Categories
ଆଞ୍ଚଳିକ

ଓଡିଶା ସିଭିଲ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ହେଲେ ଦିନମଜୁରିଆଙ୍କ ପୁଅ, ବାଣପୁର ପାଇଁ ଆଣିଲେ ଗୌରବ

ବାଣପୁର (ସୀତାରାମ ଅଗ୍ରୱାଲ): ଗତକାଲି ରାତିରେ ଓଡିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ଓଡିଶା ସିଭିଲ ସର୍ଭିସ ପରୀକ୍ଷା ୨୦୨୨ ର ଫଳ ପ୍ରକାଶ ପାଇଛି। ତେବେ ଉକ୍ତ ପରୀକ୍ଷାରେ ସାରା ଓଡ଼ିଶାରେ ୨୪୭ ର‍୍ୟାଙ୍କ ରଖିଛନ୍ତି ବାଣପୁରର ରାକେଶ ଜେନା।

ବାଣପୁର ବ୍ଲକ ଭେଟେଶ୍ୱର ପଞ୍ଚାୟତ ଭାପୁର ଗ୍ରାମର ପ୍ରକାଶ ଜେନାଙ୍କ ପୁଅ ଅଟନ୍ତି ରାକେଶ। ବାପା ପେଶାରେ ଜଣେ ଦିନମଜୁରିଆ ହୋଇଥିବାବେଳେ ମାତା ଗୃହିଣୀ ଅଟନ୍ତି। ଏକ ସାଧାରଣ ପରିବାରରୁ ଆସି ବହୁ ବାଧାବିଘ୍ନ ଅତିକ୍ରମ କରି ନିଜର କଠିନ ପରିଶ୍ରମ ଫଳରେ ଉକ୍ତ ପରୀକ୍ଷାରେ ସଫଳ ହୋଇପାରିଛନ୍ତି ରାକେଶ।

ରାକେଶ ବାଣପୁର ଗୋଦାବରୀଶ ମହାବିଦ୍ୟାଳୟରୁ +୨ ଏବଂ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସିଲ କରିଛନ୍ତି। ପିଲାଟି ଦିନରୁ ରାକେଶ ଜଣେ ମେଧାବୀ ଛାତ୍ର ହୋଇଥିବାବେଳେ ଦୀର୍ଘ ୭ ବର୍ଷ ହେଲା ଓପିଏସସି ପାଇଁ ପ୍ରସ୍ତୁତି ଜାରି ରଖିଥିଲେ। ଏଥି ନିମନ୍ତେ ସେ ଦିନକୁ ୮-୧୦ ଘଣ୍ଟା ଯାଏଁ ପରିଶ୍ରମ କରୁଥିଲେ।

ସେ ୨୦୨୦ ମସିହାରେ ଦିଲ୍ଲୀ ଶୁଭ୍ରାଂରଞ୍ଜନ ଏକାଡେମୀ ଓ ପରେ ୨୦୧୮ ମସିହାରେ ଭୁବନେଶ୍ୱରର ବାଜିରାଓ ଏକାଡେମିରେ ଏକ ବର୍ଷ ପାଇଁ କୋଚିଂ ନେଇଥିଲେ ଓ ପରବର୍ତ୍ତୀ ସମୟରେ ୟୁଟ୍ୟୁବ ରୁ ନିଜେ ପାଠ ପଢୁଥିଲେ।

ସମାଜରେ ନିଷ୍ପେସିତ ଏବଂ ଅସହାୟ ଜନସାଧାରଣଙ୍କୁ ସାହାଯ୍ୟ କରିବା ତାଙ୍କର ପ୍ରାଥମିକତା ରହିବ ବୋଲି କହିଛନ୍ତି ରାକେଶ। ନିଜର ସଫଳତାର ସମସ୍ତ ଶ୍ରେୟ ନିଜ ମାତା ପିତା ଏବଂ ଗୁରୁଜନ ମାନଙ୍କୁ ଦେଇଛନ୍ତି ରାକେଶ। ରାକେଶଙ୍କ ଉକ୍ତ ସଫଳତାରେ ସମଗ୍ର ବାଣପୁର ଓ ଚିଲିକା ଅଞ୍ଚଳବାସୀ ଗର୍ବ ଅନୁଭବ କରିବା ସହ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।