ଯାତ୍ରୀଭଡ଼ାରୁ ରେଳବାଇର ରାଜସ୍ୱ ଆୟରେ ୭୬ ପ୍ରତିଶତ ବୃଦ୍ଧି

Published: Dec 2, 2022, 5:41 pm IST

ନୂଆଦିଲ୍ଲୀ: ଏପ୍ରିଲରୁ ନଭେମ୍ବର ୨୦୨୨ ମଧ୍ୟରେ ଭାରତୀୟ ରେଳବାଇର ସମୁଦାୟ ଆନୁମାନିକ ଆୟ ଗତବର୍ଷ ଏହି ସମୟ ତୁଳନାରେ ୭୬ ପ୍ରତିଶତ ବୃଦ୍ଧି ପାଇ ୪୩,୩୨୪ କୋଟି ଟଙ୍କା ହୋଇଛି। ଗତବର୍ଷ ଏହି ସମୟ ମଧ୍ୟରେ ରେଳବାଇର ଆୟ ୨୪,୬୩୧ କୋଟି ଟଙ୍କା ଥିଲା।

ଏପ୍ରିଲ ୧ରୁ ନଭେମ୍ବର ୩୦, ୨୦୨୨ ମଧ୍ୟରେ ସଂରକ୍ଷିତ ବର୍ଗରେ ବୁକ କରିଥିବା ସମୁଦାୟ ଆନୁମାନିକ ଯାତ୍ରୀଙ୍କ ସଂଖ୍ୟା ଗତବର୍ଷ ଏହି ସମୟରେ ବୁକ କରିଥିବା ଯାତ୍ରୀଙ୍କ ସଂଖ୍ୟା ତୁଳନାରେ ୧୦ ପ୍ରତିଶତ ବୃଦ୍ଧି ହୋଇ ୫୩୬୫ ଲକ୍ଷ ରହିଛି। ଗତବର୍ଷ ଏହି ସମୟ ମଧ୍ୟରେ ଯାତ୍ରୀଙ୍କ ସଂଖ୍ୟା ୪୮୬୦ ଲକ୍ଷ ଥିଲା। ସଂରକ୍ଷିତ ଶ୍ରେଣୀରୁ ଏପ୍ରିଲ ୧ରୁ ନଭେମ୍ବର ୩୦, ୨୦୨୨ ମଧ୍ୟରେ ୩୪୩୦୩ କୋଟି ଟଙ୍କା ରାଜସ୍ୱ ଆୟ ହୋଇଛି। ଗତବର୍ଷ ଏହି ସମୟ ତୁଳନାରେ ଏହା ୫୦ ପ୍ରତିଶତ ଅଧିକ ରହିଛି। ଗତବର୍ଷ ଏହି ସମୟ ମଧ୍ୟରେ ୨୨୯୦୪ କୋଟି ଟଙ୍କା ଆୟ ହୋଇଥିଲା।

ଏପ୍ରିଲ ୧ରୁ ନଭେମ୍ବର ୩୦, ୨୦୨୨ ମଧ୍ୟରେ ଅସଂରକ୍ଷିତ ବର୍ଗରେ ବୁକ କରିଥିବା ଯାତ୍ରୀଙ୍କ ସଂଖ୍ୟା ୩୫,୨୭୩ ଲକ୍ଷ ହୋଇଛି। ଏହା ଗତବର୍ଷ ଏହି ସମୟ ଅବଧି ମଧ୍ୟରେ ଯାତ୍ରା କରିଥିବା ଯାତ୍ରୀଙ୍କ ସଂଖ୍ୟାରେ ୧୫୫ ପ୍ରତିଶତ ବୃଦ୍ଧିକୁ ଦର୍ଶାଉଛି। ଗତବର୍ଷ ଏହି ସମୟ ମଧ୍ୟରେ ୧୩୮୧୩ ଲକ୍ଷ ଯାତ୍ରୀ ବୁକ କରିଥିଲେ। ଅସଂରକ୍ଷିତ ଶ୍ରେଣୀରୁ ଏପ୍ରିଲ ୧ରୁ ନଭେମ୍ବର ୩୦, ୨୦୨୨ ମଧ୍ୟରେ ଗତବର୍ଷ ଏହି ସମୟ ତୁଳନାରେ ୪୨୨ ପ୍ରତିଶତ ଅଧିକ ରାଜସ୍ୱ ଆଦାୟ ହୋଇ ୯୦୨୧ କୋଟି ଟଙ୍କାରେ ପହଞ୍ଚିଛି। ଗତବର୍ଷ ଏହି ସମୟ ଅବଧି ମଧ୍ୟରେ ୧୭୨୮ କୋଟି ଟଙ୍କା ରାଜସ୍ୱ ଆଦାୟ ହୋଇଥିଲା।

Related posts