Categories
ଆଞ୍ଚଳିକ

ବାଣପୁର ରାଣୀପଡା ଗ୍ରାମରେ ଅଗ୍ନିକାଣ୍ଡ, ସଟ ସର୍କିଟ ସନ୍ଦେହ

ବାଣପୁର( ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ରାଣୀପଡ଼ା ଗ୍ରାମରେ ଗତକାଲି ବିଳମ୍ବିତ ରାତ୍ରିରେ ଅଗ୍ନିକାଣ୍ଡ ଘଟିଯାଇଛି। ଉକ୍ତ ଗ୍ରାମର ରବୀନ୍ଦ୍ର ବାରିକ ଘରେ ଶୋଇଥିବା ବେଳେ ରାତି ପାଖାପାଖି ୨ ଘଟିକା ସମୟରେ ବିଦ୍ୟୁତ ସଟ ସର୍କିଟ ଯୋଗୁଁ ନିଆଁ ଲାଗିଯାଇଥିଲା।

ଚାହୁଁ ଚାହୁଁ ଦୁଇ ବଖରା ଚାଳ ଘର ଜଳିପୋଡି ପାଉଁଶ ହୋଇଯାଇଥିଲା। ଖବର ପାଇ ବାଣପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହଯୋଗରେ ନିଆଁକୁ ଆୟତ୍ତ କରିଥିଲା। ତେବେ ରବୀନ୍ଦ୍ରଙ୍କ ଲକ୍ଷାଧିକ ଟଙ୍କାର ଆସବାବପତ୍ର ଜଳି ପୋଡ଼ି ପାଉଁଶ ହୋଇଯାଇଛି। ରବୀନ୍ଦ୍ର ଗରିବ ଶ୍ରେଣୀର ବ୍ୟକ୍ତି ହୋଇଥିବା ବେଳେ ତାଙ୍କୁ ତୁରନ୍ତ ସରକାରୀ ସହାୟତା ପ୍ରଦାନ ପାଇଁ ସାଧାରଣରେ ଦାବି ହେଉଛି।

Categories
ଆଞ୍ଚଳିକ

ବାଣପୁର: ବିଶ୍ୱ ଦୃଷ୍ଟିଶକ୍ତି ଦିବସ ଉପଲକ୍ଷେ ମାଗଣା ଚକ୍ଷୁ ଚିକିତ୍ସା ଶିବର

ବାଣପୁର (ସୀତାରାମ ଅଗ୍ରୱାଲ): ବିଶ୍ୱ ଦୃଷ୍ଟିଶକ୍ତି ଦିବସ ଉପଲକ୍ଷେ ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ତୁମୁରାପୁଟ ପଞ୍ଚାୟତର ରାଣୀପଡ଼ା ଠାରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବର ଅନୁଷ୍ଠିତ ହୋଇଯାଇଛି। ଶ୍ରୀ ଅରବିନ୍ଦ ମହିଳା ପାଠଚକ୍ର ଉପଦେଷ୍ଟା ଗୋପୀନାଥ ସାହୁଙ୍କ ତତ୍ୱାବଧାନରେ ଉକ୍ତ ଚିକିତ୍ସା ଶିବିରର ଆୟୋଜନ ହୋଇଥିଲା।

ଉକ୍ତ ଶିବିରକୁ ବାଣପୁର ବ୍ଲକ ଅଧକ୍ଷ ଅମରେନ୍ଦ୍ର ରଣସିଂହ, ସମାଜସେବୀ ଜିତେନ୍ଦ୍ର କୁମାର ଭୋଳ ଏବଂ ପ୍ରକାଶ ପଟ୍ଟନାୟକ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଲୋକମାନଙ୍କୁ ଉନ୍ନତ ମାନର ଦୃଷ୍ଟିଶକ୍ତି ପ୍ରଦାନ କରିବା ଲକ୍ଷରେ ଭୁବନେଶ୍ୱର ନୟାପଲ୍ଲୀ ସ୍ଥିତ ସେଣ୍ଟର ଫର ସାଇଟ ହସ୍ପିଟାଲର ଅଭିଜ୍ଞ ଡାକ୍ତର ମାନଙ୍କ ଦ୍ୱାରା ଅଞ୍ଚଳର ଲୋକମାନଙ୍କୁ ମାଗଣା ଚିକିତ୍ସା କରାଯାଇଥିଲା।

ଡାକ୍ତର ସୁଧାଂଶୁ ଶେଖର ମହାପାତ୍ର, ମୁରଲୀ ମନୋହର ଏବଂ ସ୍ୱାସ୍ଥ୍ୟ ସହାୟକ ପ୍ରଦୀପ କୁମାର ସାହୁ ଉକ୍ତ ଶିବିରରେ ଯୋଗଦେଇ ରୋଗୀ ମାନଙ୍କ ଚିକିତ୍ସା କରିଥିଲେ। ଉକ୍ତ ଶିବିରରେ ସ୍ଥାନୀୟ ଅଞ୍ଚଳବାସି ଯୋଗଦେଇ ଏହାର ଲାଭ ଉଠାଇଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଶ୍ରୀ ଅରବିନ୍ଦ ଆଶ୍ରମ ପରିଚାଳକ ଦୁର୍ଯ୍ୟୋଧନ ସାହୁ ପରିଚାଳନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ରୋଜଗାର ପାଇଁ ବିଦେଶକୁ ଯାଇ ଶବ ହୋଇ ଫେରିଲେ ରାଣୀପଡାର ସୌରୀ

ସୀତାରାମ ଅଗ୍ରଓ୍ବାଲ

ବାଣପୁର: ବେରୋଜଗାରୀ ଏବେ ଦେଶର ଉତ୍କଟ ସମସ୍ୟା। ସ୍ୱଦେଶରେ କାମ ନପାଇ ଗୁଜୁରାଣ ମେଣ୍ଟାଇବାକୁ ବିଦେଶ ମୁହାଁ ହେଉଛନ୍ତି ରାଜ୍ୟବାସୀ। କିନ୍ତୁ ଏତିକିରେ ସେମାନଙ୍କ ଦୁଃଖ ସରୁନି। ନାନା ଦୁଃଖ କଷ୍ଟ ସହି ସେଠାରେ କାର୍ଯ୍ୟ କରୁଥିବାବେଳେ କେହି କେହି ଠକଙ୍କ ଜାଲରେ ପଡି ନାନା ହଇରାଣ ହରକତ ହେଉଥିବାବେଳେ ଆଉ କେହି କେହି ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁବରଣ କରୁଛନ୍ତି। ଏପରି ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି।

ମିଳିଥିବା ସୂଚନା ଅନୁସାରେ ବାଣପୁରର ରାଣୀପଡ଼ାର  ୪୫ ବର୍ଷୀୟ ସୌରୀ ଦଳବେହେରା ଦୋହା କତର୍‌ଠାରେ ଏକ କମ୍ପାନୀରେ ଦୀର୍ଘ ଚାରି ବର୍ଷ ଧରି ଚାର୍ଜହ୍ୟାଣ୍ଡ୍‌ରେ କାମ କରୁଥିଲେ। ସେଠାର ଏକ ସଡକ ଦୁର୍ଘଟଣାରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ପରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତ୍ୟୁ ପରେ ତାଙ୍କ ମରଶରୀରକୁ କମ୍ପାନୀ ଓଡ଼ିଶା ପଠାଇଦେଇଥିଲେ। ଦୋହା କତର୍‌ରୁ କଲିକତା ଓ କଲିକତାରୁ ଏକ ଆମ୍ବୁଲାନ୍ସ ଯୋଗେ ମୃତଶରୀର ତାଙ୍କ ଜନ୍ମସ୍ଥାନ ରାଣୀପଡ଼ାକୁ ଆସିଥିଲା। ପରିବାର ବୋଲି ଘରେ ତାଙ୍କର ଏକମାତ୍ର ସ୍ତ୍ରୀ ମାଳତୀ। ତାଙ୍କ ମୃତ୍ୟୁ ଶରୀରକୁ ନେଇ ଆସିଥିବା ଆମ୍ବୁଲାନ୍ସ ଆଦାୟ କରିଛି ୨୧ହଜାର ୫୦୦ ଟଙ୍କା। ମୃତକଙ୍କ ସ୍ତ୍ରୀ ପାଖରେ ଆମ୍ବୁଲାନ୍ସଙ୍କୁ ଟଙ୍କା ଦେବାର ଶକ୍ତି ନଥିବାବେଳେ ଗ୍ରାମବାସୀମାନେ ଆଦାୟ କରି ଆମ୍ବୁଲାନ୍ସକୁ ଟଙ୍କା ଦେଇଥିଲେ।  ତେବେ ପ୍ରାପ୍ତ ସୂଚନା ଅନୁସାରେ କମ୍ପାନୀ ତରଫରୁ ଉକ୍ତ ପରିବାରବର୍ଗକୁ ରାସ୍ତା ଖର୍ଚ୍ଚ ସହ ଅନ୍ତେଷ୍ଟି କ୍ରିୟା ପାଇଁ କିଛି ଟଙ୍କା ମିଳିଛି। ସୌରୀଙ୍କ ପରିବାରରେ ଘରେ କେହି ଉପାର୍ଜନକ୍ଷମ ବ୍ୟକ୍ତି ନଥିବାବେଳେ ତାଙ୍କ ପତ୍ନୀ କମ୍ପାନୀକୁ ତାଙ୍କ ସ୍ବାମୀଙ୍କ ପିଏଫ୍‌ ଟଙ୍କା, ଶ୍ରମଟଙ୍କା ତଥା ଅନ୍ୟାନ୍ୟ ଆନୁସଙ୍ଗିକ ଭତ୍ତା ପାଇଁ  କମ୍ପାନୀ ନିକଟରେ ଦାବି କରିବେ ବୋଲି ସୂଚନା ରହିଛି।

ରାଜ୍ୟ ଓ କେନ୍ଦ୍ର ସରକାର ଶ୍ରମିକ ନୀତିରେ ପରିବର୍ତ୍ତନ କରି ଶ୍ରମିକଙ୍କ ସହଜ ଓ ସୁବିଧା ନିମେନ୍ତ ବହୁପ୍ରକାରର ଯୋଜନା ପ୍ରସ୍ତୁତ କରୁଥିବାବେଳେ ଦେଶ ବାହାରେ କର୍ମ କରୁଥିବା ଶ୍ରମିକମାନେ କେତେଦୂର ସୁରକ୍ଷିତ ତାହା ଏବେ ପ୍ରଶ୍ନର ବିଷୟ।