Categories
ଜାତୀୟ ଖବର ବିଶେଷ ଖବର

ଓଡ଼ିଶା ସମେତ ୧୯ ରାଜ୍ୟକୁ ମିଳିଲା ୬,୧୯୪ କୋଟି ୪୦ ଲକ୍ଷ ଟଙ୍କାର ଏସଡିଆରଏଫ ଅନୁଦାନ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ର ଏବଂ ସମବାୟ ମନ୍ତ୍ରୀ ଅମିତ ଶାହା ଶୁକ୍ରବାର ଦିନ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି (ଏସଡିଆରଏଫ) ଅଧୀନରେ ଓଡ଼ିଶା ସମେତ ୧୯ଟି ରାଜ୍ୟ ପାଇଁ ୬,୧୯୪ କୋଟି ୪୦ ଲକ୍ଷ ଟଙ୍କାର କେନ୍ଦ୍ରୀୟ ଅନୁଦାନ ଯୋଗାଇ ଦେବା ପ୍ରସ୍ତାବକୁ ମଞ୍ଜୁରି ଦେଇଛନ୍ତି। ଏହି ଅର୍ଥରାଶି ମଧ୍ୟରେ ୨୦୨୨-୨୩ ଆର୍ଥିକ ପାଇଁ ୪ଟି ରାଜ୍ୟ – ଛତିଶଗଡ଼, ମେଘାଳୟ, ତେଲଙ୍ଗାନା ଓ ଉତ୍ତର ପ୍ରଦେଶକୁ ଏସଡିଆରଏଫ ବାବଦରେ କେନ୍ଦ୍ର ସରକାରଙ୍କ ଭାଗ ଆକାରରେ ୧୨୦୯ କୋଟି ୬୦ ଲକ୍ଷ ଟଙ୍କା ସାମିଲ ରହିଛି। ଏହାଛଡ଼ା ୧୫ଟି ରାଜ୍ୟ – ଓଡିଶା, ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ଆସାମ, ବିହାର, ଗୋଆ, ହରିୟାଣା, ହିମାଚଳ ପ୍ରଦେଶ, କେରଳ, ମହାରାଷ୍ଟ୍ର, ମଣିପୁର, ମେଘାଳୟ, ପଞ୍ଜାବ, ତାମିଲନାଡୁ, ତ୍ରିପୁରା ପାଇଁ ୨୦୨୩-୨୪ ଆର୍ଥିକ ବର୍ଷର ଏସଡିଆରଏଫ ବାବଦ ୪୯୮୪ କୋଟି ୮୦ ଲକ୍ଷ ଟଙ୍କା ସାମିଲ ରହିଛି। ଏହି ଅର୍ଥରାଶିକୁ ବର୍ତ୍ତମାନର ମୌସୁମୀ ଋତୁ ସମୟରେ ବିପର୍ଯ୍ୟୟ ଜନିତ ସହାୟତା ଓ ଥଇଥାନ କାର୍ଯ୍ୟ ପାଇଁ ବିନିଯୋଗ କରାଯିବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ୨୦୨୩-୨୪ ଆର୍ଥିକ ବର୍ଷ ଲାଗି ୯ଟି ରାଜ୍ୟକୁ ଏସଡିଆରଏଫ ଅଧୀନରେ କେନ୍ଦ୍ରୀୟ ଅନୁଦାନ ଆକାରରେ ୩୬୪୯ କୋଟି ଟଙ୍କା ଯୋଗାଇ ଦେବାକୁ ପୂର୍ବରୁ ଅନୁମତି ଦେଇସାରିଛନ୍ତି। ପଞ୍ଚଦଶ ଅର୍ଥ ଆୟୋଗଙ୍କ ସୁପାରିସ ଆଧାରରେ, କେନ୍ଦ୍ର ସରକାର ୨୦୨୧-୨୨ ଠାରୁ ୨୦୨୫-୨୬ ପର୍ଯ୍ୟନ୍ତ ଏସଡିଆରଏଫ ଅଧୀନରେ ୧,୨୮,୧୨୨.୪୦ କୋଟି ଟଙ୍କା ଆବଣ୍ଟନ କରିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ସ୍ବାସ୍ଥ୍ୟ

କରୋନାରୁ ପ୍ରାଣ ହରାଇଥିବା ପରିବାରକୁ ମିଳିବ କ୍ଷତିପୂରଣ, ଜାଣନ୍ତୁ କେଉଁ ରାଜ୍ୟ ଦେଉଛି କେତେ ରାଶି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ କଠୋରତା ପରେ ଶେଷରେ କରୋନା ଭାଇରସ ଯୋଗୁଁ ପ୍ରାଣ ହରାଇଥିବା ପରିବାରକୁ କ୍ଷତିପୂରଣ ହିସାବରେ କେନ୍ଦ୍ର ୫୦ ହଜାର ଟଙ୍କା ଦେବାକୁ ନିଷ୍ପତ୍ତି ନେଇଛି। ସୁପ୍ରିମକୋର୍ଟଙ୍କ ଜୁନ୍ ୩୦ ତାରିଖ ନିର୍ଦ୍ଦେଶକୁ ପାଳନ କରି ସେପ୍ଟେମ୍ବର ୧୧ ତାରିଖରେ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ନିର୍ଦ୍ଦେଶାବଳୀ ଜାରି କରିଛି। ଜୁନ୍ ୩୦ ତାରିଖରେ କୋର୍ଟ ତାଙ୍କ ରାୟରେ ଏନଡ଼ିଏମଏ କୁ ଛଅ ସପ୍ତାହ ମଧ୍ୟରେ କ୍ଷତିପୂରଣ ପାଇଁ ରାଶି ଘୋଷଣା କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି (ଏସଡ଼ିଆରଏଫ) ରୁ ରାଜ୍ୟମାନଙ୍କୁ କ୍ଷତିପୂରଣ ଦେବାକୁ ପଡିବ ବୋଲି କେନ୍ଦ୍ର କହିଛି। କିନ୍ତୁ କେତେକ ରାଜ୍ୟ କୋଭିଡ ପୀଡିତଙ୍କ ସମ୍ପର୍କୀୟଙ୍କୁ ଏସଡ଼ିଆରଏଫ ପାଣ୍ଠିରୁ ନୁହେଁ ବରଂ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ କ୍ଷତିପୂରଣ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ରାଜ୍ୟଗୁଡିକ ହେଲେ-

୧- ଆନ୍ଧ୍ରପ୍ରଦେଶ (ଅନାଥ ପିଲାମାନଙ୍କୁ ୧୦ ଲକ୍ଷ ଟଙ୍କା, ପିତାମାତାଙ୍କ ମୃତ୍ୟୁରେ ୫ ଲକ୍ଷ ଟଙ୍କା)

୨- ବିହାର (୪ ଲକ୍ଷ ଟଙ୍କା)

୩- ହରିୟାଣା (କେବଳ ବିପିଏଲ ପରିବାରକୁ ୩ ଲକ୍ଷ ଟଙ୍କା)

୪- କର୍ଣ୍ଣାଟକ (୧ ଲକ୍ଷ ଟଙ୍କା)

୫- ଆସାମ (୧ ଲକ୍ଷ ଟଙ୍କା)

୬- ତାମିଲନାଡୁ (ଅନାଥ ପିଲାମାନଙ୍କୁ ୫ ଲକ୍ଷ ଟଙ୍କା ଏବଂ ଏକାକୀ ପିତାମାତାଙ୍କ ମୃତ୍ୟୁ ମାମଲାରେ ୩ ଲକ୍ଷ ଟଙ୍କା)

୭- ତ୍ରିପୁରା (ତିନି କିସ୍ତିରେ ୧୦ ଲକ୍ଷ ଟଙ୍କା)

୮- ନାଗାଲାଣ୍ଡ (କେବଳ କାର୍ଯ୍ୟରତ ସାମ୍ବାଦିକଙ୍କ ସମ୍ପର୍କୀୟଙ୍କୁ ୧୦ ଲକ୍ଷ ଟଙ୍କା)

ଜୁନ୍ ୩୦ ତାରିଖରେ ସୁପ୍ରିମକୋର୍ଟ ଦେଇଥିବା ଆଦେଶରେ କହିଛନ୍ତି ଯେ, କେନ୍ଦ୍ର ସରକାର ଏହାର ଦାୟିତ୍ଵରୁ ଦୂରେଇ ରହିପାରିବେ ନାହିଁ। ମହାମାରୀର ଶିକାର ହୋଇଥିବା ଲୋକଙ୍କ ସମ୍ପର୍କୀୟଙ୍କ ପରବର୍ତ୍ତୀ କ୍ଷତିପୂରଣ ରାଶି ବିପର୍ଯ୍ୟୟ ପରିଚାଳନା ଆଇନ (ଡିଏମଏ) ସ୍ଥିର କରେ। ଏହି ଅଧିନିୟମ ଅନୁଯାୟୀ କରୋନା ସଙ୍କଟକୁ ଜାତୀୟ ବିପର୍ଯ୍ୟୟ ଘୋଷଣା କରାଯାଇଥିଲା।

ଆବେଦନକାରୀଙ୍କ ମୃତକଙ୍କ ସମ୍ପର୍କୀୟଙ୍କୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରାଯାଇଥିଲା। କିନ୍ତୁ ଜୁନ୍ ୩୦ ତାରିଖରେ ସୁପ୍ରିମକୋର୍ଟ ଆବେଦନକାରୀଙ୍କ ଦାବିକୁ ପ୍ରତ୍ୟାଖ୍ୟାନ କରି ଏନଡ଼ିଏମଏ କୁ ୬ ସପ୍ତାହ ମଧ୍ୟରେ କ୍ଷତିପୂରଣ ରାଶି ପାଇଁ ନିର୍ଦ୍ଦେଶାବଳୀ ସୁପାରିଶ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ପରେ, ସେପ୍ଟେମ୍ବର ୩ ତାରିଖରେ, କୋଭିଡ କାରଣରୁ ପ୍ରାଣ ହରାଇଥିବା ପରିବାରବର୍ଗଙ୍କୁ ମୃତ୍ୟୁ ପ୍ରମାଣପତ୍ର ପ୍ରଦାନରେ ବିଳମ୍ବ ହେବା ନେଇ କୋର୍ଟ ଅସନ୍ତୋଷ ବ୍ୟକ୍ତ କରିଥିଲେ।

ବର୍ତ୍ତମାନ ଏନଡ଼ିଏମଏ ଦ୍ଵାରା ସ୍ଥିର ହୋଇଥିବା ରାଶିକୁ ଯଥାର୍ଥ କହି କେନ୍ଦ୍ର କହିଛି ଯେ, “କୋଭିଡ ଏକ ବିପର୍ଯ୍ୟୟ ଯାହା ହ୍ରାସ ପାଇନାହିଁ। ମୋଟ ମୃତ୍ୟୁ ସଂଖ୍ୟା ବଢିବାବାରେ ଲାଗିଛି। ଭାଇରସର ନୂତନ ରୂପ ଏବଂ ଭବିଷ୍ୟତର ଲହରକୁ ନେଇ ଅନିଶ୍ଚିତତା ରହିଛି।” କ୍ଷତିପୂରଣ ରାଶିରୁ ପଡିବାକୁ ଥିବା ମୋଟ ଆର୍ଥିକ ବୋଝ ସ୍ଥିର କରିବା ସମ୍ଭବ ନୁହେଁ।

ଉଲ୍ଲେଖ ଯୋଗ୍ୟ ଯେ, ଭାରତରେ କରୋନା ମହାମାରୀ ଆରମ୍ଭରୁ ମୋଟ ୩ କୋଟି ୩୫ ଲକ୍ଷ ୬୩ ହଜାର ୪୨୧ ଲୋକ ସଂକ୍ରମିତ ହୋଇଛନ୍ତି। ସେଥିମଧ୍ୟରୁ ୪ ଲକ୍ଷ ୪୬ ହଜାର ୫୦ ଜଣଙ୍କର ମୃତ୍ୟୁ ହୋଇଛି। ଏହି ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଉଛି।