Categories
ଆଜିର ଖବର ଜାତୀୟ ଖବର

ରଦ୍ଦି ସାମଗ୍ରୀ (ସ୍କ୍ରାପ) ବିକି ସରକାର ୧୧୭ କୋଟି ଟଙ୍କାରୁ ଅଧିକ ରାଜସ୍ୱ  ଆୟ କରିଛନ୍ତି: କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ: ସ୍ୱତନ୍ତ୍ର ସ୍ୱଚ୍ଛତା ଅଭିଯାନ ୩.୦ କାଳରେ ମାତ୍ର ଦୁଇ ସପ୍ତାହ ମଧ୍ୟରେ ବିଭିନ୍ନ ପ୍ରକାର ଅଦରକାରୀ ରଦ୍ଦି ସାମଗ୍ରୀ ବିକ୍ରି କରି ସରକାର ୧୧୭କୋଟିରୁ ଅଧିକ ଟଙ୍କାର ରାଜସ୍ୱ ଆୟ କରିଛନ୍ତି ବୋଲି କେନ୍ଦ୍ର ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ତଥା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, କାର୍ମିକ, ଆଣବିକ ଶକ୍ତି  ଓ ସାଧାରଣ ଅଭିଯୋଗ ବିଭାଗ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ କହିଛନ୍ତି।

ଏବେ ଦେଶରେ ଚାଲିଥିବା ସ୍ୱତନ୍ତ୍ର ସ୍ୱଚ୍ଛତା ଅଭିଯାନ ୩.୦ କାର୍ଯ୍ୟକ୍ରମର ପ୍ରଥମ ଦୁଇ ସପ୍ତାହର କାର୍ଯ୍ୟ ସମୀକ୍ଷା କରିବା ପରେ ମନ୍ତ୍ରୀ ଶ୍ରୀ ସିଂହ କହିଛନ୍ତି ଯେ ଏହି ସଫେଇ ଓ ସ୍ୱଚ୍ଛତା ଅଭିଯାନ ମାଧ୍ୟମରେ ବିଭିନ୍ନ ସରକାରୀ ଦପ୍ତରରୁ ଅଦରକାରୀ ସାମଗ୍ରୀ ଓ ଫାଇଲ ଆଦିକୁ ହଟାଯିବା ଫଳରେ ୩୨.୫୪ ଲକ୍ଷ ବର୍ଗ ଫୁଟ ସ୍ଥାନ ମୁକ୍ତ ହୋଇଛି। ସେହି ସ୍ଥାନକୁ ଅନ୍ୟ ଗଠନମୂଳକ କାମରେ ବିନିଯୋଗ କରିହେବ।

ନୋଡାଲ ଏଜେନ୍ସି ଭାବେ ଏହି ଅଭିଯାନର ନେତୃତ୍ୱ ପ୍ରଶାସନିକ ସଂସ୍କାର ଓ ସାଧାରଣ ଅଭିଯୋଗ ବିଭାଗ-ଡିଏଆର୍‌ପିଜି ନେଇଛି। ଏହି ବିଭାଗର କାମ  ବେଶ୍ ଉଚ୍ଚକୋଟିର ବୋଲି ଦର୍ଶାଇ ଏହାକୁ ମନ୍ତ୍ରୀ ଡକ୍ଟର ସିଂହ ପ୍ରଶଂସା କରିଛନ୍ତି। ସେ ଏହି ଦୁଇ ସପ୍ତାହର ସ୍ୱଚ୍ଛତା ଅଭିଯାନର କାର୍ଯ୍ୟ ଆଜି ନୂଆଦିଲ୍ଳୀଠାରେ ସମୀକ୍ଷା କରିଥିଲେ। ସ୍ୱଚ୍ଛତାକୁ ଆନୁଷ୍ଠାନିକ ରୂପ ଦେବା ଓ ପଡି ରହିଥିବା ସରକାରୀ କାମ  ବୋଝ ହ୍ରାସ କରିବାରେ ଯେଉଁ ପ୍ରଗତି ପରିଲକ୍ଷିତ ହୋଇଛି ତାହାକୁ ସେ ପ୍ରଶଂସା କରିଥିଲେ। ସାରା ଦେଶରେ ଏ କ୍ଷେତ୍ରରେ ଅଭୂତପୂର୍ବ ଜନ ସହଯୋଗ ପ୍ରକାଶ ପାଇଥିବା ଉଲ୍ଲେଖ କରି ମନ୍ତ୍ରୀ ଡକ୍ଟର ସିଂହ କହିଛନ୍ତି ଯେ ଦେଶର ସବୁ ସରକାରୀ ଅଫିସରେ ଏହି ସ୍ୱତନ୍ତ୍ର ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକାରୀ ହେଉଛି ଏବଂ ଏଥିରେ ଭଲ ପ୍ରଗତି ପରିଲକ୍ଷିତ ହେଉଛି। ସେ ଆହୁରି କହିଛନ୍ତି ଯେ ସବୁ ମନ୍ତ୍ରଣାଳୟ, ବିଭାଗର ଉତ୍ତମ ସହଯୋଗ ମିଳୁଛି। ଏଥିରେ ସବୁ ରାଷ୍ଟ୍ରୀୟତ୍ତଉଦ୍ୟୋଗ ଓ ପ୍ରାଦେଶିକ ଦପ୍ତରଗୁଡିକୁ ସାମିଲ କରି ସ୍ୱଚ୍ଛତା ପ୍ରକ୍ରିୟାକୁ ଆହୁରି ବ୍ୟାପକ କରିବାକୁ ସେ ପରାମର୍ଶ ଦେଇଛନ୍ତି।

ମନ୍ତ୍ରୀ ଡକ୍ଟର ସିଂହ ଆହୁରି କହିଛନ୍ତି ଯେ ସମଗ୍ର ଦେଶର ମୋଟ ୧. ୪୭ ଲକ୍ଷ ସ୍ଥାନକୁ ବର୍ତ୍ତମାନ ସୁଦ୍ଧା ସଫା କରାଯାଇଛି। ଏସବୁ ମୁଖ୍ୟତଃ ସରକାରୀ ଅଫିସ। ଏହା ଫଳରେ ୩୨.୫୪ ଲକ୍ଷ ବର୍ଗଫୁଟ ସ୍ଥାନ ଖାଲି ହୋଇଛି। ଦେଶର ମୋଟ ୨.୨୭ ଲକ୍ଷ ସ୍ଥାନକୁ  ସଫେଇ କରିବାକୁ ଚିହ୍ନଟ କରାଯାଇଛି। ସବୁ ବିଭାଗ ଓ ମନ୍ତ୍ରଣାଳୟର ଅଧିକାରୀ ଏବଂ କର୍ମଚାରୀମାନେ ଏଥିରେ ଉଲ୍ଲେଖନୀୟ ସହଯୋଗ ଯୋଗାଉଛନ୍ତି।

ଏହି ସ୍ୱତନ୍ତ୍ର ସ୍ୱଚ୍ଛତା ଅଭିଯାନର କାର୍ଯ୍ୟକୁ ମନ୍ତ୍ରୀ ଓ ସଚିବ ଗଣ ମଧ୍ୟ ସମୀକ୍ଷା କରିଛନ୍ତି। ଏହାକୁ ଆହୁରି ଅଧିକ ସଫଳ କରିବାକୁ ସେମାନେ ପରାମର୍ଶ ଦେଇଛନ୍ତି। ସ୍ୱଚ୍ଛତା ଅଭିଯାନର ପ୍ରଗତି ସମ୍ପର୍କରେ ଡିଏଆର୍‌ପିଜି ନିୟମିତ ସମୀକ୍ଷା କରୁଛି। ନୋଡାଲ ଏଜେନ୍ସି ଭାବେ ଏହା କାର୍ଯ୍ୟ କରୁଛିଏବଂ ଏହାର ସଚିବ ନିୟମିତ ପ୍ରଗତିର ସମୀକ୍ଷା କରୁଛନ୍ତି। ଏହାର ପ୍ରଗତି ସମ୍ପର୍କରେ ସାମାଜିକ ଗଣମାଧ୍ୟମକୁ ଏହି ବିଭାଗ ୪୫୦ ଟୁଇଟ୍ କରିଥିବାବେଳେ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗ ପକ୍ଷରୁ ମୋଟ ୬୦୦୦ ଟୁଇଟ୍ କରାଯାଇଛି। ସ୍ୱତନ୍ତ୍ର ଅଭିଯାନରେ ୪୫୦ ଇନ୍‌ଫୋଗ୍ରାଫ ଓ ୧୫୦ ପ୍ରେସ ଇସ୍ତାହାର ଗଣମାଧ୍ୟମକୁ ଦିଆଯାଇଛି।

ବିଗତ ପନ୍ଦର ଦିନ ମଧ୍ୟରେ ୧, ୪୭, ୭୫୭ ସ୍ଥାନରେ ସଫେଇ କରାଯାଇଛି। ଏହାଛଡା ୧୭,୯୨,୬୩୦ ଫାଇଲର ସମୀକ୍ଷା  କରାଯାଇ ତାହାକୁ ହଟାଯାଇଛି। ଏହା ଫଳରେ ସରକାରୀ ଦପ୍ତରରେ ୩୨,୫୪ ଲକ୍ଷ ବର୍ଗ ଫୁଟ୍ ସ୍ଥାନ ଖାଲି ହେବା ସହିତ ରଦ୍ଦି ଓ ଟୁକୁରା ସାମଗ୍ରୀ ବିକ୍ରି ଫଳରେ ସରକାର ୧୧୭.୩୩ କୋଟି ଟଙ୍କାର ରାଜସ୍ୱ ପାଇଛନ୍ତି। ଏହି ସମୟ ମଧ୍ୟରେ ୨, ୧୨, ୪୫୯ ସାଧାରଣ ଅଭିଯୋଗର ଶୁଣାଣି କରାଯାଇ ତାହାର ସମାଧାନ କରାଯାଇଛି। ଏହାଛଡା ୧୪୦୩ ସାଂସଦଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ପ୍ରଦାନ କରାଯାଇଛି। ଏହି ସ୍ୱତନ୍ତ୍ର ସ୍ୱଚ୍ଛତା ଅଭିଯାନ ଅକ୍ଟୋବର ୩୧ତାରିଖରେ ଶେଷ ହେବ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଯାତ୍ରୀଭଡ଼ାରୁ ରେଳବାଇର ରାଜସ୍ୱ ଆୟରେ ୭୬ ପ୍ରତିଶତ ବୃଦ୍ଧି

ନୂଆଦିଲ୍ଲୀ: ଏପ୍ରିଲରୁ ନଭେମ୍ବର ୨୦୨୨ ମଧ୍ୟରେ ଭାରତୀୟ ରେଳବାଇର ସମୁଦାୟ ଆନୁମାନିକ ଆୟ ଗତବର୍ଷ ଏହି ସମୟ ତୁଳନାରେ ୭୬ ପ୍ରତିଶତ ବୃଦ୍ଧି ପାଇ ୪୩,୩୨୪ କୋଟି ଟଙ୍କା ହୋଇଛି। ଗତବର୍ଷ ଏହି ସମୟ ମଧ୍ୟରେ ରେଳବାଇର ଆୟ ୨୪,୬୩୧ କୋଟି ଟଙ୍କା ଥିଲା।

ଏପ୍ରିଲ ୧ରୁ ନଭେମ୍ବର ୩୦, ୨୦୨୨ ମଧ୍ୟରେ ସଂରକ୍ଷିତ ବର୍ଗରେ ବୁକ କରିଥିବା ସମୁଦାୟ ଆନୁମାନିକ ଯାତ୍ରୀଙ୍କ ସଂଖ୍ୟା ଗତବର୍ଷ ଏହି ସମୟରେ ବୁକ କରିଥିବା ଯାତ୍ରୀଙ୍କ ସଂଖ୍ୟା ତୁଳନାରେ ୧୦ ପ୍ରତିଶତ ବୃଦ୍ଧି ହୋଇ ୫୩୬୫ ଲକ୍ଷ ରହିଛି। ଗତବର୍ଷ ଏହି ସମୟ ମଧ୍ୟରେ ଯାତ୍ରୀଙ୍କ ସଂଖ୍ୟା ୪୮୬୦ ଲକ୍ଷ ଥିଲା। ସଂରକ୍ଷିତ ଶ୍ରେଣୀରୁ ଏପ୍ରିଲ ୧ରୁ ନଭେମ୍ବର ୩୦, ୨୦୨୨ ମଧ୍ୟରେ ୩୪୩୦୩ କୋଟି ଟଙ୍କା ରାଜସ୍ୱ ଆୟ ହୋଇଛି। ଗତବର୍ଷ ଏହି ସମୟ ତୁଳନାରେ ଏହା ୫୦ ପ୍ରତିଶତ ଅଧିକ ରହିଛି। ଗତବର୍ଷ ଏହି ସମୟ ମଧ୍ୟରେ ୨୨୯୦୪ କୋଟି ଟଙ୍କା ଆୟ ହୋଇଥିଲା।

ଏପ୍ରିଲ ୧ରୁ ନଭେମ୍ବର ୩୦, ୨୦୨୨ ମଧ୍ୟରେ ଅସଂରକ୍ଷିତ ବର୍ଗରେ ବୁକ କରିଥିବା ଯାତ୍ରୀଙ୍କ ସଂଖ୍ୟା ୩୫,୨୭୩ ଲକ୍ଷ ହୋଇଛି। ଏହା ଗତବର୍ଷ ଏହି ସମୟ ଅବଧି ମଧ୍ୟରେ ଯାତ୍ରା କରିଥିବା ଯାତ୍ରୀଙ୍କ ସଂଖ୍ୟାରେ ୧୫୫ ପ୍ରତିଶତ ବୃଦ୍ଧିକୁ ଦର୍ଶାଉଛି। ଗତବର୍ଷ ଏହି ସମୟ ମଧ୍ୟରେ ୧୩୮୧୩ ଲକ୍ଷ ଯାତ୍ରୀ ବୁକ କରିଥିଲେ। ଅସଂରକ୍ଷିତ ଶ୍ରେଣୀରୁ ଏପ୍ରିଲ ୧ରୁ ନଭେମ୍ବର ୩୦, ୨୦୨୨ ମଧ୍ୟରେ ଗତବର୍ଷ ଏହି ସମୟ ତୁଳନାରେ ୪୨୨ ପ୍ରତିଶତ ଅଧିକ ରାଜସ୍ୱ ଆଦାୟ ହୋଇ ୯୦୨୧ କୋଟି ଟଙ୍କାରେ ପହଞ୍ଚିଛି। ଗତବର୍ଷ ଏହି ସମୟ ଅବଧି ମଧ୍ୟରେ ୧୭୨୮ କୋଟି ଟଙ୍କା ରାଜସ୍ୱ ଆଦାୟ ହୋଇଥିଲା।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ମୋଟ ରାଜସ୍ୱ ଆୟରେ ଜିଓ ୫୦% ବଜାର ଅଂଶ ହାସଲ କରିଥିବା ଭାରତର ଦୁଇଟି ରାଜ୍ୟ ମଧ୍ୟରେ ଓଡ଼ିଶା ଅନ୍ୟତମ

ଭୁବନେଶ୍ୱର: ଓଡ଼ିଶାରେ ସବୁଠାରୁ ପସନ୍ଦଯୋଗ୍ୟ ମୋବାଇଲ ସେବା ପ୍ରଦାନକାରୀ ରିଲାଏନ୍ସ ଜିଓ ରାଜ୍ୟରେ ପ୍ରଥମ ଦୂରସଂଚାର ଅପରେଟର ଭାବରେ ମୋଟ ରାଜସ୍ୱ କ୍ଷେତ୍ରରେ ୫୦%ରୁ ଅଧିକ ବଜାର ଅଂଶ ହାସଲ କରିଥିବା ଭାରତର ଦୂରସଂଚାର ନିୟାମକ ପ୍ରାଧିକରଣ (ଟ୍ରାଇ)ର ସଦ୍ୟତମ ଆର୍ଥିକ ରିପୋର୍ଟରୁ ଜଣାପଡିଛି। ଜୁନ୍ ସୁଦ୍ଧା ଶେଷହୋଇଥିବା ତ୍ରୟମାସିକ ନିମନ୍ତେ ଟ୍ରାଇ ପକ୍ଷରୁ ଚଳିତ ସପ୍ତାହରେ ପ୍ରକାଶିତ ଆର୍ଥିକ ରିପୋର୍ଟ ଅନୁଯାୟୀ ଓଡିଶା ସମେତ ଦେଶର ଦୁଇଟି ରାଜ୍ୟରେ ରିଲାଏନ୍ସ ଜିଓ ମୋଟ ଟେଲିକମ୍ ରାଜସ୍ୱର ୫୦% ବଜାର ଅଂଶ ହାସଲ କରିଛି।

୨୦୨୦ ଏପ୍ରିଲରୁ ଜୁନ୍ ତ୍ରୟମାସିକ ଅବଧିରେ ଓଡ଼ିଶାରେ ରିଲାଏନ୍ସ ଜିଓର ମୋଟ ରାଜସ୍ୱ ଆୟ ୧୫%ରୁ ଅଧିକ ବୃଦ୍ଧିପାଇ ୫୯୪.୩ କୋଟି ଟଙ୍କା ହୋଇଥିବା ରିପୋର୍ଟରେ କୁହାଯାଇଛି। ଆଲୋଚ୍ୟ ତ୍ରୟମାସିକରେ ରାଜ୍ୟରେ ଟେଲିକମ୍ କ୍ଷେତ୍ରର ମୋଟ ରାଜସ୍ୱ ସଂଗ୍ରହ ୪.୬% ବୃଦ୍ଧିପାଇ ୧୧୭୪ କୋଟି ଟଙ୍କା ହୋଇଛି। ଏହି ତ୍ରୟମାସିକରେ ବିଏସିଏନଏଲର ମୋଟ ରାଜସ୍ୱରେ ପରିବର୍ତ୍ତନ ସମ୍ପର୍କରେ ରିପୋର୍ଟରେ କୌଣସି ଉଲ୍ଲେଖ ନଥିବାବେଳେ ଏହି ସମୟରେ ଉଭୟ ଏୟାରଟେଲ ଏବଂ ଭୋଡାଫୋନର ମୋଟ ରାଜସ୍ୱ ଆୟରେ ହ୍ରାସ ଘଟିଥିବା କୁହାଯାଇଛି। ରିପୋର୍ଟ ମୁତାବକ ଏହି ତ୍ରୟମାସିକରେ ଓଡିଶାରେ ଏୟାରଟେଲର ମୋଟ ରାଜସ୍ୱ ଆୟ ୪୩୪ କୋଟି ଟଙ୍କା ଏବଂ ଭୋଡାଫୋନ୍‌ର ୮୪.୨ କୋଟି ଟଙ୍କାକୁ ହ୍ରାସପାଇଛି। ଜୁନ୍ ସୁଦ୍ଧା ଶେଷ ହୋଇଥିବା ତ୍ରୟମାସିକ ନିମନ୍ତେ ବିଏସଏନଏଲର ମୋଟ ରାଜସ୍ୱ ଆୟରେ ଘଟିଥିବା ପରିବର୍ତ୍ତନ ସମ୍ପର୍କରେ ଟ୍ରାଇ ପକ୍ଷରୁ ଘୋଷଣା କରାଯାଇନଥିବାରୁ ରିପୋର୍ଟରେ ବିଏସଏନଏଲର ମାର୍ଚ୍ଚ ତ୍ରୟମାସିକ ସୁଦ୍ଧା ରହିଥିବା ମୋଟ ରାଜସ୍ୱ ଆୟ ୫୮.୮ କୋଟି ଟଙ୍କା ଉଲ୍ଲେଖ କରାଯାଇଛି।

ଓଡ଼ିଶା ପାଇଁ ପ୍ରକାଶିତ ଟ୍ରାଇର ତଥ୍ୟରେ କୁହାଯାଇଛି, ରାଜ୍ୟରେ ସମାୟୋଜିତ ମୋଟ ରାଜସ୍ୱ (ଏଜିଆର)ରେ ରିଲାଏନ୍ସ ଜିଓ ୫୯%ରୁ ଅଧିକ ବଜାର ଅଂଶ ହାସଲ କରିଛି।

ଜୁନ୍ ସୁଦ୍ଧା ଶେଷହୋଇଥିବା ତ୍ରୟମାସିକରେ ହଜାର ହଜାର ବ୍ୟବହାରକାରୀ ୱାର୍କ ଫ୍ରମ୍ ହୋମ୍ ବା ଘରୁ ରହି କାର୍ଯ୍ୟ କରିବା ଆପଣାଇବା ଏବଂ ସାମ୍ପ୍ରତିକ ମହାମାରୀ ସମୟରେ ଛାତ୍ରଛାତ୍ରୀଙ୍କ ପାଇଁ ଅନ୍‌ଲାଇନ ପାଠପଢା ଆରମ୍ଭ ହେବା ଫଳରେ ଡାଟା ବ୍ୟବହାରରେ ମଧ୍ୟ ଦ୍ରୁତ ବୃଦ୍ଧି ଘଟିଛି। ସମଗ୍ର ରାଜ୍ୟରେ ନିରନ୍ତର ହାଇସ୍ପିଡ ଇଂଟରନେଟ୍‌କୁ ସୁନିଶ୍ଚିତ କରିବା ସହିତ ରିଲାଏନ୍ସ ଜିଓ ଓଡ଼ିଶାର ୧୩ଟି ପ୍ରମୁଖ ସହରର ମୁଖ୍ୟ ମୁଖ୍ୟ ଅଂଚଳରେ ଜିଓଫାଇବର ହାଇସ୍ପିଡ ବ୍ରଡବ୍ୟାଣ୍ଡ୍ ସେବା ଆରମ୍ଭ କରିଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଏହାର ୪ଜି ନେଟୱାର୍କର ଦ୍ରୁତ ସମ୍ପ୍ରସାରଣ, ରାଜ୍ୟରେ ଜିଓ ଗ୍ରାହକ ସଂଖ୍ୟାରେ କ୍ରମାଗତ ବୃଦ୍ଧି ଏବଂ ରାଜ୍ୟବ୍ୟାପୀ ନିରନ୍ତର ହାଇସ୍ପିଡ ଇଂଟରନେଟ ସେବା ଯୋଗାଣ ସହିତ ରିଲାଏନ୍ସ ଜିଓ ଓଡ଼ିଶାରେ କ୍ରମାଗତ ଭାବରେ ଅଭିବୃଦ୍ଧି ହାସଲ କରୁଛି। ଏହା ୨୦୧୯ ଡିସେମ୍ବରଠାରୁ ଉଭୟ ଗ୍ରାହକ ବଜାର ଅଂଶ ଏବଂ ରାଜସ୍ୱ ବଜାର ଅଂଶ କ୍ଷେତ୍ରରେ ରାଜ୍ୟରେ ଏକ ନମ୍ବର ସ୍ଥାନରେ ରହିବା ସହିତ ଓଡ଼ିଶା ବଜାରରେ ଅଗ୍ରଣୀ ସ୍ଥାନ ଦଖଲ କରିଛି।

ସୂଚନାଯୋଗ୍ୟ ଯେ, ଟ୍ରାଇ ପକ୍ଷରୁ ସଦ୍ୟ ପ୍ରକାଶିତ ମୋବାଇଲ ଗ୍ରାହକ ତଥ୍ୟ ଅନୁଯାୟୀ ରିଲାଏନ୍ସ ଜିଓ ଓଡ଼ିଶାରେ ମେ’ ମାସରେ ସର୍ବାଧିକ ସଂଖ୍ୟକ ଗ୍ରାହକ ଯୋଗ କରିଛି, ଯେଉଁ ସମୟରେ ଏୟାରଟେଲ ଏବଂ ଭୋଡାଫୋନ ଆଇଡିଆ ଲକ୍ଷାଧିକ ଗ୍ରାହକ ହରାଇଛନ୍ତି। ଚଳିତ ବର୍ଷ ମେ’ ମାସରେ ଓଡ଼ିଶାରେ ରିଲାଏନ୍ସ ଜିଓ ୧.୮୭ ଲକ୍ଷ ନୂଆ ଗ୍ରାହକ ଯୋଗ କରିଥିବାବେଳେ ଏହା ପଛକୁ କେବଳ ବିଏସଏନଏଲ ୫୨୩୨୯ ନୂଆ ଗ୍ରାହକ ଯୋଗ କରିଛି।