Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଭାରତ ଇତିହାସରେ ଯୋଡି ହେଲା ଜଣେ ଓଡିଆ ଝିଅର ନାମ, ସେ ହେଲେ ‘ଦ୍ରୌପଦୀ ମୁର୍ମୁ’

ଭୁବନେଶ୍ବର: ଯାହା ଆଶା କରାଯାଉଥିଲା ତାହା ହିଁ ହେଲା। ଶେଷରେ ବହୁ ଭୋଟ ବ୍ୟବଧାନରେ ଜିତିଲେ ଓଡିଆ ଝିଅ ଦ୍ରୌପଦୀ ମୁର୍ମୁ। ତାଙ୍କର ପ୍ରତିଦ୍ବନ୍ଦି ଯଶବନ୍ତ ସିହ୍ନାଙ୍କୁ ସେ ୨ ଲକ୍ଷ ୯୬ ହଜାର ୬୨୬ ଖଣ୍ଡ ଭୋଟରେ ବିଜୟ ଲାଭ କରିଛନ୍ତି। ହିସାବ ଅନୁସାରେ ଦ୍ରୌପଦୀ ମୁର୍ମୁ ୬ ଲକ୍ଷ ୭୬ ହଜାର ୮୦୩ ଭୋଟ ପାଇଥିବା ବେଳେ ୩ ଲକ୍ଷ ୮୦ ହଜାର ୧୭୭ ଭୋଟ ପାଇଛନ୍ତି ବିରୋଧୀ ପ୍ରାର୍ଥୀ ଯଶବନ୍ତ ସିହ୍ନା।

୬୪ ବର୍ଷିୟ ଦ୍ରୌପଦୀ ମୁର୍ମୁ ୬୪ ପ୍ରତିଶତ ଭୋଟ ହାସଲ କରି ବିଜୟ ଲାଭ କରିଛନ୍ତି। ବୟସ ହିସାବରେ ଦେଖିବାକୁ ଗଲେ ସେ ହିଁ ହେବ ଦେଶର ସର୍ବ କନିଷ୍ଠା ରାଷ୍ଟ୍ରପତି। କାରଣ ହେଲା ଦ୍ରୌପଦୀ ମୁର୍ମୁ ୨୦ ଜୁନ୍ ୧୯୫୮ ରେ ଜନ୍ମଗ୍ରହଣ କରିଛନ୍ତି। ବର୍ତ୍ତମାନ ଭାରତର ଯେତେ ରାଷ୍ଟ୍ରପତି ହୋଇଛନ୍ତି ସେମାନେ ସମସ୍ତେ ଦେଶ ସ୍ବାଧୀନତା ପୂର୍ବରୁ ଜନ୍ମ ଗ୍ରହଣ କରିଛନ୍ତି। ହେଲେ ଦ୍ରୌପଦୀ ମୁର୍ମୁ ସ୍ବାଧୀନତାର ୧୧ ବର୍ଷ ପରେ ଜନ୍ମ ଗ୍ରହଣ କରିଛନ୍ତି।

ତେବେ ଭାରତ ଇତିହାସରେ ସର୍ବ କନିଷ୍ଠ ରାଷ୍ଟ୍ରପତି ଭାବେ ଥିଲେ ନୀଲମ ସଞ୍ଜୀବ ରେଡ୍ଡୀ। ସେ ରାଷ୍ଟ୍ରପତି ଦ୍ବାୟତ୍ବ ନେବା ବେଳକୁ ତାଙ୍କର ବୟସ ଥିଲା ୬୪ ବର୍ଷ, ୨ ମାସ ୬ ଦିନ। ଏବେ ଦ୍ରୌପଦୀ ମୁର୍ମୁ ୨୫ ଜୁଲାଇରେ ଶପଥ ନେବେ। ସେହିଦିନକୁ ଯଦି ହିସାବକୁ ନିଆଯାଏ ତେବେ ତାଙ୍କର ବୟସ ହେବ ୬୪ ବର୍ଷ, ୧ ମାସ ୮ ଦିନ।

ସେହିପରି ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ପହଞ୍ଚିଥିବା ପ୍ରଥମ ଆଦିବାସୀ ମହିଳା ହେବେ ଦ୍ରୌପଦୀ ମୁର୍ମୁ। ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଆଦିବାସୀ ରାଷ୍ଟ୍ରପତି କିମ୍ବା ପ୍ରଧାନମନ୍ତ୍ରୀ ଆସନ ପର୍ଯ୍ୟନ୍ତ ପହଞ୍ଚି ପାରି ନାହାଁନ୍ତି। କେବଳ ଦେଶରେ କେ.ଆର ନାରାୟଣନ ଏବଂ ରାମନାଥ କୋବିନ୍ଦ ୨ ଜଣ ଦଳିତ ସଂପ୍ରଦାୟର ରାଷ୍ଟ୍ରପତି ହୋଇଛନ୍ତି। ଏହିପରି ବିଭିନ୍ନ କ୍ଷେତ୍ରରେ ଭାରତ ଇତିହାସରେ ଯୋଡି ହେବ ଏହି ଓଡିଆ ଝିଅର ନାମ, ଦ୍ରୋପଦୀ ମୁର୍ମୁ।

Categories
ଆଜିର ଖବର ଜାତୀୟ ଖବର

ପିପିଇ କିଟ୍ ପିନ୍ଧି ରାଷ୍ଟ୍ରପତି ନିର୍ବାଚନରେ ଭୋଟ ଦେଲେ ଦୁଇ ମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ରାଷ୍ଟ୍ରପତି ନିର୍ବାଚନ ବେଳେ ସଂସଦ ଭବନରେ ଦେଖାଦେଇଥିଲା ଏକ ଭିନ୍ନ ଦୃଶ୍ୟ। ତାହା ହେଲା କୋରନା ଆକ୍ରାନ୍ତ ଦୁଇ ଜଣ ମନ୍ତ୍ରୀ ଭୋଟ ଦେବା ପାଇଁ ଆସିଥିଲେ। ଉଭୟ ପିପିଇ କିଟ ପରିଧାନ କରି ଭୋଟ ଗ୍ରହଣ କେନ୍ଦ୍ରକୁ ପ୍ରବେଶ କରିଥିଲେ। ସେମାନେ ହେଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ଶକ୍ତି ମନ୍ତ୍ରୀ ଆର କେ ସିଂ।

ଉଭୟ କିଛି ଦିନ ଧରି କରୋନା ଆକ୍ରାନ୍ତ ଅଛନ୍ତି। ସେ ନେଇ ସେମାନେ ସଂସଦ ସଚିବାଳୟ ଏବଂ ନିର୍ବାଚନ କମିଶନରଙ୍କୁ ଅବଗତ କରାଇଥିଲେ। ସେମାନେ କିପରି ଭୋଟ ଦେବେ ସେ ନେଇ ଅନୁରୋଧ କରିଥିଲେ। ଉଭୟଙ୍କ ଅନୁରୋଧ ପରେ କରୋନା କଟକଣା ଭିତରେ ସେମାନେ ମତଦାନ କରି ସେହି ସ୍ଥାନ ପରିତ୍ୟାଗ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ରାଷ୍ଟ୍ରପତି ନିର୍ବାଚନର ଭୋଟ ବେଳେ ବଡ ନିଷ୍ପତି ନେଲେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ

ଭୁବନେଶ୍ବର: ଆଜି ଓଡିଶା ବିଧାନସଭାରେ ଚାଲିଛି ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ। ହେଲେ ଏହି ଭୋଟ ଗ୍ରହଣ ବେଳେ ଏକ ଭିନ୍ନ କଥା ଦେଖିବାକୁ ମିଳିଛି। ତାହା ହେଲା କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କ ପଦକ୍ଷେପ। ମୋକିମ ନିଜ ଦଳୀୟ ପ୍ରାର୍ଥୀଙ୍କୁ ଭୋଟ ନ ଦେଇ ସିଧା ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଛନ୍ତି।

ସେ ଖୋଲମଖୁଲା କହିଛନ୍ତି ଯେ, ମୋ ବିବେକ ଅନୁସାରେ ଭୋଟ ଦେଇଛି। ମୁଁ ମୋ ବିବେକକୁ ପଚାରିଛି। ସେହିପରି ବିଭିନ୍ନ ଲୋକଙ୍କର ଚାପ ମଧ୍ୟ ଥିଲା। ଓଡିଆ ଝିଅକୁ ସମର୍ଥନ କରନ୍ତୁ ବୋଲି ଅନୁରୋଧ କରୁଥିଲେ। ତେଣୁ ମୁଁ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବା ପାଇଁ ନିଷ୍ପତି କରି ଭୋଟ ଦେଲି। ଦଳୀୟ ତରଫରୁ କୌଣସି ଅଭିଯୋଗ ଆସିଲେ ମୁଁ ଦେଖିବି ବୋଲି ମୋକିମ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ରାଷ୍ଟ୍ରପତି ନିର୍ବାଚନ 2022: ବିଧାନସଭାରେ ଭୋଟ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଧାନସଭା ପରିସରରେ ଥିବା 54 ନମ୍ବର ରୁମରେ ଭୋଟ ଦେଇଛନ୍ତି। ଆଜା ସାରା ଦେଶରେ ଚାଲିଥିବା ରାଷ୍ଟ୍ରପତି ନିର୍ବାଚନରେ ସେ ନିଜକୁ ସାମିଲ କରି ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି। ଆଜି ଓଡିଶାର ସମସ୍ତ ବିଧାୟକ ବିଭିନ୍ନ ସମୟରେ ଆସି ରାଷ୍ଟ୍ରପତି ନିର୍ବାଚନରେ ନିଜର ମତାଧିକାର ସାବ୍ୟସ୍ତ କରୁଛନ୍ତି।

ଏଥର ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଓଡିଶାର ଦ୍ରୌପଦୀ ମୁର୍ମୁ ପ୍ରତିଦ୍ବନ୍ଦିତା କରୁଛନ୍ତି। ସେ ଓଡିଶାର ହୋଇଥିବାରୁ ତାଙ୍କୁ ନବୀନ ପଟ୍ଟନାୟକ ପୂର୍ଣ୍ଣ ସମର୍ଥନ ପ୍ରଦାନ କରୁଛନ୍ତି। ଏପରିକି ଅନ୍ୟ ବିଧାୟକଙ୍କୁ ମଧ୍ୟ ଭୋଟ ଦେବା ପାଇଁ ଅନୁରୋଧ କରିଛନ୍ତି। ଆଜି ଅପରାହ୍ନ ପାଞ୍ଚଟା ପର୍ଯ୍ୟନ୍ତ ଏହି ଭୋଟ ଗ୍ରହଣ ଚାଲିବ।