Categories
ଆଜିର ଖବର ରାଜ୍ୟ ଖବର

ରାଉରକେଲା: ଉତ୍କଳ ସାମ୍ବାଦିକ ସଂଘର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ସମ୍ମିଳନୀ ଉଦଯାପିତ

ଭୁବନେଶ୍ବର: ଅନୁବନ୍ଧିତ ସୁନ୍ଦରଗଡ଼ ଜିଲ୍ଲା ଶାଖା ଆନୁକୁଲ୍ୟରେ ଉତ୍କଳ ସାମ୍ବାଦିକ ସଂଘର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀର ଦୁଇଦିନିଆ ସମ୍ମିଳନୀ ରାଉରକେଲା ଠାରେ ମହା ସମାରୋହରେ ଆୟୋଜିତ ହୋଇଯାଇଛି। ସୁନ୍ଦରଗଡ଼ ଜିଲ୍ଲା ଶାଖା ସଭାପତି ତଥା ରାଜ୍ୟ ସଂଘର ଉପସଭାପତି ପ୍ରଦୀପ କୁମାର ତ୍ରିପାଠୀଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ ଆୟୋଜିତ ବୈଠକରେ ସଂଘର ୨୬ଟି ଜିଲ୍ଲାରୁ ସଭାପତି, ସମ୍ପାଦକ, ଉପଦେଷ୍ଟା ତଥା ରାଜ୍ୟ ଓ ଜିଲ୍ଲା ଶାଖା କର୍ମକର୍ତ୍ତା ମାନେ ଯୋଗଦେଇ ବୈଠକର ଆଭିମୁଖ୍ୟକୁ ସଫଳ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

ସମ୍ମିଳନୀର ପ୍ରଥମ ଦିନରେ ବଣେଇ ସ୍ଥିତ ଖଣ୍ଡାଧାରର ପାଦଦେଶରେ ଆୟୋଜିତ ଚିତ୍ତାକର୍ଷକ ବଣଭୋଜି ଓ ବନ୍ଧୁମିଳନ ପର୍ବ ସଭିଙ୍କ ପାଇଁ ବେଶ୍ ଉପଭୋଗ୍ୟ ଥିଲା। ସ୍ଵାଦିଷ୍ଟ ଭୋଜନ ଓ ମନୋରମ ପରିବେଶ ସମସ୍ତ ପ୍ରତିନିଧିଙ୍କ ମନରେ ଅଦମ୍ୟ ସ୍ଫୁର୍ତ୍ତି ଭରି ଦେଇଥିଲା। ରାଉରକେଲା ସ୍ଥିତ ବ୍ରାହ୍ମଣୀ କ୍ଲବ୍ ପରିସରରେ ଆୟୋଜିତ ଦ୍ଵିତୀୟ ଦିନର ସାଂଗଠନିକ ବୈଠକକୁ ସଂଘ ପକ୍ଷରୁ ସଂକଳ୍ପ ଦିବସ ଭାବେ ପାଳନ କରାଯାଇଥିଲା। ଏଥିରେ, ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ,ପ୍ରଚଳିତ ସ୍ଵାସ୍ଥ୍ୟ ବୀମା ରାଶି ବୃଦ୍ଧି, ଅବସରକାଳୀନ ଭତ୍ତା ପ୍ରଦାନ ଓ ସ୍ଵୀକୃତିପ୍ରାପ୍ତ ସଂଘର ପ୍ରତିନିଧିଙ୍କୁ ନେଇ ବିଭାଗୀୟ ଅଧିସ୍ବୀକୃତି କମିଟି ଗଠନ ପୂର୍ବକ ରାଜ୍ୟସ୍ତରରେ ବ୍ୟାପକ ଅଧିସ୍ବୀକୃତି ପ୍ରଦାନ ଭଳି ଗୁରୁତ୍ୱପୂର୍ଣ୍ଣ ଦାବି ସମୂହ ସମ୍ପର୍କରେ ବ୍ୟାପକ ଆଲୋଚନା ହୋଇଥିଲା। ଦାବି ଗୁଡ଼ିକ ସମ୍ପର୍କରେ ଅଧିକ ଅନୂଶୀଳନ କରି ଏକ ମସୁଦା ପ୍ରସ୍ତୁତ କରିବା ପାଇଁ ଖୁବ୍ ଶିଘ୍ର ଏକ କମିଟି ଗଠନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା।

ପରବର୍ତ୍ତୀ ସମୟରେ ଦାବି ଗୁଡ଼ିକୁ ଉପଯୁକ୍ତ ଫୋରମ୍ ରେ ରଖାଯିବା ସହ ଆବଶ୍ୟକ ସ୍ଥଳେ ଦାବି ହାସଲ ନିମନ୍ତେ ସଂଘ ପକ୍ଷରୁ ବ୍ୟାପକ ଆନ୍ଦୋଳନ ହାତକୁ ନିଆଯିବାକୁ ବୈଠକରେ ଘୋଷଣା କରାଯାଇଥିଲା। ବାଲେଶ୍ଵର ଜିଲ୍ଲା ସଭାପତି ଲୋକନାଥ ଦଳେଇ ଓ ସମ୍ପାଦକ ପ୍ରତାପ କୁମାର ପାତ୍ରଙ୍କ ଲିଖିତ ପ୍ରସ୍ତାବ ଅନୁଯାୟୀ ଆସନ୍ତା ଡିସେମ୍ବର ୧୭ ଓ ୧୮ ତାରିଖରେ ବାଲେଶ୍ଵର ଠାରେ ସଂଘର ଦୁଇଦିନିଆ ସମ୍ମିଳନୀ ଆୟୋଜନ କରିବା ପାଇଁ ଘୋଷଣା କରାଯାଇଥିଲା। ଏତଦ୍ ବ୍ୟତୀତ ସଦସ୍ୟତା ଦେୟ ସହ ରାଜ୍ୟ ସଂଘକୁ ସଦସ୍ୟ ତାଲିକା ହସ୍ତାନ୍ତର ଓ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ସାଂଗଠନିକ ନିଷ୍ପତ୍ତି ମାନ ବୈଠକର ଅନୁମୋଦନ ଲାଭ କରିଥିଲା।

ଏହି ବୈଠକରେ ରାୟଗଡ଼ାରୁ କାର୍ଯ୍ୟକାରିଣୀ ସଦସ୍ୟ ସନ୍ତୋଷ ପାଣିଗ୍ରାହୀ ଓ କାର୍ଯ୍ୟକାରିଣୀ ସଦସ୍ୟ ରାଜୀବ ଲୋଚନ ଦାସ, କୋରାପୁଟରୁ ଉପସଭାପତି ସୁଦର୍ଶନ ସେନାପତି, କଳାହାଣ୍ଡିରୁ ସଭାପତି ରଜନୀକାନ୍ତ ମିଶ୍ର, ନୂଆପଡ଼ା ରୁ ସଭାପତି ଲୋକନାଥ ମହାପାତ୍ର, ବଲାଙ୍ଗୀର ରୁ ଉପସଭାପତି ଅଶୋକ କୁମାର ଭୋଇ, ସମ୍ବଲପୁରରୁ ସଭାପତି ସୁବାସ ପାଣିଗ୍ରାହୀ, କେଉଁଝରରୁ ସଭାପତି ସତ୍ୟନାରାୟଣ ମିଶ୍ର, ମୟୁରଭଞ୍ଜ ରୁ ସଭାପତି ଅରୁଣ କୁମାର ଓତା,ବାଲେଶ୍ଵରରୁ ସଭାପତି ଲୋକନାଥ ଦଳେଇ ଓ ସମ୍ପାଦକ ପ୍ରତାପ କୁମାର ପାତ୍ର, ଭଦ୍ରକରୁ ରାଜ୍ୟ ଶୃଙ୍ଖଳା କମିଟି ଅଧ୍ୟକ୍ଷ ତଥା ଜିଲ୍ଲା ସଭାପତି ରବିନାରାୟଣ ଖିଲାର, ଯାଜପୁରରୁ ସଭାପତି ହରିହର ସ୍ବାଇଁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଶ୍ଵଜିତ ନାୟକ, ଜଗତସିଂହପୁରରୁ ସଭାପତି ମନୋଜ କୁମାର ଦାସ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରାଧାକାନ୍ତ ମିଶ୍ର,କେନ୍ଦ୍ରାପଡ଼ାରୁ ସଭାପତି ହିମାଂଶୁ ଶେଖର ନାୟକ,ଢେଙ୍କାନାଳରୁ ସମ୍ପାଦକ ପ୍ରତାପ କୁମାର ବରାଳ,କଟକରୁ ସଭାପତି ସତ୍ୟବ୍ରତ ଦାସ, ଭୂବନେଶ୍ଵରରୁ ସଭାପତି ପ୍ରତାପ ଚନ୍ଦ୍ର ପ୍ରଧାନ, ସମ୍ପାଦକ ନବୀନ କୁମାର ଦାସ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜିତେନ୍ଦ୍ର ସାହୁ, ପୁରୀରୁ ସଭାପତି ତ୍ରୀବିକ୍ରମ୍ ରାମକୃଷ୍ଣ ମହାପାତ୍ର, ରାଜ୍ୟ ଉପସଭାପତି ରାଜକିଶୋର ସ୍ୱାଇଁ, ଖୋର୍ଦ୍ଧାରୁ ସଭାପତି ପ୍ରଭାତ କୁମାର ମିଶ୍ର, ନୟାଗଡ଼ରୁ ସଭାପତି ତଥା ରାଜ୍ୟ ଶୃଙ୍ଖଳା କମିଟି ଅଧ୍ୟକ୍ଷ ଶ୍ରୀକାନ୍ତ ଖଟେଇ, ସମ୍ପାଦକ ବୈଦ୍ୟଭୂଷଣ ମହାପାତ୍ର, ରାଜ୍ୟ ଉପସଭାପତି ବିନାୟକ ମିଶ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଆଦର୍ଶ ପଟ୍ଟନାୟକ, କନ୍ଧମାଳରୁ ସଭାପତି ସନ୍ତୋଷ କୁମାର ଦାସ, ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଶୀବ ବ୍ରତ ତ୍ରିପାଠୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଫିଲମୋହନ ନାୟକ,ବୈ।ଦ୍ଧରୁ ସଭାପତି ରତ୍ନାକର ବେହେରା, ସୋନପୁରରୁ ସଭାପତି ଗୋରେଖନାଥ ସାହୁ ଓ ଗଞ୍ଜାମ ରୁ ସମ୍ପାଦକ ପ୍ରଦ୍ୟୁମ୍ନ କୁମାର ପାତ୍ରଙ୍କ ନେତୃତ୍ବରେ ବିଭିନ୍ନ ଜିଲ୍ଲାରୁ ୨୦୦ରୁ ଉର୍ଦ୍ଧ୍ବ ରାଜ୍ୟ ଓ ଜିଲ୍ଲା କର୍ମକର୍ତ୍ତା ଯୋଗଦେଇ ପ୍ରାସଂଗିକ ବକ୍ତବ୍ୟ ରଖି ଥିଲେ।

ବୈଠକର ଦୁଇ ଦିନ ପୂର୍ବରୁ ରାଜ୍ୟ କାର୍ଯ୍ୟକାରି ସଭାପତି ହାରାଧନ୍ ବାନାର୍ଜୀ,ରାଜ୍ୟ କୋଷାଧ୍ୟକ୍ଷ ରାଜେନ୍ ଚୈ।ଧୁରୀ, ରାଜ୍ୟ ସମ୍ପାଦକ ମଦନ ପାଣି ରାଉରକେଲାରେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାମଗ୍ରୀକ ସଫଳତା ଆଣି ଦେବାରେ ସହାୟକ ହୋଇଥିଲେ। ସେହିପରି ରାଜ୍ୟ କାର୍ଯ୍ୟକାରୀ ସଭାପତି ପୂର୍ଣ୍ଣ ଚନ୍ଦ୍ର ନାୟକ ଓ ଅନ୍ୟତମ କାର୍ଯ୍ୟକାରୀ ସଭାପତି ପ୍ରମୋଦ ପଟ୍ଟନାୟକ ଓ ଉପଦେଷ୍ଟା ବିମଳ କୁମାର ଭଞ୍ଜଦେଓ, ବଙ୍କିମ ଚନ୍ଦ୍ର ନାୟକ, ପ୍ରଭାକର ଶିରୋମଣି,ପ୍ରସନ୍ନ ତ୍ରିପାଠୀ ପ୍ରମୁଖ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ ଓ ରାଜ୍ୟ ସାଧାରଣ ସମ୍ପାଦକ ବେଣୁଧର ପଣ୍ଡା ସଂଘର ବାର୍ଷିକ ବିବରଣୀ ପାଠ କରିଥିଲେ।

କୋଭିଦ୍ ଉପରାନ୍ତେ, ଲମ୍ବା ଅନ୍ତରାଳରେ ଆୟୋଜିତ ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକର ଏତାଦୃଶ ସଫଳତା ପାଇଁ ରାଜ୍ୟ ଉପସଭାପତି ତଥା ଜିଲ୍ଲା ଶାଖା ସଭାପତି ପ୍ରଦୀପ କୁମାର ତ୍ରିପାଠୀଙ୍କ ପ୍ରମୁଖ ଭୂମିକା ଓ କାର୍ଯ୍ୟକାରୀ ସଭାପତି ହାରାଧନ୍ ବାନାର୍ଜୀ, କୋଷାଧ୍ୟକ୍ଷ ରାଜେନ୍ ଚୈ।ଧୁରୀ, ସମ୍ପାଦକ ମଦନ ପାଣି, ଉପଦେଷ୍ଟା ଶିବଶରଣ ମିଶ୍ରଙ୍କ ସକ୍ରିୟ ସହଯୋଗ ସମେତ ସୁନ୍ଦରଗଡ଼ ଶାଖାର ସମ୍ପାଦକ ବିଭୂତି କର, ଉପଦେଷ୍ଟା କୁମାର ଗୈ।ତମ ବାରିକ, ରାଜେନ୍ଦ୍ର ପ୍ରଧାନ, ସତ୍ୟନାରାୟଣ ମିଶ୍ର, ଝସକେତନ ମହନ୍ତ, ସୁରଜ୍ ପ୍ରତାପ ମହାନ୍ତି, ଦୋଳଗୋବିନ୍ଦ ବାରିକ, ଉମେଶ ଚନ୍ଦ୍ର ସାହୁ, ମହମଦ୍ ହବିବ୍ ଖାନ୍, ଦାସରଥି ପଣ୍ଡା ଓ ସୁଜିତ ମହାପାତ୍ରଙ୍କ ଅକ୍ଲାନ୍ତ ପରିଶ୍ରମ ଏବଂ ଜିଲ୍ଲା ସଭାପତି ବନ୍ଧୁଙ୍କ ସଂଘୀୟ ମନୋଭାବକୁ ଦେବା ସହ ସଭିଙ୍କୁ ରାଜ୍ୟ ସଂଘ ପକ୍ଷରୁ ଅସରନ୍ତି ଅଭିନନ୍ଦନ ଓ ଅନେକ ଅନେକ ଧନ୍ୟବାଦ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ରାଉରକେଲା ବିମାନ ବନ୍ଦରକୁ ବାଣିଜ୍ୟିକ ବିମାନ ଉଡାଣ ପାଇଁ ସେଲ ଓ ଏଏଆଇ ମଧ୍ୟରେ ବୁଝାମଣା

ଭୁବନେଶ୍ଵର: ଷ୍ଟିଲ ଅଥରିଟି ଏଫ ଇଣ୍ଡିଆ ଲିମିଟେଡ (ସେଲ) ଓ ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ (ଏଏଆଇ) ମଧ୍ୟରେ ଓଡିଶାର ରାଉରକେଲାରୁ ବାଣିଜ୍ୟିକ ବିମାନ ଉଡାଣ ପାଇଁ ଆଜି ନୂଆଦିଲ୍ଲୀ ଠାରେ ଏକ ଅପରେସନ ଏଣ୍ଡ ମ୍ୟାନେଜମେଣ୍ଟ (ଓ ଏଣ୍ଡ ଏମ) ବୁଝାମଣା ହୋଇଛି। ୨୦୧୮ରେ ସେଲ ଉଡାଣ ଯୋଜନା ଅନ୍ତର୍ଗତ ବାଣିଜ୍ୟିକ ଉଡାଣ ପରିଚାଳନା ପାଇଁ ନିଜ ବିମାନ ବନ୍ଦର ବ୍ୟବହାର କରିବାକୁ ବୁଝାମଣା ସ୍ୱାକ୍ଷର କରିଥିଲେ। ଏବେ ରାଉରକେଲାରୁ ବାଣିଜ୍ୟିକ ଉଡାଣ ଆରମ୍ଭ କରିବା ପାଇଁ ସେଲ, ରାଉରକେଲା ଷ୍ଟିଲ ପ୍ଲାଣ୍ଟ ଜରିଆରେ ଏଏଆଇ ସହିତ ଓ ଏଣ୍ଡ ଏମ ରାଜିନାମାରେ ସ୍ୱାକ୍ଷର କରିଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏହି ବିମାନ ବନ୍ଦରର ଉନ୍ନୟନ ପାଇଁ ବିତ୍ତୀୟ ସହାୟତା ପ୍ରଦାନ କରିଛନ୍ତି। ଓଡିଶା ସରକାର ଅନ୍ୟ ସ୍ଥାନୀୟ କ୍ଲିୟରାନ୍ସ ପ୍ରାପ୍ତିରେ ସହାୟତା ପ୍ରଦାନ କରିବା ସହ ସୁରକ୍ଷା, ଫାୟାର ଓ ଆମ୍ବୁଲାନ୍ସ ସେବା ପ୍ରଦାନ କରିବେ। ସେଲ- ରାଉରକେଲା ଷ୍ଟିଲ ପ୍ଲାଣ୍ଟ ପକ୍ଷରୁ ଏଏଆଇ, ବିମାନ ବନ୍ଦର ପରିଚାଳନା ଓ ପ୍ରବନ୍ଧନ କରିବ।

ଏହି ବିମାନ ବନ୍ଦର ଔଦ୍ୟୋଗିକ ସହର ରାଉରକେଲା ଓ ଆଖପାଖର ସମସ୍ତ ବିମାନ ଯାତ୍ରୀଙ୍କୁ ସୁବିଧା ପ୍ରଦାନ କରିବ। ଆଗାମୀ ହକି ବିଶ୍ୱ କପ ପରିପ୍ରେକ୍ଷୀରେ ବିମାନ ସେବା ଆରମ୍ଭ ହେବା ବେଶ ଗୁରୁତ୍ୱପୂର୍ଣ୍ଣ ଥିଲା। ଜାନୁୟାରୀ ୨୦୨୩ରେ ଖେଳାଯିବାକୁ ବିଶ୍ୱକପ ହକିରେ ସମୁଦାୟ ୪୪ଟିରୁ ୨୦ଟି ମ୍ୟାଚ ରାଉରକେଲାରେ ଆୟୋଜିତ ହେବାକୁ ଯାଉଛି। ଏହି ବିଶ୍ୱସ୍ତରର କାର୍ଯ୍ୟକ୍ରମ ଦେଖିବାକୁ ରାଉରକେଲାକୁ ବହୁ ସଂଖ୍ୟାରେ ଲୋକ ଆସିବେ। ସେଥିପାଇଁ ଯାତାୟତ ଆବଶ୍ୟକତା ପୂରଣ ପାଇଁ ବିମାନ ସଂଯୋଗୀକରଣ ଏକ ପ୍ରମୁଖ ଭୂମିକା ରହିଛଇ।

ଦେଶର ସର୍ବବୃହତ ଷ୍ଟିଲ କମ୍ପାନୀ, ସେଲ ଓ ମହାରତ୍ନ କମ୍ପାନୀ, ସିପିଏସଇ ଉତ୍ପାଦନ ୟୁନିଟ ନିଜ ଆଖପାଖ ଅଞ୍ଚଳର ବିକାଶରେ ସକ୍ରିୟ ଭୂମିକା ନିର୍ବାହ କରୁଛି। ଆଞ୍ଚଳିକ ଅର୍ଥନୈତିକ ଗତିବିଧିକୁ ଆଗେଇ ନେବା ପାଇଁ ଏହା ଏକ ଜନହିତକର କାର୍ଯ୍ୟକ୍ରମ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବିଶ୍ୱର ପ୍ରମୁଖ ୧୦ଟି ସହର ଭିତରେ ସ୍ମାର୍ଟ ସିଟି ରାଉରକେଲା

ରାଉରକେଲା: ଲଣ୍ଡନ ସ୍କୁଲ ଅଫ୍ ଇକୋନମିକ୍ସ ପକ୍ଷରୁ କରାଯାଇଥିବା “ଅର୍ବାନ-୯୫ ଏକାଡେମୀ ରେସିଡେନ୍ସି ୱିକ” କାର୍ଯ୍ୟକ୍ରମରେ ସ୍ମାର୍ଟ ସିଟି ରାଉରକେଲା ବିଶ୍ୱର ପ୍ରମୁଖ ୧୦ଟି ସହର ଭିତରେ ସ୍ଥାନ ପାଇଛି। ଅକ୍ଟୋବର ୧୦ରୁ ୧୪ ତାରିଖ ଯାଏଁ ଲଣ୍ଡନଠାରେ ହେବାକୁ ଥିବା ଏହି “ସହରାଞ୍ଚଳ ଲିଡରସିପ୍‌” କାର୍ଯ୍ୟକ୍ରମରେ ରାଉରକେଲା ସ୍ମାର୍ଟ ସିଟି ଭାଗ ନେବାକୁ ନିମନ୍ତ୍ରିତ ହୋଇଛି।

ଏହି ସଫଳତା ପାଇଁ ରାଉରକେଲା ମହାନଗର ନିଗମ ଏବଂ ରାଉରକେଲା ସ୍ମାର୍ଟ ସିଟିର ସମସ୍ତ ଅଧିକାରୀ ଏବଂ କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍ କରି ଅଭିନନ୍ଦନ ଜଣାଇଛନ୍ତି।

“ରାଉରକେଲା ସହରକୁ ସ୍‌ଚ୍ଛ ଏବଂ ସୁନ୍ଦର କରି ଗଢ଼ି ତୋଳିବା ସହ ଶିଶୁ ଅନୁକୂଳ ସହର କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ଅର୍ବାନ-୯୫ ଏକାଡେମୀ ରେସିଡେନ୍ସି ୱିକ ଭଳି ଅନ୍ତର୍ଜାତୀୟ କାର୍ଯ୍ୟକ୍ରମରେ ଭାଗନେବା ଲାଗି ଯେଉଁ ସୁଯୋଗ ମିଳିଛି ତାହା ଆମକୁ ଆହୁରି ଆଗକୁ ଯିବା ପାଇଁ ଉତ୍ସାହିତ କରିବ। ସମସ୍ତଙ୍କର ସହଯୋଗ ପାଇଁ ରାଉରକେଲାକୁ ଏଭଳି ସଫଳତା ମିଳିପାରିଛି”, କହିଛନ୍ତି ରାଉରକେଲା ମହାନଗର ନିଗମ କମିଶନର ତଥା ସ୍ମାର୍ଟ ସିଟି ସିଇଓ ଡାକ୍ତର ଶୁଭଙ୍କର ମହାପାତ୍ର।

ଏହି ଅବସରରେ ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ମଧ୍ୟ ରାଉରକେଲା ମହାନଗର ନିଗମ ଏବଂ ରାଉରକେଲା ସ୍ମାର୍ଟ ସିଟି ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

“ଅର୍ବାନ-୯୫ ଏକାଡେମୀ ରେସିଡେନ୍ସି ୱିକ” କାର୍ଯ୍ୟକ୍ରମରେ ଭାଗନେବା ପାଇଁ ବିଶ୍ୱର ୩୦ଟି ସହର ବିଭିନ୍ନ ପ୍ରସ୍ତାବ ଦେଇଥିଲେ। ରାଉରକେଲା ସ୍ମାର୍ଟ ସିଟି ପକ୍ଷରୁ ଚାଲିଥିବା ଶିଶୁ-ଅନୁକୂଳ ସହର ସମ୍ପର୍କରେ ପ୍ରସ୍ତାବ ଦିଆଯାଇଥିଲା। ଏହି ପ୍ରସ୍ତାବଗୁଡ଼ିକୁ ବିଚାର କରି ରାଉରକେଲା ସମେତ ୧୦ଟି ସହରକୁ ଏହି ବିଶେଷ କାର୍ଯ୍ୟକ୍ରମରେ ଭାଗନେବା ଲାଗି ଚୟନ କରାଯାଇଛି।

ରାଉରକେଲା ସହରକୁ ସାନ ସାନ ପିଲା ଏବଂ ମା’ମାନଙ୍କୁ ଏକ ଆନନ୍ଦମୟ ପରିବେଶ ଦେବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି। ତା’ଛଡ଼ା ଜନଜାତି ଏବଂ ରାଉରକେଲା ସହରରେ ବସବାସ କରୁଥିବା ବିଭିନ୍ନ ବର୍ଗର ବ୍ୟକ୍ତିଙ୍କ ପାଇଁ ଚାଲିଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସ୍ମାର୍ଟ ସିଟି ରାଉରକେଲା ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା।

ରାଉରକେଲା ସହରରେ “ନର୍ଚରିଂ ନେବରହୁଡସ୍ ଚ୍ୟାଲେଞ୍ଜ” ଅଧୀନରେ ପିଲାମାନଙ୍କ ପାଇଁ ଆଧୁନିକ ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ କରାଯାଉଛି। ସେହିପରି ଖେଳପଡ଼ିଆ ଏବଂ ରାସ୍ତାଗୁଡ଼ିକର ବିକାଶ ସହିତ ସ୍ମାର୍ଟ ପାର୍କ ର୍ନିମାଣ କରାଯାଉଛି। ରାଉରକେଲା ସହରକୁ ବିଭିନ୍ନ କାମରେ ଆସୁଥିବା ମା’ମାନେ ସେମାନଙ୍କ ଶିଶୁକୁ ସୁରକ୍ଷିତ ଭାବେ ସ୍ତନ୍ୟପାନ କରାଇବା ପାଇଁ ସର୍ବସାଧାରଣ ସ୍ଥାନମାନଙ୍କରେ ସ୍ତନ୍ୟପାନ କକ୍ଷ କରାଯାଇଛି। ଜନସାଧାରଣଙ୍କ ସୁବିଧା ପାଇଁ ଫୁଟପାଥ୍ ସହିତ ବିଭିନ୍ନ ରାସ୍ତାଗୁଡ଼ିକର ଆଲୋକୀକରଣ କରାଯାଉଛି।

ଭାରତ ସରକାରଙ୍କ ଗୃହ ନିର୍ମାଣ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରାଳୟ, ଓଡ଼ିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ, ଅନ୍ତର୍ଜାତୀୟ ସାମାଜିକ ସଙ୍ଗଠନ ବର୍ଣ୍ଣାଡ୍ ଭାନ୍ ର୍ଲି ଫାଉଣ୍ଡେସନ ଏବଂ ୱାଲର୍ଡ ରିସୋର୍ସେସ୍ ଇନଷ୍ଟିଚ୍ୟୁଟ, ସ୍ମାର୍ଟ ସିଟି ମିଶନ ସହଯୋଗରେ ସ୍ମାର୍ଟ ସିଟି ରାଉରକେଲାରେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି।

ଗତ କିଛି ମାସ ତଳେ ଭାରତ ସରକାରଙ୍କ ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରାଳୟ ଅଧୀନରେ ଚାଲିଥିବା “ନର୍ଚରିଂ ନେବରହୁଡସ୍ ଚ୍ୟାଲେଞ୍ଜ” କାର୍ଯ୍ୟକ୍ରମରେ ରାଉରକେଲା ସହର ଭାଗନେଇ ଦେଶର ୧୦ଟି ପ୍ରମୁଖ ସହର ତାଲିକାରେ ସ୍ଥାନ ପାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କୋଭିଡ୍‌ ଚିକିତ୍ସା ପାଇଁ ସୁନ୍ଦରଗଡ଼ ଏବଂ ରାଉରକେଲାରେ ଫ୍ଲୁ କ୍ଲିନିକ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାରେ ସମ୍ଭାବ୍ୟ କୋଭିଡ୍‌ ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି। ଜିଲ୍ଲାରେ କୋଭିଡ୍‌ ନିୟନ୍ତ୍ରଣ ପାଇଁ ଟେଷ୍ଟିଂ, ଟ୍ରାକିଂ, ଟ୍ରିଟମେଣ୍ଟ ଓ ଟିକାକରଣ ଉପରେ ଗୁରୁତ୍ୱ ଦିଆଯାଉଛି। ଏହା ସହିତ କୋଭିଡ୍‌ ଉପଯୋଗୀ ଆଚରଣ ପାଳନ କରିବା ଲାଗି ଲୋକମାନଙ୍କୁ ସଚେତନ କରାଯାଉଛି ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର କହିଛନ୍ତି।

‘‘ରାଜ୍ୟର ବିଭିନ୍ନ ସ୍ଥାନରେ କୋଭିଡ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଉଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯାଉଛି। ଜିଲ୍ଲାରେ ବର୍ତ୍ତମାନ ସଂକ୍ରମଣ ହାର ୫ରୁ ୬ ପ୍ରତିଶତ ରହୁଛି। ତେଣୁ ଲୋକେ ଭୟଭୀତ ନହୋଇ କୋଭିଡ୍‌ ଉପଯୋଗୀ ଆଚରଣ ପାଳନ କଲେ ଆମେ ସଫଳ ଭାବେ ଏହାର ମୁକାବିଲା କରିପାରିବା’’, କହିଛନ୍ତି ଡାକ୍ତର ସରୋଜ କୁମାର ମିଶ୍ର।

ସେ ସୂଚନା ଦେଇ କହିଛନ୍ତି ଯେ, କୋଭିଡ୍‌ ଆକ୍ରାନ୍ତଙ୍କୁ ଚିହ୍ନଟ କରିବା ପାଇଁ ଜିଲ୍ଲାରେ ଟେଷ୍ଟିଂକୁ ବ୍ୟାପକ କରାଯାଉଛି। ବର୍ତ୍ତମାନ ଜିଲ୍ଲାରେ ଦୈନିକ ୪୦୦ ଆଣ୍ଟିଜେନ୍‌ ଏବଂ ୪୫୦ ଆରଟିପିସିଆର ପରୀକ୍ଷା କରାଯାଉଛି। ଆଗକୁ କିପରି ଅଧିକ କୋଭିଡ୍‌ ପରୀକ୍ଷା କରାଯାଇ ପାରିବ ସେଥିପାଇଁ ପଦକ୍ଷେପ ନିଆଯାଉଛି।

କୋଭିଡ୍‌ ରୋଗୀଙ୍କ ଚିକିତ୍ସା ପାଇଁ ସୁନ୍ଦରଗଡ଼ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ୩୦ଟି ଏବଂ ରାଉରକେଲା ସରକାରୀ ଚିକିତ୍ସାଳୟରେ ୨୦ଟି ବେଡ୍‌ ପ୍ରସ୍ତୁତ ରହିଛି। ଏହାସହିତ ଆବଶ୍ୟକ ଭେଣ୍ଟିଲେଟର ଏବଂ ଅକ୍ସିଜେନର ବ୍ୟବସ୍ଥା କରାଯାଇଛି। ସେହିପରି ସୁନ୍ଦରଗଡ଼ ଏବଂ ରାଉରକେଲା ସହରରେ ଥିବା ବିଭିନ୍ନ ଘରୋଇ ହସ୍ପିଟାଲକୁ କୋଭିଡ୍‌ ଚିକିତ୍ସା ପାଇଁ ଆବଶ୍ୟକ ପ୍ରସ୍ତୁତି କରିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ବର୍ତ୍ତମାନର କୋଭିଡ୍‌ ପରିସ୍ଥିତିକୁ ଦୃଷ୍ଟିରେ ରଖି ସୁନ୍ଦରଗଡ଼ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ଏବଂ ରାଉରକେଲା ସରକାରୀ ଚିକିତ୍ସାଳୟରେ ସ୍ୱତନ୍ତ୍ର ଭାବେ ଫ୍ଲୁ କ୍ଲିନିକ ଖୋଲାଯାଇଛି। ତେଣୁ କାହାର ଫ୍ଲୁ ଭଳି କୌଣସି ଲକ୍ଷଣ ଦେଖାଦେଲେ ସେମାନେ ସିଧାସଳଖ ଏହି କ୍ଲିନିକକୁ ଆସି ଡାକ୍ତରଙ୍କ ପରାମର୍ଶ କରିପାରିବେ।

ଲକ୍ଷଣ ଥିବା କିମ୍ବା କୋଭିଡ୍‌ ପଜିଟିଭି ଭାବେ ଚିହ୍ନଟ ବ୍ୟକ୍ତିଙ୍କୁ ହୋମ ଆଇସୋଲେସନ ବା ଗୃହ ସଙ୍ଗରୋଧରେ ରହି ଚିକିତ୍ସା କରିବାକୁ ପରାମର୍ଶ ଦିଆଯାଉଛି। ଜିଲ୍ଲାରେ ଥିବା ରାପିଡ୍‌ ରେସପନ୍ସ ଟିମ୍‌ (ଆରଆରଟି) ନିୟମିତ ବ୍ୟବଧାନରେ ଆକ୍ରାନ୍ତଙ୍କ ଘରକୁ ଯାଇ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରୁଛନ୍ତି। କୌଣସି ଜଟିଳତା ଦେଖାଦେଲେ ସେମାନଙ୍କୁ ଅଧିକ ଚିକିତ୍ସା ଲାଗି ଡାକ୍ତରଖାନାକୁ ପଠାଇବା ଲାଗି ବ୍ୟବସ୍ଥା କରାଯାଉଛି।

ସୁନ୍ଦରଗଡ଼ ଜିଲ୍ଲାରେ ଜୁନ୍‌ ୨୧ ତାରିଖରୁ ସମନ୍ୱିତ ସର୍ଭେକ୍ଷଣ ଆରମ୍ଭ କରାଯାଇଛି। ଆଶା କର୍ମୀମାନେ ନିୟମିତ ଘରକୁ ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରୁଛନ୍ତି। ଥଣ୍ଡା, କାଶ, ଜ୍ୱର ଆଦି ଲକ୍ଷଣ ଦେଖାଦେଉଥିବା ବ୍ୟକ୍ତିଙ୍କୁ କୋଭିଡ୍‌ ପରୀକ୍ଷା କରିବା ଲାଗି ପରାମର୍ଶ ଦେଉଛନ୍ତି। ଏହି ସର୍ଭେକ୍ଷଣ ବେଳେ ସେମାନେ ମ୍ୟାଲେରିଆ, ଡେଙ୍ଗୁ, ଡାଇରିଆ, ଲେପ୍ରୋସି ଆଦି ସମ୍ପର୍କରେ ମଧ୍ୟ ପଚାରି ବୁଝୁଛନ୍ତି।

ଜିଲ୍ଲାରେ କୋଭିଡ୍‌ ଟିକାକରଣକୁ ମଧ୍ୟ ବ୍ୟାପକ କରାଯାଉଛି। ବିଭିନ୍ନ ବର୍ଗର ବ୍ୟକ୍ତିଙ୍କ ଟିକାକରଣ ଉପରେ ଗୁରୁତ୍ୱ ଦିଆଯିବା ସହ ପ୍ରିକସନ୍‌ ଡୋଜ୍‌ ମଧ୍ୟ ଦିଆଯାଉଛି।

କୋଭିଡ୍‌ ମହାମାରୀଠାରୁ ସୁରକ୍ଷିତ ରହିବା ପାଇଁ ବଡ଼ ଅସ୍ତ୍ର ହେଉଛି ସତର୍କତା। ତେଣୁ ପାଟି ଓ ନାକକୁ ଘୋଡ଼ାଇ ଭଲଭାବେ ମାସ୍କ ପିନ୍ଧିବା ସହ ନିୟମିତ ଭାବେ ସାବୁନରେ ହାତ ଧୋଇବା ଏବଂ ଜନଗହଳିପୂର୍ଣ୍ଣ ସ୍ଥାନରେ ସାମାଜିକ ଦୂରତା ରକ୍ଷା କରିବା ଏବଂ ପାଳି ଅନୁସାରେ ଟିକା ନେବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର ଅପିଲ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଛାତ୍ରଛାତ୍ରୀ ଓ ଜନସାଧାରଣଙ୍କ ମଧ୍ୟରେ ବହି ପଢ଼ା ପ୍ରତି ଆଗ୍ରହ ସୃଷ୍ଟି ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ

ସୁନ୍ଦରଗଡ଼/ରାଉରକେଲା: କରୋନା ମହାମାରୀର ପ୍ରକୋପ କମିବା ପରେ ସୁନ୍ଦରଗଡ଼ ଜିଲ୍ଲାରେ ‘ସୁନ୍ଦରଗଡ଼ ବହି ପଢ଼’ ଅଭିଯାନକୁ ପୁଣିଥରେ ଆରମ୍ଭ କରାଯାଇଛି। ଆଜିର ଡିଜିଟାଲ ଯୁଗରେ ଛାତ୍ରଛାତ୍ରୀ, ଯୁବପିଢ଼ି ଏବଂ ବିଭିନ୍ନ ବର୍ଗର ବ୍ୟକ୍ତିଙ୍କ ମଧ୍ୟରେ ବହି ପଢ଼ା ପ୍ରତି ଆଗ୍ରହ ସୃଷ୍ଟି କରିବା ଲାଗି ଏହି ଅଭିଯାନ ଅଧୀନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି।

ନିକଟରେ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ବାସଭବନ କାର୍ଯ୍ୟାଳୟ ପରିସରରେ ‘ସୁନ୍ଦରଗଡ଼ ବହି ପଢ଼’ ଅଭିଯାନ ଅଧୀନରେ ଛାତ୍ରଛାତ୍ରୀମାନଙ୍କ ସର୍ଜନାତ୍ମକ ପ୍ରତିଭାର ବିକାଶ ପାଇଁ ବିଭିନ୍ନ ପ୍ରତିଯୋଗିତା କରାଯାଇଥିଲା। ଆଗରୁ ଏଠାରେ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମ କୋଭିଡ୍ ପାଇଁ ବନ୍ଦ ରହିଥିଲା।

ମଙ୍ଗଳବାର ଦିନ ଏହି ଅଭିଯାନ ଅଧୀନରେ ରାଉରକେଲା ମହାନଗର ନିଗମ ପାଠାଗାରଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ସହରର ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀମାନେ ଏଥିରେ ଯୋଗଦେଇଥିଲେ।

ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଏବଂ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଡାକ୍ତର ଶୁଭଙ୍କର ମହାପାତ୍ର ଯୋଗଦେଇ ବହି ପଢ଼ିବା ପ୍ରତି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। ‘ସୁନ୍ଦରଗଡ଼ ବହି ପଢ଼’ ଅଭିଯାନକୁ କିପରି ଆହୁରି ବ୍ୟାପକ କରାଯାଇ ପାରିବ ସେ ସମ୍ପର୍କରେ ଜିଲ୍ଲାପାଳ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ସହ ଆଲୋଚନା କରିଥିଲେ।

ଏହି କାର୍ଯ୍ୟକ୍ରମରେ ମ୍ୟୁନିସିପାଲ କଲେଜର ଓଡ଼ିଆ ବିଭାଗର ଅବସରପ୍ରାପ୍ତ ପ୍ରାଧ୍ୟାପକ ଗିରିଜା ଗୋସ୍ୱାମୀ, ପାନପୋଷସ୍ଥିତ ମ୍ୟୁନିସିପାଲ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ରାଜ କୁମାର ମହାନ୍ତି ଏବଂ ରାଉରକେଲାର ଜଣାଶୁଣା ଲେଖକ ବିଭୁତି ଭୂଷଣ ଦାସ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ବହି କିପରି ଜ୍ଞାନର ପରିସୀମାକୁ ଗଭୀର ଓ ବ୍ୟାପକ କରିଥାଏ ସେ ସମ୍ପର୍କରେ କହିଥିଲେ। ବହି ପଢ଼ିବା ଫଳରେ ମଣିଷର ରୁଚିରେ ପରିବର୍ତ୍ତନ ଆସିବା ସହ ବୌଦ୍ଧିକ ବିକାଶ ହୋଇଥାଏ ବୋଲି କହିଥିଲେ।

ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀମାନେ ରାଉରକେଲା ମହାନଗର ପାଠାଗାରରେ ଥିବା ରିଡିଙ୍ଗ ରୁମରେ ବସି ନିଜ ପସନ୍ଦର ବହି ପଢ଼ିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୀମା ଫାତିମା ଏକ୍କା, ମହାନଗର ନିଗମ ପିଏମୟୁ ଏକ୍ସପର୍ଟ ପ୍ରଶାନ୍ତ କୁମାର ନାୟକ ଏବଂ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ସେହିପରି ସୁନ୍ଦରଗଡ଼ ସହରରେ ଥିବା ଜିଲ୍ଲା ସଂସ୍କୃତି ଭବନସ୍ଥିତ ଜିଲ୍ଲା ପାଠାଗାରଠାରେ ‘ସୁନ୍ଦରଗଡ଼ ବହି ପଢ଼’ ଅଭିଯାନ ଅଧୀନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଛାତ୍ରଛାତ୍ରୀଙ୍କ ମଧ୍ୟରେ ବହି ପଢ଼ାର ଆଗ୍ରହ ସୃଷ୍ଟି କରିବା ଲାଗି ସ୍ଥାନୀୟ ଅଞ୍ଚଳର କଳାକାରମାନଙ୍କ ଦ୍ୱାରା ବିଭିନ୍ନ ଲୋକକଳା ପ୍ରଦର୍ଶନ କରାଯାଇଥିଲା।

ସୁନ୍ଦରଗଡ଼ର ପାରମ୍ପରିକ ଲୋକନୃତ୍ୟ ଝୁମେର, ଖଡିଆ ନୃତ୍ୟ ସହିତ ପାଲା ଜରିଆରେ ଛାତ୍ରଛାତ୍ରୀ ଏବଂ ଉପସ୍ଥିତ ଜନସାଧାରଣଙ୍କୁ ବହି ପଢ଼ିବାର ଗୁରୁତ୍ୱ ଉପରେ ସଚେତନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲାପାଳ ତଥା ଡିଏମଏଫ ସିଇଓ ମହେଶ୍ଵର ଚନ୍ଦ୍ର ନାୟକ, ଜିଲ୍ଲା ଶିକ୍ଷାଧିକାରୀ ଅମୂଲ୍ୟ କୁମାର ପଧାନ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ ଓ ଜିଲ୍ଲା ସଂସ୍କୃତି ଅଧିକାରୀ କୁଲଦୀପ ଖାଖା ପ୍ରମୁଖ ଉପସ୍ଥିତ ଥିଲେ।

‘ସୁନ୍ଦରଗଡ଼ ବହି ପଢ଼’ ଅଭିଯାନ ଅଧୀନରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ପାଠାଗାର ସ୍ଥାପନ କରାଯାଇ ଜନସାଧାରଣଙ୍କ ଭିତରେ ବହି ପଢ଼ିବାର ଆଗ୍ରହ ସୃଷ୍ଟି କରାଯାଉଛି। ସୁନ୍ଦରଗଡ଼ଠାରେ ଜିଲ୍ଲା ପାଠାଗାର ରହିଥିବା ବେଳେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ମଧ୍ୟ ଏକ ପାଠାଗାର ରହିଛି। ଏହି ପାଠାଗାରରେ ବିଭିନ୍ନ ବର୍ଗଙ୍କୁ ଦୃଷ୍ଟିରେ ରଖି ଆବଶ୍ୟକ ପୁସ୍ତକ ରଖାଯାଇଛି।

ସାଧାରଣ ଲୋକଙ୍କୁ ବିଭିନ୍ନ ପ୍ରକାରର ବହି ସହିତ ବାନ୍ଧି ରଖିବା ପାଇଁ ଜିଲ୍ଲାପାଳଙ୍କ ବାସଭବନରେ ‘ବହି ବଗିଚା’ ରହିଛି। କୋଭିଡ୍-୧୯ ପୂର୍ବରୁ ପ୍ରତି ରବିବାର ଦିନ ଏଠାରେ ବହିପଢ଼ା ସହ ବିଭିନ୍ନ ପ୍ରକାର ସର୍ଜନାତ୍ମକ କାର୍ଯ୍ୟକ୍ରମ କରାଯାଉଥିଲା। କିନ୍ତୁ ଏବେ ପୁଣିଥରେ ଏହି କାର୍ଯ୍ୟକ୍ରମକୁ ସାର୍ବଜନୀନ କରାଯାଇଛି।

ଗ୍ରାମାଞ୍ଚଳର ଛାତ୍ରଛାତ୍ରୀ, ଶିକ୍ଷିତ ଯୁବକ ଯୁବତୀ ଓ ସ୍ଥାନୀୟ ଜନସାଧାରଣଙ୍କୁ ବହି ପଢ଼ା ପ୍ରତି ଆକର୍ଷିତ କରିବା ଲାଗି ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଗ୍ରାମୀଣ ପାଠାଗାର ମଧ୍ୟ ଖୋଲାଯାଉଛି। ନିକଟରେ ବଣାଇଁଠାରେ ଏକ ଉପଖଣ୍ଡସ୍ତରୀୟ ପାଠାଗାର ଖୋଲାଯାଇଥିବା ବେଳେ ହେମଗିରି ବ୍ଲକର କମଲଗା ଏବଂ ଲେଫ୍ରିପଡ଼ା ସଦରମହକୁମାଠାରେ ଗ୍ରାମୀଣ ପାଠାଗାର ରହିଛି।

ରାଜ୍ୟ ସରକାରଙ୍କ ୫ଟି ଅଭିଯାନ ଅଧୀନରେ ଚାଲିଥିବା ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ଜରିଆରେ ସରକାରୀ ହାଇସ୍କୁଲଗୁଡ଼ିକରେ ଆଧୁନିକ ପାଠାଗାର, ଇ-ଲାଇବ୍ରେରି କରାଯାଉଛି। ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ଜ୍ଞାନର ପରିସୀମା ବଢ଼ାଇବା ପାଇଁ ଏହି ଆଧୁନିକ ପାଠାଗାର ଓ ଇ-ଲାଇବ୍ରେରି ବିଶେଷ ସହାୟକ ହୋଇପାରୁଛି।

ବିଭିନ୍ନ କଲେଜ ଏବଂ ସର୍ବସାଧାରଣ ସ୍ଥାନରେ ମଧ୍ୟ ବହି ପଢ଼ା ପ୍ରତି ଆଗ୍ରହ ବଢ଼ାଇବା ପାଇଁ ପଦକ୍ଷେପ ନିଆଯାଉଛି। ପ୍ରତ୍ୟେକ ଲାଇବ୍ରେରି ସାଙ୍ଗରେ ରିଡିଙ୍ଗ ରୁମ୍ ସହିତ ବିଶୁଦ୍ଧ ପାନୀୟ ଜଳ ଓ ଶୌଚାଳୟର ବ୍ୟବସ୍ଥା କରାଯାଉଛି।

Categories
ଆଜିର ଖବର ରାଜ୍ୟ ଖବର

ସୁରକ୍ଷିତ ଖାଦ୍ୟ ପ୍ରଣାଳୀ ପାଇଁ ଅଭିନବ ପଦକ୍ଷେପ ଗ୍ରହଣ କରିଥିବାରୁ ପୁରସ୍କାର ଜିତିଲା ରାଉରକେଲା

ନୂଆଦିଲ୍ଲୀ: ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଇଟ୍‌ସ୍ମାର୍ଟ ସିଟିଜ୍‌ ଚାଲେଞ୍ଜ ପ୍ରତିଯୋଗିତାର ଫଳାଫଳ ପ୍ରକାଶ ପାଇଛି। ଏହି ଚାଲେଞ୍ଜରେ ଓଡ଼ିଶାର ରାଉରକେଲା ସମେତ ଦେଶର ୧୧ଟି ସହର ବିଜୟୀ ହୋଇଛନ୍ତି। ଏବେ ଏହି ୧୧ଟି ସହର ଚାଲେଞ୍ଜର ଅଧିକ ଗଭୀର  ସମ୍ପୃକ୍ତି (ଡିପର ଏନଗେଜମେଣ୍ଟ) ସ୍ତରରେ ପ୍ରବେଶ କରିଛନ୍ତି। ଫଳରେ ପୂର୍ବରୁ ପରୀକ୍ଷାମୂଳକ ପର୍ଯ୍ୟାୟରେ ଏସବୁ ସହରରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପଗୁଡ଼ିକୁ ଦୀର୍ଘସ୍ଥାୟୀ ଆଧାରରେ କାର୍ଯ୍ୟକାରୀ କରାଯିବ। ଭାରତୀୟ ଖାଦ୍ୟ ନିରାପତ୍ତା ଓ ମାନକ ପ୍ରାଧିକରଣ (ଏଫଏସଏସଏଆଇ)ର ସହଭାଗିତାରେ ଆବାସ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏହି ଚାଲେଞ୍ଜର ଶୁଭାରମ୍ଭ କରାଯାଇଥିଲା। ସହରାଞ୍ଚଳ ସ୍ତରରେ ଇଟ୍‌ ରାଇଟ୍‌ ଇଣ୍ଡିଆ ଆପ୍ରୋଚ୍‌ (ଉପଯୁକ୍ତ ଖାଦ୍ୟ ଗ୍ରହଣ ଦୃଷ୍ଟିକୋଣ)କୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଏହାକୁ କାର୍ଯ୍ୟକାରୀ କରାଯାଇଥିଲା।

ପାଇଲଟ୍‌ ବା ପରୀକ୍ଷାମୂଳକ ପର୍ଯ୍ୟାୟରେ ଏହି ଚାଲେଞ୍ଜରେ ବିଜୟୀ ହୋଇଥିବା ୧୧ଟି ସହର ହେଲେ – ରାଉରକେଲା, ଚଣ୍ଡିଗଡ଼, ଇନ୍ଦୋର, ଜମ୍ମୁ, ଜବଲପୁର, ପାଣାଜୀ, ରାଜକୋଟ, ସାଗର, ସୁରଟ, ଟୁମକୁରୁ ଏବଂ ଉଜ୍ଜୈନୀ।

ଖାଦ୍ୟ ପ୍ରଣାଳୀରେ କେତେ ଅଭିନବ ପଦକ୍ଷେପ ପାଇଁ ରାଉରକେଲାକୁ ବିଜେତା ସହର ମାନ୍ୟତା ମିଳିଛି। ଖାଦ୍ୟ ପ୍ରଣାଳୀରେ ପରିବର୍ତ୍ତନ ପାଇଁ ସହର ଏକ ଆର୍ଥିକ ଦୃଷ୍ଟିକୋଣ ଆପଣାଇଛି। ବ୍ଲୁମବର୍ଗ ଫିଲାନ୍ଥ୍ରୋପିଜ୍‌ ଦ୍ଵାରା ଆୟୋଜିତ ୨୦୨୧ ଗ୍ଲୋବାଲ ମେୟର୍ସ ଚାଲେଞ୍ଜରେ ରାଉରକେଲା ଦୁଇଟି ଭାରତୀୟ ସହର ମଧ୍ୟରେ ଅନ୍ୟତମ ସହର ଭାବେ ଚାମ୍ପିଅନ୍‌ ସିଟି ମାନ୍ୟତା ପାଇଥିଲା। ଆବର୍ଜନା ହ୍ରାସ ପାଇଁ ସହରରେ ସୌର ଶକ୍ତି ପରିଚାଳିତ ଶୀତଳ ଭଣ୍ଡାର ଏବଂ ମହିଳା ଉଦ୍ୟମିତା ନିମନ୍ତେ ସହାୟତା ଯୋଗାଇ ଦିଆଯାଇଛି। କ୍ଷୁଦ୍ର ଚାଷୀ ଏବଂ ଉଠାଦୋକାନୀଙ୍କ ସଶକ୍ତିକରଣ ପାଇଁ ଏହି ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ଵାରା ଏହି ଶୀତଳ ଭଣ୍ଡାରଗୁଡ଼ିକ ପରିଚାଳନା କରାଯାଉଛି। ରାଉରକେଲା ‘୧୫ ମିନିଟ୍‌ ସହର’ରେ ପରିଣତ ହେବା ଲାଗି ଲକ୍ଷ୍ୟ ରଖିଛି।

ଏକ ଭର୍ଚୁଆଲ କାର୍ଯ୍ୟକ୍ରମରେ ମନ୍ତ୍ରଣାଳୟର ସଚିବ ମନୋଜ ଯୋଶୀ ପ୍ରତିଯୋଗିତାରେ ବିଜୟୀ ହୋଇଥିବା ସ୍ମାର୍ଟସିଟିଗୁଡ଼ିକର ନାମ ଘୋଷଣା କରିଥିଲେ। କାର୍ଯ୍ୟକ୍ରମରେ ଏଫଏସଏସଏଆଇର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅରୁଣ ସିଂଘଲ ଉପସ୍ଥିତ ଥିଲେ। ଏହି ଚାଲେଞ୍ଜରେ ସହାୟତା କରିଥିବା ମିଲାନ୍‌ ଅର୍ବନା ଫୁଡ୍‌ ପଲିସି ପ୍ୟାକ୍ଟ (ଏମୟୁଏଫଏଫ), ବ୍ରିଟେନର ଦ ଫୁଡ୍‌ ଫାଉଣ୍ଡେସନର ମୂଲ୍ୟାଙ୍କନ କମିଟି ବିଶେଷଜ୍ଞ ବିଶେଷଜ୍ଞଙ୍କ ସମେତ ଭାରତ, ବିଶ୍ୱସ୍ତରୀୟ ଅଧିକାରୀ, ପୁରସ୍କାର ବିଜେତା ସହରର ପ୍ରତିନିଧି, କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଅଧିକାରୀଗଣ ଏବଂ ୧୦୦ଟି ସ୍ମାର୍ଟ ସିଟିର ମହାନଗର ନିଗମ କମିଶନରମାନେ ଯୋଗ ଦେଇଥିଲେ।

କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ମନୋଜ ଯୋଶୀ କହିଥିଲେ ଯେ ଇଟ୍‌ ରାଇଟ୍‌ ଇଣ୍ଡିଆ ଆପ୍ରୋଚ୍‌ ଆଜି ସ୍ମାର୍ଟ ସିଟି ସ୍ତରରେ ବୃଦ୍ଧି ପାଇବା ଖୁସିର ବିଷୟ। ଦେଶର ସବୁ ସହରରେ ଖାଦ୍ୟ ପ୍ରଣାଳୀରେ ପରିବର୍ତ୍ତନ ଆଣିବା, ଖାଦ୍ୟ ନିରାପତ୍ତା ଓ ନିୟାମକ ପରିବେଶକୁ ସୁଦୃଢ଼ କରିବା, ଉପଭୋକ୍ତାଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ତଥା ଭାରତୀୟ ସହରରେ ଉନ୍ନତ ଖାଦ୍ୟ ବିକଳ୍ପ ଉପଲବ୍ଧ କରିବାରେ ଏହି ପ୍ରତିଯୋଗିତା ବିଶେଷ ସହାୟକ ହୋଇପାରିବ।

ସ୍ମାର୍ଟ ସିଟି ମିଶନରେ ସାମିଲ ହୋଇଥିବା ୫ ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ସହର ଏହି ଚାଲେଞ୍ଜରେ ଅଂଶଗ୍ରହଣ କରିଥିଲେ। ୩୬ ସହର ପକ୍ଷରୁ ସେମାନଙ୍କର ସ୍କୋର କାର୍ଡ ଏବଂ ଭିଜନ୍‌ ଫର୍ମ ଦାଖଲ କରାଯାଇଥିଲା। ବିଚାରକ ମଣ୍ଡଳୀଙ୍କ ମୂଲ୍ୟାଙ୍କନ ପରେ ୧୧ଟି ସହରକୁ ଚୟନ କରାଯାଇଥିଲା। ବିଜେତା ସହରମାନଙ୍କୁ ଆବାସ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ୫୦ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ଦିଆଯିବ। ଏସବୁ ସହରରେ ଆସନ୍ତା ୧୨ ମାସ ମଧ୍ୟରେ ଇଟ୍‌ ରାଇଟ୍‌ ଇଣ୍ଡିଆ ଅଭିଯାନକୁ କାର୍ଯ୍ୟକାରୀ କରାଯିବା ସହିତ ଅଧିକ ଗଭୀର ସମ୍ପୃକ୍ତି ପାଇଁ ବିଭିନ୍ନ ପ୍ରକାର ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ।

Categories
ଆଜିର ଖବର ରାଜ୍ୟ ଖବର

“ବ୍ଲୁମବର୍ଗ ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ’: ତାଲିକାରେ ରାଉରକେଲା, ମିଳିବ ୧ ନିୟୁତ ଆମେରିକୀୟ ଡଲାର ପୁରସ୍କାର

ରାଉରକେଲା: “ବ୍ଲୁମବର୍ଗ-୨୦୨୧ ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ” ପ୍ରତିଯୋଗିତାରେ ରାଉରକେଲା ବିଶ୍ୱର ୧୫ଟି ସହର ଭିତରେ ସ୍ଥାନ ପାଇଛି। ଏହି ଅନ୍ତର୍ଜାତୀୟ ମାନ୍ୟତା ପାଇବାରେ ରାଉରକେଲା ହେଉଛି ଭାରତର ଏକମାତ୍ର ସହର। ଏହି ବିଶେଷ ସଫଳତା ସହ ରାଉରକେଲାକୁ ବ୍ଲୁମବର୍ଗ ଫିଲାନଥ୍ରପିକ୍ ସଂସ୍ଥା ପକ୍ଷରୁ ୧ ନିୟୁତ ଆମେରିକୀୟ ଡଲାର ପୁରସ୍କାର ସହିତ ଆସନ୍ତା ୩ ବର୍ଷ ପର୍ଯ୍ୟନ୍ତ ବିଭିନ୍ନ ବୈଷୟିକ ସହାୟତା ଓ ପରାମର୍ଶ ଯୋଗାଇ ଦିଆଯିବ।

ଏହି ପ୍ରତିଯୋଗିତାରେ ସାମିଲ ହୋଇ ରାଉରକେଲା ମହାନଗର ନିଗମ ପକ୍ଷରୁ ଏକ ବିଶେଷ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ରାଉରକେଲା ସହରର ଛେଣ୍ଡଠାରେ ଏକ ୫ ଟନ୍ କ୍ଷମତା ବିଶିଷ୍ଟ ଶୀତଳଭଣ୍ଡାର ସ୍ଥାପନ କରାଯାଇଛି। ଏହା କାର୍ଯ୍ୟକ୍ଷମ ହେବା ଫଳରେ ସହରର ଛୋଟ ଛୋଟ ଚାଷୀ, ପନିପରିବା ତଥା ଫଳ ବ୍ୟବସାୟୀମାନେ ନିଜର ସାମଗ୍ରୀ ସେଠାରେ ସଂରକ୍ଷଣ କରିପାରୁଛନ୍ତି।

ଏହି ଶୀତଳଭଣ୍ଡାରକୁ ପରିଚାଳନା କରି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ମଧ୍ୟ ସେମାନଙ୍କ ଜୀବିକା କରିପାରିଛନ୍ତି। ଏଥିସହିତ ସହରବାସୀଙ୍କ ଦୁଆର ମୁହଁରେ ତାଜା ଫଳ ଓ ପନିପରିବା ପହଞ୍ଚିପାରୁଛି। ଏହି ପ୍ରକଳ୍ପରେ ଟେକ୍ନୋଲୋଜିର ବ୍ୟାପକ ବ୍ୟବହାର କରି ଏହାକୁ ଦୀର୍ଘସ୍ଥାୟୀ ତଥା ସଫଳ କରାଯାଇପାରିଛି।

ଏହି ବିଶ୍ୱସ୍ତରୀୟ ସଫଳତା ପାଇଁ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଏବଂ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଡାକ୍ତର ଶୁଭଙ୍କର ମହାପାତ୍ର ନିଗମର କର୍ମକର୍ତ୍ତା ଏବଂ ପ୍ରକଳ୍ପ ସହ ସଂପୃକ୍ତ ସମସ୍ତ ଅଂଶୀଦାର ଓ ରାଉରକେଲାବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

“ବ୍ଲୁମବର୍ଗ ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜରେ ଭାଗନେଇ ରାଉରକେଲା ବିଶ୍ୱର ପ୍ରମୁଖ ୧୫ଟି ସହର ଭିତରେ ସ୍ଥାନ ପାଇବା ଆମ ସୁନ୍ଦରଗଡ଼ ଜିଲ୍ଲା ପାଇଁ ଗର୍ବର ବିଷୟୟ ଆଗାମୀ ଦିନରେ ଏଭଳି ଅଭିନବ ପ୍ରକଳ୍ପ ପରିକଳ୍ପନା କରିବା ଦିଗରେ ଏହି ପୁରସ୍କାର ନିଶ୍ଚିତ ଭାବେ ସମସ୍ତଙ୍କୁ ଉତ୍ସାହିତ କରିବ। ବିଶେଷକରି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସକ୍ରିୟ ଭୂମିକା ଫଳରେ ଏହି ପ୍ରକଳ୍ପ ସହରର ସମସ୍ତ ଅଂଶୀଦାରମାନଙ୍କୁ ସୁଫଳ ଯୋଗାଇ ଦେଉଛି”, କହିଛନ୍ତି ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ।

“ବ୍ଲୁମବର୍ଗ-୨୦୨୧ ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜରେ ଭାଗ ନେଇ ରାଉରକେଲା ମହାନଗର ନିଗମ ଏକ ଅଭିନବ ପ୍ରସ୍ତାବ ଦେଇଥିଲା । ଏହାକୁ ଆଧାରକରି ଚାଷୀ, କ୍ଷୁଦ୍ର ବ୍ୟବସାୟୀଙ୍କ ସହିତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କର ଜୀବିକା ଓ ଆର୍ଥିକ ବିକାଶ ଉପରେ ଆମେ ଗୁରୁତ୍ୱ ଦେଇଛୁ। ଏହି ପ୍ରକଳ୍ପର ସଠିକ୍ କାର୍ଯ୍ୟାନ୍‌ୱୟନ ଯୋଗୁଁ ରାଉରକେଲା ସହର ଆଜି ବିଶ୍ୱର ୧୫ଟି ପ୍ରମୁଖ ସହର ଭିତରେ ସ୍ଥାନ ପାଇପାରିଛି। ରାଉରକେଲାକୁ ଏହି ସମ୍ମାନ ମିଳିଥିବାରୁ ମୁଁ ବ୍ଲୁମବର୍ଗ କର୍ତ୍ତୃପକ୍ଷଙ୍କୁ ମଧ୍ୟ କୃତଜ୍ଞତା ଜଣାଉଛି’, କହିଛନ୍ତି ମହାନଗର ନିଗମ କମିଶନର ଡାକ୍ତର ଶୁଭଙ୍କର ମହାପାତ୍ର।

“ବ୍ଲୁମବର୍ଗ-୨୦୨୧ ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ\’ରେ ମୋଟ ୯୯ଟି ଦେଶ ଭାଗ ନେଇଥିଲେୟ କୋଭିଡ୍ ମହାମାରୀ ଭଳି ଏକ ଜଟିଳ ସମୟରେ ଅର୍ଥନୈତିକ ପୁନରୁଦ୍ଧାର ଏବଂ ସାମଗ୍ରିକ ଅଭିବୃଦ୍ଧି, ସ୍ୱାସ୍ଥ୍ୟ ଏବଂ ଜନକଲ୍ୟାଣ, ଜଳବାୟୁ ଓ ପରିବେଶ ତଥା ଉତ୍ତମ ଶାସନ ଓ ସମାନତା ଆଦି ବିଷୟକୁ ଆଧାରକରି ଆସିଥିବା ୬୩୦ଟି ପ୍ରସ୍ତାବକୁ ନେଇ ଏହି ପ୍ରତିଯୋଗିତା କରାଯାଇଥିଲା। ସେଥିମଧ୍ୟରୁ ଅଭିନବ ତଥା ଉଭାବନଶୀଳ ପ୍ରକଳ୍ପ ପ୍ରସ୍ତାବ ଲାଗି ପ୍ରଥମ ଦଫାରେ ରାଉରକେଲା ସହିତ ୫୦ଟି ସହର ମନୋନୀତ ହୋଇଥିଲେ। ଆଜି ଚୂଡ଼ାନ୍ତ ପର୍ଯ୍ୟାୟରେ ରାଉରକଲୋ ବିଶ୍ୱର ୧୫ଟି ପ୍ରମୁଖ ସହର ମଧ୍ୟରେ ସ୍ଥାନ ପାଇ ଏକ ନୂଆ ଉଚ୍ଚତାକୁ ଯାଇ ପାରିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ସ୍ୱଚ୍ଛ ସର୍ବେକ୍ଷଣ-୨୦୨୧: ରାଜ୍ୟରେ ଶ୍ରେଷ୍ଠ ଜିଲ୍ଲା ସୁନ୍ଦରଗଡ଼, ‘ୱାନ୍ ଷ୍ଟାର’ ମାନ୍ୟତା ପାଇଲା ରାଉରକେଲା

ସୁନ୍ଦରଗଡ଼/ରାଉରକେଲା: ଭାରତ ସରକାରଙ୍କ ଗୃହ ନିର୍ମାଣ ଏବଂ ସହରାଞ୍ଚଳ ବିକାଶ ମନ୍ତ୍ରାଳୟ ପକ୍ଷରୁ କରାଯାଇଥିବା ସ୍ୱଚ୍ଛ ସର୍ବେକ୍ଷଣ-୨୦୨୧ରେ ସୁନ୍ଦରଗଡ଼ ଜିଲ୍ଲା ରାଜ୍ୟରେ ଶ୍ରେଷ୍ଠ ଜିଲ୍ଲା ଭାବେ ମାନ୍ୟତା ପାଇଛି। ସହରାଞ୍ଚଳରେ ପରିମଳ ପରିଚାଳନା କ୍ଷେତ୍ରରେ ସଫଳତା ପାଇଁ ଜିଲ୍ଲାକୁ ଏହି ପରିଚୟ ମିଳିଛି।

ସେହିପରି ସ୍ମାର୍ଟ ସିଟି ରାଉରକେଲା ‘ଆବର୍ଜନାମୁକ୍ତ ସହର’ ବର୍ଗରେ ଓଡ଼ିଶାର ପ୍ରଥମ ସହର ଭାବେ ‘ୱାନ୍ ଷ୍ଟାର’ ମାନ୍ୟତା ହାସଲ କରିଛି। ସର୍ବଭାରତୀୟ ସ୍ତରରେ ରାଉରକେଲା ୫୭ତମ ରାଙ୍କରେ ରହିଛି। ଏହି ଜାତୀୟ ସ୍ତରର କାର୍ଯ୍ୟକ୍ରମରେ ୧ ଲକ୍ଷରୁ ୧୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଦେଶର ୩୭୨ଟି ସହର ଭାଗ ନେଇଥିଲେ।

ଭାରତ ସରକାରଙ୍କ ସ୍ୱଚ୍ଛ ସର୍ବେକ୍ଷଣ ତାଲିକାରେ ରାଉରକେଲା ସହର ୨୦୨୦ରେ ୧୫୬ତମ ସ୍ଥାନରେ ଥିଲା ବେଳେ ୨୦୧୯ରେ ୩୫୩ତମ ସ୍ଥାନରେ ରହିଥିଲା। ସହରର ପରିମଳ ପରିଚାଳନା କ୍ଷେତ୍ରରେ ଗତ ଏକ ବର୍ଷ ମଧ୍ୟରେ ଆସିଥିବା ବ୍ୟାପକ ପରିବର୍ତ୍ତନ ଫଳରେ ଆଜି ସ୍ମାର୍ଟ ସିଟି ରାଉରକେଲା ୫୭ତମ ରାଙ୍କରେ ପହଞ୍ଚି ପାରିଛି।

ଏହି କାର୍ଯ୍ୟକ୍ରମ ଅଧୀନରେ ସହରାଞ୍ଚଳରେ ଅତ୍ୟାଧୁନିକ ପରିମଳ ପରିଚାଳନା କ୍ଷେତ୍ରରେ ସୁନ୍ଦରଗଡ଼ ଜିଲ୍ଲା ୫୭.୫୪ ସ୍କୋର କରି ଓଡ଼ିଶାରେ ପ୍ରଥମ ସ୍ଥାନ ହାସଲ କରିଛି। ଏହି ସ୍ୱଚ୍ଛ ସର୍ବେକ୍ଷଣ-୨୦୨୧ କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଜିଲ୍ଲା ସହିତ ଦେଶର ୧୩ଟି ରାଜ୍ୟର ୬୫୯ଟି ଜିଲ୍ଲା ଭାଗ ନେଇଥିଲେ।

ଜନସଂଖ୍ୟା ବୃଦ୍ଧି ସହ ଆଧୁନିକ ଜୀବନଶୈଳୀ ଲାଗି ଆଜି ସହରାଞ୍ଚଳର କଠିନ ବର୍ଜ୍ୟ ଓ ସାମଗ୍ରିକ ପରିମଳ ପରିଚାଳନା ସାରା ପୃଥିବୀରେ ସ୍ଥାନୀୟ ପ୍ରଶାସନ ପାଇଁ ଏକ ଆହ୍ୱାନ ହୋଇ ଠିଆ ହୋଇଛି। ତେବେ ଏହାର ମୁକାବିଲା ପାଇଁ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସହରାଞ୍ଚଳ ଏବଂ ଖଣି ପ୍ରଭାବିତ ଅଞ୍ଚଳରେ ଅତ୍ୟାଧୁନିକ ପରିମଳ ସେବା ଲାଗୁ କରାଯାଇଛି। ପାରମ୍ପରିକ ପରିମଳ ପରିଚାଳନା ବଦଳରେ ଅତ୍ୟାଧୁନିକ ମେସିନର ପ୍ରୟୋଗ ଏବଂ ବିଭିନ୍ନ ବୈଜ୍ଞାନିକ ପଦ୍ଧତି ଅବଲମ୍ବନ କରାଯିବା ଫଳରେ ଜିଲ୍ଲାରେ ପରିମଳ ପରିଚାଳନା କ୍ଷେତ୍ରରେ ବ୍ୟାପକ ଉନ୍ନତି ଆସି ପାରିଛି।

ରାଉରକେଲା ମହାନଗର ନିଗମ ସହିତ ବୀରମିତ୍ରପୁର ପୌରପାଳିକା ଏବଯ କୋଇଡ଼ା ଓ କୁତ୍ରା ଭଳି ଖଣି ପ୍ରଭାବିତ ବ୍ଲକରେ ୧ ବର୍ଷ ତଳେ ଅତ୍ୟାଧୁନିକ ପରିମଳ ପରିଚାଳନା କାର୍ଯ୍ୟକ୍ରମ ଲାଗୁ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୦ ଡିସେମ୍ବର ୪ ତାରିଖରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ଖଣି ପ୍ରଭାବିତ ହେମଗିରି, ଲହୁଣୀପଡ଼ା, ରାଜଗାଙ୍ଗପୁର ଏବଂ କୁଆଁରମୁଣ୍ଡା ବ୍ଲକକୁ ଏହି କାର୍ଯ୍ୟକ୍ରମ ସଂପ୍ରସାରିତ କରାଯାଇଛି।

ସୁନ୍ଦରଗଡ଼ ଜିଲ୍ଲାରେ ଅତ୍ୟାଧୁନିକ ପରିମଳ ସେବା ଲାଗୁ ହେବା ଫଳରେ ବର୍ଜ୍ୟବସ୍ତୁ ପରିଚାଳନା ଏକ ନୂଆ ସୋପାନକୁ ଯାଇପାରିଛି। ଏହି ସେବା ଫଳରେ ଏବେ ଲୋକଙ୍କ ଦୁଆରୁ ମୁହଁରୁ ଶୁଖିଲା ଓ ଓଦା ଆବର୍ଜନା ପୃଥକ୍ କରି ସଂଗ୍ରହ କରାଯାଉଛି। ଏହାସହ ଲୋକଙ୍କ ଘରୁ ପ୍ରତିଦିନ ବାହାରୁଥିବା କଠିନ ଆବର୍ଜନାର ପରିଚାଳନା ପାଇଁ ବିଭିନ୍ନ ସ୍ଥାନରେ ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର (ଏମସିସି) କରାଯାଇଛି। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କୁ ଏହାର ପରିଚାଳନା ଦାୟିତ୍ୱ ଦିଆଯାଇଛି। ସେମାନେ ଲୋକଙ୍କୁ ପରିମଳ ସେବା ସମ୍ପର୍କରେ ସଚେତନ କରିବା ସହ ଏମସିସି ପରିଚାଳନା କରି ଜୀବିକାରେ ଉନ୍ନତି ଆଣି ପାରିଛନ୍ତି।

ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନର (ଡିଏମଏଫ) ଆର୍ଥିକ ସହାୟତାକ୍ରମେ ଜିଲ୍ଲାରେ ଏହି ଅତ୍ୟାଧୁନିକ ପରିମଳ ସେବାକୁ ସୁଦୃଢ଼ କରାଯାଇଛି। ଏହି ସେବା ଅଧୀନରେ ଲୋକଙ୍କ ଦୁଆର ମୁହଁରୁ ଆବର୍ଜନା ସଂଗ୍ରହ ଲାଗି ଛୋଟ ଛୋଟ ଗାଡ଼ି, ଆବର୍ଜନା ପରିବହନ ପାଇଁ ଡମ୍ପର, ଟିପ୍ପର ଓ ଟ୍ରାକ୍ଟର, ରାସ୍ତା ସଫେଇ ପାଇଁ ରୋଡ୍ ସୁଇପିଂ ମେସିନ୍, ଖୋଲା ନାଳରୁ ପଙ୍କ ଉଦ୍ଧାର ଲାଗି ଓପନ୍ ଡି-ସିଲଟିଙ୍ଗ୍ ମେସିନ୍ ଆଦି ଯୋଗାଇ ଦିଆଯାଇଛି।

ସେହିପରି ବିଭିନ୍ନ ଶିଳ୍ପାଞ୍ଚଳ ଓ ବିଭିନ୍ନ ଖଣି ପ୍ରଭାବିତ ଅଞ୍ଚଳରେ ବାୟୁମଣ୍ଡଳରେ ଧୂଳିକଣା ଓ ଧୂଆଁ ନିୟନ୍ତ୍ରଣ ପାଇଁ ୱାଟର ସ୍ପ୍ରିଙ୍କଲର ଏବଂ ମିଷ୍ଟ କ୍ୟାନନ୍ ମେସିନ୍ ବ୍ୟବହାର କରାଯାଉଛି। ସେପ୍ଟିକ୍ ଟାଙ୍କି ସଫେଇ ପାଇଁ ସେସ୍ ପୁଲ୍ ମେସିନ୍ ଓ ମଶା ଦମନ ଲାଗି ଫଗିଂ ମେସିନ୍ ଆଦି କାର୍ଯ୍ୟ କରୁଛି।

ରାଉରକେଲା, ବୀରମିତ୍ରପୁର ଏବଂ ରାଜଗାଙ୍ଗପୁର ସହରାଞ୍ଚଳ ସହିତ ଜିଲ୍ଲାର ବିଭିନ୍ନ ଖଣି ପ୍ରଭାବିତ ଅଞ୍ଚଳରେ ଏହି ଅତ୍ୟାଧୁନିକ ପରିମଳ ସେବା ଲାଗୁ ହେବା ଫଳରେ ବର୍ଜ୍ୟବସ୍ତୁ ପରିଚାଳନାରେ ବିଶେଷ ସଫଳତା ମିଳି ପାରିଛି। ତେଣୁ ସ୍ୱଚ୍ଛ ସର୍ବେକ୍ଷଣ-୨୦୨୧ରେ ସୁନ୍ଦରଗଡ଼ ଜିଲ୍ଲା ଏବଂ ରାଉରକେଲା ସହରକୁ ଏହି ସମ୍ମାନଜନକ ମାନ୍ୟତା ମିଳି ପାରିଛି।

Categories
ବିଶେଷ ଖବର ରାଜ୍ୟ ଖବର

ସୁନ୍ଦରଗଡ ଜିଲ୍ଲାରେ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ରାଉରକେଲା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସୁନ୍ଦରଗଡ ଜିଲ୍ଲା ଗସ୍ତ କରି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟକାର୍ଡର ଶୁଭାରମ୍ଭ କରିଛନ୍ତି। ରାଉରକେଲାସ୍ଥିତ ଆଇଜିଏଚ ସୁପରସ୍ପେଶାଲିଟ ହସପିଟାଲ କନଫ୍ରେନସ ହଲରେ ଏହାର ଶୁଭାରମ୍ଭ କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡିଶାର ବିକାଶ ପାଇଁ ସୁନ୍ଦରଗଡ ଜିଲ୍ଲାର ଭୂମିକା ରହିଛି। ଏହି ଜିଲ୍ଲାର ହକି ଖେଳ ଆଜି ସାରା ବିଶ୍ବରେ ବେଶ ପ୍ରସଂଶା ଆଣିଦେଇଛି। ଏହି ଜିଲ୍ଲା ଖଣିଖାଦନ ପାଇଁ ମଧ୍ୟ ବେଶ ପରିଚିତ। ଏହି ଜିଲ୍ଲା ବର୍ତ୍ତମାନ ଅଲମ୍ପିକ ପଦକ ଜିଲ୍ଲା ହୋଇପାରିଛି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମାଲାକାନାଗିରି ପରେ ସୁନ୍ଦରଗଡ ଜିଲ୍ଲା ହେଉଛି ଦ୍ବିତୀୟ ଯିଏ କି ଏହା କାର୍ଡର ଶୁଭାରମ୍ଭ କରାଯାଇଛି। ବର୍ତ୍ତମାନ ଏହି କାର୍ଡ ମାଧ୍ୟମରେ ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ୩ କୋଟି ଲୋକ ସୁବିଧା ପାଇପାରିବେ ।

ଏହି କାର୍ଡ ମାଧ୍ୟମରେ ରାଜ୍ୟ ଓ ଦେଶ ବାହାରର ପ୍ରାୟ ୨୦୦ରୁ ଅଧିକ ହସ୍ପିଟାଲରେ ଉନ୍ନତମାନର ଚିକିତ୍ସା ପାଇପାରିବେ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ପୁରୁଷଙ୍କ ପାଇଁ ୫ ଲକ୍ଷ ଓ ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ଉପଲବ୍ଧ ହେଉଛି । ଏହି କାର୍ଡ ଥିଲେ ହସପିଟାଲରେ କୌଣସି କାଗଜପତ୍ର ଦେଖାଇବାର ଆବଶ୍ୟକତା ନାହିଁ।

ଏହି ଅବସରରେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ, ବିଧାୟକ ସାରାଦା ନାୟକ, ବିଧାୟକ ସୁବ୍ରତ ତରାଇ ଏହି ସମାରୋହରେ ଯୋଗଦେଇଥିଲେ। ଏହି ଜିଲ୍ଲାର ବିଭିନ୍ନ ସ୍ଥାନରେ ପୃଥକ ସଭାରେ ମନ୍ତ୍ରୀମାନେ କାର୍ଡ ବାଣ୍ଟିଛନ୍ତି।

Categories
ଆଜିର ଖବର ଖେଳ ରାଜ୍ୟ ଖବର

ରାଉରକେଲାରେ ୪ ହକି ଅଲିମ୍ପିଆନଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ରାଉରକେଲା: ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ଏବଂ ମହିଳା ହକି ଦଳରେ ଭାଗ ନେଇଥିବା ସୁନ୍ଦରଗଡ଼ ଜିଲ୍ଲାର ୪ ଜଣ ହକି ତାରକାଙ୍କୁ ରାଉରକେଲାରେ ଭବ୍ୟ ସ୍ୱାଗତ, ସମ୍ବର୍ଦ୍ଧନା ଦିଆଯାଇଛି। ରାଉରକେଲା ମହାନଗର ନିଗମ ଏବଂ ସ୍ମାର୍ଟ ସିଟି ପକ୍ଷରୁ ସ୍ଥାନୀୟ ସିଭିକ୍ ସେଣ୍ଟରଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଅଲିମ୍ପିଆନ୍ ବୀରେନ୍ଦ୍ର ଲାକ୍ରା, ଅମିତ ରୋହିଦାସ, ଦୀପଗ୍ରେସ୍ ଏକ୍କା ଏବଂ ନମିତା ଟପ୍ପୋଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।

ଶନିବାର ଦିନ ପୂର୍ବାହ୍ନ ୧୧ଟା ବେଳେ ୪ ଜଣ ହକି ତାରକା ସିଭିକ୍ ସେଣ୍ଟରଠାରେ ପହଞ୍ଚିବା ପରେ ସେମାନଙ୍କୁ ପୋଲିସ୍ ବାହିନୀ ପକ୍ଷରୁ ବ୍ୟାଣ୍ଡ ବଜାଇ ସ୍ୱାଗତ କରାଯାଇଥିଲା। ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡା, ଓଡ଼ିଶା ହକି ପ୍ରମୋସନ କାଉନସିଲର ଅଧ୍ୟକ୍ଷ ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ, ପୂର୍ବତନ ଅଲିମ୍ପିୟାନ ଲାଜରୁସ ବାର୍ଲା ଏବଂ ରାଉରକେଲା ଏସ୍‌ପି ମୁକେଶ ଭାମୁଙ୍କ ସହିତ ଯୁବ ଗୋଷ୍ଠୀ, କ୍ରୀଡ଼ା ପ୍ରେମୀ ଏବଂ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ଉପସ୍ଥିତ ରହି ହକି ହିରୋମାନଙ୍କୁ ସମ୍ବର୍ଦ୍ଧନା ଦେଇଥିଲେ।

“ସୁନ୍ଦରଗଡ଼ ଜିଲ୍ଲାର ଏହି ୪ ଜଣ ହକି ଅଲିମ୍ପିଆନ୍ ଆମ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଟୋକିଓ ଅଲିମ୍ପିକ୍ସରେ ଭଲ ପ୍ରଦର୍ଶନ କରି ସେମାନେ ସମସ୍ତଙ୍କ ହୃଦୟ ଜିତିଛନ୍ତି। ଆଗାମୀ ଦିନରେ ଯେଉଁ ପିଲାମାନେ ହକି ଖେଳିବାକୁ ପ୍ରସ୍ତୁତ ହେଉଛନ୍ତି ସେମାନଙ୍କ ପାଇଁ ଏହି ୪ ଜଣ ତାରକା ପ୍ରେରଣା ପାଲଟିଛନ୍ତି’, କହିଛନ୍ତି ବିଧାୟକ ସାରଦା ପ୍ରସାଦ ନାୟକ।

“ଖେଳାଳିମାନଙ୍କର ହକି ପ୍ରତି ଉତ୍ସର୍ଗୀକୃତ ମନୋଭାବ ଯୋଗୁଁ ଅନ୍ତର୍ଜାତୀୟ କ୍ରୀଡ଼ା ମାନଚିତ୍ରରେ ସୁନ୍ଦରଗଡ଼ ଜିଲ୍ଲା ସ୍ୱତନ୍ତ୍ର ସ୍ଥାନ ପାଇଛି। ହକି ଖେଳରେ ଆମକୁ ବିଶେଷ ସଫଳତା ମିଳିଛି। ଟୋକିଓ ଅଲମ୍ପିକ୍ସରେ ଭଲ ପ୍ରଦର୍ଶନ କରି ଏହି ୪ ଜଣ ତାରକା ଆଗାମୀ ପିିଢ଼ିର ଖେଳାଳିମାନଙ୍କ ମନରେ ଉତ୍ସାହ ଭରିଛନ୍ତି’, ସମ୍ବର୍ନ୍ଧନା ଉତ୍ସବରେ କହିଛନ୍ତି କମିଶନର ଦିବ୍ୟଜ୍ୟୋତି ପରିଡ଼ା।

ସମ୍ବର୍ଦ୍ଧନା ଉତ୍ସବରେ ଯୋଗଦେଇ ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ କହିଥିଲେ ଯେ, ହକିର ବିକାଶ ପାଇଁ ରାଜ୍ୟ ସରକାର ଅନେକ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି। ୨୦୨୩ରେ ହେବାକୁ ଥିବା ପୁରୁଷ ହକି ବିଶ୍ୱକପ୍ ଭୁବନେଶ୍ୱର ସହିତ ରାଉରକେଲାଠାରେ ଆୟୋଜନ ହେବାକୁ ଯାଉଛି। ଏଥିପାଇଁ ରାଉରକେଲାର ବିପିୟୁଟି କ୍ୟାମ୍ପସରେ ଅନ୍ତର୍ଜାତୀୟ ସ୍ତରର ହକି ଷ୍ଟାଡିୟମ ନିର୍ମାଣ କରାଯାଉଛି। ଏହା ସହିତ ତୃଣମୂଳ ସ୍ତରରୁ ପିଲାମାନଙ୍କୁ ହକି ଖେଳ ଲାଗି ପ୍ରସ୍ତୁତ କରିବା ପାଇଁ ଜିଲ୍ଲାର ସମସ୍ତ ୧୭ଟି ବ୍ଲକରେ ଅନ୍ତର୍ଜାତୀୟ ମାନର ଆଷ୍ଟ୍ରୋ ଟର୍ଫ ଷ୍ଟାଡିୟମ କରାଯାଉଛି।

ସ୍ମାର୍ଟ ସିଟି ରାଉରକେଲାରେ ଏଭଳି ସମ୍ବର୍ଦ୍ଧନା ଉତ୍ସବ ଆୟୋଜନ କରାଯାଇଥିବାରୁ ୪ ଜଣ ହକି ତାରକା ପ୍ରଶାସନକୁ ଧନ୍ୟବାଦ ଜଣାଇଥିଲେ । ଆଗାମୀ ଦିନରେ ଲୋକମାନଙ୍କ ଭଲପାଇବାକୁ ଆଧାର କରି ଆହୁରି ଭଲ ପ୍ରଦର୍ଶନ କରିବାକୁ ଉଦ୍ୟମ କରିବେ ବୋଲି କହିଥିଲେ।

ଏହି କାର୍ଯ୍ୟକ୍ରମରେ ୪ ଅଲିମ୍ପିଆନଙ୍କ କୋଚ୍ ରାଜୁ ସାଇନି, ବିଜୟ କୁମାର ଲାକ୍ରା, ପ୍ରଦୀପ କୁମାର ଷଡ଼ଙ୍ଗୀ, ସିଲଭେଷ୍ଟର ଟପ୍ପୋଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ଅନ୍ତର୍ଜାତୀୟ ସ୍ତରର ଖେଳାଳି ଷ୍ଟାନଲି ଭିକ୍ଟର ମିଞ୍ଜ, ସିଲାନନ୍ଦ ଲାକ୍ରା, ନିଲମ ସଞ୍ଜୀବ ଖେସ୍‌, ପଙ୍କଜ କୁମାର ରଜକ, ଜେରମ ଲାକ୍ରା, ରଶ୍ମିତା ମିଞ୍ଜଙ୍କ ସହିତ ରାଉରକେଲାସ୍ଥିତ ବିଭିନ୍ନ କ୍ରୀଡ଼ା ଛାତ୍ରାବାସର କୋଚମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ସୁନ୍ଦରଗଡ଼ ଜିଲ୍ଲା ହେଉଛି ଭାରତୀୟ ହକିର ଅନ୍ତୁଡ଼ିଶାଳ। ଏହି ଜିଲ୍ଲାରୁ ଅନେକ ପ୍ରତିଭାବାନ ଖେଳାଳି ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିଛନ୍ତି। ତେଣୁ ଏହି କ୍ରୀଡ଼ାର ବିକାଶ ପାଇଁ ଭାରତୀୟ ହକି ଟିମକୁ ଓଡ଼ିଶା ପ୍ରୋତ୍ସାହନ ଦେଇ ଏକ ନୂଆ ପରିଚୟ ପାଇଛି। ଏହି କ୍ରମରେ ସ୍ମାର୍ଟ ସିଟି ରାଉରକେଲାକୁ ଅନ୍ତର୍ଜାତୀୟ କ୍ରୀଡ଼ା ମାନଚିତ୍ରରେ ସ୍ୱତନ୍ତ୍ର ପରିଚୟ ଦେବା ଲାଗି ବିଭିନ୍ନ ପଦକ୍ଷେପ ନିଆଯାଉଛି।

Categories
Hockey Worldcup23 ବିଶେଷ ଖବର ରାଜ୍ୟ ଖବର

ମୁଖ୍ୟ ଶାସନ ସଚିବ, ୫-ଟି ସଚିବଙ୍କ ରାଉରକେଲା ଗସ୍ତ, ହକି ଷ୍ଟାଡିୟମ ସହିତ ବିଭିନ୍ନ କାର୍ଯ୍ୟର ସମୀକ୍ଷା

ଭୁବନେଶ୍ବର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଦ୍ଦେର୍ଶ କ୍ରମେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି)  ଭି.କେ. ପାଣ୍ଡିଆନ‌୍‍, ଜାତୀୟ ସ୍ବାସ୍ଥ୍ୟ ମିଶନ, ଓଡ଼ିଶା ନିର୍ଦ୍ଦେଶିକା ଶ୍ରୀମତୀ ଶାଳିନୀ ପଣ୍ଡିତ ଏବଂ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ତଥା କ୍ରୀଡ଼ା ବିଭାଗ ସଚିବ ଆର. ଭିନିଲ‌୍‍ କ୍ରିଷ୍ଣା ଆଜି ରାଉରକେଲା ଗସ୍ତରେ ଆସି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି।

ଏହି ଉଚ୍ଚ ପ୍ରତିନିଧି ଦଳ ରାଉରକେଲାରେ ନିର୍ମାଣାଧୀନ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ, ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମ, ଫୁଟବଲ‌୍‍ ଖେଳ ସହ ଆଥ‌୍‍ଲେଟିକ୍ସ ପାଇଁ ନିର୍ମାଣାଧୀନ ବିର୍ସା ମୁଣ୍ଡା ଷ୍ଟାଡିୟମ ସହିତ ସାଇନ୍ସ ପାର୍କ ଏବଂ ପ୍ଲାନେଟାରିୟମ‌୍‍ କାଯ୍ୟ ବୁଲି ଦେଖିଛନ୍ତି।

ଏହା ସହିତ ରାଉରକେଲାର ବସ୍ତି ବାସିନ୍ଦାଙ୍କ ଥଇଥାନ ପାଇଁ ତିଆରି ହେଉଥିବା ବାସୋପଯୋଗୀ ପ୍ରକଳ୍ପସ୍ଥଳ ମଧ୍ୟ ଅନୁଧ୍ୟାନ କରିଛନ୍ତି। ବିଭିନ୍ନ ପ୍ରକଳ୍ପ ସ୍ଥାନ ପରିଦର୍ଶନ କରିବା ପରେ ଏହି ଟିମ‌୍‍ ସୁନ୍ଦରଗଡ଼ ଜିଲ୍ଲାପାଳ, ରାଉରକେଲା ଏଡିଏମ‌୍‍ ତଥା ମହାନଗର ନିଗମ କମିଶନର ଏବଂ ଅନ୍ୟ ଅଧିକାରୀମାନଙ୍କ ସହ ବିମାନବନ୍ଦରଠାରେ ସମୀକ୍ଷା କରିଥିଲେ।

ସମୀକ୍ଷା ପରେ ମୁଖ୍ୟ ଶାସନ ସଚିବ କହିଥିଲେ ଯେ, “ରାଉରକେଲାରେ ନିର୍ମାଣାଧୀନ ଅନ୍ତର୍ଜାତୀୟ ହକି ଷ୍ଟାଡିୟମକୁ ୨୦୨୨ ଜୁଲାଇ ସୁଦ୍ଧା ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରହିଛି। ଏହାଛଡ଼ା ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମର ବ ନିର୍ମାଣ କାମ ମଧ୍ୟ ଶେଷ ପଯ୍ୟାୟରେ ପହଞ୍ଚିଛି । ନିର୍ମାଣାଧୀନ ବିର୍ସା ମୁଣ୍ଡା ଷ୍ଟାଡିୟମ ଫୁଟବଲ ଖେଳ ସହ ଆଥଲେଟିକ‌୍‍ ପାଇଁ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ସେଠାରେ ୪୦୦ ମିଟର ବିଶିଷ୍ଟ ଆଥଲେଟିକ‌୍‍ ଟ୍ରାକ‌୍‍ ନିର୍ମାଣ କରାଯାଉଛି।

ଏତଦବ୍ୟତୀତ ସ୍ମାର୍ଟ ସିଟି ଅଧୀନରେ ମଧ୍ୟ ଅନେକ ପ୍ରକଳ୍ପ ଚାଲିଛି। ତେଣୁ ବିଶ୍ବକପ‌୍‍ ହକିକୁ ଦୃଷ୍ଟିରେ ରଖି ରାଉରକେଲାରେ ଚାଲିଥିବା ବିଭିନ୍ନ ନିର୍ମାଣ କାର୍ଯ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି”, ସେହିପରି ଏୟାରପୋର୍ଟ ଅଥରିଟି ଅଫ‌୍‍ ଇଣ୍ଡିଆ ପକ୍ଷରୁ ରାଉରକେଲା ଏୟାରପୋର୍ଟର ସଂପ୍ରସାରଣ କାର୍ଯ୍ୟ ଜାରି ରହିଛି । ସେଠାରେ ଟର୍ମିନାଲ ବିଲ୍ଡିଂ ମଧ୍ୟ ନିର୍ମାଣ କରାଯିବ। ଏହାକୁ ଆଗାମୀ ୨୦୨୨ ମେ’ ମାସ ସୁଦ୍ଧା ଶେଷ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି।

ଛେଣ୍ଡଠାରେ ତିଆରି ହେଉଥିବା ସାଇନ୍ସ ପାର୍କ ଓ ପ୍ଲାନେଟାରିୟମ କାର‌୍ୟ୍ୟ ଆସନ୍ତା ବର୍ଷ ଜୁନ‌୍‍ ସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ଗସ୍ତ ଅବସରରେ ମୁଖ୍ୟ ଶାସନ ସଚିବ ଓ,୫ଟି ସଚିବ ରାଉରକେଲାରେ କୋଭିଡ‌୍‍ ପରିସ୍ଥିତିର ସମୀକ୍ଷା କରିଥିଲେ। ଗଣମାଧ୍ୟମକୁ ମୁଖ୍ୟ ଶାସନ ସଚିବ କହିଥିଲେ ଯେ, “ବର୍ତ୍ତମାନ ରାଉରକେଲାରେ ଜେ ପି ହସ୍ପିଟାଲକୁ ସରକାରୀ କୋଭିଡ‌୍‍ ହସ୍ପିଟାଲ ଭାବେ କାର୍ଯ୍ୟକ୍ଷମ ରଖାଯାଇଛି। ସେହିପରି ସୁନ୍ଦରଗଡ଼ରେ ଏନଟିପିସି କୋଭିଡ‌୍‍ ସ୍ବାସ୍ଥ୍ୟକେନ୍ଦ୍ର ପ୍ରସ୍ତୁତ ରହିଛି। ସମ୍ଭାବ୍ୟ ତୃତୀୟ ଲହରକୁ ଦୃଷ୍ଟିରେ ରଖି ପ୍ରଶାସନ ସବୁ ଦୃଷ୍ଟିରୁ ପ୍ରସ୍ତୁତ ରହିଛି’’।

ଏହି ସଚିବସ୍ତରୀୟ ପ୍ରତିନିଧି ଦଳ ପ୍ରଥମେ ବିପିୟୁଟି କ୍ୟାମ୍ପସରେ ନିର୍ମାଣ ଚାଲିଥିବା ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମର କାର‌୍ୟ୍ୟ ବୁଲି ଦେଖିଥିଲେ। ନିର୍ଦ୍ଧାରିତ ସମୟ ଅନୁଯାୟୀ ସମସ୍ତ କାର‌୍ୟ୍ୟ ଯେପରି ସମ୍ପାଦନ କରାଯିବ ସେଥିପାଇଁ ମୁଖ୍ୟ ଶାସନ ସଚିବ ସ୍ଥାନୀୟ ପ୍ରଶାସନକୁ ନିଦ୍ଦେର୍ଶ ଦେଇଥିଲେ।୨୦୨୩ରେ ହେବାକୁ ଥିବା ପୁରୁଷ ହକି ବିଶ୍ବକପ‌୍‍ ଭୁବନେଶ୍ବର ସହିତ ରାଉରକେଲାର ଏହି ଷ୍ଟାଡିୟମରେ ଆୟୋଜନ କରାଯିବ। ଏକାସାଙ୍ଗରେ ଏଠାରେ ୨୦ ହଜାର ଦର୍ଶକ ବସି ଖେଳ ଉପଭୋଗ କରିପାରିବେ।

ହକି ସହିତ ବିଭିନ୍ନ କ୍ରୀଡ଼ାର ବିକାଶ ଲାଗି ସହରରେ ଯେଉଁ ଅତ୍ୟାଧୁନିକ ଭିତ୍ତିଭୂମି ନିର୍ମାଣ କରାଯାଉଛି ତାହା ସ୍ମାର୍ଟ ସିଟି ରାଉରକେଲାକୁ ଆଗାମୀ ଦିନରେ ଦେଶର ଏକ ପ୍ରମୁଖ କ୍ରୀଡ଼ା ହବ‌୍‍ ଭାବେ ପରିଚିତ କରାଇବ। ପାନପୋଷଠାରେ ବ୍ୟାଡମିଣ୍ଟନ ଏବଂ ଲନ‌୍‍ ଟେନିସ‌୍‍ ଖେଳର ପ୍ରସାର ପାଇଁ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମ ନିର୍ମାଣ କରାଯାଉଛି।

ଏଠାରେ ୩ଟି ଇନଡୋର ବ୍ୟାଡ‌୍‍ମିଣ୍ଟନ କୋର୍ଟ ସହିତ ଆଉଟଡୋର ଲନ‌୍‍ ଟେନିସ‌୍‍ କୋର୍ଟ ରହିଛି। ଖେଳାଳିମାନଙ୍କ ଫିଟନେସ‌୍‍ ପାଇଁ ଅତ୍ୟାଧୁନିକ ଜିମ‌୍‍ର ବ୍ୟବସ୍ଥା କରାଯାଉଛି। ସେହିପରି ଫୁଟବଲ ଖେଳ ସହ ଆଥ‌୍‍ଲେଟିକ୍ସ ପାଇଁ ବିର୍ସା ମୁଣ୍ଡା ଷ୍ଟାଡିୟମ ତିଆରି କରାଯାଉଛି। ସଚିବସ୍ତରୀୟ ପ୍ରତିନିଧି ଦଳ ଏହି ଦୁଇଟି ପ୍ରକଳ୍ପସ୍ଥଳ ବୁଲି ଏହାର ଅଗ୍ରଗତି ସମ୍ପର୍କରେ ମଧ୍ୟ ଅନୁଧ୍ୟାନ କରିଥିଲେ।

ସହରାଞ୍ଚଳର ଗରିବ ବସ୍ତି ବାସିନ୍ଦାଙ୍କୁ ବାସୋପଯୋଗୀ ଘର ଯୋଗାଇଦେବା ସରକାରଙ୍କ ଲକ୍ଷ୍ୟ। ତେଣୁ ରାଉରକେଲାରେ ଏଥିପାଇଁ ଅତି ସ୍ବଳ୍ପ ମୂଲ୍ୟରେ ଘର ଯୋଗାଇ ଦେବାକୁ ବିଭିନ୍ନ ପ୍ରକଳ୍ପ ହାତକୁ ନିଆଯାଇଛି। ଏହି ପ୍ରତିନିଧି ଦଳ ଆଜି ଛେଣ୍ଡଠାରେ ପ୍ରାୟ ୫ ଏକର ଜମିରେ ଚାଲିଥିବା ଏହି ଆବାସ ନିର୍ମାଣ କାର୍ଯ୍ୟ ବୁଲି ଦେଖିଥିଲେ। ରାଉରକେଲା ମହାନଗର ନିଗମ ଅଞ୍ଚଳରେ ୫ଟି ପ୍ରକଳ୍ପ କରାଯାଉଛି, ଯେଉଁଠି ବସ୍ତି ବାସିନ୍ଦାଙ୍କ ପାଇଁ ପ୍ରାୟ ୩ ହଜାର ଘର ନିର୍ମାଣ କରାଯିବ। ଏହି ଗସ୍ତ ବେଳେ ୫ଟି ସଚିବ କହିଥିଲେ ଯେ, ଯେତେଶୀଘ୍ର ସମ୍ଭବ ହିତାଧିକାରୀମାନଙ୍କୁ ସେମାନଙ୍କ ପାଇଁ ନିର୍ଦ୍ଧାରିତ ଘର ଚିହ୍ନଟ କରି ଜଣାଇ ଦେବା ପାଇଁ ପାଣ୍ଡିଆନ୍ ନିର୍ଦ୍ଦେଶ ଦେଇଥିଲେ । ଯାହା ଫଳରେ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ହିତାଧିକାରୀମାନେ ନିଜ ନିଜ ଘରର ଗୁଣାତ୍ମକ ମାନ ତଦାରଖ କରିପାରିବେ।

ଏହି ଗସ୍ତ ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଜ୍ଞାନର ପ୍ରସାର ପାଇଁ ଛେଣ୍ଡଠାରେ ପ୍ରାୟ ୮ ଏକର ଜମିରେ ଚାଲିଥିବା ସାଇନ୍ସ ପାର୍କ ଏବଂ ପ୍ଲାନେଟାରିୟମର ନିର୍ମାଣ କାର୍ଯ୍ୟ ମଧ୍ୟ ସଚିବସ୍ତରୀୟ ପ୍ରତିନିଧି ଦଳ ବୁଲି ଦେଖିଥିଲେ

ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡ଼ା ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପୁରୀ ଏବଂ ରାଉରକେଲା ମଧ୍ୟରେ ଚାଲିବ ସ୍ୱତନ୍ତ୍ର ଟ୍ରେନ୍

ଭୁବନେଶ୍ବର: ରାଉରକେଲା ଏବଂ ପୁରୀ ମଧ୍ୟରେ ଏକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବା ପାଇଁ ରେଳବାଇ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

ରାଉରକେଲା ଠାରୁ ଏହି ଟ୍ରେନ୍ ଅଗଷ୍ଟ ମାସ ୨୪ ତାରିଖ ଠାରୁ ଛାଡି ପୁରୀ ଅଭିମୁଖେ ଯାତ୍ରା କରିବ ଏବଂ ପୁରୀରୁ ଅଗଷ୍ଟ ମାସ ୨୫ ତାରିଖ ଠାରୁ ଛାଡି ରାଉରକେଲା ଅଭିମୁଖେ ଯାତ୍ରା ପ୍ରାରମ୍ଭ କରି ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ। ରାଉରକେଲା ଠାରୁ ଏହି ଟ୍ରେନ୍ ପୂର୍ବାହ୍ନ ୮ଘ.୦୫ମି.ରେ ଛାଡିବାକୁ ଥିବାବେଳେ ପୁରୀ ଠାରୁ ଏହି ଟ୍ରେନ ଭୋର ୪ଘ.୩୫ମି.ରେ ଛାଡିବ।

ତାଳଚେର ଓ ସମ୍ବଲପୁର ରେଳ ସେକ୍ସନରେ ଦୋହରୀକରଣ କାର୍ଯ୍ୟ ସମ୍ପାଦନ ପାଇଁ ଏବଂ ଯାତ୍ରୀ ମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏହି ଟ୍ରେନକୁ ରାଉରକେଲା ଓ ସମ୍ବଲପୁର ମଧ୍ୟରେ ଚଳାଚଳ କରାଇବାପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଅଛି। ଏହି ଟ୍ରେନ ଅଗଷ୍ଟ ମାସ ୧୩ ତାରିଖ ଠାରୁ ୨୩ ତାରିଖ ମଧ୍ୟରେ ରାଉରକେଲାରୁ ଛାଡି ସମ୍ବଲପୁର ଯାତ୍ରାକରିବାକୁ ଥିବାବେଳେ ଏହା ଅଗଷ୍ଟ ମାସ ୧୪ ତାରିଖ ଠାରୁ ୨୪ ତାରିଖ ମଧ୍ୟରେ ସମ୍ବଲପୁର ଠାରୁ ଛାଡି ରାଉରକେଲା ଯାତ୍ରା କରିବ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଉରକେଲାରେ ଟିକା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଯୁବପିଢ଼ି: ଆଜି ୩,୮୦୦ ଜଣ ନେଲେ ସୁରକ୍ଷା କବଚ

ରାଉରକେଲା: ରାଉରକେଲା ସହରରେ ମଙ୍ଗଳବାର ଦିନ ୧୮ରୁ ୪୪ ବର୍ଷ ବର୍ଗର ବ୍ୟକ୍ତିଙ୍କୁ ପ୍ରଥମ ଡୋଜ୍ ଟିକା ଦିଆଯାଇଛି। ଏହି ଟିକା ନେବା ବେଳେ ଯୁବପିଢ଼ିଙ୍କ ମଧ୍ୟରେ ବିଶେଷ ଉତ୍ସାହ ଦେଖିବାକୁ ମିଳିଥିଲା। ଟିକାଦାନ କେନ୍ଦ୍ରରେ ଶୃଙ୍ଖଳିତ ବ୍ୟବସ୍ଥା ପାଇଁ ଅନେକ ହିତାଧିକାରୀ ସ୍ଥାନୀୟ ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି। ବିଶେଷକରି କୋଭିଡ୍ ବିରୋଧରେ ଏହି ସୁରକ୍ଷା କବଚ ଲାଗି ସେମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି।

ରାଉରକେଲା ପାଇଁ ରାଜ୍ୟ ସରକାରଙ୍କ କୋଟାରୁ ଟିକା ଆସିବା ସୂଚନା ମିଳିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଟିକାଦାନ ଲାଗି ନୂତନ ସୂଚୀ ପ୍ରସ୍ତୁତ କରାଯାଇଥିଲା। ଏଥିରେ ପ୍ରଥମ ଥର ପାଇଁ ୧୮ରୁ ୪୪ ବର୍ଷ ବର୍ଗ ପାଇଁ ଟିକା ଦେବାର ଘୋଷଣା କରାଯାଇଥିଲା। ଯେଉଁ ବ୍ୟକ୍ତିମାନେ ଅନଲାଇନ ପଞ୍ଜୀକରଣ କରି ସ୍ଲଟ୍ ପାଇଥିଲେ ସେମାନେ ନିର୍ଦ୍ଧାରିତ କେନ୍ଦ୍ରକୁ ଆସି ଟିକା ନେଇଛନ୍ତି।

କୋଭିଡ୍ ଟିକାଦାନ ପାଇଁ ରାଉରକେଲାରେ ୮ଟି କେନ୍ଦ୍ର କରାଯାଇଛି। ମଙ୍ଗଳବାର ଦିନ ମୋଟ ୩୮୦୦ ବ୍ୟକ୍ତିଙ୍କୁ ଟିକା ଦିଆଯାଇଛି। ପ୍ରତି କେନ୍ଦ୍ରରେ ୫୦୦ ଜଣଙ୍କୁ ଟିକା ଦେବା ପାଇଁ ପ୍ରଶାସନ ଲକ୍ଷ୍ୟ ରଖିଥିଲା। ଟିକାଦାନର ନୂତନ ସୂଚୀ ଅନୁଯାୟୀ ବର୍ତ୍ତମାନ ୧୮ରୁ ୪୪ ବର୍ଗର ବ୍ୟକ୍ତିଙ୍କୁ ମଙ୍ଗଳବାର, ଗୁରୁବାର ଓ ଶନିବାର ଟିକା ଦିଆଯାଉଛି। ସେହିପରି ୪୫ ପ୍ଲସ୍‌ଙ୍କ ପାଇଁ ବୁଧବାର, ଶୁକ୍ରବାର ଓ ସୋମବାର ଧାର୍ଯ୍ୟ କରାଯାଇଛି। ସେମାନଙ୍କୁ କେବଳ ଦ୍ୱିତୀୟ ଡୋଜ୍ ଟିକା ଦିଆଯାଉଛି। ଏହି ବର୍ଗ ପାଇଁ ଆଗୁଅ । ପଞ୍ଜୀକରଣର ଆବଶ୍ୟକତା ନାହିଁ। ସେମାନେ ସିଧାସଳଖ ନିକଟସ୍ଥ ଟିକାକରଣ କେନ୍ଦ୍ରରେ ପହଞ୍ଚି ପଞ୍ଜୀକରଣ କରିବାକୁ ପ୍ରଶାସନ ସୂଚନା ଦେଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସୁନ୍ଦରଗଡ଼ ଜିଲ୍ଲାରେ କୋଭିଡ୍ ନିୟନ୍ତ୍ରଣ ପାଇଁ ଜନସାଧାରଣଙ୍କୁ ପ୍ରଶାସନର ଡାକରା: “ବ୍ରେକ୍ ଦ ଚେନ୍‌”

ସୁନ୍ଦରଗଡ଼/ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାରେ କୋଭିଡ୍ ସଂକ୍ରମଣ ନିୟନ୍ତ୍ରଣ ଲାଗି ପ୍ରଶାସନ ପକ୍ଷରୁ “ବ୍ରେକ୍ ଦ ଚେନ୍‌: ଡାକରା ଦିଆଯାଇଛି। କରୋନା ଚେନ୍ ଭାଙ୍ଗିବାକୁ ଏହି ଲକଡାଉନ୍ ସମୟକୁ ସଠିକ୍ ଭାବେ ବ୍ୟବହାର କରିବାକୁ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି। ସେହିପରି ରାଉରକେଲା ସହରରେ ଲକଡାଉନ ନିୟମ ପାଳନ କରି ଏହି ମହାମାରୀକୁ ଜିତିବାକୁ କମିଶନର ଦିବ୍ୟଜ୍ୟୋତି ପରିଡ଼ା ମହାନଗରବାସୀଙ୍କୁ ଅନୁରୋଧ କରିଛନ୍ତି।

“କୋଭିଡ୍ ସଂକ୍ରମଣ ଚେନ୍ ଭାଙ୍ଗିବାକୁ ସମସ୍ତଙ୍କର ସହଯୋଗ ଆବଶ୍ୟକ। ସରକାର ଯେଉଁ ଲକଡାଉନ୍ ଘୋଷଣା କରିଛନ୍ତି ଏହାକୁ ସମସ୍ତେ ମାନି ଘରେ ରହିବା ଦରକାର। ଅତି ଆବଶ୍ୟକ ନହେଲେ କେହି ବାହାରକୁ ଆସନ୍ତୁ ନାହିଁ। ଘରେ ରହିଲେ ହିଁ “ବ୍ରେକ୍ ଦ ଚେନ୍‌” କୁ ଆମେ ସଫଳ କରିପାରିବା”, ବୋଲି କହିଛନ୍ତି ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ।

ଜିଲ୍ଲାପାଳ କହିଛନ୍ତି ଯେ, ସୁନ୍ଦରଗଡ଼ ଜିଲ୍ଲାରେ ବର୍ତ୍ତମାନ ସଂକ୍ରମଣ ହାର ଅଧିକ ରହିଛି। ହେଲେ ଏଥିରେ ଜନସାଧାରଣ ଭୟଭୀତ ହୁଅନ୍ତୁ ନାହିଁ। ଟେଷ୍ଟିଂ ସଂଖ୍ୟା ବୃଦ୍ଧି ପାଇଥିବାରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଏହା ଦ୍ୱାରା ଆକ୍ରାନ୍ତମାନଙ୍କୁ ଚିକିତ୍ସା ଯୋଗାଇ ଦେବା ସହ କରୋନା ଉପରେ ରୋକ୍ ଲଗାଇବା ସମ୍ଭବପର ହେବ। ଆଗକୁ ମଧ୍ୟ ଜିଲ୍ଲାରେ କୋଭିଡ୍ ଟେଷ୍ଟିଂ ସଂଖ୍ୟା ବାଇବାକୁ ଲକ୍ଷ୍ୟ ରହିଛି।

ଜିଲ୍ଲାରେ କୋଭିଡ୍ ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଉଛି। ବର୍ତ୍ତମାନସୁଦ୍ଧା ଡାକ୍ତରଖାନାରେ ରୋଗୀଙ୍କ ପାଇଁ ବେଡ୍ ରହିଛି। ରାଉରକେଲା ଏବଂ ସୁନ୍ଦରଗଡ଼ରେ ଥିବା ବିଭିନ୍ନ କୋଭିଡ୍ ହସ୍ପିଟାଲ ରୋଗୀଙ୍କ ଚିକିତ୍ସା କରୁଛନ୍ତି। ଜିଲ୍ଲାର ବିଭିନ୍ନ ଡାକ୍ତରଖାନା ଓ କୋଭିଡ୍ କେୟାର ସେଣ୍ଟରରେ ଆବଶ୍ୟକ ସଂଖ୍ୟକ ଅକ୍ସିଜେନ୍ ସିଲିଣ୍ଡର ରହିଛି।

ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସୀମାରେ ୬ଟି ଚେକ୍ ପୋଷ୍ଟ କରାଯାଇ ଚେକିଂ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଉଛି। ଆରଟିପିସିଆର୍ ନେଗେଟିଭ୍ ରିପୋର୍ଟ ଏବଂ ଡବଲ ଡୋଜ୍ ଟିକା ପ୍ରମାଣପତ୍ର ଯାଞ୍ଚ କରାଯାଉଛି। ଏହା କରୋନା ଚେନକୁ ଭାଙ୍ଗିବା ଲାଗି ସହାୟକ ହେଉଛି ବୋଲି ଜିଲ୍ଲାପାଳ କହିଛନ୍ତି।

ରାଉରକେଲା ସହରରେ “ବ୍ରେକ୍ ଦ ଚେନ୍‌” ଅଭିଯାନକୁ ସଫଳ କରିବା ପାଇଁ ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡ଼ା ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ଲକଡାଉନ୍ ନିୟମ ପାଳନ କରି ଘରେ ରହିବାକୁ ସେ କହିଛନ୍ତି। କୋଭିଡ୍ ଟେଷ୍ଟିଂ, ଚିକିତ୍ସା, ଟିକାକରଣ ସହିତ ଆଇସିୟୁ, ଅକ୍ସିଜେନ୍ ଆଦି ବାବଦରେ ଜାଣିବା ପାଇଁ ଲୋକେ ରାଉରକେଲା ମହାନଗର ନିଗମ ୧୮୦୦ ୩୪୫ ୭୪୬୮ ଏବଂ ଜିଲ୍ଲା ହେଲ୍ପଲାଇନ୍ ନମ୍ବର ୧୮୦୦ ୩୪୫ ୭୪୬୧/୦୧୧ ୪୧୧ ୮୨୧୩୮ ରେ ମାଗଣାରେ କଲ୍ କରିପାରିବେ।

“ସଂକ୍ରମଣ ଚେନ୍ ଭାଙ୍ଗିବା ଲାଗି ପ୍ରଶାସନ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛି। ଲକଡାଉନ୍ ସମୟରେ ଲୋକଙ୍କ ଘର ପାଖରେ ଏସଏଚଜି ମା’ମାନଙ୍କ ସାହାଯ୍ୟ ନେଇ ଆଳୁ, ପିଆଜ ଭଳି ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ପହଞ୍ଚାଇବାକୁ ବ୍ୟବସ୍ଥା କରାଯାଉଛି। ତେଣୁ ଲୋକମାନେ ଭିଡ଼ ସ୍ଥାନକୁ ନଯାଇ ଘର ପାଖରୁ ଜିନିଷ କିଣନ୍ତୁ। ଜନସାଧାରଣଙ୍କ ସହଯୋଗରେ ଆମେ କୋଭିଡ୍ ମୁକାବିଲା କରିପାରିବା” ବୋଲି କହିଛନ୍ତି କମିଶନର ଦିବ୍ୟଜ୍ୟୋତି ପରିଡ଼ା।

ଲକ୍ଷଣ ଥିବା କିମ୍ବା କୋଭିଡ୍ ପଜିଟିଭ୍ ବାହାରୁଥିବା ବ୍ୟକ୍ତିମାନଙ୍କୁ ହୋମ୍ ଆଇସୋଲେସନରେ ରହି ଡାକ୍ତରଙ୍କ ପରାମର୍ଶ ନେଇ ଚିକିତ୍ସା କରିବାକୁ ପ୍ରଶାସନ ଅନୁରୋଧ କରିଛି। ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଅନୁଧ୍ୟାନ କରିବା ପାଇଁ ଜିଲ୍ଲାରେ ୮୪ଟି ରାପିଡ୍ ରେସପନ୍ସ ଟିମ୍ ଗଠନ କରାଯାଇଛି। ସେଥିମଧ୍ୟରୁ ରାଉରକେଲା ସହରରେ ୨୦ଟି ଟିମ୍ କାମ କରୁଛନ୍ତି। ଏହି ଟିମ୍ ଘର ଘର ବୁଲି ଲୋକଙ୍କ ଶରୀରର ତାପମାତ୍ରା ଓ ଅମ୍ଲଜାନ ସ୍ତର ମାପିବା ସହ ରୋଗୀଙ୍କୁ ଔଷଧପତ୍ର ଦେଉଛନ୍ତି।

ଲକଡାଉନ୍ ଭିତରେ ରାଉରକେଲା ସହରରେ କୋଭିଡ୍ ଟେଷ୍ଟିଂକୁ ଆହୁରି ଜୋରଦାର କରାଯାଇଛି। ଏଥିପାଇଁ ସହରରେ ୯ଟି କେନ୍ଦ୍ର ଚାଲିଛି। ସେହିପରି ମହାନଗର ନିଗମବାସୀଙ୍କ ପାଇଁ ୮ଟି ଟିକାକରଣ କେନ୍ଦ୍ର କାମ କରୁଛି । ତେବେ କୌଣସି ସ୍ଥାନରେ ଭିଡ଼ ନକରି କୋଭିଡ୍ ନିୟମ ପାଳନ କରି ଏସବୁ କାର୍ଯ୍ୟ କରିବା ପାଇଁ କମିଶନର ଅନୁରୋଧ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

NIT ସମାବର୍ତ୍ତନ ଉତ୍ସବରେ ଯୋଗ ଦେଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ରାଉରକେଲା, ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ରାଉରକେଲାସ୍ଥିତ NIT ର ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଛନ୍ତି। ତାଙ୍କ ସହିତ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଜୁଏଲ ଓରାମ ପ୍ରମୁଖ ଯୋଗ ଦେଇଛନ୍ତି। ଏହି ଉତ୍ସବରେ ରାଷ୍ଟ୍ରପତି 6 ଜଣଙ୍କୁ ସ୍ବର୍ଣ୍ଣପଦକ ଏବଂ 70 ଜଣଙ୍କୁ ରୌପ୍ୟ ପଦକ ପ୍ରଦାନ କରିଛନ୍ତି।

ଏହି ଉତ୍ସବରେ ଯୋଗଦେଇ ରାଷ୍ଟ୍ରପତି କହିଛନ୍ତି ଯେ, ବିନା କୌଣସି ଚାପରେ ନିଷ୍ପତି ନେବାର ଶିକ୍ଷାଲାଭ କରିବା ଉଚିତ। ନିଟରେ ଛାତ୍ରୀମାନଙ୍କର ସଫଳତା ନେଇ ରାଷ୍ଟ୍ରପତି ଖୁସି ପ୍ରକଟ କରିଥିଲେ। ସେହିପରି ସେ ଓଡିଶାର ସଂସ୍କୃତି ଐତିହ୍ୟକୁ ନେଇ ଉଚ୍ଚ ପ୍ରଶଂସା କରିଥିଲେ। ଛାତ୍ରଛାତ୍ରୀମାନଙ୍କର ସ୍ନାତକ ହେଉଛି ଗୁରୁତ୍ବପୂର୍ଣ୍ଣ ସମୟ। ଏହାର ସଦଉପଯୋଗ କରିବାକୁ ରାଷ୍ଟ୍ରପତି ପରାମର୍ଶ ଦେଇଛନ୍ତି। ରାଷ୍ଟ୍ରପତି ରାଉରକେଲାରେ ମଧ୍ୟାହ୍ନ ଭୋଜନ କରି ଅପରାହ୍ନରେ ଏକ ହସପିଟାଲର ଉଦଘାଟନ କରିବେ। ଏହାପରେ ଭୁବନେଶ୍ବର ଫେରି ଆସିବେ।

Categories
ଆଜିର ଖବର ରାଜ୍ୟ ଖବର

13 ଜିଲ୍ଲାବାସୀଙ୍କ ପାଇଁ ରାଉରକେଲାରେ କଟକଣା, ଜାଣନ୍ତୁ କେଉଁ କେଉଁ ଜିଲ୍ଲା ରହିଛନ୍ତି ଏଥିରେ ସାମିଲ୍‌

ରାଉରେକଲା : କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କାରେ ରାଉରକେଲାରେ କଟକଣା ଜାରି କରାଯାଇଛି ।13 ଜିଲ୍ଲାରୁ ଆସିଥିବା ବ୍ୟକ୍ତିଙ୍କୁ ସରକାରୀ କ୍ବାରେଣ୍ଟିନ୍‌ ବାଧ୍ୟତାମୂଳକ କରାଯାଇଛି ।

ଏହି 13ଟିଜିଲ୍ଲା ମଧ୍ୟରେ ରହିଛି ଖୋର୍ଦ୍ଧା, ଗଞ୍ଜାମ, ଭଦ୍ରକ, ବାଲେଶ୍ବର, ବଲାଙ୍ଗିର, ନୟାଗଡ, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ମୟୂରଭଞ୍ଜ, ସୁନ୍ଦରଗଡ । ରାଉରକେଲା ପୌରାଞ୍ଚଳ ପକ୍ଷରୁ କଟକଣା ନେଇ ଏଡିଏମ୍‌ ସୂଚନା ଦେଇଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ରାଉରକେଲା ସରକାରୀ ହସ୍ପିଟାଲର 2 ଡାକ୍ତରଙ୍କୁ କରୋନା

ସୁନ୍ଦରଗଡ : ସୁନ୍ଦରଗଡ ଜିଲ୍ଲାର 18 ଆକ୍ରାନ୍ତଙ୍କ ତଥ୍ୟ ଦେଲେ ଜିଲ୍ଲାପାଳ । 18 ଆକ୍ରାନ୍ତଙ୍କ ମଧ୍ୟରୁ 15 ଜଣ ପୁରୁଷ ଥିବାବେଳେ ତିନି ଜଣ ମହିଳା ଥିଲେ । ରାଉରକେଲା ସରକାରୀ ହସ୍ପିଟାଲର 2 ଡାକ୍ତର କରୋନାରେ ସଂକ୍ରମିତ ହୋଇଥିବାର ସୂଚନା ରହିଛି । ରିପୋର୍ଟ ପଜିଟିଭ୍‌ ମିଳବା ପରେ ଦୁଇ ଡାକ୍ତର କ୍ବାରେଣ୍ଟିନ୍‌ରେ ରହିଛନ୍ତି। କରୋନା ଚିହ୍ନଟ ପରେ ହସ୍ପିଟାଲ ସାନିଟାଇଜ୍‌ କାର୍ଯ୍ୟ କରାଯାଇଛି । ରାଉରକେଲା ସ୍ପେଶାଲ୍‌ ଜେଲ୍‌ କ୍ବାରେଣ୍ଟିନ୍‌ କେନ୍ଦ୍ରର 6 ଅନ୍ତେବାସୀ ସଂକ୍ରମିତ ହୋଇଥିବାର ସୂଚନା ରହିଛି । ରାଜ୍ୟରେ ଆଜି 75 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 2856ରେ ପହଞ୍ଚିଛି ।

Categories
ଆଜିର ଖବର ରାଜ୍ୟ ଖବର

ରାଉରକେଲାରେ ଗୋଷ୍ଠୀ ସଂଘର୍ଷ : ଦୁଇ ଆହତ

ରାଉରକେଲା : ରାଉରକେଲାର ବାସନ୍ତୀ କଲୋନୀଠାରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିବାର ସୂଚନା ମିଳିଛି । ପୂର୍ବ ଶତ୍ରୁତାରୁ ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ୍‌ ହୋଇଥିବାବେଳେ ଏଥିରେ ଦୁଇ ଜଣ ଆହତ ହୋଇଛନ୍ତି । ଗୋଟିଏ ବନ୍ଧୁକ ଜବତ କରାଯାଇଛି । ଉଦିତ୍‌ନଗର ଥାନାରେ ଉଭୟଗୋଷ୍ଠୀ ଏନେଇ ଅଭିଯୋଗ କରିବା ପରେ ଏହି ଗଣ୍ଡଗୋଳ ପାଇଁ ଚାରି ଜଣଙ୍କୁ ଗିରଫ କରାଯାଇଛି ।

Categories
ଆଜିର ଖବର ରାଜ୍ୟ ଖବର

ଟ୍ରେନ୍‌ ନ ଅଟକିବାରୁ ରାଉରକେଲାଠାରେ ଚଳନ୍ତା ଟ୍ରେନରୁ ଡେଇଁଲେ ବ୍ୟକ୍ତି

ନୂଆଦିଲ୍ଲୀ : କରୋନା ଭାଇରସ୍‌ ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଲକ୍‌ ଡାଉନ୍‌ ଜାରି ରହିଛି । ସେହିପରି ଲକ୍‌ ଡାଉନ୍‌ ଯୋଗୁଁ ବିଭିନ୍ନ ରାଜ୍ୟରେ ଫସିରହିଥିବା ଶ୍ରମିକମାନଙ୍କ ପାଇଁ ସ୍ବତନ୍ତ୍ର ଟ୍ରେନ୍‌ ଚଲାଯାଉଛି । ଟ୍ରେନ୍‌ ଯୋଗେ ପ୍ରବାସୀ ଶ୍ରମିକଙ୍କୁ ଅଣାଯାଉଛି । ଏହା ମଧ୍ୟରେ ଏକ ଅଘଟଣ ହୋଇଥିବାର ସୂଚନା ରହିଛି । କୋଟାରୁ ହଟିଆ ଯାଉଥିବା ପ୍ରବାସୀ ଶ୍ରମିକଙ୍କ ସ୍ବତନ୍ତ୍ର ଟ୍ରେନ୍‌ରୁ ଜଣେ ବ୍ୟକ୍ତି ଡେଇଁପଡିଛନ୍ତି ।

ମିଳିଥିବା ସୂଚନା ଅନୁସାରେ ଲକ୍‌ ଡାଉନ୍‌ରେ ଫସିଥିବା ଶ୍ରମିକ, ଛାତ୍ର ଆଦିଙ୍କୁ ଏକ ସ୍ବତନ୍ତ୍ର ଟ୍ରେନ୍‌ ଯୋଗେ ସେମାନଙ୍କ ରାଜ୍ୟକୁ ପଠାଯାଉଛି । କୋଟାରୁ ହଟିଆ ଯାଉଥିବା ଏକ ସ୍ବତନ୍ତ୍ର ଟ୍ରେନ୍‌ରୁ  ଓଡ଼ିଶାର ରାଉରକେଲା ଷ୍ଟେସନ ନିକଟରେ ଜଣେ ବ୍ୟକ୍ତି ଡେଇଁ ପଡିଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଟ୍ରେନ୍‌ରୁ ଡେଇଁ ପଡିଥିବା ବ୍ୟକ୍ତି ଜଣକ ଭୁଲ୍‌ ପ୍ରକ୍ରିୟାରେ ପଞ୍ଜିକରଣ କରି ଟ୍ରେନ୍‌ରେ ଚଢିଥିଲେ । ଟ୍ରେନଟି ଯେତେବେଳେ ରାଉରକେଲା ନିକଟରେ ଅଟକିଲା ନାହିଁ ସେତେବେଳେ ସେ କିଂକର୍ତ୍ତବ୍ୟମୂଢ ହୋଇ ଟ୍ରେନରୁ ତଳକୁ ଡେଇଁ ପଡିଥିଲେ ।

ଲକ୍ ଡାଉନରେ ଫସିଥିବା ଲୋକଙ୍କ ପାଇଁ 6ଟି ରୁଟ୍‌ରେ ସ୍ପତନ୍ତ୍ର ଟ୍ରେନ୍‌ ଚାଲୁ କରାଯାଇଛି । ଏହି ଟ୍ରେନ୍‌ରେ କେବଳ ରାଜ୍ୟ ସରକାରଙ୍କ ଅଧୀନରେ ପଞ୍ଜିକରଣ କରିଥିବା ଶ୍ରମିକଙ୍କୁ ଯାତ୍ରା କରିବାର ଅନୁମତି ମିଳିଛି । କୌଣସି ଅନ୍ୟ ବ୍ୟକ୍ତିମାନେ ଯାତ୍ରା କରିପାରିବେ ନାହିଁ । ବିଭିନ୍ନ ରାଜ୍ୟରେ ଫସି ରହିଥିବା ପ୍ରବାସୀ ଶ୍ରମିକଙ୍କ ପାଇଁ ଏହି ଟ୍ରେନ୍‌ ଚାଲୁ କରାଯାଇଛି ।