ଭାରତ ଇତିହାସରେ ଯୋଡି ହେଲା ଜଣେ ଓଡିଆ ଝିଅର ନାମ, ସେ ହେଲେ ‘ଦ୍ରୌପଦୀ ମୁର୍ମୁ’

Published: Jul 22, 2022, 6:05 am IST

ଭୁବନେଶ୍ବର: ଯାହା ଆଶା କରାଯାଉଥିଲା ତାହା ହିଁ ହେଲା। ଶେଷରେ ବହୁ ଭୋଟ ବ୍ୟବଧାନରେ ଜିତିଲେ ଓଡିଆ ଝିଅ ଦ୍ରୌପଦୀ ମୁର୍ମୁ। ତାଙ୍କର ପ୍ରତିଦ୍ବନ୍ଦି ଯଶବନ୍ତ ସିହ୍ନାଙ୍କୁ ସେ ୨ ଲକ୍ଷ ୯୬ ହଜାର ୬୨୬ ଖଣ୍ଡ ଭୋଟରେ ବିଜୟ ଲାଭ କରିଛନ୍ତି। ହିସାବ ଅନୁସାରେ ଦ୍ରୌପଦୀ ମୁର୍ମୁ ୬ ଲକ୍ଷ ୭୬ ହଜାର ୮୦୩ ଭୋଟ ପାଇଥିବା ବେଳେ ୩ ଲକ୍ଷ ୮୦ ହଜାର ୧୭୭ ଭୋଟ ପାଇଛନ୍ତି ବିରୋଧୀ ପ୍ରାର୍ଥୀ ଯଶବନ୍ତ ସିହ୍ନା।

୬୪ ବର୍ଷିୟ ଦ୍ରୌପଦୀ ମୁର୍ମୁ ୬୪ ପ୍ରତିଶତ ଭୋଟ ହାସଲ କରି ବିଜୟ ଲାଭ କରିଛନ୍ତି। ବୟସ ହିସାବରେ ଦେଖିବାକୁ ଗଲେ ସେ ହିଁ ହେବ ଦେଶର ସର୍ବ କନିଷ୍ଠା ରାଷ୍ଟ୍ରପତି। କାରଣ ହେଲା ଦ୍ରୌପଦୀ ମୁର୍ମୁ ୨୦ ଜୁନ୍ ୧୯୫୮ ରେ ଜନ୍ମଗ୍ରହଣ କରିଛନ୍ତି। ବର୍ତ୍ତମାନ ଭାରତର ଯେତେ ରାଷ୍ଟ୍ରପତି ହୋଇଛନ୍ତି ସେମାନେ ସମସ୍ତେ ଦେଶ ସ୍ବାଧୀନତା ପୂର୍ବରୁ ଜନ୍ମ ଗ୍ରହଣ କରିଛନ୍ତି। ହେଲେ ଦ୍ରୌପଦୀ ମୁର୍ମୁ ସ୍ବାଧୀନତାର ୧୧ ବର୍ଷ ପରେ ଜନ୍ମ ଗ୍ରହଣ କରିଛନ୍ତି।

ତେବେ ଭାରତ ଇତିହାସରେ ସର୍ବ କନିଷ୍ଠ ରାଷ୍ଟ୍ରପତି ଭାବେ ଥିଲେ ନୀଲମ ସଞ୍ଜୀବ ରେଡ୍ଡୀ। ସେ ରାଷ୍ଟ୍ରପତି ଦ୍ବାୟତ୍ବ ନେବା ବେଳକୁ ତାଙ୍କର ବୟସ ଥିଲା ୬୪ ବର୍ଷ, ୨ ମାସ ୬ ଦିନ। ଏବେ ଦ୍ରୌପଦୀ ମୁର୍ମୁ ୨୫ ଜୁଲାଇରେ ଶପଥ ନେବେ। ସେହିଦିନକୁ ଯଦି ହିସାବକୁ ନିଆଯାଏ ତେବେ ତାଙ୍କର ବୟସ ହେବ ୬୪ ବର୍ଷ, ୧ ମାସ ୮ ଦିନ।

ସେହିପରି ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ପହଞ୍ଚିଥିବା ପ୍ରଥମ ଆଦିବାସୀ ମହିଳା ହେବେ ଦ୍ରୌପଦୀ ମୁର୍ମୁ। ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଆଦିବାସୀ ରାଷ୍ଟ୍ରପତି କିମ୍ବା ପ୍ରଧାନମନ୍ତ୍ରୀ ଆସନ ପର୍ଯ୍ୟନ୍ତ ପହଞ୍ଚି ପାରି ନାହାଁନ୍ତି। କେବଳ ଦେଶରେ କେ.ଆର ନାରାୟଣନ ଏବଂ ରାମନାଥ କୋବିନ୍ଦ ୨ ଜଣ ଦଳିତ ସଂପ୍ରଦାୟର ରାଷ୍ଟ୍ରପତି ହୋଇଛନ୍ତି। ଏହିପରି ବିଭିନ୍ନ କ୍ଷେତ୍ରରେ ଭାରତ ଇତିହାସରେ ଯୋଡି ହେବ ଏହି ଓଡିଆ ଝିଅର ନାମ, ଦ୍ରୋପଦୀ ମୁର୍ମୁ।

Related posts