Categories
ବିଶେଷ ଖବର ରାଜ୍ୟ ଖବର

ବିଜେଡିର ବାଲେଶ୍ବର ସଦର ପ୍ରାର୍ଥୀ, ପୁଣି ଥରେ ଓଡିଶା ରାଜନୀତିରେ ପଶିଲା ରାଜା ସ୍ବାଇଁ ଓ ଚକରା କାହାଣୀ

ଭୁବନେଶ୍ବର, ବିଜେଡି ଉପନିର୍ବାଚନ ପାଇଁ ତାହାର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଦୁଇ ଉପନିର୍ବାଚନରେ ତିର୍ତ୍ତୋଲ ପ୍ରାର୍ଥଙ୍କୁ ନେଇ କାହାରି କିଛି କହିବାର ନାହିଁ। କାରଣ ତାହା ସମସ୍ତେ ଆଶା କରୁଥିଲେ ଯେ ବିଷ୍ଣୁ ଦାସଙ୍କ ପୁତ୍ର ବିଜୟ ଶଙ୍କର ଦାସଙ୍କୁ ପ୍ରାର୍ଥୀ କରାଯିବ। ଯଦି ପୂର୍ବ ଉପନିର୍ବାଚନଗୁଡିକୁ ଦୃଷ୍ଟିରେ ନେଲେ ସ୍ପଷ୍ଟ ହୋଇଛି ଯେ, ବିଜେଡି ପରଲୋକଗତ ବିଧାୟକଙ୍କ ସଂପର୍କୀୟଙ୍କୁ ପ୍ରାର୍ଥୀ କରିଛି। ଆଉ ଜିତିଛି ମଧ୍ୟ। ସେହି ହିସାବରେ ବିଜୟ ଶଙ୍କରଙ୍କୁ ପ୍ରାର୍ଥୀ ନ କରି ବିଜେଡିର ଉପାୟ ନ ଥିଲା।

ହେଲେ ସମସ୍ତଙ୍କର ନଜର ଥିଲା ବାଲେଶ୍ବର ଆସନ ପାଇଁ ବିଜେଡି କାହାକୁ ପ୍ରାର୍ଥୀ କରିବ। କାରଣ ଏହି ଉପନିର୍ବାଚନ ପାଇଁ ଦୀର୍ଘଦିନ ଧରି ପୂର୍ବତନ ସାଂସଦ ରବି ଜେନା ଏବଂ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସଙ୍କ ମଧ୍ୟରେ ଛକା ପଞ୍ଚା ଚାଲିଥିଲା। ଉଭୟ ପ୍ରାର୍ଥୀ ହେବେ ବୋଲି କୁଆଡେ ଉପର ମହଲରେ ଦାବୀ କରୁଥିଲେ। ହେଲେ ଦଳ ସେମାନଙ୍କୁ ପ୍ରାର୍ଥୀତ୍ବକୁ ଝୁଲାଇ ରଖିଥିଲା। ଶେଷରେ ରବି ଜେନାଙ୍କୁ ନ ହେଲା ନାଇଁ ଧର୍ମପତ୍ନୀ ସୁହାସିନୀ ଜେନାଙ୍କୁ ପ୍ରାର୍ଥୀ କରାଯାଉ ବୋଲି କୁଆଡେ ଦାବୀ ମଧ୍ୟ କରିଥିଲେ। ହେଲେ ତାହା ମଧ୍ୟ ହେଲା ନାହିଁ। କାରଣ ବର୍ତ୍ତମାନ ପରିସ୍ଥିତିରେ ଦଳ ଅନ୍ୟତମ ଦାବୀଦାର ଜୀବନ ପ୍ରଦୀପ ଦାସଙ୍କ ଅସନ୍ତୁଷ୍ଠ କରାଇବାକୁ ଚାହୁଁ ନ ଥିଲା।

ବାଲେଶ୍ବର କିଏ ପ୍ରାର୍ଥୀ ହେବ ସେଥିପାଇଁ ମନ୍ତ୍ରୀ ପ୍ରତାପ ଜେନା ଏବଂ ଦେବୀ ମିଶ୍ର ପ୍ରମୁଖଙ୍କ ତତ୍ବାବଧାନରେ ବାରମ୍ବାର ବୈଠକ କରାଯାଇଥିଲା। ହେଲେ ଅଡୁଆ ତୁଟିଲା ନାହିଁ। ଶେଷରେ ନିଷ୍ପତି ହେଲା ଯେ, ଉଭୟଙ୍କୁ କିମ୍ବା ଉଭୟଙ୍କ ପରିବାରରୁ କାହାକୁ ହେଲେ ପ୍ରାର୍ଥୀ କରାଯିବ ନାହିଁ। ଏଥିରେ କୁଆଡେ ଉଭୟ ସନ୍ତୁଷ୍ଠ ହୋଇ ରାଜି ହେଲେ। ଏହି ପରିସ୍ଥିତିରେ ବିଜେଡିର ଟାଣୁଆ ନେତା ପ୍ରଣବ ପ୍ରକାଶ ଦାସଙ୍କ ଭିଣୋଇ ଅଭିନେତା ଅରିନ୍ଦମ ରାୟଙ୍କ ନାମ ମଧ୍ୟ ଚର୍ଚ୍ଚାକୁ ଆସିଲା।

ଏହିପରି ଭାବେ ବିଭିନ୍ନ ନାମକୁ ନେଇ ରାଜ୍ୟ ରାଜନୀତିରେ ବେଶ୍ କିଛି ଦିନ ଧରି ବହୁ କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା। ହେଲେ ନବୀନ ସେ ସବୁକୁ ପଛରେ ପକାଇ ଜଣେ ଅଚିହ୍ନା ମୁହଁକୁ ପ୍ରାର୍ଥୀ କରି ଛିଡା କରାଇଛନ୍ତି। ସେ ହେଉଛନ୍ତି ସ୍ବରୂପ ଦାସ। ଜଣେ ପୂର୍ବତନ କାଉନସିଲର। ତାଙ୍କର ରାଜନିତୀରେ ସେମିତି ବଳିଷ୍ଠ ଭୂମିକା ନାହିଁ। ବରଂ ସ୍ବରୂପଙ୍କ ଭାଇ ସେଠାରେ ମୁନିସପାଲ ଅଧ୍ୟକ୍ଷ ଥିଲେ। ତାଙ୍କୁ ରାଜନୀତିରେ ଉଣାଅଧିକେ ଜାଣିଛନ୍ତି। ହେଲେ ବିଜେଡି ଏପରି ଜଣେ ବ୍ୟକ୍ତିଙ୍କୁ କଣ ପାଇଁ  ପ୍ରାର୍ଥୀ କଲା ସେ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ।

ବିଜେଡିର ଜଣେ ନେତାଙ୍କ ଭିତିରଆ ସୂଚନା ଅନୁସାରେ ରବି ଜେନାଙ୍କୁ କୁଆଡେ କୁହାଗଲା ଯେ, ତୁମ ତୁମର ପରିବାର ସଦସ୍ୟକୁ ଛାଡି ତିନିଜଣ ଖାସ ସମର୍ଥକଙ୍କ ନାମ ଦିଅ। ଯେଉଁମାନେ ତୁମ କଥାରେ ଚାଲିବେ। ସେହି ହିସାବରେ ରବି ଜେନା କୁଆଡେ ତିନିଜଣଙ୍କ ନାମ ଦେଇଥିଲେ। ସେମାନଙ୍କ ଭିତରେ ଥିଲେ ସ୍ବରୂପ ଦାସ। ଫଳରେ ଦଳ ଗୋଟିଏ ଗୁଳିରେ ଦୁଇଟି ଶିକାର କରିଦେଲା। ଉଭୟଙ୍କୁ କିମ୍ବା ଉଭୟଙ୍କ ପରିବାରରୁ କାହାକୁ ହେଲେ ପ୍ରାର୍ଥି କରାଗଲା ନାହିଁ। ଫଳେ ଉଭୟ ଖୁସି। ହେଲେ ରବି ଜେନାଙ୍କୁ ଭିତିରଆ ଖୁସି କରିବା ପାଇଁ ତାଙ୍କ ସମର୍ଥକଙ୍କୁ ପ୍ରାର୍ଥୀ କରାଇ ଦିଆଗଲା।

ପ୍ରକୃତରେ ବିଜେଡି କାହାକୁ ପ୍ରାର୍ଥୀ କରିବ ତାହା ତାଙ୍କର ଦଳୀୟ ବ୍ୟାପାର। ହେଲେ ଜଣେ ଅନାମଧେୟ ବ୍ୟକ୍ତିଙ୍କୁ ପ୍ରାର୍ଥୀ କରିବାକୁ ନେଇ ଚାରିଆଡେ ଚର୍ଚ୍ଚା ଏବଂ ସମାଲୋଚନା ହେଉଛି। କୁହାଯାଉଛି ଓଡିଶା ରାଜନୀତିରେ ପୁଣି ଥରେ ଆଠଗଡର ରାଜା ସ୍ବାଇଁ ଏବଂ ଚକରା ରାଉତ ଘଟଣାର ପୁନରାବୃତ୍ତି ହେଉଛି।

ଆଜିର ଏପରି ଅନାମଧେୟଙ୍କୁ ଟିକେଟ ଦେବା ଘଟଣାରେ ଆମେ ୨୦୦୯ ନିର୍ବାଚନରେ ଏକ ବଡ କାହାଣୀକୁ ମନେପକାଇବାକୁ ଉଚିତ ମନେକରୁ। ତାହାଥିଲା ଆଠଗଡର ବିଜେଡି ନେତା ରାଜା ସ୍ବାଇଁ ବା ରଣେନ୍ଦ୍ର ପ୍ରତାପ ସ୍ବାଇଙ୍କ ଟିକେଟକୁ ଚକ୍ରାନ୍ତ କରି କାଟି ଦିଆଯାଇଥିଲା। ଆଉ ଏପରି  ସମୟରେ ତାଙ୍କର ପ୍ରାର୍ଥୀ ପତ୍ର ନାକଚ ହେଲା ଯେପରି ସେ ଆଉ ନାମାଙ୍କନ ପତ୍ର ଦାଖଲ କରିପାରିବେ ନାହିଁ। ହେଲେ ସେତେବେଳେ ଅନାମଧେୟ ଏବଂ ରାଜା ସ୍ବାଇଁଙ୍କ ସୁପାରିଶରେ ସ୍ବାଧୀନ ଭାବେ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ ତାଙ୍କ ବିଶ୍ବସ୍ଥ ରମେଶ ରାଉତ।

ରାଜାଙ୍କର ପ୍ରାର୍ଥୀପତ୍ର ନାକଚ ହେବା ପରେ ସେତେବେଳେ ଦଳ କହିଲା ତୁମର ବିଶ୍ବସ୍ଥ ରମେଶ ରାଉତ ଓରଫ ଚକରାକୁ ସମର୍ଥନ କର। ତାହା ହି ହେଲା। ଆଉ ଚକରା ଜିତିକରି ବିଧାୟକ ହେଲେ। ସେତେବେଳେ ରାଜା ସ୍ବାଇଁ ଭାବିଥିଲେ ଯେ, ସେ ଚକରାକୁ ଉଠ ବସ କରିବେ। ହେଲେ ପରବର୍ତ୍ତି ସମୟରେ ତାହା ହେଲା ନାହିଁ। ଏହି ମାମଲା କୋର୍ଟ କଚେରୀ ପର୍ଯ୍ୟନ୍ତ ଗଲା ଏବଂ ସେଠାରେ ଦୁଇ ବର୍ଷ ପରେ ଉପନିର୍ବାଚନ କରାଗଲା। ଉପନିର୍ବାଚନରେ ଚକରାଙ୍କ କୌଣସି ନାମ ନିଶାନ ରହିଲା ନାହିଁ, ପୁଣିଥରେ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଓରଫ ରାଜା ସ୍ବାଇଁ ଜିତିକି ଆସିଲେ।

ଏବେ ବାଲେଶ୍ବର ରାଜନୀତିରେ ତାହା ହିଁ ହେବାକୁ ଯାଉଛି। ସ୍ବରୂପ ଦାସଙ୍କୁ ଦଳ ସବୁ ପ୍ରକାରର କଳବଳ କୌଶଳ ଦେଇ ଜିତାଇ ଦେବ। ହେଲେ ପ୍ରକୃତ କ୍ଷମତା ରହିବ ରବି ଜେନାଙ୍କ ହାତରେ। ତେବେ ଏଥର ଚକରାଙ୍କ ପରି ସ୍ବରୂପଙ୍କ ରୂପ ଯଦି ବଦଳିଯିବ ତେବେ ରବି ଜେନା ହୁଏତ ଭାଣ୍ଡିଆ ହୋଇଯାଇ ପାରନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବିଧାନସଭା ଉପନିର୍ବାଚନ, ବାଲେଶ୍ବରରେ ପ୍ରତାପ, ରବି ଏବଂ ନବଜ୍ୟୋତିଙ୍କ ମଧ୍ୟରେ ହେବ ପ୍ରକୃତ ଲଢେଇ

ସଂପଦ ଦଳାଇ

ଭୁବନେଶ୍ବର, ଖୁବ ଶିଘ୍ର ଓଡିଶାରେ ଦୁଇଟି ବିଧାନସଭା ଆସନ ପାଇଁ ଉପନିର୍ବାଚନ ହେବ। ଏହି ଦୁଇଟି ଆସନ ହେଲା ତିର୍ତ୍ତୋଲ ଏବଂ ବାଲେଶ୍ବର ସଦର ଆସନ। ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ବିଧାୟକ ଥିବା ବିଷ୍ଣୁ ଦାସ ଏବଂ ବାଲେଶ୍ବର ସଦରର ବିଧାୟକ ଥିବା ମଦନମୋହନ ଦତ୍ତଙ୍କ ପରଲୋକ ହୋଇଛି। ଫଳରେ ଉଭୟ ଆସନ ବର୍ତ୍ତମାନ ଖାଲିପଡିଥିବାରୁ ଉପନିର୍ବାଚନ ହେବ। ତାରିଖ ଘୋଷଣା ହୋଇ ନ ଥିଲେ ମଧ୍ୟ ରାଜ୍ୟ ରାଜନୀତିରେ ଏହି ଉପନିର୍ବାଚନକୁ ନେଇ ବେଶ୍ ତତ୍ପରତା ପ୍ରକାଶ ପାଇଲାଣି।

ତେବେ ଏହି ଦୁଇ ନିର୍ବାଚନ ମଣ୍ଡଳୀ ମଧ୍ୟରୁ ବାଲେଶ୍ବର ସଦର ଆସନଟିକୁ ନେଇ ବର୍ତ୍ତମାନ ତିନିଦଳ ମଧ୍ୟରେ ବେଶ୍ ବଳକଶା ହେବାର ସମ୍ଭାବନା ସୃଷ୍ଟି ହୋଇଛି। କାରଣ ହେଲା ଏହି ନିର୍ବାଚନ ମଣ୍ଡଳିର ଯେଉଁ ଲୋକସଭା ଆସନଟି ଅଛି ସେହି ଆସନର ତିନି ଦଳର ଲୋକସଭା ନେତା ହେଉଛନ୍ତି ବେଶ୍ ପ୍ରଭାବଶାଳୀ। ସେମାନେ ହେଲେ ବିଜେଡିର ରବିନ୍ଦ୍ର ଜେନା, କଂଗ୍ରେସର ନବଜ୍ୟୋତି ପଟ୍ଟନାୟକ ଏବଂ ବିଜେପିର କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ।

ଯେହେତୁ ଏହି ଆସନଟି ଗତ ବିଧାନସଭା ନିର୍ବାଚନରେ ବିଜେଡି ହାତରୁ ବିଜେପି ଛଡାଇ ନେଇଥିଲା, ଏଥର ମଧ୍ୟ ଦଳ ବିଜୟ ଲାଭ କରିବ ବୋଲି ଆଶା ରଖିଛି। ତେବେ ବିଜେପିର ଅନ୍ୟ ଏକ ବଡ ଅସ୍ତ୍ର ଅଛି ତାହା ହେଲେ ସେହି ବିଧାନସଭା ଆସନର ଲୋକସଭା ସାଂସଦ ହେଉଛନ୍ତି ପ୍ରତାପ ଷଡଙ୍ଗୀ। ପ୍ରତାପ କେନ୍ଦ୍ରମନ୍ତ୍ରୀ ଥିବାରୁ ତାଙ୍କର ପ୍ରଭାବ ସେହି ବିଧାନସଭା ଆସନରେ ନିଶ୍ଚିତ ପରିଲକ୍ଷିତ ହେବ।

ଅନ୍ୟପଟେ କଂଗ୍ରେସ କଥା ଯଦି ବିଚାର କରାଯାଏ ତେବେ ଏହି ଲୋକସଭା ଆସନରୁ ପ୍ରାର୍ଥୀ ଥିଲେ ନବଜ୍ୟୋତି ପଟ୍ଟନାୟକ। କଂଗ୍ରେସ ସଭାପତି ନିରଂଜନ ପଟ୍ଟନାୟକଙ୍କ ପୁତ୍ର ନବଜ୍ୟୋତିଙ୍କ ମଧ୍ୟ ସେହି ଅଞ୍ଚଳରେ ସଂଗଠନ ରହିଛି। ଲୋକସଭା ପରି ବିଧାନସଭା ଉପନିର୍ବାଚନରେ ମଧ୍ୟ ଦଳ ଭଲ ପରିଶ୍ରମ କରିବ ବୋଲି ଜଣାପଡିଲାଣି।

ସେହିପରି ବିଜେଡି କଥା ଯଦି ଚିନ୍ତା କରାଯାଏ ତେବେ ବାଲେଶ୍ବର ଲୋକସଭା ପ୍ରାର୍ଥୀ ରବି ଜେନାଙ୍କ ମଧ୍ୟ ବେଶ୍ ଦବଦବା ରହିଛି। ଏହି ଉପନିର୍ବାଚନ ବାଲେଶ୍ବର ଅଞ୍ଚଳର ବିଜେଡିର ଶକ୍ତିଶାଳି ନେତା ରବି ଜେନାଙ୍କ ସମ୍ମାନର ପ୍ରଶ୍ନ ହେବ। କାରଣ ସେ ଲୋକସଭାରେ ହାରିଯିବା ପରେ ବର୍ତ୍ତମାନ ଦଳରେ ସେ ଏକ କଣଠୋସା ହେଲା ପରି ରହିଛନ୍ତି।

ବର୍ତ୍ତମାନ ବାଲେଶ୍ବର ସଦର ବିଧାନସଭା ଉପନିର୍ବାଚନ ପାଇଁ କେଉଁ ଦଳରୁ କିଏ ସେ ପ୍ରାର୍ଥୀ ହେବେ ତାହା ଭିନ୍ନ କଥା। ହେଲେ ପ୍ରକୃତ ଲଢେଇ କିନ୍ତୁ ଗତ ନିର୍ବାଚନରେ ତିନି ଦଳର ଲୋକସଭା ପ୍ରାର୍ଥୀଙ୍କ ମଧ୍ୟରେ ହେବ ତାହା ନିଶ୍ଚିତ।

ଏହି ବିଧାନସଭା ଆସନ ପାଇଁ କଂଗ୍ରେସରୁ କୁଆଡେ ଖୋଦ ନବଜ୍ୟୋତି ପଟ୍ଟନାୟକ ପ୍ରାର୍ଥୀ ହେବେ ବୋଲି ଶୁଣାଯାଉଛି। ସେପଟେ ବିଜେଡି ମଧ୍ୟ କୁଆଡେ ରବି ଜେନାଙ୍କୁ ମଧ୍ୟ ପ୍ରାର୍ଥୀ କରିପାରେ ବୋଲି ସମ୍ଭାବନା ରହିଛି। ହେଲେ ବିଜେପି ସମବେଦନା ଭୋଟ ହାତେଇବା ପାଇଁ ହୁଏତ ଦିବଙ୍ଗତ ବିଧାୟକଙ୍କ ପୁଅ ମାନସ ଦତ୍ତଙ୍କୁ ପ୍ରାର୍ଥୀ କରିପାରେ ବୋଲି ଜଣାପଡିଛି।

ଗତ ଲୋକସଭାରେ ବିପୁଳ ପଇସା ଖର୍ଚ୍ଚ କରି କଂଗ୍ରେସ ଏବଂ ବିଜେଡିର ଏହି ଦୁଇ ପ୍ରାର୍ଥୀ ହାରିବେ ପରେ ବର୍ତ୍ତମାନ ବିଧାନସଭା ପାଇଁ ମଧ୍ୟ ଲାଳାୟିତ। ସେଥିପାଇଁ ଏହି ଦୁଇଜଣଙ୍କର ପ୍ରାର୍ଥୀ ହେବା ବହୁ ସମ୍ଭାବନା ରହିଛି ବୋଲି ଚର୍ଚ୍ଚା ଚାଲିଛି। ତେବେ ଏହା ନିଶ୍ଚିତ ଯେ, ବାଲେଶ୍ବର ଉପ ନିର୍ବାଚନ ସବୁଠାରୁ ବ୍ୟୟ ବହୁଳ ଉପନିର୍ବାଚନ ହେବ ଏଥିରେ ସନ୍ଦେହ ନାହିଁ।

ସେହିପରି ତିର୍ତ୍ତୋଲ ବିଧାନସଭା ଆସନଟି ବିଜେଡି ହାତରେ ଥିଲା। ଏହି ଆସନରେ ଦିବଙ୍ଗତ ନେତା ବିଷ୍ଣୁ ଦାସଙ୍କର ଦଖଲ ମଧ୍ୟ ବେଶ ରହିଥିଲା। ବିଜେଡିର ଯେଉଁ ଗଣିତ ତାହା ହେଲା ସମବେଦନା ଭୋଟ ହାତେଇବା ପାଇଁ ତାଙ୍କ ପରିବାରରୁ ଜଣଙ୍କୁ ପ୍ରାର୍ଥୀ କରିବା। ସେହି ଅନୁସାରେ ଏହି ଆସନରେ ବିଷ୍ଣୁ ଦାସଙ୍କ ପୁତ୍ର ବିଜୟ ଶଙ୍କର ଦାସ ପ୍ରାର୍ଥୀ ହେବାର ସମ୍ଭାବନା ଅଧିକ ରହିଛି।

ତେବେ ରାଜ୍ୟରେ ଗତ ୨୦ ବର୍ଷ ଧରି ଶାସନ ଗାଦିରେ ଥିବା ବିଜେଡି ଦୁଇଟି ଉପନିର୍ବାଚନକୁ ଛାଡିଦେଲେ ଆଉ ସବୁଥିରେ ବିଜୟ ଲାଭ କରିଛି। ସେ ଦୁଇଟି ହେଲା ଲକ୍ଷ୍ମୀପୁର ଓ ତଲସରା ବିଧାନସଭା ଉପନିର୍ବାଚନ। ସେହି ଦୃଷ୍ଟିରୁ ଏଥର ଉପନିର୍ବାଚନରେ ମଧ୍ୟ  ବିଜେଡି ବାଲେଶ୍ୱର ଓ ତିର୍ତ୍ତୋଲକୁ ଦଖଲ କରିବ ବୋଲି ନିଶ୍ଚିତ ହୋଇ ରହିଛି।