ସାଂସଦ ରଘୁନାଥ ମହାପାତ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ: ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କରାଯିବ ଶେଷକୃତ୍ୟ

Published: May 9, 2021, 7:57 pm IST

ଭୁବନେଶ୍ଵର: ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ରାଜ୍ୟ ସଭା ସଦସ୍ୟ ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି।

ଏକ ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସ୍ବର୍ଗତ ମହାପାତ୍ର ତାଙ୍କ ନିହାଣ ମୂନରେ ଓଡ଼ିଶାର ମହାନ କଳା ପରମ୍ପରାକୁ ବିଶ୍ବବ୍ୟାପୀ କରିଥିଲେ। ଓଡ଼ିଶାର କଳା ଓ ଐତିହ୍ୟ କୁ ସମୃଦ୍ଧ କରିବାରେ ତାଙ୍କର ମହନୀୟ ଅବଦାନ ପାଇଁ ସେ ସର୍ବଦା ସ୍ମରଣୀୟ ହୋଇରହିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସେ ଥିଲେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅନନ୍ୟ ଭକ୍ତ। ସାରା ଦେଶରେ ବହୁସ୍ଥାନରେ ଜଗନ୍ନାଥ ମନ୍ଦିର ନିର୍ମାଣରେ ତାଙ୍କର ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ଥିଲା। ପୁରୀ ଶ୍ରୀ ମନ୍ଦିର ମରାମତିରେ ସେ ମଧ୍ୟ ସହଯୋଗ କରିଥିଲେ। ଗଞ୍ଜାମ ତାରାତାରିଣୀ ମନ୍ଦିର ପୁନନିର୍ମାଣରେ ସେ ତାଙ୍କର ଅତୁଳନୀୟ କାରିଗରୀ ଦଷତା ପ୍ରଦର୍ଶନ କରିଯାଇଛନ୍ତି। ବାସ୍ତବରେ ସେ ଥିଲେ କଳାଜଗତର ଏକ ବିସ୍ମୟ କର ପ୍ରତିଭା।

ତାଙ୍କ ବିୟୋଗରେ ଭାରତର କଳା ଜଗତରେ ଏକ ବିରାଟ ଶୂନ୍ୟତା ସୃଷ୍ଟି ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହ ମୁଖ୍ୟମନ୍ତ୍ରୀ ପରଲୋକ ଗତ ଆତ୍ମାର ସଦ୍ ଗତି କାମନା କରିଛନ୍ତି।

ସ୍ବର୍ଗତ ରଘନାଥ ମହାପାତ୍ରଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

Related posts