ରୋଜଗାର ପାଇଁ ବିଦେଶକୁ ଯାଇ ଶବ ହୋଇ ଫେରିଲେ ରାଣୀପଡାର ସୌରୀ

Published: Jan 24, 2020, 1:53 pm IST

ସୀତାରାମ ଅଗ୍ରଓ୍ବାଲ

ବାଣପୁର: ବେରୋଜଗାରୀ ଏବେ ଦେଶର ଉତ୍କଟ ସମସ୍ୟା। ସ୍ୱଦେଶରେ କାମ ନପାଇ ଗୁଜୁରାଣ ମେଣ୍ଟାଇବାକୁ ବିଦେଶ ମୁହାଁ ହେଉଛନ୍ତି ରାଜ୍ୟବାସୀ। କିନ୍ତୁ ଏତିକିରେ ସେମାନଙ୍କ ଦୁଃଖ ସରୁନି। ନାନା ଦୁଃଖ କଷ୍ଟ ସହି ସେଠାରେ କାର୍ଯ୍ୟ କରୁଥିବାବେଳେ କେହି କେହି ଠକଙ୍କ ଜାଲରେ ପଡି ନାନା ହଇରାଣ ହରକତ ହେଉଥିବାବେଳେ ଆଉ କେହି କେହି ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁବରଣ କରୁଛନ୍ତି। ଏପରି ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି।

ମିଳିଥିବା ସୂଚନା ଅନୁସାରେ ବାଣପୁରର ରାଣୀପଡ଼ାର  ୪୫ ବର୍ଷୀୟ ସୌରୀ ଦଳବେହେରା ଦୋହା କତର୍‌ଠାରେ ଏକ କମ୍ପାନୀରେ ଦୀର୍ଘ ଚାରି ବର୍ଷ ଧରି ଚାର୍ଜହ୍ୟାଣ୍ଡ୍‌ରେ କାମ କରୁଥିଲେ। ସେଠାର ଏକ ସଡକ ଦୁର୍ଘଟଣାରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ପରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତ୍ୟୁ ପରେ ତାଙ୍କ ମରଶରୀରକୁ କମ୍ପାନୀ ଓଡ଼ିଶା ପଠାଇଦେଇଥିଲେ। ଦୋହା କତର୍‌ରୁ କଲିକତା ଓ କଲିକତାରୁ ଏକ ଆମ୍ବୁଲାନ୍ସ ଯୋଗେ ମୃତଶରୀର ତାଙ୍କ ଜନ୍ମସ୍ଥାନ ରାଣୀପଡ଼ାକୁ ଆସିଥିଲା। ପରିବାର ବୋଲି ଘରେ ତାଙ୍କର ଏକମାତ୍ର ସ୍ତ୍ରୀ ମାଳତୀ। ତାଙ୍କ ମୃତ୍ୟୁ ଶରୀରକୁ ନେଇ ଆସିଥିବା ଆମ୍ବୁଲାନ୍ସ ଆଦାୟ କରିଛି ୨୧ହଜାର ୫୦୦ ଟଙ୍କା। ମୃତକଙ୍କ ସ୍ତ୍ରୀ ପାଖରେ ଆମ୍ବୁଲାନ୍ସଙ୍କୁ ଟଙ୍କା ଦେବାର ଶକ୍ତି ନଥିବାବେଳେ ଗ୍ରାମବାସୀମାନେ ଆଦାୟ କରି ଆମ୍ବୁଲାନ୍ସକୁ ଟଙ୍କା ଦେଇଥିଲେ।  ତେବେ ପ୍ରାପ୍ତ ସୂଚନା ଅନୁସାରେ କମ୍ପାନୀ ତରଫରୁ ଉକ୍ତ ପରିବାରବର୍ଗକୁ ରାସ୍ତା ଖର୍ଚ୍ଚ ସହ ଅନ୍ତେଷ୍ଟି କ୍ରିୟା ପାଇଁ କିଛି ଟଙ୍କା ମିଳିଛି। ସୌରୀଙ୍କ ପରିବାରରେ ଘରେ କେହି ଉପାର୍ଜନକ୍ଷମ ବ୍ୟକ୍ତି ନଥିବାବେଳେ ତାଙ୍କ ପତ୍ନୀ କମ୍ପାନୀକୁ ତାଙ୍କ ସ୍ବାମୀଙ୍କ ପିଏଫ୍‌ ଟଙ୍କା, ଶ୍ରମଟଙ୍କା ତଥା ଅନ୍ୟାନ୍ୟ ଆନୁସଙ୍ଗିକ ଭତ୍ତା ପାଇଁ  କମ୍ପାନୀ ନିକଟରେ ଦାବି କରିବେ ବୋଲି ସୂଚନା ରହିଛି।

ରାଜ୍ୟ ଓ କେନ୍ଦ୍ର ସରକାର ଶ୍ରମିକ ନୀତିରେ ପରିବର୍ତ୍ତନ କରି ଶ୍ରମିକଙ୍କ ସହଜ ଓ ସୁବିଧା ନିମେନ୍ତ ବହୁପ୍ରକାରର ଯୋଜନା ପ୍ରସ୍ତୁତ କରୁଥିବାବେଳେ ଦେଶ ବାହାରେ କର୍ମ କରୁଥିବା ଶ୍ରମିକମାନେ କେତେଦୂର ସୁରକ୍ଷିତ ତାହା ଏବେ ପ୍ରଶ୍ନର ବିଷୟ।

Related posts