Categories
ବିଶେଷ ଖବର ବ୍ୟବସାୟ

ରନ୍ଧନ ଗ୍ୟାସର ମୂଲ୍ୟ ବୃଦ୍ଧିକୁ ନେଇ ନିଜ ସରକାରକୁ ଟାର୍ଗେଟ କଲେ ବିଜେପି ସାଂସଦ ବରୁଣ ଗାନ୍ଧୀ

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ବୃଦ୍ଧି ପାଉଥିବା ପେଟ୍ରୋଲିୟମ ଉତ୍ପାଦ ମୂଲ୍ୟକୁ ନେଇ ନିଜ ସରକାରକୁ ଉତ୍ତରପ୍ରଦେଶର ପିଲିଭୀତରୁ ବିଜେପି ସାଂସଦ ବରୁଣ ଗାନ୍ଧୀ ଟାର୍ଗେଟ କରିଛନ୍ତି। ଦୀର୍ଘ ଦିନ ଧରି ବରୁଣ ଗାନ୍ଧୀ ସାଧାରଣ ଜନତାଙ୍କ ପ୍ରଶ୍ନ ଉଠାଇ ନିଜ ସରକାରକୁ ଆକ୍ରମଣ କରୁଥିବାର ନଜର ଆସିଛନ୍ତି। ଏହି କ୍ରମରେ, ବର୍ତ୍ତମାନ ଏଲପିଜି ମୂଲ୍ୟ ବୃଦ୍ଧି ହେତୁ ସେ ଗରିବ ଲୋକଙ୍କ ଅବସ୍ଥା ବିଷୟରେ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରୁଥିବା ଦେଖିବାକୁ ମିଳିଛି।

ବରୁଣ ଗାନ୍ଧୀ ତାଙ୍କ ନୂତନ ଟ୍ୱିଟରେ ଲେଖିଛନ୍ତି ଯେ, ‘ଚୁଲିରେ କାଠ ଏବଂ ନାଲି ସିଲିଣ୍ଡର ସାଜସଜ୍ଜାର ବସ୍ତୁ ହୋଇ ରହିଛି, ମାସ ମାସ ଧରି ଗ୍ୟାସ ପାସବୁକ୍ ପୃଷ୍ଠାରେ କୌଣସି ପ୍ରବେଶ କରାଯାଇ ନାହିଁ। ଏହା ହେଉଛି ଲକ୍ଷ ଲକ୍ଷ ମହିଳାଙ୍କ ଯନ୍ତ୍ରଣା, ଯାହାକୁ ଆମେ ‘ଧୂଆଁରୁ ମୁକ୍ତି’ର ସ୍ୱପ୍ନ ଦେଖାଇଥିଲୁ।

ବାସ୍ତବରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଉଜ୍ଜଳା ଯୋଜନା ଅଧୀନରେ ଦେଶର ଅନେକ ଗରିବ ପରିବାରକୁ ଗ୍ୟାସ ସଂଯୋଗ ଯୋଗାଇ ଦିଆଯାଇଥିଲା। କିନ୍ତୁ କ୍ରମାଗତ ଭାବେ ବଢୁଥିବା ମୁଦ୍ରାସ୍ଫୀତି ଏବଂ ଏଲପିଜି ମୂଲ୍ୟ ଯୋଗୁଁ, ବର୍ତ୍ତମାନ ସିଲିଣ୍ଡର ଭରିବା ଗରିବ ଲୋକଙ୍କ ପାଖରେ ଅସମ୍ଭବ ହୋଇପଡିଛି।

ନିକଟରେ ବରୁଣ ଗାନ୍ଧୀ ଏ ସମ୍ପର୍କରେ ଆଉ ଏକ ଟୁଇଟ୍ କରିଥିଲେ। ଯେଉଁଥିରେ ସେ ଲେଖିଥିଲେ ଯେ ‘ଘରୋଇ ସିଲିଣ୍ଡର ବର୍ତ୍ତମାନ ୧୦୫୦ ଟଙ୍କାରେ ଉପଲବ୍ଧ ହେବ! ଯେତେବେଳେ ଦେଶରେ ବେରୋଜଗାରର ଶିଖରରେ ଅଛି, ସେତେବେଳେ ଭାରତୀୟମାନେ ସମଗ୍ର ବିଶ୍ୱରେ ସବୁଠାରୁ ଦାମୀ ଏଲପିଜି କିଣୁଛନ୍ତି। ସଂଯୋଗ ମୂଲ୍ୟ ୧୪୫୦ ରୁ ୨୨୦୦ ଟଙ୍କାକୁ ବୃଦ୍ଧି ପାଇଛି, ସୁରକ୍ଷା ୨୯୦୦ ରୁ ୪୪୦୦କୁ ବୃଦ୍ଧି ପାଇଛି, ଏପରିକି ନିୟାମକ ୧୦୦ ଟଙ୍କା ବ୍ୟୟବହୁଳ ହୋଇପଡିଛି। ଗରିବଙ୍କ ରୋଷେଇ ଘର ପୁଣି ଧୂଆଁରେ ପରିପୂର୍ଣ୍ଣ ହେଉଛି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

BREAKING: ରନ୍ଧନ ଗ୍ୟାସ ମୂଲ୍ୟ ସିଲିଣ୍ଡର ପିଛା ୨୦୦ ଟଙ୍କା କମିଲା

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର ଦିନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଉଜୱାଲା ଯୋଜନାର ନଅ କୋଟିରୁ ଅଧିକ ହିତାଧିକାରୀଙ୍କୁ ସରକାର ଏଲପିଜି ସିଲିଣ୍ଡର ପିଛା ୨୦୦ ଟଙ୍କା ସବସିଡି ପ୍ରଦାନ କରିବେ।

ପ୍ରତିବର୍ଷ ସର୍ବାଧିକ ୧୨ ସିଲିଣ୍ଡର ପାଇଁ ସବସିଡି ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି। ମହାମାରୀ ଏବଂ ୟୁକ୍ରେନରେ ଯୁଦ୍ଧ ହେତୁ ଭାରତରେ ମୂଲ୍ୟ ବୃଦ୍ଧି ଏବଂ ମୁଦ୍ରାସ୍ଫୀତିର ମୁକାବିଲା ପାଇଁ ଏହା ଅନେକ ବଡ ଟିକେଟ୍ ପଦକ୍ଷେପଗୁଡିକର ଏକ ଅଂଶ ଥିଲା, ଯାହା ସାରା ବିଶ୍ୱରେ ତ କ୍ଟସକ୍ଷ ଳ ଏବଂ ଖାଦ୍ୟ ମୂଲ୍ୟରେ ବୃଦ୍ଧି ଘଟାଇଛି।

Categories
ଆଜିର ଖବର ରାଜ୍ୟ ଖବର

ରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତିବାଦ: ଟାଙ୍ଗୀରେ ଗର୍ଜିଲା ବିଜୁ ଜନତା ଦଳ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଦିନକୁ ଦିନ ବେଲଗାମ୍ ହେବାରେ ଲାଗିଛି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ସହ ରନ୍ଧନ ଗ୍ୟାସର ଦର। ରନ୍ଧନ ଗ୍ୟାସର ଦର ହଜାର ଟଙ୍କା ଛୁଇଁ ଲାଣି। ଯାହାକି ମଧ୍ୟବିତ୍ତ ପରିଵାରର ଆର୍ଥିକ ମେରୁଦଣ୍ଡକୁ ହଲାଇ ଦେଉଛି। ଏହି ଦର ବୃଦ୍ଧିକୁ ନେଇ ଓଡିଶାରେ ଯୁବ, ମହିଳା, ଛାତ୍ର ବିଜୁ ଜନତା ଦଳ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ଷୋଭ କରାଯାଉଛି।

ଏହି ପ୍ରରିପ୍ରେକ୍ଷୀରେ ଖୋର୍ଦ୍ଧା ଯୁବ, ମହିଳା, ଛାତ୍ର ବିଜୁ ଜନତା ଦଳ ପକ୍ଷରୁ ଆଜି ଟାଙ୍ଗୀ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରାଯାଇଛି। ଖୋର୍ଦ୍ଧା ବିଧାୟକ ଜିତୁ ମିତ୍ରଙ୍କ ନେତୃତ୍ଵରେ ହଜାର ହଜାର କର୍ମୀ ମାନେ କେନ୍ଦ୍ର ସରକାର ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। କେନ୍ଦ୍ର ସରକାର ତୁରନ୍ତ ରନ୍ଧନ ଗ୍ୟାସ ଦର କମାଇବାକୁ ଦଳର କାର୍ଯ୍ୟକର୍ତ୍ତାମାନେ ଦାବି କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ରାଜ୍ୟ ସଭା ସାଂସଦ ମୁନ୍ନା ଖାଁ ଯୋଗ ଦେଇ ରନ୍ଧନ ଗ୍ୟାସ ଦର ବ୍ରୁଦ୍ଧି ଘଟଣାକୁ ବିରୋଧ କରିଛନ୍ତି। କେନ୍ଦ୍ର ସରକାର ତୁରନ୍ତ ରନ୍ଧନ ଗ୍ୟାସର ଦର ନକମାଇଲେ ରାଜ୍ୟ ସଭାରେ ଦର ବୃଦ୍ଧି ପ୍ରସଙ୍ଗ ଉଠାଇ କେନ୍ଦ୍ର ସରକାରଙ୍କୁ ଘେରିବାକୁ ସାଂସଦ ଚେତାବନୀ ଦେଇଛନ୍ତି।

ଏହି ବିକ୍ଷୋଭ ରାଲିରେ ଖୋର୍ଦ୍ଧା ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ ଦଳେଇ, ପୂର୍ବତନ ଅଧ୍ୟକ୍ଷ ରାମଚନ୍ଦ୍ର ମହାପାତ୍ର, ଟାଙ୍ଗୀ ବ୍ଲକ ଅଧ୍ୟ୍ୟକ୍ଷ୍ୟ ବିଜୟ କୁମାର ଜେନାଙ୍କ ସମେତ ବହୁ କର୍ମକର୍ତ୍ତା ସାମିଲ ହୋଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ରନ୍ଧନ ଗ୍ୟାସର ଅହେତୁକ ଦର ବୃଦ୍ଧି ପ୍ରତିବାଦ: ଭୁବନେଶ୍ବରରେ ଧାରଣା ଦେଲା ବିଜେଡ଼ି

ଭୁବନେଶ୍ବର: ରନ୍ଧନ ଗ୍ୟାସର ଅହେତୁକ ଦର ବୃଦ୍ଧି ପ୍ରତିବାଦ ସ୍ୱରୂପ ବିଜୁ ଯୁବ ଛାତ୍ର ମହିଳା ଜନତା ଦଳ ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀ ଦ୍ୱାରା ଆଜି ରାଜୀବ ଭବନ ସମ୍ମୁଖ ପେଟ୍ରୋଲ ପମ୍ପ ନିକଟରୁ ବିଶାଳ ଶୋଭାଯାତ୍ରାରେ ଯାଇ ଏଡିଏମ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏବଂ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏଡିଏମଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା। ଆଜିର ଏହି ବିକ୍ଷୋଭରେ ମହିଳା ମାନେ ଉଜ୍ଜଳା ଗ୍ୟାସକୁ କୋକେଇରେ ବୋହି ସତ୍କାର କରିଥିଲେ। ଟ୍ରଲିରେ ମହିଳା କର୍ମକର୍ତ୍ତା ଗ୍ୟାସ ସିଲିଣ୍ଡରରେ RIP LPG GAS ଲେଖି ତାଉପରେ ଚୁଲି ରଖି ପ୍ରତିବାଦ କରିଥିଲେ।

ଏଡିଏମଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣାରେ ବସି କେନ୍ଦ୍ର ସରକାର ବିରୁଦ୍ଧରେ ଯୁବ ଛାତ୍ର ମହିଳା କର୍ମୀ ଅଭିଭାଷଣ ରଖିଥିଲେ। ୧୨.୩୦ ଘଟିକାରେ ଏଡିଏମ ବିକ୍ଷୋଭ ସ୍ଥଳକୁ ଆସି ସ୍ମାରକ ପତ୍ର ଗ୍ରହଣ କରିଥିଲେ।

ଆଜିର ଏହି ବିକ୍ଷୋଭ କାର୍ଯ୍ୟକ୍ରମକୁ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ନେତୃତ୍ୱ ନେଇଥିଲେ ଏବଂ ସମସ୍ତ ପୂର୍ବତନ କର୍ପୋରେଟର, ବରିଷ୍ଠ କର୍ମି, ମହିଳା ଯୁବ ଛାତ୍ର ରାଜ୍ୟ ଜିଲ୍ଲା ଏବଂ ନିର୍ବାଚନ ମଣ୍ଡଳୀ ସ୍ତରୀୟ କର୍ମକର୍ତ୍ତାଙ୍କ ସହିତ ୧୫୦୦ ରୁ ଉର୍ଦ୍ଧ୍ଵ କାର୍ଯ୍ୟକର୍ତ୍ତା ଅଂଶଗ୍ରହଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତିବାଦ: କେନ୍ଦ୍ର ସରକାର ବିରୋଧରେ ଚିଲିକାରେ ବିଜେଡିର ଗଣଧାରଣା

ସୀତାରାମ ଅଗ୍ରୱାଲ

ଚିଲିକା: ରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓଲ୍ହାଇଛି ବିଜେଡି। ପୂର୍ବ ଘୋଷଣା ମୁତାବକ ଆଜିଠାରୁ ଆସନ୍ତା ତିନି ଦିନ ଧରି ରାଜ୍ୟର ସମସ୍ତ ଆରଡ଼ିସି ଜୋନ ଏବଂ ଏହା ଅନ୍ତର୍ଗତ ବ୍ଲକଗୁଡ଼ିକ ସମ୍ମୁଖରେ ଦଳ ପକ୍ଷରୁ ଆନ୍ଦୋଳନ କରାଯିବ।

ଏହି ପରିପ୍ରେକ୍ଷୀରେ ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ବ୍ଲକ ସମ୍ମୁଖରେ ରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଏକ ପ୍ରତିବାଦ ସଭାର ଆୟୋଜନ କରାଯାଇଥିଲା। ଉକ୍ତ ପ୍ରତିବାଦ ସଭାରେ ବିଜୁ ଯୁବ, ଛାତ୍ର ଏବଂ ମହିଳା ଜନତା ଦଳର ଶହ ଶହ କର୍ମକର୍ତ୍ତା ମାନେ ସାମିଲ ହେବା ସହ କେନ୍ଦ୍ର ସରକାରକୁ ଟାର୍ଗେଟ କରିଥିଲେ। କେନ୍ଦ୍ର ସରକାର ଦର ହ୍ରାସ ନକରିବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି କର୍ମୀ ମାନେ ଚେତାବନୀ ଦେଇଥିଲେ।

ଅନୁରୂପଭାବେ ଚିଲିକା ବ୍ଲକ ସମ୍ମୁଖରେ ବିଜେଡ଼ିର ଶତାଧିକ କର୍ମୀ ଧାରଣାରେ ବସିଛନ୍ତି। ସାଢେ ତିନି ବର୍ଷରେ ଯେଉଁଭଳି ଭାବେ ଗ୍ୟାସ ଦର ବୃଦ୍ଧି ପାଇଛି, ତାହାକୁ ନେଇ ବିଜେଡ଼ି ପକ୍ଷରୁ କେନ୍ଦ୍ର ବିରୋଧରେ ପ୍ରତିବାଦ କରାଯାଉଛି। ରନ୍ଧନ ଗ୍ୟାସ ସହ ଅତ୍ୟାବଶ୍ୟକ ଜିନିଷର ମୂଲ୍ୟ ବୃଦ୍ଧି ଯୋଗୁଁ କେନ୍ଦ୍ର ସରକାରକୁ ବିଜେଡ଼ି ଟାର୍ଗେଟ କରିଛି।

Categories
ଆଜିର ଖବର ରାଜ୍ୟ ଖବର

ଫରୱାର୍ଡ଼ ବ୍ଲକ ତରଫରୁ ରାଜଭବନ ସମ୍ମୁଖରେ ବିକ୍ଷୋଭ

ଭୁବନେଶ୍ୱର: ପେଟ୍ରୋଲ, ଡ଼ିଜେଲ ଓ ରନ୍ଧନ ଗ୍ୟାସର ବର୍ଦ୍ଧିତ ଦରକୁ ଅବିଳମ୍ବେ ପ୍ରତ୍ୟାହାର କରିବା, ଅତ୍ୟାବଶ୍ୟକ ସାମଗ୍ରୀ ଗୁଡ଼ିକର ଦରବୃଦ୍ଧିକୁ ନିୟନ୍ତ୍ରଣ କରିବା, ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକର ଘରୋଇକରଣ ବନ୍ଦ କରିବା, କୋଭିଡ଼ କ୍ଷତିଗ୍ରସ୍ତଙ୍କୁ ପର୍ଯ୍ୟାପ୍ତ କ୍ଷତିପୂରଣ ପ୍ରଦାନ କରିବା, ସମ୍ବିଧାନ, ଗଣତନ୍ତ୍ର ଓ ଧର୍ମନିରପେକ୍ଷର ସୁରକ୍ଷା କରିବା, କୃଷି ଓ କୃଷକ ବିରୋଧୀ ତିନିଗୋଟି କଳା କୃଷି ଆଇନକୁ ସମ୍ପୂର୍ଣ୍ଣ ବାତିଲ କରିବା, ସମସ୍ତଙ୍କୁ ମାଗଣା କୋଭିଡ଼ ଭ୍ୟାକ୍ସିନ ପ୍ରଦାନ କରିବା, ରାଫେଲ ଓ ପେଗାସେସ ଘଟଣାର ଜଏଣ୍ଟ ପାର୍ଲ୍ୟାମେଣ୍ଟାରୀ କମିଟି ଦ୍ୱାରା ତଦନ୍ତ କରାଇବା, ସମସ୍ତ ବେକାର ଯୁବକଙ୍କୁ କର୍ମନିଯୁକ୍ତି ନଚେତ ବେକାରୀ ଭତ୍ତା ପ୍ରଦାନର ବ୍ୟବସ୍ଥା କରିବା ଦାବିରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଦ୍ୱାରା ପ୍ରତିଷ୍ଠିତ ରାଜନୈତିକ ଦଳ ଅଲ୍ ଇଣ୍ଡିଆ ଫରୱାର୍ଡ଼ ବ୍ଲକ ତରଫରୁ ରାଜଭବନ ସମ୍ମୁଖରେ ପ୍ରତିବାଦ, ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି।

ଫରୱାର୍ଡ଼ ବ୍ଲକର ରାଜ୍ୟ ସଭାପତି ପୂର୍ଣ୍ଣଚନ୍ଦ୍ର ପାଢୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପ୍ରତିବାଦ ବିକ୍ଷୋଭରେ ସାଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ ମହାପାତ୍ର, ରାଜ୍ୟନେତା ସର୍ବେଶ୍ୱର ମିଶ୍ର, ଜିତେନ୍ଦ୍ରୀୟ ବେହେରା, ରାଜୀବ ଖାଡ଼େଙ୍ଗା, ନାରାୟଣ ଡ଼ାଳୁଆ, ସୁଶିଲ ଥାନପତ, ସୋମାନଥ ଖିଲ, ବେଣୁଥର ହରିଚନ୍ଦନ, ଆଲୋକ ମହାପାତ୍ର, ମୁନା ନାୟକ, ମହିଳା ନେତ୍ରୀ ମଧୁଛନ୍ଦା ପଟ୍ଟନାୟକ, ବନଲତା ବେହେରା, ଭାନୁମତୀ କାଣ୍ଡି ପ୍ରମୁଖ ନେତୃତ୍ୱ ନେଇଥିଲେ।

କେନ୍ଦ୍ର ସରକାର ଶାସନ କ୍ଷମତାକୁ ଆସିବା ପରେ ବିଭିନ୍ନ ଜନବିରୋଧୀ କାର୍ଯ୍ୟ କରି ଭାରତବର୍ଷର ସାଧାରଣ ମଣିଷର ଜୀବନଯାତ୍ରାକୁ ଦୁର୍ବିସୟ କରିସାରିଲେଣି। ପେଟ୍ରୋଲ, ଡ଼ିଜେଲ ଓ ରନ୍ଧନ ଗ୍ୟାସ ସମେତ ଅତ୍ୟାବଶ୍ୟକୀୟ ସାମଗ୍ରୀଗୁଡ଼ିକର ଆକାଶଛୁଆ ଦରଦାମ ବୃଦ୍ଧି ଫଳରେ ଜନଗଣ ଅକଥନୀୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସମସ୍ତ କ୍ଷେତ୍ରରେ ବିଫଳ କେନ୍ଦ୍ରର ମୋଦି ସରକାର ଶାସନ କ୍ଷମତାରେ ରହିବାର ନୈତିକତା ହରାଇ ସାରିଲେଣି ବୋଲି ନିଜ ବକ୍ତବ୍ୟରେ ବକ୍ତାମାନେ ଅଭିଯୋଗ କରିଥିଲେ।

ପରେ ବିକ୍ଷୋଭସ୍ଥଳରୁ ଏକ ପ୍ରତିନିଧି ମଣ୍ଡଳୀ ରାଜଭବନ ଯାଇ ମହାମହୀମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।