Categories
ବିଶେଷ ଖବର

ରାଷ୍ଟ୍ରୀୟ ମର୍ଯ୍ୟାଦାରେ ହେବ ତ୍ରିଲୋଚନ କାନୁନଗୋଙ୍କ ଶେଷକୃତ୍ୟ: ପୂର୍ବତନ ସାଂସଦଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ବର: ବିଶିଷ୍ଟ ଜନନେତା ପୂର୍ବତନ ସାଂସଦ, ପୂର୍ବତନ ବିଧାୟକ ତ୍ରିଲୋଚନ କାନୁନଗୋଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ଶୋକବାର୍ତ୍ତାରେ ସ୍ଵର୍ଗତ କାନୁନଗୋଙ୍କୁ ଜଣେ ବିଶିଷ୍ଟ ପାର୍ଲିଆମେଣ୍ଟାରିଆନ, ଅର୍ଥନୀତିଜ୍ଞ ତଥା ସମାଜସେବୀ ଭାବରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବର୍ଣ୍ଣନା କରିଛନ୍ତି। ସେ ଥିଲେ ସାଧାରଣ ଲୋକର ବନ୍ଧୁ ଓ ସାରା ଜୀବନ ସମାଜସେବା ପାଇଁ ନିଜକୁ ସମର୍ପିତ କରିଥିଲେ।

ସାଂସଦ, ବିଧାୟକ, ଦ୍ୱିତୀୟ ରାଜ୍ୟ ଅର୍ଥ କମିଶନର ଅଧ୍ୟକ୍ଷ ତଥା କଟକ ମୁନିସିପାଲଟିର ଚେୟାରମ୍ୟାନ ଭବରେ ସେ ଅନେକ ଉଲ୍ଲେଖନୀୟ କାମ କରିଯାଇଛନ୍ତି। ତାଙ୍କର ନିଃସ୍ବାର୍ଥପର ସେବା ପାଇଁ ସ୍ଵର୍ଗତ କାନୁନଗୋ ସବୁବେଳେ ସ୍ମରଣୀୟ ହୋଇ ରହିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇବା ସହ ପରଲୋକଗତ ଆତ୍ମାର ସଦ୍ଗତି କାମନା କରିଛନ୍ତି।

ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ସ୍ଵର୍ଗତଃ କାନୁନଗୋଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

Categories
ବିଶେଷ ଖବର

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଭାରତ ରତ୍ନ ଲତା ମଙ୍ଗେଶକରଙ୍କ ହେଲା ଅନ୍ତିମ ସଂସ୍କାର

ମୁମ୍ବାଇ: ଦେଶର ପ୍ରସିଦ୍ଧ କଣ୍ଠଶିଳ୍ପୀ ସ୍ୱର କୋକିଳା ଲତା ମଙ୍ଗେଶକରଙ୍କୁ ଆଜି ମୁମ୍ବାଇର ଶିବାଜୀ ପାର୍କରେ ରାଷ୍ଟ୍ରୀୟ ସମ୍ମାନରେ ଅନ୍ତିମ ସଂସ୍କାର କରାଯାଇଛି। ତାଙ୍କ ଶରୀରକୁ ତ୍ରିରଙ୍ଗାରେ ଗୁଡ଼ାଇ ଦିଆଯାଇଥିଲା ଏବଂ ସଶସ୍ତ୍ର ବାହିନୀର ସୈନିକମାନେ ତାଙ୍କୁ ଶେଷ ଅଭିବାଦନ ଜଣାଇଥିଲେ। ଅନ୍ତିମ ସଂସ୍କାରରେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଉପସ୍ଥିତ ଥିଲେ ଏବଂ ସେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହା ସହିତ କ୍ରିକେଟର ସଚିନ ତେନ୍ଦୁଲକର, ଶାହାରୁଖ ଖାନଙ୍କ ସମେତ ସମସ୍ତ ସେଲିବ୍ରିଟି ମଧ୍ୟ ଅନ୍ତିମ ସଂସ୍କାରରେ ଯୋଗ ଦେଇଥିଲେ। ୯୨ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଯାଇଥିଲା। ତାଙ୍କ ମୃତ୍ୟୁରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଦେଶ ତଥା ବିଦେଶର ଲୋକମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି।

ଜାନୁଆରୀ ୮ ତାରିଖରେ ଲତା ମଙ୍ଗେଶକରରେ କୋଭିଡ ପଜିଟିଭ ହୋଇଥିଲେ। ଏହା ପରେ ତାଙ୍କୁ ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ପ୍ରାୟ ଏକ ମାସ ଧରି ଆଇସିୟୁରେ ଲାଇଫ୍ ସପୋର୍ଟରେ ଥିଲେ। ସେ ଆଜିଡାକ୍ତରଖାନାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ତାଙ୍କ ମୃତ୍ୟୁ ଖବର ଦେଶବାସୀଙ୍କୁ ଚକିତ କରି ଦେଇଛି। କେନ୍ଦ୍ର ସରକାର ଦେଶରେ ଦୁଇ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛି।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର: ଶହୀଦ ହେଲେ କର୍ତ୍ତବ୍ୟରତ ଯବାନ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ପାଇଁ ଦାବି

ସୀତାରାମ ଅଗ୍ରୱାଲ

ବାଣପୁର: ଜଣେ ଓଡ଼ିଆ ଯବାନ ଦେଶ ପାଇଁ ଡ୍ୟୁଟି କରୁଥିବା ଅବସ୍ଥାରେ ସହିଦ ହୋଇଛନ୍ତି। ଓଡ଼ିଆ ଯବାନ ଜଣଙ୍କ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଖଣତ ଗ୍ରାମର ଦେବରାଜ ମହାରଣା ଓ ବୁଲୁବଦନୀ ମହାରଣାଙ୍କ ପୁତ୍ର ଜ୍ୟୋତି ପ୍ରକାଶ ମହାରଣା (୨୫)। ଜ୍ୟୋତି ପ୍ରକାଶଙ୍କ ପିତା ମଧ୍ୟ ପୂର୍ବତନ ସେନା କର୍ମଚାରୀ। ସେ ଦୀର୍ଘ ୩୦ ବର୍ଷ ଧରି ଭାରତୀୟ ସେନାରେ କାର୍ଯ୍ୟରତ ଥିବାବେଳେ ୨୦୧୮ ଜାନୁଆରୀ ମାସରେ ସେନା ଚାକିରିରୁ ଅବସର ନେଇଥିଲେ।

ତେବେ ତାଙ୍କ ବଡ଼ ପୁଅ ଜ୍ୟୋତିପ୍ରକାଶ ୨୦୧୬ ମସିହାରେ ଭାରତୀୟ ସେନାର ଏମଆଇଆରସି ବିଭାଗରେ ଭର୍ତ୍ତି ହୋଇଥିଲେ। ସେ ପ୍ରଥମେ ପଠାନକୋଟ ଏବଂ ବର୍ତ୍ତମାନ ପଞ୍ଜାବର ଭଟିଣ୍ଡା ଠାରେ ସେନାରେ କାର୍ଯ୍ୟରତ ଥିଲେ। କିନ୍ତୁ ଗତ ଶୁକ୍ରବାର ଦିନ ମଧ୍ୟ ରାତ୍ରିରେ ଡ୍ୟୁଟି ସମୟରେ ଜ୍ୟୋତିଙ୍କ ଦେହାନ୍ତ ହୋଇଯାଇଥିବାର ଖବର ପାଇଥିଲେ ତାଙ୍କ ପିତା ଦେବରାଜ। ଶୁକ୍ରବାର ରାତି ୧୨ ରୁ ୨ ଟା ମଧ୍ୟରେ ଦ୍ଵିତୀୟ ପର୍ଯ୍ୟାୟ ଡ୍ୟୁଟିକୁ ବାହାରୁଥିବା ବେଳେ ମୂର୍ଚ୍ଛା ହୋଇ ପଡିଯାଇଥିଲେ। ଏହି ଘଟଣା ବାବଦରେ ଗାର୍ଡ କମାଣ୍ଡର ଦେବରାଜଙ୍କୁ ଟେଲିଫୋନ ଯୋଗେ ସୂଚନା ଦେଇଥିଲେ। ସେଠାରୁ ତୁରନ୍ତ ତାଙ୍କୁ ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ମୃତ୍ୟର କାରଣ ଜଣାପଡ଼ିବାକୁ ଥିବା ବେଳେ ପ୍ରାଥମିକ ତଦନ୍ତରେ ଏହା ହୃଦଘାତ ଲାଗି ହୋଇଥିବାର ଜ୍ୟୋତିଙ୍କ ପିତା କହିଛନ୍ତି।  ଆଜି ଜ୍ୟୋତିଙ୍କ ମର ଶରୀରକୁ ଜାତୀୟ ପତାକାରେ ଅଚ୍ଛାଦିତ କରି ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଭାରତୀୟ ସେନା ବିମାନ ଯୋଗେ ଭଟିଣ୍ଡାରୁ ଭୁବନେଶ୍ୱର ବିମାନ ବନ୍ଦର ପଠାଇବା ବ୍ୟବସ୍ଥା କରିଥବାର ସୂଚନା ମିଳିଛି।

ତେବେ ଆଜି ରାତି ୧୦.୨୦ ଘଟିକାରେ ସହିଦ ଜ୍ୟୋତିଙ୍କ ମର ଶରୀର ଭୁବନେଶ୍ୱର ପହଞ୍ଚିବ ଏବଂ ତାଙ୍କୁ ଗ୍ରହଣ କରିବାକୁ ବିଷ୍ଣୁଡିହ ପଞ୍ଚାୟତ ସରପଞ୍ଚ ଭୁବନେଶ୍ୱର ଯାଇଥିବାର ଦେବରାଜ କହିଛନ୍ତି। ତେବେ ପିତା ଦେବରାଜ ପୁଅ ଡ୍ୟୁଟିରେ ସହିଦ ହୋଇଥିବାରୁ ଗୋଟାଏ ପଟେ ଗର୍ବ ଅନୁଭବ କରୁଥିବାବେଳେ ଅନ୍ୟପଟେ ଘରର ବଡ ପୁଅ ଚାଲିଯିବାରୁ ବୁକୁ ଫଟାଇ କାନ୍ଦୁଛନ୍ତି ଜ୍ୟୋତିଙ୍କ ପରିବାର।

ଜ୍ୟୋତିଙ୍କ ଜଣେ ସାନ ଭାଇ ଥିବାବେଳେ ଆଉ ଜଣେ ଭଉଣୀ ଅଛନ୍ତି। କିନ୍ତୁ ଏହି ଘଟଣା ପରେ ସହିଦଙ୍କ ପିତା ତଥା ପୂର୍ବତନ ସେନା କର୍ମଚାରୀ ଦେବରାଜ ଏକ ଇଚ୍ଛା ପ୍ରକାଶ କରିଛନ୍ତି। ପୁଅର ମର ଶରୀର ଗ୍ରାମରେ ଆସିବାପରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ତାଙ୍କର ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ କରାଯାଉ ବୋଲି ପୂର୍ବତନ ସେନା କର୍ମଚାରୀ ନିବେଦନ କରିଛନ୍ତି। କାରଣ ଏଯାବତ ଏହି ବିଷୟରେ ସ୍ଥାନୀୟ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ସୂଚନା ନଥିବାରୁ ସହିଦ ଜ୍ୟୋତିପ୍ରକାଶଙ୍କ ପିତା ଦୁଃଖ ପ୍ରକାଶ କରିଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ସାଂସଦ ରଘୁନାଥ ମହାପାତ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ: ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କରାଯିବ ଶେଷକୃତ୍ୟ

ଭୁବନେଶ୍ଵର: ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ରାଜ୍ୟ ସଭା ସଦସ୍ୟ ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି।

ଏକ ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସ୍ବର୍ଗତ ମହାପାତ୍ର ତାଙ୍କ ନିହାଣ ମୂନରେ ଓଡ଼ିଶାର ମହାନ କଳା ପରମ୍ପରାକୁ ବିଶ୍ବବ୍ୟାପୀ କରିଥିଲେ। ଓଡ଼ିଶାର କଳା ଓ ଐତିହ୍ୟ କୁ ସମୃଦ୍ଧ କରିବାରେ ତାଙ୍କର ମହନୀୟ ଅବଦାନ ପାଇଁ ସେ ସର୍ବଦା ସ୍ମରଣୀୟ ହୋଇରହିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସେ ଥିଲେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅନନ୍ୟ ଭକ୍ତ। ସାରା ଦେଶରେ ବହୁସ୍ଥାନରେ ଜଗନ୍ନାଥ ମନ୍ଦିର ନିର୍ମାଣରେ ତାଙ୍କର ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ଥିଲା। ପୁରୀ ଶ୍ରୀ ମନ୍ଦିର ମରାମତିରେ ସେ ମଧ୍ୟ ସହଯୋଗ କରିଥିଲେ। ଗଞ୍ଜାମ ତାରାତାରିଣୀ ମନ୍ଦିର ପୁନନିର୍ମାଣରେ ସେ ତାଙ୍କର ଅତୁଳନୀୟ କାରିଗରୀ ଦଷତା ପ୍ରଦର୍ଶନ କରିଯାଇଛନ୍ତି। ବାସ୍ତବରେ ସେ ଥିଲେ କଳାଜଗତର ଏକ ବିସ୍ମୟ କର ପ୍ରତିଭା।

ତାଙ୍କ ବିୟୋଗରେ ଭାରତର କଳା ଜଗତରେ ଏକ ବିରାଟ ଶୂନ୍ୟତା ସୃଷ୍ଟି ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହ ମୁଖ୍ୟମନ୍ତ୍ରୀ ପରଲୋକ ଗତ ଆତ୍ମାର ସଦ୍ ଗତି କାମନା କରିଛନ୍ତି।

ସ୍ବର୍ଗତ ରଘନାଥ ମହାପାତ୍ରଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।