ରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତିବାଦ: କେନ୍ଦ୍ର ସରକାର ବିରୋଧରେ ଚିଲିକାରେ ବିଜେଡିର ଗଣଧାରଣା

Published: Nov 22, 2021, 2:30 pm IST

ସୀତାରାମ ଅଗ୍ରୱାଲ

ଚିଲିକା: ରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓଲ୍ହାଇଛି ବିଜେଡି। ପୂର୍ବ ଘୋଷଣା ମୁତାବକ ଆଜିଠାରୁ ଆସନ୍ତା ତିନି ଦିନ ଧରି ରାଜ୍ୟର ସମସ୍ତ ଆରଡ଼ିସି ଜୋନ ଏବଂ ଏହା ଅନ୍ତର୍ଗତ ବ୍ଲକଗୁଡ଼ିକ ସମ୍ମୁଖରେ ଦଳ ପକ୍ଷରୁ ଆନ୍ଦୋଳନ କରାଯିବ।

ଏହି ପରିପ୍ରେକ୍ଷୀରେ ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ବ୍ଲକ ସମ୍ମୁଖରେ ରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଏକ ପ୍ରତିବାଦ ସଭାର ଆୟୋଜନ କରାଯାଇଥିଲା। ଉକ୍ତ ପ୍ରତିବାଦ ସଭାରେ ବିଜୁ ଯୁବ, ଛାତ୍ର ଏବଂ ମହିଳା ଜନତା ଦଳର ଶହ ଶହ କର୍ମକର୍ତ୍ତା ମାନେ ସାମିଲ ହେବା ସହ କେନ୍ଦ୍ର ସରକାରକୁ ଟାର୍ଗେଟ କରିଥିଲେ। କେନ୍ଦ୍ର ସରକାର ଦର ହ୍ରାସ ନକରିବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି କର୍ମୀ ମାନେ ଚେତାବନୀ ଦେଇଥିଲେ।

ଅନୁରୂପଭାବେ ଚିଲିକା ବ୍ଲକ ସମ୍ମୁଖରେ ବିଜେଡ଼ିର ଶତାଧିକ କର୍ମୀ ଧାରଣାରେ ବସିଛନ୍ତି। ସାଢେ ତିନି ବର୍ଷରେ ଯେଉଁଭଳି ଭାବେ ଗ୍ୟାସ ଦର ବୃଦ୍ଧି ପାଇଛି, ତାହାକୁ ନେଇ ବିଜେଡ଼ି ପକ୍ଷରୁ କେନ୍ଦ୍ର ବିରୋଧରେ ପ୍ରତିବାଦ କରାଯାଉଛି। ରନ୍ଧନ ଗ୍ୟାସ ସହ ଅତ୍ୟାବଶ୍ୟକ ଜିନିଷର ମୂଲ୍ୟ ବୃଦ୍ଧି ଯୋଗୁଁ କେନ୍ଦ୍ର ସରକାରକୁ ବିଜେଡ଼ି ଟାର୍ଗେଟ କରିଛି।

Related posts