Categories
ଆଜିର ଖବର ରାଜ୍ୟ ଖବର

ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ରେଳ ମନ୍ତ୍ରୀ: ଜାଣନ୍ତୁ ଆଜିର କାର୍ଯ୍ୟକ୍ରମ

ଭୁବନେଶ୍ଵର: ରେଳ, ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗତକାଲି ଠାରୁ ତିନି ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି।

ଆଜି ପୂର୍ବାହ୍ନରେ ଶ୍ରୀ ବୈଷ୍ଣବ ପୁରୀରେ ରଥ ଯାତ୍ରା ଦର୍ଶନ କରିବେ। ପୁରୀ ବଡ଼ ଦାଣ୍ଡ ଠାରେ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି), ଭୁବନେଶ୍ୱର ପକ୍ଷରୁ ଆୟୋଜିତ ଏକ ପ୍ରଦର୍ଶନୀକୁ କେନ୍ଦ୍ର ମନ୍ତ୍ରୀ ଉଦଘାଟନ କରିବେ। ଏହି ପ୍ରଦର୍ଶନୀ ‘‘କେନ୍ଦ୍ର ସରକାରଙ୍କ ୯ ବର୍ଷର ସେବା, ସୁଶାସନ, ଗରିବ କଲ୍ୟାଣ ଓ ମିଶନ ଲାଇଫ୍ ବିଷୟବସ୍ତୁ ଉପରେ ଆୟୋଜନ କରାଯିବ। ଏହା ପରେ କେନ୍ଦ୍ର ମନ୍ତ୍ରୀ ବାଲେଶ୍ୱର ଜିଲ୍ଲା ବାହାନାଗା ବଜାରକୁ ଯାଇ ସ୍ଥାନୀୟ ଲୋକଙ୍କ ସହ କଥାବାର୍ତ୍ତା ହେବେ।

ସେ ମଧ୍ୟ ଅପରାହ୍ନରେ ବାଲେଶ୍ୱର ଜିଲ୍ଲା ଡାକ୍ତରଖାନା ଏବଂ ଜିଲ୍ଲା ପ୍ରଶାସନର ଅଧିକାରୀଙ୍କ ସହ ଆଲୋଚନା କରିବେ। ଏହା ବ୍ୟତୀତ ଶ୍ରୀ ବୈଷ୍ଣବ ବାଲେଶ୍ୱର ରେଳ ଷ୍ଟେସନର ବିକାଶ ଯାଞ୍ଚ କରିବା ସହିତ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିବେ।

Categories
ଆଞ୍ଚଳିକ

ଧୁମଧାମରେ ପାଳିତ ହେବ ବାଣପୁର ରଥ ଯାତ୍ରା: ଜାଣନ୍ତୁ କିଭଳି ରହିଛି ପ୍ରସ୍ତୁତି

ସୀତାରାମ ଅଗ୍ରୱାଲ

ବାଣପୁର: ଆଉ ଦୁଇ ଦିନ ପରେ ବିଶ୍ଵପ୍ରସିଦ୍ଧ ରଥଯାତ୍ରା। ପୁରୀ ସମେତ ବିଶ୍ୱର କୋଣ ଅନୁକୋଣରେ ପାଳନ ହେବ ମହାପ୍ରଭୁ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା। ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ମଧ୍ୟ ଧୁମଧାମରେ ପାଳନ ହେବ ରଥଯାତ୍ରା।

ବାଣପୁରରେ ଶ୍ରୀ ରଙ୍କନାଥ ଦେବ ଏବଂ ଶ୍ରୀ ଚରଣ ଚକାଦେବଙ୍କ ପିଠରେ ରଥଯାତ୍ରା ଅନୁଷ୍ଠିତ ହେବ। ଏଥି ନିମନ୍ତେ ଆଜି ସ୍ଥାନୀୟ ପ୍ରଶାସନ ପକ୍ଷରୁ ବାଣପୁର ଏନଏସି ସଭାଗୃହରେ ଏକ ପ୍ରସ୍ତୁତି ଓ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏନଏସି ଅଧ୍ୟକ୍ଷ ମିଟୁ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତିଙ୍କ ସମେତ ବାଣପୁରର ବିଭିନ୍ନ ବ୍ୟବସାୟୀ ସଂଘର ପ୍ରତିନିଧି ଓ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ।

ପୁର୍ବରୁ ଅନୁଷ୍ଠିତ ହୋଇଥିବା ପ୍ରଥମ ପ୍ରସ୍ତୁତି ବୈଠକରେ ଆଇନ ଶୃଙ୍ଖଳା, ସ୍ଵେଚ୍ଛାସେବୀ ପରିଚାଳନା ଆଦି ବିଷୟରେ ବିସ୍ତୃତ ଆଲୋଚନା ହୋଇଥିବା ବେଳେ ଆଜିର ବୈଠକରେ ସମସ୍ତ ବ୍ୟବସାୟୀ ସଂଘ ଏବଂ ଗଣମାଧ୍ୟମ ପ୍ରତିନିଧିଙ୍କ ସହଯୋଗ ଲୋଡ଼ିଥିଲା ପ୍ରଶାସନ।

ତେବେ ଚଳିତ ବର୍ଷ ବାଣପୁର ରଥଯାତ୍ରାକୁ ଧୁମଧାମରେ ଏବଂ ଆକର୍ଷଣୀୟ ଭାବେ ପାଳନ କରାଯିବ ବୋଲି ସୂଚନା ଦେଇଛନ୍ତି ଅଧ୍ୟକ୍ଷ ଶ୍ରୀ ନାୟକ। ଏଥି ନିମନ୍ତେ ସ୍ଵେଚ୍ଛାସେବୀମାନଙ୍କ ପାଇଁ ପ୍ରଥମ ଥର ପାଇଁ ଡ୍ରେସ କୋଡ଼ ଏବଂ ଆଇ କାର୍ଡ ବ୍ୟବସ୍ଥା କରାଯାଇଛି। ଉକ୍ତ ଆଇ କାର୍ଡ ଓ ଟି ସାର୍ଟ ସ୍ଥାନୀୟ ଆଇଆଇସି ପ୍ରଦାନ କରିବେ।

ବିଭିନ୍ନ ଅନୁଷ୍ଠାନର ସ୍ଵେଚ୍ଛାସେବୀଙ୍କ ସମେତ ଏନସିସି ଛାତ୍ରଛାତ୍ରୀ, ଆରଏସଏସ କର୍ମକର୍ତ୍ତା ରଥ ଟାଣିବା ଦାୟିତ୍ୱରେ ରହିବାକୁ ଥିବା ବେଳେ ମହିଳା ଭକ୍ତମାନେ ଦେବି ସୁଭଦ୍ରାଙ୍କ ରଥ ଟାଣିବେ। ତତସହିତ ବିଭିନ୍ନ ସେବାକାର୍ଯ୍ୟ ଯଥା ପିଇବା ପାଣି, ଦହି ପଣା, ଲେମ୍ବୁ ପାଣି ଆଦିର ବ୍ୟବସ୍ଥା ସ୍ଵେଚ୍ଛାସେବୀ ଏବଂ ଏନଏସି ପ୍ରଶାସନ ଦ୍ୱାରା କରାଯିବ। ପୂର୍ବପରି ବିଭିନ୍ନ ବ୍ୟବସାୟୀ ସଂଘ ନିଜ ନିଜର ସେବା କାର୍ଯ୍ୟ ଜାରି ରଖିବେ।

ରଥ ଟଣା ସମୟରେ ଯେପରି କିଛି ଅଘଟଣ ନଘଟେ ସେଥି ନିମନ୍ତେ ବାଲୁଗାଁ ଏସଡ଼ିପିଓ ଙ୍କ ତତ୍ୱାବଧାନରେ ଏକ ପ୍ଲାଟୁନ ଫୋର୍ସ ମୁତୟନ ହେବେ। ରଥ ଟଣା ପୁର୍ବରୁ ସମସ୍ତ ସ୍ଵେଚ୍ଛାସେବୀଙ୍କୁ ଏସଡିପିଓ କିଛି ପ୍ରଶିକ୍ଷଣ କୌଶଳ ପ୍ରଦାନ କରିବେ। କହିବାକୁ ଗଲେ ବାଣପୁରରେ ଚଳିତ ରଥଯାତ୍ରା କିପରି ଶୃଙ୍ଖଳିତ ଭାବେ ସମ୍ପନ୍ନ ହେବ ତାହା ଉପରେ ବେଶ ସଜାଗ ଅଛି ପ୍ରଶାସନ। ରଥ ଟଣା ସମୟରେ ସମସ୍ତ ବଜାର ବନ୍ଦ ରହିବ।

ଅନୁରୂପ ଭାବେ ଏନଏସି ଅଧ୍ୟକ୍ଷ ଶ୍ରୀ ନାୟକ ରଥଯାତ୍ରାକୁ ଆକର୍ଷଣୀୟ ଏବଂ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବା ପାଇଁ ରଥଟଣା ପଥକୁ ଚିତ୍ରଣ କରାଯିବ ବୋଲି କହିଛନ୍ତି। ବିଶରପାଟଣା ସ୍ଥିତ ‘ଆଇ ଲଭ ବାଣପୁର’ ସେଲ୍ଫି ପଇଣ୍ଟ ଠାରୁ ମା’ ଭଗବତୀ ମନ୍ଦିର ପର୍ଯ୍ୟନ୍ତ ମୁଖ୍ୟ ରାସ୍ତା ଏବଂ ଶ୍ରୀ ଚକାଦେବଙ୍କ ଗୁଣ୍ଡିଚା ଘର ରାସ୍ତାକୁ ବିଭିନ୍ନ ଝୋଟି ଓ ଚିତାରେ ଚିତ୍ରିତ କରାଯିବ। ଏଥି ନିମନ୍ତେ ସ୍ୱତନ୍ତ୍ର ଚିତ୍ରକାର ନିୟୋଜିତ ହେବେ। ଏହାଦ୍ୱାରା ଭକ୍ତମାନଙ୍କ ମଧ୍ୟରେ ଆଧ୍ୟାତ୍ମିକ ଭାବ ସୃଷ୍ଟି ହେବା ସହ ରଥଯାତ୍ରା ଟି ଆକର୍ଷଣୀୟ ହେବ।

ରଥଯାତ୍ରା ସମୟରେ ମେଡିକାଲ ଓ ବିଦ୍ୟୁତ ବିଭାଗକୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବାଣପୁର ତହସିଲଦାର ସମସ୍ତ କାର୍ଯ୍ୟକୁ ତଦାରଖ କରିବେ। ପରିଶେଷରେ ଚଳିତ ରଥଯାତ୍ରାକୁ ସଫଳ କରିବା ପାଇଁ ଏନଏସି ଅଧ୍ୟକ୍ଷ ମିଟୁ ନାୟକ ସମସ୍ତଙ୍କର ସହଯୋଗ ଲୋଡ଼ିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ରଣପୁର: ରଥ ଯାତ୍ରା ପାଇଁ ଜଗନ୍ନାଥ ମହାପ୍ରଭୁଙ୍କ ନୀତି ଚୂଡାନ୍ତ

ରଣପୁର: ଓଡିଶାର ଦ୍ୱିତିୟ ଶ୍ରୀ କ୍ଷେତ୍ର ଭାବେ ପରିଚିତ ରଣପୁର ରଥ ଯାତ୍ରା ପଇଁ ଶ୍ରୀ ଜିଉ ଙ୍କର ନୀତି ଚୂଡାନ୍ତ ହୋଇଛି। ଗତକାଲି ରାତିରେ ରଣପୁର ତହସିଲଦାର ଇପସିତ ସାହୁ ବଣମାଧ୍ୟମ ପ୍ରତିନିଧୀକୁ ଏହି ସୂଚନା ଦେଇଛନ୍ତି।

୧୯ ତାରିଖ ଭୋର ୩ଟାରେ ପଟିଠାକୁର ଙ୍କୁ ଅନ୍ତର କରାଯିବ। ସକାଳ ୯ଟା ସମୟରେ ନେତ୍ର ଉତ୍ସବ ପରେ ସର୍ବସାଧାରଣ ଶ୍ରୀ ଜିଉଙ୍କ ଦର୍ଶନ କରିପାରିବେ। ସେହିପରି ୩ ରଥ ରେ ଦିନ ୧୧ ଟାରେ ନେତ ବନ୍ଦା ହେବ। ୨୦ ତାରିଖ ସକାଳ ୫ ଟାରେ ଅବକାଶ ବଲ୍ଲଭ ହେବାପରେ ସକାଳ ୭ଟାରୁ ୮ ଟା ମଧ୍ୟରେ ରଥ ପ୍ରତିଷ୍ଟା କରାଯିବ। ସକାଳ ୯ ଟାରେ ଧୂପ ହେବାପରେ ୧୦ ରେ ମଙ୍ଗଳଅର୍ପଣ କରାଯିବ। ୧୧ରେ ସାମୟରେ ୩ ଠାକୁ ରଙ୍କୁ ଧାଡି ପହଣ୍ଡିରେ ରଥା ରୁଢ କରାଜିବାପରେ ୧୨ ଟାରେ ଚେରାପହଂରା ହେବ ଓ ଅପରାହ୍ନ ୧ ଟାରେ ରଥ ଟଣା ଆରମ୍ଭ ହେବ।

ରଣପୁର ସଂଙ୍ଗିତ କଳା ନିକେତନ ତରଫରୁ ଅପରାହନ୍ନରେ ସ୍ଥାନୀୟ ଦୋଳ ମଣ୍ଡପ ଠାରେ ଭଜନ ସମାରୋହ ଅନୁଷ୍ଟିତ ହେବ। ୨୧ ତାରିଖରେ ୩ ରଥ ଗୁଣ୍ଡିଚା ମନ୍ଦିର ନିକଟରେ ପହଚିଂବା ପରେ ସଂଧ୍ୟା ଆଳତି ପରେ ୩ ଠାକୁରଙ୍କୁ ଗୋଟି ପହଣ୍ଡିରେ ଆଡପ ମଣ୍ଡପକୁ ବିଜେ କରାଯିବ। ସେହି ପରି ବାହାଡାଝୋଲା ଦୃଷ୍ଟିହୀନ ଲୋକସଙ୍ଗିତ ତରଫରୁ ସଙ୍ଗିତକାର୍ଯ୍ୟ କ୍ରମ ହେବ। ୨୪ ତାରିଖ ହେରାପଚଂମୀ ସଂଧ୍ୟରେ ଅଭିମାନୀ ଦେବୀ ମହାଲକ୍ଷ୍ମୀ ପଚୁଂ ମହାଦେବଙ୍କ ସହ ଜଗନ୍ନଥ ଙ୍କ ରଥ ଭାଙ୍ଗିବେ। ୨୫ ତାରିଖରେ ରଥ ଦକ୍ଷିଣ ମୋଡ କରାଯିବ। ୨୭ ତାରିଖରେ ନବମୀ ଆଳତି ରାତି ୮ ଟା ସମୟରେ ସମାପନ ପରେ ରାତି ୧୧ ଟାରେ ଶ୍ରୀ ଜିଉ ଙ୍କର ସେନାପଟା ହେବ।

ସଂଧ୍ୟାରେ ପଚୁଂଦୋଳ ପଡିଆରେ ଭୂବନେଶ୍ୱର ମୁର୍ଚ୍ଚନାଦୃଷ୍ଟିହିନ ଲୋକ ସଂଙ୍ଗିତ ପରିଷଦ ତରଫରୁ ଭଜନ ସମାରୋହ ଅନୁଷ୍ଟିତ ହେବ। ୨୮ ତାରିଖ ସକାଳ ୬ ଟାରେ ଅବକାଶ , ବଲ୍ଲଭ ହେବାପାଇଁ ସ୍ଥିର ହୋଇଥିବାବେଳେ ଦିନ ୯.୩୦ ଟା ରେ ସକାଳ ଧୂପ ପରେ ଶ୍ରୀ ଜିଉଙ୍କୁ ଧାଡି ପହଣ୍ଡିରେ ରଥାରୃଢ କରାଜିବ। ଦିନ ୧୨ ଟାରେ ଛେରାପହରା ପରେ ୧.୩୦ ଟାରେ ରଥ ଟଣା ଅନୁଷ୍ଟିତ ହେବ। ସଂଧ୍ୟା ୭ ଟାରେ ପଚୁଂଦୋଳ ପଡିଆଠାରେ ଭୂବନେଶ୍ୱର ସ୍ୱରାଗ୍ନୀ ଭଜନ ସନ୍ଧ୍ୟା ଅନୁଷ୍ଟିତ ହେବ। ୨୯ ତାରିଖ ବଡ ଏକାଦଶୀରେ ରେ ସକାଳ ୮ ଟାରେ ସୁନା ବେଶ ଅନୁଷ୍ଟିତ ହେଉଥିବାବେଳେ ରାତି ୯.୩୦ ରେ ଧୂପ ଓ ବଡ ସିଂହାର ଅନୁଷ୍ଟିତ ହେବ। ସଂଧ୍ୟାରେ ପଚୁଂଦୋଳ ପଡିଆଠାରେ ଟାଉନକ୍ଲବ ଆନୁକୂଲ୍ୟରେ ଓଡିଶା ର ପ୍ରତିଷ୍ଟିତ କଳାକାରାଙ୍କୁ ନେଇ ଏକ ଭଜନ ସମାରୋହ ଅନୁଷ୍ଟିତ ହେବ। ବଡ ଏକା ଦଶୀରେ ରଥ ଟଣା ବନ୍ଦ ରହିବ।

୩୦ ତାରିଖ ଅପରାହ୍ନରେ ରଥ ଟଣା ପରେ ଲକ୍ଷ୍ମୀ-ନାରାୟଣ ଭେଟ ଅନୁଷ୍ଟିତ ହେବ। ଜୁଲାଇ ୧ ତାରିଖରେ ସକାଳ ୭ ଟାରେ ଅଧର ପଣା ନିତୀ ପରେ ଶ୍ରୀ ଜିଉ ଙ୍କୁ ଗୋଟି ପହଣ୍ଡିରେ ରତ୍ନସିଂହାସନ କୁ ବିଜେ ହେବେ ବୋଲି ମନ୍ଦିର ପ୍ରଶାସନ ନିଷ୍ପତି ଗ୍ରହଣ କରିଥିବ କଥା ତହସିଲଦାର ଇପସିତ ସାହୁ ଗଣମାଧ୍ୟମ କୁ ସୂଚନା ଦରଇଛନ୍ତି।

ଏହି ସାମ୍ବାଦିକ ସମିଳନୀରେ ଅନ୍ୟମାନ ଙ୍କ ମଧ୍ୟରେ ମନ୍ଦିର ମ୍ୟାନରଜର ରମେଶ ଚନ୍ଦ୍ର ପ୍ରଧାନ, ପରିଚାଳନ କମିଟିର ଡଃ ପ୍ରଶାନ୍ତ କୁମାର ମିଶ୍ର, ହରିହର ନନ୍ଦ, ଭିମ୍ ମହାପାତ୍ର ୍‌, ଅର୍ଜୁନ ଶମା ର୍ ଓ ୩ ରଥର ମୁଖ୍ୟ ମହାରଣା କବିରାଜ ମହାରାଣ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ରଥ ଯାତ୍ରା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ବିଶେଷ ଟ୍ରେନ

ଭୁବନେଶ୍ୱର: ତୀର୍ଥଯାତ୍ରୀମାନଙ୍କ ଗମନାଗମନ ଏବଂ ସୁବିଧା ପାଇଁ ରଥଯାତ୍ରା (କାର୍ ଫେଷ୍ଟିଭାଲ୍) ଅବଧି ସମୟରେ ପୁରୀକୁ ଏବଂ ପୁରୀ ଠାରୁ 205 ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବାକୁ ରେଳ ମନ୍ତ୍ରଣାଳୟ ଯୋଜନା କରିଛି। କୋଭିଡ 19 ପ୍ରୋଟୋକଲ ଯୋଗୁଁ ଗତ ଦୁଇ ବର୍ଷରୁ ତୀର୍ଥଯାତ୍ରୀଙ୍କ ବିନା ରଥ ଯାତ୍ରା ଆୟୋଜିତ ହୋଇଥିବାରୁ ଚଳିତ ବର୍ଷ ପୁରୀରେ ବହୁ ତୀର୍ଥଯାତ୍ରୀ ଏକାଠି ହେବେ ବୋଲି ରେଲୱେ ଆକଳନ କରୁଛି।

ଏହା ବ୍ୟତୀତ ପୂର୍ବ ତଟ ରେଳପଥ ପଡୋଶୀ ରାଜ୍ୟଗୁଡିକର ସ୍ୱତନ୍ତ୍ର ଟ୍ରେନ୍ ବ୍ୟତୀତ ପୁରୀକୁ ଆସୁଥିବା ଏବଂ ପୁରୀ ଠାରୁ ଛାଡୁଥିବା ଅନେକ ବିଶେଷ ଟ୍ରେନ୍ଗୁଡିକରେ ତୀର୍ଥଯାତ୍ରୀମାନଙ୍କୁ ସଂରକ୍ଷିତ କ୍ଲାସ୍ ଯାତ୍ରା ସୁବିଧା କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେଇଛି।

02837/02838 ଶାଲିମାର-ପୁରୀ-ଶାଲିମାର ରଥ ଯାତ୍ରୀ ସ୍ପେଶାଲ ଏକ୍ସପ୍ରେସ ଶାଲିମାର ଠାରୁ 29.06.2022 ଅପରାହ୍ନ 12ଘ.45ମି.ରେ ଛାଡି ସେହିଦିନ ରାତ୍ରି 10ଘ.30ମି.ରେ ପୁରୀରେ ପହଞ୍ଚିବ। ଫେରିବା ମାର୍ଗରେ ଏହା 30.06.2022 ସକାଳ 05ଘ.30ମି.ରେ ପୁରୀ ଛାଡିବ। ଏହି ଟ୍ରେନରେ ଦୁଇଟି ଏସି ଚେୟାର କାର୍, 12 ସେକେଣ୍ଡ୍ କ୍ଲାସ୍ ଚେୟାର୍ କାର୍, ଦୁଇଟି ସେକେଣ୍ଡ୍ କ୍ଲାସ୍ ସିଟିଂ ଏବଂ ଦୁଇଟି ଗାର୍ଡ ତଥା ଦ୍ୱିତୀୟ ଶ୍ରେଣୀ ସିଟିଂ କୋଚ୍ ଉପଲବ୍ଧ।

ଆଉ ଏକ ବିଶେଷ ଟ୍ରେନ 02827/002828 ଶାଲିମାର-ପୁରୀ-ଶାଲିମାର ରଥ ଯାତ୍ରା ସ୍ପେଶାଲ ଏକ୍ସପ୍ରେସ 29.06.2022 ରାତ୍ରି 9ଘ.40ମି.ରେ ଛାଡି 30.06.2022 ସକାଳ 07 ଘଟିକାରେ ପୁରୀରେ ପହଞ୍ଚିବ। ଫେରିବା ମାର୍ଗରେ ଏହା 30.06.2022 ରାତ୍ରି 11ଘ.05ମି.ରେ ପୁରୀରୁ ଛାଡିବ। ଏହି ଟ୍ରେନରେ ଗୋଟିଏ ଏସି-2 ଟାୟାର, ଦୁଇଟି ଏସି -3 ଟାୟାର, 11 ଟି ସ୍ଲିପର କ୍ଲାସ, ଛଅଟି ସେକେଣ୍ଡ କ୍ଲାସ ସିଟିଂ ଏବଂ ଦୁଇଟି ଗାର୍ଡ ତଥା ଦ୍ୱିତୀୟ ଶ୍ରେଣୀ ସିଟିଂ କୋଚ ଉପଲବ୍ଧ।

08907/08908 ବିଶାଖାପାଟନମ୍-ପୁରୀ- ବିଶାଖାପାଟନମ୍ ରଥ ଯାତ୍ରା ସ୍ପେଶାଲ୍ ବିଶାଖାପାଟନମ୍ ଠାରୁ 30.06.2022 ଅପରାହ୍ନ 2ଘ.30ମି.ରେ ଛାଡି ରାତ୍ରି 1ଘ.15ମି.ରେ (01.07.2012) ପୁରୀରେ ପହଞ୍ଚିବ। ଫେରିବା ମାର୍ଗରେ ଏହା 01.07.2022 ରାତ୍ରି 11ଘ.15ମି.ରେ ପୁରୀରୁ ଛାଡିବ। ଏହି ଟ୍ରେନରେ ଗୋଟିଏ ଏସି -3 ଟାୟାର, ଛଅଟି ସ୍ଲିପର୍ କ୍ଲାସ୍, ତିନିଟି ଜେନେରାଲ୍ ଦ୍ୱିତୀୟ ଶ୍ରେଣୀ ଏବଂ ଦୁଇଟି ଗାର୍ଡ ତଥା ଦ୍ୱିତୀୟ ଶ୍ରେଣୀ ସିଟିଂ କୋଚ୍ ଅଛି। ଏହି ଟ୍ରେନ୍ ଖୋର୍ଦ୍ଧା ରୋଡ୍ ଷ୍ଟେସନକୁ ନଯାଇ ଅରୁଗୁଳ-ହରିପୁରଗ୍ରାମ ମାର୍ଗଦେଇ ଯାତାୟାତ କରିବ।

08911/08912 ଜୁନାଗଡ଼ ରୋଡ଼-ପୁରୀ- ଜୁନାଗଡ଼ ରୋଡ଼ ରଥ ଯାତ୍ରା ସ୍ପେଶାଲ୍ ଏକ୍ସପ୍ରେସ୍ ଭାୟା ସମ୍ବଲପୁର ଏବଂ ତାଳଚେର ରୋଡ୍ ଜୁନାଗଡ଼ ରୋଡ଼ ଠାରୁ 30.06.2022 ପୂର୍ବାହ୍ନ ୧୧ଘଟିକାରେ। ଫେରିବା ମାର୍ଗରେ ଏହି ଟ୍ରେନ୍ ପୁରୀ ଠାରୁ 02.07.2022 ମଧ୍ୟ ରାତ୍ରି ୧୨ଘ.୧୫ମି.ରେ (01.07.2022 ର ମଧ୍ୟରାତ୍ରି) ରେ ଛାଡିବ। ଏଥିରେ ଗୋଟିଏ ଏସି-୨ ଟାୟାର୍, ପାଞ୍ଚଟି ଏସି -3 ଟାୟାର୍, ନଅଟି ସ୍ଲିପର୍ କ୍ଲାସ୍, ଚାରିଟି ସେକେଣ୍ଡ୍ କ୍ଲାସ୍ ସିଟିଂ ଏବଂ 02 ଟି ଗାର୍ଡ ତଥା ଲଗେଜ୍ ଭ୍ୟାନ୍ ଉପଲବ୍ଧ ଅଛି।

08418/08417 ଗୁଣୁପୁର-ପୁରୀ-ଗୁଣୁପୁର ରଥ ଯାତ୍ରା ସ୍ପେଶାଲ ଏକ୍ସପ୍ରେସ 30.06.2022 ରେ ଗୁଣୁପୁର ଠାରୁ ରାତ୍ରି 11ଘ.30ମି.ରେ ଛାଡିବ ଏବଂ ଫେରିବା ମାର୍ଗରେ ଏହା ପୁରୀ ଠାରୁ 02.07.2022 ରାତ୍ରି 01ଘ.45ମି.ରେ (01.07.2022 ର ମଧ୍ୟରାତ୍ରି) ରେ ଛାଡି ଗୁଣୁପୁର ଯାତ୍ରା କରିବ। ଏହି ଟ୍ରେନ ରେ ଗୋଟିଏ ଏସି -3 ଟାୟାର୍, 06 ଟି ସ୍ଲିପର୍ କ୍ଲାସ୍ କୋଚ୍ ଏବଂ 03 ଟି ସେକେଣ୍ଡ୍ କ୍ଲାସ୍ ସିଟିଂ ଏବଂ 02 ଗାର୍ଡ ତଥା ଲଗେଜ୍ ଭ୍ୟାନ୍ ଉପଲବ୍ଧ ଅଛି। ଏହି ଟ୍ରେନ୍ ଖୋର୍ଦ୍ଧା ରୋଡ୍ ଷ୍ଟେସନକୁ ନଯାଇ ଅରୁଗୁଳ-ହରିପୁରଗ୍ରାମ ମାର୍ଗଦେଇ ଯାତାୟାତ କରିବ।

08909/08910 ଜଗଦଳପୁର-ପୁରୀ-ଜଗଦଳପୁର ରଥ ଯାତ୍ରା ବିଶେଷ ଟ୍ରେନ ଭାୟା ବିଜୟନଗରମ ଓ ରାୟଗଡା; ଜଗଦଳପୁର ଠାରୁ 30.06.2022 ସନ୍ଧ୍ୟା ୬ଘ.୩୦ମି.ରେ ଛାଡିବ। ଫେରିବା ମାର୍ଗରେ ଏହା 01.07.2022 ରାତ୍ରି 8 ଘ.05ମି.ରେ ପୁରୀ ଛାଡିବ। ଏହି ଟ୍ରେନରେ ଗୋଟିଏ AC-3 ଟାୟାର, 09 ସ୍ଲିପର୍ କ୍ଲାସ୍, 04 ଟି ସେକେଣ୍ଡ୍ କ୍ଲାସ୍ ସିଟିଂ ଏବଂ 02 ଟି ଗାର୍ଡ ତଥା ଲଗେଜ୍ ଭ୍ୟାନ୍ ଉପଲବ୍ଧ ଅଛି। ଏହି ଟ୍ରେନ୍ ଖୋର୍ଦ୍ଧା ରୋଡ୍ ଷ୍ଟେସନକୁ ନଯାଇ ଅରୁଗୁଳ-ହରିପୁରଗ୍ରାମ ମାର୍ଗଦେଇ ଯାତାୟାତ କରିବ।

02891/02810 ଭୁବନେଶ୍ୱର-ପୁରୀ- ଭୁବନେଶ୍ୱର ରଥ ଯାତ୍ରା ସ୍ପେଶାଲ 1 ଜୁଲାଇ ଠାରୁ 11 ଜୁଲାଇ ମଧ୍ୟରେ ଭୁବନେଶ୍ୱର ଠାରୁ ପୂର୍ବାହ୍ନ 10 ଘ.05ମି.ରେ ଛାଡିବାକୁ ଥିବାବେଳେ ପୁରୀ ଠାରୁ ଏହା ଅପରାହ୍ନ 3ଘ.10ମି.ରେ ଛାଡିବ।

08931/08932 ସମ୍ବଲପୁର-ପୁରୀ-ସମ୍ବଲପୁର ରଥ ଯାତ୍ରାର ସ୍ୱତନ୍ତ୍ର ଟ୍ରେନ ଭାୟା ନରାଜ ମାର୍ଥାପୁର ଏବଂ ତାଳଚେର ରୋଡ୍ ସମ୍ବଲପୁର ଠାରୁ 30.06.2022 ରାତ୍ରି 9 ଘ.30 ମି.ରେ ଛାଡିବ ଏବଂ ଫେରିବା ମାର୍ଗରେ ଏହା ପୁରୀ ଠାରୁ 01.07.2022 ରାତ୍ରି 8 ଘ.25ମି.ରେ ଛାଡିବ। ଏହି ଟ୍ରେନରେ ଗୋଟିଏ AC-3 ଟାୟାର, 02 ସ୍ଲିପର୍ କ୍ଲାସ୍, 10 ସେକେଣ୍ଡ୍ କ୍ଲାସ୍ ସିଟିଂ ଏବଂ 02 ଟି ଗାର୍ଡ ତଥା ଲଗେଜ୍ ଭ୍ୟାନ୍ ଉପଲବ୍ଧ ଅଛି।

ଏହା ବ୍ୟତୀତ ଗୁଣ୍ଡିଚା ଯାତ୍ରା (01.07.2022) ଦିନ ପାରାଦୀପ, କଟକ, ମହିପୁର, ବ୍ରହ୍ମପୁର, ଭଦ୍ରକ, ଖୋର୍ଦ୍ଧା ରୋଡ୍, କେନ୍ଦୁଝରଗଡ଼ ସ୍ଥାନ ମାନଙ୍କ ଠାରୁ ପୁରୀକୁ 10 ଯୋଡି ଟ୍ରେନ୍ (20 ଟି ଟ୍ରିପ୍) ରାଜ୍ୟର ବିଭିନ୍ନ ସ୍ଥାନରୁ ଯାତାୟାତ କରିବ।

ସେହିଭଳି, ସାନ୍ଧ୍ୟା ଦର୍ଶନ ପାଇଁ ଅର୍ଥାତ 8 ଜୁଲାଇ, 2022 ରେ 7 ଯୋଡି ସ୍ପେଶାଲ ଟ୍ରେନ (ମହିପୁରରୁ 3 ଯୋଡ଼ା ଏବଂ ଖୋର୍ଦ୍ଧା ରୋଡରୁ 4 ଯୋଡ଼ା) ପୁରୀ ଏବଂ ଖୋର୍ଦ୍ଧା ରୋଡ଼/ମହୀପୁର ମଧ୍ୟରେ ଚଳାଚଳ କରିବ।

ଏହା ବ୍ୟତୀତ, 08933/08934 ବିଶାଖାପାଟନମ୍-ପୁରୀ-ବିଶାଖାପାଟନମ୍ ସ୍ପେଶାଲ୍ ବିଶାଖାପାଟନମ୍ ଠାରୁ 08.07.2022 ଅପରାହ୍ନ 2ଘ.30ମି.ରେ ଛାଡି ପୁରୀ ଆଡକୁ ଯିବ।  ଫେରିବା ମାର୍ଗରେ, ଏହି ଟ୍ରେନ୍ ପୁରୀଠାରୁ 09.07.2022 ରାତ୍ରି 8ଘ.25ମି.ରେ ଛାଡି ବିଶାଖାପାଟନମ୍ ଅଭିମୁଖେ ଯାତ୍ରା କରିବ।

08937/08938 ଜୁନାଗଡ ରୋଡ୍-ପୁରୀ-ଜୁନାଗଡ ରୋଡ୍ ସ୍ପେଶାଲ୍ ଜୁନାଗଡ ରୋଡ଼ ଠାରୁ 08.07.2022 ପୂର୍ବାହ୍ନ 11ଘଟିକାରେ ଛାଡି ପୁରୀ ଯିବ। ଫେରିବା ମାର୍ଗରେ ଏହି ଟ୍ରେନ୍ ପୁରୀ ଠାରୁ 09.07.2022 ସନ୍ଧ୍ୟା ୭ଘଟିକାରେ ଛାଡି ଜୁନାଗଡ ରୋଡ୍ ଯାତ୍ରା କରିବ।

08945/08946 ସମ୍ବଲପୁର-ପୁରୀ- ସମ୍ବଲପୁର ସ୍ପେଶାଲ ସମ୍ବଲପୁର ଠାରୁ 08.07.2022 ରାତ୍ରି ୯ଘ.୩୦ମିରେ ଛାଡି ପୁରୀ ଯିବ। ଫେରିବା ମାର୍ଗରେ ଏହା 09.07.2022 ରାତ୍ରି 11ଘ.15ମିରେ ପୁରୀ ଠାରୁ ଛାଡି ସମ୍ବଲପୁର ଅଭିମୁଖେ ଯାତ୍ରା କରିବ।

08941/08942 ଗୁଣୁପୁର-ପୁରୀ-ଗୁଣୁପୁର ସ୍ପେଶାଲ୍ ଗୁଣୁପୁର ଠାରୁ 09.07.2022 ଭୋର 3ଘ.15ମିରେ ଛାଡି ପୁରୀ ଆଡକୁ ଯିବ। ଫେରିବା ମାର୍ଗରେ ଏହା ପୁରୀକୁଠାରୁ 09.07.2022 ରାତ୍ରି 8ଘ.40ମି.ରେ ଛାଡି ଗୁଣୁପୁର ଅଭିମୁଖେ ଯାତ୍ରା କରିବ।

9 ଜୁଲାଇ, 2022 ବାହୁଡା ଯାତ୍ରାରେପାରାଦୀପ, ମହିପୁର, କଟକ, ବ୍ରହ୍ମପୁର, ଭଦ୍ରକ, ଖୋର୍ଦ୍ଧା ରୋଡ୍, କେନ୍ଦୁଝରଗଡ଼ ଠାରୁ 10 ଯୋଡି ସ୍ୱତନ୍ତ୍ର ଟ୍ରେନ୍ ପୁରୀ ଯାତ୍ରା କରି ପୁଣି ଫେରିବ।

ସୁନାବେଶ ଦିବସରେ, 10 ଜୁଲାଇ, 2022 ରେ ପାରାଦୀପ, ମହିପୁର, କଟକ, ବ୍ରହ୍ମପୁର, ଭଦ୍ରକ, ଖୋର୍ଦ୍ଧା ରୋଡ୍, କେନ୍ଦୁଝରଗଡ଼ ଠାରୁ 11 ଯୋଡି ସ୍ୱତନ୍ତ୍ର ଟ୍ରେନ୍ ପୁରୀ ଯାତ୍ରା କରି ପୁଣି ଫେରିବ।

08971/08972 ଜୁନାଗଡ ରୋଡ୍-ପୁରୀ-ଜୁନାଗଡ ରୋଡ୍ ସ୍ପେସିଆଲ୍ 10.07.2022 ଦିନ ଜୁନାଗଡ ରୋଡ୍ ଠାରୁ ଭୋର 5ଘ.30ମି.ରେ ଛାଡି ପୁରୀ ଯାତ୍ରା କରିବ। ଫେରିବ ମାର୍ଗରେ ଏହା 11.07.2022 ଦିନ ପୁରୀ ଠାରୁ 0015 ଘଣ୍ଟା ରେ (10.07.2022 ମଧ୍ୟରାତ୍ରି) ଜୁନାଗଡ ରୋଡ୍ ଅଭିମୁଖେ ଯାତ୍ରା କରିବ।

08957/08958 ଗୁଣୁପୁର-ପୁରୀ-ଗୁଣୁପୁର ସ୍ପେଶାଲ 10.07.2022 ଭୋର 04ଘ.30ମି.ରେ ଗୁଣୁପୁର ଠାରୁ ଛାଡି ପୁରୀ ଆଡକୁ ଯିବ। ଫେରିବ ମାର୍ଗରେ ଏହି ଟ୍ରେନ୍ ପୁରୀ ଠାରୁ 10.07.2022 ରାତ୍ରି 8ଘଟିକାରେ ଛାଡି ଗୁଣୁପୁର ଅଭିମୁଖେ ଯାତ୍ରା କରିବ।

08979/08980 ସମ୍ବଲପୁର-ପୁରୀ- ସମ୍ବଲପୁର ସ୍ପେଶାଲ ସମ୍ବଲପୁର ଠାରୁ 10.07.2022 ସକାଳ ୮ ଘଟିକାରେ ଛାଡି ପୁରୀ ଯାତ୍ରା କରିବ। ଫେରିବ ମାର୍ଗରେ ଏହି ଟ୍ରେନ ପୁରୀ ଠାରୁ 11.07.2022 ରାତ୍ରି 2ଘଟିକାରେ (10.07.2022 ମଧ୍ୟ ରାତ୍ରି) ରେ ସମ୍ବଲପୁର ଅଭିମୁଖେ ଯାତ୍ରା କରିବ।

08975/08976 ବିଶାଖାପାଟନମ୍-ପୁରୀ-ବିଶାଖାପାଟନମ୍ ସ୍ପେଶାଲ୍ ବିଶାଖାପାଟନମ୍ ଠାରୁ 10.07.2022 ସକାଳ 6ଘ.30ମି.ରେ ଛାଡି ପୁରୀ ଅଭିମୁଖେ ଯାତ୍ରା କରିବ। ଫେରିବ ଦିଗରେ ଏହି ଟ୍ରେନ୍ ପୁରୀ ଠାରୁ 11.07.2022 ରାତ୍ରି 1ଘଟିକାରେ (10.07.2022 ମଧ୍ୟ ରାତ୍ରି) ଛାଡି ବିଶାଖାପାଟନମ୍ ଅଭିମୁଖେ ଯାତ୍ରା କରିବ।

ସୁନାବେଶ ପରଦିନ ଅର୍ଥାତ 11 ଜୁଲାଇ, 2022 ରେ 6 ଟି ସ୍ୱତନ୍ତ୍ର ଟ୍ରେନ୍ ପୁରୀରୁ ଗୁଣୁପୁର, ରାୟାଗଡା, ଭଦ୍ରକ, ବିଶାଖାପାଟନମ୍, କେନ୍ଦୁଝରଗଡ ଏବଂ ମହିପୁର ଅଭିମୁଖେ ଯାତ୍ରା କରିବ ଏବଂ ଏକ ସ୍ୱତନ୍ତ୍ର ଟ୍ରେନ୍ କେନ୍ଦୁଝରଗଡରୁ ପୁରୀ ପର୍ଯ୍ୟନ୍ତ ଚାଲିବ। 08983 ପୁରୀ-ସମ୍ବଲପୁର ସ୍ପେଶାଲ ପୁରୀ ଠାରୁ 11.07.2022 ମଧ୍ୟାହ୍ନ 12 ଘଟିକା ସମୟରେ ପୁରୀ ଛାଡି ସମ୍ବଲପୁର ଅଭିମୁଖେ ଯାତ୍ରା କରିବ।

ଜୁଲାଇ 2 ରୁ 7 ଜୁଲାଇ, 2022 ପର୍ଯ୍ୟନ୍ତ ତିନି ଯୋଡା ବିଶେଷ ଟ୍ରେନ ଖୋର୍ଦ୍ଧା ରୋଡ୍ ଏବଂ ପୁରୀ ମଧ୍ୟରେ ଚଳାଚଳ କରିବାକୁ ଥିବାବେଳେ ଦୁଇଯୋଡ଼ା ମହିପୁର ଏବଂ ପୁରୀ ମଧ୍ୟରେ ଚଳାଚଳ କରିବ। ଯାତ୍ରୀ/ଭକ୍ତ ମାନଙ୍କ ଚାହିଦାକୁ ଦୃଷ୍ଟିରେ ରଖି ରଥ ଯାତ୍ରା ଅବଧି ମଧ୍ୟରେ ଆହୁରି ବିଶେଷ ଟ୍ରେନ ଚଳାଚଳ କରାଇବାପାଇଁ ପୂର୍ବତଟ ରେଳପଥ ମଧ୍ୟ ଯୋଜନା କରିଛି।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ତଥ୍ୟ ପ୍ରଡକ୍ସନ୍ ଦ୍ଵାରା ପ୍ରସ୍ତୁତ ନୂଆ ଓଡିଆ ଚଳଚ୍ଚିତ୍ର “ବିଦ୍ୟାରାଣ”, ଜୁଲାଇ ୧ ରଥ ଯାତ୍ରାରେ କରିବ ମୁକ୍ତିଲାଭ

ଭୁବନେଶ୍ବର: ତଥ୍ୟ ପ୍ରଡକ୍ସନ୍ ଦ୍ଵାରା ଚଳଚ୍ଚିତ୍ର ‘ବିଦ୍ୟାରାଣ’ ପ୍ରସ୍ତୁତ କରାଯାଇଛି। ରଜ ଅବସରରେ ଭୁବନେଶ୍ୱରର ଏକ ତାରକା ହୋଟେଲ ପରିସରରେ ବର୍ଣ୍ଣାଢ଼୍ୟ ପରିବେଶରେ ଏହାର ସଙ୍ଗୀତ ଲୋକାର୍ପିତ ହେଇଛି। ଏଥର ରଥଯାତ୍ରାରେ ଏହି ଓଡିଆ ଚଳଚ୍ଚିତ୍ର “ବିଦ୍ୟାରାଣ” ମୁକ୍ତିଲାଭ କରିବ। ଏନେଇ ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି।

ନିରଞ୍ଜନ ନାୟକ ଏହାର ପ୍ରଯୋଜନା କରିଛନ୍ତି। କାହାଣୀ ପରିକଳ୍ପନା ସହ ଜ୍ୟୋତି ଦାସ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି। ପୂର୍ବରୁ ନିର୍ଦ୍ଦେଶକ ଜ୍ୟୋତି ଦାସଙ୍କ ସହିତ ଶିବାନୀ କାମ କରିଛନ୍ତି। ମାତ୍ର ବାବୁସାନ୍‌ ପ୍ରଥମ ଥର ପାଇଁ ଜ୍ୟୋତିଙ୍କ ନିର୍ଦ୍ଦେଶନାରେ ଅଭିନୟ କରିଛନ୍ତି। ଏହି ଚଳଚ୍ଚିତ୍ରର ସଂଳାପ ଲେଖିଛନ୍ତି ବାପୁ ଗୋସ୍ବାମୀ। ପୁଣି ବାପୁଙ୍କ ସହ ଗୀତ ରଚନା କରିଛନ୍ତି ନିର୍ମଳ ନାୟକ ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବୈଦ୍ୟନାଥ ଦାଶ।

କଣ୍ଠଦାନ କରିଛନ୍ତି ବାବୁସାନ୍, ଅସୀମା ପଣ୍ଡା, ସ୍ବୟମ୍ ପାଢ଼ୀ, ଅନନ୍ୟା, ଲିପ୍ସା, ଗୌରବ ଏବଂ ହ୍ୟୁମାନ ସାଗର। ଫିଲ୍ମରେ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକାର ଅଭିନୟ କରିଛନ୍ତି ଉତ୍ତମ ମହାନ୍ତି, ସାହେବ ସିଂହ, ରାଜା, ସୁଜିତ, ପୁପୁଲ ଭୂୟାଁ, ପ୍ରିୟଙ୍କା, ପିୟୁଷ, ବିଭୁ, ମାନ୍ୟତା ଏବଂ ଆଉ ଅନେକ କଳାକାର।

ଆକ୍ସନ୍, ରୋମାନ୍ସ ଓ ପାରିବାରିକ ଆବେଗ ଥିବା ଏହି ଚଳଚ୍ଚିତ୍ରଟି ଦର୍ଶକଙ୍କୁ ଭରପୂର ମନୋରଞ୍ଜନ ଦେବ ବୋଲି ଏହାର କ୍ରିଏଟିଭ୍ ହେଡ୍‌ ପ୍ରଣୟ ଜେଠୀ କହିଛନ୍ତି।

ଏହାର ସଙ୍ଗୀତ ଲୋକାର୍ପଣ ଉତ୍ସବରେ ଚଳଚ୍ଚିତ୍ର ସହ ସଂପୃକ୍ତ କଳାକାର, ଗୀତିକାର, ସଙ୍ଗୀତ ନିର୍ଦ୍ଦେଶକ ଓ କଣ୍ଠଶିଳ୍ପୀ ଉପସ୍ଥିତ ଥିଲେ। ଏହି ଫିଲ୍ମର ସବୁଯାକ ଗୀତଦୃଶ୍ୟ ଆମର ମ୍ୟୁଜିକ୍ ୟୁଟ୍ୟୁବ୍‌ ଚ୍ୟାନେଲରେ ଦେଖିବାକୁ ମିଳୁଛି।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ରଥ ଯାତ୍ରାକୁ ଆସିବ ନୂଆ ଓଡିଆ ଚଳଚ୍ଚିତ୍ର “ଲାଗେ ପ୍ରେମ ନଜର”

ଭୁବନେଶ୍ବର: ଚଳିତ ବର୍ଷ ରଥଯାତ୍ରାରେ ବହୁ ପ୍ରତୀକ୍ଷିତ ଓଡିଆ ଚଳଚ୍ଚିତ୍ର ‘ଲାଗେ ପ୍ରେମ ନଜର’ ରିଲିଜ ହେବାକୁ ଯାଉଛି। ନିକଟରେ ଏହାର ମ୍ୟୁଜିକ ରିଲିଜ୍ ହୋଇଯାଇଛି। ସିନେମାର କଳାକାର ଓ କ୍ରିଉକୁ ନେଇ ମ୍ୟୁଜିକ ରିଲିଜ୍ ହୋଇଥିବା ବେଳେ ରଥଯାତ୍ରାରେ ଏହାର ଶୁଭମୁକ୍ତି ହେବ ବୋଲି ପ୍ରଯୋଜନା ସଂସ୍ଥା ଘୋଷଣା କରିଛି।

ତ୍ରିକୋଣୀୟ ପ୍ରେମ କାହାଣୀକୁ ନେଇ ନିର୍ମିତ ଏହି ସିନେମାରେ ନାୟକ ରହିଛନ୍ତି ଅମ୍ଳାନ ଓ ତାଙ୍କ ସହ ରିୟା, ପ୍ରିୟା, ରାଗିଣୀ। ବିବାହ ପରେ ଓଲିଉଡରୁ ଏକପ୍ରକାର ଦୂରେଇ ଯାଇଥିବା ଚୁଲବୁଲି ଅଭିନେତ୍ରୀ ପ୍ରିୟା ଚୌଧୁରୀ ଏହି ସିନେମାରେ କମବ୍ୟାକ୍ କରିଛନ୍ତି। ଅନେକ ଦିନ ପରେ ଅମ୍ଳାନଙ୍କ ସହ ରିୟାଙ୍କ ଅନସ୍କ୍ରିନ୍ ରୋମାନ୍ସ ଓଡିଆ ଦର୍ଶକଙ୍କୁ ମତୁଆଲା କରିବ। ସେହିଭଳି ବଙ୍ଗୀୟ ସୁନ୍ଦରୀ ରାଗିଣୀ ଅନ୍ୟତମ ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ବବି ମିଶ୍ର, ପପି ସନ୍ତୁକା, ଅମର, ବାପି, ରିପନ, ବିନୋଦ, ଅଜୟ ପ୍ରଧାନ, ଧାରାଶ୍ରୀ ପ୍ରମୁଖ ନଜର ଆସିଛନ୍ତି।

ଖଗେଶ୍ୱର ଶେଜପଡାଙ୍କ କାହାଣୀକୁ ଆଧାର କରି ଚିନ୍ମୟ ଦାସପଟ୍ଟନାୟକ ସଂଳାପ ଲେଖିଛନ୍ତି। ପ୍ରଯୋଜନା ଭାର ବ୍ୟୋମକେଶ ତୁଲାଇଥିବା ବେଳେ ଏସ ଦିଲିପ୍ ପଣ୍ଡା ନିର୍ଦ୍ଦେଶନା ଦେଇଛନ୍ତି। ପ୍ରଣୟ ଜେଠୀ ଅଛନ୍ତି ଏହାର କ୍ରିଏଟିଭ ହେଡ।

ଚଳଚ୍ଚିତ୍ରର ଟ୍ରେଲର ଅଧିକ ଲୋକପ୍ରିୟତା ହାସଲ କରିସାରିଛି। ସଂପୂର୍ଣ୍ଣ ଚଳଚ୍ଚିତ୍ର ଟି ନିଶ୍ଚୟ ଦର୍ଶକମାନଙ୍କ ଦ୍ଵାରା ଆଦୃତ ହେବ ବୋଲି ପ୍ରଯୋଜନା ସଂସ୍ଥାର ସିଇଓ ରୂପାଲି ଦ୍ବିବେଦୀ ଆଶାବାଦୀ।

ବୈଦ୍ୟନାଥ ଦାସଙ୍କ ସିନେମାର ସଂଗୀତ ସଜାଇଥିବା ବେଳେ ହ୍ୟୁମାନ ସାଗର, କୁଲଦୀପ, ଗୌରବ, ଅସୀମା ପଣ୍ଡା, ଅର୍ପିତା ଚୌଧୁରୀ, ଦିପ୍ତୀରେଖା ପାଢ଼ୀ ଓ ଅନନ୍ୟା ଶ୍ରୀତମ ନନ୍ଦ ପ୍ରମୁଖ କଣ୍ଠଦାନ କରିଛନ୍ତି।

ଏଠାରେ ସୂଚନାଯୋଗ୍ୟ ଯେ ଚଳଚ୍ଚିତ୍ର ଲାଗେ ପ୍ରେମ ନଜରର ଗୀତ ଓ ଭିଡିଓ ଆମରା ମ୍ୟୁଜିକ ୟୁଟୁବ୍ ଚ୍ୟାନେଲରେ ପ୍ରଚାରିତ ହୋଇ ଲୋକପ୍ରିୟତା ହାସଲ କରିସାରିଛି।

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ ଧର୍ମ

ରଥ ଯାତ୍ରାରେ ଅଂଶଗ୍ରହଣ କଲେ ମିଳିବ ୧୦୦ ଯଜ୍ଞର ପୂଣ୍ୟ, ଜାଣନ୍ତୁ କେବେ ଆରମ୍ଭ ହେବ ବିଶ୍ଵ ପ୍ରସିଦ୍ଧ ପର୍ବ

ଭୁବନେଶ୍ଵର: ପୁରୀର ଜଗନ୍ନାଥ ମନ୍ଦିର ହେଉଛି ଭାରତର ଚାରୋଟି ପବିତ୍ର ଧାମ ମଧ୍ୟରୁ ଅନ୍ୟତମ। ଜଗନ୍ନାଥ ଅର୍ଥ ଜଗତର ପ୍ରଭୁ। ଭଗବାନ ଜଗନ୍ନାଥ ଶ୍ରୀ ହରି ବିଷ୍ଣୁଙ୍କ ଅବତାର ଶ୍ରୀକୃଷ୍ଣଙ୍କ ରୂପ ବୋଲି ବିବେଚନା କରାଯାଏ। ପ୍ରତିବର୍ଷ ପୁରୀରେ ଏକ ବଡ଼ ଜଗନ୍ନାଥ ରଥ ଯାତ୍ରା ଅତି ଉତ୍ସାହର ସହିତ ହୋଇଥାଏ। ଏଥର ରଥ ଯାତ୍ରା ଆଶାଢ ମାସ ଶୁକ୍ଲ ପକ୍ଷର ଦ୍ୱିତୀୟା ତିଥି ଅର୍ଥାତ ଜୁଲାଇ ୧ ତାରିଖ ୨୦୨୨ ରୁ ଆରମ୍ଭ ହେବ।

ବିଶ୍ଵ ପ୍ରସିଦ୍ଧ ରଥ ଯାତ୍ରା ସମୟରେ ପ୍ରଭୁ ଜଗନ୍ନାଥ, ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କ ପ୍ରତିମା ତିନୋଟି ଭିନ୍ନ ଭିନ୍ନ ଈଶ୍ୱରୀୟ ରଥରେ ଯାତ୍ରା କରନ୍ତି। ଏହି ଯାତା ପୁରା ୧୦ ଦିନ ପାଇଁ ପାଳନ କରାଯାଏ। ରଥରେ ପ୍ରଭୁ ଜଗନ୍ନାଥଙ୍କୁ ଗୁଣ୍ଡିଚା ମାତା ମନ୍ଦିରକୁ ନିଆଯାଏ। ଯେଉଁଠାରେ ମହାପ୍ରଭୁ ୭ ଦିନ ବିଶ୍ରାମ କରନ୍ତି। ଏହା ପରେ ମହାପ୍ରଭୁ ଜଗନ୍ନାଥଙ୍କ ବାହୁଡା ଯାତ୍ରା ଆରମ୍ଭ ହୁଏ।

ଯାତ୍ରାରେ ଅଂଶଗ୍ରହଣ କରୁଥିବା ବ୍ୟକ୍ତି ପୂଣ୍ୟ ପାଇଥାନ୍ତି:

ଭଗବାନ ଜଗନ୍ନାଥ, ତାଙ୍କ ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରା ହେଉଛନ୍ତି ରଥଯାତ୍ରାର ମୁଖ୍ୟ ଦେବତା। ଏହି ରଥ ଯାତ୍ରାରେ ଯେଉଁ ଭକ୍ତମାନେ ଅଂଶଗ୍ରହଣ କରନ୍ତି ଏବଂ ଭଗବାନଙ୍କ ରଥ ଟାଣନ୍ତି, ତା’ପରେ ସେମାନେ ୧୦୦ ଯଜ୍ଞର ପୂଣ୍ୟ କରିବାର ଫଳାଫଳ ପାଆନ୍ତି।

କୁହାଯାଏ ଯେ, ଏହି ଯାତ୍ରାରେ ଯେଉଁମାନେ ଅଂଶଗ୍ରହଣ କରନ୍ତି ସେମାନେ ମୋକ୍ଷ ପ୍ରାପ୍ତ ହୁଅନ୍ତି। ଏହି ଯାତ୍ରାରେ ଯୋଗଦେବା ପାଇଁ ଦେଶର ବିଭିନ୍ନ ସ୍ଥାନରୁ ଭକ୍ତମାନେ ଏଠାରେ ପହଞ୍ଚିଥାନ୍ତି। ସ୍କନ୍ଦ ପୁରାଣରେ ଏହା ବର୍ଣ୍ଣନା କରାଯାଇଛି ଯେ, ଆଶାଢ ମାସରେ ପୁରୀ ଶ୍ରୀକ୍ଷେତ୍ରରେ ସ୍ନାନ କରିବା ଦ୍ୱାରା ସମସ୍ତ ତୀର୍ଥସ୍ଥାନ ପରିଦର୍ଶନ କରିବାର ଉତ୍ତମ ଫଳ ମିଳିଥାଏ ଏବଂ ଭକ୍ତ ଶିବଲୋକ ପ୍ରାପ୍ତ କରନ୍ତି।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର ସଂସ୍କୃତି

ରେଢ଼ାଖୋଲରୁ ବିଶ୍ବପ୍ରସିଦ୍ଧ ରଥଯାତ୍ରା ରଥ ନିର୍ମାଣ ପାଇଁ ପ୍ରଥମ ଥର ପଠାଗଲା ୬୧ ଖଣ୍ତ ଧଉରା କାଠ

କନ୍ଦର୍ପ ବେହେରା
ରେଢ଼ାଖୋଲ: ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରାର ରଥ ନିର୍ମାଣ ପାଇଁ ରେଢ଼ାଖୋଲ ଜଙ୍ଗଲରୁ ପ୍ରଥମଥର ପାଇଁ ଧଉରା କାଠ ଏକ ଟ୍ରକ୍ ରେ ଆଜି ପଠାଯାଇଛି।

ରେଢ଼ାଖୋଲ ବନଖଣ୍ଡ ବୁର୍ଡା ପଂଚାୟତର ଜଙ୍ଗଲରୁ ୬୧ ଖଣ୍ଡ ୧୨ ଫୁଟିଆ ଧଉରା କାଠ ପଠାଯାଇଛି। ବନବିଭାଗର ପଦସ୍ଥ ଅଧିକାରୀ ମାନଙ୍କ ସମେତ ରେଢ଼ାଖୋଲର ବୁଦ୍ଧିଜୀବି, ସାମ୍ବାଦିକ, ରାଜନୈତିକ ବ୍ୟକ୍ତିବିଶେଷ ଉପସ୍ଥିତ ରହି କାଠ ସବୁକୁ ପୂଜାର୍ଚ୍ଚନା କରି ଟ୍ରକ୍ ରେ ଲୋଡ଼୍ କରି ହୁଳହୁଳି, ହରିବୋଲ ଦେଇ ପଠାଯାଇଥିଲା।

ଏହି ବିଶ୍ବପ୍ରସିଦ୍ଧ ରଥ ଯାତ୍ରାର ରଥ ନିର୍ମାଣ ପାଇଁ ପ୍ରଥମ ଥର ପାଇଁ ରେଢ଼ାଖୋଲ ଜଙ୍ଗଲରୁ ୬୧ ଖଣ୍ଡ ଧଉରା କାଠ ପୁରୀକୁ ପଠାଯିବା ପ୍ରଥମ ଘଟଣା।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ରଥଯାତ୍ରା ଭଳି ଏଥର ବିନା ଭକ୍ତରେ ହେବ ଦେବସ୍ନାନ ପୂର୍ଣ୍ଣିମା: ଜୁଲାଇ ୨୫ ଯାଏଁ ମହାପ୍ରଭୁଙ୍କ ଦର୍ଶନ ମନା

ପୁରୀ: ଚଳିତ ବର୍ଷ ରଥ ଯାତ୍ରା ଭଳି ଦେବସ୍ନାନ ପୂର୍ଣ୍ଣିମା ମଧ୍ୟ ବିନା ଭକ୍ତରେ ଅନୁଷ୍ଠିତ ହେବ। ଆଜି ମୁଖ୍ୟ ପ୍ରଶାସକ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା।

ଏହି ବୈଠକରେ ବିନା ଭକ୍ତରେ ଦେବସ୍ନାନ ପୂର୍ଣ୍ଣିମା ଆୟୋଜନ କରିବାକୁ ନିଷ୍ପତ୍ତି ହୋଇଛି। ଏହାସହ ଜୁଲାଇ ୨୫ ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିର ବନ୍ଦ ରହିବା ନେଇ ନିଷ୍ପତ୍ତି ହୋଇଛି। ଜୁଲାଇ ୨୫ ତାରିଖ ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କୁ ମହାପ୍ରଭୁଙ୍କ ଦର୍ଶନ ଉପରେ ରୋକ ଲଗାଯାଇଛି। ରଥ ଯାତ୍ରା ପରେ ମହାପ୍ରଭୁଙ୍କ ଦର୍ଶନ ଉପରେ ନିଷ୍ପତ୍ତି ନିଆଯିବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରୀଷନ କୁମାର ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବିନା ଭକ୍ତରେ ହେବ ବିଶ୍ଵ ପ୍ରସିଦ୍ଧ ରଥ ଯାତ୍ରା: ପୁରୀ ବ୍ୟତୀତ ରାଜ୍ୟର ସବୁ ମନ୍ଦିରରେ କେବଳ ନୀତିକାନ୍ତି

ଭୁବନେଶ୍ବର: ରାଜ୍ୟରେ କରୋନା ସ୍ଥିତିକୁ ନେଇ ସ୍ଵତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଆଜି ଏକ ପ୍ରେସ ବିବୃତ୍ତି ରଖିଛନ୍ତି। ଗତ ବର୍ଷ ଭଳି ଏବର୍ଷ ମଧ୍ୟ ବିନା ଭକ୍ତରେ ରଥ ଯାତ୍ରା ଅନୁଷ୍ଠିତ ହେବ। ପୁରୀ ବ୍ୟତୀତ ରାଜ୍ୟରେ ସବୁ ମନ୍ଦିରରେ ରଥଯାତ୍ରା ବନ୍ଦ ରହିବ। ସବୁ ମନ୍ଦିରରେ କେବଳ ନୀତିକାନ୍ତି ପାଇଁ ଅନୁମତି ରହିଛି।

ତେବେ ପୁରୀରେ ଯେଉଁ ସେବାୟତମାନେ ରଥ ଯାତ୍ରାରେ ସାମିଲ ହେବେ, ସେମାନେ ଦୁଇ ଡୋଜ ଟୀକା ନେଇଥିବା ଆବଶ୍ୟକ। ଏବଂ ଆରଟିପିସିଆର ଟେଷ୍ଟ ରିପୋର୍ଟରେ ନେଗେଟିଭ ସେବାୟତଙ୍କୁ ରଥଯାତ୍ରାରେ ଅନୁମତି ମିଳିବ। ରଥଯାତ୍ରା ସମୟରେ କରୋନା କଟକଣାକୁ ମାନିବା ପାଇଁ ବାଧ୍ୟତାମୂଳକ କରାଯାଇଛି। ସମସ୍ତେ ସାମାଜିକ ଦୁରତ୍ଵ ଏବଂ ମାସ୍କ ପରିଧାନ କରିବା ଅନିବାର୍ଯ୍ୟ।