶା ବିକାଶ ପରିଷଦ ନାମକ ଏକ ସଂସ୍ଥା ତରଫରୁ ସୁପ୍ରିମକୋର୍ଟରେ ଏକ ମାମଲା ଦାୟାର କରାଯାଇଥିଲା। ସେଥିପାଇଁ ପରିଷଦ ତରଫରୁ ବରିଷ୍ଠ ଓକିଲ ମୁକୁଲ ରୋସ୍ତଗୀ, ବରିଷ୍ଠ ଓକିଲ ରଂଜୀତ କୁମାର ପ୍ରମୁଖଙ୍କୁ ନିଯୁକ୍ତ ଦିଆଯାଇଥିଲା।

ହେଲେ ରାଜ୍ୟ ସରକାରଙ୍କ ତରଫରୁ ଦେଶର ନାମଜାଦା ଓକିଲ ହରିଶ ସାଲଭେଙ୍କ ସହିତ ବଛାବଛା 24 ଜଣ ଓକିଲଙ୍କୁ ନିଯୁକ୍ତି ଦିଆଯାଇଥିଲା। ଏହି ମାମଲା ତିନି ଜଣିଆ ଖଣ୍ଡପିଠ ମୁଖ୍ୟ ବିଚାରପତି ଜଷ୍ଟିସ ଏସ.ଏ ବୋଡେ, ଜଷ୍ଟିସ ଦୀନେଶ ମାହେଶ୍ବରୀ ଏବଂ ଜଷ୍ଟିସ ଏ.ଏସ ବୋପାନ୍ନାଙ୍କ କୋର୍ଟରେ ଶୁଣାଣି ହୋଇଥିଲା।

ତେବେ ଶୁଣାଣି ବେଳେ ସରକାରଙ୍କ ତରଫରୁ ଯେପରି ଯୁକ୍ତି କରିବା କଥା ତାହା ପରିଦୃଷ୍ଟ ହୋଇ ନ ଥିଲା। କାରଣ ସରକାରଙ୍କ ତରଫରୁ ଯୁକ୍ତି ଉପସ୍ଥାପନା କରୁଥିବା ଦେଶର ବରିଷ୍ଠ ଓକିଲ ହରିଶ ସାଲଭେ କୋର୍ଟରେ କହିଥିଲେ ଯେ, ଗତ ବର୍ଷ ରଥଯାତ୍ରାରେ ପ୍ରାୟ 20 ଲକ୍ଷ ଭକ୍ତ ଉପସ୍ଥିତ ଥିଲେ। ସେହିପରି ଚଳିତ ବର୍ଷ ମଧ୍ୟ ଏହି ରଥଯାତ୍ରାରେ ପ୍ରାୟ 20 ଲକ୍ଷ ଭକ୍ତ ଯୋଗ ଦେବାରେ ସମ୍ଭାବନା ଅଛି। ଯଦି ଗୋଟିଏ ସ୍ଥାନରେ ଏତେ ସଂଖ୍ୟାରେ ଭକ୍ତ ବା ଲୋକ ଏକାଠି ହୁଅନ୍ତି ତେବେ ସେଠାରେ କୋଭିଡ19 ଭୁତାଣୁ ସଂକ୍ରାମଣ ହେବା ନିଶ୍ଚିତ। ସେଥିପାଇଁ ଚଳିତ ବର୍ଷ ଏହି ରଥଯାତ୍ରାକୁ ବନ୍ଦ କରାଯାଉ ବୋଲି କୋର୍ଟଙ୍କୁ ସିଧାସିଧା ସାଲଭେ ଅବଗତ କରାଇଥିଲେ। ଆଉ କୌଣସି ଯୁକ୍ତି ନ ଥିବାରୁ ସୁପ୍ରିମକୋର୍ଟ ରଥଯାତ୍ରାକୁ ବନ୍ଦ କରାଯାଉ ବୋଲି ରାୟ ଶୁଣାଇ ଦେଇଥିଲେ।

ଏସବୁକୁ ଅନୁଧ୍ୟାନ କଲେ ଏହା ସୂଚାଇ ଦେଉଛି ଯେ, ରଥଯାତ୍ରା ବନ୍ଦ କରିବା ପାଇଁ ଯେପରି ପୂର୍ବ ନିର୍ଦ୍ଧାରିତ ଥିଲା। କାରଣ କୋର୍ଟରେ କେହି ବି ହେଲେ ରଥଯାତ୍ରା ସପକ୍ଷରେ ଯୁକ୍ତି ବାଢି ନ ଥିଲେ। କୋଭିଡ19 କଟକଣା ମଧ୍ୟରେ କିପରି ରଥଯାତ୍ରା ହୋଇପାରିବ ତାହା କୁହାଯାଇ ନ ଥିଲା। ଗୋଟିଏ ପଟେ କୋଭିଡ19 କଟକଣା, ଅନ୍ୟପଟେ ଜଗନ୍ନାଥ ସଂସ୍କୃତି ଏବଂ ସାଢେ ଚାରି କୋଟି ଓଡିଆଙ୍କ ପ୍ରାଣ। ଏପରି ପରିସ୍ଥିତରେ କୋଭିଡ19 କଟକଣା ଭିତରେ ରଥଯାତ୍ରା କରିବାରେ କୌଣସି ଅସୁବିଧା ନ ଥିଲା। ସାମାଜିକ ଦୂରତା ରଖି ରଥଯାତ୍ରା କରାଯାଇ ପାରେ ବୋଲି କୋର୍ଟଙ୍କୁ ଅବଗତ କରାଯାଇ ପାରିଥାଆନ୍ତା। ହେଲେ ତାହା କରାଯାଇ ନ ଥିଲା।

କୋର୍ଟରେ କେହି ବି ଯୁକ୍ତି କଲେ ନାହିଁ ଯେ, ଚଳିତ ବର୍ଷ ସ୍ନାନ ପୂର୍ଣ୍ଣିମା ଯେପରି କଟକଣା ସହିତ ପାଳନ କରାଗଲା ସେହିପରି ରଥଯାତ୍ରା ମଧ୍ୟ କରାଯାଇ ପାରିବ। ହେଲେ ସେ ସବୁ ଉପସ୍ଥାପିତ ନ କରି ଗତ ବର୍ଷ 20 ଲକ୍ଷ ଭକ୍ତ ଆସିଥିଲେ ଏଥର ମଧ୍ୟ ସେହିପରି ଭକ୍ତ ଆସିବେ ବୋଲି କୋର୍ଟରେ ତଥ୍ୟ ରଖିବାକୁ ଜଗନ୍ନାଥ ପ୍ରେମୀ ହଜମ କରିପାରୁ ନାହାଁନ୍ତି। କିପରି କଟକଣା ଭିତରେ ରଥଯାତ୍ରା କରାଯାଇପାରିବ ସେପରି ଦୃଢ ଯୁକ୍ତି ଖଣ୍ଡପିଠଙ୍କ ପାଖରେ ରଖାଯାଇ ନ ଥିଲା। ଫଳରେ ରଥଯାତ୍ରା ବନ୍ଦ କରିବାକୁ କୋର୍ଟ ନିଶ୍ଚିତ ରାୟ ଦେବେ ଏଥିରେ ସନ୍ଦେହ ନାହିଁ।

ତେବେ ଚଳିତ ବର୍ଷ ଜଗନ୍ନାଥ ଇତିହାସରେ ଏକ ନୂଆ ଉଦାହରଣ ସୃଷ୍ଟି ହେଲା, ଯାହା ଶହଶହ ବର୍ଷ ଧରି ହୋଇ ନ ଥିଲା। କୋର୍ଟଙ୍କ ରାୟ ଉପରେ କାହାର କହିବାର ଅଧିକାର ନାହି ସତ, ହେଲେ କୋଟିକୋଟି ଜଗନ୍ନାଥ ପ୍ରେମୀଙ୍କ ମନରେ ଯେଉଁ ଆଘାତ ସୃଷ୍ଟି ହେଲା ତାହା ସବୁଦିନ ପାଇଁ ଜଗନ୍ନାଥ ସଂସ୍କୃତିରେ ଲିପିବଦ୍ଧ ହୋଇ ରହିଗଲା।

Categories
ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ସୁପ୍ରିମକୋର୍ଟଙ୍କ ରାୟକୁ ସମ୍ମାନ ଦେଇ ମନ୍ଦିର ଭିତରେ ରଥ ନିତି କରିବା ପାଇଁ କ୍ୟାବିନେଟରେ ନିଷ୍ପତି

ଭୁବନେଶ୍ବର, ରଥଯାତ୍ରା ବନ୍ଦ କରିବା ପାଇଁ ସୁପ୍ରିମକୋର୍ଟ ଯେଉଁ ରାୟ ଦେଇଛନ୍ତି ତାହାକୁ ପାଳନ କରିଯିବ। ତେବେ ରଥନିତି ବାହାରେ ନ କରି ମନ୍ଦିର ପରିସରରେ କିପରି କରାଯିବ ତାହା ଶ୍ରୀମନ୍ଦିର ପ୍ରଶାସନ ନିର୍ଦ୍ଧାରିତ କରିବା ପାଇଁ ରାଜ୍ୟ କ୍ୟାବିନେଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ଏହି ନିଷ୍ପତି ନିଆଯାଇଛି। ଏଥିସହିତ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ହେଉଥିବା ରଥଯାତ୍ରା କମିଟ ମଧ୍ୟ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରିବେ। ସେସବୁକୁ ତଦାରଖ କରିବା ପାଇଁ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ମଧ୍ୟ କ୍ୟାବିନେଟ ନିର୍ଦ୍ଦେଶ ଦେଇଛନ୍ତି।

ଆଜି କ୍ୟାବିନେଟ ବୈଠକ ଆରମ୍ଭରେ ଲଦାଖରେ ସହୀଦମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଦୁଇ ମିନଟ ନିରବ ପ୍ରାର୍ଥନା କରାଯାଇଥିଲା। ଏହାପରେ ଆଡଭୋକେଟ ଜେନେରାଲ ରଥଯାତ୍ରା ଉପରେ ସୁପ୍ରିମକୋର୍ଟଙ୍କ ରାୟ ସଂପର୍କରେ କ୍ୟାବିନେଟକୁ ଅବଗତ କରାଇଥିଲେ। ଏହାପରେ କ୍ୟାବିନେଟ ବାହାର ରଥଯାତ୍ରା ବନ୍ଦ କରି ମନ୍ଦିର ପରିସରରେ କରିବା ପାଇଁ ପ୍ରଶାସନକୁ ନିଦ୍ଦେଶ ଦେଇଥିଲେ।

ତେବେ ରଥଯାତ୍ରା ବନ୍ଦ ନେଇ ପ୍ରତିଟି ଜଗନ୍ନାଥ ପ୍ରେମୀଙ୍କୁ ଆଘାତ ଦେଇଛି ବୋଲି କ୍ୟାବିନେଟରେ କୁହାଯାଇଥିଲା। ହେଲେ ବର୍ତ୍ତମାନ ପରିସ୍ଥିତିରେ ସୁପ୍ରିମକୋର୍ଟଙ୍କ ରାୟକୁ ସମ୍ମାନ ଦେଇ କାମ କରିବାକୁ ପଡିବ ବୋଲି କ୍ୟାବିନେଟ ହୃଦୟଙ୍ଗମ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଯଦି ଟ୍ରେନରେ ହଜାର ହଜାର ଲୋକ ଏକାଠି ଆସୁଛନ୍ତି, ତେବେ ରଥଯାତ୍ରା ବନ୍ଦ କାହିଁକି, ସେବାୟତଙ୍କ ପ୍ରଶ୍ନ

ପୁରୀ, ବର୍ତ୍ତମାନ ଚାରିଆଡେ ଖୋଲା ରହିଛି। ଟ୍ରେନରେ ହଜାର ହଜାର ଲୋକେ ଏକାଠି ଆସୁଛନ୍ତି। ଏ କଥା ସରକାର ଦେଖୁଛନ୍ତି। ସେଠାରେ କୌଣସି ସାମାଜିକ ଦୂରତା ରହୁ ନାହିଁ, ତେବେ ରଥଯାତ୍ରା ବେଳକୁ ଏପରି କାହିଁକି ପଦକ୍ଷେପ ନିଆଗଲା। ଏହିପରି ପ୍ରଶ୍ନ କରିଛନ୍ତି ଶ୍ରୀମନ୍ଦିର ସେବାୟତ।

ରାଜ୍ୟ ସରକାର ପ୍ରାୟତଃ ନିଷ୍ପତି କରିଛନ୍ତି ଯେ ସାମାଜିକ ଦୂରତା ରଖି ରଥଯାତ୍ରା ସଂପର୍କିତ ସମସ୍ତ କାର୍ଯ୍ୟ କରିବେ। ସେହି ଅନୁସାରେ ବର୍ତ୍ତମାନ କୋଭିଡ19ର ସମସ୍ତ କଟକଣା ସହିତ ରଥ କାମ ଚାଲିଛି। ଏପରିକି ସ୍ନାନଯାତ୍ରାକୁ ମଧ୍ୟ ଠିକ୍ ଭାବରେ ପାଳନ କରାଯାଇଥିଲା। ତେବେ ସୁପ୍ରିମକୋର୍ଟଙ୍କ ଏପରି ନିଷ୍ପତି ଜଗନ୍ନାଥଙ୍କ ପ୍ରେମୀଙ୍କୁ ପ୍ରଚଣ୍ଡ ଆଘାତ ଦେଇଛି ବୋଲି ସେବାୟତମାନେ କହିଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ଏ ବର୍ଷ ହୋଇପାରିବ ନାହିଁ ରଥଯାତ୍ରା, କୋଭିଡ19 କଟକଣା ପାଇଁ ସୁପ୍ରିମକୋର୍ଟ ଦେଲେ ଏହି ବଡ ନିଷ୍ପତ୍ତି

ନୂଆଦିଲ୍ଲୀ, କୋଭିଡ 19 କଟକଣା ପାଇଁ ଚଳିତ ବର୍ଷ ରଥଯାତ୍ରାକୁ ବନ୍ଦ କରାଯାଉ। ଏହିପରି ଏକ ବଡ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ଆଜି ରଥଯାତ୍ରା ହେବ କି ନାହିଁ ସେ ନେଇ ସୁପ୍ରିମକୋର୍ଟରେ ଏକ ଶୁଣାଣି ଥିଲା। ଏହାକୁ ବନ୍ଦ କରାଯାଉ ବୋଲି ଓଡିଶା ବିକାଶ ପରିଷଦ ତରଫରୁ ଏକ ମାମଲା ଦାୟର କରାଯାଇଥିଲା। ତାହାକୁ ଗ୍ରହଣ କରି ସୁପ୍ରିମକୋର୍ଟ ଏହି ରାୟ ଶୁଣାଇଛନ୍ତି। ଫଳରେ ଏଥର ରଥଯାତ୍ରା ନେଇ ଯେଉଁ ସନ୍ଦେହ ଥିଲା ତାହା ଏକ ପ୍ରକାରର ଦୂର ହୋଇଛି।

ସୁପ୍ରିମକୋର୍ଟ ତାଙ୍କ ରାୟରେ କହିଛନ୍ତି ଯେ, ରଥଯାତ୍ରା ହେଉଛି ଏକ ବଡ ଧାର୍ମିକ ପର୍ବ। ଏହି ପର୍ବରେ ବହୁ ଲୋକଙ୍କର ଆବଶ୍ୟକତା ରହିଛି। ଫଳରେ ସରକାର ଯେଉଁ କୋଭିଡ19 କଟକଣା କରିଛନ୍ତି ତାହା ପାଳନ ହୋଇପାରିବ ନାହିଁ। ମୁଖ୍ୟତଃ ସାମାଜିକ ଦୂରତା ରଖି ଏହାକୁ ପାଳନ କରିବା ସମ୍ଭବ ନୁହେଁ। ସେଥିପାଇଁ ଚଳିତ ବର୍ଷ ଏହାକୁ ସ୍ଥିଗତ କରାଯାଉ ବୋଲି କୋର୍ଟ ତାଙ୍କ ରାୟରେ ଜଣାଇଛନ୍ତି।

ପୂର୍ବରୁ ଏ ନେଇ ହାଇକୋର୍ଟରେ ଏକ ମାମଲା ଋଜୁ କରାଯାଇଥିଲା। ମାମଲାକୁ ଗ୍ରହଣ କରି ହାଇକୋର୍ଟ ସରକାର ରଥଯାତ୍ରା କରିବେ କି ନାହିଁ ନିଷ୍ପତି ନେବେ। ଫଳରେ ରାଜ୍ୟ ସରକାର ଶ୍ରୀମନ୍ଦିର ପ୍ରଶାସନକୁ ରଥ ନିର୍ମାଣ କାମ ପାଇଁ ଅନୁମତି ଦେଇଥିଲେ। ଫଳରେ ରଥ ପ୍ରତିଷ୍ଠା ପରି କାମ କରାଯାଇଛି। ହେଲେ ବର୍ତ୍ତମାନ ସୁପ୍ରିମକୋର୍ଟଙ୍କ ଏହି ରାୟ ପରେ ଏହାକୁ ସ୍ଥଗିତ କରାଯିବ। ତେବେ ରଥଯାତ୍ରା ବନ୍ଦ ହେଲେ ପରବର୍ତ୍ତି ସମୟରେ କଣ ହେବ ସେ ନେଇ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତି କରିବେ।