Categories
ଆଜିର ଖବର ଖେଳ ରାଜ୍ୟ ଖବର

୧୬ତମ ରାଜ୍ୟ ଟେବୁଲ ଟେନିସ ରାଙ୍କିଙ୍ଗ୍ ଚାମ୍ପିୟନସିପ୍ ଉଦଯାପିତ

ଭୁବନେଶ୍ୱର: କିଟ୍ ବିଶ୍ୱବିଦ୍ୟାଳୟ ପରିସରସ୍ଥ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମଠାରେ ଚାଲିଥିବା ୧୬ତମ ରାଜ୍ୟ ଟେବୁଲ ଟେନିସ ରାଙ୍କିଙ୍ଗ୍ ଚାମ୍ପିୟନସିପ୍ ସୋମବାର ଉଦଯାପିତ ହୋଇଛି। ଖୋର୍ଦ୍ଧା ଜିଲ୍ଲା ଟେବୁଲ ଟେନିସ ଆସୋସିଏସନ ଆନୁକୂଲ୍ୟରେ ସେପ୍ଟେମ୍ବର ୨୯ରୁ ଅକ୍ଟୋବର ୨ ତାରିଖ ଯାଏଁ ୪ ଦିନ ଧରି ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

ସୋମବାର ଆୟୋଜିତ ଟୁର୍ଣ୍ଣାମେଣ୍ଟର ଉଦଯାପନୀ କାର୍ଯ୍ୟକ୍ରମରେ ବିଭିନ୍ନ ବର୍ଗରେ ବିଜେତା ଓ ଉପବିଜେତା ହୋଇଥିବା ଖେଳାଳିମାନଙ୍କୁ ପୁରସ୍କୃତ କରାଯାଇଥିଲା। ସେମାନଙ୍କୁ ଟ୍ରଫି ଓ ସାର୍ଟିଫିକେଟ ସହ ଅର୍ଥରାଶି ପୁରସ୍କାର ଆକାରରେ ଦିଆଯାଇଥିଲା। ଟୁର୍ଣ୍ଣାମେଣ୍ଟରେ ଖେଳାଳିମାନଙ୍କ ପାଇଁ ମୋଟ ୨୫ ହଜାର ଟଙ୍କାର ଆର୍ଥିକ ପୁରସ୍କାର ରଖାଯାଇଥିଲା। ଏହାସହ ସବୁ ବର୍ଗରେ ସେମିଫାଇନାଲକୁ ଯାଇଥିବା ଖେଳାଳିମାନଙ୍କୁ ମଧ୍ୟ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା।

ଏହି ଟୁର୍ଣ୍ଣାମେଣ୍ଟର ଉଭୟ ବାଳକ ଓ ବାଳିକା ବର୍ଗରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ୨୩୦ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ପ୍ରତିଯୋଗିତାରେ ସିନିୟର, ୧୯ ବର୍ଷରୁ କମ୍, ୧୭ ବର୍ଷରୁ କମ୍, ୧୫ ବର୍ଷରୁ କମ୍, ୧୩ ବର୍ଷରୁ କମ୍, ୧୧ ବର୍ଷରୁ କମ୍ ବୟସ ବର୍ଗରେ ୪୦୦ରୁ ଅଧିକ ଏକକ ଟେବୁଲ ଟେନିସ୍ ମ୍ୟାଚ୍ ଖେଳାଯାଇଥିଲା।

ଭୁବନେଶ୍ଵରସ୍ଥିତ ଓଡ଼ିଶା ସ୍ପୋର୍ଟସ୍ କ୍ଲବର ଖେଳାଳି ଶ୍ଵେତପଦ୍ମା ଦଳାଇ ଟୁର୍ଣ୍ଣାମେଣ୍ଟର ୩ଟି ବର୍ଗରେ ଚାମ୍ପିୟନ ହୋଇଥିଲେ। ସେ ୧୭ ବର୍ଷରୁ କମ୍, ୧୯ ବର୍ଷରୁ କମ୍ ଏବଂ ସିନିୟର ମହିଳା ବର୍ଗରେ ଟାଇଟଲ ଜିତିଥିଲେ। ସେହିପରି ସିନିୟର ପୁରୁଷ ବର୍ଗରେ ଓଡ଼ିଶା ଆକାଉଣ୍ଟସ୍ ଜେନେରାଲ ଦଳର ସମ୍ରାଟ ଚକ୍ରବର୍ତ୍ତୀ  ଚାମ୍ପିୟନ ହୋଇଥିଲେ।

ଅନ୍ୟପଟେ ବାଳକ ବର୍ଗରେ କଟକର ଜିଜ୍ଞାସୁ ସାହୁ ୧୫ ବର୍ଷରୁ କମ୍, ୧୭ ବର୍ଷରୁ କମ୍ ଏବଂ ୧୯ ବର୍ଷରୁ କମ୍ ଆଦି ୩ଟି ବର୍ଗରେ ଟାଇଟଲ ହାସଲ କରିଥିଲେ। ଟୁର୍ଣ୍ଣାମେଣ୍ଟରେ କଟକର ଶ୍ଵେତା ବର୍ମା ୧୧ ବର୍ଷରୁ କମ୍ ଓ ୧୩ ବର୍ଷରୁ କମ୍ ବୟସର ୨ଟି ବର୍ଗରେ ବିଜୟୀ ହୋଇଥିଲେ।

ଏହାସହ ୧୧ ବର୍ଷରୁ କମ୍ ବାଳକ ବର୍ଗରେ କଟକର ଆୟୁଷ ମାଣିଆ ବିଜୟୀ ହୋଇଥିବାବେଳେ ୧୩ ବର୍ଷରୁ କମ୍ ବାଳକ ବର୍ଗରେ ପୁରୀର ସାଇ କିରନ ପ୍ରଧାନ ବିଜୟୀ ହୋଇଛନ୍ତି। ସେହିପରି ୧୫ ବର୍ଷରୁ କମ୍ ବୟସ ବାଳିକା ବର୍ଗରେ କଟକର ଉର୍ଜା ବର୍ମାଙ୍କୁ ଜିତାପଟ ମିଳିଥିବାବେଳେ ଅୟାମ ମୁସ୍ତାକ ଓ ଫରାଜ ରାଜାଙ୍କ ଯୋଡ଼ି ବାଳକ ଯୁଗଳ ବର୍ଗରେ ଚାମ୍ପିୟନ ହୋଇଥିଲେ।

“୧୬ତମ ରାଜ୍ୟ ଟେବୁଲ ଟେନିସ ରାଙ୍କିଙ୍ଗ୍ ଚାମ୍ପିୟନସିପକୁ ଆମେ ସଫଳତାର ସହ ଆୟୋଜନ କରିଛୁ। ଏଥିରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ପ୍ରତିଯୋଗୀମାନେ ମ୍ୟାଚଗୁଡ଼ିକରେ ପରସ୍ପରକୁ କଡ଼ା ଟକ୍କର ଦେଇଥିଲେ। ଟୁର୍ଣ୍ଣାମେଣ୍ଟରେ ଖେଳାଳିମାନଙ୍କୁ ମିଳିଥିବା ପଏଣ୍ଟ ଓ ରାଙ୍କ୍ ଅନୁସାରେ ସେମାନେ ଜାତୀୟସ୍ତରର ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେବା ପାଇଁ ସୁଯୋଗ ପାଇବେ”, କହିଛନ୍ତି ଖୋର୍ଦ୍ଧା ଜିଲ୍ଲା ଟେବୁଲ ଟେନିସ ଆସୋସିଏସନର ସାଧାରଣ ସଂପାଦକ ସ୍ମୃତିରଞ୍ଜନ ଦାସ।

ଏହି ଟୁର୍ଣ୍ଣାମେଣ୍ଟରେ ରାଜ୍ୟର ପୂର୍ବତନ ଟେବୁଲ ଟେନିସ୍ ଖେଳାଳିମାନଙ୍କୁ ନେଇ ପୁରୁଷ ଏକକ ଓ ଯୁଗଳ ବର୍ଗର ମ୍ୟାଚ୍ ଖେଳାଯାଇଥିଲା। ସେଥିରେ ବିଜୟୀ ହୋଇଥିବା ଖେଳାଳିମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା।

ଉଦଯାପନୀ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲା ଟେବୁଲ ଟେନିସ୍ ଆସୋସିଏସନର ସଭାପତି ସୁରେଶ ଚନ୍ଦ୍ର ମହାରଣା ଓ ଯୁଗ୍ମ ସଚିବ ଶଶାଙ୍କ ଶେଖର ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପି.କେ. ସାମନ୍ତରାୟ, ତ୍ରୈଲୋକ୍ୟ ରାଉତ, ନିରଞ୍ଜନ ସେଠୀ, ବିଜନ ଦାସମହାପାତ୍ର ଏବଂ ତପନ ଖା ଟୁର୍ଣ୍ଣାମେଣ୍ଟର ପରିଚାଳନାରେ ସହଯୋଗ କରିଥିଲେ।

Categories
ଆଜିର ଖବର ଖେଳ ରାଜ୍ୟ ଖବର

ଭୁବନେଶ୍ୱରରେ ୧୬ତମ ରାଜ୍ୟ ଟେବୁଲ ଟେନିସ ରାଙ୍କିଙ୍ଗ୍ ଚାମ୍ପିୟନସିପ୍ ଶୁଭାରମ୍ଭ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ କିଟ୍ ବିଶ୍ୱବିଦ୍ୟାଳୟର ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମଠାରେ ଆରମ୍ଭ ହୋଇଛି ୧୬ତମ ରାଜ୍ୟ ଟେବୁଲ ଟେନିସ ରାଙ୍କିଙ୍ଗ୍ ଚାମ୍ପିୟନସିପ୍। ଖୋର୍ଦ୍ଧା ଜିଲ୍ଲା ଟେବୁଲ ଟେନିସ ଆସୋସିଏସନ ଆନୁକୂଲ୍ୟରେ ଆୟୋଜନ କରାଯାଇଥିବା ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ବିଭିନ୍ନ ଜିଲ୍ଲାରୁ ଉଭୟ ବାଳକ ଓ ବାଳିକା ବର୍ଗରେ ପ୍ରତିଯୋଗୀମାନେ ଭାଗ ନେଇଛନ୍ତି।

ଶୁକ୍ରବାର ଦିନ ନକ୍ ଆଉଟ୍ ପଦ୍ଧତିରେ ୧୧ ବର୍ଷରୁ କମ୍‌, ୧୫ ବର୍ଷରୁ କମ୍ ଏବଂ ବରିଷ୍ଠ ବିଭାଗରେ ପ୍ରତିଯୋଗୀଙ୍କୁ ନେଇ ମୋଟ ୧୨୦ଟି ମ୍ୟାଚ ଖେଳାଯାଇଥିଲା। ଭୁବନେଶ୍ୱର-ଉତ୍ତର ବିଧାୟକ ସୁଶାନ୍ତ ରାଉତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ।

ଏହି ପ୍ରତିଯୋଗିତାରେ ସିନିୟର, ୧୯ ବର୍ଷରୁ କମ, ୧୭ ବର୍ଷରୁ କମ, ୧୫ ବର୍ଷରୁ କମ, ୧୩ ବର୍ଷରୁ କମ, ୧୧ ବର୍ଷରୁ କମ ବୟସ ବର୍ଗରେ ବିଭିନ୍ନ ମ୍ୟାଚ ଖେଳାଯାଉଛି।

ଶୁକ୍ରବାର ଦିନ ୧୧ ବର୍ଷରୁ କମ, ୧୫ ବର୍ଷରୁ କମ ଏବଂ ବରିଷ୍ଠ ବର୍ଗରେ ମ୍ୟାଚ ହୋଇଥିଲା। ୧୧ ବର୍ଷରୁ କମ ବର୍ଗରେ ୪୮ଜଣ ଖେଳାଳି ଭାଗ ନେଇଥିଲେ। ସେମାନଙ୍କ ଭିତରୁ ବାଳକ ବର୍ଗରେ ୧୬ ଜଣ ପ୍ରି-କ୍ୱାର୍ଟର ଏବଂ ବାଳିକା ବର୍ଗରେ ୪ ଜଣ ସେମିଫାଇନାଲରେ ପ୍ରବେଶ କରିଛନ୍ତି।

ସେହିପରି ୧୫ ବର୍ଷରୁ କମ ବୟସ ବର୍ଗରେ ଭାଗ ନେଇଥିବା ୯୬ ଜଣ ପ୍ରତିଯୋଗୀଙ୍କ ଭିତରୁ ୪୮ ଜଣ ପରବର୍ତ୍ତୀ ପର୍ଯ୍ୟାୟକୁ ଉତ୍ତୀର୍ଣ୍ଣ ହୋଇଛନ୍ତି। ସିନିୟର ପୁରୁଷ ବର୍ଗରେ ୬୪ ଜଣଙ୍କ ଭିତରୁ ୮ ଜଣ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିବା ବେଳେ ୩୨ ଜଣ ମହିଳାଙ୍କ ଭିତରୁ ୪ ଜଣ ସେମିଫାଇନାଲରେ ପ୍ରବେଶ କରିଛନ୍ତି।

“୧୬ତମ ରାଜ୍ୟ ଟେବୁଲ ଟେନିସ ରାଙ୍କିଙ୍ଗ୍ ଚାମ୍ପିୟନସିପରେ ରାଜ୍ୟର ବିଭିନ୍ନ ସ୍ଥାନରୁ ବହୁସଂଖ୍ୟାରେ ପ୍ରତିଯୋଗୀମାନେ ଭାଗ ନେଇଛନ୍ତି । ସେମାନେ ନିଜ ନିଜ ବର୍ଗରେ ଆଗାମୀ ଜାତୀୟ ସ୍ତରର ଇଭେଣ୍ଟରେ ରାଜ୍ୟକୁ ପ୍ରତିନିଧିତ୍ୱ କରିବା ପାଇଁ ରାଙ୍କିଙ୍ଗ୍ ପଏଣ୍ଟ ଅର୍ଜନ କରିବେ ବୋଲି ଆଶା ରହିଛି”, କହିଛନ୍ତି ଖୋର୍ଦ୍ଧା ଜିଲ୍ଲା ଟେବୁଲ ଟେନିସ ଆସୋସିଏସନର ସାଧାରଣ ସଂପାଦକ ସ୍ମୃତିରଞ୍ଜନ ଦାସ ।

ଅକ୍ଟୋବର ୨ ତାରିଖଯାଏଁ ଏହି ଚାମ୍ପିୟନସିପ ଚାଲିବ । ବିଭିନ୍ନ ବର୍ଗରେ ଚାମ୍ପିୟନ ହୋଇଥିବା ଖେଳାଳିମାନଙ୍କୁ ଟ୍ରଫି ସହ ଅର୍ଥରାଶି ପ୍ରଦାନ କରାଯିବ ।

ଉଦଘାଟନୀ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲା ଟେବୁଲ ଟେନିସ ଆସୋସିଏସନର ସଭାପତି ସୁରେଶ ଚନ୍ଦ୍ର ମହାରଣା, ଯୁଗ୍ମ ସଚିବ ଶଶାଙ୍କ ଶେଖର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପି.କେ ସାମନ୍ତରାୟ, ତ୍ରୈଲୋକ୍ୟ ରାଉତ, ବିଜନ ଦାସମହାପାତ୍ର ଏବଂ ତପନ ଖା ସହଯୋଗ କରିଥିଲେ ।