ବାରିପଦା: ମୟୂରଭଞ୍ଜ ରାଜମାତା ଶ୍ରୀମତୀ ଭାରତୀ ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓଙ୍କର ପରଲୋକ ହୋଇଯାଇଛି। ବାରିପଦାର ବେଲଗଡ଼ିଆ ସ୍ଥିତ ରାଜପ୍ରାସାଦରେ ଗତକାଲି ରାତିରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବାର ସୂଚନା ମିଳିଛି। ମୃତ୍ୟୁ ବେଳକୁ ତାଙ୍କୁ 94 ବର୍ଷ ହୋଇଥିଲା।
ରାଜମାତା ଗତକାଲି ଦିନରେ ସୁସ୍ଥ ଥିଲେ। ସକାଳ ଜଳଖିଆ ସହ ଦିନରେ ଭୋଜନ ମଧ୍ୟ କରିଥିଲେ। ରାତ୍ରୀ ଭୋଜନ ପରେ ଶୋଇବାକୁ ଯାଇଥିଲେ। ଏହାପରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି।
ପୂର୍ବତନ ବିଧାୟକ ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓଙ୍କ ମା’ ହେଉଛନ୍ତି ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓ। ୧୯୨୮ ମସିହାରେ ନେପାଳ କାଠମାଣ୍ଡୁରେ ରାଜମାତା ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓ ଜନ୍ମଗ୍ରହଣ କରିଥିଲେ। ରାଜମାତା ଶ୍ରୀମତୀ ଭାରତୀ ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓ ଥିଲେ ନେପାଳ ନରେଶ ତ୍ରିଭୁବନ ବୀର ବିକ୍ରମ ଶାହଙ୍କ କନ୍ୟା। ୧୯୫୨ ମସିହାରେ ସେ ମୟୂରଭଞ୍ଜ ମହାରାଜା ପ୍ରଦୀପ ଚନ୍ଦ୍ର ଭଞ୍ଜଦେଓଙ୍କୁ ବିବାହ କରି ମହାରାଣୀ ହୋଇଥିଲେ।